Categories
ଆଜିର ଖବର ରାଜ୍ୟ ଖବର

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ!: ରାମଚନ୍ଦ୍ର କାଡ଼ାମ ହେଲେ କଂଗ୍ରେସ ବିଧାୟକ ଦଳର ନେତା

ଭୁବନେଶ୍ଵର: ବହୁ ପ୍ରତୀକ୍ଷା ପରେ ଆଜି କଂଗ୍ରେସ ବିଧାୟକ ଦଳର ନେତା କିଏ ହେବ, ତାହା ସ୍ପଷ୍ଟ ହୋଇଛି। ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ କାଡାମ ପଟାଙ୍ଗୀ ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଅଶୋକ ଦାସ ବିଧାୟକ ଦଳର ଉପନେତା ନିର୍ବାଚିତ ହୋଇଥିବା ବେଳେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଡ.ରାଜନ ଏକ୍କା କଂଗ୍ରେସ ଦଳର ମୁଖ୍ୟ ସଚେତକ ଭାବେ ନିର୍ବାଚିତ ହୋଇଛନ୍ତି।

ଏନେଇ ଏଆଇସିସି ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଜାରି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳି ମାଡ ହୋଇଛି। ସେ ଆଜି କଂଗ୍ରେସ ଭବନ ଭିତରକୁ ଯିବା ବେଳେ କେତେକ ଦୁର୍ବୁର୍ତ୍ତ ତାଙ୍କ ମୁହଁକୁ କାଳି ଫୋପାଡିଛନ୍ତି। ଫଳରେ ସେ ଭୟରେ ଭିତରକୁ ପଳାଇଯାଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଗଣମାଧ୍ୟମ ପ୍ରତିନିଧି କଂଗ୍ରେସ ଭବନରେ ଭିଡ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଶରତ ପଟ୍ଟନାୟକ କୌଣସି ପ୍ରତିକ୍ରିୟା ଦେଇ ନାହିଁନ୍ତି।

ତେବେ ଘଟଣାରୁ ପ୍ରକାଶ ଯେ, ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟ ବଣ୍ଟାକୁ ନେଇ ଅନେକ ଅସନ୍ତୁଷ୍ଠ ଅଛନ୍ତି। ସଭାପତି ଟଙ୍କା ନେଇ ଟିକେଟ ବିକ୍ରି କରିଛନ୍ତି ବୋଲି ଅଭିଯୋଗ କରାଯାଇଛି। ସେହି କାରଣ ନେଇ ତାଙ୍କ ଉପରେ ରାଗ ସୁଝାଇବାକୁ କେତେକ ଅସନ୍ତୁଷ୍ଠ କର୍ମି ଏପରି କରିଥାଇପାରନ୍ତି ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଂଗ୍ରେସ ଖୋଜିବ ହାରିବାର କାରଣ, ଓଡିଶା ପାଇଁ ଗଠନ ହେଲା ଦୁଇ ଜଣିଆ କମିଟ

ଭୁବନେଶ୍ବର: ସାଧାରଣ ନିର୍ବାଚନ ତଥା ଓଡିଶାର ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟର କାରଣ ଖୋଜିବ ଦଳ। ଏ ନେଇ ଏଆଇସିସି ତରଫରୁ ଗୋଟିଏ କମିଟ କରାଯାଇଛି। ଏହି କମିଟ ଓଡିଶା ଆସି ବିଭିନ୍ନ ନେତାଙ୍କୁ ସାକ୍ଷାତ କରି ହାରିବାର ନେଇ ସମୀକ୍ଷା କରିବ। ଓଡିଶା ପାଇଁ ଯେଉଁ ଦୁଇ ଜଣିଆ କମିଟ ଗଠନ ହୋଇଛି ସେଥିରେ ଅଛନ୍ତି ଅଜୟ ମାକେନ ଏବଂ ତାରିକ ଅନୱର।

ଦଳ ଓଡିଶା ସମେତ ଆଠଟି ରାଜ୍ୟରେ ବିପର୍ଯ୍ୟୟର କାରଣ ଖୋଜିବ। ସେହି ରାଜ୍ୟ ଗୁଡିକ ହେଲା ମଧ୍ୟ ପ୍ରଦେଶ, ଛତିଶଗଡ, ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ତେଲଙ୍ଗାନା। ଏହି ସବୁ ରାଜ୍ୟ ପାଇଁ ମଧ୍ୟ କମିଟ ଗଠନ କରାଯାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସରୁ ବହିସ୍କୃତ ହେଲେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ

ଭୁବନେଶ୍ବର: ନିର୍ବାଚନ ପରେ ପରେ ପ୍ରଦେଶ କଂଗ୍ରେସ ତାହାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆଜି ଦଳର ଟାଣୁଆ ନେତା ତଥା କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ଦଳ ବହିସ୍କାର କରିଛି। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ 6 ବର୍ଷ ପାଇଁ ଦଳରୁ ବହିସ୍କାର କରାଯାଇଛି। ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି।

