ମହିଳା ଟି-୨୦ ବିଶ୍ୱକପ: ଭାରତୀୟ ଦଳର ସେମିଫାଇନାଲ ମ୍ୟାଚ୍ କେବେ, କେଉଁଠାରେ ଏବଂ କିପରି ଦେଖିବେ?

Published: Feb 22, 2023, 10:50 am IST

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ସେମିଫାଇନାଲ ମ୍ୟାଚରେ ଉଭୟ ଦଳ ମୁକାବିଲା କରିବେ। ଯେଉଁଠାରେ ଅଷ୍ଟ୍ରେଲିଆ ଦଳ ଗ୍ରୁପ୍-୧ ର ଚାରୋଟି ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଛି, ଭାରତୀୟ ଦଳ ଗ୍ରୁପ୍-୨ର ଚାରିଟି ମ୍ୟାଚ୍ ମଧ୍ୟରୁ ତିନୋଟି ଜିତି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛି। ଭାରତୀୟ ଦଳ ପାକିସ୍ତାନ, ୱେଷ୍ଟଇଣ୍ଡିଜ ଏବଂ ଆୟର୍ଲାଣ୍ଡକୁ ପରାସ୍ତ କରିଥିବାବେଳେ ଇଂଲଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।

ଏହି ସେମିଫାଇନାଲ ମ୍ୟାଚ୍ ଭାରତୀୟ ଦଳ ପାଇଁ ବହୁତ ଚ୍ୟାଲେଞ୍ଜ ହେବାକୁ ଯାଉଛି। ବାସ୍ତବରେ, ଏପର୍ଯ୍ୟନ୍ତ ଭାରତ ଏବଂ ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍ ଦଳ ମଧ୍ୟରେ ୩୦ ଟି-୨୦ ମ୍ୟାଚ୍ ହୋଇଛି। ଏଥିମଧ୍ୟରେ ଭାରତୀୟ ଦଳ ମାତ୍ର ୬ ଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଥିବାବେଳେ ୨୨ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ଦୁଇ ଦଳ ମଧ୍ୟରେ ମଧ୍ୟ ଟାଇ ହୋଇଛି ଏବଂ ଅନ୍ୟ ଏକ ମ୍ୟାଚରେ କୌଣସି ଫଳାଫଳ ମିଳିନାହିଁ।

ମହିଳା ଟି-୨୦ ଆନ୍ତର୍ଜାତୀୟ ମାନ୍ୟତାରେ ମଧ୍ୟ ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ବହୁ ପଛରେ ରହିଛି। ଅଷ୍ଟ୍ରେଲିଆ ଦଳ ନମ୍ବର-୧ ସ୍ଥାନରେ ଥିବାବେଳେ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ପୂର୍ବ ଆକଳନ ଏବଂ ବର୍ତ୍ତମାନର ଫର୍ମକୁ ଦେଖିଲେ ଅଷ୍ଟ୍ରେଲିଆ ଦଳ ଭାରତୀୟ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଦେଖାଯାଉଛି।

କେବେ ଏବଂ କେଉଁଠାରେ ମ୍ୟାଚ୍ ଦେଖିବେ?:

ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ଏହି ମ୍ୟାଚ୍ କେପଟାଉନର ନ୍ୟୁଲ୍ୟାଣ୍ଡସ୍ ଷ୍ଟାଡିୟମରେ ଖେଳାଯିବ। ଜାନୁଆରୀ ୨୩ ତାରିଖରେ ଭାରତୀୟ ସମୟ ସନ୍ଧ୍ୟା ୬.୩୦ ରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ନେଟୱାର୍କର ବିଭିନ୍ନ ଚ୍ୟାନେଲରେ କରାଯିବ। ଡିସ୍ନି + ହଟ୍ ଷ୍ଟାର୍ ଆପ୍ ରେ ଲାଇଭ୍ ଷ୍ଟ୍ରିମିଂ ଉପଲବ୍ଧ ହେବ।

Related posts