Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲାର ବିଜେଡ଼ି ଓ ବିଜେପି ନେତା

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଅନୁଗୁଳ ଜିଲ୍ଲାରେ କଂଗ୍ରେସର ଶକ୍ତିବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ବିଜେଡ଼ି ଓ ବିଜେପିର ଅନେକ ନେତା ସେମାନଙ୍କ ସମର୍ଥକଙ୍କ ସହିତ ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଲେ।

ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡ଼ି ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ, ଏ.ୟୁ.ସି.ସି ବ୍ୟାଙ୍କର ଡାଇରେକ୍ଟର, କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନିର୍ମାଣ ଶ୍ରମିକ ସଂଘର ସଭାପତି ମନୋଜ ସାହୁ, ତାଳଚେର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ତଥା ପୂର୍ବତନ ଯୁବ ବିଜେଡ଼ି ସଭାପତି, ଓଡ଼ିଶା ନିର୍ମାଣ ମଜଦୁର ସଭା ଓ କେନ୍ଦୁପତ୍ର ତୋଳାଳୀ ସଂଘର ସମ୍ପାଦକ ତଥା କୃଷକ ନେତା ସୂର୍ଯ୍ୟମଣି ସାହୁ, ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଗୋବିନ୍ଦ ନାୟକ ସେମାନଙ୍କର ଶତାଧିକ ସମର୍ଥକ ମାନଙ୍କ ସହିତ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଇଥିଲେ।

ଏହି ଯୋଗଦାନ ଅନୁଗୁଳ ଜିଲ୍ଲାରେ କଂଗ୍ରେସ ଶକ୍ତି ବୃଦ୍ଧି କରିବା ସହିତ ଆଗାମୀ ନିର୍ବାଚନରେ ଦଳକୁ ସଫଳତା ଆଣିଦେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏମାନେ ବିଧିବଦ୍ଧ ଭାବେ କଂଗ୍ରେସର ଯୋଗଦେଲା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଦେଶ ଓ ରାଜ୍ୟରେ ଏକଛତ୍ରବାଦ ସରକାର ଚାଲିଛି। ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ତଥା ଓଡ଼ିଶା ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସେମାନେ ନିଃସର୍ତ୍ତ କଂଗ୍ରେସରେ ଯୋଗଦାନ କଲେ।

ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଂଗ୍ରାମ ମିଶ୍ର ଯୋଗ ଦେଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଭାଙ୍ଗୁଛି କଂଗ୍ରେସ, ବିଜେଡ଼ିରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲା ସଭାପତି ବିପ୍ଲବ ଜେନା

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ତଥା ୨୦୧୯ ଅନୁଗୁଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିପ୍ଲବ ଜେନା ଓ ତାଙ୍କର ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ଆଜି ଶଙ୍ଖଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ବିପ୍ଲବ ଜେନାଙ୍କୁ ଉପଢୌକନ ଦେଇ ଶ୍ରୀ ଦାସ ଓ ଶ୍ରୀ ସିଂଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ବିପ୍ଲବ ଜେନାଙ୍କ ଯୋଗଦାନ ଫଳରେ ଅନୁଗୁଳ ଜିଲ୍ଲାରେ ବିଜେଡି ଆହୁରି ମଜଭୁତ ହେବା ସହ ସମସ୍ତେ ଏକତ୍ରିତ ହୋଇ ଆଗାମୀ ଦିନରେ କାମ କରିବାକୁ ଆହ୍ୱାନ ଦେଇଥିଲେ।

ବିଜେଡ଼ିରେ ସାମିଲ୍‌ ହୋଇଥିବା ବିପ୍ଲବ ଜେନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଯେଉଁମାନେ ଆଜି ମୋ ସହ ଦଳରେ ଯୋଗ ଦେଉଛନ୍ତି, ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ନୀତି ଆଦର୍ଶ ଓ ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି ବୋଲି କହିଛନ୍ତି।

ଦଳକୁ କୌଣସି ପଦପଦବୀ କିମ୍ବା ଉଦ୍ଦେଶ୍ୟ ନେଇ ଆସି ନାହିଁ। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ତାହାକୁ ମୁଁ ନିଷ୍ଠାର ସହ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଏହି ମିଶ୍ରଣ ପର୍ବରେ ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଏବଂ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ ସଭାପତି ତପସ୍ୱିନୀ ବିଶ୍ୱାଳ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାପୁନ କୁମାର ଦେହୁରୀ, ପୂର୍ବତନ କଂଗ୍ରେସ ଜିଲ୍ଲା କମିଟି ଉପସଭାପତି ବାପୁଜୀ ପ୍ରଧାନ, ଅନୁଗୁଳ ବିଧାନସଭା ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ, ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅନ୍ନଦା ସାହୁ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାସଭାପତି ସୋସିଆଲ ମିଡିଆ ଆଲୋକ ଦାସ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଟିକେଟ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ, ଜଲଦି କରନ୍ତୁ

ଭୁବନେଶ୍ବର: କଂଗ୍ରେସ ଟିକେଟ ପାଇବା ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ। ଅନଲାଇନରେ ଏହି ଆବେଦନ କରାଯାଉଛି। ଏଥିରେ ଓଡିଶାର 147 ଟି ବିଧାନସଭା ଏବଂ 21 ଟି ଲୋକସଭା ଆସନ ପାଇଁ ଏହି ଆବେଦ କରାଯାଉଛି।

ଚଳିତ ନିର୍ବାଚନ ପାଇଁ ଦଳ ଏକ ନୂଆ ପଦ୍ଧତି ପ୍ରୟୋଗ କରିଛି। ପ୍ରଗମନ ନାମିତ ଏକ ୱେବସାଇଟରେ ଏହି ଆବେଦନ କରିବାକୁ କୁହାଯାଇଛି। ପ୍ରୋଜେକ୍ଟ ପ୍ରଗମନ ((PRAGAMAN)) ନାମକ ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ସାଧାରଣଲୋକଙ୍କୁ ନେତୃତ୍ୱ ଦେବାର ସୁଯୋଗ ସୃଷ୍ଟି କରିଛି ।

ଯେଉଁମାନେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି ସେମାନେ www pragaman.in ଲିଙ୍କ ରେ ଲଗ୍‌ଇନ୍ କରି ଫର୍ମ ଯୋଗେ ଟିକଟ ପାଇଁ ଆବେଦନ କରିପାରିବେ।

Categories
ବଜେଟ ୨୦୨୪ ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବଜେଟରେ ଚାଷୀ, ମହିଳା ଏବଂ ଯୁବକ ନିରାଶ ବୋଲି କହିଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ଚଳିତ ୨୦୨୪-୨୫ ଆର୍ଥିକ ବର୍ଷର କାମଚଳା ବଜେଟକୁ ରାଜ୍ୟ ସରକାର ବିଧାନସଭାରେ ଆଗତ କରିଛନ୍ତି। ଏହି ବଜେଟ୍ ଚିରାଚରିତ ଢଙ୍ଗରେ ଆଶା ସୃଷ୍ଟିକାରୀ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ କହିଛନ୍ତି।

କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍‌ଗୋ କହିଥିଲେ ଯେ ରାଜ୍ୟ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପୁନର୍ବାର ଏକ ପ୍ରତିଶ୍ରୁତି ଓ ପ୍ରତାରଣାର ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ କୃଷକ, ଯୁବକ ଓ ମହିଳା ସଂପୂର୍ଣ୍ଣଭାବେ ଉପେକ୍ଷିତ।

ସେ କହିଥିଲେ ଯେ, ପୂର୍ବରୁ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ଯଥା ଅତିକମ୍‌ରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ କରିବା, ରାଜ୍ୟର ସମସ୍ତ ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେବା, ବର୍ଷକୁ ୨ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଓ ଚାଷୀର ରୋଜଗାର ବୃଦ୍ଧି କରିବା ଭଳି ଦେଇଥିବା ଅନେକ ପ୍ରତିଶ୍ରୁତି ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ।

ଚଳିତ ବଜେଟ୍‌ରେ ସରକାରଙ୍କ ସ୍ୱୀକାରୋକ୍ତି ଅନୁସାରେ ଖାଲି ପଡ଼ିଥିବା ସରକାରୀ ପଦବୀ ସଂଖ୍ୟା ୯୮ ହଜାର ୩୩୪ ହୋଇଥିବା ବେଳେ କେବଳ ସ୍ୱାସ୍ଥ୍ୟବିଭାଗରେ ୨୬ହଜାର ୮୧୫ ପଦବୀ ଖାଲି ଅଛି। ସେହିପରି ଗଣଶିକ୍ଷା ବିଭାଗର ୨୧ହଜାର ୮୪୪ ଏବଂ ୧୬ଟି ବିଶ୍ୱବିଦ୍ୟାଳୟର ମଂଜୁରିପ୍ରାପ୍ତ ୧୮୦୧ ପଦବୀ ମଧ୍ୟରୁ ୧୦୯୦ ପଦବୀ ଖାଲି ପଡ଼ିଛି। କୃଷି ବିଭାଗରେ ମଧ୍ୟ ୨୮୨୧ ପଦବୀ ଖାଲି ପଡ଼ିଛି।

ଏଥିରୁ ସହଜରେ ବୁଝାପଡ଼ୁଛି ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ତତ୍ପରତା କେତେ ରହିଛି ? ରାଜ୍ୟର ଚାଷୀ ମାଗଣା ବିଦ୍ୟୁତ୍ ସେବା ପାଇବା ପାଇଁ ଦୀର୍ଘ ୨୪ ବର୍ଷ ଧରି ଚାତକ ପରି ଅପେକ୍ଷା ରଖିଥିଲେ ହେଁ ସେ ସଂପର୍କରେ ସରକାର ସଂପୂର୍ଣ୍ଣ ନୀରବ।

ସେହିପରି ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତାଧାରୀମାନଙ୍କୁ ମାସକୁ ୫ଶହ ଟଙ୍କା ଅର୍ଥାତ୍ ଦିନକୁ ୧୬ ଟଙ୍କା ୬୬ପଇସା ଦେଇ ସରକାର ବଡ଼ କାମ କରୁଛନ୍ତି ବୋଲି ଭାବୁଛନ୍ତି। ପଡ଼ୋଶୀ ରାଜ୍ୟମାନଙ୍କରେ ମିଳୁଥିବା ଭତାର ପରିମାଣ ୧୫ଶହରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୫,୪୫୦ କୋଟି ଟଙ୍କା ବଜେଟ୍‌ରେ ପ୍ରାବଧାନ ରହିଛି, ଯାହା ସଂପୂର୍ଣ୍ଣଭାବେ ସିଧାସଳଖ କର୍ପୋରେଟ୍ ହସ୍ପିଟାଲ କର୍ତୃପକ୍ଷଙ୍କ ପକେଟ୍‌କୁ ଯାଉଛି ।

