ବିରାଟ କୋହଲିଙ୍କ ୱିକେଟ୍ କୁ ନେଇ ଅସନ୍ତୋଷ: ଗାଭାସ୍କର ଉଠାଇଲେ ପ୍ରଶ୍ନ

Published: Mar 20, 2023, 12:20 pm IST

ନୂଆଦିଲ୍ଲୀ: ଦ୍ୱିତୀୟ ଦିନିକିଆରେ ଭାରତକୁ ଅଷ୍ଟ୍ରେଲିଆ ୧୦ ୱିକେଟ୍ ରେ ପରାସ୍ତ କରିଛି। ଭାରତ ଦେଇଥିବା ୧୧୮ ରନର ଲକ୍ଷ୍ୟକୁ ୧୧ ଓଭରରେ ଅଷ୍ଟ୍ରେଲିଆ ହାସଲ କରିଛି। ଦ୍ୱିତୀୟ ଦିନିକିଆରେ ଭାରତୀୟ ବ୍ୟାଟିଂ ଫ୍ଲପ୍ ହୋଇଥିଲା। କେବଳ ବିରାଟ କୋହଲି ୩୧ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ। କେବଳ ଏତିକି ନୁହେଁ, ଏକ ସମୟରେ କୋହଲି କ୍ରିଜରେ ଜମି ରହିଥିଲେ ମଧ୍ୟ ଏଲିସ୍ ଙ୍କ ସିଧା ବଲ୍ କୁ ଖେଳିବା ସମୟରେ ଏଲବିଡବ୍ଲ ଆଉଟ ହୋଇଥିଲେ। ଯାହା ପରେ କୋହଲିଙ୍କ ଆଉଟକୁ ନେଇ ସୁନୀଲ ଗାଭାସ୍କର ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ, କୋହଲି କ୍ରମାଗତ ଭାବରେ ଏଭଳି ଭୁଲ କରୁଛନ୍ତି।

ଷ୍ଟାର୍ ସ୍ପୋର୍ଟସ୍ ରେ କୋହଲିଙ୍କ ୱିକେଟ୍ ବିଷୟରେ ଗାଭାସ୍କର କହିଥିଲେ ଯେ, ‘ସେ ପୁଣି ଥରେ ଲାଇନ୍ ବଲ୍ କୁ ଓଲଟା ଖେଳିଥିଲେ। ଏଭଳି ସେ ନିୟମିତ ଖେଳି ଆଉଟ ହେଉଛନ୍ତି। ଆଜିକାଲି ସେ ଲାଇନ ବଲକୁ ବିପରୀତ ଦିଗରେ ଖେଳୁଛନ୍ତି। ସେ ସ୍କୋୟାର ଲେଗ ଆଡକୁ ଖେଳିବାକୁ ଚାହିଁ ନିଜ ୱିକେଟ୍ ହରାଉଛନ୍ତି। ଏପରିକି ସେ ମିଡ-ଅନ ଆଡକୁ ଖେଳିବାକୁ ଚାହିଁ ନାହାଁନ୍ତି ଏବଂ ଏହା ତାଙ୍କୁ ଅସୁବିଧାରେ ପକାଉଛି।

ପ୍ରକାଶ ଯେ, ପ୍ରଥମ ଦିନିକିଆରେ ମଧ୍ୟ କୋହଲି ମିଚେଲ ଷ୍ଟାର୍କଙ୍କ ବଲରେ ମଧ୍ୟ ଲାଇନର ବିପରୀତ ଦିଗରେ ଖେଳିବାକୁ ଚେଷ୍ଟା କରିଥିଲେ। ଏଭଳି ପରିସ୍ଥିତିରେ କୋହଲିଙ୍କ ଭୁଲକୁ ଧରି ଗାଭାସ୍କର ନିଜର ମତ ଦେଇଥିଲେ। ଅନ୍ୟପକ୍ଷରେ ମ୍ୟାଚ୍ ବିଷୟରେ କହିବାକୁ ଗଲେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ମିଚେଲ ଷ୍ଟାର୍କ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୫ ୱିକେଟ୍ ନେବାରେ ସଫଳ ହୋଇଥିଲେ। ଦିନିକିଆରେ ଷ୍ଟାର୍କ ଏପର୍ଯ୍ୟନ୍ତ ୯ ଥର ୫ ଟି ୱିକେଟ୍ ନେଇଛନ୍ତି। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଷ୍ଟାର୍କଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆଖ୍ୟା ଦିଆଯାଇଥିଲା।

Related posts