ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ଦୁଇ ପ୍ରମୁଖ ଖେଳାଳି ଷ୍ଟାର୍ ଫାଷ୍ଟ୍ ବୋଲର୍ ଜସ୍ପ୍ରୀତ୍ ବୁମ୍ରା ଏବଂ ବିସ୍ଫୋରକ ୱିକେଟ୍କିପର୍ ବ୍ୟାଟର୍ ଋଷଭ ପନ୍ତ୍ ପୁଣି ଥରେ ଏକାଠି ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ନଭେମ୍ବର ୧୯ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ ପୂର୍ବରୁ, ନିଜର ଫିଟ୍ନେସ୍ ପ୍ରମାଣିତ କରିବା ପାଇଁ ଏହି ଦୁଇ ତାରକା ଇଣ୍ଡିଆ-ଏ ଏବଂ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଅନ୍ଅଫିସିଆଲ୍ ଟେଷ୍ଟ ମ୍ୟାଚ୍ରେ ଭାଗ ନେଇପାରନ୍ତି।
ଅକ୍ଟୋବର ଆରମ୍ଭରେ ଏସିଆନ୍ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ଜିତାଇବା ପରଠାରୁ ଜସ୍ପ୍ରୀତ୍ ବୁମ୍ରା ପଡ଼ିଆ ବାହାରେ ରହିଥିଲେ। ୱେଷ୍ଟଇଣ୍ଡିଜ୍ ସିରିଜ୍ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ବିଶ୍ରାମ ଦେବା ପରେ ଏବେ ବିସିସିଆଇର ‘ରିଟର୍ଣ୍ଣ-ଟୁ-ପ୍ଲେ’ ପ୍ରୋଟୋକଲ୍ ଅଧୀନରେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ନଭେମ୍ବର ୧ ତାରିଖରେ ନ୍ୟୁଜିଲାଣ୍ଡ ଯାତ୍ରା କରିବେ।
ଅନ୍ୟପକ୍ଷରେ ଇରାନୀ କପ୍ ଅବସରରେ ସାଇଡ୍ ଷ୍ଟ୍ରେନ୍ ସମସ୍ୟା ସହ ସଂଘର୍ଷ କରୁଥିବା ଋଷଭ ପନ୍ତ୍ ମଧ୍ୟ ବେଙ୍ଗାଲୁରୁରେ ହାଲୁକା ବ୍ୟାଟିଂ ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି। ତେବେ ବିସିସିଆଇ ମେଡିକାଲ୍ ଟିମ୍ ଠାରୁ ସବୁଜ ସଙ୍କେତ ମିଳିବା ବାକି ରହିଛି। ପନ୍ତ୍ଙ୍କ ଅନୁପସ୍ଥିତିରେ ଇଣ୍ଡିଆ-ଏ’ର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ପାଇଁ କୁମାର କୁଶାଗ୍ରଙ୍କୁ ବ୍ୟାକ୍ଅପ୍ ଭାବେ ସାମିଲ କରାଯାଇଥିଲା। ଯଦି ମେଡିକାଲ୍ ଟିମ୍ ପନ୍ତ୍ଙ୍କୁ ସମ୍ପୂଣ୍ଣ ଫିଟ୍ ଘୋଷିତ କରେ, ତେବେ ନଭେମ୍ବର ୭ରେ ନ୍ୟୁଜିଲାଣ୍ଡ-ଏ’ ବିପକ୍ଷ ମ୍ୟାଚ୍ରେ ବୁମ୍ରାଙ୍କ ୟର୍କର୍ ଓ ପନ୍ତ୍ଙ୍କ ବିସ୍ଫୋରକ ଛକା ଏକସାଙ୍ଗରେ ଦେଖିବାକୁ ମିଳିବ। ଏହା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ଼ ବୁଷ୍ଟର୍ ଡୋଜ୍ ସାବ୍ୟସ୍ତ ହେବ।