ଏହି କ୍ରମରେ ବିଭିନ୍ନ ଆର୍ଥିକ ବର୍ଷରେ ବ୍ୟୟବରାଦ କରାଯାଇଥିବା ଅର୍ଥରେ ରାଜ୍ୟର ୩୦ଗୋଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମି ବିକାଶ ସହିତ ସରକାର ଦୀର୍ଘମିଆଦି ସୂତ୍ରରେ ମଲ୍ଟି ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ କରିପାରିଥାନ୍ତେ ଓ ସେଥିରେ ଗରିବ ଜନସାଧାରଣ ବିଶେଷ ଉପକୃତ ହୋଇପାରିଥାନ୍ତେ। ପରନ୍ତୁ ସରକାରଙ୍କ ଦୂରଦୃଷ୍ଟି ରହିତ ସ୍ୱାସ୍ଥ୍ୟ ଯୋଜନା ପାଇଁ ବେସରକାରୀ ହସ୍ପିଟାଲର ମାଲିକମାନେ ମାଲେମାଲ ହେଉଛନ୍ତି।

ଅପରପକ୍ଷରେ ସରକାର ରାଜ୍ୟରେ ୧୦ ପ୍ରତିଶତ ଅର୍ଥାତ୍ ୧କୋଟିରୁ ଊର୍ଦ୍ଧ୍ୱ ଲୋକ ଗରିବୀ ସୀମାରେଖା ବାହାରକୁ ଆସିଥିବା ତଥ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଯେତେବେଳେ ୮୩ ପ୍ରତିଶତ ଲୋକଙ୍କୁ ସରକାର ମାଗଣା ଚାଉଳ ଦେଉଥିବା କଥା କହୁଛନ୍ତି, ସେତେବେଳେ ଏତେ ସଂଖ୍ୟକ ଗରିବ ସୀମାରେଖା ଉପରକୁ ଆସିଲେ କେମିତି ବୋଲି ଶ୍ରୀ କାନୁନ୍‌ଗୋ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ସରକାରୀ ତଥ୍ୟ ଅନୁସାରେ ଓଡ଼ିଶା ଯେତେବେଳେ ରାଜସ୍ୱ ବଳକା ରାଜ୍ୟ ଭାବେ ଉଭା ହୋଇଛି, ସେତେବେଳେ ରାଜ୍ୟର ଋଣଭାର ୧ଲକ୍ଷ ୨୦ହଜାର କୋଟି ଟଙ୍କା କାହିଁକି ବୋଲି କହିିଥିଲେ। ରାଜ୍ୟର ୬୦ ପ୍ରତିଶତ ମହିଳା ଓ ଶିଶୁ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ମହିଳା ପୁଷ୍ଟି ଯୋଜନାରେ ୫୫୪ କୋଟି ଟଙ୍କା ବ୍ୟୟବରାଦ ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ। ସେହିପରି ମିଶନ ଶକ୍ତି ଘର ନିର୍ମାଣ ପାଇଁ ୧୧୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଯାହାକି ଦଳୀୟ ଠିକାଦାରଙ୍କୁ ପୋଷିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ।

କଂଗ୍ରେସ ଗଣମାଧ୍ୟମ ବିଭାଗର ସମ୍ପାଦକ ତଥା ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଥିଲେ ଯେ ଏହି କାମଚଳା ବଜେଟ୍‌ରେ ବେକାର ଯୁବବର୍ଗଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟର ୩୦ ଲକ୍ଷ ଯୁବା ପେଟପୋଷିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଓ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି ଓ କେତେକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ସରକାର ଏହି ବର୍ଗଙ୍କ ସ୍ୱାର୍ଥ ପ୍ରତି ସଂପୂର୍ଣ୍ଣ ଉଦାସୀନ ରହିବା ସେମାନଙ୍କ ପ୍ରତି ଘୋର ଅନ୍ୟାୟ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ରବୀନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର

କଂଗ୍ରେସ ଟିକେଟ ଦରକାର କି? ତେବେ ଅନଲାଇନରେ କରନ୍ତୁ ଆବେଦନ, ପୋର୍ଟାଲ ଜାରୀ କଲା ଦଳ

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଟିକଟ ବଂଟନରେ ସ୍ୱଚ୍ଛତା ରକ୍ଷା ଏବଂ ବାସ୍ତବରେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ ସେବା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବାକୁ ଭାରତୀୟ ଜାତୀୟ କଂଗ୍ରେସ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି ।

ପ୍ରୋଜେକ୍ଟ ପ୍ରଗମନ ((PRAGAMAN)) ନାମକ ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ସାଧାରଣଲୋକଙ୍କୁ ନେତୃତ୍ୱ ଦେବାର ସୁଯୋଗ ସୃଷ୍ଟି କରିଛି । ଅର୍ଥାତ୍ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଚାହୁଁଥିବା ବ୍ୟକ୍ତି www pragaman.in ଲିଙ୍କ ରେ ଲଗ୍‌ଇନ୍ କରି ଫର୍ମ ଯୋଗେ ଟିକଟ ପାଇଁ ଆବେଦନ କରିପାରିବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାର ସୂଚନା ଦେଇଛନ୍ତି ।

ରବିବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଅଜୟ କୁମାର କହିଲେ ଯେ ଆସନ୍ତା ସାଧାରଣ ନିର୍ବାଚନରେ ଟିକଟ ବଂଟନ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା ନିମନ୍ତେ କଂଗ୍ରେସ ଏକ ନିଆରା ଓ ନୂତନ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶାର ପ୍ରକୃତ ବିକାଶ ଚାହୁଁଥିବା ଏବଂ ସାଧାରଣ ଲୋକଙ୍କ ହକ୍ ପାଇଁ ଲଢ଼େଇ କରୁଥିବା ସ୍ୱାଭିମାନୀ ଓଡ଼ିଆଙ୍କ ହାତରେ ନେତୃତ୍ୱ ଦେବାକୁ ଦଳ ନିଷ୍ପତି ନେଇଛି।

ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳର ଟିକଟ ବଂଟନ ସଲାସୁତରାରେ ଚାଲିଛିି। ଭାରତୀୟ ଜନତା ପାର୍ଟିରେ କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ଟିକଟ ପ୍ରଦାନର କ୍ଷମତା ରହିଛି। ସେହିପରି ବିଜୁ ଜନତା ଦଳରେ ଜଣେ ତାମିଲ ବାବୁ ଟିକଟ ବଂଟନ କରିବାର କ୍ଷମତା ରଖିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ବିଜୁ ଜନତା ଦଳର ଟିକଟ ବଂଟନ ସହିତ ଭାରତୀୟ ଜନତା ପାର୍ଟିର ଟିକଟ ବଂଟନରେ ମଧ୍ୟ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଛନ୍ତି। ମାତ୍ର କଂଗ୍ରେସ ଦଳରେ ସେମିତି ବ୍ୟବସ୍ଥା ନାହିଁ।

କଂଗ୍ରେସ ଦଳ ମଧ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟା ବଜାୟ ରହିଛି। କୌଣସି ସ୍ୱାଭିମାନୀ ଓଡ଼ିଆ ଓଡ଼ିଶାର ସେବା କରିବା ନିମନ୍ତେ ନେତୃତ୍ୱ ନେବାକୁ ତାମିଲ ବାବୁଙ୍କ ପାଖରେ ହାତ ପତେଇବାକୁ ପଡ଼ିବ ନାହିଁ। କଂଗ୍ରେସ ସବୁବେଳେ ସାଧାରଣ ଲୋକଙ୍କ ସହିତ ରହିଆସିଛି। କଂଗ୍ରେସ ଟିକଟ ପାଇଁ କୌଣସି ପ୍ରକାର ସୁପାରିଶ କି ଅର୍ଥ କାରବାର ହୋଇପାରିବ ନାହିଁ। ଆଶାୟୀ ପ୍ରାର୍ଥୀଙ୍କୁ ଆଉ ଏଥିପାଇଁ ବାରମ୍ବାର ଦିଲ୍ଲୀ ମଧ୍ୟ ଦୌଡ଼ିବାକୁ ପଡ଼ିବ ନାହିଁ।

ଓଡ଼ିଶାର ଯେ କୌଣସି ଓଡ଼ିଆ ବ୍ୟକ୍ତି, ଯୁବ ନେତୃତ୍ୱ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗର ଯୁବକ ଏବଂ ମହିଳା ମଧ୍ୟ କଂଗ୍ରେସରୁ ଟିକଟ ପାଇ ନିର୍ବାଚନ ଲଢ଼ିପାରିବେ। ଏଥିପାଇଁ କେବଳ ସେମାନଙ୍କର ଭଲ ଲୋକ ସମ୍ପର୍କ ରହିଥିବା ଆବଶ୍ୟକ। ତାଙ୍କ ପ୍ରତି ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ରହିଥିବା ଆବଶ୍ୟକ ବୋଲି ଡ. ଅଜୟ କୁମାର ପ୍ରକାଶ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ କହିଲେ ଯେ ସାଧାରଣ ଲୋକ, ଲୋକ ସେବକ, ବଳିଷ୍ଠ ସଂଗଠକ, ଯାହାଙ୍କର ନିଜ ନିର୍ବାଚନମଣ୍ଡଳୀରେ ଜନାଧାର ରହିଛି, ଭଲ ଲୋକ ସମ୍ପର୍କ ରହିଛି ସେମାନଙ୍କ ପାଇଁ କଂଗ୍ରେସ ଏକ ଅପୂର୍ବ ଅବକାଶ ଆଣି ଦେଇଛି। ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରିବ ନିର୍ବିଶେଷରେ ଯେଉଁମାନଙ୍କର ଦେଶ ଓ ରାଜ୍ୟ ପାଇଁ ସେବା କରିବାର ମନୋବୃତି ରହିଥିବ ସେମାନେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିପାରିବେ।

ଏଥିପାଇଁ ସାରା ଭାରତରେ ପ୍ରଥମ କରି ଓଡ଼ିଶାରେ ପ୍ରୋଜେକ୍ଟ ପ୍ରଗମନ ନାମରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶାକୁ ପ୍ରୟୋଗଶାଳା କରି ଜାତୀୟ କଂଗ୍ରେସ ନିର୍ବାଚନରେ ସଂସ୍କାର ଆଣିବାକୁ ଏଭଳି ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି। ରାଜତନ୍ତ୍ର କାଳରେ ଯେଭଳି ଜଣେ ସାଧାରଣ ଯୁବକ କପିଳେନ୍ଦ୍ର ରାଉତରାୟଙ୍କୁ ଲୋକେ ବାଛି ରାଜା କପିଳେନ୍ଦ୍ର ଦେବ କରିଥିଲେ, ସେହିଭଳି ସାଧାରଣ ଲୋକଙ୍କ ଭିତରୁ ବଳିଷ୍ଠ ନେତୃତ୍ୱ ସୃଷ୍ଟି କରିବାର ସୁଯୋଗ ଦେବାକୁ କଂଗ୍ରେସ ପ୍ରୟାସ କରୁଛି।

