Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡରରେ ୩୪୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ମାନା ଠାରେ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ ଏବଂ ରୋପୱେ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ କେଦାରନାଥ ପରିଦର୍ଶନ କରି ଶ୍ରୀ କେଦାରନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିଥିଲେ। ସେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କର ସମାଧି ସ୍ଥଳକୁ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ମନ୍ଦାକିନୀ ଅଷ୍ଟପଥ ଏବଂ ସରସ୍ୱତୀ ଅଷ୍ଟପଥରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ବଦ୍ରିନାଥ ପରିଦର୍ଶନ କରି ଶ୍ରୀ ବଦ୍ରିନାଥ ମନ୍ଦିରରେ ଠାକୁର ଦର୍ଶନ ଏବଂ ପୂଜା କରିଥିଲେ। ଏହା ପରେ ସେ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଧର୍ମପୀଠରେ ଦର୍ଶନ ଏବଂ ପୂଜା କରିବା ପରେ ନିଜର ଖୁସିକୁ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, “ମୋ ଜୀବନ ଆଶୀର୍ବାଦ ପ୍ରାପ୍ତ ହେଲା, ମନ ଖୁସି ହେଲା ଏବଂ ଏହି ମୂହୁର୍ତ୍ତ ଗୁଡ଼ିକ ଜୀବନ୍ତ ହେଲା”। ତାଙ୍କର ପୂର୍ବ ଗସ୍ତ ସମୟରେ ସେ କହିଥିବା ଶବ୍ଦକୁ ମନେ ପକାଇ ଏହି ଦଶନ୍ଧି ଉତ୍ତରାଖଣ୍ଡର ହେବ, ପୁଣି ଥରେ ଏହାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି, ବାବା କେଦାର ଏବଂ ବଦ୍ରି ବିଶାଳ ସେହି ଶବ୍ଦ ଗୁଡ଼ିକୁ ଆଶୀର୍ବାଦ ଦେବେ। ସେ କହିଥିଲେ ଯେ, “ ଏହି ନୂତନ ପ୍ରକଳ୍ପ ଗୁଡ଼ିକ ସହିତ ସମାନ ସଂକଳ୍ପକୁ ଦୋହରାଇବା ପାଇଁ ମୁଁ ଆଜି ଆପଣଙ୍କ ମଧ୍ୟରେ ଅଛି।”

ମାନା ଗ୍ରାମ ଭାରତର ସୀମାରେ ଶେଷ ଗ୍ରାମ ଭାବରେ ଜଣାଶୁଣା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ମୋ ପାଇଁ, ସୀମାରେ ଥିବା ପ୍ରତ୍ୟେକ ଗ୍ରାମ ହେଉଛି ଦେଶର ପ୍ରଥମ ଗ୍ରାମ ଏବଂ ସୀମା ନିକଟରେ ରହୁଥିବା ଲୋକମାନେ ଦେଶର ସୁଦୃଢ଼ ସୁରକ୍ଷା ତିଆରି କରୁଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅଂଚଳ ସହିତ ତାଙ୍କର ଦୀର୍ଘ ସମୟର ସମ୍ପର୍କ ଏବଂ ଏହାର ମହତ୍ତ୍ୱକୁ ବାରମ୍ବାର ସମର୍ଥନ କରିଥିଲେ। ସେ ସେମାନଙ୍କର ସମର୍ଥନ ଏବଂ ଆତ୍ମବିଶ୍ୱାସକୁ ମଧ୍ୟ ଉଲ୍ଲେଖ କରିଥିଲେ। ନିରନ୍ତର ପ୍ରେମ ଏବଂ ସମର୍ଥନ ପାଇଁ ସେ ମାନାର ଲୋକ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

ଏକ ବିଂଶ ଶତାବ୍ଦୀରେ ବିକଶିତ ଭାରତର ଦୁଇଟି ପ୍ରମୁଖ ସ୍ତମ୍ଭ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ। “ପ୍ରଥମଟି ହେଉଛି, ଆମର ଐତିହ୍ୟ ପାଇଁ ଗର୍ବ ଏବଂ ଦ୍ୱିତୀୟରେ, ବିକାଶ ପାଇଁ ଆମର ସମସ୍ତ ସମ୍ଭାବ୍ୟ ପ୍ରୟାସ। ଆଜି, ଉତ୍ତରାଖଣ୍ଡ ଏହି ଉଭୟ ସ୍ତମ୍ଭକୁ ମଜବୁତ କରୁଛି ବୋଲି ସେ କହିଥିଲେ। ସେ ସୂଚନା ଦେଇଥିଲେ ଯେ କେଦାରନାଥ ଏବଂ ବଦ୍ରି ବିଶାଳରେ ଦର୍ଶନ ଦ୍ୱାରା ସେ ନିଜକୁ ଆଶୀର୍ବାଦପ୍ରାପ୍ତ ଅନୁଭବ କରୁଛନ୍ତି। ସେ ବିକାଶ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଥିଲେ ଏବଂ “୧୩୦ କୋଟି ଲୋକ ମଧ୍ୟ ମୋ ପାଇଁ ଭଗବାନଙ୍କର ଏକ ରୂପ” ବୋଲି ସେ କହିଥିଲେ।

କେଦାରନାଥ ଠାରୁ ଗୌରୀକୁଣ୍ଡ ଏବଂ ହେମକୁଣ୍ଡ ଦୁଇଟି ରୋପୱେ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବାବା କେଦାରନାଥ, ବଦ୍ରି ବିଶାଳ ଏବଂ ଶିଖ୍ ଗୁରୁଙ୍କ ଆଶୀର୍ବାଦକୁ ପ୍ରେରଣା ଏବଂ ପ୍ରଗତିର ଶ୍ରେୟ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଦ୍ୱିତୀୟ ପଦକ୍ଷେପ ଯୋଗୁଁ ସମଗ୍ର ବିଶ୍ୱରେ ଭକ୍ତମାନେ ଆନନ୍ଦିତ ହେବେ।

ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପରେ ଜଡିତ ଶ୍ରମଜୀବୀ ମାନଙ୍କର ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ ଏବଂ ଏହି କଠିନ ପରିସ୍ଥିତିରେ ସେମାନଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନେ ଈଶ୍ୱରଙ୍କ କାର୍ଯ୍ୟ କରୁଛନ୍ତି, ଆପଣ ମାନେ ସେମାନଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ , ସେମାନଙ୍କୁ କେବଳ ବେତନ ପ୍ରାପ୍ତ ଶ୍ରମିକ ବୋଲି ବିବେଚନା କରନ୍ତୁ ନାହିଁ, ସେମାନେ ଏକ ଐଶ୍ୱରୀୟ ପ୍ରକଳ୍ପରେ ସହଯୋଗ କରୁଛନ୍ତି” ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ। କେଦାରନାଥ ଠାରେ ଶ୍ରମଜୀବି ମାନଙ୍କ ସହ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଶ୍ରମିକ ଏବଂ ଇଞ୍ଜିନିୟର ମାନେ ସେମାନଙ୍କ କାର୍ଯ୍ୟକୁ ବାବା କେଦାରଙ୍କୁ ପୂଜା କରିବା ସହ ତୁଳନା କରିଥିଲେ ସେତେବେଳେ ତାଙ୍କ ପାଇଁ ଏହା ଏକ ଚମତ୍କାର ଅନୁଭୂତି ଥିଲା।

ଔପନିବେଶିକ ମାନସିକତାରୁ ମୁକ୍ତି ପାଇବା ପାଇଁ ଲାଲ୍ କିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ କରିଥିବା ଆବେଦନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ୭୫ ବର୍ଷର ସ୍ୱାଧୀନତା ପରେ ଏହି ଆବେଦନ କରିବାର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ ଏବଂ ଦାସତ୍ୱର ମାନସିକତା ଦେଶକୁ ଏତେ ଗଭୀର ଭାବରେ ଜାବୁଡି ଧରିଛି ଯେ, ଦେଶର କିଛି ଲୋକ ଦେଶର ବିକାଶ କାର୍ଯ୍ୟକୁ ଅପରାଧ ବୋଲି ବିବେଚନା କରିଥିଲେ ବୋଲି ସେ କହିଥିଲେ। “ଦେଶର ବିକାଶରେ ଅଗ୍ରଗତି ଦାସତ୍ୱର ଏକ ମାପକାଠିରେ ତଉଲା ଯାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଦୀର୍ଘ ଦିନ ଧରି ଦେଶରେ ପୂଜାସ୍ଥଳ ଗୁଡିକ ଉପରେ ଦୃଷ୍ଟି ଦିଆ ଯାଇନାହିଁ। ସେ ତାଙ୍କ ବକ୍ତବ୍ୟରେ ଏହା ମଧ୍ୟ ଯୋଡିଥିଲେ ଯେ, ସାରା ବିଶ୍ୱରେ ଲୋକମାନେ ଏହି ମନ୍ଦିର ଗୁଡିକର ଭୁରି ଭୁରି ପ୍ରଶଂସା କରନ୍ତି। ଅତୀତରେ କରାଯାଇଥିବା ପ୍ରୟାସ ଗୁଡିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ ଯେ, ସୋମନାଥ ମନ୍ଦିର ଏବଂ ରାମ ମନ୍ଦିର ନିର୍ମାଣ ସମୟରେ ଯାହା ଘଟିଥିଲା ତାହା ସମସ୍ତେ ମନେ ରଖିଛନ୍ତି।

ଶ୍ରୀ ମୋଦୀ କହିଥିଲେ ଏହା ମଧ୍ୟ କହିଥିଲେ, “ଏହି ଧର୍ମସ୍ଥଳୀ ଗୁଡିକର ଦୟନୀୟ ଅବସ୍ଥା ଦାସତ୍ୱ ମାନସିକତାର ଏକ ସ୍ପଷ୍ଟ ସଙ୍କେତ ଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ମନ୍ଦିର ଗୁଡିକୁ ଆସିବା ନିମନ୍ତେ ଉଦ୍ଦିଷ୍ଟ ରାସ୍ତା ମଧ୍ୟ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିଲା। “ଭାରତର ଆଧ୍ୟାତ୍ମିକ କେନ୍ଦ୍ର ଗୁଡ଼ିକ ଅନେକ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ରହି ଆସିଥିଲା ଏବଂ ଏହା ପୂର୍ବ ସରକାରଙ୍କ ସ୍ୱାର୍ଥପରତା ହେତୁ ହୋଇଥିଲା ” ବୋଲି ସେ କହିଥିଲେ। ସେ ଦର୍ଶାଇ ଥିଲେ ଯେ କୋଟି କୋଟି ଭାରତୀୟଙ୍କ ପାଇଁ ଏହି ଆଧ୍ୟାତ୍ମିକ କେନ୍ଦ୍ର ଗୁଡ଼ିକର ମୂଲ୍ୟ କ’ଣ ଏହି ବ୍ୟକ୍ତିମାନେ ଭୁଲି ଯାଇଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଆମର ଆଧ୍ୟାତ୍ମିକ କେନ୍ଦ୍ର ଗୁଡ଼ିକର ମହତ୍ୱ ସେମାନଙ୍କର ଉଦ୍ୟମ ଦ୍ୱାରା ନିର୍ଣ୍ଣୟ ହୋଇ ନଥାଏ କିମ୍ବା ଏହି ଆଧ୍ୟାତ୍ମିକ କେନ୍ଦ୍ର ଗୁଡିକ ପ୍ରତି ଲୋକଙ୍କ ବିଶ୍ୱାସରେ କୌଣସି ହ୍ରାସ ଘଟି ନାହିଁ। “ଆଜି କାଶୀ, ଉଜ୍ଜୟିନୀ, ଅଯୋଧ୍ୟା ଏବଂ ଆହୁରି ଅନେକ ଆଧ୍ୟାତ୍ମିକ କେନ୍ଦ୍ର ସେମାନଙ୍କର ହଜି ଯାଇଥିବା ଗୌରବ ଏବଂ ଐତିହ୍ୟକୁ ପୁଣି ଥରେ ପ୍ରାପ୍ତ କରୁଛନ୍ତି।

