ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବର୍ଷା ସାଜିଲା ବାଧକ। ପ୍ରବଳ ବର୍ଷା ଯୋଗୁଁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ପଞ୍ଚମ ତଥା ଫାଇନାଲ ଟି-୨୦ ମ୍ୟାଚ୍କୁ ଶେଷରେ ବାତିଲ ଘୋଷଣା କରାଗଲା। ମ୍ୟାଚ୍ ବାତିଲ ହେବା ଫଳରେ ଚଳିତ ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨-୨ ରେ ଡ୍ର (ବରାବର) ରହିଛି। ଏହା ସହିତ ଦୀର୍ଘ ୪ ବର୍ଷ ପରେ ଟିମ୍ ଇଣ୍ଡିଆ ନିଜ ଘରୋଇ ମାଟିରେ କୌଣସି ଟି-୨୦ ସିରିଜ୍ କବ୍ଜା କରିବାରୁ ବଞ୍ଚିତ ହୋଇଛି। ଏହା ପୂର୍ବରୁ ୨୦୨୨ ମସିହାରେ ଦକ୍ଷିଣ ଆଫ୍ରିକା ଭାରତ ମାଟିରେ ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୨ ରେ ଡ୍ର ରଖିବାରେ ସଫଳ ହୋଇଥିଲା।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବର୍ଷା ଯୋଗୁଁ ସନ୍ଧ୍ୟା ୬:୩୦ରେ ହେବାକୁ ଥିବା ଟସ୍ ଅଢ଼େଇ ଘଣ୍ଟା ବିଳମ୍ବରେ ରାତି ୯ଟାରେ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ ୯-୯ ଓଭର ବିଶିଷ୍ଟ କରାଯାଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ୭.୪ ଓଭର ପର୍ଯ୍ୟନ୍ତ ହିଁ ଖେଳିପାରିଥିଲା। ଏହି ସମୟ ମଧ୍ୟରେ ଭାରତୀୟ ଦଳ ୫ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଥିବା ବେଳେ ପୁଣି ଥରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମ୍ପାୟାର ମ୍ୟାଚ୍କୁ ବାତିଲ ଘୋଷଣା କରିଥିଲେ।
ଭାରତ ପକ୍ଷରୁ ଈଶାନ କିଶନ ମାତ୍ର ୧୦ଟି ବଲ୍ରୁ ୩୦ ରନ୍ କରିଥିବା ବେଳେ ନମନ ଧୀର ୬ଟି ବଲ୍ରୁ ୨୪ ରନ୍ କରି ଅପରାଜିତ ରହିଥିଲେ। ଅଭିଷେକ୍ ଶର୍ମା ମାତ୍ର ୬ ରନ୍ କରି ପାଭିଲିୟନ୍ ଫେରିଥିବା ବେଳେ ସଞ୍ଜୁ ସାମସନ୍ ୧୬ ରନ୍, ଅଧିନାୟକ ଶ୍ରେୟସ ଆୟର ୨୨ ରନ୍ ଏବଂ ତିଳକ୍ ବର୍ମା ୭ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ କିମୋ ପଲ ଏବଂ ସମର ସ୍ପ୍ରିଙ୍ଗର ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିବା ବେଳେ ସମର ଯୋଶେଫ୍ ଗୋଟିଏ ୱିକେଟ୍ ହାତେଇଥିଲେ। ୱେଷ୍ଟଇଣ୍ଡିଜ୍ ଅଧିନାୟକ ତଥା ୱିକେଟକିପର ବ୍ୟାଟର ସାଇ ହୋପ୍ଙ୍କୁ ସିରିଜ୍ସାରା ଚମତ୍କାର ପ୍ରଦର୍ଶନ ପାଇଁ ‘ପ୍ଲେୟାର ଅଫ୍ ଦି ସିରିଜ୍’ ଘୋଷଣା କରାଯାଇଛି।