ତେବେ ମାନସଙ୍କ ଏପରି ବହିସ୍କାରକୁ ନେଇ କଂଗ୍ରେସ ମହଲରେ ବେଶ ଆଲୋଚନା ଚାଲିଛି। କାରଣ ସେ କଂଗ୍ରେସ ପାଇଁ ନିର୍ବାଚନ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ କଣ ପାଇଁ ବହିସ୍କାର କରଗଲା ତାହା ଜଣାପଡି ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ବିଧାନସଭା ନିର୍ବାଚନରେ ହାରିଲେ ଓଡିଶାର ତିନି ଦଳର ତିନି ସେନାପତି

ଭୁବନେଶ୍ବର: ବିଧାନସଭା ନିର୍ବାଚନରେ ଏଥର ତିନି ଦଳର ସେନାପତି ବା ସଭାପତି ପରାଜୟର ସମ୍ମୁଖୀନ ହୋଇଛନ୍ତି। ସେମାନେ ତାଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଚେଷ୍ଠା କରିଥିବା ବେଳେ ନିଜେ ନିର୍ବାଚନ ବୈଇତରଣୀ ପାର ହୋଇପାରି ନାହାଁନ୍ତି। ସେମାନେ ହେଲେ ବିଜେପି ସଭାପତି ମନମୋହନ ସାମଲ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇଟି ଆସନରେ ଛିଡା ହୋଇ ଗୋଟିଏରେ ଜିତିଥିବା ବେଳେ ଅନ୍ୟ ଗୋଟେ ଆସନରେ ପରାଜୟ ବରଣ କରିଛନ୍ତି। ସେ ତାଙ୍କର ଚିରାଚରିତ ଆସନ ହିଞ୍ଜିଳିରୁ ନିର୍ବାଚନ ଜିତିଛନ୍ତି। ହେଲେ ସେଠାରେ ସେ ମାତ୍ର 4 ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ କଣ୍ଟାବାଞ୍ଜିରେ ନବୀନ 16 ହଜାର ଭୋଟରେ ହାରିଯାଇଛନ୍ତି।

ସେହିପରି ବିଜେପି ସଭାପତି ମନମୋହନ ସାମଲ ଭଦ୍ରକର ଚାନ୍ଦବାଲି ଆସନରୁ ହାରିଯାଇଛନ୍ତି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ସେ ମାତ୍ର 1916 ଖଣ୍ଡ ଭୋଟରେ ହାରିଯାଇଛନ୍ତି। ଯାହା ତାଙ୍କ ପାଇଁ ଏକ ବଡ ଧକ୍କା ହୋଇଛି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ 83063 ଖଣ୍ଡ ଭୋଟ ହାସଲ କରିଛନ୍ତି। ତେବେ ମନମୋହନ ଏହି ଆସନରେ ବିଜୟ ଲାଭ କରିବେ ବୋଲି ଆଶା କରାଯାଉଥିଲା।

ଅନ୍ୟପକ୍ଷରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମଧ୍ୟ ନିର୍ବାଚନ ହାରି ଯାଇଛନ୍ତି। କେବଳ ହାରି ନାହାଁନ୍ତି ସେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେଠାରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ନିର୍ବାଚନ ଜିତିଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝିଙ୍କୁ 10881 ଖଣ୍ଡ ଭୋଟରେ ହରାଇଛନ୍ତି।

ଏହାପରେ ନୂଆପଡାରେ ତୃତୀୟ ସ୍ଥାନରେ ଅଛନ୍ତି ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା। ସେ ହାସଲ କରିଛନ୍ତି 44 ହଜାର 814 ଖଣ୍ଡ ଭୋଟ। ସେହିପରି ଶରତ ପଟ୍ଟନାୟକ ସେଠାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ପାଇଛନ୍ତି 15 ହଜାର 501 ଖଣ୍ଡ ଭୋଟ। ସେ 46 ହଜାର 322 ଖଣ୍ଡ ଭୋଟରେ ପରାସ୍ତ ହୋଇ ଚତୁର୍ଥ ସ୍ଥାନରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ କଂଗ୍ରେସର ବଡ କାର୍ଯ୍ୟାନୁଷ୍ଠାନ, ୬ ବର୍ଷ ବହିଷ୍କୃତ ହେଲେ ଏହି ନେତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧ ତାରିଖରେ ସପ୍ତମ ଏବଂ ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଅନୁଷ୍ଠିତ ହେବ। ୫୭ ଟି ଲୋକସଭା ଆସନରେ ଭୋଟ୍ ଦେବା ପୂର୍ବରୁ କଂଗ୍ରେସ ଓଡିଶାରେ ବଡ ପଦକ୍ଷେପ ନେଇଛି। ସଞ୍ଜୟ ତ୍ରିପାଠୀଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରିଛି। ସଞ୍ଜୟ ତ୍ରିପାଠୀ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଓଡିଶାରେ କେତେ ସିଟ୍ ଉପରେ ଭୋଟ୍ ଗ୍ରହଣ କରାଯିବ?:

