କୁମାମାତୋ: ଭାରତର ଷ୍ଟାର୍ ବ୍ୟାଡ୍ମିଣ୍ଟନ୍ ଖେଳାଳି ଲକ୍ଷ୍ୟ ସେନ୍ ଚମତ୍କାର ପ୍ରଦର୍ଶନ ଜାରିରଖି କୁମାମୋତୋ ଜାପାନ ମାଷ୍ଟର୍ସ ୨୦୨୬ ଟାଇଟଲ୍ ନିଜ ନାମରେ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଅଷ୍ଟମ ସିଡ୍ ଲକ୍ଷ୍ୟ ଜାପାନର କୋକୀ ୱାତାନାବେଙ୍କ ତିନି ଗେମ୍ ପର୍ଯ୍ୟନ୍ତ ଚାଲିଥିବା ରୋମାଞ୍ଚକ ମ୍ୟାଚ୍ରେ ୧୩-୨୧, ୨୧-୧୮, ୨୧-୧୪ରେ ହରାଇ ବିଜୟୀ ହୋଇଛନ୍ତି। ଏକ ଘଣ୍ଟା ୪ ମିନିଟ୍ ଚାଲିଥିବା ମ୍ୟାଚ୍ରେ ଲକ୍ଷ୍ୟ ପ୍ରଥମ ଗେମ୍ ହାରିଯିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ସହିତ ହିଁ ସେ ଲଗାତାର ଦ୍ୱିତୀୟ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ସୁପର୍ ୫୦୦ ଟାଇଟଲ୍ ହାତେଇଥିଲେ। ଏହା ପୂର୍ବରୁ ସେ ହାଇଲୋ ଓପନ୍ ଟାଇଟଲ ଜିତିଥିଲେ।
ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳୁଥିବା ୱାତାନାବେ ମ୍ୟାଚ୍ରେ ଉନ୍ନତ ଆରମ୍ଭ କରି ପ୍ରଥମ ମ୍ୟାଚ୍ ୨୧-୧୩ରେ ନିଜ ନାମରେ କରିଥିଲେ। ଏହାପରେ ଲକ୍ଷ୍ୟ ପ୍ରତ୍ୟାବର୍ତ୍ତନ ସହ ଦ୍ୱିତୀୟ ଗେମ୍ ୨୧-୧୮ରେ ଜିତି ମ୍ୟାଚ୍ ୧-୧ରେ ବରାବର କରିଥିଲେ। ନିର୍ଣ୍ଣାୟକ ଗେମ୍ରେ ଲକ୍ଷ୍ୟ ନିଜ ଦବ୍ଦବା ବଜାୟ ରଖି ୱାତାନାବେଙ୍କୁ ପ୍ରତ୍ୟାବର୍ତ୍ତନର କୌଣସି ସୁଯୋଗ ଦେଇନଥିଲେ ଏବଂ ୨୧-୧୪ରେ ଗେମ୍ ଜିତି ଟାଇଟଲ୍ କବ୍ଜା କରିଥିଲେ। ଏହି ବିଜୟ ସହିତ ଲକ୍ଷ୍ୟ ଚଳିତ ବର୍ଷ ସିଙ୍ଗାପୁର ଓପନ୍ ଏବଂ ଜାପାନ ଓପନ୍ରେ ୱାତାନାବେଙ୍କ ହାତରୁ ମିଳିଥିବା ପରାଜୟର ପ୍ରତିଶୋଧ ମଧ୍ୟ ନେଇଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ବର୍ତ୍ତମାନ ହୋଇଥିବା ମ୍ୟାଚ୍ରେ ଲକ୍ଷ୍ୟଙ୍କ ରେକର୍ଡ ୫-୩ ହୋଇଛି। ଏହି ବିଜୟ ସହିତ ଲକ୍ଷ୍ୟ କୁମାମୋତୋ ମାଷ୍ଟର୍ସ ଜାପାନ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳି ହୋଇଛନ୍ତି।
ଜାପାନ ମାଷ୍ଟର୍ସ ବିଜୟ ଫଳରେ ଲକ୍ଷ୍ୟ ସେନ୍ଙ୍କୁ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ରାଙ୍କିଙ୍ଗ୍ରେ ୯୨୦୦ ପଏଣ୍ଟ୍ ମିଳିଛି। ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ସେ ୬୪୯୮୦ ପଏଣ୍ଟ୍ ସହ ୧୨ଶ ସ୍ଥାନରେ ଥିଲେ। ଏବେ ଏହି ବିଜୟ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଏଚ୍ଏସ୍ବିସି ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସ ୨୦୨୬ ପାଇଁ ଶୀର୍ଷ ଆଠରେ ତାଙ୍କର ସ୍ଥାନ ହାସଲ ଆଶା ଆହୁରି ମଜଭୁତ ହୋଇଛି।


