ଆସନ୍ତା ମାସରେ ଟିମ୍ ଇଣ୍ଡିଆ ଖେଳିବ ୧୨ ଆନ୍ତର୍ଜାତୀୟ ମ୍ୟାଚ, ଜାଣନ୍ତୁ ସପୂର୍ଣ୍ଣ କାର୍ଯ୍ୟସୂଚୀ

Published: Dec 31, 2022, 2:21 pm IST

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଭାବରେ ନୂତନ ବର୍ଷ ୨୦୨୩ ଆରମ୍ଭ କରିବେ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେଉଛି। ଏହି ସିରିଜ ପାଇଁ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱ ଦିଆଯାଇଛି। ଏହା ପରେ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ହେବ। ଏହା ପରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡରୁ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବ। ଏହିପରି ସେମାନଙ୍କୁ ୩୦ ଦିନରେ ମୋଟ ୧୨ ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ପଡିବ। ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ନେତୃତ୍ଵ ନେବେ। ଏଥି ସହିତ ରୋହିତ, ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହି ସିରିଜ ପାଇଁ କେବଳ ନୂତନ ଚୟନ କମିଟି ଦଳ ଘୋଷଣା କରିବ।

ଜାନୁଆରୀ ୩ ତାରିଖରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ପ୍ରଥମ ଟି-୨୦ ରେ ଶ୍ରୀଲଙ୍କାକୁ ସାମ୍ନା କରିବାକୁ ପଡିବ। ଦ୍ୱିତୀୟ ଟି-୨୦ ଜାନୁୟାରୀ ୫ ତାରିଖରେ ପୁଣେରେ ଖେଳାଯିବ ଏବଂ ଶେଷ ଟି-୨୦ ଜାନୁଆରୀ ୭ ତାରିଖରେ ରାଜକୋଟରେ ଖେଳାଯିବ। ଏହା ପରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ପ୍ରଥମ ଦିନିକିଆ ଜାନୁଆରୀ ୧୦ ତାରିଖରେ ଗୁଆହାଟୀରେ ଖେଳାଯିବ। ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ ତାରିଖରେ କୋଲକାତାରେ ଖେଳାଯିବାକୁ ଥିବାବେଳେ ତୃତୀୟ ତଥା ଅନ୍ତିମ ଦିନିକିଆ ଜାନୁଆରୀ ୧୫ ତାରିଖରେ ଥିରୁବନନ୍ତପୁରମରେ ଖେଳାଯିବ।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜ୍ ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେଉଛି। ପ୍ରଥମେ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଜାନୁଆରୀ ୧୮ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ଦ୍ୱିତୀୟ ଦିନିକିଆ ଜାନୁଆରୀ ୨୧ ତାରିଖରେ ରାୟପୁରରେ ଅନୁଷ୍ଠିତ ହେବାକୁ ଥିବାବେଳେ ତୃତୀୟ ତଥା ଅନ୍ତିମ ଦିନିକିଆ ଜାନୁଆରୀ ୨୪ ତାରିଖରେ ଇନ୍ଦୋରରେ ଅନୁଷ୍ଠିତ ହେବ। ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୭ ତାରିଖରେ ରାଞ୍ଚିରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୨୯ ତାରିଖରେ ଲକ୍ଷ୍ନୌରେ ଖେଳାଯିବାକୁ ଥିବାବେଳେ ଶେଷ ମ୍ୟାଚ୍ ଫେବୃଆରୀ ୧ ତାରିଖରେ ଅହମ୍ମଦାବାଦରେ ଖେଳାଯିବ। ଏହା ପରେ ଭାରତକୁ ଫେବୃଆରୀ ୯ ତାରିଖରୁ ଅଷ୍ଟ୍ରେଲିଆବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ।

Related posts