Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦୁଇ ଚକିଆ ଯାନ ବଜାରରେ ୪ଜି ସ୍ମାର୍ଟ ଆଣ୍ଡ୍ରଏଡ୍ କ୍ଲଷ୍ଟର ଓ ୪ଜି ସ୍ମାର୍ଟ ମଡ୍ୟୁଲର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି ମିଡିଆଟେକ୍ ଏବଂ ଜିଓଥିଙ୍ଗସ୍ ଲିମିଟେଡ୍ ଦୁଇ ଚକିଆ ଯାନ ବଜାର ପାଇଁ ‘ମେଡ୍ ଇନ୍ ଇଣ୍ଡିଆ’ ସ୍ମାର୍ଟ ଡିଜିଟାଲ୍ କ୍ଲଷ୍ଟର୍ ଏବଂ ସ୍ମାର୍ଟ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି। ବିଶେଷ କରି ଇଲେକ୍ଟ୍ରିକ୍ ଯାନ (ଇଭି) ବର୍ଗରେ ଏହା ଦୁଇ ଚକିଆ ଯାନ ବଜାରରେ ବିପ୍ଳବ ସୃଷ୍ଟି କରିପାରିବା ସମ୍ଭାବନା ରଖିଛି। ଜିଓ ଥିଙ୍ଗସ୍ ଲିମିଟେଡ୍ ହେଉଛି ଜିଓ ପ୍ଲାଟଫର୍ମସ୍ ଲିମିଟେଡର ଏକ ସହାୟକ ସଂସ୍ଥା ଯାହା ଏଣ୍ଡ-ଟୁ-ଏଣ୍ଡ ଇଣ୍ଟରନେଟ ଅଫ୍ ଥିଙ୍ଗ୍ସ (ଆଇଓଟି) ସମାଧାନ ପ୍ରଦାନ କରୁଛି।

ଜିଓ ପ୍ଲାଟଫର୍ମସ ଲିମିଟେଡର ସଭାପତି କିରଣ ଥୋମାସ ଏହି ସହଭାଗିତା ସମ୍ପର୍କରେ କହିଛନ୍ତି ଯେ, “ଗମନାଗମନ ଶିଳ୍ପରେ ବୈପ୍ଳବିକ ପରିବବର୍ତ୍ତନ ଆଣିବା ପାଇଁ ଜିଓଥିଙ୍ଗସ ପକ୍ଷରୁ ମିଡିଆଟେକ୍ ସହ ସହଯୋଗିତା ସ୍ଥାପନ କରି ଆମେ ବେଶ ଆନନ୍ଦିତ। ଆମେ ଆମର ଅତ୍ୟାଧୁନିକ ଡିଜିଟାଲ ସମାଧାନ ସହିତ ମିଡିଆଟେକର ଉନ୍ନତ ଚିପସେଟକୁ ସମନ୍ୱିତ କରି ନୂତନ ମାନଦଣ୍ଡ ସ୍ଥାପିତ କରିବୁ, ଯାହା ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣି ଭବିଷ୍ୟତକୁ ବଦଳାଇଦେବ।”

ଗ୍ରାହକମାନେ ‘ଜିଓ ଅଟୋମୋଟିଭ ଆପ୍ ସୁଇଟ’ରେ ଜିଓ ଭଏସ୍ଆ ସିଷ୍ଟାଣ୍ଟ, ଜିଓସାୱନ୍‌, ଜିଓପେଜ, ଜିଓଏକ୍ସପ୍ଲୋଆର୍ ଭଳି ଅନେକ ଅନନ୍ୟ ସେବା ଏକତ୍ର ପାଇପାରିବେ। ଜିଓଥିଙ୍ଗସର ସ୍ମାର୍ଟ ଡିଜିଟାଲ କ୍ଲଷ୍ଟର ଅଭନି ଓଏସ୍ ଉପରେ ଆଧାରିତ। ସ୍ମାର୍ଟ ଡିଜିଟାଲ କ୍ଲଷ୍ଟର ଏବଂ ଅପରେଟିଂ ସିଷ୍ଟମ ବାସ୍ତବ ସମୟ ଡାଟାର ଅନୁଶୀଳନ କରିଥାଏ। ଗାଡି ଉପରେ ଉତ୍ତମ ନିୟନ୍ତ୍ରଣ ପାଇଁ ଏଥିରେ ଏକ ଉତ୍ତମ ଇଣ୍ଟରଫେସ୍ ସହିତ ସହଜ ନିୟନ୍ତ୍ରଣ ପାଇଁ ସ୍ୱର ଚିହ୍ନଟ ଲାଗି ସୁବିଧା ରହିଛି।

