ଦୃଷ୍ଟିହୀନ କ୍ରୀଡାବିତ୍‌ଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବାପିନା ନାୟକ

Published: May 26, 2020, 6:14 pm IST

ଭୁବନେଶ୍ବର : ରାଜ୍ୟରେ ଭିନ୍ନକ୍ଷମ କ୍ରୀଡାବିତଙ୍କ ପାଇଁ ସରକାରଙ୍କ ତରଫରୁ କୌଣସି ବିଶେଷ ପ୍ରୋତ୍ସାହନ ନଥିବା ସତ୍ତ୍ବେ ଦୃଷ୍ଟିହୀନ ଫୁଟ୍‌ବଲ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନୟାଗଡର ବାପିନା ନାୟକ । ନୟାଗଡର ଶରଣକୂଳ ଅନ୍ତର୍ଗତ ଭିକାରୀପଡାର ପ୍ରଫୁଲ୍ଲ ନାୟକଙ୍କ ପୁଅ ବାପିନା ନାୟକ ଜନ୍ମରୁ ଦୃଷ୍ଟିହୀନ । ତେବେ ଏହା ତାଙ୍କର ପ୍ରତିଭାକୁ ରୋକିପାରି ନାହିଁ । ଓଡିଶା ଦୃଷ୍ଟିହୀନ ଫୁଟ୍‌ବଲ୍‌ ଦଳର ଅଧିନାୟକ ରହିଥିବା ବେଳେ ସେ ବର୍ତ୍ତମାନ ଭାରତୀୟ ଦଳକୁ ମନୋନୀତ ହୋଇଛନ୍ତି ।

କେରଳର ଆଇବିଏସ୍‌ଏଫ୍‌ରେ ପ୍ରଶିକ୍ଷଣ ନେବା ପରେ ବାପିନା 2017ରୁ ରାଜ୍ୟ ଦୃଷ୍ଟିହୀନ ଫୁଟ୍‌ବଲ୍‌ ଟିମ୍‌ର ଅଧିନାୟକ ରହିଛନ୍ତି । ବିଗତ ତିନି ବର୍ଷ ଧରି ବାପିନାଙ୍କ ନେତୃତ୍ବରେ ଦଳ ଏକାଧିକ ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛି । କୋଚି, ବେଙ୍ଗାଲୁରୁ ଏବଂ କୋଲକାତାରେ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ କୋଲକାତାରେ ଅନୁଷ୍ଠିତୁ ଟୁର୍ଣ୍ଣାମେଣ୍ଟରେ ଦଳ ସେମିଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନ ଆଧାରରେ ବାପିନା ଏବଂ ସମରା ନନ୍ଦିବାଲିଙ୍କୁ ଜାତୀୟ ଦୃଷ୍ଟିହୀନ ଟିମ୍‌ରେ ସ୍ଥାନ ମିଳିଛି । ତେବେ ଏହି କ୍ରୀଡା ନିମନ୍ତେ ସରକାରୀ ପ୍ରୋତ୍ସାହନର ଅଭାବକୁ ନେଇ ବାପିନା କ୍ଷୋଭ ପ୍ରକାଶ କରିଛନ୍ତି । ଏନ୍‌ଏବି ଓଡିଶାର ସମ୍ପାଦକ‌ ଅଜୟ କୁମାର ସାମଲ ଏବଂ କୋଚ୍‌ ତ୍ରିଲୋଚନ ବେଉରା ନିଜ ହାତରୁ ଖର୍ଚ୍ଚ କରି ଏବଂ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଟିମ୍‌ ପରିଚାଳନା କରୁଥିବା ବେଳେ ଆଗାମୀ ଦିନରେ ସରକାରୀ ପ୍ରୋତ୍ସାହନର ଦାବି କରିଛନ୍ତି ବାପିନା ।

Related posts