ସପ୍ତମ ଥର ପାଇଁ ଏସିଆ କପ୍ ଜିତିଲା ଭାରତ: ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ରଚିଲା ଇତିହାସ

Published: Oct 15, 2022, 5:10 pm IST

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କରି ଭାରତୀୟ ମହିଳା କ୍ରିକେଟ୍ ଦଳ ସପ୍ତମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି। ଏସିଆ କପ୍‌ର ଫାଇନାଲରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଛି। ସ୍ମୃତି ମାନ୍ଧନା ଭାରତ ପାଇଁ ୫୧ ରନର ଚମତ୍କାର ଇନିଂସ ଖେଳିଛନ୍ତି। ଅନ୍ତିମ ମ୍ୟାଚରେ ଶ୍ରୀଲଙ୍କା ଦଳ ଭାରତୀୟ ବୋଲରଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୬୫ ରନ୍ ସ୍କୋର କରିପାରିଥିଲେ। ରେଣୁକା ସିଂ ଭାରତ ପାଇଁ ୩ ୱିକେଟ୍ ନେଇଥିଲେ।

ଏଥି ସହିତ ୬୬ ରନ୍‌ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲା ଏବଂ ଦଳ ୨ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ଦଳ ପାଇଁ ସ୍ମୃତି ମାନ୍ଧନା ୬ ଟି ଚୌକା ଓ ୩ ଟି ଛକା ସହାୟତାରେ ୨୫ ବଲରେ ୫୧ ରନ୍ ର ବିସ୍ଫୋରକ ଅର୍ଦ୍ଧଶତକ ଖେଳିଥିଲେ।

ମହିଳା ଏସିଆ କପ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଆଶ୍ଚର୍ଯ୍ୟଜନକ ଭାବେ ବୋଲିଂ କରିଥିଲେ। ମୁଖ୍ୟ ବୋଲର ରେଣୁକା ସିଂ ୩ ଓଭରରେ ମାତ୍ର ୫ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ରାଜେଶ୍ୱରୀ ଗାଇକ୍ଵାଡ ୪ ଓଭରରେ ୧୬ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ସ୍ନେହା ରାଣା ୪ ଓଭରରେ ୧୩ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ।

Related posts