ଏସିଆ କପ୍ ହକି: ଇଣ୍ଡୋନେସିଆକୁ ୧୬-୦ ହରାଇଲା ଭାରତ, ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା ପାକିସ୍ତାନ

Published: May 26, 2022, 8:09 pm IST

ନୂଆଦିଲ୍ଲୀ: ଭାରତୀୟ ହକି ଦଳ ଏସିଆ କପ୍ ୨୦୨୨ ରେ ଇଣ୍ଡୋନେସିଆକୁ ୧୬-୦ରେ ପରାସ୍ତ କରି ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଏକ ରେକର୍ଡ ବିଜୟ ହାସଲ କରିଛି। ଏଥି ସହିତ ପାକିସ୍ତାନୀ ହକି ଦଳ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି। ଏହି ମ୍ୟାଚ୍ ପାଇଁ ଭାରତୀୟ ଖେଳାଳି ପୱନ ରାଜଭରଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବରେ ଘୋଷଣା କରାଯାଇଛି। ଏହି ମ୍ୟାଚ୍ ପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ରେ ଡ୍ର ରହିଥିଲା। କିନ୍ତୁ ଟିମ୍ ଇଣ୍ଡିଆକୁ ଜାପାନ ୨-୫ରେ ପରାସ୍ତ କରିଥିଲା।

ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୬-୦ରେ ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଭାରତ ତୃତୀୟ ତଥା ଚତୁର୍ଥ କ୍ୱାର୍ଟରରେ ଭଲ ପ୍ରଦର୍ଶନ କରି ୧୬-୦ ମ୍ୟାଚ ଜିତିଥିଲା।

ଏହି ମ୍ୟାଚ୍ ର ବଡ ପ୍ରଭାବ ହକି ବିଶ୍ୱକପ୍ ୨୦୨୩ରେ ହେବାକୁ ଯାଉଥିଲା। ଏକ ବୃହତ ବ୍ୟବଧାନରେ ଏଠାରେ ଜିତିଥିବା ଦଳ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଯାଉଥିଲା। ତେଣୁ ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତ ସହିତ ଜାପାନ, କୋରିଆ ଏବଂ ମାଲେସିଆ ମଧ୍ୟ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। କିନ୍ତୁ ବିଶ୍ଵକପରୁ ପାକିସ୍ତାନ ବାଦ ପଡିଛି।

Related posts