ଆଜି ଭାରତ-ଶ୍ରୀଲଙ୍କା ଅନ୍ତିମ ଦିନିକିଆ: ସିରିଜ କ୍ଳିନ ସ୍ଵିପ ଲକ୍ଷ୍ୟରେ ଟିମ ଇଣ୍ଡିଆ

Published: Jan 15, 2023, 12:31 pm IST

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏକ କ୍ଳିନ ସ୍ୱିପ୍ ଉଦ୍ଦେଶ୍ୟରେ ଆଜି ଅନ୍ତିମ ଦିନିକିଆ ଖେଳିବ। ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତୀୟ ଦଳ ୨-୦ ରେ ଆଗରେ ରହିଛି। ଏହାପୂର୍ବରୁ ଭାରତ ଟି-୨୦ ସିରିଜକୁ ୨-୧ରେ କବଜା କରିଥିଲା। ଏକଦିବସୀୟ ସିରିଜ ବିଷୟରେ କହିବାକୁ ଗଲେ ବିରାଟ କୋହଲି ପ୍ରଥମ ମ୍ୟାଚରେ ଏକ ଶତକ ହାସଲ କରିଥିଲେ। ଏହା ବ୍ୟତୀତ ରୋହିତ ଏବଂ ଶୁବମାନ ଗିଲ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଦ୍ୱିତୀୟ ଦିନିକିଆରେ କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ଭଲ ବୋଲିଂ କରିଥିଲେ। ଏହା ପରେ ଭାରତୀୟ ଦଳର ଖରାପ ଆରମ୍ଭ ସତ୍ତ୍ୱେ କେ.ଏଲ୍ ରାହୁଲ ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ ଜିତାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସିରିଜର ପ୍ରଥମ ୨ ଟି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶନଙ୍କୁ ସୁଯୋଗ ଦିଆଯାଇନଥିଲା। ଏଭଳି ପରିସ୍ଥିତିରେ ସିରିଜ୍ ଜିତିବା ପରେ ଏହି ଦୁଇଜଣ ଫାଇନାଲ୍ ମ୍ୟାଚ୍ ରେ ସୁଯୋଗ ପାଇବେ କି ନାହିଁ ସମସ୍ତଙ୍କ ନଜର ରହିଛି।

ଟି-୨୦ ସିରିଜରେ ସୁର୍ଯ୍ୟକୁମାର ଯାଦବ ଏକ ଶତକ ହାସଲ କରି ଦିନିକିଆ ସିରିଜ୍ ପାଇଁ ନିଜର ଦାବି ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ବାଂଲାଦେଶ ବିପକ୍ଷରେ ଦିନିକିଆରେ ଇଶାନ କିଶନ ଦ୍ୱିଶତକ ହାସଲ କରିଛନ୍ତି। ଦ୍ୱିତୀୟ ଦିନିକିଆରେ ପରାଜୟ ସହିତ ଶ୍ରୀଲଙ୍କା ଦଳ ଏକ ଦଳ ହୋଇପାରିଛି ଯାହା ଦିନିକିଆରେ ସର୍ବାଧିକ ମ୍ୟାଚ୍ ହାରିଛି। ପ୍ରଥମ ମ୍ୟାଚ୍‌ରେ କ୍ୟାପଟେନ ଦସୁନ୍ ଶାନାକା ଅପରାଜିତ ଶତକ ହାସଲ କରିଥିଲେ ମଧ୍ୟ ଦଳ ବିଜୟଠାରୁ ବହୁ ଦୂରରେ ଥିଲା। ଟି-୨୦ ସିରିଜରେ ମଧ୍ୟ ଶନାକା ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟ କୌଣସି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ପାରି ନାହାଁନ୍ତି। ଏହି ସିରିଜ୍ ପରେ ଭାରତକୁ ଜାନୁଆରୀ ୧୮ ତାରିଖରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାକୁ ପଡିବ।

ଉଭୟ ଦଳର ସମ୍ଭାବ୍ୟ ଏକାଦଶ ଖେଳାଳି:

ଭାରତ: ରୋହିତ ଶର୍ମା, ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମରନ ମଲିକ।

ଶ୍ରୀଲଙ୍କା: ପଥୁମ୍ ନିସଙ୍କା, ଅଭିସ୍କା ଫର୍ନାଣ୍ଡୋ, କୁସଲ ମେଣ୍ଡିସ୍, ଚରିତ ଅସଲଙ୍କା, ଧନଞ୍ଜୟ ଡି’ସିଲଭା, ଦସୁନ୍ ଶନାକା, ୱାନିନ୍ଦୁ ହସରାଙ୍ଗା, ଡୁନିଥ୍ ଭେଲାଲାଗେ, ଚମିକା କରୁଣାତ୍ନେ, କାସୁନ୍ ରଜିତା ଏବଂ ଲାହିରୁ କୁମାରା।

Related posts