ବୈଷୟିକ ସେବା ଗୁଡିକ ସହିତ ସଂଯୁକ୍ତ ହେବା ସଙ୍ଗେ ସଙ୍ଗେ କେଦାରନାଥ, ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବ ସେହି ଧାର୍ମିକ ବିଶ୍ୱାସକୁ ବଜାୟ ରଖିଛନ୍ତି ବୋଲି ସେ ଦର୍ଶାଇଥିଲେ, “ଅଯୋଧ୍ୟାରେ ଥିବା ରାମ ମନ୍ଦିର ଠାରୁ ଗୁଜରାଟର ପାଭଗଡର ମାଆ କାଳିକା ମନ୍ଦିର ପର୍ଯ୍ୟନ୍ତ ଦେବୀ ବିନ୍ଧ୍ୟାଂଚଳ କରିଡର ପର୍ଯ୍ୟନ୍ତ, ଭାରତ ଏହାର ସାଂସ୍କୃତିକ ତଥା ପାରମ୍ପରିକ ଉତ୍ଥାନ ଘୋଷଣା କରୁଛି।” ସେ ଆହୁରି ମଧ୍ୟ କହିଥିଲେ ଯେ ତୀର୍ଥଯାତ୍ରୀ ମାନେ ଏହି ବିଶ୍ୱାସର ପୂର୍ଣ୍ଣ ସ୍ଥାନରେ ପହଂଚିବା ଏବେ ସହଜ ହେବ ଏବଂ ଯେଉଁ ସେବା ଯୋଗାଇ ଦିଆ ଯାଉଛି ତାହା ବୟସ୍କ ଲୋକ ମାନଙ୍କର ଜୀବନକୁ ସହଜ କରିବ।

ପ୍ରଧାନମନ୍ତ୍ରୀ ଏହି ବିଶ୍ୱାସରେ ଭରି ରହିଥିବା ସ୍ଥାନ ଗୁଡିକର ନବୀକରଣର ଅନ୍ୟ ଏକ ଦିଗକୁ ସୂଚାଇ ଦେଇଥିଲେ, ଯେମିତିକି ପାହାଡ଼ିଆ ଅଂଚଳରେ ଲୋକଙ୍କ ଜୀବନଯାପନରେ ସହଜତା ଏବଂ ଏହି ଅଂଚଳର ବସବାସ କରୁଥିବା ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ। “ରେଳ, ସଡ଼କ ଏବଂ ରୋପୱେ ସେମାନଙ୍କ ପାଇଁ ରୋଜଗାର ଆଣିଥାଏ ଏବଂ ଜୀବନକୁ ସହଜ ଏବଂ ସଶକ୍ତ କରିଥାଏ। ଏହି ସୁବିଧା ପର୍ଯ୍ୟଟନକୁ ଉନ୍ନତ କରିଥାଏ ଏବଂ ପାହାଡ଼ିଆ ଅଂଚଳରେ ପରିବହନକୁ ସୁଗମ କରିଥାଏ । ଏହି କଷ୍ଟସାଧ୍ୟ ଅଂଚଳରେ ଲଜିଷ୍ଟିକ୍ସର ଉନ୍ନତି ପାଇଁ ଡ୍ରୋନ୍ ମଧ୍ୟ ନିୟୋଜିତ କରାଯିବାକୁ ଯୋଜନା କରା ଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ।

ସ୍ଥାନୀୟ ଉତ୍ପାଦ ଗୁଡିକର ଏବଂ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଉଦ୍ୟମକୁ ପ୍ରଶଂସା କରି, ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କୁ ଏହା ନିବେଦନ କରିଥିଲେ, ଦେଶର ଯେକୌଣସି ଅଂଚଳକୁ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଯାଉଥିବା ଲୋକ ମାନଙ୍କୁ ସ୍ଥାନୀୟ ଉତ୍ପାଦ କିଣିବା ପାଇଁ ସେମାନଙ୍କ ଯାତ୍ରା ବଜେଟର ପାଂଚ ପ୍ରତିଶତ ଖର୍ଚ୍ଚ କରିବା ଉଚିତ୍। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ସ୍ଥାନୀୟ ଉତ୍ପାଦକୁ ଏକ ବଡ ଉତ୍ଥାନ ପ୍ରଦାନ କରିବ ଏବଂ ଆପଣ ମାନଙ୍କୁ ମଧ୍ୟ ବହୁତ ସନ୍ତୁଷ୍ଟି ଦେବ।

ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଥିଲେ ଯେ, ପାହାଡିଆ ଅଂଚଳରୁ ଆସିଥିବା ଲୋକଙ୍କ ସ୍ଥାଣୁତା ସେମାନଙ୍କ ବିରୋଧରେ ବ୍ୟବହୃତ ହୋଇଛି। ସେମାନଙ୍କର ପରିଶ୍ରମୀ ପ୍ରକୃତି ଏବଂ ଶକ୍ତି ସେମାନଙ୍କୁ ଅନେକ ପ୍ରକାରର ସୁବିଧା ସୁଯୋଗରୁ ବଂଚିତ କରିବା ପାଇଁ ଏକ ବାହାନା ଭାବରେ ବ୍ୟବହୃତ ହୋଇଥିଲା। ସୁବିଧା ଏବଂ ସୁଯୋଗ ପାଇବା କ୍ଷେତ୍ରରେ ସେମାନେ ପଛରେ ରହିଥିଲେ। ଆମକୁ ଏହାକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ବର୍ଣ୍ଣନା କରିଥିଲେ ଯେ “ଏହା ପୂର୍ବରୁ, ଯେଉଁ ଅଂଚଳ ଗୁଡିକୁ ଦେଶର ସୀମାନ୍ତର ସୀମା ଭାବରେ ଅଣଦେଖା କରା ଯାଇଥିଲା, ଆମେ ସେହି ସ୍ଥାନରୁ ସେଗୁଡିକୁ ସମୃଦ୍ଧିର ଆରମ୍ଭ ବୋଲି ଚିହ୍ନିତ କରି କାର୍ଯ୍ୟ ଆରମ୍ଭ କରିଥିଲୁ। ଆମେ ପାର୍ବତ୍ୟ ଅଂଚଳର ଏହି ଆହ୍ୱାନର ସମାଧାନ ଖୋଜିବାକୁ ଚେଷ୍ଟା କରିଥିଲୁ, ଯାହା ସ୍ଥାନୀୟ ଲୋକ ମାନଙ୍କର ବହୁତ ଶକ୍ତିକୁ ନଷ୍ଟ କରୁଥିଲା।” ସେ ସମସ୍ତ ଗ୍ରାମର ବିଦ୍ୟୁତିକରଣ, ପ୍ରତ୍ୟେକ ଘରେ ଜଳ ଯୋଗାଣ, ପଂଚାୟତକୁ ଅପ୍ଟିକାଲ ଫାଇବର ସଂଯୋଗ, ପ୍ରତ୍ୟେକ ଗ୍ରାମରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ଟୀକାକରଣ ସମୟରେ ପାହାଡ଼ିଆ ଅଂଚଳକୁ ପ୍ରାଥମିକତା ପ୍ରଦାନ, ମହାମାରୀ ସମୟରେ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଣ ଭଳି ଜୀବନଯାପନର ସହଜ ପଦକ୍ଷେପ ଏବଂ ଲୋକ ମାନଙ୍କୁ ସମ୍ମାନ ପ୍ରଦାନ କରିବା ଇତ୍ୟାଦିକୁ ତାଲିକାଭୁକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସୁବିଧା ଯୁବକ ମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିଥାଏ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିଥାଏ। “ମୁଁ ଖୁସି ଯେ ଡବଲ – ଇଞ୍ଜିନ ବିଶିଷ୍ଟ ସରକାର ହୋମଷ୍ଟେ ସୁବିଧା ଗୁଡିକରେ ପରିବର୍ତ୍ତନ ଆଣିବା ପାଇଁ ଯୁବକ ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ନିରନ୍ତର ଆର୍ôଥକ ସହାୟତା ପ୍ରଦାନ କରୁଛନ୍ତି। ସୀମାନ୍ତ ଅଂଚଳର ଯୁବକ ମାନଙ୍କୁ ଏନ୍ସିସି ସହିତ ଯୋଡିବା ଅଭିଯାନ ମଧ୍ୟ ସେମାନଙ୍କୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ “ଆଧୁନିକ ସଂଯୋଗ ହେଉଛି ଜାତୀୟ ପ୍ରତିରକ୍ଷା ପାଇଁ ଏକ ଗ୍ୟାରେଂଟି।” ସେ କହିଥିଲେ ଯେ ଗତ ୮ ବର୍ଷ ଧରି ସରକାର ଏହି ଦିଗରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। କିଛି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଦୁଇଟି ପ୍ରମୁଖ ସଂଯୋଗ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତମାଳା ଏବଂ ସାଗରମାଳା ଯୋଜନାର ଉଦାହରଣ ଦେଇଥିଲେ। ସେ ସୂଚନା ଦେଇଥିଲେ ଯେ, ଭାରତମାଳା ଅଧୀନରେ ଦେଶର ସୀମା ଅଂଚଳ ସର୍ବୋତ୍ତମ ଏବଂ ପ୍ରଶସ୍ତ ରାଜପଥ ସହ ସଂଯୁକ୍ତ କରା ଯାଉଛି ଏବଂ ସାଗରମାଳା ଯୋଜନା ମାଧ୍ୟମରେ ଭାରତର ସମୁଦ୍ର କୂଳର ସଂଯୋଗକୁ ମଜବୁତ କରା ଯାଉଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ଗତ ୮ ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀର ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ସୀମା ସଂଯୋଗର ଅଦ୍ୱିତୀୟ ସମ୍ପ୍ରସାରଣକୁ ସରକାର କାର୍ଯ୍ୟକାରୀ କରିଛନ୍ତି। “୨୦୧୪ ମସିହା ପର ଠାରୁ ସୀମା ସଡକ ସଂଗଠନ (ବର୍ଡର ରୋଡ୍ସ ଅର୍ଗାନାଇଜେସନ୍) ପ୍ରାୟ ୭,୦୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ କରି ଶହ ଶହ ସେତୁ ନିର୍ମାଣ କରିଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଟନେଲ ମଧ୍ୟ ଏହା ଭିତରେ ସମ୍ପୂର୍ଣ୍ଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପର୍ବତମାଳା ଯୋଜନା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, ଏହା ପାହାଡ଼ିଆ ଅଂଚଳରେ ରହିଥିବା ରାଜ୍ୟ ଗୁଡ଼ିକର ସଂଯୋଗୀକରଣରେ ଉନ୍ନତି ଆଣିଛି। ସେ ଦର୍ଶାଇଥିଲେ ଯେ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଏହି ଯୋଜନା ଅଧୀନରେ ଏକ ବିଶାଳ ରୋପୱେ ନେଟୱାର୍କ ନିର୍ମାଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ସୀମା ଅଂଚଳର ଧାରଣାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେପରି ସାମରିକ ପ୍ରତିଷ୍ଠାନ କରିଥିଲେ। ସେ କହିଥିଲେ, “ଆମେ ଉଦ୍ୟମ କରୁଛୁ ଯେ ଏହି ଅଂଚଳରେ ଏକ ଜୀବନ୍ତ ଜୀବନ ସୃଷ୍ଟି ହେବ ଯେଉଁଠାରେ ବିକାଶ ଉତ୍ସବ ପାଳନ କରାଯାଏ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାନା ଠାରୁ ମାନା ପାସ୍ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ଏହି ଅଂଚଳ ପାଇଁ ବହୁତ ଲାଭଦାୟକ ହେବ। ଯୋଶୀମଠ ଠାରୁ ମାଲାରି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ ହେବା ଫଳରେ ସାଧାରଣ ଲୋକଙ୍କ ସହିତ ଆମର ସୈନିକ ମାନେ ମଧ୍ୟ ସୀମାରେ ପହଂଚିବା ସହଜ ହେବ ବୋଲି ସେ କହିଥିଲେ।