ପ୍ରୋଜେକ୍ଟ ପ୍ରଗମନର ଚେୟାରମ୍ୟାନ ପ୍ରବୀଣ ପାଠକ କହିଲେ ଯେ www pragaman.in ରେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଫର୍ମ ଉପଲବ୍ଧ ରହିଛି। ଆଶାୟୀ ପ୍ରାର୍ଥୀମାନେ ଏଥିରେ ଆବେଦନ କରିବା ପରେ ପ୍ରକୃତ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇ ଟିକଟ ପ୍ରଦାନ କରାଯିବ ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କଂଗ୍ରେସ ସହପ୍ରଭାରୀ ଖ୍ରୀଷ୍ଟଫର ତିଲକ, ଓଡ଼ିଶା ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି, ଏଆଇସିସି ଗଣମାଧ୍ୟମ ସଂଯୋଜକ ବବିତା ଶର୍ମା, ସୋସିଆଲ ମିଡିଆ ବିଭାଗର ଅମିୟ ପାଣ୍ଡବ ଓ ଡ. ସୁମିତ୍ ଦୁବେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଗର୍ଜିଲେ ମଲ୍ଲିକାର୍ଜୁନ ଖଡ଼ଗେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ

ଭୁବନେଶ୍ବର: ଆଜି ରାଜ୍ୟ କଂଗ୍ରେସ ତରଫରୁ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗ ଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ପିଏମଜି ଛକରେ ଆୟୋଜିତ ଏକ ବିଶାଳ ରାଲିକୁ ସେ କରିଛନ୍ତି ସମ୍ବୋଧିତ। ଦୀର୍ଘ ସମୟ ଧରି ଦେଇଥିବା ଭାଷଣରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ସେ ରାଜ୍ୟର ବିଜେଡି ସରକାର ଏବଂ କେନ୍ଦ୍ରର ବିଜେପି ସରକାର ମଧ୍ୟରେ ଥିବା ସଂପର୍କକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ କେନ୍ଦ୍ରର ବିଜେପି ସରକାରଙ୍କୁ ସମର୍ଥନ କରି କଣ ଲାଭ ପାଇଛନ୍ତି। ଓଡିଶାର ମୋଦୀ ସରକାର କଣ ଆଖିଦୃଶିଆ କାମ କରିଛନ୍ତି। ଯଦି ନାହିଁ ତେବେ ସେ କାହିଁକି ଏପରି କେନ୍ଦ୍ରକୁ ସମର୍ଥନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ସେ କହିଥିଲେ ଯେ, କଂଗ୍ରେସ ସରକାର ଥିବା ବେଳେ ଓଡିଶାକୁ ରାଉରକେଲା ଇସ୍ପାତ ପ୍ରକଳ୍ପ ଭେଟି ଦେଇଛନ୍ତି, ପାରାଦ୍ବୀପ ବନ୍ଦର ଦେଇଛନ୍ତି, ଆଇଏଏନସି ଚିଲିକା ଦେଇଛନ୍ତି, ହାଲ କାରଖାନା ଦେଇଛନ୍ତି, ମଞ୍ଚେଶ୍ବରରେ ରେଳକାରଖାନା ଦେଇଛନ୍ତି। ହେଲେ ମୋଦୀ ସରକାରଙ୍କ ସମୟରେ ଓଡିଶାର ଯେପରି ଉନ୍ନତି ହେବା କଥା ତାହା ହୋଇଛି କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ।

ମୋଦୀଙ୍କୁ ସମାଲୋଚନା କରି ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସବୁବେଳେ ଡବଲ ଇଂଜିନୀ ସରକାର ବୋଲି କହୁଛନ୍ତି। ସେ ଜାଣନ୍ତି ନାହିଁ ଯେ, ସେ ଡବଲ ଇଂଜିନି ମଧ୍ୟ ଫେଲ ମାରିଯାଉଛି। ସେହିପରି ମୋଦୀ ଗ୍ୟାରେଣ୍ଟି କଣ ବୋଲି ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେ ମୋଦୀ ଗ୍ୟାରିଣ୍ଟି ହେଲା ବେକାରୀଙ୍କୁ ଚାକିରୀ ନ ଦେବା। କଳାଧନ ଆଣି ଲୋକଙ୍କ ଆକାଉଣ୍ଟରେ ନ ରଖିବା।

ଖଡଗେ କହିଥିଲେ ଯେ, ଆପଣଙ୍କ ମାନଙ୍କ ପାଇଁ ଏହା ହେଉଛି ଶେଷ ନିର୍ବାଚନ। କାରଣ ଏହାପରେ ଦେଶର ସାଧାରଣ ନିର୍ବାଚନକୁ ମୋଦୀ ହରଣଚାଳ କରିନେବେ। ଋଷିଆରେ ପୁତିନ କରିବା ପରି କେବଳ ନାମକୁ ମାତ୍ର ନିର୍ବାଚନ ହେବ ଆଉ ଜିତିବେ ମୋଦି। ସେଥିପାଇଁ ଏହି ନିର୍ବାଚନରେ ଆପଣମାନେ ଏହି ସରକାରଙ୍କୁ ହଟାଇବାକୁ ହେଲେ କଂଗ୍ରେସକୁ ଶାସନକୁ ଆଣିବାକୁ ପଡିବ ବୋଲି ଖଡଗେ କହିଥିଲେ।

ସେହିପରି ବିଜେଡି ବିଜେପି ସଂପର୍କକୁ ନେଇ ଖଡଗେ କହିଥିଲେ ଯେ, ଉଭୟଙ୍କ ମଧ୍ୟରେ ପ୍ରେମ ବିବାହ ହୋଇସାରିଛି। ପୂର୍ବରୁ ନବୀନଙ୍କ ବାପା ବିଜୁ ପଟ୍ଟନାୟକ ନେହୁରଙ୍କ ସହିତ ସଂପର୍କ ରଖି ଓଡିଶା ପାଇଁ ବେଶ ଭଲ କାମ କରିଛନ୍ତି। ହେଲେ ନବୀନବାବୁ ମୋଦିଙ୍କ ସହିତ ସଂପର୍କ ରଖି କଣ ଲାଭ ପାଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ଏହି ସମାବେଶରେ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାର, ରାଜ୍ୟ ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ସମସ୍ତ ବିଧାୟକ, ବରିଷ୍ଠ ନେତା ଯୋଗଦେଇଥିଲେ। ସମାବେଶ ପରେ କଂଗ୍ରେସ ନେତାମାନଙ୍କ ସହିତ ଖଡଗେ ଆଲୋଚନା କରି ଆଜି ସେ ନୂଆଦିଲ୍ଲୀ ଫେରିଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ

ଭୁବନେଶ୍ବର: ଆଉ କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ। ସେଥିପାଇଁ ରାଜ୍ୟ କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଭୁବନେଶ୍ବରର ପିଏମଜି ଛକରେ ତାଙ୍କର ବିରାଟ ସାଧାରଣ ସଭାର ଆୟୋଜନ ହେବ। ସେଠାରେ ଓଡିଶା ବଞ୍ଚାଅ ଆନ୍ଦୋଳନରେ ଖଡଗେ ସାମିଲ ହେବେ।

ଆଜି ସେ ଦିନ 11ଟା 45 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ତାଙ୍କୁ ସ୍ବାଗତ କରାଯାଇ ସଭାସ୍ଥଳକୁ ଅଣାଯିବ। ସେଠାରେ ଖଡଗେ କଂଗ୍ରେସ କର୍ମିଙ୍କୁ ଅଭିଭାଷଣ ପ୍ରଦାନ କରିବେ। ଏହାପରେ ସେ କଂଗ୍ରେସ ଭବନରେ କର୍ମିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ନିର୍ବାଚନ ପାଇଁ କଂଗ୍ରେସ କର୍ମୀଙ୍କ ସଂକଳ୍ପ

ରଣପୁର: ଆଜି ଚାନ୍ଦପୁର ଜୋନ-୨୪ କଂଗ୍ରେସ କମିଟି ତରଫରୁ ବରକନ୍ୟା ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନେତା ସାରଙ୍ଗ ପ୍ରଧାନଙ୍କ ସଭାପତିତ୍ବରେ ଉକ୍ତ ବୈଠକରେ ପୁରୁଖା କର୍ମୀ ସୁକାନ୍ତ ସେନାପତି, ରଙ୍କନିଧି ମହାପାତ୍ର, ଭିକାରୀ ପାତାଳସିଂ, ରମେଶ ନାୟକ, ଧ୍ରୁବ ଚରଣ ପରିଡ଼ା, ମାନସ ମହାପାତ୍ର, ପିସିସି ଛାତ୍ର କଂଗ୍ରେସ ସମ୍ପାଦକ ଅନିଲ ଚୁଆଲାସିଂ, ଭରତ ପାଇକରାୟଙ୍କ ସମେତ ପାଞ୍ଚ ଶହରୁ ଉର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସଂଗଠନକୁ ମଜବୁତ୍ କରିବାକୁ କର୍ମୀମାନେ ଦୃଢ଼ ସଂକଳ୍ପ ନେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ୍‌ଗେ, ଓଡିଶା କଂଗ୍ରେସ ଉଠୁଛି ପଡୁଛି

ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆସନ୍ତା ୨୯ ତାରିଖରେ ‘ଓଡ଼ିଶା ବଂଚାଅ’ ସମାବେଶରେ ଯୋଗଦେବେ। ସେ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

ଏହି ପରିପ୍ରେକ୍ଷୀରେ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ଶ୍ରୀଯୁକ୍ତ ଖଡ୍‌ଗେ ତଳସ୍ତରରୁ ଜଣେ ସାଧାରଣ କଂଗ୍ରେସ କର୍ମୀଭାବେ ଜୀବନ ଆରମ୍ଭ କରି ନିଜର ଚେଷ୍ଟା, ନିଷ୍ଠା ଓ ସମର୍ପଣ ପାଇଁ ଏବେ ସେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇପାରିଛନ୍ତି।

ସେ ଜଣେ ଅନୁଭବୀ ନେତା ଭାବେ ଦେଶକୁ ଅତି ନିକଟରୁ ଦେଖିଥିବାବେଳେ ଓଡ଼ିଶାର ଅବସ୍ଥାକୁ ମଧ୍ୟ ଭଲଭାବେ ବୁଝିଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ଶାସନର ୨୪ ବର୍ଷ ପରେ ମଧ୍ୟ ୫୨% ଲୋକ ଆଜିବି ଗରିବ। ରାଜ୍ୟରେ ହାରାହାରି ୨ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ ୧୦ଲକ୍ଷ ପଞ୍ଜୀକୃତ ବେକାର ଶିକ୍ଷିତ ଯୁବକଯୁବତୀ ବେସାହାରା ହୋଇପଡ଼ିଛନ୍ତି।

ଆଜି ବି ସାଧାରଣ ଲୋକ ମୌଳିକ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି। ଅପରପକ୍ଷରେ ଓଡ଼ିଆ ଜାତିକୁ ଧ୍ୱଂସ କରିବାକୁ ରୀତିମତ ଷଡଯନ୍ତ୍ର ରଚାଯାଉଛି। ଏପରିକି ଅଣଓଡ଼ିଆଙ୍କ ହାତକୁ ଶାସନ କ୍ଷମତା ଟେକି ଦେବାପାଇଁ ମସୁଧା ଚାଲିଛି, ଯାହାକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ। ଓଡ଼ିଶାରେ ଓଡ଼ିଆଙ୍କ ହକ୍ ରହିଛି। ଏହି ହକ୍ ଉପରେ ଆକ୍ରମଣ ହେଲେ ଓଡ଼ିଶା କଂଗ୍ରେସ କେବେ ଚୁପ୍ ହୋଇ ବସିବ ନାହିଁ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ନିଯୁକ୍ତ ଅଧ୍ୟକ୍ଷ ତଥା ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି ଯେ ରାଜ୍ୟରେ ଭ୍ରଷ୍ଟାଚାର, ଦୁର୍ନୀତି ଓ ଅତ୍ୟାଚାର ସୀମା ଟପିଛି। ବିଜେଡି-ବିଜେପି ଅଘୋଷିତ ମେଂଟ ଏବେ ସାର୍ବଜନୀନ ହୋଇଛି। ଏମାନଙ୍କର ଦୌରାତ୍ମ୍ୟରୁ ରାଜ୍ୟକୁ ମୁକ୍ତ କରିବା ପାଇଁ ‘ଓଡ଼ିଶା ବଂଚାଅ’ ସମାବେଶରେ ଯୋଗଦେବାକୁ ଖଡ୍‌ଗେଜୀ ଓଡ଼ିଶା ଆସୁଛନ୍ତି।

ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ପିସିସିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ୨୦୨୪ ମସିହାରେ ହେବାକୁ ଥିବା ଅଷ୍ଟାଦଶ ଲୋକସଭା ଓ ସପ୍ତଦଶ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇସିସି ସଭାପତିଙ୍କ ଓଡ଼ିଶାଗସ୍ତ କାର୍ଯ୍ୟକ୍ରମ ଦୁଇଟି ଦିଗରୁ ମହତ୍ୱପୂର୍ଣ୍ଣ। ସେ ଆହୁରି କହିଥିଲେ ଯେ ଉଭୟ ବିଜେଡି ଓ ବିଜେପିଙ୍କ ଚୋରା ପୀରତି ଧରାପଡ଼ିଯାଇଛି।

୧୦ ବର୍ଷ ମିଶି ସରକାର କରିବା ପରେ ଲିଭ୍‌ଇନ୍ ରିଲେସନ୍‌ସିପ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ବିଜେଡି ୨୪ ବର୍ଷ ପରେ ନୂଆ-ଓଡ଼ିଶା ଗଢିବା କଥା କହୁଛି ତେବେ ୨୩ବର୍ଷ ପୂର୍ବରୁ ଗଢିପାରିଲେନି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ଉଭୟଙ୍କ ଚିତ୍ର ଓ ଚରିତ୍ରକୁ ରାଜ୍ୟବାସୀ ବୁଝି ଗଲେଣି ଏବେ ବିଜେଡି ଓ ବିଜେପିକୁ ହଟାଇବାର ସମୟ ଆସିଛି।

ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡଃ ବିଶ୍ୱରଂଜନ ମହାନ୍ତି କହିଥିଲେ ଯେ ଓଡ଼ିଶା ଓ ଓଡ଼ିଆ ଅସ୍ମିତା ପାଇଁ ହେଉଥିବା ଲଢେଇକୁ ଶକ୍ତିଶାଳୀ କରିବ ‘ଓଡ଼ିଶା ବଂଚାଅ’ ସମାବେଶ। ଏହି ସମ୍ମିଳନୀରେ ଏଆଇସିସିର ସମ୍ପାଦକ ତଥା ଓଡ଼ିଶାର ସହପ୍ରଭାରୀ ଶ୍ରୀ ସାହାନାୱାଜ ଚୌଧୁରୀ ଏବଂ ପିସିସି ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା କଂଗ୍ରେସ ତରଫରୁ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ତମ ଗଣତନ୍ତ୍ର ଦିବସ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ଭବନ ପରିସରରେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସେ କହିଥିଲେ ଯେ ମହାତ୍ମାଗାନ୍ଧୀ, ଜବାହାରଲାଲ ନେହେରୁ,ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଆମ ପୂର୍ବସୂରୀ ଯେଉଁମାନେ କି ଦେଶ ପାଇଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ସେମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଉଛି। ଭାରତର ସମ୍ବିଧାନ ହିଁ ଦେଶର ଆତ୍ମା। ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କୁ ଏ ଜାତି ଭୁଲିପାରିବ ନାହିଁ। କିନ୍ତୁ ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପଦରେ।ବିଜେଡ଼ି ଓ ବିଜେପି ଧର୍ମ ନାମରେ ରାଜନୀତି କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଜ୍ୟୋତିଶ କୁମାର ସାହୁ ପରିଚାଳନା କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ଡ.ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ବିଶ୍ୱରଞ୍ଜନ ମହାନ୍ତି, ଯୁଧିଷ୍ଠିର ଜେନା, ଦାଶରଥୀ ଗମାଙ୍ଗୋ, ଅନନ୍ତ ପ୍ରସାଦ ସେଠୀ, କିଶୋର ଜେନା, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ଚିନ୍ମୟସୁନ୍ଦର ଦାସ, ଚିନ୍ମୟ ପ୍ରସାଦ ବେହୁରା, ପଂଚାନନ ଦାସ, ଶ୍ରୀନିବାସ ରାଉତରାୟ, କୁମାର ଚୀରଞ୍ଜବି, ରଶ୍ମି ମହାପାତ୍ର, ପ୍ରକାଶ ମିଶ୍ର, ହଳଧର ସେଠୀ, ଅମୀୟ ପଟ୍ଟନାୟକ, ପ୍ରଣତୀ ମିଶ୍ର, ତରୁଣ ମିଶ୍ର, ପୃଥିବୀ ବଲ୍ଲଭ ପଟ୍ଟନାୟକ, ବିସ୍ମୟ ମହାପାତ୍ର, ତାରା ପଟ୍ଟନାୟକ, ସୁବ୍ରତ ମହାପାତ୍ର, ଆଲୋକ ଲେଙ୍କା, ଜ୍ଞାନ ପଟ୍ଟନାୟକ, ରଜନୀ ମହାନ୍ତି, ସୁଶାନ୍ତ ତ୍ରୀପାଠୀ, ସଂଜୟ ତ୍ରିପାଠୀ, ମିହିର ଆଚାର୍ଯ୍ୟ, ସ୍ନେହଲତା ରାୟ, ଅମିତା ବିଶ୍ୱାଳ, ରସିକ ପଟ୍ଟନାୟକ, ଜୟକୃଷ୍ଣ ସୁବୁଧି, ଆଲୋକ ମହାନ୍ତି, ରାଜକିଶୋର ବାରିକ, ନିରଦବରଣ ଖୁଂଟିଆ, ନରୋତମ ନାୟକ, ମିତ୍ରଭାନୁ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, କୈଳାସ ସାହୁ, ମନୋଜ ସାହୁ, ଏମ୍‌ଡ଼ି ସାହାଦୁଲ୍ଲା, ଶିଳ୍ପୀଶ୍ରୀ ହରିଚନ୍ଦନ, ଜାନକୀ ମଲ୍ଲିକ, ଶ୍ରୀୟାସ୍ମିତା ପଣ୍ଡା, ମନୋରଞ୍ଜନ ରାଉତରାୟ, ସିଲି ସେଠୀ, ପ୍ରଶାନ୍ତ ଚମ୍ପତି, ଭାଷ୍କର ସେଠୀ, ବିନୋଦ ପାଣି, ସଂଜୟ ମିଶ୍ର, ନଳୀନ ବେହେରା, ମୁନୁ ସରାଫ, କୁଳମଣି ସାହୁ, ଖଗେଶ୍ୱର ମଲ୍ଲିକ, ପ୍ରସନ୍ନ ପାଇକରାୟ, ବସନ୍ତ ପଣ୍ଡା, ସୁବାଷ ପ୍ରଧାନ, ଅକ୍ଷୟ ମୁଦୁଲି, ନିରୋଜ ଲୋଚନ ଦାସ ଓ ନାରାୟଣ ଜେନା, ସାଗର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଦଳରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଖୁସିରେ ଚୁମା ଦେଲେ ତାରା

ଭୁବନେଶ୍ବର: ଆଜି ଭବାନୀପାଟଣାଠାରେ କଂଗ୍ରେସ ଦଳର ଏକ ବିଶାଳ ସମାବେଶ ଓ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସର ପ୍ରଭାରୀ ଡ଼. ଅଜୟ କୁମାର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ସହିତ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ।

ସେହିପରି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଏହି ସମାବେଶରେ ଉପସ୍ଥିତ ଥିଲେ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବଳଭଦ୍ର ମାଝୀଙ୍କ ସହିତ ତାଙ୍କର ହଜାର ହଜାର ସମର୍ଥକ ବିଜେଡି ଛାଡି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଆସି କଂଗ୍ରେସ ସମାବେଶରେ ଯୋଗ ଦେଇଥିଲେ।

ତାଙ୍କୁ ଅଜୟ କୁମାର କଂଗ୍ରେସ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହି ପର୍ବରେ ବିଧାୟକ ତାରାବାହିନୀ ପତି ବଳଭଦ୍ରଙ୍କୁ ଖୁସିରେ ଚୁମା ଦେଇଥିଲେ।