ମିଡିଆଟେକର ଇଣ୍ଟେଲିଜେଣ୍ଟ ଡିଭାଇସ୍ ବିଜନେସ୍ ଗ୍ରୁପର କର୍ପୋରେଟ୍ ବରିଷ୍ଠ ଉପାଧ୍ୟକ୍ଷ ତଥା ମହାପ୍ରବନ୍ଧକ ଜେରି ୟୁ କହିଛନ୍ତି ଯେ, ‘ମିଡିଆଟେକ୍ ଦ୍ୱାରା ପରିଚାଳିତ ଦୁଇ ଚକିଆ ସ୍ମାର୍ଟ ଡିଜିଟାଲ କ୍ଲଷ୍ଟରରେ ଜିଓଥିଙ୍ଗସ ସହ ସହଯୋଗିତା ଉଭୟ ଆଇଓଟି ଏବଂ ଅଟୋମୋଟିଭ କ୍ଷେତ୍ରରେ ନବସୃଜନ ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି । ଏହି କ୍ଲଷ୍ଟର ଦୁଇ ଚକିଆ ସ୍ମାର୍ଟ ଡ୍ୟାସବୋର୍ଡର ଭବିଷ୍ୟତ ପାଇଁ ଆମର ରହିଥିବା ଦୃଷ୍ଟିକୋଣ ସହିତ ସମାନ । ”

ଅତ୍ୟାଧୁନିକ ଚିପସେଟ ତିଆରି କରିବାରେ ମିଡିଆଟେକର ଦକ୍ଷତା ଏବଂ ଜିଓର ଉତ୍ପାଦ ନବସୃଜନ ଇତିହାସ ଏହି ସମାଧାନକୁ କେବଳ ଭାରତରେ ନୁହେଁ ବରଂ ବିଶ୍ୱ ବଜାରରେ ମଧ୍ୟ ଏକ ଟର୍ଣ୍ଣକି ଆଧାର ଭାବରେ ପ୍ରସ୍ତୁତ କରିବ। ୨୦୨୫ ଶେଷ ସୁଦ୍ଧା ଭାରତୀୟ ଦୁଇ ଚକିଆ ଇଭି ବଜାର ୧୦,୦୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଯେଉଁଥିରେ ରାସ୍ତାରେ ୩୦ ଲକ୍ଷରୁ ଅଧିକ ଯାନବାହନ ଚଳାଚଳ କରିବ । ଜିଓଥିଙ୍ଗସ ଏବଂ ମିଡିଆଟେକ ମଧ୍ୟରେ ଏହି ସହଯୋଗିତା ଗାଡ଼ି ଶିଳ୍ପରେ ଇଲେକ୍ଟ୍ରିକ ଯାନର ବଢୁଥିବା ଚାହିଦାକୁ ପୂରଣ କରିବ।

Categories
ବିଶେଷ ଖବର

ପ୍ରଥମେ ଭଣ୍ଡାର ଖୋଜିଲେ, ଏବେ ଖନନ କରାଯିବ…ଶକ୍ତିଶାଳୀ ଭାରତର ଆଉ ଏକ ମୂଳଦୁଆ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନର ପ୍ରଚଳନ ହେଉ କିମ୍ବା ପେଟ୍ରୋଲ ଓ ଡିଜେଲରେ ଇଥାନଲର ଅପମିଶ୍ରଣ ହେଉ, ପବନ ଶକ୍ତି ହେଉ କିମ୍ବା ସୌର ଶକ୍ତି; କାର୍ବନ ନିର୍ଗମନକୁ ହ୍ରାସ କରିବା ପାଇଁ ଭାରତ ଦ୍ରୁତ ଗତିରେ ବିକଳ୍ପ ଶକ୍ତି ଉତ୍ସ ଆଡ଼କୁ ଅଗ୍ରସର ହେଉଛି। ଇତିମଧ୍ୟରେ ବିଶ୍ୱରେ ଭବିଷ୍ୟତର ଟେକ୍ନୋଲୋଜିର ଭିତ୍ତିଭୂମି ମଧ୍ୟ ଦ୍ରୁତ ଗତିରେ ବଦଳୁଥିବା ଜଣାପଡିଛି। ଏବେ ପୃଥିବୀଗର୍ଭରେ ଲୁଚି ରହିଥିବା ଲିଥିୟମ, ଟାଇଟାନିୟମ ଭଳି ବିରଳ ଉପାଦାନ (ଆରଆରଇ) ବୈଷୟିକ ଉପକରଣର ଆଧାର ପାଲଟିଛି। ଯାନ ବ୍ୟାଟେରୀ ହେଉ କି ମୋବାଇଲ, ଲିଥିୟମ ହେଉଛି ସେମାନଙ୍କର ମୌଳିକ ଶକ୍ତି ଉତ୍ସ। ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନ ଦେଖୁଛନ୍ତି, ତେଣୁ ଭବିଷ୍ୟତର ଦାବିଗୁଡ଼ିକୁ ଚିହ୍ନଟ କରି ପୂରଣ କରିବାରେ ବ୍ୟସ୍ତ ଥିବା ଜଣାପଡ଼ିଛି। ଦେଶରେ ପ୍ରଥମ ଥର ପାଇଁ ‘ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥ’ର ଅନଲାଇନ୍ ନିଲାମ ଘୋଷଣା ଏହି ଦିଗରେ ମୋଦୀ ସରକାରଙ୍କ ଏକ ଅତ୍ୟନ୍ତ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ।