ନିଜର ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡକୁ ଆଶ୍ୱାସନା ଦେଇଥିଲେ ଯେ କଠିନ ପରିଶ୍ରମ ଏବଂ ନିଷ୍ଠା ସର୍ବଦା ରାଜ୍ୟର ଆଶା ଓ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବ। ଏହି ବିଶ୍ୱାସ ପୂରଣ କରିବା ପାଇଁ ମୁଁ ବାବା କେଦାର ଏବଂ ବଦ୍ରି ବିଶାଳଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ଉତ୍ତରାଖଣ୍ଡର ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ଗୁରୁମିତ ସିଂହ, ସାସଂଦ ତୀରଥ ସିଂହ ରାୱତ, ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଧନ ସିଂ ରାୱତ ଏବଂ ବିଜେପି ରାଜ୍ୟ ସଭାପତି ମହେନ୍ଦ୍ର ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

କେଦାରନାଥ ଠାରେ ଥିବା ରୋପୱେର ଦୈର୍ଘ୍ୟ ପ୍ରାୟ ୯.୭ କିଲୋମିଟର ହେବ ଏବଂ ଗୌରୀକୁଣ୍ଡକୁ କେଦାରନାଥ ସହିତ ସଂଯୋଗ କରିବ, ଯାହା ଦ୍ୱାରା ଦୁଇ ସ୍ଥାନ ମଧ୍ୟରେ ଯାତ୍ରା ସମୟ ବର୍ତ୍ତମାନ ୬-୭ ଘଂଟା ରହିଥିବା ବେଳେ ତାହା ମାତ୍ର ୩୦ ମିନିଟକୁ ହ୍ରାସ ପାଇବ। ହେମକୁଣ୍ଡ ରୋପୱେ ଗୋବିନ୍ଦଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୋଗ କରିବ। ଏହାର ଲମ୍ବ ପ୍ରାୟ ୧୨.୪ କିଲୋମିଟର ହେବ ଏବଂ ଯାତ୍ରା ସମୟ ଏବେ ଏକ ଦିନରୁ ଅଧିକ ରହିଥିବା ବେଳେ ତାହା ପ୍ରାୟ ୪୫ ମିନିଟ୍ ହେବ। ଏହି ରୋପୱେ ଫୁଲ ଜାତୀୟ ଉଦ୍ୟାନର ପ୍ରବେଶ ଦ୍ୱାର ଘାଙ୍ଗାରିଆକୁ ମଧ୍ୟ ସଂଯୋଗ କରିବ।

ପାଖାପାଖି ୨୪୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଏହି ରୋପୱେ ଗୁଡିକ ଏକ ପରିବେଶ ଅନୁକୂଳ ପରିବହନ ହେବ ଯାହା ଯାତ୍ରାକୁ ନିରାପଦ, ସୁରକ୍ଷିତ ଏବଂ ସ୍ଥିର କରିବ। ଏହି ପ୍ରମୁଖ ଭିତ୍ତିଭୂମି ବିକାଶ ଧାର୍ମିକ ପର୍ଯ୍ୟଟନକୁ ବୃଦ୍ଧି କରିବ, ଯାହା ଦ୍ୱାରା ଏହି ଅଂଚଳର ଅର୍ଥନୈତିକ ବିକାଶକୁ ଏକ ପୂର୍ଣ୍ଣତା ମିଳିବ ଏବଂ ଏକାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ।

ଏହି ଗସ୍ତ ସମୟରେ ପ୍ରାୟ ୧୦୦୦ କୋଟି ଟଙ୍କା ମୂଲ୍ୟର ରାସ୍ତା ପ୍ରଶସ୍ତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ। ଦୁଇଟି ସଡକ ପ୍ରଶସ୍ତିକରଣ ପ୍ରକଳ୍ପ – ମାନା ଠାରୁ ମାନା ପାସ୍ ପର୍ଯ୍ୟନ୍ତ (ଏନ୍ଏଚ୍ ୦୭) ଏବଂ ଯୋଶୀମଠ ଠାରୁ ମଲାରୀ ପର୍ଯ୍ୟନ୍ତ (ଏନ୍ଏଚ୍ ୧୦୭ବି) – ଆମର ସୀମା ଅଂଚଳକୁ ଶେଷ ମାଇଲ୍ ସବୁ ଋତୁରେ ସଡ଼କ ସଂଯୋଗ ଯୋଗାଇବା ଦିଗରେ ଆଉ ଏକ ପଦକ୍ଷେପ ହେବ। ସଂଯୋଗୀକରଣ ବୃଦ୍ଧି ବ୍ୟତୀତ, ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟ ରଣନୀତିକ ଦୃଷ୍ଟିକୋଣରୁ ଲାଭଦାୟକ ପ୍ରମାଣିତ ହେବ।

କେଦାରନାଥ ଏବଂ ବଦ୍ରିନାଥ ଅନ୍ୟତମ ପ୍ରମୁଖ ହିନ୍ଦୁ ଧର୍ମପୀଠ। ଏହି କ୍ଷେତ୍ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଶିଖ୍ ତୀର୍ଥସ୍ଥାନ – ହେମକୁଣ୍ଡ ସାହିବ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ହାତକୁ ନିଆ ଯାଇଥିବା ସଂଯୋଗୀକରଣ ପ୍ରକଳ୍ପ ଗୁଡିକ ଧାର୍ମିକ ମହତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ପ୍ରବେଶକୁ ସହଜ କରିବା ଏବଂ ମୌଳିକ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡରେ ଆର୍ଯ୍ୟନ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେଦାରନାଥ ଧାମର ଦୁଇ କିଲୋମିଟର ପୂର୍ବରୁ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟର କେଦାରନାଥରୁ ଫେରୁଥିଲା, ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଯେଉଁଠାରେ ଏହି ଦୁର୍ଘଟଣା ଘଟିଥିଲା ​​ସେହି ସ୍ଥାନଟି ଥିଲା କେଦାରନାଥ ଧାମକୁ ଯାଉଥିବା ପୁରୁଣା ରାସ୍ତା। ଦୁର୍ଘଟଣା ସମୟରେ ହେଲିକପ୍ଟରରେ ୭ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଜାତୀୟ ଶିକ୍ଷା ନୀତିର ଶୁଭାରମ୍ଭ

ଡେରାଡୁନ/ହରିଦ୍ୱାର: ଶିକ୍ଷା ବ୍ୟବସ୍ଥାକୁ ନୂଆ ରୂପ ଦେବା ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରିବା ପାଇଁ ରବିବାର ଉତ୍ତରାଖଣ୍ଡରେ ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) କ୍ରିୟାନ୍ୱୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜାତୀୟ ଶିକ୍ଷା ନୀତି ହେଉଛି ଦାର୍ଶନିକ ଦସ୍ତାବିଜ, ଯାହା ଜ୍ଞାନ ଆଧାରିତ ଅର୍ଥନୀତି ଓ ସମାଜ ଗଠନ ଦିଗରେ ସହାୟକ ହେବ। ଦେବଭୂମି ଓ ଜ୍ଞାନଭୂମି ଉତ୍ତରାଖଣ୍ଡ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଖୁସିର ବିଷୟ। ନୂଆ ଶିକ୍ଷା ନୀତି ଆଧାରରେ ପିଲାଙ୍କୁ ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ମୌଳିକ ଶିକ୍ଷା ପ୍ରଦାନ କରାଯିବ। ଖେଳ ଶିକ୍ଷାକୁ ପ୍ରାଥମିକତା ଦିଆଯିବ। ଏହି ତିନି ବର୍ଷର ଅବଧିକୁ ଶିକ୍ଷା ନୀତିରେ ବାଲବାଟିକା ଭାବରେ ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ବାଲବାଟିକାକୁ ସ୍କୁଲ ବ୍ୟବସ୍ଥାରେ ଅନ୍ତର୍ଭୃକ୍ତ କରାଯାଇଛି। ଏହିପରି ଏକ ବ୍ୟବସ୍ଥାକୁ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହେଉଛି ଉତ୍ତରାଖଣ୍ଡ ।ନୂଆ ଶିକ୍ଷା ନୀତି ୩ରୁ ୨୩ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିର ଜ୍ଞାନ, ଗୁଣାତ୍ମକ ଶିକ୍ଷା, କୌଶଳ ସହ କ୍ଷମତା ବଢ଼ାଇବାରେ ସହଯୋଗୀ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂହ ରାଓ୍ୱତଙ୍କ ସହ ରାଜ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେ କହିଛନ୍ତି ଉତ୍ତରାଖଣ୍ଡ ବାଲବାଟିକା, ଆଞ୍ଚଳିକ ଭାଷା, ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ, ଦକ୍ଷତା ବିକାଶ ସହ ଅନେକ ପଦକ୍ଷେପକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରୁଛି। ଏକ ସୁଦୃଢ଼ ଶିକ୍ଷା ଏବଂ ଦକ୍ଷତା ବିକାଶ ଇକୋସିଷ୍ଟମ ସହ ଉତ୍ତରାଖଣ୍ଡ ରାଜ୍ୟର  ଯୁବପିଢିଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ଆବଶ୍ୟକୀୟ ଜ୍ଞାନ ଓ ଦକ୍ଷତା ଭିତ୍ତିରେ ପ୍ରସ୍ତୁତ କରିବ।

ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ  ହେଉଛି। ଆମେ ଶିଳ୍ପ ବିପ୍ଳବ ୪.୦ର ମଧ୍ୟଭାଗରେ ଅଛୁ। ପ୍ରଯୁକ୍ତିବିଦ୍ୟା କ୍ରମାଗତ ଭାବରେ ଶିକ୍ଷାର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରୁଛି। ଶିକ୍ଷା ଏବଂ ଡିଜିଟାଲ ବିଶ୍ୱବିଦ୍ୟାଳୟ ପାଇଁ ଭାରତ ସରକାର ୨୬୦ ଟିଭି ଚ୍ୟାନେଲ ଆଣୁଛନ୍ତି। ଉତ୍ତରାଖଣ୍ଡ ଯୁବବର୍ଗ ଆଗାମୀ ଦିନର ଭବଷ୍ୟତର ଆହ୍ୱାନକୁ ସାମ୍ନା କରିବା ପାଇଁ ସମର୍ଥ। ଆଜିର ଶୁଭାରମ୍ଭ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଙ୍ଗତ୍ରି ଠାରୁ ଆରମ୍ଭ କରି ସୌରଜଗତ ତଥା ଆମର ଯୁବପିଢିଙ୍କୁ ବିଶ୍ୱକୁ ଅନ୍ୱେଷଣ କରିବାକୁ ହେବ। ଆମ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ ହେବା ସହ ଯୁବପିଢ଼ିଙ୍କ ଆକାଂକ୍ଷାକୁ ପୂରଣ କରିବ। ଉତ୍ତରାଖଣ୍ଡର ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ଇକୋସିଷ୍ଟମ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହରିଦ୍ୱାର ସ୍ଥିତ ପତଞ୍ଜଳି ଯୋଗପୀଠ ଠାରେ ବାବା ରାମଦେବଙ୍କ ସହ ଆଚାର୍ଯ୍ୟ କୁଲମ ବାର୍ଷିକ ସମାରୋହରେ ଯୋଗ ଦେଇଥିଲେ। ଏହାବ୍ୟତିତ ଉତ୍ତରାଖଣ୍ଡର ଶିକ୍ଷା ମନ୍ତ୍ରୀଙ୍କ ସହ ରାନିପୁର ସ୍ଥିତ ହରିଦ୍ୱାର ରାଜକୀୟ ଇଣ୍ଟର କଲେଜ ପରିଦର୍ଶନ କରିବା ସହ  ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣାରେ ୨୫ ମୃତ: ରାତାରାତି ୨୧ ଲୋକଙ୍କୁ ଉଦ୍ଧାର କଲା ଏସଡିଆରଏଫ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୌଡି ଗଢୱାଲ ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ ବରଯାତ୍ରୀ ବସ୍ ୫୦୦ ମିଟର ଗଭୀର ଖାଇକୁ ଖସିପଡିଛି। ଏହି ବସ୍‌ରେ ପ୍ରାୟ ୪୫ ରୁ ୫୦ ଜଣ ଲୋକ ଯାତ୍ରା କରୁଥିଲେ। ଘଟଣାର ସୂଚନା ପାଇବା ମାତ୍ରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏସଡିଆରଏଫ ର ଚାରୋଟି ଟିମ୍ ଏଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି।

Categories
ବିଶେଷ ଖବର

ଗୋଆ ପରେ ଉତ୍ତରାଖଣ୍ଡରେ ହଲଚଲ, ଦଳ ଛାଡିପାରନ୍ତି କଂଗ୍ରେସର ୩ ବଡ ନେତା, ହରକ ସିଂ ରାୱତଙ୍କ ଘରେ ହେଲା ବୈଠକ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ତିନିଜଣ ବରିଷ୍ଠ ନେତା ସୋମବାର ଇସ୍ତଫା ଦେଇ ଦିଲ୍ଲୀର ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ଉତ୍ତରାଖଣ୍ଡ କଂଗ୍ରେସ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ରାତୋରୀ, ରାଜ୍ୟ ମହିଳା କଂଗ୍ରେସ ଉପାଧ୍ୟକ୍ଷ କମଲେଶ ରମଣ ଏବଂ ସୋସିଆଲ ମିଡିଆ ପରାମର୍ଶଦାତା କୁଲଦୀପ ଚୌଧୁରୀ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି।

ପାର୍ଟିରେ ଏହି ସମସ୍ତଙ୍କୁ ସ୍ୱାଗତ କରି ମନୀଷ ସିସୋଦିଆ କହିଛନ୍ତି ଯେ, ଏହା ଉତ୍ତରାଖଣ୍ଡରେ AAP ଆହୁରି ମଜବୁତ ହେବ। କଂଗ୍ରେସ ଛାଡିଥିବା ନେତାମାନେ ବିଧାନସଭା ନିର୍ବାଚନରେ ​​ପରାଜୟ ବରଣ କରିବା ସତ୍ତ୍ୱେ ଦଳ ଛାଡିବାର କାରଣ କହିଥିଲେ। ଏହି ନେତାଙ୍କ ଇସ୍ତଫା ଖବର ପାଇବା ପରେ ଉତ୍ତରାଖଣ୍ଡ ବିଧାନସଭାରେ ପୂର୍ବତନ ବିରୋଧୀ ଦଳର ନେତା ପ୍ରୀତମ ସିଂ ଏବଂ ଖତିମା ବିଧାୟକ ଭବନ ଚନ୍ଦ୍ର କପଡିଙ୍କ ସମେତ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରାକ ସିଂ ରାୱତଙ୍କ ବାସଭବନରେ ଏକ ବୈଠକ କରି ଦଳ ପ୍ରତି ସେମାନଙ୍କ ଚିନ୍ତାଧାରା ଜଣାଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ମୁଖପାତ୍ର ଥିବା ଆରପି ରତୁରୀ ଏବଂ ଦେହରାଡୁନ୍ ମହିଳା କଂଗ୍ରେସର ମହାନଗର ସଭାପତି ଥିବା କମଲେଶ ରମଣ ଦଳକୁ ବିଦାୟ ଦେଇ AAP ରେ ଯୋଗ ଦେଇଥିଲେ। ୨୦୧୭ ଏବଂ ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଏକ ବୃହତ ବ୍ୟବଧାନରେ ହାରିଯାଇଥିଲା। ଦଳକୁ ମଜବୁତ କରିବାର ଆବଶ୍ୟକତା ଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତି ବିଗଡିବାରେ ଲାଗିଛି।

ଇସ୍ତଫା ଦେବାର କାରଣ ହେଉଛି ଅନ୍ତର୍ବିବାଦ!:

ଆରପି ରତୁରୀ ଏବଂ କମଲେଶ ରମଣ ଦୀର୍ଘ ଦିନ ଧରି ପ୍ରକୃତ ସୈନିକ ଭାବରେ କଂଗ୍ରେସରେ ଥିଲେ। ଏବେ ହଠାତ୍ ଦଳ ଉପରେ କ୍ରୋଧିତ ହୋଇ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ପାର୍ଟି ଛାଡିବା ପୂର୍ବରୁ ଆରପି ରତୁରୀ ସୋସିଆଲ ମିଡିଆରେ ଯନ୍ତ୍ରଣା ବ୍ୟକ୍ତ କରିଥିଲେ। ସେ ଲେଖିଛନ୍ତି ଯେ, “ଆଜି ମୋର ହୃଦୟ ଅତ୍ୟନ୍ତ ଆଘାତ ପାଇଛି। ମୁଁ ମୋର ଜୀବନର ୪୫ ବର୍ଷ କଂଗ୍ରେସ ଦଳକୁ ଦେଇଥିଲି ଏବଂ ବର୍ତ୍ତମାନ କଂଗ୍ରେସର ଅବସ୍ଥା ଭବିଷ୍ୟତରେ ଭଲ ସଙ୍କେତ ନୁହେଁ। ବହୁତ ଦୁଃଖଦାୟକ ” କଂଗ୍ରେସ ଛାଡିବା ପରେ ରତୁରୀ କହିଛନ୍ତି ଯେ, ଦଳରେ ସବୁକିଛି ଠିକ୍ ଚାଲିନାହିଁ।

ବିଶେଷ କଥା ହେଉଛି ନିକଟରେ ପ୍ରୀତମ ସିଂ ୨୦୧୬ ବିଦ୍ରୋହକୁ କଂଗ୍ରେସର ଦୁର୍ବଳତାର ସବୁଠାରୁ ବଡ କାରଣ ବୋଲି ବର୍ଣ୍ଣନା କରିଥିଲେ ଏବଂ ପରୋକ୍ଷରେ ହରିଶ ରାୱତଙ୍କୁ ସୂଚିତ କରିଥିଲେ। ୨୦୧୬ ରେ ଯେତେବେଳେ ହରିଶ ରାୱତ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ନଅ ଜଣ ଅସନ୍ତୋଷ ନେତା କଂଗ୍ରେସରୁ ବିଦ୍ରୋହ କରି ବିଜେପିରେ ଯୋଗ ଦେଇଥିଲେ। ସେହି ଦିନଠାରୁ, ବଡ ନେତାଙ୍କ ମଧ୍ୟରେ ପାରସ୍ପରିକ କଳହ ହେତୁ ଦଳର ଜଣେ ଛୋଟ କର୍ମୀ ମଧ୍ୟ ଅସହଜ ମନେ କରୁଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡ: ଦଳରୁ ଇସ୍ତଫା ଦେଲେ ଆମ୍ ଆଦମୀ ପାର୍ଟି ସଭାପତି ଦୀପକ ବାଲି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆମ୍ ଆଦମୀ ପାର୍ଟିକୁ ପୁଣି ଏକ ଝଟକା ଲାଗିଛି। AAP ରାଜ୍ୟ ସଭାପତି ଦୀପକ ବାଲି ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ଜାତୀୟ ସମ୍ମିଳନୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ଚିଠିରେ ସେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିର କାର୍ଯ୍ୟକଳାପକୁ ନେଇ ମୁଁ ନିଜକୁ ଅସହଜ ମନେ କରୁଛି ଏବଂ ସେଥିପାଇଁ ଆମ୍ ଆଦମୀ ପାର୍ଟିର ସଭାପତି ପଦ ଏବଂ ଦଳର ସଦସ୍ୟତାରୁ ମୁଁ ଇସ୍ତଫା ଦେଉଛି। ଦୟାକରି ମୋର ଇସ୍ତଫା ପତ୍ର ଗ୍ରହଣ କରନ୍ତୁ ବୋଲି ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଚମ୍ପାବତ ବିଧାନସଭା ଉପ-ନିର୍ବାଚନ: ୫୪,୧୨୧ ଭୋଟରେ ବିଜୟ ହେଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମ୍ପାବତ ବିଧାନସଭା ଆସନର ଉପ-ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାବତ ବିଧାନସଭା ଆସନରୁ ଜିତିଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡିଙ୍କ ସହିତ ଏସପି ପ୍ରାର୍ଥୀ ମନୋଜ କୁମାର ଏବଂ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଗରକୋଟିଙ୍କୁ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭୋଟ୍ ଗଣନାରେ ପ୍ରଥମ ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ପୁଷ୍କର ଆଗୁଆ ରହିଥିଲେ। ବିଜେପି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ୫୪ ହଜାର ୧୨୧ ଭୋଟ ବ୍ୟବଧାନରେ ଜିତିଛନ୍ତି।

