Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୪ତମ ଚେସ୍‌ ଅଲିମ୍ପିଆଡର ଐତିହାସିକ ମଶାଲ ରିଲେକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

୪୪ତମ ଚେସ୍‌ ଅଲିମ୍ପିଆଡର ଐତିହାସିକ ମଶାଲ ରିଲେକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

June 19, 2022No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ୪୪ତମ ଚେସ୍‌ ଅଲିମ୍ପିଆଡର ଐତିହାସିକ ମଶାଲ ରିଲେର ଶୁଭାରମ୍ଭ କରିଛନ୍ତି। ଏଫଆଇଡିଇ ସଭାପତି ଆର୍କାଡୀ ଦ୍ରୋକୋଭିଚ୍‌ ପ୍ରଧାନମନ୍ତ୍ରୀଙ୍କୁ ଚେସ୍‌ ଅଲିମ୍ପିଆଡ୍‌ର ମଶାଲ ହସ୍ତାନ୍ତର କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସେହି ମଶାଲକୁ ଗ୍ରାଣ୍ଡମାଷ୍ଟର ବିଶ୍ବନାଥ ଆନନ୍ଦଙ୍କୁ ପ୍ରଦାନ କରିଥିଲେ। ଏହି ମଶାଲକୁ ୪୦ ଦିନ ମଧ୍ୟରେ ୭୫ଟି ସହରକୁ ନିଆଯିବ, ଶେଷରେ ଏହାକୁ ଚେନ୍ନାଇ ନିକଟବର୍ତ୍ତୀ ମହାବଳୀପୁରମ୍‌ ଠାରେ ପ୍ରଜ୍ଜ୍ବଳିତ କରାଯିବ। ପ୍ରତ୍ୟେକ ସ୍ଥାନରେ, ସମ୍ପୃକ୍ତ ରାଜ୍ୟର ଚେସ୍‌ ଗ୍ରାଣ୍ଡ ମାଷ୍ଟରମାନେ ମଶାଲକୁ ସ୍ବାଗତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଖେଲୋ ଚେସର ଔପଚାରିକ ଗୋଟି ଚାଳନା କରିଥିଲେ, ଏହାପରେ କୋନେରୁ ହମ୍ପି ଗୋଟି ଚଳାଇଥିଲେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ନିଶିଥ ପ୍ରାମାଣିକଙ୍କ ସମେତ, ଚେସ୍‌ ଖେଳାଳୀ, ପ୍ରଶଂସକ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ଚେସ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ପ୍ରଥମ ଥର ପାଇଁ ମଶାଲ ରିଲେ ଭଳି ଏକ ପରମ୍ପରା ଆରମ୍ଭ କରିଥିବାରୁ ଏଫଆଇଡିଇ ସଭାପତି ଆର୍କାଡି ଦ୍ରୋକୋଭିଚ୍‌ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସାରା ବିଶ୍ବରେ ଚେସକୁ ଲୋକପ୍ରିୟ କରାଇବ ବୋଲି ସେ ମତବ୍ୟକ୍ତ କରିଥିଲେ। ଶ୍ରୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବା ଏବଂ ଆମକୁ ସମ୍ମାନିତ କରିଥିବାରୁ ଏଫଆଇଡିଇ ତାଙ୍କ ପ୍ରତି କୃତଜ୍ଞ। ଗୋଟିଏ ସ୍ଥାନରେ ଅଧିକ ସଂଖ୍ୟକ ପ୍ରତିଯୋଗୀ ଚେସ ଖେଳିବା ଉପରେ ୨୦୧୦ରେ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣ ସମ୍ପର୍କରେ ସେ ସ୍ମରଣ କରିଥିଲେ। ସେତେବେଳେ ଚେସ୍‌ ଖେଳର ଗୁରୁତ୍ବ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଚେସ ଖେଳ ନୂଆ ସମ୍ଭାବନା ଏବଂ ଭୂମିକା