Categories
ବିଶେଷ ଖବର

ଓଡ଼ିଶା ଅସ୍ମିତା ପାଇଁ ଲଢେଇ ହେବ ଜୋର୍‌ଦାର: କଂଗ୍ରେସ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ମହମ୍ମଦ ମୁକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇଥିବାବେଳେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତିି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର ଏ ସଂପର୍କରେ ଘୋଷଣା କଲେ। ଡ. ଅଜୟ କୁମାର କହିଥିଲେ ଯେ ରାଜ୍ୟରେ ଯେପରି ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି, ସେଥିରୁ ସ୍ପଷ୍ଟ ଯେ ଓଡ଼ିଶାର ଅସ୍ମିତା ଏକ ସଂକଟକାଳ ଦେଇ ଗତି କରୁଛି। ଦିନକୁ ଦିନ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି, ଯେପରି ବିଜେଡି ପୋଷ୍ଟରରୁ ବିଜୁଙ୍କ ଫଟୋକୁ ଆଉଟ୍ କରି ପାଣ୍ଡିଆନ୍‌ଙ୍କ ଫଟୋକୁ ଇନ୍ କରାଯାଉଛି ତାହା ଦର୍ଶାଉଛି ଯେ ଆଗାମୀ ଦିନରେ ନବୀନଙ୍କ ଫଟୋ ମଧ୍ୟ ଗାଏବ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ରାଜ୍ୟରେ ଅଣଓଡ଼ିଆ ଶାସନର ମଙ୍ଗ ଧରିବା, ଖଣିଖାଦାନକୁ ଲୁଟ୍ କରିବା, ବାହାର ରାଜ୍ୟର ଠିକାଦାରମାନଙ୍କ ହାତରେ ଓଡ଼ିଶାକୁ ଟେକିଦେବା ଆଦି ଘଟଣା ସ୍ୱାଭିମାନୀ ଓଡ଼ିଆଙ୍କୁ ବ୍ୟଥିତ କରିଛି। ସ୍ମରଣ କରାଯାଇପାରେ ଯେ ଓଡ଼ିଶା ଓଡ଼ିଆଙ୍କର, ଓଡ଼ିଆଙ୍କ ଦ୍ୱାରା ଏବଂ ଓଡ଼ିଆଙ୍କ ପାଇଁ ସର୍ବୋପରି ଓଡ଼ିଶାର ଅସ୍ମିତା ପ୍ରତ୍ୟେକ ଓଡ଼ିଆଙ୍କ ଧେୟ ହେବା ଉଚିତ୍।

ଆଗାମୀ ୨୯ ତାରିଖ ଦିନ ଓଡ଼ିଆଙ୍କ ଅସ୍ମିତା ପାଇଁ ହେଉଥିବା ଲଢେଇରେ ସାମିଲ ହେବେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ। ଏହି କାର୍ଯ୍ୟକ୍ରମରେ ପ୍ରତିଟି ସ୍ୱାଭିମାନୀ ଓଡ଼ିଆଙ୍କୁ ସାମିଲ୍ ହେବା ପାଇଁ ନିବେଦନ କରାଯାଉଛି। କଂଗ୍ରେସ ହିଁ ରାଜ୍ୟର ପ୍ରମୁଖ ବିରୋଧି ଦଳ। କଂଗ୍ରେସକୁ ଏକ ସଶକ୍ତ ବିକଳ୍ପ ରାଜନୈତିକ ଦଳ ଭାବେ ଆଗକୁ ଆଣିବା ପାଇଁ ଦଳରେ ଯୋଗଦେବାକୁ ଇଛୁକ ସମସ୍ତ ନେତା ଓ କର୍ମୀଙ୍କୁ ସ୍ୱାଗତ କରାଯିବା।

ଦେଶ ପ୍ରସଙ୍ଗରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର କହିଛନ୍ତି ଯେ ସଂପ୍ରତି ଦେଶର ହିନ୍ଦୁମାନେ ବିଜେପି ହିନ୍ଦୁ ଓ ସନାତନୀ ହିନ୍ଦୁ ଭାବେ ଦୁଇ ଭାଗରେ ବାଂଟି ହୋଇଛନ୍ତି। ବିଜେପି ହିନ୍ଦୁମାନେ ସନାତନୀ ହିନ୍ଦୁମାନଙ୍କୁ ଅନେକ ସ୍ଥାନରେ ମନ୍ଦିର ପ୍ରବେଶ କରିବାକୁ ନ ଦେବା, ବିଦ୍ୱେଷଭାବ ସୃଷ୍ଟିକରିବା ଏପରିକି ରାସ୍ତାରେ ଯିବାକୁ ଅନୁମତି ଦେଉ ନଥିବା ଭଳି ଘଟଣା ଘୃଣା ରାଜନୀତିକୁ ପ୍ରୋତ୍ସାହିତ କରୁଛି। ବିଜେପି ଦଳ ଏବଂ ଏହାର ନେତୃତ୍ୱ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ହିନ୍ଦୁ ବିରୋଧି କହିବା ଦୁର୍ଭାଗ୍ୟଜନକ। ଏହି ମର୍ମରେ ଓଡ଼ିଶା କଂଗ୍ରେସ ପ୍ରଭାରୀ କହିଛନ୍ତି ଯେ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଏବଂ ବ୍ୟକ୍ତି ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଦେଶରେ ତୃତୀୟ ସ୍ୱାଧୀନତା ସଂଗ୍ରାମର ଆବଶ୍ୟକତା ରହିଛି। ବିଜେପିର ଏକଛତ୍ରବାଦ ଶାସନ ବିରୁଦ୍ଧରେ ତମାମ ଦେଶରେ ଜାଗରଣର ଆବଶ୍ୟକତା ରହିଥିବାବେଳେ ସଭିଙ୍କୁ ନ୍ୟାୟ ଦେବା ଲାଗି କଂଗ୍ରେସ ପ୍ରତିଶ୍ରୁତିବଦ୍ଧ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଅଧକ୍ଷଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀର ବିବରଣୀ ପ୍ରଦାନ କରିଥିବାବେଳେ ମିଡିଆ କମିଟିର ଅଧ୍ୟକ୍ଷ ଡଃ ବିଶ୍ୱରଂଜନ ମହାନ୍ତି ଓଡ଼ିଶା ଅସ୍ମିତା ପାଇଁ ହେଉଥିବା ଲଢେଇରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସହ-ପ୍ରଭାରୀ ଖ୍ରୀଷ୍ଟୋଫର ତିଲକ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଘର ସଜାଡିବାରେ ଲାଗିଛି ରାଜ୍ୟ କଂଗ୍ରେସ, ଦଳକୁ ଫେରିବେ ମୋକିମ, ଚିରଞ୍ଜିବୀ ଏବଂ ସଗରିଆ

ଭୁବନେଶ୍ବର: ଧିରେଧିରେ କଂଗ୍ରେସ ନିଜକୁ ଶକ୍ତିଶାଳି କରିବା ପାଇଁ ଉଦ୍ୟମ ଜାରି ରଖିଛି। ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁରା ପରିବାର ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିପରି ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ ଏବଂ କୃଷ୍ଣ ସଗରିଆ କଂଗ୍ରେସକୁ ଫେରିବେ।

ଏ ନେଇ ନୂଆ ଦିଲ୍ଲୀରେ ନୂଆ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସହିତ ଏହି ତିନିଜଣ ଦୀର୍ଘ ଆଲୋଚନା କରିଛନ୍ତି। ସେମାନଙ୍କୁ କଣ ପାଇଁ ଦଳରୁ ନିଳମ୍ବନ କରାଗଲା ସେ ସେ ଅଜୟ କୁମାର ବିସ୍ତୁତ ତଥ୍ୟ ଜାଣିବାକୁ ଚାହିଁଥିଲେ। ଏହାପରେ ସେ ଏହି ତିନି ନେତାଙ୍କୁ ପୁଣି ଥରେ ଦଳକୁ ଫେରିବା ବା ନିଲମ୍ବନ ହଟାଇବା ପାଇଁ ପ୍ରତିଶୃତି ଦେଇଛନ୍ତି। ସେହି ଅନୁସାରେ ଏହି ତିନିଜଣଙ୍କ ଉପରୁ ଖୁବ ଶିଘ୍ର ନିଲମ୍ବନ ହଟାଯିବ ବୋଲି ଜଣାପଡିଛି।

ଗତବର୍ଷ ଜୁଲାଇ ମାସରେ କଂଗ୍ରେସ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବି ବିଶ୍ବାଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଥିଲା। ଯାହାକୁ ନେଇ ସେତେବେଳେ ଏହା ରାଜ୍ୟ ରାଜନୀତିରେ ବେଶ କଂପନ ସୃଷ୍ଟି କରିଥିଲା। ଅଭିଯୋଗ ହୋଇଥିଲା ଯେ, ଏକ ସଭାରେ ଉଭୟ ମୋକିମ ଏବଂ ବିଶ୍ବାଳ କଂଗ୍ରେସ ଦଳ ବିରୋଧରେ ବିଷ ଉଦଗାର କରିଥିଲେ। ଏହି ଦଳରେ କିଛି ହେବ ନାହିଁ ବୋଲି ଖୋଲାଖୋଲି କହିଥିଲେ। ଫଳରେ କଂଗ୍ରେସ ଉଭୟଙ୍କ ଉପରେ ପଦକ୍ଷେପ ଗ୍ରହଣ କରିଥିଲା।

ତେବେ ଉଭୟଙ୍କୁ କଂଗ୍ରେସରୁ ନିଲମ୍ବନ କରିବା ପରେ ସେମାନେ କେଉଁ ଆଡେ ଯିବେ ସେ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଉଭୟ କୌଣସି ଦଳକୁ ଗଲେ ନାହିଁ କି କାହା ସହିତ ଆଲୋଚନା ମଧ୍ୟ କଲେ ନାହିଁ। ଫଳରେ କଂଗ୍ରେସ ପୁଣି ଥରେ ତାଙ୍କୁ କୋଳେଇ ନେବାକୁ ନିଷ୍ପତି କରିଛି। କାରଣ ଉଭୟ ନେତାଙ୍କର ନିଜନିଜ ଅଞ୍ଚଳରେ ବେଶ ଦବଦବା ମଧ୍ୟ ରହିଛି।

କଂଗ୍ରେସର ନୂଆ ପ୍ରଭାରୀ ଭାବେ ଡ ଅଜୟ କୁମାର ଯୋଗଦେବା ପରେ ସେ ଦଳକୁ ବେଶ ସକ୍ରିୟ କରିବାରେ ଲାଗିଛନ୍ତି। ଯେଉଁମାନେ ପୁରୁଣା କଂଗ୍ରେସ ନେତା, ସେମାନଙ୍କୁ ଫେରାଇ ଆଣି ଦଳକୁ ସୁଦୃଢ କରିବା ଚେଷ୍ଠାରେ ଅଛନ୍ତି। ଏଥିସହିତ ଦଳର ବିଭିନ୍ନ ଛାମୁଆ ସଂଗଠନରେ ନୂଆ ନୂଆ ନିଯୁକ୍ତି ଦେଇ ସେମାନଙ୍କୁ ଶସକ୍ତ କରିବାରେ ଲାଗିଛନ୍ତି।