ଲୋକସଭା ନିର୍ବାଚନ ସହିତ ଏଥର ଓଡିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ଶନିବାର ଦିନ ଶେଷ ପର୍ଯ୍ୟାୟ ନିର୍ବାଚନରେ ​​୬ ଟି ଲୋକସଭା ଆସନ ଏବଂ ରାଜ୍ୟର ୪୨ ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବାନୁସାରେ, ଓଡ଼ିଶାରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ରୀୟ ବାହିନୀର ୧୨୧ କମ୍ପାନୀ ନିୟୋଜିତ ହୋଇଛନ୍ତି।

ଏହା ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ରାଜ୍ୟରେ ବିଧାନସଭା ଏବଂ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳରୁ ନିଲମ୍ବିତ ହୋଇଥିବା ତିନିଜଣ ନେତାଙ୍କ ଦଳରେ ସାମିଲ କରିଥିଲା। ଓଡିଶାରେ କଂଗ୍ରେସ ବହିଷ୍କୃତ ଦଳର ନେତା ମହମ୍ମଦ ମୋକିମ, ରାଜ୍ୟ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ଵାଳ ଏବଂ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆଙ୍କ ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର କରିଛି।

ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓଡିଶାରେ ଏକ ରାଲିରେ ଯୋଗ ଦେଇ ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) କୁ ହଟାଇବାକୁ ଦାବି କରିଥିଲେ। ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ସେ ବିଜେପି ଏବଂ ବିଜେଡିକୁ ପରସ୍ପର ସହ ମେଣ୍ଟ କରିଥିବା ଅଭିଯୋଗ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ପର୍ଯ୍ୟାୟ ନିର୍ବାଚନ: ବିଜେଡି ସର୍ବାଧିକ ଆସନ ଜିତି ଥିବା ବେଳେ କଂଗ୍ରେସ ଖାତା ଖାଲି ଥିଲା

ଭୁବନେଶ୍ବର: ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଶେଷ ଉଦ୍ୟମ ଜାରୀ ରଖିଛନ୍ତି। ଆସନ୍ତା ଜୁନ ଏକ ତାରିଖରେ ଓଡିଶାର ଛଅଟି ଲୋକସଭା ଆସନ ଏବଂ ଏହାର ବିଧାନସଭା ଆସନରେ ନିର୍ବାଚନ ହେବ। ସେଗୁଡିକ ହେଲା ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ, ମୟୁରଭଂଜ, ଜଗତସିଂହପୁର, ଯାଜପୁର। ଏଥିସହିତ ଏହି ଛଅଟି ଆସନର 42ଟି ବିଧାନସଭାରେ ମଧ୍ୟ ନିର୍ବାଚନ ହେବ।

ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି 29 ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସରୁ ରାହୁଳ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି। ସେହିପରି ଅମିତ ଶାହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି।

ତେବେ ଏହି ଶେଷ ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ଛଅଟି ଲୋକସଭା ଆସନରୁ ବିଜେଡି 4ଟି ରେ ଜିତିଥିବା ବେଳେ ବିଜେପି ଦୁଇଟି ଆସନରେ ବିଜୟ ଲାଭ କରିଛି। ବିଜେପି ବାଲେଶ୍ବର ଏବଂ ମୟୁରଭଂଜ ଆସନରେ ଜିତିଥିବା ବେଳେ, ବିଜେଡି କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଏବଂ ଯାଜପୁର ବିଜୟ ଲାଭ କରିଛି। ସେହିପରି 42ଟି  ବିଧାନସଭା ଆସନରେ ବିଜେଡି 33ଟି ଜିତି ଥିବା ବେଳେ ବିଜେପି 9ଟି ଆସନରେ ଜିତିଛି। ହେଲେ କଂଗ୍ରେସ ଗୋଟିଏ ବି ଆସନରେ ବିଜୟ ଲାଭ କରିପାରି ନାହିଁ।

ବିଜେଡି ଚଳିତ ନିର୍ବାଚନରେ ବାଲେଶ୍ବର ଏବଂ ମୟୁରଭଂଜ ଲୋକସଭା ଆସନକୁ ଫେରାଇ ଆଣିବା ପାଇଁ ବଡ ଗୋଟି ଚାଳନା କରିଛି। ସେହିପରି ବିଧାନସଭାରେ ମଧ୍ୟ ବିଜେଡି 42ଟି ଆସନରୁ 40ଟି ଆସନ ଅକ୍ତିୟାର କରିବା ମୁଡରେ ରହିଛି। ସେହି ଅନୁସାରେ ତାହାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି। ଅନ୍ୟପକ୍ଷରେ ବିଜେପି ଲୋକସଭା ଆସନରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି। ସେହିପରି କଂଗ୍ରେସ ମଧ୍ୟ ବହୁତ ବଡ ଆଶା କରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

