ଟିମ୍ ଇଣ୍ଡିଆକୁ ଏକ ବଡ ଝଟକା, ସିରିଜରୁ ବାଦ ପଡିଲେ ଅଧିନାୟକ କେ.ଏଲ୍ ରାହୁଲ

Published: Jun 8, 2022, 11:21 pm IST

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ଭାବେ ନିଯୁକ୍ତ କେ.ଏଲ୍ ରାହୁଲ ଆହତ ହୋଇଛନ୍ତି। କେ.ଏଲ୍ ରାହୁଲଙ୍କ ଆଘାତ ଏତେ ଗୁରୁତର ଯେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଅଂଶ ହେବେ ନାହିଁ। ଏହି ସିରିଜ୍ ପାଇଁ ଦଳର ଅଧିନାୟକ ଭାବରେ ଋଷଭ ପନ୍ତଙ୍କୁ ବିସିସିଆଇ ଦ୍ୱାରା ନିଯୁକ୍ତ କରାଯାଇଛି।

କେ.ଏଲ୍ ରାହୁଲଙ୍କ ଆଘାତ ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ। କିନ୍ତୁ ବିସିସିଆଇ ନିଶ୍ଚିତ କରିଛି ଯେ, କେଏଲ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଅଂଶ ହେବେ ନାହିଁ। ତେବେ ଇଂଲଣ୍ଡ ଗସ୍ତରେ କେ.ଏଲ୍ ରାହୁଲ ଟିମ୍ ଇଣ୍ଡିଆର ଅଂଶ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି -୨୦ ମ୍ୟାଚ୍ ଖେଳାଯିବ। ରାହୁଲଙ୍କ ବାହାର ହେତୁ ଟିମ୍ ଇଣ୍ଡିଆକୁ ମଧ୍ୟ ଏହାର ଓପନିଂ କ୍ରମରେ ପରିବର୍ତ୍ତନ କରିବାକୁ ପଡିବ। ଇଶାନ କିଶନଙ୍କ ଖେଳିବା ପୂର୍ବ ନିର୍ଦ୍ଧାରିତ ବୋଲି ବିଶ୍ୱାସ କରାଯାଏ। ବର୍ତ୍ତମାନ ଇଶାନ କିଶାନଙ୍କ ସହ ରିତୁରାଜ ଗାଇକ୍ଵାଡ ଓପନିଂ କରିପାରନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଏହି ସିରିଜ୍ ପାଇଁ ବିସିସିଆଇ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇସାରିଛି। ଏହା ବ୍ୟତୀତ ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କ ପରି ଭେଟେରାନ ଖେଳାଳିମାନେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଅଂଶ ନୁହଁନ୍ତି।

Related posts