
ନୂଆଦିଲ୍ଲୀ: ଆଜି ଖେଳାଯାଇଥିବା ଅଣ୍ଡର -୧୯ ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରି ଭାରତୀୟ ମହିଳା ଦଳ ଇତିହାସ ସୃଷ୍ଟି କରିଛି। ମହିଳା ଅଣ୍ଡର -୧୯ ବିଶ୍ୱକପ ଟାଇଟଲ ଜିତିବାରେ ଭାରତ ପ୍ରଥମ ଦେଶ ହେଲା। ତିନିଟି ୱିକେଟ୍ ହରାଇବା ପରେ ଟିମ୍ ଇଣ୍ଡିଆ ୧୪ ଓଭରରେ ୬୯ ରନ୍ ଲକ୍ଷ୍ୟ ହାସଲ କରିଥିଲା। ଯେଉଁଥିରେ ସୌମ୍ୟା ତିୱାରୀ (୨୪ ଅପରାଜିତ) ଏବଂ ଗୋଙ୍ଗାଡି ତ୍ରିଶା (୨୪) ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ଷ୍ଟୋନହାଉସ୍, ସ୍କ୍ରାଇଭେନ୍ସ ଏବଂ ବେକର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଏହାପୂର୍ବରୁ ଭାରତୀୟ ବୋଲରଙ୍କ ଘାତକ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡ ଦଳ ଟାଇଟଲ ମ୍ୟାଚରେ ୧୭.୧ ଓଭରରେ ୬୮ ରନ୍ ସଂଗ୍ରହ କରିଥିଲା। ଯେଉଁଥିରେ ରିଆନ୍ ମ୍ୟାକଡୋନାଲ୍ଡ ୧୯ ରନ୍ ସ୍କୋର କରି ତାଙ୍କ ଦଳର ସର୍ବାଧିକ ସ୍କୋରର ହୋଇଥିଲେ। ଭାରତ ପାଇଁ ଟିତାସ ସାନ୍ଧୁ, ଅର୍ଚ୍ଚନା ଦେବୀ ଏବଂ ପାର୍ଶବୀ ଚୋପ୍ରା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଶେଫାଳୀ ବର୍ମା, ମନ୍ନତ କଶ୍ୟପ ଏବଂ ସୋନମ ଯାଦବ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।
ଆନ୍ତର୍ଜାତୀୟ ସ୍ତରରେ ଭାରତୀୟ ମହିଳା ସିନିୟର ଦଳ ସହ ଦୁଇଟି ବିଶ୍ୱକପ ଏବଂ ଗୋଟିଏ କମନୱେଲଥ ଗେମ୍ସର ଫାଇନାଲରେ ଅଂଶଗ୍ରହଣ କରିଥିବା ଶେଫାଳି ବର୍ମା ତାଙ୍କ ଅଧିନାୟକତ୍ୱରେ ଟ୍ରଫି ଜିତି ଏକ ବଡ଼ ସଫଳତା ହାସଲ କରିଛନ୍ତି।