୨୨ ଟି ଗାଁରେ ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍‌: ଯୋଡ଼ିଶଙ୍ଖରେ ମତଦାନ ପାଇଁ ଭୋଟରଙ୍କୁ ଆହ୍ୱାନ

ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ବିଜେଡି ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପେନକୁ ଗୁରୁତ୍ୱ ଦେଉଛନ୍ତି। ଆଜି ଗୋଟିଏ ଦିନରେ ଡ. ସାହୁ ୨୨ଟି ଗାଁକୁ ଯାଇ ପ୍ରଚାର କରିଛନ୍ତି। ପ୍ରତ୍ୟେକ ଭୋଟରଙ୍କ ପାଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଡ଼ି ଶଙ୍ଖରେ ମତଦାନ ଆହ୍ୱାନକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଓ ଉନ୍ନତିକୁ ମୁଦା କରି ବିପୁଳ ଭୋଟରେ ବିଜୟ ଲାଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଅରୁଣ।

ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ନୟାଗଡ଼ ବ୍ଲକର ୨୨ ଟି ପ୍ରଚାର କରିଛନ୍ତି। ସକାଳୁ ସକାଳୁ ବଡ଼ଦ୍ୱାର, ବାଲିପାଟଣା, ମାଙ୍କପଲ୍ଲୀ, କଳାହାଣ୍ଡି, ଜୟଗୁରୁ, ନୂଆଜୟଗୁରୁ, ସୁବର୍ଣ୍ଣଦେଇପୁର, ମୁକ୍ତାପୁର, ମୁଥାଗାଡିଆ, କାଳୁଚିଆପଲ୍ଲୀ ଓ କରଡ଼ାବଣୀ ଗ୍ରାମ ବୁଲି ବିଭିନ୍ନ ସଭା କରିଛନ୍ତି। ଅପରାହ୍ନରେ ପିଆଶାଳିଆ, ହରିହରପୁର, ବେଲବଣୀ, ଲଡ଼ୁକେଶରପୁର, ମାଛିପଡ଼ା, ଧବଳେଇ, ଜାମୁସାହି, ରଘୁନାଥପ୍ରସାଦ, ନରସିଂହପ୍ରସାଦ, ବ୍ରଜବଲ୍ଲଭପୁର, ନୂଆ ଘଡ଼ୁଆଳ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶ ବାର୍ତ୍ତାକୁ ଲୋକ ମାନଙ୍କ ପାଖରେ ରଖୁଛନ୍ତି। ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପୋଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏଥି ସହିତ ଯୁବ ବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶୀଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିବା ଡ. ସାହୁ କହିଛନ୍ତି। ୨୦୩୬ ମସିହା ବେଳକୁ ଓଡିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତି ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନେକ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଠାରୁ ଆରମ୍ଭ କରି ମଧୁବାବୁ ଯୋଜନା, କାଳିଆ ଯୋଜନା, ମମତା ଯୋଜନା ଓ ଜନ୍ମ ଠାରୁ ମୃତ୍ୟୁ ପର‌୍ୟ୍ୟନ୍ତ ଅନେକ ଯୋଜନା କରିଥିବା ପ୍ରକାଶ କରିଛନ୍ତି। ମୁଖ୍ୟତଃ ମିଶନ ଶକ୍ତି ମା’ ମାନେ କିପରି ଅଧୀକ ରୋଜଗାର କ୍ଷମ ହୋଇପାରିବେ ସେଥି ନିମନ୍ତେ ମହିଳା ମାନଙ୍କୁ ଅଧୀକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମା’ ମାନେ ଅଧୀକ ଶକ୍ତିଶାଳୀ ହେଲେ ରାଜ୍ୟର ଉନ୍ନତି ଘଟିବ ବୋଲି ଡ. ସାହୁ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ନେତୃ ମଣ୍ଡଳୀ ସ୍ଥିତ ରହିଥିଲେ। ପ୍ରତ୍ୟେକ ସଭାରେ ମହିଳାଙ୍କ ସମାଗମ ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣ ନାରାକୁ ପ୍ରତିପାଦିତ କରୁଥିଲା।

Categories
ଆଞ୍ଚଳିକ

ଇଟାମାଟି ପଞ୍ଚାୟତ କଂଗ୍ରେସ କର୍ମୀ ସମ୍ମିଳନୀ

ନୟାଗଡ (ସୁଧାକର ମିଶ୍ର): ଇଟାମାଟି ଗ୍ରାମ ପଞ୍ଚାୟତ ଯୁବ ନେତା ପ୍ରମୋଦ କୁମାର ନାୟକଙ୍କ ସଂଯୋଜନାରେ ଇଟାମାଟି କଂଗ୍ରେସ କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ନୟାଗଡ କଂଗ୍ରେସ ବିଧାୟକ ପ୍ରାର୍ଥୀ ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କର୍ମୀ ସମ୍ମିଳନୀରେ ଯୋଗ ଦେଇ କଂଗ୍ରେସର ଗଡ଼ ଇଟାମାଟିରେ ପୁଣି ଏକଜୁଟ ହୋଇ କଂଗ୍ରେସ ଦଳକୁ ସଶକ୍ତ କରାଇ ଭ୍ରଷ୍ଟାଚାରୀ ବିଜେଡି ବିଜେପି ବିରୁଦ୍ଧରେ ଡବଲ ହାତ ଚିହ୍ନରେ ଭୋଟ ଦେବା ପାଇଁ କର୍ମୀ ମାନଙ୍କୁ ନିବେଦନ କରିଥିଲେ।

