Categories
ଅପରାଧ ଆଜିର ଖବର ଜାତୀୟ ଖବର

ସାଂସଦ ସଞ୍ଜୟ ସିଂଙ୍କୁ ଝଟକା: ଅକ୍ଟୋବର ୨୭ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ କୋର୍ଟ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ହେପାଜତ ଶୁଣାଣି ସମୟରେ ସିଂ ଜଣେ ମଧୁମେହ ରୋଗୀ ହୋଇଥିବାରୁ ଔଷଧ ପାଇଁ ପୃଥକ ଆବେଦନ କରାଯାଇଥିଲା।

ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ସିଂଙ୍କ ଇଡି ହେପାଜତକୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେପାଜତର ଅବଧି ଶେଷ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କୁ ବଡ ଆଶ୍ଵସ୍ତି: ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଆଜି ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କୁ ସୁପ୍ରିମକୋର୍ଟ ଦୁଇମାସ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି କୋର୍ଟ ମଲିକଙ୍କୁ ଏହି ଜାମିନ ଦେଇଛନ୍ତି।

ସୂଚନା ଅନୁଯାୟୀ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ନବାବ ମଲିକଙ୍କୁ ଜାମିନ ପ୍ରଦାନକୁ ଇଡି ବିରୋଧ କରି ନାହିଁ। ଅର୍ଥ ହେରଫେର ମାମଲାରେ ମଲିକ ଫେବୃଆରୀ ୨୦୨୨ ରୁ ଜେଲରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ଝଟକା: ଖାରଜ ହେଲା ଜାମିନ ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ଆଉ ଏକ ଝଟକା ଲାଗିଛି। ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟରୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ, ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଏହା ଉପରେ ଅଦାଲତ କହିଛନ୍ତି ଯେ, ମନୀଷ ସିସୋଦିଆ ଯେଉଁ ପଦବୀରେ ଅଛନ୍ତି, ସେ ସାକ୍ଷୀ ତଥା ପ୍ରମାଣ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଅବକାରୀ ନୀତି ଦୁର୍ନୀତିରେ ସମ୍ପୃକ୍ତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ୬ ସପ୍ତାହ ଅନ୍ତରୀଣ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ଘୋଷଣା କରିଛନ୍ତି।

ଅନ୍ତରୀଣ ଜାମିନ ଆବେଦନ ଉପରେ ଜଷ୍ଟିସ ଦୀନେଶ କୁମାର ଶର୍ମା କହିଛନ୍ତି। ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତାଙ୍କ ଅସୁସ୍ଥ ପତ୍ନୀଙ୍କର ଏକମାତ୍ର ତତ୍ତ୍ୱାବଧାରକ ଆଧାରରେ ଅନ୍ତରୀଣ ଜାମିନ ମାଗିଥିଲେ। ଏହି ମାମଲାରେ ନିୟମିତ ଜାମିନ ପାଇଁ ସିସୋଦିଆଙ୍କ ଏକ ଆବେଦନ ହାଇକୋର୍ଟରେ ବିଚାରାଧୀନ ଅଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

“ରାହୁଲ ଗାନ୍ଧୀଙ୍କ ବିରୋଧରେ ବ୍ରିଟେନରେ ମକଦ୍ଦମା ଦାୟର କରିବି”: ଲଲିତ ମୋଦୀଙ୍କ ଘୋଷଣା

ନୂଆଦିଲ୍ଲୀ: ପୂର୍ବତନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମୁଖ୍ୟ ଲଲିତ ମୋଦୀ ଘୋଷଣା କରିଛନ୍ତି ଯେ, ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ତାଙ୍କୁ ନାମିତ କରାଯାଇଥିବା ମନ୍ତବ୍ୟ ପାଇଁ ସେ ବ୍ରିଟେନ କୋର୍ଟରେ ମକଦ୍ଦମା ଦାୟର କରିବେ। ଆଇପିଏଲରେ ଆର୍ଥିକ ଅନିୟମିତତା ଅଭିଯୋଗ ପରେ ୨୦୧୦ ମସିହାରୁ ଲଣ୍ଡନରେ ଅବସ୍ଥାପିତ ଲଲିତ ମୋଦୀ ଆଜି ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି ଯେ, ମୁଁ ତାଙ୍କୁ (ରାହୁଲ ଗାନ୍ଧୀ) ମୂର୍ଖ ବୋଲି ପ୍ରମାଣ କରିବାକୁ ଚାହୁଁଛି। ”