୨୪ଟି ଗୁରୁତ୍ବପୂର୍ଣ୍ଣ ଓ ରଣନୈତିକ ଖଣିଜ ପଦାର୍ଥ ଚିହ୍ନଟ

ଅଗଷ୍ଟ ୧୭ ତାରିଖରେ ଭାରତ ସରକାର ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନରେ ସଂଶୋଧନ କରିଥିଲେ, ଯାହା ଏମଏମଡିଆର ଆଇନ ନାମରେ ଜଣାଶୁଣା। ଭବିଷ୍ୟତର ଯୋଗାଣ ଶୃଙ୍ଖଳାକୁ ଭାରତ ସପକ୍ଷରେ ଝୁଲାଇବା ଦିଗରେ ଅନେକ ବଡ଼ ପଦକ୍ଷେପ ମଧ୍ୟରେ ଏହି ସଂଶୋଧନ ପ୍ରଥମ। ଏହି ସଂଶୋଧନ ଜରିଆରେ ସରକାର ୨୪ଟି ଖଣିଜ ପଦାର୍ଥକୁ ‘ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ’ଭାବେ ବିଜ୍ଞପ୍ତି ଦେଇଥିଲେ। ଏହି ସଂଶୋଧନରେ କେନ୍ଦ୍ର ସରକାରଙ୍କୁ ଏହି ଖଣିଜ ପଦାର୍ଥଗୁଡ଼ିକୁ ଖଣିଜ ରିହାତି ପ୍ରଦାନ କରିବାର କ୍ଷମତା ଦିଆଯାଇଛି ଯାହାଦ୍ୱାରା କେନ୍ଦ୍ର ସରକାର ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଖଣିଜ ପଦାର୍ଥର ନିଲାମକୁ ପ୍ରାଥମିକତା ଦେଇପାରିବେ।

କାହିଁକି ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ହେଉଛି ଏହି ଖଣିଜ ପଦାର୍ଥ

ଏବେ ଖଣି ମନ୍ତ୍ରାଳୟ ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥର ପ୍ରଥମ କିସ୍ତି ନିଲାମ ଆରମ୍ଭ କରିଛି। କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଥମ ଥର ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ନିଲାମ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ଥିବା ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ଖଣିଜ ପଦାର୍ଥର ୨୦ଟି ବ୍ଲକକୁ ନିଲାମ କରାଯାଉଛି। ଏହା ଏକ ଐତିହାସିକ ପଦକ୍ଷେପ ଯାହା କେବଳ ଆମ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଜାତୀୟ ନିରାପତ୍ତାକୁ ମଧ୍ୟ ବଢ଼ାଇବ। ଏହା ସହିତ ସ୍ୱଚ୍ଛ ଶକ୍ତିର ଭବିଷ୍ୟତରେ ଏହା ଆମର ପଦକ୍ଷେପକୁ ସୁଦୃଢ଼ କରିବ।

ଦେଶର ଅର୍ଥନୈତିକ ବିକାଶ ଏବଂ ଜାତୀୟ ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଅତ୍ୟାବଶ୍ୟକ।

ଏହି ଖଣିଜ ପଦାର୍ଥର ଉପଲବ୍ଧତା ଅଭାବ କିମ୍ବା କେତେକ ଦେଶର ଆଧିପତ୍ୟ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିପାରେ।

ଭବିଷ୍ୟତର ଜ୍ଞାନକୌଶଳ ଯାହା ବିଶ୍ୱ ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ତାହା ଆରଆରଇ ପରି ନିର୍ଦ୍ଦିଷ୍ଟ ଏବଂ ଖଣିଜ ପଦାର୍ଥ ଉପରେ ନିର୍ଭର କରିବ।

୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଉତ୍ସରୁ ସଞ୍ଚିତ ବିଦ୍ୟୁତ ଉତ୍ପାଦନ କ୍ଷମତାର ୫୦% ହାସଲ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ।

ଏଥିପାଇଁ ଇଲେକ୍ଟ୍ରିକ୍ କାର୍, ପବନ ଓ ସୌରଶକ୍ତି ପ୍ରକଳ୍ପ ଏବଂ ବ୍ୟାଟେରୀ ଷ୍ଟୋରେଜ୍ ସିଷ୍ଟମର ଚାହିଦା ବଢ଼ିବାକୁ ଯାଉଛି।

ଏହିସବୁ ଜିନିଷକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥର ଚାହିଦା ମଧ୍ୟ ବୃଦ୍ଧି ପାଇବ।