ବିଜେଡି ଶାସନରେ ଇଟାମାଟି ପଞ୍ଚାୟତ ରେ ୫୦ କୋଟି ଟଙ୍କାର ଧାନ କିଣା ଦୁର୍ନୀତି, କୋଟି କୋଟି ଟଙ୍କାର ମନରେଗା, ଗୁହାଳ ଦୁର୍ନୀତି ହେବା ସହ ଜଣେ ପ୍ରମୁଖ ବିଜେଡି ନେତା ମାନେ ସରକାରୀ ଜମି ମାଡି ପ୍ଳଟିଙ୍ଗ କରି ବିକ୍ରି କରୁଥିବା କଂଗ୍ରେସ ପ୍ରାର୍ଥୀ ଅଭିଯୋଗ କରି ଇଟାମାଟିକୁ ଦୁର୍ନୀତିର ପାହାଡ଼ କରାଯାଇଥିବା ଅଭିଯୋଗ କରିଥିଲେ।

ପିସିସି ସାଧାରଣ ସମ୍ପାଦଜ ହୁସେନ ଖାଁ, ଡିସିସି ଉପସଭାପତି କମଳ ଚରଣ ସାହୁ ଇଟାମାଟି ରେ କଂଗ୍ରେସ କୁ ଫେରାଇ ଆଣିବା ପାଇଁ ପାଇଁ ସାହୀ ସାହୀ ଘର ଘର ବୁଲି ନିବେଦନ କରାଯିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ଡିସିସି ମୁଖପାତ୍ର ବୃନ୍ଦାବନ ନାୟକ, ଇଟାମାଟି କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ,ଅକ୍ଷୟ ସାହୁ, ଅଧିକାରୀ ମହାରଣା, ଅନ୍ତର୍ଯ୍ୟାମୀ ସାହୁ, ଗଣେଶ ପ୍ରଧାନ, ପିଣ୍ଟୁ ସାହୁଙ୍କ ସମେତ ଇଟାମାଟି ର ପୁରୁଖା ଯୁବ ନେତା କର୍ମୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ବିଧାନସଭା ପାଇଁ ଲଢେଇ କରୁଛନ୍ତି ୯ ଜଣ ପ୍ରାର୍ଥୀ, ନାହାଁନ୍ତି କେହି ମହିଳା, ଜାଣନ୍ତୁ ସେମାନେ କିଏ

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର ଦଖଲ ଯାଞ୍ଚ ଓ ପ୍ରତ୍ୟାହାର ତାରିଖ ଯିବା ପରେ ବର୍ତ୍ତମାନ ଆସିଛି ବୈଧ ପ୍ରାର୍ଥୀ ତାଲିକା। ସେହି ଅନୁସାରେ ଚିଲିକା ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀ ଲଢେଇ କରୁଛନ୍ତି।

ଖୋର୍ଦ୍ଧା ରିଟର୍ଣ୍ଣିଂ ଅଧିକାର କାର୍ଯ୍ୟାଳୟ ଅନୁସାରେ ଚିଲିକାରେ 5 ଜଣ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ବେଳେ 4 ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି। ତେବେ ଚିଲିକାରୁ ଏଥର କେହି ମହିଳା ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହାଁନ୍ତି। ତେବେ ଆସନ୍ତୁ ଜାଣିବା କେଉଁମାନେ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି।

1- ପୃଥୀରାଜ ହରିଚନ୍ଦନ- ବିଜେପି
2-ପ୍ରଦୀପ ସ୍ବାଇଁ- କଂଗ୍ରେସ
3-ରଘୁନାଥ ସାହୁ- ବିଜେଡି
4- ସଂଗ୍ରାମ କେଶରୀ ପରିଡା- ଆପ୍
5- ସେଖ୍ କୌସର- ଜନତା ଦରବାର ପାର୍ଟି
6- ଭି କାମେଶ୍ବର ଆଚାରୀ- ସ୍ବାଧୀନ
7-ମନ୍ମଥ କୁମାର ସିଂ- ସ୍ବାଧୀନ
8- ଶକ୍ତିପଦ ନାଥ- ସ୍ବାଧୀନ
9- ସୁବ୍ରତ କୁମାର ହାବଡାସିଂହ-  ସ୍ବାଧୀନ

Categories
ଆଜିର ଖବର ରାଜ୍ୟ ଖବର

୨୦୨୪ ଲୋକସଭା ନିର୍ବାଚନ: ଟିକେଟ ଫେରାଇଲା ପୁରୀ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଚରିତା

ଭୁବନେଶ୍ଵର: ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ପୁରୀ ଲୋକସଭା ଆସନରୁ ଏକ ବଡ ଖବର ଆସୁଛି। ପୁରୀ ଲୋକସଭା ଆସରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ସେ ଦଳୀୟ ଟିକେଟ ଫେରସ୍ତ କରିଥିବା ଜଣାପଡିଛି।

ଦଳରୁ ଟିକେଟ ମିଳିଥିବା ବେଳେ ନିର୍ବାଚନ ଖର୍ଚ୍ଚ ବାବଦକୁ ଅର୍ଥ ନମିଳିବାରୁ ସେ ଟିକେଟ ଫେରେଇଦେଇଥିବା କୁହାଯାଉଛି।

ଏଆଇସିସି ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖି ସୁଚରିତା ଏହା ଜଣାଇଛନ୍ତି। ଅର୍ଥାଭାବ ପାଇଁ ପ୍ରଚାର ମଧ୍ୟ ଠିକରେ ହୋଇପାରୁନଥିବା ଜଣାଇଛନ୍ତି। ଲୋକସଭା ଅଧୀନରେ ୭ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି, ତେଣୁ ମୁଁ ପ୍ରାର୍ଥୀ ବଦଳାଇବାକୁ ଅନୁରୋଧ କରିଥିଲି ବୋଲି ସୁଚରିତା କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା, ଦିଲ୍ଲୀ ଗଲେ ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ବର: ଖୁବ ଶିଘ୍ର ଘୋଷଣା ହେବ କଂଗ୍ରେସର ପ୍ରାର୍ଥୀ ତାଲିକା। ଏ ନେଇ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ଦିଲ୍ଲୀ ଯିବା ପୂର୍ବରୁ ସେ କହିଛନ୍ତି ଯେ, ଦିଲ୍ଲୀରେ ଶନିବାର ଦିନ ସ୍କ୍ରିନିଂ କମିଟ ବୈଠକ ବସିବ ଏବଂ ରବିବାର ଦିନ ସିଇସି ବୈଠକ ବସିବ। ଏଥିରେ ଓଡିଶାର ତାଲିକା ପ୍ରସ୍ତୁତ ହୋଇ ଘୋଷଣା ହେବ।

ଶରତ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଆସନ୍ତା 15 ତାରିଖ ସୁଦ୍ଧା ଓଡିଶାର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ବିଜେଡି ବିଜେପି ରାଜ୍ୟର ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିପାରି ନାହିଁ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଘୋଷଣା କଲା ଓଡିଶା ପାଇଁ ନୂଆ ପ୍ରଚାର କମିଟ ସଦସ୍ୟଙ୍କ ନାମ, ଅଛନ୍ତି ୫୯ ଜଣ ନେତା

ଭୁବନେଶ୍ବର: ଆଜି ଏଆଇସିସି ତରଫରୁ ଓଡିଶା ପାଇଁ ନୂଆ ପ୍ରଚାର କମିଟ ଘୋଷଣା କରିଛି। ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ଏହି କମିଟ ଘୋଷଣା କରାଯାଇଛି।

ଏଥିରେ ମୋଟ ୫୯ ଜଣ ସଦସ୍ୟ ରହିଛନ୍ତି। ପୂର୍ବରୁ ପ୍ରଚାର କମିଟ ଅଧ୍ୟକ୍ଷ ଭାବେ ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ। ବର୍ତ୍ତମାନ ପୁରା କମିଟ ଗଠନ କରାଯାଇ ସେମାନଙ୍କ ନାମ ଘୋଷଣା କରାଯାଇଛି। ଯେଉଁମାନେ ଏହି କମିଟରେ ଅଛନ୍ତି ସେମାନେ ହେଲେ ..

ଏହି କମିଟରେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଏବଂ ସୁଧାଂଶୁ ଶେଖର ଦେଓଙ୍କୁ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ଏହି କମିଟରେ ବରିଷ୍ଠ ନେତାମାନଙ୍କୁ ଦଳ ପ୍ରାଧ୍ୟାନ୍ୟ ଦେଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ଓଡିଶା କଂଗ୍ରେସ ନାମକୁ ମାତ୍ର ଲଢ଼େଇ କରିବ !!!

ଭୁବନେଶ୍ବର: ରଜ୍ୟରେ କଂଗ୍ରେସର ନେତାମାନଙ୍କ ସ୍ଥିତିକୁ ଦେଖିଲେ ଯାହା ଜଣାପଡ଼ୁଛି, ଚଳିତ ନିର୍ବାଚନରେ ଦଳ ଜିତିବା ପାଇଁ ନୁହେଁ କେବଳ ନିଜ ନାମ ରକ୍ଷା କରିବା ପାଇଁ ନିର୍ବାଚନ ଲଢ଼ିବ ବୋଲି ଆଲୋଚନା ହେଉଛି। କାରଣ କଂଗ୍ରେସ ନେତାମାନେ ଏବେ ରାଜ୍ୟର ଶାସନ କ୍ଷମତାେର ଥିବା ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହେବାରେ ସଫଳ ହେଉଛନ୍ତି।