ଲଲିତ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଘୋଷଣା କରିବାର କିଛି ଦିନ ପୂର୍ବରୁ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ‘ମୋଦୀ ଉପନାମ’ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ମାନହାନୀ ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ବାସ୍ତବରେ ୨୦୧୯ ମସିହାରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ଲଲିତ ମୋଦୀ ଏବଂ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଯୋଡିଥିଲେ, “ସମସ୍ତ ଚୋରମାନଙ୍କ ଉପନାମ କିପରି ମୋଦୀ ହୋଇପାରିବ…?” ମନ୍ତବ୍ୟ ଦେଇଥିଲେ। କୋର୍ଟରେ ଏହି ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସାଂସଦ ଭାବେ ଅଯୋଗ୍ୟ କରାଯାଇଥିଲା।

ରାହୁଲ ଗାନ୍ଧୀ ତାଙ୍କୁ ‘ନ୍ୟାୟରୁ ପଳାତକ’ ବୋଲି କହି ଲଲିତ ମୋଦୀ ଏହି ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଯେ ସେ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇନାହାଁନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ସେ ‘ଦୁନିଆର ସବୁଠୁ ବଡ କ୍ରୀଡା ଇଭେଣ୍ଟ’ ସୃଷ୍ଟି କରିଛନ୍ତି, ଯାହା ପ୍ରାୟ ୧୦୦ ବିଲିୟନ ଆମେରିକୀୟ ଡଲାର ରୋଜଗାର କରିଛି ଏବଂ ଲଲିତ ମୋଦୀଙ୍କ ପରିବାର ଗାନ୍ଧୀ ପରିବାର ଅପେକ୍ଷା ଭାରତ ପାଇଁ ଅଧିକ କିଛି କରିଛନ୍ତି। ତାଙ୍କ ଅଭିଯୋଗ ପ୍ରମାଣ କରିବାକୁ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି ଯେ, ତାଙ୍କୁ କୋର୍ଟରେ ନିଜକୁ ସମ୍ପୂର୍ଣ୍ଣ ମୂର୍ଖ ପ୍ରମାଣ କରିବାକୁ ସେ ଅପେକ୍ଷା କରିଛନ୍ତି।

ପୂର୍ବତନ ଆଇପିଏଲ୍ ମୁଖ୍ୟ ମଧ୍ୟ କଂଗ୍ରେସର ଅନେକ ନେତାଙ୍କୁ ବିଦେଶରେ ସମ୍ପତ୍ତି ଥିବା ଅଭିଯୋଗ କରିଛନ୍ତି ଏବଂ ସେ ସେମାନଙ୍କ ସମ୍ପତ୍ତିର ଠିକଣା ଏବଂ ଚିତ୍ର ପ୍ରଦାନ କରିପାରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଭାରତରେ କଠୋର ମାନହାନୀ ଆଇନ ପ୍ରଣୟନ ହେବା ମାତ୍ରେ ସେ ଭାରତକୁ ଫେରିବେ।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ଲଲିତ ମୋଦିଙ୍କ ଟ୍ୱିଟ କିମ୍ବା ଆଇନଗତ ଧମକକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ତାଙ୍କ ଦଳ ଦାବି କରିଛି ଯେ, ତାଙ୍କୁ ଦିଆଯାଇଥିବା ଦଣ୍ଡ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ରାହୁଲ ଏହା ବିରୋଧରେ ଏକ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସତ୍ୟେନ୍ଦ୍ର ଜୈନଙ୍କୁ ବଡ ଝଟକା, ଅର୍ଥ ହେରଫେର ମାମଲାରେ ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ କୋର୍ଟରୁ ଏକ ବଡ଼ ଧରଣର ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଆଜି ଅର୍ଥ ହେରଫେର ମାମଲାରେ ଜୈନ ଏବଂ ଅନ୍ୟ ଦୁଇଜଣଙ୍କ ଜାମିନ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ତାଙ୍କ ସହ ବୈଭବ ଏବଂ ଅଙ୍କୁଷ ଜୈନ ମଧ୍ୟ ଅଭିଯୁକ୍ତ ଅଛନ୍ତି। ସେମାନଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରାଯାଇଛି।