ସୃଷ୍ଟି କରିଛି। ସଫଳତା ଦିଗରେ ଆଗେଇ ନେବା ଲାଗି ଏଥିରେ ଶିକ୍ଷା ଓ କ୍ରୀଡ଼ାର ସମାହାର ରହିଛି। ଭାରତ ଏବଂ ସାରା ବିଶ୍ବର ସବୁ ବିଦ୍ୟାଳୟରେ ଚେସ୍‌ ପାଠ୍ୟକ୍ରମର ଏକ ଅଂଶବିଶେଷ ହେବ ବୋଲି ଏଫଆଇଡିଇ ସଭାପତି ଆଶାପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଭାରତ ଆଜି ଦ୍ରୁତ ପ୍ରଗତିଶୀଳ ଚେସ୍‌ ରାଷ୍ଟ୍ର ଭାବେ ବିକାଶ ଲାଭ କରୁଛି ଏବଂ ଏହାକୁ ନେଇ ଗର୍ବ କରିବା ଲାଗି ଆପଣମାନଙ୍କ ନିକଟରେ ଯଥେଷ୍ଟ ଆଧାର ରହିଛି। ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ନେତୃତ୍ବ ଭାବେ ଧନ୍ୟବାଦ ଜଣାଇଥିଲେ ଏବଂ ଚେସ୍‌ର ହିତ ପାଇଁ କରୁଥିବା କାର୍ଯ୍ୟ ନିମନ୍ତେ ତାଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଚେସ୍‌ ଅଲିମ୍ପିଆଡ୍‌ ପ୍ରତିଯୋଗିତାର ପ୍ରଥମ ମଶାଲ ରିଲେ ଆଜି ଭାରତରୁ ଆରମ୍ଭ ହେଉଛି। ପ୍ରଥମ ଥର ପାଇଁ, ଚଳିତ ବର୍ଷ, ଭାରତ ଚେସ୍‌ ଅଲିମ୍ପିଆଡ୍‌ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି । ଏହା ଆମ ପାଇଁ ଏକ ଗର୍ବର ବିଷୟ ଯେ, ଜନ୍ମମାଟିରୁ ଆରମ୍ଭ ହୋଇଥିବା ଏକ କ୍ରୀଡ଼ା ଆଜି ସାରା ବିଶ୍ବରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏବେ ଏହା ଅନେକ ଦେଶ ପାଇଁ ଆଗ୍ରହର ବିଷୟ ପାଲଟିଛି।’’ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ‘‘ବହୁ ଦଶନ୍ଧି ପୂର୍ବରୁ, ‘ଚତୁରଙ୍ଗ’ ରୂପରେ ଏ କ୍ରୀଡ଼ାର ମଶାଲ ଭାରତରୁ ସାରା ବିଶ୍ବକୁ ଯାଇଥିଲା । ଆଜି ଚେସ୍‌ ଅଲିମ୍ପିଆଡର ପ୍ରଥମ ମଶାଲ ଭାରତକୁ ଆସିଛି । ଆଜି ଯେତେବେଳେ ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି, ସେହି ଅମୃତ ମହୋତ୍ସବ କାଳରେ, ଏହି ଚେସ୍‌ ଅଲିମ୍ପିଆଡର ମଶାଲ ଦେଶର ୭୫ଟି ସହରକୁ ଯାତ୍ରା କରିବ ।’’ ସେ କହିଥିଲେ ଯେ, ପ୍ରତ୍ୟେକ ଚେସ୍‌ ଅଲିମ୍ପିଆଡ଼ ପ୍ରତିଯୋଗିତାର ମଶାଲ ରିଲେ ଭାରତରୁ ଆରମ୍ଭ କରିବା ଲାଗି ଏଫଆଇଡିଇ ନିଷ୍ପତ୍ତି ନେଇଛି ।  ଏହା କେବଳ ଭାରତ ପାଇଁ ସମ୍ମାନର ବିଷୟ ନୁହେଁ ବରଂ ଚେସର ଗୌରବଶାଳୀ ଇତିହାସ ପାଇଁ ଏକ ସମ୍ମାନର ବିଷୟ । ଏଥିପାଇଁ ଏଫଆଇଡିଇ ଏବଂ ଏହାର ସବୁ ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ଭାରତରେ ଚେସ୍‌ର ଇତିହାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ, ‘‘ଆମ ପୂର୍ବଜମାନେ ଚତୁରଙ୍ଗ ବା ଚେସ୍‌ ଭଳି କ୍ରୀଡ଼ାର ଉଦ୍ଭାବନ କରିଥିଲେ । ବିଶ୍ଳେଷଣାତ୍ମକ ଓ ସମସ୍ୟା ସମାଧାନ କରୁଥିବା ମସ୍ତିଷ୍କ ପାଇଁ ଏହି କ୍ରୀଡ଼ାର ଉଦ୍ଭବ ହୋଇଥିଲା। ଭାରତ ଦେଇ ଚେସ୍‌ ବିଶ୍ବର ଅନେକ ଦେଶକୁ ବ୍ୟାପିଥିଲା ଏବଂ ଏହା ବେଶ ଲୋକପ୍ରିୟ ହୋଇଥିଲା । ଆଜି, ଯୁବବର୍ଗ, ପିଲାମାନଙ୍କ ପାଇଁ ବିଦ୍ୟାଳୟରେ ଏକ ଶିକ୍ଷା ଉପକରଣ ଭାବେ ଚେସକୁ ବ୍ୟବହାର କରାଯାଉଛି । ସେ କହିଥିଲେ ଯେ, ବିଗତ କିଛି ବର୍ଷ ହେବ, ନିରନ୍ତର ଭାବେ ଚେସ୍‌ରେ ଭାରତର ପ୍ରଦର୍ଶନ ସୁଧୁରିବାରେ ଲାଗିଛି । ଚଳିତ ବର୍ଷ, ଚେସ୍‌ ଅଲିମ୍ପିଆଡରେ ସର୍ବାଧିକ ସଂଖ୍ୟକ ଭାରତୀୟ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଏଥର ପଦକ ହାସଲ କ୍ଷେତ୍ରରେ ଭାରତୀୟ ଖେଳାଳୀମାନେ ନୂଆ ରେକର୍ଡ ପ୍ରତିଷ୍ଠା କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଚେସ୍‌ ଆମମାନଙ୍କୁ ଜୀବନରେ ଅନେକ ଶିକ୍ଷା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜୀବନରେ ଯିଏ ଯେଉଁ ସ୍ଥାନରେ ଥାଆନ୍ତୁ ପଛେ ସମସ୍ତଙ୍କର ଏକ ସ୍ବତନ୍ତ୍ର ଭୂମିକା ରହିଥାଏ । ଏହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକଙ୍କୁ ଉପଯୁକ୍ତ ସମର୍ଥନ ଯୋଗାଇ ଦେବାର ଆବଶ୍ୟକତା ରହିଛି । ଚେସର ପ୍ରତ୍ୟେକ ଗୋଟିରେ ଏକ ବିଶେଷ ସାମର୍ଥ୍ୟ ଏବଂ ଅଭିନବ କ୍ଷମତା ରହିଥାଏ । ଯଦି ଆପଣ ଠିକ୍‌ ଭାବେ  ପ୍ରତ୍ୟେକ ଗୋଟି ଚଳାଇବେ ଏବଂ ଏହାର ଶକ୍ତିକୁ ଠିକ୍‌ ଭାବେ ବ୍ୟବହାର କରିବେ, ତା’ହେଲେ ଗୋଟି ଚାଳନା ସବୁଠୁ ଶକ୍ତିଶାଳୀ ହୋଇପାରିବ । ଚେସ୍‌ ବୋର୍ଡର ଏହି ବିଶେଷତ୍ବ ଆମକୁ ଜୀବନରେ ଏକ ବଡ଼ ବାର୍ତ୍ତା ଦେଇଥାଏ । ସଠିକ୍‌ ସମର୍ଥନ ଏବଂ ଉପଯୁକ୍ତ ପରିବେଶ ଯୋଗାଇ ଦେଲେ ଦୁର୍ବଳଙ୍କ ପାଇଁ କୌଣସି ଲକ୍ଷ୍ୟ ଅସମ୍ଭବ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଚେସରୁ ମିଳୁଥିବା ଆଉ ଏକ ବାର୍ତ୍ତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଚେସ ଖେଳର ଆଉ ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଦୂରଦୃଷ୍ଟିପୂର୍ଣ୍ଣତା । ଚେସ୍‌ ଆମକୁ ଶିଖାଇ ଥାଏ ଯେ, ସ୍ବଳ୍ପକାଳୀନ ସଫଳତା ପରିବର୍ତ୍ତେ ଦୂରଦୃଷ୍ଟି ପୋଷଣ କରିବା ଦ୍ବାରା ବାସ୍ତବ ସଫଳତା ମିଳିଥାଏ ।’’ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଭାରତର କ୍ରୀଡ଼ା ନୀତିରେ ଏହି ବାର୍ତ୍ତା ପ୍ରତିଫଳିତ ହୋଇଛି । ଟାର୍ଗେଟ ଅଲିମ୍ପିକ୍ସ ପୋଡ଼ିୟମ ସ୍କିମ (ଟିଓପିଏସ) ଭଳି ଯୋଜନା ଉପଯୁକ୍ତ ପରିଣାମ ଦେବା ଆରମ୍ଭ କରିଛି ।

