ଦୁଇଟି ଦଳ ଗଠନ କରିବ ବିସିସିଆଇ, ଏକ ସମୟରେ ଖେଳିବେ ଟେଷ୍ଟ ଏବଂ ସୀମିତ ଓଭର ମ୍ୟାଚ୍

Published: Jun 15, 2022, 12:46 pm IST

ନୂଆଦିଲ୍ଲୀ: ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଚକ୍ର ପାଇଁ ମିଡିଆ ରାଇଟସର ନିଲାମରେ ବିସିସିଆଇ ୪୮ ହଜାର କୋଟି ଟଙ୍କା ରୋଜଗାର କରିଛି। ଏହା ସହିତ ଆଇପିଏଲ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲିଗ୍ ଭାବେ ଉଭା ହୋଇଛି। ତେବେ ଇତି ମଧ୍ୟରେ ଟିମ୍ ର ଅନ୍ତର୍ଜାତୀୟ କ୍ରିକେଟ୍ ରେ ଅଂଶଗ୍ରହଣ ହ୍ରାସ ପାଇବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ବିସିସିଆଇ ଏ ବାବଦରେ ଏକ ବିଶେଷ ଯୋଜନା ପ୍ରସ୍ତୁତ କରିଛି।

ଭବିଷ୍ୟତରେ ଭାରତର ଦୁଇଟି ଦଳ ଏକାସାଙ୍ଗରେ ବିଭିନ୍ନ ଦେଶରେ ଖେଳୁଥିବା ଦେଖିବାକୁ ମିଳିବ। ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଦୁଇଟି ଜାତୀୟ ଦଳ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛୁ। ଆମର ଲକ୍ଷ୍ୟ ହେଉଛି ଆମର ଦୁଇ ଦଳ ଏକ ସମୟରେ ଟେଷ୍ଟ ଏବଂ ସୀମିତ ଓଭର କ୍ରିକେଟ୍ ଖେଳିବେ।

ପ୍ରକାଶ ଯୋଗ୍ୟ ଯେ, ଆଇପିଏଲ୍ ର ବୃଦ୍ଧି ହେତୁ ବର୍ତ୍ତମାନ ମ୍ୟାଚ୍ ସଂଖ୍ୟା ବୃଦ୍ଧି କରିବାକୁ ବିସିସିଆଇ ଉପରେ ଚାପ ରହିଛି। ଆସନ୍ତା ସିଜିନରୁ ଆଇପିଏଲର ୱିଣ୍ଡୋ ବୃଦ୍ଧି କରିବାକୁ ବିସିସିଆଇ ଦାବି କରିସାରିଛି। ଜୟ ଶାହା କହିଛନ୍ତି ଯେ, ଆସନ୍ତା ବର୍ଷ ଠାରୁ ଆଇପିଏଲ୍ ୨ ବଦଳରେ ୨.୫ ମାସର ୱିଣ୍ଡୋ ପାଇବ। ଏହି ସମୟ ମଧ୍ୟରେ ସମସ୍ତ ଦେଶରୁ ଆନ୍ତର୍ଜାତୀୟ କ୍ରିକେଟରମାନେ ଆଇପିଏଲ ପାଇଁ ଉପଲବ୍ଧ ହେବେ।

ଆଇପିଏଲର ବଢୁଥିବା ୱିଣ୍ଡୋ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରଭାବିତ ହେବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବିସିସିଆଇ ଏହା ସ୍ପଷ୍ଟ କରିଛି ଯେ, ଏହା କିପରି ଅନ୍ତର୍ଜାତୀୟ ମ୍ୟାଚ୍ ଉପରେ ଅଧିକ ପ୍ରଭାବ ପକାଇବ ନାହିଁ।

ପ୍ରକାଶ ଥାଉକି, ବିସିସିଆଇ ଦ୍ୱାରା କେଉଁ ପ୍ରକାରର ଯୋଜନା ବିଷୟରେ ଆଲୋଚନା ହୋଇଛି, ଗତ ବର୍ଷ ମଧ୍ୟ ସେହିଭଳି କିଛି ଦେଖିବାକୁ ମିଳିଛି। ଗତ ବର୍ଷ ଟିମ୍ ଇଣ୍ଡିଆର ତାରକା ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଥିଲେ। ଏହି ସମୟରେ, ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିଙ୍କୁ ଟି -୨୦ ଏବଂ ଦିନିକିଆ ଦଳର ଅଂଶ ଭାବରେ ଶ୍ରୀଲଙ୍କା ପଠାଯାଇଥିଲା। ଆସନ୍ତା ମାସରେ ଆୟର୍ଲାଣ୍ଡ ଗସ୍ତରେ ବୋର୍ଡ ଦ୍ୱାରା ଏକ ସମାନ ଦଳ ପଠାଯିବ।

Related posts