ମୋଦି ସରକାରଙ୍କ ଏହି ନିଷ୍ପତି କାହିଁକି ଦୂରଦର୍ଶୀ

ଦେଶରେ ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥର ଚାହିଦା ବହୁତ ଅଧିକ ଏବଂ ଏହା ସାଧାରଣତଃ ଆମଦାନୀ ମାଧ୍ୟମରେ ପୂରଣ ହୋଇଥାଏ। ଅକ୍ଷୟ ଶକ୍ତି, ପ୍ରତିରକ୍ଷା, କୃଷି, ଔଷଧ, ହାଇଟେକ୍ ଇଲେକ୍ଟ୍ରୋନିକ୍ସ, ଟେଲିକମ୍ୟୁନିକେସନ୍, ପରିବହନ, ଗିଗାଫ୍ୟାକ୍ଟର ନିର୍ମାଣ ଇତ୍ୟାଦି କ୍ଷେତ୍ରର ଆବଶ୍ୟକତାକୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପୂରଣ କରିଥାଏ।

ସେଥିପାଇଁ ଭାରତ ସରକାର ଦେଶ ତଥା ବିଦେଶରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଖଣି ଉପରେ ନଜର ରଖିଛନ୍ତି। ନିକଟରେ ଏକ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆର୍ଜେଣ୍ଟିନାରେ କିଛି ଲିଥିୟମ୍ ବ୍ଲକକୁ ସୁରକ୍ଷିତ କରିବା ପାଇଁ ଭାରତ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲିଥିୟମ୍ ବ୍ଲକକୁ ସୁରକ୍ଷିତ ରଖିବା ପାଇଁ ଚିଲି ସରକାରଙ୍କ ସହ ମଧ୍ୟ ଆଲୋଚନା ଚାଲିଛି।

କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଖଣିଜ ଭଣ୍ଡାର ଉପରେ ନଜର ରଖିଛନ୍ତି ମୋଦି ସରକାର

ବାସ୍ତବରେ ଲିଥିୟମର ବଢୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାର ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ ରଖିବାର ଉପାୟ ଖୋଜୁଛନ୍ତି। ଏହି କ୍ରମରେ ୨୦୧୯ ମସିହାରେ ବିଦେଶରେ ଖଣି ଖନନ ଏବଂ ସେଥିରୁ ଉତ୍ତୋଳନ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପ୍ରକ୍ରିୟାକରଣ ପାଇଁ ଖାନିଜ୍ ବିଦେଶ ଇଣ୍ଡିଆ ଲିମିଟେଡ୍ (କାବିଲ୍) ପ୍ରତିଷ୍ଠା କରାଯାଇଥିଲା। ତିନିଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ୍ (ଏଚ୍‍ସିଏଲ୍) ଏବଂ ମିନେରାଲ୍ ଏକ୍ସପ୍ଲୋରେସନ୍ କମ୍ପାନି ଲିମିଟେଡ୍‍ର ମିଳିତ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଥିଲା। ଏହି ଉଦ୍ୟୋଗ ବିଦେଶରେ ରଣନୈତିକ ଖଣିଜ ପଦାର୍ଥର ଚିହ୍ନଟ, ଅଧିଗ୍ରହଣ, ବିକାଶ ଏବଂ ପ୍ରକ୍ରିୟାକରଣର ଦାୟିତ୍ୱ ନେଇଥାଏ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନକାରୀ ଦେଶ ଭାରତ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଓ ଚିଲି ଭଳି ସମ୍ବଳ ସମୃଦ୍ଧ ଦେଶଗୁଡ଼ିକରେ ପ୍ରମୁଖ ଖଣିଜ ପଦାର୍ଥ ସୁରକ୍ଷିତ ରଖିବା ପାଇଁ ବିଦେଶୀ ଚୁକ୍ତି କରିଛି।