ରାଜ୍ୟ କଂଗ୍ରେସର ନେତାମାନେ ଜାଣଗଲେଣି ଯେ ସେମାନେ କଂଗ୍ରେସରେ ରହିଲେ ନିର୍ବାଚନ ଜିତିପାରିବେ ନାହିଁ। ତେଣୁ ସେମାନେ ନିଜ ଭବସିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଉପରୋକ୍ତ ଦୁଇଟି ଦଳରେ ଯୋଗ ଦେଉଛନ୍ତି।

୨୦୦୦ରୁ ରାଜ୍ୟରେ ଚାଲିଥିବା ବିଜେପି-ବିଜେଡି ମେଣ୍ଟ ୨୦୦୯ରେ ଭାଙ୍ଗିଯାଇଥିଲା। ଏହାପରଠାରୁ ନିର୍ବାଚନ ଲଢ଼ିବା ପାଇଁ ବିଜେଡିର କଂଗ୍ରେସ ନେତାମାନଙ୍କ ଉପରେ ନିର୍ଭରଶୀଳତା ଆରମ୍ଭ ହୋଇଥିଲା, ଯାହାକି ଏବେ ଶୀର୍ଷ ସ୍ତରରେ ପହଞ୍ଚିଛି। ୨୦୦୯ରେ ବିଜେଡି ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ ଓ ୨୦୦୪ ନିର୍ବାଚନରେ ପୁରୀ ଲୋକସଭା ଆସନରେ ବିଜେଡି ସାଂସଦ ପ୍ରାର୍ଥୀଙ୍କଠାରୁ ହାରଥିବା କଂଗ୍ରେସ ନେତା ପିନାକୀ ମିଶ୍ରଙ୍କୁ ଦଳକୁ ଆଣି ପ୍ରାର୍ଥୀ କରିଥିଲା।

ରୋହିତ ରେଢ଼ାଖୋଲରୁ ବିଧାୟକ ହୋଇଥିବାବେଳେ ପିନାକୀ ପୁରୀରୁ ସାଂସଦ ନିର୍ବାଚିତ ହୋଇଥିଲେ। ପାଲଲହଡ଼ାର କଂଗ୍ରେସ ବିଧାୟକ ନୃସିଂହ ସାହୁ ବିଜେଡିକୁ ଆସି ନିର୍ବାଚନ ଲଢ଼ିଥିଲେ। ସେହିପରି କେନ୍ଦୁଝର ଲୋକସଭାରୁ ପୂର୍ବରୁ ହାରିଥିବା କଂଗ୍ରେସ ପ୍ରାର୍ଥୀ ଯଶବନ୍ତ ନାରାୟଣ ଲାଗୁରୀ ବିଜେଡିରେ ଯୋଗଦେଇ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏପରିକି ତାଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ ୨୦୧୪ରେ ଲୋକସଭା ନିର୍ବାଚନ ଲଢ଼ିଥିଲେ।

ଏହାପରେ ୨୦୧୪ ନିର୍ବାଚନରେ ବିରୋଧୀଦଳ ନେତା ତଥା କଂଗ୍ରେସ ବିଧାୟକ ଭୂପିନ୍ଦର ସିଂହ, ବ୍ରଜରାଜନଗରରୁ ନିର୍ବାଚିତ କଂଗ୍ରେସ ବିଧାୟକ ଅନୁପାଏ ବିଜେଡିରେ ଯୋଗ ଦେଇଥିଲେ। ୨୦୧୭ରେ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡିକୁ ଅଣାଯାଇ ଉପନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ନବ ଦାସ, ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, କଂଗ୍ରେସ ନେତା ବିକ୍ରମ ପଣ୍ଡା, ଢେଙ୍କାନାଳର କଂଗ୍ରେସ ନେତା ସୁଧୀର ସାମଲ ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ସୁନ୍ଦରଗଡ଼ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ବିଧାୟକ ଯୋଗେଶ ସିଂହ ସୁନ୍ଦରଗଡ଼ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିଲେ।

ବର୍ତ୍ତମାନ ବିଜଦର କ୍ରାଇସିସ୍‍ ମ୍ୟାନେଜର ହୋଇଥିବା ମାନସ ମଙ୍ଗରାଜଙ୍କ ଉତ୍ପତ୍ତି ମଧ୍ୟ କଂଗ୍ରେସରୁ ହୋଇଛି। ସେ କଂଗ୍ରେସ ଟିକଟରେ ଚିଲିକାରୁ ଲଢ଼ି ପରାଜିତ ହୋଇଥିଲେ। ଏହିପରି ଆହୁରି ଅନେକ କଂଗ୍ରେସ ନେତା ବିଜେଡିରେ ଯୋଗ ଦେଇଥିଲେ।

