ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ସର୍ବାଧିକ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୨୦୨୭ରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଖେଳିବେ। ତେବେ ଏହା ତାଙ୍କ କ୍ରିକେଟ୍ କ୍ୟାରିୟରର ଶେଷ ବିଶ୍ୱକପ୍ ହେବ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି। ଭାରତକୁ ପୁଣିଥରେ ଚାମ୍ପିଅନ୍ କରିବା ପାଇଁ ସେ ନିଜର ସବୁକିଛି ବାଜି ଲଗାଇଦେବାକୁ ପ୍ରସ୍ତୁତ ଅଛନ୍ତି। ପଡ଼ିଆରେ ସର୍ବଦା ନିଜର ୧୦୦ ପ୍ରତିଶତ ଯୋଗଦାନ ଦେବାକୁ ଚାହୁଁଥିବା ବିରାଟ, ଏବେ ତାଙ୍କର ସମ୍ପୂର୍ଣ୍ଣ ଫୋକସ୍ ଟ୍ରଫି ଜିତିବା ଉପରେ ରଖିଥିବା ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ଦିନିକିଆରେ ସର୍ବାଧିକ ୫୪ଟି ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବୟସ ବର୍ତ୍ତମାନ ୩୭ ବର୍ଷ। ବିରାଟ କୋହଲି ୨୦୨୪ ବିଶ୍ୱକପ୍ ପରେ ଟି-୨୦ ଫର୍ମାଟରୁ ଏବଂ ୨୦୨୫ରେ ଟେଷ୍ଟ କ୍ରିକେଟ୍ ଫର୍ମାଟ୍ରୁ ଅବସର ନେଇସାରିଛନ୍ତି। କୋହଲି ବର୍ତ୍ତମାନ କେବଳ ଦିନିକିଆ (ଓଡ଼ିଆଇ) କ୍ରିକେଟ ଖେଳୁଛନ୍ତି। ଅନ୍ୟପକ୍ଷେ ବିରାଟ ଏପର୍ଯ୍ୟନ୍ତ ୪ଟି ଦିନିକିଆ ବିଶ୍ୱକପ୍ (୨୦୧୧, ୨୦୧୫, ୨୦୧୯ ଏବଂ ୨୦୨୩) ଖେଳିସାରିଛନ୍ତି। ଦିନିକିଆ କ୍ରିକେଟରେ ସର୍ବାଧିକ ୫୪ଟି ଶତକ ହାସଲ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି।
୨୦୨୭ ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆର ମିଳିତ ଆୟୋଜନରେ ଖେଳାଯିବ। କୋହଲିଙ୍କ ପାଇଁ ଏହା ପଞ୍ଚମ ଦିନିକିଆ ବିଶ୍ୱକପ୍ ହେବ। ୨୦୧୧ରେ ଭାରତୀୟ ଦଳ ଧୋନିଙ୍କ ଅଧିନାୟକତ୍ୱରେ ୨୮ ବର୍ଷ ପରେ ଟାଇଟଲ୍ ଜିତିଥିଲା ଏବଂ କୋହଲି ସେହି ଦଳର ଅଂଶ ଥିଲେ। ୨୦୨୩ରେ ଭାରତ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା, କିନ୍ତୁ ଅହମଦାବାଦ ଷ୍ଟାଡିୟମ୍ରେ ଖେଳାଯାଉଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା। ବିଶ୍ୱକପରେ କୋହଲିଙ୍କ ରେକର୍ଡ ମଧ୍ୟ ବେଶ୍ ଲମ୍ବା। ସେ ବିଶ୍ୱକପ୍ର ମୋଟ୍ ୩୭ଟି ମ୍ୟାଚ୍ରେ ୧,୭୯୫ ରନ୍ କରିଛନ୍ତି। ତାଙ୍କର ହାରାହାରି ୫୯.୮୩ ରହିଛି। ତାଙ୍କ ନାମରେ ୫ଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ରହିଛି।
ଅନ୍ୟପକ୍ଷେ ଭାରତର ୨୦୨୭ ବିଶ୍ୱକପ୍ ମିଶନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନୋଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରୁ ଆଗକୁ ବଢ଼ିବ। ଉଭୟ କୋହଲି ଏବଂ ଭାରତର ଅନ୍ୟତମ ଷ୍ଟାର ଓପନର ରୋହିତ ଶର୍ମା ଏହି ମ୍ୟାଚ୍ ଖେଳିବେ। ଉଭୟ ଜୋରଦାର ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛନ୍ତି ପ୍ରଥମ ମ୍ୟାଚ୍ ୨୭ ସେପ୍ଟେମ୍ବରରେ ଥିରୁଅନନ୍ତପୁରମ, ଦ୍ୱିତୀୟ ମ୍ୟାଚ୍ ୩୦ ସେପ୍ଟେମ୍ବରରେ ଗୁଆହାଟୀ ଏବଂ ତୃତୀୟ ମ୍ୟାଚ୍ ୩ ଅକ୍ଟୋବରରେ ନ୍ୟୁ ଚଣ୍ଡୀଗଡ଼ରେ ଖେଳାଯିବ। ଏହାପରେ ଭାରତକୁ ଏହି ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଦିନିକିଆ ଏବଂ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବାକୁ ଅଛି।