ନିଲାମ ପାଇଁ ପ୍ରକାଶିତ ୨୦ଟି ଖଣିଜ ଭଣ୍ଡାର ତାଲିକା

ତେବେ ୨୦ଟି ଖଣିଜ ବ୍ଲକ ମଧ୍ୟରୁ ୪ଟି ଖଣି ଲିଜ୍ ପାଇଁ ଓ ୧୬ଟି ଖଣିଜ ବ୍ଲକକୁ କମ୍ପୋଜିଟ୍ ଲାଇସେନ୍ସ ପାଇଁ ଚିହ୍ନଟ କରାଯାଇଛି। ଟେଣ୍ଡର ପାଇଁ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି। ଟେଣ୍ଡର ପୈଠ ପରେ ଇ-ନିଲାମ ପ୍ଲାଟଫର୍ମ ପ୍ରଦାନକାରୀୱେବସାଇଟରେ ଟେଣ୍ଡର ଦସ୍ତାବିଜ କିଣିବାର ଶେଷ ତାରିଖ ୧୬ ଜାନୁଆରୀ ୨୦୨୩ ଅପରାହ୍ନ ୫ଟା ପୂର୍ବରୁ ଏବଂ ନିଲାମ ଦାଖଲର ଶେଷ ତାରିଖ ୨୨ ଜାନୁଆରୀ ୨୦୨୩ ଅପରାହ୍ନ ୫ଟା ପୂର୍ବରୁ (ଭାରତୀୟ ମାନକ ସମୟ) ରହିଛି। ଟେଣ୍ଡର ଡକ୍ୟୁମେଣ୍ଟର ମୂଲ୍ୟ ୩ ଲକ୍ଷ ଟଙ୍କା ଏବଂ ଜିଏସଟି ରହିଛି। ରିଭର୍ସ ଚାର୍ଜ ବ୍ୟବସ୍ଥା ଅଧୀନରେ ଜିଏସଟି ପ୍ରଦାନ କରାଯାଏ।

