ହଂକଂକୁ ୧୫୫ ରନ୍ ରେ ପରାସ୍ତ କଲା ପାକିସ୍ତାନ, ବର୍ତ୍ତମାନ ଭାରତ ସହ ହେବ ଲଢେଇ

Published: Sep 2, 2022, 10:57 pm IST

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ର ଷଷ୍ଠ ମ୍ୟାଚ୍ ରେ ପାକିସ୍ତାନ ହଂକଂକୁ ଦୟନୀୟ ଭାବେ ପରାସ୍ତ କରିଛି। ମ୍ୟାଚକୁ ୧୫୫ ରନରେ ପାକିସ୍ତାନ ଜିତିନେଇଛି। ଏହି ବିଜୟ ପରେ ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ଭାରତ ବିପକ୍ଷରେ ହେବ। ସେପ୍ଟେମ୍ବର ୪ ତାରିଖରେ ହେବାକୁ ଥିବା ସୁପର-୪ ମ୍ୟାଚରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ହଂକଂ ବିପକ୍ଷରେ ପାକିସ୍ତାନ ପାଇଁ ଶାଦବ ଖାନ, ନାସିମ ଶାହା ଏବଂ ମହମ୍ମଦ ନୱାଜ ଚମତ୍କାର ବୋଲିଂ କରିଥିଲେ। ଏଥି ସହ ମହମ୍ମଦ ରିଜୱାନ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲେ।

ପାକିସ୍ତାନ ଦେଇଥିବା ଟାର୍ଗେଟକୁ ପିଛା କରି ହଂକଂ ଦଳ ୧୦.୪ ଓଭରରେ ମାତ୍ର ୩୮ ରନରେ ସମାପ୍ତ ହୋଇଥିଲା। କ୍ୟାପଟେନ ନିଜକତ ଖାନ ଏବଂ ୟାସିମ ମୋର୍ଟାଜା ଦଳ ପାଇଁ ଖୋଲିବାକୁ ଆସିଥିଲେ। ନିଜକତ ମାତ୍ର ୮ ରନ୍ କରି ଆଉଟ ହୋଇଥିଲେ ଏବଂ ମୋର୍ଟାଜା ୨ ରନ୍ ସଂଗ୍ରହ କରିଥିଲେ। ବାବର ହାୟାତ୍ ମଧ୍ୟ ଖାତା ଖୋଲି ପାରିନଥିଲେ ଏବଂ ଶୂନରେ ପ୍ୟାଭିଲିୟନକୁ ଫେରିଥିଲେ। କିଞ୍ଚିତ ଶାହା ୧୦ ଟି ବଲରେ ୬ ରନ୍ ସଂଗ୍ରହ କରିଥିଲେ। ଅଜାଜ ଖାନଙ୍କୁ ୧ ରନ୍ ଏବଂ ସ୍କଟ୍ ମ୍ୟାକକେନି ୪ ରନ୍ ରେ ଆଉଟ ହୋଇଯାଇଥିଲା। ସେହିଭଳି ପୁରା ଟିମ୍ ଆଉଟ୍ ହୋଇଥିଲେ।

ଶାଦବ ଖାନ ପାକିସ୍ତାନ ପାଇଁ ଚମତ୍କାର ବୋଲିଂ କରିଥିଲେ। ସେ ୨.୪ ଓଭରରେ ମାତ୍ର ୮ ରନ୍ ଦେଇ ୪ ଟି ୱିକେଟ୍ ନେଇଥିଲେ। ମହମ୍ମଦ ନୱାଜ ୨ ଓଭରରେ ୫ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ। ନାସିମ ଶାହା ୨ ଓଭରରେ ୭ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ। ଶାହନାୱାଜ ଦହାନି ୨ ଓଭରରେ ୭ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

୨ ୱିକେଟ୍ ହରାଇ ୨୦ ଓଭରରେ ପାକିସ୍ତାନ ୧୯୩ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ମହମ୍ମଦ ରିଜୱାନ ଦଳ ପାଇଁ ଅପରାଜିତ ୭୮ ରନ୍ କରିଥିଲେ। ରିଜୱାନ୍ ୬ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ୯ ରନ୍ ସ୍କୋର କରିବା ପରେ କ୍ୟାପଟେନ ବାବର ଆଜାମଙ୍କୁ ଆଉଟ କରାଯାଇଥିଲା। ଫାକର ଜମାନ ୪୧ ବଲରେ ୫୩ ରନ୍ ସଂଗ୍ରହ କରିଥିଲେ। ଶେଷରେ ଖୁସଦିଲ ଏକ ଧୂଆଁଧାର ଇନିଂସ ଖେଳିଥିଲେ। ସେ ୧୫ ବଲରେ ଅପରାଜିତ ୩୫ ରନ ସଂଗ୍ରହ କରିଥିଲେ।

Related posts