କରୋନା ସଂକଟ : ଆଇପିଏଲ୍‌ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯିବା ନେଇ ମନ୍ତ୍ରୀଙ୍କ ସଂକେତ

Published: Mar 9, 2020, 12:03 pm IST

ମୁମ୍ବାଇ : କରୋନା ଭାଇରସ୍‌ର ପ୍ରଭାବ ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଉପରେ ପଡିବାକୁ ନେଇ ସନ୍ଦେହ ଦେଖାଦେଇଛି । ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପ୍ପେ ଏହା ସମ୍ପର୍କରେ ସଂକେତ ଦେଇ କହିଛନ୍ତି ଯେ, ଆଇପିଏଲ୍‌ର କାର୍ଯ୍ୟକ୍ରମ ସୂଚୀରେ ପରିବର୍ତ୍ତନ ହୋଇପାରେ । କରୋନା ଭାଇରସ୍‌କୁ ଆଖି ଆଗରେ ରଖି ଭିଡ ବା ସମ୍ମିଳିତ ହେବାକୁ ନିର୍ଦ୍ଦେଶାବଳୀ ରହିଛି । ଏଥିପାଇଁ ସରକାର ଆଇପିଏଲ୍‌ ପରି ଏକ ବଡ ଇଭେଣ୍ଟର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିବା ନେଇ ବିଚାର କରୁଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, କରୋନାକୁ ଦେଖି ବହୁ ବଡ ବଡ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଉଛି। ଲୋକଙ୍କ ଜୀବନ ଅମୂଲ୍ୟ ଅଟେ । ଭିଡ ଜାଗାଗୁଡିକରେ ଏହି ଭାଇରସ ବ୍ୟାପିବାର ସମ୍ଭାବନା ପ୍ରବଳ ଥିବାରୁ ଭିଡ ଉପରେ ରୋକ୍‌ ଲଗାଯାଉଛି ।

ଆଇପିଏଲ୍‌2020 ଚଳିତ ମାସ 29 ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପରକିଙ୍ଗ୍‌ ସହ ମୁକାବିଲା ହେବାକୁ ରହିଛି ।

ପୂର୍ବରୁ ବିସିସିଆଇ ନିଜ ମତ ସ୍ପଷ୍ଟ ରୂପେ ରଖି କହିଥିଲେ ଯେ, ଆଇପିଏଲ୍‌ 2020 ଜାରି ରହିବ କିନ୍ତୁ କରୋନା ଭାଇରସ୍‌କୁ ନେଇ ସମସ୍ତ ସତର୍କତା ପଦକ୍ଷେପ ନିଆଯିବା । ବୋର୍ଡ ତରଫରୁ ଖେଳାଳିଙ୍କୁ ତାଙ୍କ ପ୍ରଶଂସକଙ୍କ ସହିତ ହାତ ନ ମିଳାଇବାକୁ କୁହାଯାଇଥିବାର ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ,  ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 42ରେ ପହଞ୍ଚି ଥିବାବେଳେ ସାରା ବିଶ୍ବରେ 3,300ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସ୍‌ର ଆତଙ୍କକୁ ଦେଖି ବହୁ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଉଛି । ଜାପାନର ଟୋକିଓରେ ହେବାକୁ ଥିବା ଅଲମ୍ପିକ୍‌ କାର୍ଯ୍ୟକ୍ରମରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ ବୋଲି ସୂଚନା ରହିଛି । ଚଳିତ ବର୍ଷ ଜୁଲାଇ ଅଗଷ୍ଟ ମାସରେ ଏହା ହେବାକୁ ରହିଛି ।

Related posts