ଅନ୍ୟପଟେ ଆସନ୍ତା 29 ତାରିଖରେ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ। ତାଙ୍କ ଗସ୍ତ ପୂର୍ବରୁ ଅଜୟ କୁମାର ଦଳକୁ ସୁସଂଗଠିତ କରିବା ଚେଷ୍ଠାରେ ଅଛନ୍ତି। ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଯେପରି ପ୍ରଭାବ ବିସ୍ତାର କରିବ ସେ ନେଇ ସେ ଶତଚେଷ୍ଠା କରିବାରେ ଲାଗିଛନ୍ତି। ସେ ଉପଲକ୍ଷେ ସେ ପୁରୁଣା କଂଗ୍ରେସ ନେତାଙ୍କ ଘର ବାହୁଡା କାର୍ଯ୍ୟକ୍ରମ ଜାରି ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ନେତୃବର୍ଗଙ୍କୁ ଆକ୍ରମଣ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମଣିପୁରରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଯାତ୍ରୀମାନଙ୍କୁ ଆକ୍ରମଣ, ରାହୁଲ ଗାନ୍ଧୀଙ୍କ ଗାଡ଼ି ଅଟକାଇବା ଓ ଦୁର୍ବ୍ୟବହାର କରିବା ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପୋଷ୍ଟର ଚିରିବା ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରୁ ଏକ ରାଲି ଅପରାହ୍ନରେ ବାହାରି ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା।

ସେଠାରେ ଆସାମର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତଳିକା ଦାହ କରାଯିବା ସହ ମାଷ୍ଟରକ୍ୟାଂଟିନ ଛକକୁ ଏକ ଘଂଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା। କଂଗ୍ରେସ ପକ୍ଷରୁ ଏହି ଆକ୍ରମଣର ଷଡ଼ଯନ୍ତ୍ରକାରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ନିନ୍ଦା କରାଯିବା ସହ ମୋଦୀ ସରକାର ଓ ହିମନ୍ତ ବିଶ୍ୱଶର୍ମା ସରକାର ନିଜର ଦୋଷ ଓ ଦୁର୍ବଳତା, ଜନବିରୋଧି ନୀତି ଏବଂ ଦୁର୍ନୀତିକୁ ଲୁଚାଇବା ପାଇଁ ଜନନାୟକ ରାହୁଲ ଗାନ୍ଧୀ ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରୀଙ୍କ ଉପରେ ଆକ୍ରମଣ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଡ. ରାମଚନ୍ଦ୍ର ଖୁଂଟିଆ, ସୁରେଶ ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ବିଶ୍ୱଜିତ୍ ଦାଶ, କିଶୋର ଜେନା, ୟାସିର ନୱାଜ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଣଜିତ ସେନାପତି, ମହମ୍ମଦ ଗୁଲଫାମ୍‌, କାର୍ତିକ କାଣ୍ଡି, ସୁଦିପ୍ ସାମଲ, ହଳଧର ସେଠୀ, ଗୀତାଞ୍ଜଳୀ ମହାନ୍ତି, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ଅକ୍ଷୟ କୁମାର ଦାସ, ବଳରାମ ନନ୍ଦ, ଶ୍ରେୟାସ୍ମିତା ପଣ୍ଡା, ମନୋରଞ୍ଜନ ଜେନା, ପ୍ରଶନ୍ନ ନାୟକ, ମୋହନ ଜେନା, ବ୍ରହ୍ମାନନ୍ଦ ସାହୁ, ମଂଟୁ ମଲ୍ଲିକ, ସୌମେନ୍ଦ୍ର ମହାନ୍‌ତି, ପ୍ରଭାତ ପ୍ରତାପ ସିଂ, ଜୟଶ୍ରୀ ପାତ୍ର, ସ୍ନେହପ୍ରଭା ଜେନା, ସେକ୍ ମହମ୍ମଦ ଜମିଲ, ସେକ୍ ତାକୱିମ୍‌, ମାନଓ ସେଠୀ, ଶିଶିର କୁମାର ରାଉତରାୟ, ଦେବାଶିଷ ଦାସ, ନିବାସ ଭୋଇ, ଶଙ୍କର ନାୟକ, ଦେବୀ ପ୍ରସାଦ ବାହାଲିଆ ଓ ପୂର୍ଣ୍ଣ ସାହୁ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ।

ରାଜ୍ୟର ବିଭିନ୍ନ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ଅପରାହ୍ନରେ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖର୍ଗେ, ସଭା ପରିଚାଳନା ପାଇଁ ପିସିସି ଗଠନ କଲା ଏକ ବଡ କମିଟି

ଭୁବନେଶ୍ୱର: ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଆସନ୍ତା ଜାନୁୟାରୀ ୨୯ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ସାଧାରଣ ସଭା ସୁପରିଚାଳନା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟିକୁ ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଅନୁମୋଦନ କରିଛନ୍ତି।

ଅନୁମୋଦନ ପାଇଥିବା ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ରହିଛନ୍ତି। ସେହିଭଳି ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ତଥା ପିସିସି କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଅଛନ୍ତି।

ସେହିପରି ପୂବର୍ତନ ଅର୍ଥମନ୍ତ୍ରୀ ତଥା ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନ୍‌ଗୋ, ପୂବର୍ତନ ମନ୍ତ୍ରୀ ତଥା ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମ ସାହୁ, ପୂର୍ବତନ ବାଚସ୍ପତି ଶ୍ରୀ କିଶୋର ଚନ୍ଦ୍ର ପଟେଲ, ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପିସିସି ବରିଷ୍ଠ ଉପସଭାପତି ତଥା ବିଧାୟକ ତାରାପ୍ରସାଦ ବାହିନିପତି ଅଛନ୍ତି।

ଏଥିସହିତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ଜେନା, ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ପୂର୍ବତନ ଏଆଇସିସି ସମ୍ପାଦକ ତଥା ପୂର୍ବତନ ସାଂସଦ ଭକ୍ତଚରଣ ଦାସ, ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟା ତଥା ପୂର୍ବତନ ସାଂସଦ ଶ୍ରୀ ସୁଶିଳା ତିରିଆ, ପୂବର୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ଏଆଇସିସି ସମ୍ପାଦକ ତଥା ପୂର୍ବତନ ସାଂସଦ ଡ.ରାମଚନ୍ଦ୍ର ଖୁଂଟିଆ ସଦସ୍ୟ ଅଛନ୍ତି।

ଏଆଇସିସି ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତ, ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହି, ବିଧାୟକ ଶ୍ରୀ ସି.ଏସ୍‌.ରାଜନ୍ ଏକ୍କା, ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ଦାସରଥି ଗମାଙ୍ଗ, କଟକ ନଗର କଂଗ୍ରେସ ସଭାପତି ଶ୍ରୀ ସୁରେଶ ମହାପାତ୍ର, କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ରଞ୍ଜନ ଚୌଧୁରୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜୟନାରାୟଣ ପଟ୍ଟନାୟକ ପ୍ରମୁଖ ଉକ୍ତ କମିଟିରେ ରହିଛନ୍ତି ।

ଅନୁରୁୂପ ଭାବେ ଉକ୍ତ କମିଟିରେ ରାଜ୍ୟ କଂଗ୍ରେସର ସମସ୍ତ ଛାମୁଆ ସଂଗଠନ, ବିଭାଗ, ପ୍ରକୋଷ୍ଠର ସଭାପତି ଏବଂ ମୁଖ୍ୟମାନେ ସଦସ୍ୟମାନେ ସ୍ଥାନ ପାଇଛନ୍ତି ବୋଲି ପିସିସି ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’: ମାର୍ଚ୍ଚ ୨୦ ରେ ମୁମ୍ବାଇରେ ହେବ ଶେଷ

ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡରୁ କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆସାମରେ ପହଞ୍ଚିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ନିଆଯାଇଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୧୫ ଟି ରାଜ୍ୟର ୧୧୦ ଟି ଜିଲ୍ଲା ଦେଇ ଯିବ।

ଏହି ଯାତ୍ରା ଶିବସାଗର ଜିଲ୍ଲାର ହଲୁୱାଟିଂ ଦେଇ ନାଗାଲାଣ୍ଡରୁ ଆସାମରେ ପହଞ୍ଚିଥିଲା। ରାହୁଲ ଗାନ୍ଧୀ ସକାଳେ ନାଗାଲାଣ୍ଡର ତୁଲିରୁ ବସ୍ ଯାତ୍ରା ଆରମ୍ଭ କରି ସକାଳ ପ୍ରାୟ ୯:୪୫ ରେ ଆସାମରେ ପହଞ୍ଚିଥିଲେ।

ଗାନ୍ଧୀଙ୍କୁ ହଲୁୱାଟିଂରେ ଶତାଧିକ ଦଳର କର୍ମକର୍ତ୍ତା ସ୍ୱାଗତ କରିଥିଲେ ଏବଂ ତାଙ୍କର ଆଠ ଦିନିଆ ରାଜ୍ୟ ଗସ୍ତ ପାଇଁ ଜାତୀୟ ପତାକାକୁ ଆସାମ ୟୁନିଟର ନେତାମାନଙ୍କୁ ହସ୍ତାନ୍ତର କରାଯାଇଥିଲା।

କଂଗ୍ରେସ ସାଂସଦଙ୍କ ନେତୃତ୍ୱରେ ୬,୭୧୩ କିଲୋମିଟର ଦୀର୍ଘ ଯାତ୍ରା ଜାନୁଆରୀ ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ଶେଷ ହେବ। ଏହି ଯାତ୍ରା ଆସାମରେ ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଜାତୀୟ ଖବର ବିଶେଷ ଖବର

ରାମ ମନ୍ଦିର ଉଦ୍‍ଘାଟନ ଉତ୍ସବରେ ଯୋଗ ଦେବେନି ରାହୁଲ ଗାନ୍ଧି: ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଯେ, ୨୨ ଜାନୁଆରୀ ୨୦୨୪ରେ ଉତ୍ତରପ୍ରଦେଶ (ୟୁପି)ର ଅଯୋଧ୍ୟାରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ସମ୍ପୂର୍ଣ୍ଣଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି।

ନାଗାଲାଣ୍ଡର କୋହିମାଠାରେ ଆଜି କେରଳର ୱାୟନାଡର କଂଗ୍ରେସ ସାଂସଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହିନ୍ଦୁ ଧର୍ମର ଗୁରୁତ୍ୱପୂର୍ଣ୍ଣ ଲୋକମାନେ ରାମ ମନ୍ଦିର ଉଦ୍‍ଘାଟନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ୨୨ ତାରିଖର କାର୍ଯ୍ୟକ୍ରମ ନିର୍ବାଚନୀ କାର୍ଯ୍ୟକ୍ରମ ହୋଇଛି। ଏଭଳି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ସବୁ ଧର୍ମକୁ ସମ୍ମାନ ଦେଇଥାଉ। ତେବେ ଆମ ଦଳ ଓ ମେଣ୍ଟର ଯେ କୌଣସି ବ୍ୟକ୍ତି ସେଠାକୁ ଯିବାକୁ ଚାହୁଁଛନ୍ତି।

