ଆଜି ଏସିଆ କପରେ ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏବଂ ପାଣିପାଗ

Published: Aug 28, 2022, 10:41 am IST

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଗତକାଲି ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା। ଆଜି ଭାରତ ଏବଂ ପାକିସ୍ଥାନର ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବେ। ସନ୍ଧ୍ୟା ୭.୩୦ ରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ସମୟରେ ଦୁବାଇର ପାଣିପାଗ ଏବଂ ପିଚ୍ କିପରି ହେବ ଏବଂ ଉଭୟ ଦଳର ସମ୍ଭାବ୍ୟ ଏକାଦଶ ଖେଳାଳିରେ କିଏ ପ୍ରବେଶ କରିପାରିବ? ଏଠାରେ ଜାଣନ୍ତୁ..

ପିଚ୍ ଏବଂ ପାଣିପାଗ ରିପୋର୍ଟ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଦ୍ଵିତୀୟ ବ୍ୟାଟିଂ କରୁଥିବା ଦଳକୁ ଫାଇଦା ମିଳୁଛି। ରାତିରେ ଏଠାରେ ହାଲୁକା କାକର ପଡୁଛି, ଯାହା ବୋଲରମାନଙ୍କ ପାଇଁ ଟିକେ ଅସୁବିଧା ସୃଷ୍ଟି କରିଥାଏ। ମୋଟ ଉପରେ, ଏଠାରେ ଥିବା ପିଚ୍ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କୁ ସମାନ ସାହାଯ୍ୟ ଦେଇଥାଏ। ଆରମ୍ଭରେ ଦ୍ରୁତ ବୋଲର ଏବଂ ତା’ପରେ ସ୍ପିନରମାନେ ସାହାଯ୍ୟ ପାଆନ୍ତି ଏବଂ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ସହଜ ହୋଇଥାଏ। ଟସ୍ ଜିତିଥିବା ଦଳ ଏଠାରେ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରନ୍ତି। ପାଣିପାଗ ବିଷୟରେ କହିବାକୁ ଗଲେ, ଏହି ସମୟରେ ଦୁବାଇରେ ଭୟଙ୍କର ଉତ୍ତାପ ରହିବ। ଏଠାରେ ସନ୍ଧ୍ୟା ସୁଦ୍ଧା ତାପମାତ୍ରା ପ୍ରାୟ ୩୫ ଡିଗ୍ରୀ ରହିବ।

ସମ୍ଭାବ୍ୟ ଏକାଦଶ ଖେଳାଳି:

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ/ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଭୂବନେଶ୍ୱର କୁମାର, ଅର୍ଶଦୀପ ସିଂ, ଯୁଜଭେନ୍ଦ୍ର ଚହଲ।

ପାକିସ୍ଥାନ: ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ୍ କିପର), ଫଖର ଜମାନ, ଇଫ୍ଟିଖର ଅହମ୍ମଦ, ଆସିଫ ଅଲି, ଖୁସଦିଲ ଶାହା, ଶାଦବ ଖାନ, ମହମ୍ମଦ ନୱାଜ, ନାସିମ ଶାହା, ହରିସ ରଉଫ, ଶାହନାୱାଜ ଦହାନି।

Related posts