ମହିଳା ଏସିଆ କପ: ସେମିଫାଇନାଲରେ ପ୍ରବେଶ କଲା ଥାଇଲ୍ୟାଣ୍ଡ, ବାଦ ପଡିଲା ଡିଫେଣ୍ଡିଂ ଚାମ୍ପିଅନ୍

Published: Oct 11, 2022, 12:56 pm IST

ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ୍ ବାଂଲାଦେଶ ମହିଳା ଏସିଆ କପ୍‌ରୁ ବାଦ୍ ପଡିଛି। ଆଜି ୟୁଏଇ ମଧ୍ୟରେ ବାଂଲାଦେଶର ଏକ ମ୍ୟାଚ୍ ଥିଲା। କିନ୍ତୁ, ସିଲହଟରେ ହେବାକୁ ଏହି ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇଛି। ଫଳରେ ଆୟୋଜକ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି। ସେମିଫାଇନାଲରେ ସ୍ଥାନ ପାଇବା ପାଇଁ ବାଂଲାଦେଶକୁ ଶେଷ ମ୍ୟାଚରୁ ଦୁଇଟି ପଏଣ୍ଟ ଆବଶ୍ୟକ ଥିଲା। ଏହାର ଅର୍ଥ ବିଜୟ ନିଶ୍ଚିତ କରିବାର ଥିଲା। କିନ୍ତୁ, ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୋଇଥିଲା ଏବଂ ଦଳକୁ କେବଳ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା।

ୟୁଏଇ ବିପକ୍ଷ ମ୍ୟାଚ ବାତିଲ ହେତୁ ବାଂଲାଦେଶ ୬ ଟି ମ୍ୟାଚରେ ମାତ୍ର ପାଞ୍ଚ ପଏଣ୍ଟ ପାଇଥିଲା। ଗ୍ରୁପ୍ ପର୍ଯ୍ୟାୟରେ ବାଂଲାଦେଶ କେବଳ ଦୁଇଟି ମ୍ୟାଚ୍ ଜିତିଥିବାବେଳେ ଥାଇଲ୍ୟାଣ୍ଡର ଦଳ ୟୁଏଇ, ମାଲେସିଆ ଏବଂ ପାକିସ୍ତାନକୁ ପରାସ୍ତ କରିଛି। ୫ ଟି ମ୍ୟାଚରେ ଥାଇଲ୍ୟାଣ୍ଡକୁ ମୋଟ ୬ ପଏଣ୍ଟ ମିଳିଥିଲା ଏବଂ ଏହି ଦଳ ଗ୍ରୁପ୍ ପର୍ଯ୍ୟାୟରେ ଚତୁର୍ଥ ସ୍ଥାନରେ ରହିଥିଲା। ଏହା ପୂର୍ବରୁ ଭାରତ, ପାକିସ୍ଥାନ ଏବଂ ଶ୍ରୀଲଙ୍କା ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି।

ଟୁର୍ଣ୍ଣାମେଣ୍ଟର ଶେଷ ଗ୍ରୁପ୍ ମ୍ୟାଚ୍ ଆଜି ସିଲହଟରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। କିନ୍ତୁ, ବର୍ଷା ହେତୁ ମ୍ୟାଚ୍ ଅନୁଷ୍ଠିତ ହେବାର ସନ୍ଦେହ ରହିଛି। କିନ୍ତୁ ଏହି ଉଭୟ ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି। ଏପରି ପରିସ୍ଥିତିରେ ସେମିଫାଇନାଲରେ କେଉଁ ଦଳ କାହାକୁ ସାମ୍ନା କରିବେ ସେନେଇ ଏହି ମ୍ୟାଚର ଗୁରୁତ୍ୱ ରହିଛି। ଯଦି ଏହି ମ୍ୟାଚ୍ ମଧ୍ୟ ବାତିଲ ହୁଏ, ତେବେ ପାକିସ୍ତାନ ଏବଂ ଶ୍ରୀଲଙ୍କା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ସେହି ପରିପ୍ରେକ୍ଷୀରେ ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କା ୬-୬ ମ୍ୟାଚରେ ୯ ପଏଣ୍ଟ ପାଇବେ। ତେବେ ଶ୍ରୀଲଙ୍କା (୧.୨୦୫) ଅପେକ୍ଷା ପାକିସ୍ତାନର ନେଟ୍ ରନ୍ ହାର (୨.୧୦୧) ଭଲ। ଏଭଳି ପରିସ୍ଥିତିରେ ପାକିସ୍ତାନର ଦଳ ଦ୍ୱିତୀୟ ସ୍ଥାନରେ ରହିବ। ଭାରତ ବର୍ତ୍ତମାନ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି।

Related posts