ଟୋକିଓ ଅଲିମ୍ପିକ୍ସ, ପାରାଅଲିମ୍ପିକ୍ସ, ଥୋମାସ କପ ଏବଂ ବକ୍ସିଂ ପ୍ରତିଯୋଗିତା ଭଳି ବିଶ୍ବ ପ୍ରତିଯୋଗିତାରେ ଭାରତର ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଆମ ଦେଶରେ ପ୍ରତିଭାର କୌଣସି ଅଭାବ ନାହିଁ । ଦେଶର ଯୁବପିଢ଼ିଙ୍କ ନିକଟରେ ସାହସ, ସମର୍ପଣ ଏବଂ ସାମର୍ଥ୍ୟର କୌଣସି ଅଭାବ ନାହିଁ । ପୂର୍ବରୁ ଆମ ଯୁବପିଢ଼ି ମାନଙ୍କୁ ଉପଯୁକ୍ତ ସୁଯୋଗ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା । ଆଜି, ‘ଖେଲୋ ଇଣ୍ଡିଆ’ ଅଭିଯାନ ମାଧ୍ୟମରେ, ଦେଶ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ କୁଶଳୀ କରୁଛି ।’’

ଖେଲୋ ଇଣ୍ଡିଆ ଅଧୀନରେ ଦେଶର ଦୂରବର୍ତ୍ତୀ ତଥା ଉପାନ୍ତ ଅଞ୍ଚଳରୁ କ୍ରୀଡ଼ା ପ୍ରତିଭାମାନେ ବାହାରି ପାରୁଛନ୍ତି । ଦେଶର ବିଭିନ୍ନ ସହର ଓ ଜିଲ୍ଲାରେ ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂଆ ଶିକ୍ଷା ନୀତି ଅଧୀନରେ କ୍ରୀଡ଼ାକୁ ଆଉ ଏକ ପାଠ୍ୟ ବିଷୟ ଭାବେ ସାମିଲ କରାଯାଇଛି । ସେ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ଫିଜିଓ, କ୍ରୀଡ଼ା ବିଜ୍ଞାନ ଭଳି ନୂଆ ଦିଗ ଆଗକୁ ଆସୁଛି ଏବଂ ଦେଶରେ ଏକାଧିକ କ୍ରୀଡ଼ା ବିଶ୍ବବିଦ୍ୟାଳୟ ଖୋଲା ଯାଉଛି ।