ବ୍ଲକ ନାମ ଖଣିଜ ପଦାର୍ଥ ରାଜ୍ୟ

ଚୁଟିଆ- ନୌହଟ୍ଟା ଗ୍ଲୁକୋନାଇଟ୍ ବ୍ଲକ- ଗ୍ଲୁକୋନାଇଟ୍- ବିହାର

ପିପରଡିହ- ଭୁରୱା ଗ୍ଲୁକନାଇଟ୍ ବ୍ଲକ- ଗ୍ଲୁକନାଇଟ୍- ବିହାର

ଜେଞ୍ଜାନା ନିକେଲ, କ୍ରୋମିୟମ୍ ଏବଂ ପିଜିଇ ବ୍ଲକ ନିକେଲ, କ୍ରୋମିୟମ୍ ବିହାର

କୁନ୍ଦୋଲ ନିକେଲ ଏବଂ କ୍ରୋମିୟମ୍ ବ୍ଲକ୍ ନିକେଲ ଏବଂ କ୍ରୋମିୟମ୍ ଗୁଜରାଟ

ମୁସ୍କାନିଆ-ଗରିଆତୋଳା-ବରୱାରୀ ପୋଟାଶ ବ୍ଲକ ପୋଟାସ ଝାଡ଼ଖଣ୍ଡ

ଦୁଧିଆସୋଲ ପୂର୍ବ ନିକେଲ ଓ ତମ୍ବା ବ୍ଲକ ନିକେଲ ଓ ତମ୍ବା ଓଡ଼ିଶା

ବବ୍ଜା ଗ୍ରାଫାଇଟ୍ ଏବଂ ମାଙ୍ଗାନିଜ ବ୍ଲକ ଗ୍ରାଫାଇଟ୍ ଏବଂ ମାଙ୍ଗାନିଜ ଓଡ଼ିଶା

ବୀରପଲ୍ଲୀ ଗ୍ରାଫାଇଟ ଓ ମାଙ୍ଗାନିଜ ବ୍ଲକ ଗ୍ରାଫାଇଟ ଓ ମାଙ୍ଗାନିଜ ଓଡ଼ିଶା

ଆଖଡ଼ା ଗ୍ରାଫାଇଟ୍ ବ୍ଲକ ଗ୍ରାଫାଇଟ୍ ଓଡ଼ିଶା

ଭେଲାକଲ ସେଣ୍ଟ୍ରାଲ (ସେଗ୍ମେଣ୍ଟ-ଏ) ମୋଲିବଡେନମ୍ ବ୍ଲକ ମୋଲିବଡେନମ୍ ତାମିଲନାଡୁ

ନୋଚିପଟ୍ଟି ମୋଲିବ୍ଡେନମ୍ ବ୍ଲକ ମୋଲିବଡେନମ୍ ତାମିଲନାଡୁ

ଭେଲାମ୍ପଟ୍ଟି ଉତ୍ତର ଏ ଓ ବି ମୋଲିବ୍ଡେନମ୍ ବ୍ଲକ ମୋଲିବଡେନମ୍ ତାମିଲନାଡୁ

କୁରୁଞ୍ଜକୁଲମ ଗ୍ରାଫାଇଟ୍ ବ୍ଲକ ଗ୍ରାଫାଇଟ୍ ତାମିଲନାଡୁ

ଇଲୁପ୍ପାକୁଡି ଗ୍ରାଫାଇଟ୍ ବ୍ଲକ ଗ୍ରାଫାଇଟ୍ ତାମିଲନାଡୁ

ମନ୍ନାଦିପଟ୍ଟି ସେଣ୍ଟ୍ରାଲ ମୋଲିବଡେନମ୍ ବ୍ଲକ ମୋଲିବଡେନମ୍ ତାମିଲନାଡୁ

ମାରୁଡ଼ିପଟ୍ଟି (କେନ୍ଦ୍ରୀୟ) ମୋଲିବଡେନମ୍ ବ୍ଲକ ମୋଲିବଡେନମ୍ ତାମିଲନାଡୁ

କୁର୍ଚା ଗ୍ଲୁକୋନାଇଟ୍ ବ୍ଲକ ଗ୍ଲୁକୋନାଇଟ୍ ଉତ୍ତର ପ୍ରଦେଶ

ପାହାଡ଼ି କଲାନ-ଗୋରା କଲାନ ଫସଫରାଇଟ୍ ବ୍ଲକ ଫସଫରାଇଟ୍ ଉତ୍ତର ପ୍ରଦେଶ

ସାଲଲ-ହାମନା ଲିଥିୟମ୍, ଟାଇଟାନିୟମ ଏବଂ ବକ୍ସାଇଟ୍ (ଆଲୁମିନାସ୍ ଲାଟେରାଇଟ୍) ଜମ୍ମୁ-କାଶ୍ମୀର, କେନ୍ଦ୍ର ଶାସିତ ଅଞ୍ଚଳ ଲିଥିୟମ୍,

କଟଘୋରା ଲିଥିୟମ୍ ଏବଂ ଆରଇଇ ଲିଥିୟମ୍ ଏବଂ ଆରଇଇ ଛତିଶଗଡ଼

ଧନୀ ହେବେ ରାଜ୍ୟ ସରକାର

ଏହି ନିଲାମରୁ ରାଜସ୍ୱ ରାଜ୍ୟ ସରକାରଙ୍କୁ ଯିବ। ଅଧିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ରୟାଲଟି ହାରକୁ ଯୁକ୍ତିଯୁକ୍ତ କରାଯାଇଛି । ପ୍ଲାଟିନମ୍ ଗ୍ରୁପ୍ ଅଫ୍ ମେଟାଲ୍ସ (ପିଜିଏମ୍) ପାଇଁ ସରକାର ୨୦୨୨ ମାର୍ଚ୍ଚରେ ରୟାଲଟି ହାର ୪%, ମୋଲିବଡେନମ୍ ପାଇଁ ୭.୫%, ଗ୍ଲୁକୋନାଇଟ୍ ଏବଂ ପୋଟାସ୍ ପାଇଁ ୨.୫% ଧାର୍ଯ୍ୟ କରିଥିଲେ । ଅକ୍ଟୋବର ୧୨, ୨୦୨୩ରେ ସରକାର ଲିଥିୟମ୍ ପାଇଁ ରୟାଲଟି ହାର ୩%, ନିଓବିୟମ ପାଇଁ ୩% ଏବଂ ବିରଳ ପୃଥିବୀ ଉପାଦାନ ପାଇଁ ୧% ଧାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ-ବିପି ଓ ଟିଭିଏସ୍ ମୋଟର ମଧ୍ୟରେ ସହଯୋଗିତା, ଇଲେକ୍ଟ୍ରିକ୍ ଯାନ ପାଇଁ ସ୍ଥାପନ କରିବେ ଚାର୍ଜିଂ ଷ୍ଟେସନ

ଭୁବନେଶ୍ୱର: ଦୁଇ ଚକିଆ ଓ ତିନି ଚକିଆ ଇଲେକ୍ଟ୍ରିକ୍ ଯାନ ପାଇଁ ଚାର୍ଜିଂ ଷ୍ଟେସନ ସ୍ଥାପନ କରି ଏକ ଦୃଢ଼ ମୁଳଦୁଆ ଢ଼ାଂଚା ପ୍ରସ୍ତୁତ କରିବାରେ ରହିଥିବା ସମ୍ଭାବନାର ସନ୍ଧାନ କରିବା ଲାଗି ଜିଓ-ବିପି ଓ ଟିଭିଏସ୍ ମୋଟର ପରସ୍ପର ସହ ହାତ ମିଳାଇଛନ୍ତି। ଏହା ଜିଓ-ବିପି ନେଟ୍‌ୱର୍କ ଉପରେ ଆଧାରିତ ରହିବ। ଏହି ପ୍ରସ୍ତାବିତ ସହଯୋଗିତା ଅନୁସାରେ ଟିଭିଏସ୍‌ର ଇଲେକ୍ଟ୍ରିକ ଗାଡ଼ିର ଗ୍ରାହକମାନେ ଜିଓ-ବିପିର ବ୍ୟାପକ ଚାର୍ଜିଂ ନେଟ୍‌ୱର୍କ ପାଖରେ ପହଂଚିପାରିବେ। ଏହି ଚାର୍ଜିଂ ଷ୍ଟେସନଗୁଡ଼ିକ ଅନ୍ୟ ଗାଡ଼ି ପାଇଁ ମଧ୍ୟ ଖୋଲାରହିବ।