ବିଜେପି ପ୍ରାର୍ଥୀ ପୁଷ୍କର ଧାମି ୫୭ ହଜାର ୨୬୮ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡିଙ୍କୁ ୩ ହଜାର ୧୪୭ ଭୋଟ୍, ଏସପି ପ୍ରାର୍ଥୀ ମନୋଜ କୁମାରଙ୍କୁ ୪୦୯, ସ୍ଵାଧୀନ ପ୍ରାର୍ଥୀ ହିମାଂଶୁ ଗରକୋଟିଙ୍କୁ ୩୯୯ ଏବଂ ନୋତାରେ ୩୭୨ ଭୋଟ ପଡିଥିଲା।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ଆପ୍ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିଆଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିଆଲ ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ରାଜ୍ୟ ବିଜେପି ସଭାପତି ମଦନ କୌଶିକ ଉପସ୍ଥିତ ଥିଲେ। କର୍ଣ୍ଣେଲ (ଅବସରପ୍ରାପ୍ତ) ଅଜୟ କୋଠିଆଲ ମଇ ୧୮ ତାରିଖ ଦିନ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିଲେ। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ଗଙ୍ଗୋତ୍ରୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା କୋଠିଆଲଙ୍କ ବୃହତ ପରାଜୟ ହୋଇଥିଲା।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖିଥିବା ପତ୍ରରେ କର୍ଣ୍ଣେଲ କୋଠିଆଲ କହିଥିଲେ ଯେ, ମୁଁ ଏପ୍ରିଲ ୧୯ ତାରିଖ ୨୦୨୧ରୁ ମଇ ୧୮ ତାରିଖ ୨୦୨୨ ପର୍ଯ୍ୟନ୍ତ ଆମ୍ ଆଦମୀ ଦଳର ସଦସ୍ୟ ଥିଲି। ପୂର୍ବତନ ସେବାୟତଙ୍କ, ପାରାମିଲିଟାରୀ ଫୋର୍ସର ପୂର୍ବତନ ସୈନିକ, ଅର୍ଦ୍ଧସୈନିକ ବଳର ପୂର୍ବଟନ ସୈନିକ, ମହିଳା, ଯୁବକ ଏବଂ ବୁଦ୍ଧିଜୀବୀଙ୍କ ଭାବନାକୁ ଧ୍ୟାନରେ ରଖି ମୁଁ ମେ ୧୮ ତାରିଖରେ ଆପଣଙ୍କୁ ଇସ୍ତଫା ପଠାଉଛି।

ଗତ ବର୍ଷ ଅଗଷ୍ଟରେ କୋଠିଆଲଙ୍କ ନାମ ଆପ୍ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ ଯେ, ଦଳର ମୁଖ୍ୟମନ୍ତ୍ରୀ ଭାବରେ ପୂର୍ବତନ ସେନା ଅଧିକାରୀ ଚୟନ କରିବାର ନିଷ୍ପତ୍ତି ରାଜ୍ୟବାସୀଙ୍କଠାରୁ ଗ୍ରହଣ କରାଯାଇଛି।

ରାଜ୍ୟର ସମସ୍ତ ୭୦ ଟି ବିଧାନସଭା ଆସନରେ ପ୍ରାର୍ଥୀ ଥିବାରୁ ଏହା ଉତ୍ତରାଖଣ୍ଡ ପାଇଁ ଆପ୍ ର ବଡ ଯୋଜନା ଥିଲା। କିନ୍ତୁ ରାଜ୍ୟରେ ଦଳ ନିଜର ଖାତା ମଧ୍ୟ ଖୋଲିପାରି ନଥିଲା।

Categories
ଆଜିର ଖବର ଜାତୀୟ ଖବର

ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲେ ଉତ୍ତରାଖଣ୍ଡ କଂଗ୍ରେସ ଉପାଧ୍ୟକ୍ଷ ଅକୀଲ ଅହମ୍ମଦ, ଏହା ହେଉଛି କାରଣ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ପରାଜୟ ପରେ ପୁଣି ଥରେ ନେତାଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ଖୋଲାଖୋଲି ଭାବେ ଦେଖାଯିବା ଆରମ୍ଭ କରିଛି। ବର୍ତ୍ତମାନ ଗଣମାଧ୍ୟମରେ ଅନାବଶ୍ୟକ ବିବୃତ୍ତି ଦେଇଥିବାରୁ ଉତ୍ତରାଖଣ୍ଡ କଂଗ୍ରେସ ଉପାଧ୍ୟକ୍ଷ ଅକୀଲ ଅହମ୍ମଦଙ୍କୁ ୬ ବର୍ଷ ଧରି ଦଳରୁ ବହିଷ୍କାର କରାଯାଇଛି।

ଏହା ଜଣା ଯେ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ, ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ଅକିଲ ଅହମ୍ମଦ ଏକ ମୁସଲମାନ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ଘୋଷଣା କରିଥିଲେ। ନିର୍ବାଚନ ସମୟରେ ବିଜେପି ଏହାକୁ ଏକ ବଡ଼ ପ୍ରସଙ୍ଗ କରିଥିଲା।

ଏହାପୂର୍ବରୁ ଭାରତୀୟ ଜନତା ପାର୍ଟିର ସମର୍ଥକ ତଥା ଜଣେ କଂଗ୍ରେସ ନେତାଙ୍କ ସମର୍ଥକମାନେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ଭାବମୂର୍ତ୍ତିକୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ। ରାଜ୍ୟରେ ଏକ ମୁସଲମାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ସେ କୌଣସି ବିବୃତ୍ତି ଦେଇଥିବାର ପ୍ରମାଣିତ ହେଲେ ସେ ରାଜନୀତି ଛାଡିଦେବେ ବୋଲି ରାୱତ କହିଥିଲେ।

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଚାର ମୁଖ୍ୟ ହରିଶ ରାୱତଙ୍କ ଏହି ଅଭିଯୋଗକୁ ବିଜେପି ଏକ ପ୍ରମୁଖ ପ୍ରସଙ୍ଗ କରିଥିଲା। ରାଜ୍ୟସଭା ନିର୍ବାଚନରେ ​​ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ ୭୦ ଟି ସିଟ୍ ମଧ୍ୟରୁ ୪୭ ଟି ଜିତି ସରକାର ଗଠନ କରିଛି।

Categories
ବିଶେଷ ଖବର

ହାରିଲେ ପୁଷ୍କର ସିଂ ଧାମି, ଏବେ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ କିଏ ହେବ? ଦୌଡରେ ଏହି ବିଜେପି ନେତାଙ୍କ ନାମ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ଏକ ବଡ଼ ବିଜୟ ହାସଲ କରିଛି। ତେବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖଟିମା ବିଧାନସଭା ଆସନରୁ ନିର୍ବାଚନରେ ​​ହାରିଛନ୍ତି। କଂଗ୍ରେସର ଭୁବନ ଚନ୍ଦ୍ର କାପଡି ତାଙ୍କୁ ୬ ହଜାର ୫୭୯ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ, ରାଜ୍ୟରେ ଏବେ ବିଜେପିର ସିଏମ ଚେହେରା କିଏ ହେବ? ସୂତ୍ରରୁ ଜଣାପଡିଛି ଯେ, ଧନ ସିଂ ରାୱତ, ସତ୍ୟପାଲ ମହାରାଜ ଏବଂ ତ୍ରିବେନ୍ଦ୍ର ସିଂ ରାୱତ ଉତ୍ତରାଖଣ୍ଡରେ ସିଏମ୍ ଦୌଡରେ ଅଛନ୍ତି। ମୁସୁରୀ ବିଧାୟକ ଗଣେଶ ଯୋଶୀ ମଧ୍ୟ ଏଥିପାଇଁ ଦୌଡରେ ଅଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଉତ୍ତରାଖଣ୍ଡର ମୋଟ ୭୦ ଟି ସିଟ୍ ମଧ୍ୟରୁ ବିଜେପି ୪୭ ଟି ସିଟ୍ ଜିତୁଥିବା ଦେଖାଯାଉଛି। ସରକାର ଗଠନ ପାଇଁ ରାଜ୍ୟର ଯେକୌଣସି ଦଳକୁ ୩୬ ଟି ଆସନ ଆବଶ୍ୟକ କରେ। କଂଗ୍ରେସ ୧୩ ଟି ଆସନ ଜିତି ୬ ଟି ଆସନରେ ଆଗୁଆ ରହିଛି। କଂଗ୍ରେସର ଜଣେ ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୌଡରେ ଥିବା ହରିଶ ରାୱତଙ୍କୁ ଲାଲକୁଆ ଆସନରୁ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟର ପରାଜୟର ସାମ୍ନା କରିବାକୁ ପଡିଛି।

ମାୟାବତୀଙ୍କ ବିଏସପି ଗୋଟିଏ ଆସନ ଜିତି ଗୋଟିଏ ସ୍ଥାନରେ ଆଗୁଆ ରହିଛି। ଦୁଇଟି ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ୨୦୦୦ ମସିହାରେ ସୃଷ୍ଟି ହୋଇଥିବା ଉତ୍ତରାଖଣ୍ଡର ଇତିହାସରେ କୌଣସି ଦଳ ଲଗାତାର ଦୁଇଥର ସରକାର ଗଠନ କରିନାହାଁନ୍ତି। ଏବେ ବିଜେପି କ୍ରମାଗତ ଦୁଇଥର ସଂଖ୍ୟା ଗରିଷ୍ଠତା ହାସଲ କରି ଇତିହାସ ସୃଷ୍ଟି କରିବାକୁ ଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ: ୪୧ ଟି ଆସନରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୭୦ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ଗଣତିରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା ଦେଖାଯାଉଛି।

ଉତ୍ତରାଖଣ୍ଡ ମୋଟ ଆସନ ୭୦/୭୦ (ଆଗୁଆ/ବିଜୟୀ):

ବିଜେପି- ୪୧

କଂଗ୍ରେସ- ୨୫

ଅନ୍ୟ- ୦୪

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ: ପୁଣିଥରେ ସରକାର ଗଠନ କରିପାରିବ କି ବିଜେପି?, ଦେଖନ୍ତୁ ଫଳାଫଳ

ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୭୦ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ  ଟ୍ରେଣ୍ଡରେ ବିଜେପି ଆଗୁଆ ଥିବା ବେଳେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଅଛି।

ଉତ୍ତରାଖଣ୍ଡ ମୋଟ ଆସନ ୭୦/୬୫ (ଗଣତି):

