Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

ଚାଷୀର ପୁଅ ନ୍ୟୁୟର୍କ ୟୁନିଭର୍ସିଟିରେ ପଢିବେ, ମିଳିବ ଶହେ ପ୍ରତିଶତ ମେଧାବୃତ୍ତି

ଲକ୍ଷ୍ନୌ, ନିଷ୍ଠା ଓ ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିର ଜଣେ ନାମମାତ୍ର ଚାଷୀର ପୁଅ ଅନୁରାଗ ତିୱାରି। ସେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୯୮.୨% ନମ୍ବର ରଖିବା ସହ ୧୦୦% ବୃତ୍ତି ହାସଲ କରି ନ୍ୟୁୟର୍କସ୍ଥିତ କର୍ଣ୍ଣୱେଲ୍ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ସିଟ୍‌ ପାଇଛନ୍ତି।

ସେପ୍ଟେମ୍ବର ପହିଲା ଠାରୁ ଅନୁରାଗ କର୍ଣ୍ଣୱେଲ୍ ଅନ୍‌ଲାଇନ୍ କ୍ଲାସ୍‌ରେ ଯୋଗ ଦେବେ। ସମ୍ପ୍ରତି କରୋନାଭାଇରସ୍ ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ଅଧିକାଂଶ ବିଶ୍ବବିଦ୍ୟାଳୟ ଭର୍ଚ୍ୟୁଆଲ୍ କ୍ଲାସ୍ କରୁଛନ୍ତି। ‘ହ୍ୟୁମାନିଟିଜ୍‌’ର ଛାତ୍ର ଅନୁରାଗ ଅର୍ଥନୀତି ଏବଂ ଇତିହାସରେ ୧୦୦%, ରାଜନୀତି ବିଜ୍ଞାନ ଓ ଇଂରାଜୀରେ ୯୭% ହାସଲ କରିଛନ୍ତି। ସବୁଠୁ କମ୍ ୯୫% ରଖିଛନ୍ତି ଗଣିତରେ। କର୍ଣ୍ଣୱେଲ୍‌ରେ ଅନୁରାଗ ଅର୍ଥନୀତି ଅଧ୍ୟୟନ କରିବେ।

କୃଷକ କମଳପତି ତିୱାରି ଓ ଗୃହିଣୀ ସଙ୍ଗୀତାଙ୍କ ପୁଅ ଅନୁରାଗ ତାଙ୍କ ଗାଁ ସରାସନରେ ୫ମ ଶ୍ରେଣୀ ଯାଏଁ ପଢିଥିଲେ। ୨୦୧୩ରେ ଷଷ୍ଠ ଶ୍ରେଣୀରେ ‘ବିଦ୍ୟାଜ୍ଞାନ’ରେ ନାମ ଲେଖାଇବା ଲାଗି ସେ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଥିଲେ। ଏହି ପ୍ରତିଷ୍ଠାନ ଆର୍ଥିକ ଅନଗ୍ରସର ଗ୍ରାମୀଣ ମେଧାବୀ ପିଲାଙ୍କ ଉତ୍ଥାନ ପାଇଁ ଉଦ୍ୟମ କରିଥାଏ। ସେଥିରେ ଅନୁରାଗଙ୍କର ଜୀବନ ବଦଳି ଯାଇଥିଲା।

ଏକାଦଶ ଶ୍ରେଣୀରେ ଥିବା ବେଳେ ସେ ଏସ୍‌ଏଟି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ୧୬୦୦ ନମ୍ବରରୁ ୧୩୭୦ ନମ୍ବର ହାସଲ କରିଥିଲେ। ‘ଆର୍ଲି ଡିସିସନ୍ ଆପ୍ଲିକାଣ୍ଟ୍’ ଭାବେ ଅନୁରାଗ କର୍ଣ୍ଣୱେଲ୍‌କୁ ଆବେଦନ କରିଥିଲେ ଓ ଗତବର୍ଷ ଡିସେମ୍ବର ମାସରେ କଲ୍ ପାଇଥିଲେ।

ସଫଳତା ହାସଲ କରି ନିଜ ଗାଁରେ ପହଞ୍ଚିଥିବା ପରର ଅନୁଭୂତି ବଖାଣି ଅନୁରାଗ କହନ୍ତି, ଗାଁରେ ପହଞ୍ଚିବା ପରେ ତାଙ୍କୁ ସମସ୍ତେ ସମ୍ମାନଜନକ ଦୃଷ୍ଟିରେ ଦେଖିଲେ। ପୂର୍ବରୁ ତାଙ୍କୁ ଚିହ୍ନି ନ ଥିବା ଲୋକେ ଘରକୁ ଆସି ତାଙ୍କ ସହ କଥାବାର୍ତ୍ତା କଲେ। ଯାହାକି ତାଙ୍କୁ ଖୁସି ଦେଇଥିଲା।