ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଲା ଇଂଲଣ୍ଡ

Published: Nov 13, 2022, 5:24 pm IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଟାଇଟଲ ହାସଲ କରିଛି। ବେନ ଷ୍ଟୋକ୍ସଙ୍କ ଧୂଆଁଧାର ପାଳିରେ ମେଲବୋର୍ଣ୍ଣରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୩୮ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଇଂଲଣ୍ଡ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କଲା। ସାମ କରନ ଏବଂ ଆଦିଲ ରସିଦ ଦଳ ପାଇଁ ବିପଜ୍ଜନକ ବୋଲିଂ କରିଥିଲେ।

ଜୋସ୍ ବଟଲର୍ ୧୭ ବଲ୍ ର ସମ୍ମୁଖୀନ ହୋଇଥିଲେ ଏବଂ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୨୬ ରନ୍ ସ୍କୋର କରିଥିଲେ। ଆଲେକ୍ସ ହେଲ୍ସ ମାତ୍ର ୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ୧୦ ରନ୍ ସ୍କୋର କରିବା ପରେ ଫିଲିପ ସଲ୍ଟ ପାଭିଲିୟନକୁ ଫେରିଥିଲେ। ସେହିଭଳି ୨୩ ବଲରେ ୨୦ ରନ୍ ସ୍କୋର କରିବା ପରେ ହ୍ୟାରି ବ୍ରୁକ ଆଉଟ ହୋଇଥିଲେ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୭ ରନ୍ ସଂଗ୍ରହ କରିଥିଲା। ଏହି ସମୟ ମଧ୍ୟରେ ଶାନ ମାସୁଦ ୨୮ ବଲରେ ୩୮ ରନ ସ୍କୋର କରିଥିଲେ। ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। କ୍ୟାପଟେନ ବାବର ଆଜାମ ୨୮ ବଲରେ ୩୨ ରନ୍ ସଂଗ୍ରହ କରିଥିଲେ। ସେ ୨ଟି ଚୌକା ମାରିଥିଲେ। ୧୫ ରନ୍ ସ୍କୋର କରିବା ପରେ ରିଜୱାନ୍ ପାଭିଲିୟନକୁ ଫେରିଥିଲେ। ମହମ୍ମଦ ହରିସ୍ ମାତ୍ର ୮ ରନ୍ ସ୍କୋର କରିପାରିଥିଲେ। ଇପ୍ତିକାରର ଅହମ୍ମଦ ଖାତା ମଧ୍ୟ ଖୋଲିପାରିନଥିଲେ। ଶାଦବ ଖାନ ୧୪ ବଲରେ ୨୦ ରନ୍ ସଂଗ୍ରହ କରିଥିଲେ। ସେ ୨ଟି ଚୌକା ମାରିଥିଲେ। ୫ ରନ୍ ସ୍କୋର କରିବା ପରେ ନୱାଜ ଆଉଟ୍ ହୋଇଥିଲେ।

ଇଂଲଣ୍ଡ ପାଇଁ ବିପଜ୍ଜନକ ବୋଲିଂ କରୁଥିବା ବେଳେ ସାମ କରନ ୩ ଟି ୱିକେଟ୍ ନେଇଥିଲେ। ସେ ୪ ଓଭରରେ ମାତ୍ର ୧୨ ରନ୍ ଦେଇଥିଲେ। ଆଦିଲ ରସିଦ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ ୨୨ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ। କ୍ରିସ୍ ଜୋର୍ଡାନ୍ ୪ ଓଭରରେ ୨୭ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ।

Related posts