ବିଜେପି- ୩୯

କଂଗ୍ରେସ- ୨୧

ଅନ୍ୟ- ୦୫

Categories
ଆଜିର ଖବର ଧର୍ମ

ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଶିବପାର୍ବତୀଙ୍କ ବାହାଘର ଦେଖୁଥିଲେ ବିଷ୍ଣୁ

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ମନ୍ଦିର ଅଛି ଯାହାର ନାମ ହେଉଛି ତ୍ରିଯୁଗୀନାରାୟଣ ମନ୍ଦିର। ଏହି ମନ୍ଦିରର ବିଶେଷତ୍ବ ହେଉଛି ଯେ ବିଷ୍ଣୁ, ଶିବପାର୍ବତୀଙ୍କ ବାହାଘର ଏହି ସ୍ଥାନରେ ବସି ଦେଖିଥିଲେ। ଏହାର ଆଉ ଏକ ବିଶେଷତ୍ବ ହେଉଛି ଏହି ମନ୍ଦିର ସମ୍ମୁଖରେ ଏକ ଅଖଣ୍ଡ ଧ୍ବନି ଜଳୁଛି। ବିଶ୍ବାସ ରହିଛି ବାହାଘର ଦେଖିବା ପାଇଁ ବିଷ୍ଣୁ ସେହିଠାରେ ଏକ କୁଣ୍ଡରେ ଅଗ୍ନି ଜାଳି ବସିଥିଲେ। ଫଳରେ ସେହି ଧ୍ବନି ଆଜି ପର୍ଯ୍ୟନ୍ତ ଅର୍ଥାତ ତିନି ଯୁଗ ଧରି ଜଳୁଛି ବୋଲି କୁହାଯାଉଛି। ଭକ୍ତମାନେ ସେହି ମନ୍ଦିରକୁ ଦର୍ଶନରେ ଆସିଲେ ଭକ୍ତିପୂତ ଭାବେ ସେହି ଅଗ୍ନି କୁଣ୍ଡରେ କାଠ ନିକ୍ଷେପ କରିଥାନ୍ତି। ଏହା ଦ୍ବାରା ପରିବାରର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି।

Categories
ଆଜିର ଖବର ଜାତୀୟ ଖବର

ବିଧାନସଭା ନିର୍ବାଚନ: ଜାଣନ୍ତୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କେଉଁ ରାଜ୍ୟରେ କେତେ ପ୍ରତିଶତ ଭୋଟ

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୫୫ ଟି ଆସନ ଏବଂ ଉତ୍ତରାଖଣ୍ଡ-ଗୋଆର ସମସ୍ତ ଆସନରେ ମତଦାନ ଅନୁଷ୍ଠିତ ହୋଇଛି। ଗୋଆରେ ୬୦ ଟି ବିଧାନସଭା ଆସନ ପାଇଁ ଭୋଟରମାନେ ବମ୍ପର ଭୋଟ୍ ଦେଇଛନ୍ତି। ୟୁପିରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୬୦.୪୪ ପ୍ରତିଶତ ମତଦାନ ହୋଇଛି। ଉତ୍ତରାଖଣ୍ଡରେ ୫୯.୩୭ ପ୍ରତିଶତ ଏବଂ ଗୋଆରେ ୭୫.୨୯ ପ୍ରତିଶତ ଭୋଟ୍ ଦିଆଯାଇଛି।

ତେବେ ୟୁପିର କେତେକ ସ୍ଥାନରେ ମନ୍ଥର ଭୋଟ୍ ଏବଂ ବିଦ୍ୟୁତ୍ ସରବରାହ ବନ୍ଦ ହେବାର ଖବର ମଧ୍ୟ ରହିଛି। ଆଲୋକ ନ ଥିବାରୁ ମୁରୁଦାବାଦର ରାଜକଲା ପିଢୀ ବାଳିକା ଇଣ୍ଟର କଲେଜରେ ମଧ୍ୟ ମତଦାନ ବନ୍ଦ ହୋଇଯାଇଥିଲା। ଭୋଟରମାନେ ଅଧ ଘଣ୍ଟା ପାଇଁ ବିଦ୍ୟୁତକୁ ଅପେକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନ ଆଲୋକ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ କରିନଥିଲା।

ରାମପୁର ବିଧାନସଭା ଆସନରେ ୫୬.୨ ପ୍ରତିଶତ ଭୋଟ୍ ଦିଆଯାଇଛି, ଯେଉଁଠାରେ ଆଜାମ ଖାନ ଏସପି ପ୍ରାର୍ଥୀ ଅଟନ୍ତି। ଏଥିସହିତ ସ୍ୱାର୍ ବିଧାନସଭା ଆସନରେ ୫୪.୧୩ ପ୍ରତିଶତ ଭୋଟ୍ ଦିଆଯାଇଛି। ଆଜାମ ଖାନଙ୍କ ପୁଅ ଅବଦୁଲ୍ଲା ଏଠାରୁ ଏସପି ପ୍ରାର୍ଥୀ ଅଟନ୍ତି।

Categories
ବିଶେଷ ଖବର

ଘୋଷଣା ହେଲା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ: ଜାଣନ୍ତୁ କେବେ ଆଉ କେତୋଟି ପର୍ଯ୍ୟାୟରେ ହେବ ମତଦାନ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାଥିବାବେଳେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ନିର୍ବାଚନ ରାଜ୍ୟରେ ଆଚରଣ ଆଚରଣ ବିଧି ମଧ୍ୟ କାର୍ଯ୍ୟକାରୀ ହୋଇଛି। ଉତ୍ତରପ୍ରଦେଶର ୪୦୩ ଟି ଆସନ ପାଇଁ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରାଖଣ୍ଡର ସମସ୍ତ ୭୦ ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ପଞ୍ଜାବର ୧୧୭ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଗୋଆରେ ୪୦ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମଣିପୁରରେ ୬୦ ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

ନିର୍ବାଚନର ତାରିଖ କ’ଣ?:

ୟୁପିରେ ୭ ଟି ପର୍ଯ୍ୟାୟରେ, ମଣିପୁରରେ ଦୁଇଟି ପର୍ଯ୍ୟାୟରେ ଏବଂ ଗୋଆ, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ କେବଳ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ୟୁପିରେ ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୦ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ ତାରିଖ, ତୃତୀୟ ପର୍ଯ୍ୟାୟ ଫେବୃଆରୀ ୨୦ ତାରିଖ, ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୩ ତାରିଖ, ଫେବୃଆରୀ ୨୭ ତାରିଖରେ ପଞ୍ଚମ ପର୍ଯ୍ୟାୟ, ମାର୍ଚ୍ଚ ୩ ତାରିଖରେ ଷଷ୍ଠ ପର୍ଯ୍ୟାୟ, ମାର୍ଚ୍ଚ ୭ ରେ ସପ୍ତମ ପର୍ଯ୍ୟାୟ ହେବ। ଏହା ବ୍ୟତୀତ ଫେବୃଆରୀ ୧୪ ତାରିଖରେ ପଞ୍ଜାବ, ଗୋଆ ଏବଂ ଉତ୍ତରାଖଣ୍ଡରେ ଭୋଟ୍ ଗ୍ରହଣ କରାଯିବ। ଏହି ତିନୋଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଅନୁଷ୍ଠିତ ହେବ। ମଣିପୁରରେ ମତଦାନ ଫେବୃଆରୀ ୨୭ ଏବଂ ମାର୍ଚ୍ଚ ୩ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ତେବେ ମାର୍ଚ୍ଚ ୧୦ ତାରିଖରେ ସମସ୍ତ ୫ ଟି ରାଜ୍ୟର ଫଳାଫଳ ଘୋଷଣା କରାଯିବ।

ଜାନୁଆରୀ ୧୫ ପର୍ଯ୍ୟନ୍ତ ରାଲି ଏବଂ ଶୋଭାଯାତ୍ରା ନିଷେଧ:

ନିର୍ବାଚନ ଘୋଷଣା କରି ନିର୍ବାଚନ କମିଶନର୍ କହିଛନ୍ତି ଯେ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ରାସ୍ତାଘାଟରେ ସଭା, ସମାବେଶ, ରୋଡ୍ ସୋ ଉପରେ ପ୍ରତିବନ୍ଧକ ଲଗାଯିବ। ଦ୍ୱାରରୁ ଦ୍ୱାର ଅଭିଯାନରେ କେବଳ ୫ ଜଣ ଅଂଶଗ୍ରହଣ କରିବେ। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ, ଅଧିକାଂଶ ରାଜ୍ୟରେ ଟୀକାକରଣର ଅବସ୍ଥା ଭଲ। ଗୋଆରେ ଜନସଂଖ୍ୟାର ୯୫ ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଇଛି। ଉତ୍ତରାଖଣ୍ଡରେ ୯୦ ପ୍ରତିଶତ ଲୋକ ପ୍ରଥମ ଟିକା ପାଇଛନ୍ତି। ସମସ୍ତ ଏଜେନ୍ସିକୁ ସତର୍କ କରାଯାଇଛି। ସୁଭିଧା ଆପ୍ ମାଧ୍ୟମରେ ଅନ୍‌ଲାଇନ୍ ପ୍ରାର୍ଥୀମାନଙ୍କର ନାମାଙ୍କନ କରାଯିବ।

୨୦୧୭ ନିର୍ବାଚନରେ କେଉଁ ଦଳ କେତୋଟି ଆସନ ପାଇଥିଲା:

୧- ଉତ୍ତରପ୍ରଦେଶରେ ମୋଟ ସିଟ୍- ୪୦୩

ବିଜେପି- ୩୨୫
ସମାଜବାଦୀ ପାର୍ଟି- ୪୭
ବିଏସପି- ୧୯
କଂଗ୍ରେସ- ୭
ଅନ୍ୟମାନେ- ।।

୨- ପଞ୍ଜାବରେ ମୋଟ ସିଟ୍- ୧୧୭

କଂଗ୍ରେସ- ୭୭
ଆପ- ୨୦
ଅକାଳୀଦଳ- ୧୫
ବିଜେପି- ୦୩
ଅନ୍ୟମାନେ- ୦୨

୩- ଉତ୍ତରାଖଣ୍ଡ ରେ ମୋଟ ଆସନ- ୭୦

ବିଜେପି- ୫୭
Cong- ୧୧
ଅନ୍ୟମାନେ- ୨

୪- ମଣିପୁର ସମୁଦାୟ ଆସନ- ୬୦

୨୦୧୭ ନିର୍ବାଚନରେ ​​ବିଜେପି ଏଠାରେ ମାତ୍ର ୨୧ ଟି ଆସନ ପାଇଥିଲା, ଯେଉଁଥିପାଇଁ ୬୦ ଜଣିଆ ବିଧାନସଭାରେ ସରକାର ଗଠନ ପାଇଁ ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ ପଡିଥିଲା। ସର୍ବାଧିକ ସିଟ୍ ଜିତିଥିବା କଂଗ୍ରେସକୁ ୨୮ ଟି ସିଟ୍ ଜିତିବା ପରେ ମଧ୍ୟ ରାଜ୍ୟର କ୍ଷମତାରୁ ବହିଷ୍କାର କରିବାକୁ ପଡିବ।