 ଗ୍ରାହକମାନଙ୍କୁ ଏକ ବ୍ୟାପକ ଓ ବିଶ୍ୱସନୀୟ ଚାର୍ଜିଂ ଭିତିଭୂମି ଉପଲବ୍ଧ କରାଇବା ଲାଗି ଏଭଳି ଚାର୍ଜିଂ ନେଟ୍‌ୱର୍କ ସହିତ ଡିସି ଫାଷ୍ଟ-ଚାର୍ଜିଂ ନେଟ୍‌ୱର୍କ ମଧ୍ୟ ପ୍ରସ୍ତୁତ କରାଯିବ।

 ଇଲେକ୍ଟ୍ରିଫିକେସନ କ୍ଷେତ୍ରରେ ଉଭୟ କଂପାନିକୁ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ସଫଳତା ମିଳିଛି। ଏହି ଦୁଇ କଂପାନି ସେହି ଅଭିଜ୍ଞତାକୁ ଭାତୀୟ ବଜାରରେ ବ୍ୟବହାର କରିବେ ଯଦ୍ୱାରା ଗ୍ରାହକମାନଙ୍କୁ ଏକ ନୂଆ ଅନୁଭବ ପ୍ରଦାନ କରାଯାଇପାରିବ।

 ଜିଓ-ବିପି ପକ୍ଷରୁ ଏହାର ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜିଂ ଓ ସ୍ୱାପିଂ ଷ୍ଟେସନଗୁଡ଼ିକୁ ଜିଓ-ବିପି ପଲ୍‌ସ ବ୍ରାଣ୍ଡ୍ ଅନୁସାରେ ପରିଚାଳନା କରାଯିବ। ଜିଓ-ବିପି ପଲ୍‌ସ ଆପ୍ ଜରିଆରେ ଗ୍ରାହକମାନେ ସହଜରେ ଆଖପାଖରେ ଥିବା ଚାର୍ଜିଂ ଷ୍ଟେସନ ଖୋଜିପାରିବେ ଓ ନିଜ ଗାଡ଼ିକୁ ଚାର୍ଜ କରିପାରିବେ। ଜିଓ-ବିପି ଏକ ମଜଭୁତ ଚାର୍ଜିଂ ବ୍ୟବସ୍ଥା ପ୍ରସ୍ତୁତ କରୁଛି ଯାହାର ଲାଭ ସମସ୍ତ ଅଂଶୀଦାରଙ୍କ ନିକଟରେ ପହଂଚିପାରିବ।

 ଟିଭିଏସ୍ ମୋଟର କଂପାନି ନୂଆ ଇଲେକ୍ଟ୍ରିକ୍ ଯାନବାହନ ଉତ୍ପାଦ ଓ ତତ୍ ସଂକ୍ରାନ୍ତ ପ୍ରଯୁକ୍ତି ବିକଶିତ କରିବା ଦିଗରେ ମହତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି। ଶୁଭାରମ୍ଭ ହେବା ପରଠାରୁ କଂପାନି ଏହାର ହାଇସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର ଟିଭିଏସ୍ ଆଇକ୍ୟୁବ୍‌ର ୧୨,୦୦୦ରୁ ଅଧିକ ୟୁନିଟ୍ ବିକ୍ରି କରିସାରିଲାଣି । ଟିଭିଏସ୍ ଆଇକ୍ୟୁବ୍ ଏକ ସ୍ମାର୍ଟ, କନେକ୍ଟେଡ୍ ଓ ବ୍ୟାବହାରିକ ଇଲେକ୍ଟ୍ରିକ୍ ଯାନ ଯାହା ଗ୍ରାହକଙ୍କ ଦୈନିକ ଯାତାୟାତ ଆବଶ୍ୟକତାକୁ ପୂରଣ କରୁଛି। କଂପାନି ୫-୨୫ କିଲୋୱାଟ୍ ରେଂଜ୍‌ରେ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ିର ଏକ ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗମାଳା ପ୍ରସ୍ତୁତ କରୁଛି ଯାହାକୁ ଆସନ୍ତା ୨୪ ମାସ ଭିତରେ ବଜାରରେ ଉପସ୍ଥାପନ କରାଯିବ।

 ଏହି ସହଯୋଗିତା ଦେଶରେ ଦୁଇ ଚକିଆ ଓ ତିନି ଚକିଆ ଯାନର ଗ୍ରାହକମାନଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି ଆପଣେଇବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଉତ୍ସାହିତ କରିବ ଓ ଏହା ସହିତ ଭାରତର ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟକୁ ହାସଲ କରିବାରେ ଏହା ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କୋମାକି ରେଞ୍ଜର ଆଣିବ ଦୁଇ ଚକିଆ ଇଲେକ୍ଟ୍ରିକ ବାଇକ, ଗୋଟିଏ ଚାର୍ଜରେ ଗଡିବ ୨୫୦ କିମି

