ରାଜ୍ୟସ୍ତରୀୟ ଶିଶୁ କ୍ରୀଡ଼ା ପ୍ରତିଯୋଗିତା ‘ଉତ୍ସାହ’ ଉଦ୍‌ଘାଟିତ

Published: Mar 29, 2023, 10:49 pm IST

ଭୁବନେଶ୍ୱର: ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କ୍ରୀଡା ସମ୍ଭାବନା ଓ ପ୍ରତିଭାର ସମୁଚିତ ବିକାଶ ହେବା ଜରୁରୀ। ଏହା ଦ୍ୱାରା ଶିଶୁମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିବ। ଲୁକାୟିତ ଓ ଅନାବିଷ୍କୃତ ଶିଶୁ କ୍ରୀଡା ପ୍ରତିଭାର ପରିପ୍ରକାଶ କ୍ଷେତ୍ରରେ ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ’ର ଭୂମିକା ପ୍ରଶଂସନୀୟ ବୋଲି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ ମତବ୍ୟକ୍ତ କରିଛନ୍ତି।

ଆଜି କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଶିଶୁ କ୍ରୀଡ଼ା ପ୍ରତିଯୋଗିତା ‘ଉତ୍ସାହ’କୁ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଲେ ଯେ, ଆମ ବିଭାଗ ଦ୍ୱାରା ଶିଶୁ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି ଅନ୍ତନିର୍ହିତ କ୍ରୀଡା ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛି। ଏହି କ୍ରୀଡା ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ’ ଆୟୋଜିତ ହୋଇଛି। ଆମ ବିଭାଗ ଅଧୀନରେ ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟରତ ୨୪୮ଟି ଶିଶୁ ପ୍ରଯନି ଅନୁଷ୍ଠାନର ଅନ୍ତେବାସୀ ପିଲାମାନେ ଜିଲ୍ଲା ସ୍ତରରେ ଆୟୋଜିତ ‘ଉତ୍ସାହ’ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜିଲ୍ଲାସ୍ତରୀୟ ‘ଉତ୍ସାହ’ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନେ ଆଜି ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ତିନିଦିନ ଧରି ଏଥିରେ ଦୌଡ଼ ପ୍ରତିଯୋଗିତା, ଲମ୍ବଡିଆଁ, ଉଚ୍ଚଡିଆଁ, ଫୁଟବଲ, ଚେସ, କ୍ୟାରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ପୁଣି କହିଲେ ଯେ, ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କ୍ରୀଡାର ବିକାଶ ଉପରେ ବରାବର ଗୁରୁତ୍ୱ ଦେଇ ଆସିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମ ରାଜ୍ୟ ତଥା ଏହି କଳିଙ୍ଗ ଷ୍ଟାଡିୟମ ବିଭିନ୍ନ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରି ସାରା ବିଶ୍ୱରେ ସୁଖ୍ୟାତି ଅର୍ଜନ କରିଛି। ଏହି ଷ୍ଟାଡିୟମ୍‌ରେ ନିକଟରେ ପୁରୁଷ ହକି ବିଶ୍ୱକପ ଦ୍ୱିତୀୟ ଥର ପାଇଁ ଆୟୋଜିତ ହୋଇଥିଲା ଓ ସାରା ବିଶ୍ୱର ହକି ପ୍ରେମୀଙ୍କ ଆଗ୍ରହ କଳିଙ୍ଗ ଷ୍ଟାଡିୟମ ଉପରେ କେନ୍ଦ୍ରୀଭୂତ ହୋଇଥିିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ କ୍ରୀଡା ପ୍ରତିଭା ଆବିଷ୍କାର ଦିଗରେ ଅଧିକ ଗୁରୁତ୍ୱ ଦେଉଥିବା ଦୃଷ୍ଟିରୁ ଓ ଶିଶୁ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ’ ସେହିଭଳି ସ୍ୱତନ୍ତ୍ର ହୋଇଥିବାରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି।

ପୂର୍ବରୁ ଏହିପରି ସର୍ବଭାରତୀୟ ପ୍ରତିଯୋଗିତା ନୂଆଦିଲ୍ଲୀରେ ଆୟୋଜନ କରାଯାଉଥିଲା। ଯେଉଁଥିରେ ଭାଗନେଇ ଆମ ରାଜ୍ୟର ପିଲାମାନେ ଲଗାତର ୨ ବର୍ଷ ଚାମ୍ପିଅନ ହେବା ସହିତ ରାଜ୍ୟ ପାଇଁ ଗୌରବ ଆଣିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ମୋର ଆଶା ଓ ବିଶ୍ୱାସ, ଆଜିର ଏହି ପ୍ରତିଯୋଗୀମାନଙ୍କ ମଧ୍ୟରୁ କିଛି ପ୍ରତିଭା ଭବିଷ୍ୟତରେ ଅନ୍ତର୍ଜାତୀୟ ଖେଳାଳି ହୋଇ ବାହାରିବେ ଏବଂ ଆମ ରାଜ୍ୟ ପାଇଁ ଗୌରବ ଆଣିବେ। କିନ୍ତୁ ପ୍ରତିଟି ପ୍ରତିଯୋଗୀ ଆମ ପାଇଁ ଅନନ୍ୟ ଓ ସ୍ୱତନ୍ତ୍ର ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ମତପ୍ରକାଶ କରିଥିଲେ।

ପୂର୍ବରୁ ୩୦ଟି ଜିଲ୍ଲାରେ କାର୍ଯ୍ୟରତ ଶିଶୁ ପ୍ରଯନି ଅନୁଷ୍ଠାନର ଅନ୍ତେବାସୀ ପିଲାମାନେ ଏକ ମାର୍ଚ୍ଚପାଷ୍ଟରେ ଭାଗ ନେଇଥିଲେ। ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ଅଭିବାଦନ ଗ୍ରହଣ କରିଥିଲେ। ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ବିଭାଗର ଉପଦେଷ୍ଟା ସୁମିତ୍ରା ଜେନା, ଅତିରିକ୍ତ ଶାସନ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତିନିଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଏହି ‘ଉତ୍ସାହ’ କ୍ରୀଡ଼ା ପ୍ରତିଯୋଗିତା ଚାଲିବ।

Related posts