ମନି ଲଣ୍ଡରିଂ ଆକ୍ଟ ଅଧିନିୟମ ଅନୁଯାୟୀ ଜେନଙ୍କୁ ମେ ୩୦ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଜାମିନ ନ ପାଇ ସତ୍ୟେନ୍ଦ୍ର ଜେନାଙ୍କ ଅସୁବିଧା ବଢିବାରେ ଲାଗିଛି। ଜୈନ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି ଏବଂ ତାଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି। ଆଜି ଅପରାହ୍ନ ୨ ଟାରେ କୋର୍ଟ ଏହି ରାୟ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅର୍ଥ ହେରଫେର ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେଲେ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ପତ୍ରା ଚାଲ୍ ସ୍କାମ ଅଭିଯୋଗର ସମ୍ମୁଖୀନ ହେଉଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ଜେରା ପାଇଁ ଇଡି ଡକାଇଥିଲା। ଇଡି ଅଧିକାରୀମାନେ ଆଜି ବର୍ଷା ରାଉତଙ୍କୁ ଜେରା କରିବେ। ଏହା ମଧ୍ୟ କୁହାଯାଉଛି ଯେ ସଞ୍ଜୟ ରାଉତ ଏବଂ ତାଙ୍କ ପତ୍ନୀଙ୍କୁ ଇଡି ମୁହାଁମୁହିଁ ଜେରା କରିପାରେ।

କିଛି ଦିନ ପୂର୍ବରୁ ପତ୍ରା ଚାଲ୍ ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବା ପରେସଞ୍ଜୟ ରାଉତଙ୍କୁ ହେପାଜତକୁ ନେଇଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

ବାସ୍ତବରେ, ରାଉତ ଏବଂ ତାଙ୍କ ପରିବାରକୁ ୧.୦୬ କୋଟି ଟଙ୍କା ଲାଭ ହୋଇଥିଲା ବୋଲି ଏଜେନ୍ସି ଦାବି କରିଛି। ସେପଟେ ଶିବସେନା ସାଂସଦ ଦାବି କରିଛନ୍ତି ଯେ ତାଙ୍କୁ ଏକ ରାଜନୈତିକ ପ୍ରତିଶୋଧ ଅନୁଯାୟୀ ଫସା ଯାଇଛି।

Categories
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଲା ପୋଲିସ: ଇଡି ବିରୋଧରେ କରୁଥିଲେ ଧାରଣା

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଇଡି ଆଜି ଦ୍ୱିତୀୟ ଥର ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଜେରା କରୁଛି। ସୋନିଆ ଗାନ୍ଧୀଙ୍କ ଏହି ଜେରା ଯୋଗୁଁ କଂଗ୍ରେସରେ କ୍ରୋଧ ଦେଖାଯାଉଛି। ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ କର୍ମୀମାନେ ରାସ୍ତାକୁ ଓହ୍ଲାଇ ଏହାକୁ ବିରୋଧ କରୁଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ମଧ୍ୟ ଦିଲ୍ଲୀର ବିଜୟ ଚୌକରେ ବିରୋଧ କରୁଥିବା କଂଗ୍ରେସ କର୍ମୀମାନଙ୍କ ସହ ଯୋଗ ଦେଇଛନ୍ତି। ଯାହାଫଳରେ ପୋଲିସ ତାଙ୍କୁ ବର୍ତ୍ତମାନ ଅଟକ ରଖିଛି। ରାହୁଲ ଗାନ୍ଧୀଙ୍କୁ କିଙ୍ଗସୱେ କ୍ୟାମ୍ପକୁ ନିଆଯାଇଛି।

ପ୍ରକୃତରେ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ଏକ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ବିଜୟ ଚୌକ ଯିବାକୁ ଦିଆଯାଇନଥିଲା। ଏହା ପରେ ରାହୁଲ ନିଜେ ବିଜୟ ଚୌକ ଠାରେ ଧାରଣାରେ ବସିଥିଲେ। ଏସବୁ ପରେ ରାହୁଲ ଗାନ୍ଧୀଙ୍କୁ ଗିରଫ କରାଯାଇଥିଲା। ଏଥି ସହ ଦଳର ବଡ ନେତାମାନେ ସଂସଦ କମ୍ପ୍ଲେକ୍ସରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ସମୟରେ ଅନେକ କଂଗ୍ରେସ ସାଂସଦଙ୍କୁ ଅଟକ ରଖାଯାଇଥିଲା।

ଗିରଫ ହେବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି କଂଗ୍ରେସ ସାଂସଦମାନେ ବିଜୟ ଚୌକକୁ ଆସିଛନ୍ତି। ବେରୋଜଗାରୀ, ମୁଦ୍ରାସ୍ଫୀତି ସହ ଅନ୍ୟାନ୍ୟ ପ୍ରସଙ୍ଗରେ ସେ ଆଲୋଚନା କରିବାକୁ ଚାହୁଁଥିଲେ, କିନ୍ତୁ ପୋଲିସ ତାଙ୍କୁ ଏଠାରେ ବସିବାକୁ ଅନୁମତି ଦେଉନାହିଁ। ଅନ୍ୟପକ୍ଷରେ ସଂସଦ ଭିତରେ ଆଲୋଚନା ପାଇଁ ଅନୁମତି ନାହିଁ ଏବଂ ଏଠାରେ ପୋଲିସ ଆମକୁ ଗିରଫ କରୁଛି।