ନୂଆଦିଲ୍ଲୀ: ଭାରତୀୟ ବଜାରରେ କ୍ରୁଜର ଇଭିର ଦୁଇ ଚକିଆ ଇଲେକ୍ଟ୍ରିକ ବାଇକ ପ୍ରବେଶ କରିବାକୁ ଯାଉଛି। କୋମାକି ଇଲେକ୍ଟ୍ରିକ୍ ଯାନ ଖୁବ୍ ଶୀଘ୍ର ଏହାର ଏବଂ ଭାରତର ପ୍ରଥମ ଇଲେକ୍ଟ୍ରିକ୍ କ୍ରୁଜର ବାଇକ୍ ଲଞ୍ଚ କରିବାକୁ ଯାଉଛି। ଆସନ୍ତା ବର୍ଷ ଆରମ୍ଭରେ କମ୍ପାନୀ ଏହାକୁ ଲଞ୍ଚ କରିପାରେ। ତେବେ ଏହାପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ କୋମାକି ରେଞ୍ଜର ଇଲେକ୍ଟ୍ରିକ୍ କ୍ରୁଜର ବାଇକର ଡିଜାଇନ୍ ସ୍କେଚ୍ ହାସଲ କରାଯାଇଥିବା ଦାବି କରାଯାଇଛି।

କୋମାକି ରେଞ୍ଜରରେ କ’ଣ ରହିବ ବିଶେଷ?:

କୋମାକି ରେଞ୍ଜର ଇଲେକ୍ଟ୍ରିକ୍ କ୍ରୁଜରରେ ୪ କିଲୋୱାଟର ବ୍ୟାଟେରୀ ପ୍ୟାକ୍ ଦିଆଯାଇପାରେ। ଏଥିସହ କୋମାକି ରେଞ୍ଜରରେ ୫୦୦୦ ୱାଟ ବିଶିଷ୍ଟ ମୋଟର ରହିବ ବୋଲି ଆଶା କରାଯାଉଛି। ଏହା ଏକ ଶକ୍ତିଶାଳୀ ମୋଟର ହେବାକୁ ଯାଉଛି, ଯାହା ଏହି କ୍ରୁଜରକୁ କଷ୍ଟଦାୟକ ରାସ୍ତାରେ ଭଲ ଡ୍ରାଇଭିଂ ପ୍ରଦର୍ଶନ ସହିତ କ୍ରୁଜର କରିବ। ଏହା ବ୍ୟତୀତ ଇଲେକ୍ଟ୍ରିକ୍ କ୍ରୁଜରରେ କ୍ରୁଜ୍ କଣ୍ଟ୍ରୋଲ୍, ମରାମତି ସୁଇଚ୍, ରିଭର୍ସ ସୁଇଚ୍, ବ୍ଲୁଟୁଥ୍ ଏବଂ ଏକ ଉନ୍ନତ ବ୍ରେକିଂ ସିଷ୍ଟମ୍ ମଧ୍ୟ ଦିଆଯାଇପାରେ।

କୋମାକି ରେଞ୍ଜର ଗୋଟିଏ ଚାର୍ଜରେ ପ୍ରାୟ ୨୫୦ କିଲୋମିଟର ରାଇଡିଂ ପରିସର ପ୍ରଦାନ କରିବ। ଏହା ଭାରତର ପ୍ରଥମ ଇଲେକ୍ଟ୍ରିକ୍ କ୍ରୁଜର ବାଇକ୍ ହେବ। ଏହା ସହିତ ଏହି କମ୍ପାନୀର ପ୍ରଥମ ଇଲେକ୍ଟ୍ରିକ୍ କ୍ରୁଜର ମଧ୍ୟ ହେବ। କମ୍ପାନୀ ଏହାର ଟିଜର ୱେବସାଇଟରେ ଅପଲୋଡ୍ କରିଛି। କମ୍ପାନୀ ଆସନ୍ତା ବର୍ଷ ଜାନୁଆରୀରେ କୋମାକି ରେଞ୍ଜରର ଅଫିସିଆଲ୍ ଲଞ୍ଚ କରିପାରିବ।

ଭାରତୀୟ ବୈଦ୍ୟୁତିକ ବଜାରରେ ଏହି ବିଭାଗରେ ଦୁଇ ଚକିଆ ଯାନ ନାହିଁ। କମ୍ପାନୀ ଏହାକୁ ଏକ ସୁଲଭ ମୂଲ୍ୟରେ ଆଣିବାକୁ ଚେଷ୍ଟା କରିବ ଯାହା ଦ୍ଵାରା ଅନ୍ୟ କୌଣସି କମ୍ପାନୀ ଏହି ବିଭାଗରେ ପ୍ରବେଶ କରିବା ପୂର୍ବରୁ ଏହା ଭାରତୀୟ ବଜାରକୁ ଭଲ ଭାବରେ କାବୁ କରିପାରିବ।