୫- ଗୋଆ ମୋଟ ସିଟ୍-୪୦

ବର୍ତ୍ତମାନ ଗୋଆରେ ବିଜେପି ସରକାର ଅଛି। ଏହାର ନିଜସ୍ୱ ୨୫ ଜଣ ବିଧାୟକ ଏବଂ ଏକ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଅଛି। ୨୦୧୭ ନିର୍ବାଚନରେ ​​କଂଗ୍ରେସ ୧୫ ଟି ସିଟ୍ ଜିତି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା କିନ୍ତୁ ଏହା ସରକାର ଗଠନ କରିପାରିଲା ନାହିଁ।

Categories
ବିଶେଷ ଖବର

ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଅପରାହ୍ନ ୩.୩୦ ରେ ହୋଇପାରେ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆଜି ଅପରାହ୍ନ ୩.୩୦ ରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଘୋଷଣା କରିବେ। ଚଳିତ ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଉଛି, ଯେଉଁ ସମୟରେ ଦେଶରେ କରୋନା ନିଜର ଭୟଙ୍କର ରୂପ ଦେଖାଉଛନ୍ତି। ଉତ୍ତରପ୍ରଦେଶରେ ଯେଉଁଠାରେ ୪୦୩ ଟି ଆସନରେ ମତଦାନ ହେବ। ଏଥି ସହିତ ଗୋଆରେ ୪୦ ଟି ବିଧାନସଭା ଆସନ ପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପଞ୍ଜାବରେ ୧୧୭ ଟି ଆସନ ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରାଖଣ୍ଡରେ ୭୦ ଟି ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ମଣିପୁରରେ ୬୦ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ନବୋଦୟ ବିଦ୍ୟାଳୟରେ ୮୨ ପିଲା କରୋନା ପଜିଟିଭ୍

ଦେହରାଡୁନ୍: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରୁ ଭୟାନକ ଖବର ଆସିଛି। ନୈନିତାଲ ଜିଲ୍ଲାର ନବୋଦୟ ବିଦ୍ୟାଳୟରେ ୮୨ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିଛି ପିଲାଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଉଲ୍ଲେଖ ଯୋଗ୍ୟ ଯେ, ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ। ଯାହା ପରେ ୪୮୮ ପିଲାଙ୍କ କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରୁ ୮୨ ଜଣ ପିଲା କରୋନା ପଜିଟିଭ୍ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡରେ ଓମିକ୍ରୋନର ଚାରୋଟି ନୂତନ ମାମଲା ରିପୋର୍ଟ ହୋଇଥିଲା। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଆଠକୁ ବୃଦ୍ଧି ପାଇଥିଲା। ଅତୀତରେ ଓମିକ୍ରନ୍ ଦ୍ଵାରା ସଂକ୍ରମିତ ଚାରି ଜଣଙ୍କୁ ଆରୋଗ୍ୟ କରାଯାଇଛି। ଡିସେମ୍ବର ୧୧ ତାରିଖରେ ରାଜ୍ୟରେ ଓମିକ୍ରନର ପ୍ରଥମ ମାମଲା ଆସିଥିବାବେଳେ ଡିସେମ୍ବର ୨୭ ତାରିଖରେ ଆଉ ତିନୋଟି ମାମଲା ରିପୋର୍ଟ ହୋଇଥିଲା।

Categories
ବିଶେଷ ଖବର

ଉତ୍ତରାଖଣ୍ଡରେ ୧୭ହଜାର ୫୦୦କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ୧୭ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ୨୩ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପର ଅବଧାରଣା ପ୍ରଥମେ ୧୯୭୬ ମସିହାରେ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ପଡି ରହିଥିଲା। ସେ ୮୭୦୦ କୋଟି ଟଙ୍କାର ସଡକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଥିଲେ। ଦୁର୍ଗମ,ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳରେ ସଂଯୋଗୀକରଣ ଦିଗରେ ଏହି ପ୍ରକଳ୍ପଗୁଡିକ ସହାୟକ ହେବ। କୈଳାସ ମାନସରୋବର  ଯାତ୍ରାର ସଂଯୋଗୀକରଣ ମଧ୍ୟ ଉନ୍ନତ ହେବ। ସେ  ମଧ୍ୟ ଉଦ୍ଦମସିଂ ନଗରରେ ଏମ୍ସ, ଋଷିକେଶର ଉପଗ୍ରହ କେନ୍ଦ୍ର ଓ ପିଥୋରାଗଡରେ ଜଗଜ୍ଜୀବନ ରାମ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମଗ୍ର ଦେଶରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାରେ ଏହା ଏକ ଅଂଶବିଶେଷ। ସେ କାଶୀପୁରଠାରେ ସୁଗନ୍ଧିତ ଗୁଳ୍ମରାଜି ଉଦ୍ୟାନ ଓ ସିତାରଗଞ୍ଜଠାରେ ପ୍ଲାଷ୍ଟିକ ଶିଳ୍ପ ଉଦ୍ୟାନର ଶିଳାନ୍ୟାସ କରିଥିଲେ। ଏହାଛଡା ରାଜ୍ୟବ୍ୟାପୀ ଅନ୍ୟାନ୍ୟ ବହୁମୁଖୀ ଗୃହନିର୍ମାଣ ପରିମଳ ଓ ପାନୀୟ ଜଳଯୋଗାଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ କୁମାୟୁଁ ସହ ତାଙ୍କର ବହୁ ପୁରୁଣା ସମ୍ପର୍କ ରହିଛି ଓ ଉତ୍ତରାଖଣ୍ଡୀ ଟୋପି ଦେଇ ତାଙ୍କୁ  ସମ୍ମାନୀତ କରିଥିବାରୁ ସେ ଅଞ୍ଚଳର ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। କାହିଁକି ଏହି ଦଶନ୍ଧି ଉତ୍ତରଖଣ୍ଡର ବୋଲି ପ୍ରଧାନମନ୍ତ୍ରୀ ସବିଶେଷ ବୃତ୍ତାନ୍ତ  କହିଥିଲେ। ସେ କହିଥିଲେ ଯେ ଉତ୍ତରାଖଣ୍ଡବାସୀଙ୍କ ଶକ୍ତି ଯୋଗୁଁ ହିଁ ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ। ଉତ୍ତରାଖଣ୍ଡରେ ବୃଦ୍ଧି ପାଉଥିବା ଆଧୁନିକ ଭିତ୍ତଭୂମି, ଚାରିଧାମ ପ୍ରକଳ୍ପ, ତିଆରି ଅଭିମୁଖୀ ରେଳପଥ ଯୋଗୁଁ ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ। ଉତ୍ତରାଖଣ୍ଡରେ ଜଳବିଦ୍ୟୁତ, ଶିଳ୍ପ , ପର୍ଯ୍ୟଟନ, ଜୈବିକ କୃଷି ଓ ସଂଯୋଗୀକରଣ ଦିଗରେ କରିଥିବା ଉନ୍ନତି ଯୋଗୁଁ ଯୁଗ ଉତ୍ତରାଖଣ୍ଡର ଯୁଗ ହେବ।

ପ୍ରଧାନମନ୍ତ୍ରୀ ପାର୍ବତ୍ୟାଞ୍ଚଳରେ ବିକାଶଧାରା କିପରି ବିକାଶ ଚିନ୍ତାଧାରଠାରୁ ଭିନ୍ନ ତା’ର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ସେ କହିଥିଲେ ଯେ ବିକାଶ ନ ହେବା ଯୋଗୁଁ ଅନେକ ଏହି ଅଞ୍ଚଳରୁ ଅନ୍ୟ ଆଡକୁ ପଳାୟନ କରୁଛନ୍ତି। ସେ କହିଥିଲେ ଯେ ସରକାର ସବ୍‌କା ସାଥ ସବକା ବିକାଶ ଉତ୍ସାହରେ କାର୍ଯ୍ୟ କରୁଛନ୍ତି। ଏମ୍ସ ଋଷିକେଶର ଉଦ୍ଦାମସିଂ ନଗରଠାରେ ଉପଗ୍ରହ କେନ୍ଦ୍ର ଓ ପିଥରାଗଡରେ ଜଗଜ୍ଜୀବନ ରାମ ସରକାରୀ ମେଡିକାଲ କଲେଜ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବ। ଆଜି ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା ତାହା ହେଉଛି ସଂକଳ୍ପର ପ୍ରସ୍ତର ଓ ସମ୍ପୂର୍ଣ୍ଣ ସଂକଳ୍ପର ସହ ତା’ର କାର୍ଯ୍ୟ ଶେଷ ହେବ। ଅତୀତରେ ଦାରିଦ୍ର‌୍ୟ ଓ ସଂଘର୍ଷ ଆଦି ସୁବିଧା ଓ ସହାବସ୍ଥାନରେ ପରିଣତ ହୋଇଛି ବୋଲି ସେ କହିଥିଲେ। ଗତ ସାତବର୍ଷ ମଧ୍ୟରେ ହର ଘର ଜଲ, ଶୌଚାଳୟ, ଉଜ୍ଜଳା ଯୋଜନା, ପିଏମ୍‌ଏୱାଇ ଯୋଗୁଁ ମହିଳାମାନଙ୍କ ମର୍ଯ୍ୟାଦା ସୁବିଧା ବୃଦ୍ଧି ଘଟିଛି।

ଆଗରୁ ଯେଉଁମାନେ ସରକାରରେ ଥିଲେ ସରକାରୀ ଯୋଜନାରେ ବିଳମ୍ବ ସେମାନଙ୍କ ସ୍ୱଭାବ ବନିଯାଇଥିଲା। “ଆଜି ଯେଉଁ ଲଖୱାର ପ୍ରକଳ୍ପ ଉତ୍ତରାଖଣ୍ଡରେ ଆରମ୍ଭ ହେଲା ତା’ର ମଧ୍ୟ ଏହି ଇତିହାସ ରହିଛି। ଏହି ପ୍ରକଳ୍ପ ୧୯୭୬ ମସିହାରେ କଳ୍ପନା କରାଯାଇଥିଲା। ଆଜି ୪୬ବର୍ଷ ପରେ ଆମ ସରକାର ଏହି କାମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବିଳମ୍ବ କୌଣସି ଅପରାଧରୁ କମ୍ ନୁହେଁ,” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଗଙ୍ଗୋତ୍ରୀ ଠାରୁ ଗଙ୍ଗାସାଗର ପର୍ଯ୍ୟନ୍ତ ଅଭିଯାନ ଚଳାଇଛନ୍ତି। ଶୌଚାଳୟ ନିର୍ମାଣ, ଉନ୍ନତ ନର୍ଦ୍ଦମା ବ୍ୟବସ୍ଥା ଯୋଗୁଁ ମଇଳା ନାଳ ପାଣି ଗଙ୍ଗାକୁ ନିଷ୍କାସିତ ହେବା  ହ୍ରାସ ପାଉଛି। ସେହିପରି ନୈନାତାଲ ହ୍ରଦ ପ୍ରତି ଧ୍ୟାନ ଦିଆଯାଇଛି। ନୈନିତାଲ  ଦେବସ୍ଥଳରେ କେନ୍ଦ୍ର ସରକାର ସର୍ବବୃହତ ଅପ୍ଟିକାଲ ଟେଲିସ୍କୋପ ମଧ୍ୟ ସ୍ଥାପନ କରିଛନ୍ତି। ଏହା କେବଳ ଦେଶ ଓ ଦେଶ ବାହାର ବୈଜ୍ଞାନିକମା୍‌ନଙ୍କୁ ନୂତନ ସୁବିଧା ଦେଇନାହିଁ, ବରଂ ଏହି ଅଞ୍ଚଳ ମଧ୍ୟ ନୂତନ ପରିଚୟ ପାଇଛି। ସେ କହିଥିଲେ ଯେ ଆଜି ଦିଲ୍ଲୀ ଏବଂ ଡେରାଡୁନ ସରକାର କେବଳ କ୍ଷମତା ଆଶାରେ ପରିଚାଳିତ ନୁହଁନ୍ତି, ସେବା ମନୋବୃତ୍ତି ଦ୍ୱାରା ପରିଚାଳିତ।

