ଅହମ୍ମଦାବାଦ ଟେଷ୍ଟରେ ନୂଆ ଇତିହାସ ସୃଷ୍ଟି କରିବ ଭାରତ!, ବିପଦରେ ଅଷ୍ଟ୍ରେଲିଆର ଏହି ରେକର୍ଡ

Published: Mar 7, 2023, 1:26 pm IST

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ର ଶେଷ ମ୍ୟାଚ୍ ମାର୍ଚ୍ଚ ୯ ତାରିଖରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଦୁନିଆର ସବୁଠୁ ବଡ ଷ୍ଟାଡିୟମରେ ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି ହୋଇପାରେ, ଯାହା ବର୍ତ୍ତମାନ ଅଷ୍ଟ୍ରେଲିଆର ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ନାମରେ ନାମିତ ହୋଇଛି। ଗୋଟିଏ ଦିନରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ସଂଖ୍ୟକ ଦର୍ଶକଙ୍କ ପାଇଁ ଏମସିଜି ରେକର୍ଡ ରଖିଛି।

ଏହି ଟେଷ୍ଟ ସିରିଜର ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ପ୍ରଥମ ଦିନର ଖେଳ ପାଇଁ ୮୫ ହଜାରରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି। ଏହା ସହିତ ଯଦି ଛାତ୍ରଛାତ୍ରୀ ଏବଂ ପରିବାରଙ୍କୁ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାର ସୁବିଧା ମିଳେ, ତେବେ ପ୍ରଥମ ଦିନରେ ଏହି ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଅହମ୍ମଦାବାଦ ଷ୍ଟାଡିୟମର ମୋଟ କ୍ଷମତା ୧ ଲକ୍ଷ ୩୨ ହଜାର ଅଟେ।

ଯଦି ଅହମ୍ମଦାବାଦ ଷ୍ଟାଡିୟମରେ ୧ ଲକ୍ଷ ଲୋକ ଏକାଠି ଟେଷ୍ଟ ମ୍ୟାଚ୍ ଉପଭୋଗ କରନ୍ତି, ତେବେ ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ହେବ ଯେତେବେଳେ ଷ୍ଟାଡିୟମରେ ଏତେ ସଂଖ୍ୟକ ଦର୍ଶକ ଉପସ୍ଥିତ ରହିବେ। ଏହାପୂର୍ବରୁ, ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଦର୍ଶକଙ୍କ ରେକର୍ଡ ୨୧୦୩-୧୪ ଆଶେସ୍ ସିରିଜ୍ ସମୟରେ MCG ରେ ରେକର୍ଡ କରାଯାଇଥିଲା, ଯେତେବେଳେ ୯୧,୧୧୨ ଦର୍ଶକ ଷ୍ଟାଡିୟମରେ ବସି ମ୍ୟାଚ୍ ଉପଭୋଗ କରିଥିଲେ।

ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ:

ଶେଷ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଅଲ୍ବନିସ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହିବେ। ଏହି ସମୟରେ ସେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଉଦଘାଟନୀ ସମାରୋହରେ ମଧ୍ୟ ଅଂଶଗ୍ରହଣ କରିବେ। ଏହି ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୩ ଟେଷ୍ଟ ମ୍ୟାଚ୍ ମଧ୍ୟରୁ ଭାରତୀୟ ଦଳ ପ୍ରଥମ ୨ ମ୍ୟାଚ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଦଳ ତୃତୀୟ ଟେଷ୍ଟ ମ୍ୟାଚ୍ ୯ ୱିକେଟ୍ ଜିତି ସିରିଜରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି।

Related posts