ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ଖେଳାଳି ଆୟୋଗ ନିର୍ବାଚନ ପାଇଁ ସରଗରମ ହୋଇଛି ବାତାବରଣ। ଆୟୋଗର ୨୦୨୬-୨୦୩୦ କାର୍ଯ୍ୟକାଳ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁଥିବା ଏହି ନିର୍ବାଚନରେ ଦେଶର ଦିଗ୍ଗଜ ଖେଳାଳିମାନେ ପ୍ରାର୍ଥୀ ହୋଇଛନ୍ତି। ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ଶଟ୍ଲର୍ ପିଭି ସିନ୍ଧୁ ଏବଂ ଷ୍ଟାର୍ ୱେଟ୍ଲିଫ୍ଟର ମୀରାବାଇ ଚାନୁଙ୍କ ସମେତ ମୋଟ ୧୨ ଜଣ ନାମୀଦାମୀ ଖେଳାଳି ନିର୍ବାଚନ ମଇଦାନରେ ରହିଛନ୍ତି। ଏହି ନିର୍ବାଚନରେ ମୋଟ ୧୦ ଜଣ ସଦସ୍ୟ (୫ ଜଣ ପୁରୁଷ ଓ ୫ ଜଣ ମହିଳା) ଚୟନ କରାଯିବେ।
ବର୍ତ୍ତମାନର ଆୟୋଗରେ ସିନ୍ଧୁ, ଚାନୁ ଓ ଭବାନୀ ଦେବୀ ସଦସ୍ୟ ଥିବାବେଳେ ଏହାର ଅଧ୍ୟକ୍ଷ ଭାବେ ମହାନ୍ ବକ୍ସର୍ ଏମ୍ସି ମେରୀକମ୍ ଦାୟିତ୍ୱରେ ଅଛନ୍ତି। ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟ ପ୍ରମୁଖ ଖେଳାଳିମାନଙ୍କ ମଧ୍ୟରେ ପୁରୁଷ ଓ ମହିଳା ହକି ଟିମ୍ର କ୍ୟାପ୍ଟେନ୍ ହରମନପ୍ରୀତ୍ ସିଂହ ଏବଂ ସଲିମା ଟେଟେ, ଶୁଟର୍ ସ୍ୱପ୍ନିଲ କୁସାଲେ, ଫେନ୍ସର୍ ଭବାନୀ ଦେବୀ, ଆଥ୍ଲେଟିକ୍ସରୁ ସୁଧା ସିଂହ ଓ ତଜିନ୍ଦରପାଲ୍ ସିଂହ, ପୂର୍ବତନ ଆର୍ଚର୍ ବମ୍ବାୟଲା ଦେବୀ, ବ୍ୟାଡ୍ମିଣ୍ଟନ୍ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ, ସ୍ୱିମର୍ ସାଜନ ପ୍ରକାଶ ଏବଂ କୟାକିଂ-କାନୋଇଙ୍ଗ୍ ଖେଳାଳି ମନଜିତ୍ ସିଂହ ସାମିଲ ଅଛନ୍ତି।
ଅନ୍ୟପକ୍ଷରେ, ନିର୍ବାଚନ ଅଧିକାରୀ ସଞ୍ଜୟ କେ. ଶ୍ରୀବାସ୍ତବ ଗତ ଅକ୍ଟୋବର ୧୬ରେ ଖେଳାଳି ଆୟୋଗ ପାଇଁ ନିର୍ବାଚକ ମଣ୍ଡଳୀର ୩୪ ଜଣିଆ ସଦସ୍ୟ ସୂଚୀ ପ୍ରକାଶ କରିଥିଲେ। ଏଥିରେ ୧୭ଟି ଜାତୀୟ ଖେଳ ମହାସଂଘ (ଏନ୍ଏସ୍ଏଫ୍)ରୁ ୨-୨ ଜଣ ପ୍ରତିନିଧିଙ୍କୁ ସ୍ଥାନ ଦିଆଯାଇଛି। ତେବେ ଅଖିଳ ଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍), ଅଖିଳ ଭାରତୀୟ ଟେନିସ୍ ସଂଘ (ଏଆଇଟିଏ), ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍ଆଇ) ଏବଂ ଟେବଲ୍ ଟେନିସ୍ ମହାସଂଘ (ଟିଟିଏଫ୍ଆଇ)ର କୌଣସି ପ୍ରତିନିଧି ଏହି ଚୂଡ଼ାନ୍ତ ସୂଚୀରେ ସ୍ଥାନ ପାଇ ନାହାନ୍ତି।