କଂଗ୍ରେସର ନ୍ୟାୟ ଯାତ୍ରା ରାସ୍ତାରେ ଅଯୋଧ୍ୟା ନାହିଁ

ତେବେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ରୁଟରେ ଅଯୋଧ୍ୟା ପଡ଼ିବ ନାହିଁ ବୋଲି ରାହୁଲ ଗାନ୍ଧି ଇଶାରାରେ ସ୍ପଷ୍ଟ କରିଛନ୍ତି। ସେ ଏ ବିଷୟରେ କହିଲେ – ମୁଁ ଯାତ୍ରା ରାସ୍ତାରେ ରହିବି। ବର୍ତ୍ତମାନ ଅଯୋଧ୍ୟା ନ୍ୟାୟ ଯାତ୍ରା ରାସ୍ତାରେ ନାହିଁ।

ବିଜେପି ସହ ଲଢ଼ିବାକୁ ‘ଇଣ୍ଡି ମେଣ୍ଟ’ ପ୍ରସ୍ତୁତ

ବିଜେପି ସହ ଲଢ଼ିବା ପାଇଁ ଇଣ୍ଡି ମେଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାହୁଲ ଗାନ୍ଧି ଦାବି କରିଛନ୍ତି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ହେଉଛି ଆଦର୍ଶର ଯାତ୍ରା। ଇଣ୍ଡି ମେଣ୍ଟ ଭଲ ଲଢ଼େଇ କରି ଜିତିବ। ନ୍ୟାୟଯାତ୍ରା ସାମାଜିକ, ଅର୍ଥନୈତିକ, ରାଜନୈତିକ ନ୍ୟାୟ ପାଇଁ ଏବଂ ଏଥିରେ ଜାତିଗତ ଜନଗଣନା ଭଳି ଅନେକ ପ୍ରସଙ୍ଗ ରହିଛି। ପଶ୍ଚିମବଙ୍ଗରେ ଇଣ୍ଡି ମେଣ୍ଟ ପ୍ରସଙ୍ଗରେ ସେ କହିଛନ୍ତି, ପଶ୍ଚିମବଙ୍ଗରେ ଆମେ ସହଯୋଗୀ ଦଳମାନଙ୍କ ସହ ଆଲୋଚନା କରୁଛୁ। ବର୍ତ୍ତମାନ ଆସନ ବୁଝାମଣା ଆଲୋଚନା ଚାଲିଛି ଏବଂ ଏଥିରେ କୌଣସି ଜଟିଳତା ନାହିଁ ବୋଲି ସେ ସ୍ୱୀକାର କରି କହିଛନ୍ତି ଯେ କେତେକ ରାଜ୍ୟରେ ସମସ୍ୟା ରହିଛି।

ବିଜେପି ମଡ଼େଲ ଏକ ଘୃଣ୍ୟ ମଡ଼େଲ। ଭାରତ ସରକାର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି), ଦଳିତ ଓ ଆଦିବାସୀଙ୍କ ଦ୍ୱାରା ପରିଚାଳିତ ହେଉନାହିଁ। ଅନ୍ୟାୟ ଯୋଗୁଁ ଘୃଣା ବଢ଼ିବାରେ ଲାଗିଛି। ଗଣମାଧ୍ୟମ ଏସବୁ କଥାକୁ ଗୁରୁତ୍ୱ ଦେଉଛି। ଛୋଟ ଛୋଟ ସମସ୍ୟାର ସମାଧାନ ହେବ ଏବଂ ଆମେ ବିଜେପି ବିରୋଧରେ ଲଢ଼ିବୁ ବୋଲି ଆମର ବିଶ୍ୱାସ ରହିଛି ବୋଲି ରାହୁଲ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି କଂଗ୍ରେସକୁ ଡବଲ ଝଟକା, ମିଲିନ୍ଦ ଦେଓଡାଙ୍କ ପରେ ବର୍ତ୍ତମାନ ଆସାମର ଏହି ବଡ ନେତା ଦେଲେ ଇସ୍ତଫା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆଜି କଂଗ୍ରେସକୁ ଡବଲ ଝଟକା ଲାଗିଛି। ପ୍ରଥମେ ମହାରାଷ୍ଟ୍ର କଂଗ୍ରେସ ନେତା ମିଲିନ୍ଦ ଦେଓଡା ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଅପୂର୍ବ ଭଟ୍ଟାଚାର୍ଯ୍ୟ ଆସାମରେ କଂଗ୍ରେସ ସଚିବ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସରେ ରହିଥିଲେ। ରାହୁଲ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ ଏହି ଦୁଇ ନେତାଙ୍କ ଇସ୍ତଫା ଦଳ ପାଇଁ ଏକ ବଡ କ୍ଷତି ବୋଲି ବିବେଚନା କରାଯାଉଛି। ବାସ୍ତବରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ମଧ୍ୟ ମହାରାଷ୍ଟ୍ର ଏବଂ ଆସାମରେ ହେବ।

ପ୍ରକାଶ ଯେ, ଆସାମରେ କଂଗ୍ରେସ ଦଳ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଛି। ଏହାର ବହୁ ବଡ ନେତା ଦଳ ଛାଡି ବିଜେପିରେ ଯୋଗ ଦେଉଛନ୍ତି। ଗତ ବର୍ଷ ନଭେମ୍ବରରେ ଆସାମ କଂଗ୍ରେସର ଦୁଇ ପ୍ରମୁଖ ନେତା ଦଳ ଛାଡି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଥିଲେ। ଇସ୍ତଫା ଦେଇଥିବା ଦୁଇ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନଗାଓଁ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁରେଶ ବୋରା, ଯିଏ ୨୦୨୧ ମସିହାରେ ବରହମପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହା ସହିତ ଆସାମପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୋରିଟୁଶ ରୟ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାହୁଲଙ୍କ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଝଟକା: ମିଲିନ୍ଦ ଦେୱଡା ଦେଲେ ଇସ୍ତଫା, ଏବେ ଏହି ଦଳରେ ହେବେ ସାମିଲ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସ ପାର୍ଟି ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। କଂଗ୍ରେସ ନେତା ମିଲିନ୍ଦ ଦେଓଡା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସମାପ୍ତ ହୋଇଛି ବୋଲି ସେ ଏକ ପୋଷ୍ଟ କରିଛନ୍ତି।

ପୂର୍ବତନ କଂଗ୍ରେସ ନେତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି “୫୫ ବର୍ଷ ପୁରୁଣା ସମ୍ପର୍କ ସମାପ୍ତ ହୋଇଛି। ମୋତେ ସମସ୍ତ ନେତା, ସହକର୍ମୀ ଏବଂ କର୍ମୀ ବର୍ଷ ବର୍ଷ ଧରି ନିରନ୍ତର ସମର୍ଥନ ଦେଇଥିବାରୁ ମୁଁ କୃତଜ୍ଞ।”

ସିନ୍ଦେ ଦଳରେ ଯୋଗଦେବେ!:

ଆଜି ମିଲିନ୍ଦ ଦେଓଡା ଏକନାଥ ସିନ୍ଦେ ଦଳର ଶିବସେନାରେ ଯୋଗଦେବେ। ତାଙ୍କର ଯୋଗଦାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହେବ। ଯଦିଓ ଏପରି କଳ୍ପନାଜଳ୍ପନା କରାଯାଉଥିଲା ଯେ, ସେ କଂଗ୍ରେସ ଛାଡି ସିନ୍ଦେ ସେନାରେ ଯୋଗ ଦେଇପାରନ୍ତି, କିନ୍ତୁ ଗୋଟିଏ ଦିନ ପୂର୍ବରୁ ସେ ଏହି କଳ୍ପନାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପୂର୍ବରୁ ଇସ୍ତଫା ଦେଇଛନ୍ତି:

ମିଲିନ୍ଦ ଦେଓଡା କଂଗ୍ରେସ ଉପରେ ଅସନ୍ତୁଷ୍ଟ ବୋଲି କୁହାଯାଉଛି ଏବଂ ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି, କିନ୍ତୁ ସେ ଯେଉଁ ଦିନ ବାଛିଛନ୍ତି ତାହା ମଧ୍ୟ ବିଶେଷ ଅଟେ। ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ ସେ ଆଜି ଇସ୍ତଫା ଦେଇଛନ୍ତି। ବାସ୍ତବରେ, ଦକ୍ଷିଣ ମୁମ୍ବାଇ ଲୋକସଭା ଆସନରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ର ଦାବିକୁ ଦେଓଡା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅବିଭକ୍ତ ଶିବସେନାର ଅରବିନ୍ଦ ସାୱନ୍ତ ତାଙ୍କୁ ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ​​ପରାସ୍ତ କରିଥିଲେ।

ମିଲିନ୍ଦ ଦେଓଡା କିଏ?:

ମିଲିନ୍ଦ ଦେଓdaa ହେଉଛନ୍ତି କଂଗ୍ରେସ ଦଳର ନେତା ମୁରଲୀ ଦେଓଡାଙ୍କ ପୁଅ। ସେ ବୋଷ୍ଟନ୍ ୟୁନିଭରସିଟିର କ୍ୱେଷ୍ଟ୍ରୋମ୍ ସ୍କୁଲ୍ ଅଫ୍ ବିଜିନେସ୍ ରୁ ବ୍ୟବସାୟ ପ୍ରଶାସନରେ ସ୍ନାତକ ହାସଲ କରିଛନ୍ତି। ୨୦୦୪ ସାଧାରଣ ନିର୍ବାଚନରେ ​​ସେ ମୁମ୍ବାଇ ସାଉଥରୁ ବିଜେପିର ଜୟନ୍ତୀବେନ ମେହେଟ୍ଟାଙ୍କୁ ୧୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ଜିତିଥିଲେ।

୨୦୧୧ ମସିହାରେ ମିଲିନ୍ଦ ଦେଓଡା କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହୋଇଥିଲେ। ଏହା ବ୍ୟତୀତ ଅକ୍ଟୋବର ୨୦୧୨ ରେ ସେ ପରିବହନ ବିଭାଗର ମନ୍ତ୍ରୀ ଦାୟିତ୍ଵ ମଧ୍ୟ ତୁଲାଇଥିଲେ। ମିଲିନ୍ଦ ଦେଓଡା ପୂଜା ଶେଟ୍ଟୀଙ୍କୁ ବିବାହ କରିଛନ୍ତି। ପୂଜା ଶେଟ୍ଟୀ ଫିଲ୍ମ ପ୍ରଡକ୍ସନ୍ କମ୍ପାନୀ ୱାଲ୍ ୱାଟର ମିଡିଆର ମୁଖ୍ୟ। ଚଳଚ୍ଚିତ୍ର ନିର୍ମାତା ମନମୋହନ ଶେଟ୍ଟୀଙ୍କ ଝିଅ।

ନିକଟରେ ଯେତେବେଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଥିଲା ସେତେବେଳେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ମିଳିତ କୋଷାଧ୍ୟକ୍ଷ ଦାୟିତ୍ୱ ମିଲିନ୍ଦ ଦେଓଡାଙ୍କୁ ଦେଇଥିଲେ, କିନ୍ତୁ କିଛି ଦିନ ପରେ ସେ ଇସ୍ତଫା ଦେଇ କଂଗ୍ରେସ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ମିଲିନ୍ଦ ଦେଓଡା କଂଗ୍ରେସ ଛାଡିବାର କାରଣ ଇଣ୍ଡିଆ ମେଣ୍ଟ ବୋଲି କୁହାଯାଉଛି। ମିଲିନ୍ଦ ଦେଓଡା ଏକଦା କଂଗ୍ରେସର ମୁମ୍ବାଇ ୟୁନିଟର ମୁଖ୍ୟ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଇଣ୍ଡି ମେଣ୍ଟ: ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷ, ନୀତୀଶ ଆବାହାକ!

ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ଆଜି ବିରୋଧୀ ଦଳର ଅଧ୍ୟକ୍ଷଭାବେ ମନୋନୀତ କରାଯାଇଛି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଆବାହକ ପଦ ପାଇଁ ମନୋନୀତ କରାଯାଇଛି। ଆସନ ବଣ୍ଟନ ଏଜେଣ୍ଡା, ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ ଏବଂ ମେଣ୍ଟ ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗର ସମୀକ୍ଷା ପାଇଁ ଆଜି ଭାରତୀୟ ଗୋଷ୍ଠୀର ନେତାମାନେ ଏକ ଭର୍ଚୁଆଲ ବୈଠକ କରିଥିଲେ। ତେବେ ନୀତୀଶ କୁମାରଙ୍କ ଦଳ କହିଛି ଯେ ସେ କୌଣସି ପଦପଦବୀ ପାଇଁ ଲାଳାୟିତ ନୁହଁନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଆଲୋଚନା ପରେ ଆବାହକ ପଦ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Categories
ବିଶେଷ ଖବର

ଲୋକସଭା ନିର୍ବାଚନ: ସପା ସହିତ ଦିଲ୍ଲୀ ବୈଠକ ସ୍ଥଗିତ ରଖିଲା କଂଗ୍ରେସ, ଆସନ ବୁଝାମଣାକୁ ନେଇ ବିବାଦ ଜାରି

ନୂଆଦିଲ୍ଲୀ: ୟୁପିରେ କଂଗ୍ରେସ ଓ ସମାଜବାଦୀ ପାର୍ଟି (ଏସପି) ମଧ୍ୟରେ ଆସନ ବଣ୍ଟନକୁ ନେଇ ବିବାଦ ଜଟିଳ ହେବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀରେ ଆସନ ବଣ୍ଟନକୁ ନେଇ ଦୁଇ ଦଳର ନେତାଙ୍କ ମଧ୍ୟରେ ବୈଠକ ହେବାର ଥିଲା। କଂଗ୍ରେସର ବ୍ୟସ୍ତତା ଦର୍ଶାଇ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ କରିଦେଇଛି। ସପାର ଜଣେ ନେତା କହିଛନ୍ତି ଯେ ହୋମୱାର୍କ ନାହିଁ ବୋଲି କହି କଂଗ୍ରେସ ବୈଠକ ତାରିଖକୁ ଆଗକୁ ବଢ଼ିବାକୁ କହିଛି। ତେବେ ହଠାତ୍ ବୈଠକ ସ୍ଥଗିତ ରହୁଥିବାରୁ ଏସପି ଭିତରେ ମଧ୍ୟ ଅସନ୍ତୋଷର ସ୍ୱର ଉଠିବାରେ ଲାଗିଛି।

ସପା ଓ କଂଗ୍ରେସ ମଧ୍ୟରେ ଆସନ ବଣ୍ଟନ ନେଇ ସପାର ମୁଖ୍ୟ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମଗୋପାଳ ଯାଦବ ଏବଂ କଂଗ୍ରେସର ମେଣ୍ଟ କମିଟି ଅଧ୍ୟକ୍ଷ ମୁକୁଲ ୱାସନିକଙ୍କ ମଧ୍ୟରେ ଗତ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଅଖିଳେଶ ଆଲୋଚନା ପାଇଁ ଏକ ୫ ଜଣିଆ ଟିମ୍ ଗଠନ କରିଥିଲେ, ଯେଉଁଥିରେ ରାମଗୋପାଳ ଯାଦବ, ରାଜ୍ୟସଭା ସାଂସଦ ଜାଭେଦ ଅଲ୍ଲୀ, ବିଧାୟକ ଲାଲଜୀ ବର୍ମା ଓ ସଂଗ୍ରାମ ସିଂହ ଯାଦବ ଏବଂ ପୂର୍ବତନ ବିଧାୟକ ଉଦୟବୀରଙ୍କୁ ମଧ୍ୟ ସାମିଲ କରାଯାଇଛି। ଶୁକ୍ରବାର ଦିଲ୍ଲୀରେ ଏସପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଏକ ବୈଠକ ହେବାର ଥିଲା।

ସପା ସହିତ କଂଗ୍ରେସର ପୁଣି ଧୋକା

ମିଳିଥିବା ସୂଚନା ଅନୁଯାୟୀ, କିଛି ସପା ନେତା ମଧ୍ୟ ଦିଲ୍ଲୀରେ ପହଞ୍ଚିଥିଲେ, କିନ୍ତୁ କଂଗ୍ରେସ ଏହି ବୈଠକକୁ ସ୍ଥଗିତ ରଖିଥିଲା। ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ରାମ ଗୋପାଳ ଯାଦବଙ୍କୁ ଫୋନ୍ କରି କହିଥିଲେ ଯେ ମେଣ୍ଟ କମିଟି ସଭାପତି ମୁକୁଲ ଓ୍ୱାସନିକ ଏବଂ ୟୁପି ପ୍ରଭାରୀ ଅବିନାଶ ପାଣ୍ଡେଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ବୈଠକ ସମ୍ଭବ ନୁହେଁ। ରାଜ୍ୟ ସଂଗଠନ ରାହୁଳଙ୍କ ଯାତ୍ରାରେ ବ୍ୟସ୍ତ ଥିବାରୁ ହୋମୱାର୍କ କରାଯାଇନାହିଁ।

ସିଟ୍ ଏବଂ ସହଯୋଗୀଙ୍କୁ ନେଇ ଚାପ

ଦୁଇ ଦଳ ମଧ୍ୟରେ ବୈଠକ ସ୍ଥଗିତ ରଖାଯିବା କାରଣ ନେଇ କଳ୍ପନାଜଳ୍ପନା ଜାରି ରହିଛି। କୁହାଯାଉଛି ଯେ କଂଗ୍ରେସ ବିଏସପିର ସମ୍ଭାବନା ଖୋଜୁଛି। ଜାନୁଆରୀ ୧୫ ହେଉଛି ବିଏସପି ସୁପ୍ରିମୋ ମାୟାବତୀଙ୍କ ଜନ୍ମଦିନ। ସେହିଦିନ ମାୟାବତୀଙ୍କ ଆଭିମୁଖ୍ୟ ଉପରେ କଂଗ୍ରେସର ନଜର ରହିଛି, ତେଣୁ ସେପର୍ଯ୍ୟନ୍ତ ଏହାକୁ ଅପେକ୍ଷା କରାଯାଉଛି । ସେହିପରି ୨୦୧୯ ଲୋକସଭା ଓ ୨୦୨୨ ବିଧାନସଭା ନିର୍ବାଚନ ଆଧାରରେ ଆସନ ବଣ୍ଟନ ପାଇଁ ସପା ଦାବି କରୁଥିବା ଚର୍ଚ୍ଚା ହେଉଛି। ଏହି ଆଧାରରେ କଂଗ୍ରେସ ପାଇଁ ୧୦ଟି ଆସନ ଦାବି କରିବା କଷ୍ଟକର ହୋଇପଡ଼ିଛି, ତେଣୁ ଏହି ପ୍ରସଙ୍ଗ ଉଠାଯାଉନାହିଁ।

ଏସପିର କ୍ଷୋଭ ପ୍ରକାଶ

ସମାଜବାଦୀ ମିଡିଆ ସେଲର ହ୍ୟାଣ୍ଡେଲ ମଧ୍ୟ ବୈଠକ ସ୍ଥଗିତ ରଖିଥିବାରୁ କଂଗ୍ରେସକୁ ସମାଲୋଚନା କରିଛି। ଏହି ହ୍ୟାଣ୍ଡେଲକୁ ଏସପି ମିଡିଆ ସେଲର ଅଫିସିଆଲ ହ୍ୟାଣ୍ଡେଲ ବୋଲି ଦାବି କରାଯାଇଛି। ଏହି କାର୍ଯ୍ୟକଳାପ ଯୋଗୁଁ କଂଗ୍ରେସ ୩ଟି ରାଜ୍ୟକୁ ବିଜେପି ହାତରେ ଟେକି ଦେଇଛି। ଏବେ ଲୋକସଭାରେ ମଧ୍ୟ ମେଣ୍ଟ ଓ ସହଯୋଗୀ ଦଳକୁ ନେଇ ଗମ୍ଭୀର ନୁହଁନ୍ତି। ଯେତେବେଳେ ସପା ପ୍ରତିନିଧି ଦଳ ଦିଲ୍ଲୀରେ ପହଞ୍ଚିଥିଲେ, ସେତେବେଳେ ଆସନ ବଣ୍ଟନ ବୈଠକକୁ ସ୍ଥଗିତ ରଖାଯାଇଥିଲା।

ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ

ତେବେ ପରେ ଏହି ପୋଷ୍ଟକୁ ଡିଲିଟ୍ କରି ଦିଆଯାଇଥିଲା। ଜଣେ ଏସପି ନେତା କହିଛନ୍ତି ଯେ ଯଦି ବୈଠକ ଯଦି ସ୍ଥଗିତ ରଖାଗଲା, ତେବେ ସେମାନେ ପୂର୍ବରୁ ସୂଚନା ଦେଇଥାନ୍ତେ। ବୈଠକ ଡାକି ସ୍ଥଗିତ ରଖିବା ଭୁଲ। ତେବେ ୩/୪ ଦିନ ପରେ ଆଉ ଏକ ବୈଠକ ବସିବ।