ମହିଳା ଟି-୨୦ ବିଶ୍ୱକପ୍‌: ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ, ଜାଣନ୍ତୁ ଉଭୟ ଦଳର ସମ୍ଭାବ୍ୟ ଖେଳାଳି

Published: Feb 23, 2023, 10:20 am IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ଆଜି ଖେଳାଯିବ। ଏହି ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆର ମହିଳା ଦଳ ମଧ୍ୟରେ ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ କେପଟାଉନର ନ୍ୟୁଲାଣ୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ଦଳ କ୍ରମାଗତ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ଭାରତର ଉଦ୍ଦେଶ୍ୟ ହେବ। ତେବେ ଦୁଇ ଦଳ ମଧ୍ୟରେ ଏକ ସଙ୍ଘର୍ଷପୂର୍ଣ୍ଣ ପ୍ରତିଯୋଗିତା ଆଶା କରାଯାଉଛି।

ବିଶ୍ୱକପରେ ଟିମ୍ ଇଣ୍ଡିଆର ଯାତ୍ରା:

ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଯାତ୍ରା ଏପର୍ଯ୍ୟନ୍ତ ଉତ୍କୃଷ୍ଟ ହୋଇଛି। ଭାରତ ୪ ଟି ମ୍ୟାଚ ମଧ୍ୟରୁ ୩ ଟି ଜିତି ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ମହିଳା ଦଳ ଟି-୨୦ ବିଶ୍ୱକପରେ ବିଜୟ ସହ ଆରମ୍ଭ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ କୁ ୬ ୱିକେଟ୍ ରେ ପରାସ୍ତ କରିଥିଲା। ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚରେ ଭାରତ ପରାସ୍ତ ହୋଇଥିଲା। ଚତୁର୍ଥ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଆୟର୍ଲାଣ୍ଡକୁ ୫ ରନ୍ ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା।

ଅପରାଜୟ ଅଷ୍ଟ୍ରେଲିୟା:

ମହିଳା ଟି-୨୦ ବିଶ୍ୱକପ-୨୦୨୩ରେ ଅଷ୍ଟ୍ରେଲିଆର ମହିଳା ଦଳ ଅପରାଜୟ ରହିଥିଲା। ଏହି ସମୟ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡକୁ କଙ୍ଗାରୁ ମହିଳା ଦଳ ୯୭ ରନ, ବାଂଲାଦେଶକୁ ୮ ୱିକେଟ, ଶ୍ରୀଲଙ୍କାକୁ ୧୦ ୱିକେଟ ଏବଂ ଦକ୍ଷିଣ ଆଫ୍ରିକା ମହିଳା ଦଳକୁ ୬ ଟି ୱିକେଟରେ ପରାସ୍ତ କରିଥିଲା। ଏହିପରି ଭାବରେ ଅଷ୍ଟ୍ରେଲିୟା ମହିଳା ଦଳ କୌଣସି ମ୍ୟାଚ୍ ନ ହରାଇ ମହିଳା ଟି-୨୦ ବିଶ୍ୱକପ-୨୦୨୩ର ସେମିଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲା।

ଉଭୟ ଦଳର ସମ୍ଭାବ୍ୟ ଏକାଦଶ ଖେଳାଳି:

ଭାରତ: ଶେଫାଲୀ ଭର୍ମା, ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗୁସ୍, ହରମାନପ୍ରୀତ କୌର (ଅଧିନାୟକ), ରିଚା ଘୋଷ (ୱିକି), ଦୀପ୍ତି ଶର୍ମା, ପୂଜା ଭସ୍ତ୍ରକର, ଶିଖା ପାଣ୍ଡେ, ରାଧା ଯାଦବ, ରାଜେଶ୍ୱରୀ ଗାଇକୱାଡ, ରେଣୁକା ସିଂ।

ଅଷ୍ଟ୍ରେଲିଆ: ଏଲିସା ହିଲି (ୱିକି), ବେଥ୍ ମୁନି, ମେଗ୍ ଲନ୍ନିଙ୍ଗ୍ (ଅଧିନାୟକ), ଏଲିସ ପେରି, ଆସଲେ ଗାର୍ଡନର୍, ତାହଲିଆ ମ୍ୟାଗ୍ରାଥ୍, ଗ୍ରେସ୍ ହାରିସ୍, ଜର୍ଜିଆ ୱେରହମ୍, ଅଲାନା କିଙ୍ଗ, ମେଗନ୍ ଶୁଟ୍, ଡି’ଆରସି ବ୍ରାଉନ୍।

Related posts