ଖେଳାଳୀଙ୍କ ଉପରେ ଭଲ ପ୍ରଦର୍ଶନ କରିବାର ଚାପ ରହିଥାଏ ବୋଲି ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରିଥିଲେ ଏବଂ ଶୂନ୍ୟ ପ୍ରତିଶତ ଚାପ କିମ୍ବା ଟେନସନରେ ଶତପ୍ରତିଶତ ପ୍ରଦର୍ଶନ ଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଦେଶ ଆପଣମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣ ଦେଖିଛି । ବିଜୟ ଯେପରି ଭାବେ କ୍ରୀଡ଼ାର ଏକ ଅଭିନ୍ନ ଅଂଶବିଶେଷ, ଠିକ୍‌ ସେହିପରି ପୁଣିଥରେ ବିଜୟ ପାଇଁ ପ୍ରସ୍ତୁତ ହେବା କ୍ରୀଡ଼ାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ । ଚେସ୍‌ରେ ଗୋଟିଏ ଭୁଲ୍‌ ଚାଲ୍‌ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଟିଏ ଭୁଲ ସମ୍ପୂର୍ଣ୍ଣ ଖେଳ ବିଗାଡ଼ି ଦେଇଥାଏ । ମସ୍ତିଷ୍କର ଶକ୍ତି ବ୍ୟବହାର କରି ପରିସ୍ଥିତି ଉପରେ ବିଜୟ ହାସଲ କରିବା ସମ୍ଭବ । ତେଣୁ ଶାନ୍ତ ରହିବା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ । ଏ କ୍ଷେତ୍ରରେ ଯୋଗ ଏବଂ ପ୍ରାଣାୟାମ ବିଶେଷ ଭାବେ ସହାୟକ ହୋଇଥାଏ । ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ କରିବା ପାଇଁ ସେ ନିବେଦନ କରିଥିଲେ ଏବଂ ଆଗାମୀ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବା ଲାଗି ଆହ୍ବାନ କରିଥିଲେ ।

ଚଳିତ ବର୍ଷ ପ୍ରଥମ ଥର ପାଇଁ, ଅନ୍ତର୍ଜାତୀୟ ଚେସ୍‌ ପ୍ରତିଷ୍ଠାନ ଏଫଆଇଡିଇ ଚେସ ଅଲିମ୍ପିଆଡ଼ ମଶାଲ ଯାତ୍ରା ଆରମ୍ଭ କରିଛି । ପୂର୍ବରୁ ଏହା ଅଲିମ୍ପିକ ପରମ୍ପରାର ଅଂଶବିଶେଷ ଥିଲା, କିନ୍ତୁ ଚେସ୍‌ ଅଲିମ୍ପିଆଡରେ କେବେ ଏହାକୁ ସାମିଲ କରାଯାଇନଥିଲା । ଭାରତ ପ୍ରଥମ ଦେଶ ଭାବେ ଚେସ ଅଲିମ୍ପିଆଡ୍‌ ମଶାଲ ରିଲେ ଆରମ୍ଭ କରିଛି । ଉଲ୍ଲେଖଯୋଗ୍ୟ ଯେ, ଚେସ୍‌ର ଭାରତୀୟ ମୂଳଦୁଆକୁ ଆହୁରି ଆଗେଇ ନେବା ଉଦ୍ଦେଶ୍ୟରେ ସବୁବେଳେ ଭାରତ ବର୍ଷରୁ ଅଲିମ୍ପିକ୍ସ ମଶାଲ ରିଲେ ଆରମ୍ଭ କରିବା ଲାଗି ନିଷ୍ପତ୍ତି ହୋଇଛି । ଭାରତରୁ ଆରମ୍ଭ ହୋଇ ସବୁ ମହାଦେଶ ବୁଲିବା ପରେ ମଶାଲ ରିଲେ ଆୟୋଜକ ଦେଶରେ ପହଞ୍ଚିବ ।

୪୪ତମ ଚେସ୍‌ ଅଲିମ୍ପିଆନ୍‌ ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୧୦ ତାରିଖ, ୨୦୨୨ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବ । ଏହି ସମ୍ମାନଜନକ ପ୍ରତିଯୋଗିତା ୧୯୨୭ ମସିହାରୁ ଆୟୋଜନ କରାଯାଉଛି । ପ୍ରଥମ ଥର ପାଇଁ ଏହା ଭାରତରେ ଆୟୋଜନ କରାଯାଉଥିବା ବେଳେ ୩୦ ବର୍ଷ ପରେ ଏସିଆ ମହାଦେଶରେ ଆୟୋଜିତ ହେବାକୁ ଯାଉଛି । ଚଳିତ ବର୍ଷ ଚେସ୍‌ ଅଲିମ୍ପିଆଡରେ ୧୮୯ଟି ଦେଶ ଏବଂ ସର୍ବାଧିକ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି ।

ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଐତିହାସିକ ମଶାଲ ରିଲେ ଚେସ୍‌ ଅଲିମ୍ପିଆଡ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025
Latest News

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ପୋଖରୀରେ ବୁଡି ବରିଷ୍ଠ ନାଗରିକଙ୍କ ମୃତ୍ୟୁ

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.