ସୀମାନ୍ତ ରାଜ୍ୟ ହେବା ସତ୍ୱେ ଅନେକ ପ୍ରତିରକ୍ଷା ସମ୍ପର୍କୀତ ଆବଶ୍ୟକତାକୁ ଅଣ ଦେଖା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ସଂଯୋଗୀକରଣ ସହ ଜାତୀୟ ସୁରକ୍ଷାର ପ୍ରତ୍ୟେକ ଦିଗକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ନେଇ ସେ କହିଥିଲେ ଯେ ସୈନିକକୁ ସଂଯୋଗୀକରଣ, ଆବଶ୍ୟକୀୟ ଅସ୍ତ୍ରୋପକରଣ ଇତ୍ୟାଦି ପାଇଁ ଅପେକ୍ଷା କରିବାକୁ  ପଡୁଥିଲା ଶତ୍ରୁକୁ କଡା ଟକ୍ଟର ଦେବା ପାଇଁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରଖଣ୍ଡ ବିକାଶର ଗତିକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛି।  ସେ କହିଥିଲେ “ଆପଣମାନଙ୍କ ସ୍ୱପ୍ନଗୁଡିକ ଆମର ସଂକଳ୍ପ, ଆପଣମାନଙ୍କ ଇଚ୍ଛା ଆମର ଉତ୍ସାହ ବର୍ତ୍ତମାନ ଆପଣମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ହେଉଛି ଆପଣମାନଙ୍କ ଦାୟିତ୍ୱ” ସେ କହିଥିଲେ ଯେ ଉତ୍ତରାଖଣ୍ଡ ଜନସାଧାରଣ ସଂକଳ୍ପ ଏହି ଯୁଗକୁ ଉତ୍ତରାଖଣ୍ଡଯୁଗ ଭାବେ ଗଢି ତୋଳିବ। (ପିଆଇବି)

Categories
ଆଜିର ଖବର ଧର୍ମ ସଂସ୍କୃତି

ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଶିବପାର୍ବତୀଙ୍କ ବାହାଘର ଦେଖୁଥିଲେ ବିଷ୍ଣୁ

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ମନ୍ଦିର ଅଛି ଯାହାର ନାମ ହେଉଛି ତ୍ରିଯୁଗୀନାରାୟଣ ମନ୍ଦିର। ଏହି ମନ୍ଦିରର ବିଶେଷତ୍ବ ହେଉଛି ଯେ ବିଷ୍ଣୁ, ଶିବପାର୍ବତୀଙ୍କ ବାହାଘର ଏହି ସ୍ଥାନରେ ବସି ଦେଖିଥିଲେ। ଏହାର ଆଉ ଏକ ବିଶେଷତ୍ବ ହେଉଛି ଏହି ମନ୍ଦିର ସମ୍ମୁଖରେ ଏକ ଅଖଣ୍ଡ ଧ୍ବନି ଜଳୁଛି। ବିଶ୍ବାସ ରହିଛି ବାହାଘର ଦେଖିବା ପାଇଁ ବିଷ୍ଣୁ ସେହିଠାରେ ଏକ କୁଣ୍ଡରେ ଅଗ୍ନି ଜାଳି ବସିଥିଲେ। ଫଳରେ ସେହି ଧ୍ବନି ଆଜି ପର୍ଯ୍ୟନ୍ତ ଅର୍ଥାତ ତିନି ଯୁଗ ଧରି ଜଳୁଛି ବୋଲି କୁହାଯାଉଛି। ଭକ୍ତମାନେ ସେହି ମନ୍ଦିରକୁ ଦର୍ଶନରେ ଆସିଲେ ଭକ୍ତିପୂତ ଭାବେ ସେହି ଅଗ୍ନି କୁଣ୍ଡରେ କାଠ ନିକ୍ଷେପ କରିଥାନ୍ତି। ଏହା ଦ୍ବାରା ପରିବାରର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା: ୧୩ ମୃତ, ଚାରି ଗୁରୁତର

ଦେହରାଦୁନ୍: ଉତ୍ତରପ୍ରଦେଶର ଦେହରାଡୁନ୍ ଜିଲ୍ଲାର ଚକରତା ତହସିଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି ପାଇଛି। ରିଲିଫ ଏବଂ ଉଦ୍ଧାରକାରୀ ଦଳ ଦ୍ୱାରା ଆଉ ଦୁଇଟି ମୃତଦେହ ଅଳିଆ ଗଦାରୁ ବାହାର କରାଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଲହାଡ-ବେଲା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ପ୍ରଶାସନର ଅଧିକାରୀଙ୍କ କହିବାନୁସାରେ, ଏହି ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଗାଡି ନିୟନ୍ତ୍ରଣ ହରାଇ ଏକ ଗଭୀର ଘାଟିରେ ପଡ଼ିଯାଇଥିଲା, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଏବଂ ଏସଡିଆରଏଫ ଟିମ୍ ସହିତ ଚକରତା ଏସଡିଏମ ପହଞ୍ଚିଛନ୍ତି। ସେଠାରେ ରିଲିଫ କାମ ଚାଲିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ନିକଟ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଜେପି ନେତା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ତୀବ୍ର ହୋଇଛି। ଅନ୍ୟପକ୍ଷରେ କ୍ୟାବିନେଟ ମନ୍ତ୍ରୀ ହରକ ସିଂ ରାୱତ ଏବଂ ହରିଶ ରାୱତଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ ମଧ୍ୟ ତୀବ୍ର ହୋଇଛି। ବର୍ତ୍ତମାନ ଉଭୟ ନେତା ପରସ୍ପର ଉପରେ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି। କ୍ୟାବିନେଟ ମନ୍ତ୍ରୀ ହରକ ସିଂ ରାୱତ ଆଜି ହରିଶ ରାୱତଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ହରିଶ ରାୱତଙ୍କ ନିକଟବର୍ତ୍ତୀ ଲୋକମାନେ ହରାକ ସିଂ ରାୱତଙ୍କ ଚରିତ୍ର ହତ୍ୟାରେ ଫସେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

ହରାକ ସିଂ ରାୱତ କହିଛନ୍ତି ଯେ, ଯେତେବେଳେ ସେ ୨୦୧୬ ରେ କଂଗ୍ରେସ ଛାଡିବା ପରେ ହରିଶ ରାୱତଙ୍କ ନିକଟବର୍ତ୍ତୀ ଲୋକମାନେ ଅନେକ ଝିଅଙ୍କ ସହ ଯୋଗାଯୋଗ କରିଥିଲେ। ଏବଂ ସେହି ଝିଅମାନଙ୍କୁ ଟଙ୍କା ଦେଇ ମିଥ୍ୟା ଅଭିଯୋଗ କରି ତାଙ୍କୁ ଫସେଇବାକୁ ଚେଷ୍ଟା କରିଥିଲେ। ଯାହାରା ପ୍ରମାଣ ଅଛି ବୋଲି ହରାକ କହିଛନ୍ତି। କେବଳ ଏତିକି ନୁହେଁ ହରାକ ସିଂ ରାୱତ କହିଛନ୍ତି ଯେ, ୨୦୧୬ ରେ କଂଗ୍ରେସ ଛାଡିବା ପରେ ହରିଶ ରାୱତ ତାଙ୍କୁ ଜେଲ ପଠାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ହରିଶ ରାୱତ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ବିରୋଧରେ କୌଣସି ପ୍ରମାଣ ପାଇପାରିନଥିଲେ। ତାଙ୍କ ସହସପୁରର ଜମି ମଧ୍ୟ ଯାଞ୍ଚ କରାଯାଇଥିଲା।

ଏଥି ସହିତ ବିଧାନସଭାରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ହରିଶ ରାୱତ ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ବନ୍ଦ କରିଦେଇଥିଲେ। ଜଣେ ମୁଖ୍ୟମନ୍ତ୍ରୀ ଭାବେ ହରିଶ ରାୱତ ବିଧାନସଭାରେ ତାଙ୍କ କାର୍ଯ୍ୟାଳୟକୁ ତାଲା ପକାଇବାକୁ ଯାଇଥିଲେ। ଜଣା ନଥିଲା ତାଙ୍କ କାର୍ଯ୍ୟାଳୟରେ କେଉଁ ଧନ ଲୁଚି ରହିଥିଲା। ସେଥିରେ ହରାକ ସିଂ ଅଟକି ନଥିଲେ। କଂଗ୍ରେସରେ ଥିବାବେଳେ ତାଙ୍କୁ ଦଳ ଫସେଇବାକୁ ଚେଷ୍ଟା କରାଯାଇଥିବା ବେଳେ ବିଜେପି ତାଙ୍କୁ ସମ୍ମାନ ଦେଇଥିଲା।

ଏଥି ସହିତ କଂଗ୍ରେସ ଏହି ଘଟଣାର ଜବାବ ଦେଇ କହିଛି ଯେ, ହରାକ ସିଂ ରାୱତଙ୍କୁ ଏତେ ଦିନ ପରେ କାହିଁକି ଏପରି କଥା ମନେ ପଡିଲା, ତେବେ ସତ୍ୟ କ’ଣ? ଏହି କଥା କେବଳ ହରାକ ସିଂ ଏବଂ ହରିଶ ରାୱତଙ୍କୁ କହିପାରିବେ। କିନ୍ତୁ ୨୦୨୧ ମସିହାରେ ୨୦୧୬ ମସିହାର ବିଷୟରେ କଥାବାର୍ତ୍ତା କରିବାର କୌଣସି ଯଥାର୍ଥତା ନାହିଁ ଏବଂ ହରାକ ସିଂ ରାୱତଙ୍କ ଏହି କଥାରେ କୌଣସି ମୂଲ୍ୟ ନାହିଁ।