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଆମେ ପୋଲିସର ନିର୍ଦ୍ଦେଶ ବିରୋଧରେ ଧାରଣା କରୁଛୁ। ବିରୋଧୀଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ଏବଂ ଆମ ସ୍ୱରକୁ ଦମନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କ ଷଡଯନ୍ତ୍ର। ଆମେ ଭୟ କରିବୁ ନାହିଁ, ଆମର ସଂଗ୍ରାମ ଜାରି ରହିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରୁ ବଡ଼ ଝଟକା: ଅର୍ଥ ହେରଫେର ମାମଲାରେ ମିଳିଲାନି ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ଆପ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରେ ଏକ ବଡ଼ ଧରଣର ଝଟକା ମିଳିଛି। ବାସ୍ତବରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିନାହିଁ। ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ସତ୍ୟନ୍ଦ୍ର ଜୈନ ଏବଂ ତାଙ୍କ ସହଯୋଗୀଙ୍କ ଅନେକ ସ୍ଥାନରେ ଚଢାଉ କରିଥିଲା। ଯାହା ପରେ ସେମାନଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି।

ମନି ଲଣ୍ଡରିଂ ମାମଲାରେ ସତ୍ୟନ୍ଦ୍ର ଜୈନ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଦିଲ୍ଲୀର ସରକାରୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ତାଙ୍କ ସହଯୋଗୀଙ୍କ ଚଢାଉରେ କୋଟି କୋଟି ଟଙ୍କାର ନଗଦ ଟଙ୍କା ଏବଂ ଅଳଙ୍କାର ଉଦ୍ଧାର କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ଏନଫୋର୍ସମେଣ୍ଟ ଦାବି କରିଛି ଯେ ଚଢାଉରେ ପ୍ରକାଶ ଜୁଏଲର୍ଙ୍କ ସହ ୨.୨୩ କୋଟି ନଗଦ ଟଙ୍କା ମିଳିଥିବା ବେଳେ ଅନ୍ୟ ସହଯୋଗୀ ବୈଭବ ଜୈନଙ୍କ ସହ ୪୧.୫ ଲକ୍ଷ ନଗଦ ଟଙ୍କା ଏବଂ ୧୩୩ ଟି ସୁନା ମୁଦ୍ରା ମିଳିଛି। ଜିଏସ୍ ମଥାରୁଙ୍କ ଏଠାରୁ ୨୦ ଲକ୍ଷ ଟଙ୍କା ନଗଦ ମିଳିଥିଲା।

ଇଡି ଅନୁଯାୟୀ ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ରେକର୍ଡ ଜବତ କରାଯାଇଛି। ଏଥିସହ ମୋଟ ୨.୮୫ କୋଟି ଟଙ୍କା ଏବଂ ୧୩୩ ଟି ସୁନା ମୁଦ୍ରା ମିଳିଛି, ଯାହାର ଓଜନ ପ୍ରାୟ ୧.୮୦ କିଲୋଗ୍ରାମ, ଯାହା ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଗିରଫ ହେବେ ପାକିସ୍ଥାନ ପ୍ରଧାନମନ୍ତ୍ରୀ: ଅର୍ଥ ହେରଫେର ମାମଲାରେ ଏଫଆଇଆର ରୁଜ୍ଜୁ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ହାମଜା ଶାହାବାଜ ଗିରଫ ହୋଇପାରନ୍ତି। ଅର୍ଥ ହେରଫେର ମାମଲାରେ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (FAI) ଏଫ୍ଆଇଆର୍ ଦାଖଲ କରିଛି। ବର୍ତ୍ତମାନ ୧୪ ବିଲିୟନ ମନି ଲଣ୍ଡରିଂ ମାମଲାରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯାଇପାରେ। ଅଧିକ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ତାଙ୍କ ପୁଅ ହାମଜା ଶାହାବାଜଙ୍କୁ ଗିରଫ କରିବାକୁ FIA କୋର୍ଟକୁ ଅନୁରୋଧ କରିଛି। ତେବେ କୋର୍ଟ ତାଙ୍କ ଅଗ୍ରୀମ ଜାମିନକୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।