ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିରଟଠାରେ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ଆଥ୍ଲେଟିକ୍ସ ସିରିଜ୍ର ୧୫ଶ ଚରଣରେ କେରଳର ପ୍ରସିଦ୍ଧ ଆନ୍ତର୍ଜାତୀୟ ଧାବକ ମିଜୋ ଚାକୋ କୁରିୟନ୍ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ବାୟୁସେନାର ପ୍ରତିନିଧିତ୍ବ କରୁଥିବା ମିଜୋ ପୁରୁଷ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ୨୦୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି। ମିଜୋ ୪୬.୮୯ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ। କ୍ରମାଗତ କାଣ୍ଟାକଟ୍ ପ୍ରତିଯୋଗିତାରେ ନୌସେନାର ଅଲମ୍ପିଆନ୍ ମହମ୍ମଦ ଅଜମଲ (୪୬.୯୦ ସେକେଣ୍ଡ) ମାତ୍ର ୦.୦୧ ସେକେଣ୍ଡରେ ପଛରେ ରହି ଦ୍ୱିତୀୟ (ରୌପ୍ୟ) ଏବଂ ଉତ୍ତର ପ୍ରଦେଶର ରସିଦ୍ (୪୭.୨୮ ସେକେଣ୍ଡ) ତୃତୀୟ (ବ୍ରୋଞ୍ଜ) ସ୍ଥାନ ହାସଲ କରିଛନ୍ତି। ପୁରୁଷ ୨୦୦ ମିଟର ଇଭେଣ୍ଟରେ ରାଜସ୍ଥାନର ଆଦେଶ ଗାରସା ୨୧.୩୯ ସେକେଣ୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମିଜୋ ୨୧.୪୧ ସେକେଣ୍ଡ ସମୟ ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ହାସଲ କରିଛନ୍ତି। ରିଲାଏନ୍ସର ରୁଚିତ ମୋରି (୨୧.୫୦ ସେକେଣ୍ଡ) ବ୍ରୋଞ୍ଜ ପଦକ ଜିତିଛନ୍ତି।
ହିମାଚଳ ପ୍ରଦେଶର ସନ୍ଦୀପ ସିଂହ ୧୦.୬୫ ସେକେଣ୍ଡ ସମୟ ନେଇ ଦ୍ରୁତତମ ଧାବକ ହୋଇଛନ୍ତି। ରିଲାଏନ୍ସର ସାଭିନ୍ ଥିଙ୍ଗାଲୟା (୧୦.୬୬ ସେ.) ଦ୍ୱିତୀୟ ଏବଂ ମହାରାଷ୍ଟ୍ରର ନିଖିଲ ସର୍ଜେରାଓ ପାଟିଲ (୧୦.୭୭ ସେ.) ତୃତୀୟ ହୋଇଛନ୍ତି। ନୌସେନାର ଅଖିଲ କେ.ଏ. (୧:୫୧.୩୧) ୮୦୦ ମିଟରରେ ଏବଂ ପଞ୍ଜାବର ମନପ୍ରୀତ (୩:୫୧.୩୯) ୧୫୦୦ ମିଟରରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।