ପୂର୍ବର ୩ଟି ନିର୍ବାଚନ ଅପେକ୍ଷା ଚଳିତ ୨୦୧୪ ନିର୍ବାଚନ କଂଗ୍ରେସ ନେତାମାନଙ୍କୁ ବିଜେଡି ପ୍ରାର୍ଥୀ କରିବାରେ ସମସ୍ତ ରେକର୍ଡ ପଛରେ ପକାଇ ଦେଇଛି। ଚଳିତ ନିର୍ବାଚନରେ କଂଗ୍ରେସ ନେତା ପ୍ରଦୀପ ମାଝୀ, ଅଂଶୁମାନ ମହାନ୍ତି, ମନ୍ମଥ ରାଉତରାୟ, ସୁରେନ୍ଦ୍ର ସିଂହ ଭୋଇ, ଧନୁର୍ଜୟ ସିଦ୍ଧୁ, କେ, ସୂରୟା ରାଓ, ରୋହିତ ତିର୍କୀ, ଅଧିରାଜ ପାଣିଗ୍ରାହୀଙ୍କୁ ବିଜେଡି ପକ୍ଷରୁ ଚଳିତ ନିର୍ବାଚନରେ ପ୍ରାର୍ଥ କରାଯାଇଛି।

ସେହିପରି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ, ଗଣେଶ୍ୱର ବେହେରା, ବାପି ସର୍ଖେଲ, ପ୍ରଦୀପ ସାହୁ ପ୍ରମୁଖ ବିଜେଡିରେ ଯୋଗ ଦେଇ ପ୍ରାର୍ଥୀ ହେବାକୁ ଅପେକ୍ଷା କରିଥିବାବେଳେ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା, ତାରାପ୍ରସାଦ ବାହିନୀପତି ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

କେବଳ ବିଜେଡି ନୁହେଁ ବିଜେପି ମଧ୍ୟ କେତେକ ଆସନରେ କଂଗ୍ରେସ ନେତାମାନଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିଛି। ସେମାନଙ୍କ ମଧ୍ୟରେ ଅତାବିରାରୁ ନିହାର ମହାନନ୍ଦ, ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିସାରିଛି। ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ବିଜେପିରେ ଯୋଗଦେଇ ପ୍ରାର୍ଥୀ ହେବା ଆଶାରେ ଅଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସର ଭିନ୍ନ ନିୟମ, ଆଶାୟୀ ପ୍ରାର୍ଥୀମାନେ ଦେବେ ୫୦ ହଜାର ଟଙ୍କାର ଚେକ୍

ଭୁବନେଶ୍ବର: ଟିକେଟ ଆଶାୟୀଙ୍କ ପାଇଁ ପ୍ରଦେଶ କଂଗ୍ରେସ ଏକ ଅଦଭୁତ ନିୟମ ଜାରୀ କରିଛି। ତାହା ହେଲା ଯେଉଁମାନେ ଆଶାୟୀ ପ୍ରାର୍ଥୀ ସେମାନେ ପ୍ରଥମେ ୫୦ ହଜାର ଟଙ୍କାର ଚେକ କଂଗ୍ରେସ ନାମରେ ଦାଖଲ କରିବେ। ଏହାପରେ ସେମାନଙ୍କ ନାମ ବିଚାରକୁ ନିଆଯିବ। ଯଦି କୌଣସି କାରଣରୁ ଟିକେଟ ନ ମିଳିଲା ତେବେ ସେହି ଚେକ ତାଙ୍କୁ ଫେରାଇ ଦିଆଯିବ।

ଏପରି ନିୟମ କରିବା ପଛରେ କାରଣ ହେଉଛି ଯେ, ଅନେକ ଟିକେଟ ନ ପାଇ ଅନ୍ୟଦଳକୁ ଚାଲିଯାଉଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏପରି ନିୟମ କରାଯାଇଛି। ଏହା କେବଳ ଓଡିଶା ପାଇଁ ନୁହେଁ, ସାରା ଦେଶରେ ଏପରି ନିୟମ କଂଗ୍ରେସ ଜାରୀ କରିଛି। ଏହାଦ୍ବାରା ନେତାମାନେ ଦଳ ଡିଆଁ କରିପାରିବେ ନାହିଁ ବୋଲି ଦଳ ଆଶା କରିଛି।

ଗତକାଲି ପୁରୀର ଏକ ହୋଟେଲରେ ମାରଥନ ବୈଠକ କରାଯାଇଥିଲା। ଏଥିରେ ଦଳର ପ୍ରଗମନ ମାଧ୍ୟମରେ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ବାଓଡାଟା ତଦାରଖ କରିବା ପରେ ବହୁ ଆଶାୟୀଙ୍କୁ ପୁରୀ ଡକାଯାଇଥିଲା। ସେଠାରେ ସେମାନଙ୍କୁ ଦଳର ଆଭିମୁଖ୍ୟ ତଥା ଜିତିବାର ମନ୍ତ୍ର ଫୁଙ୍କା ଯାଇଥିଲା। ଏଥିରେ ଏଆଇସିସିରୁ ଆସିଥିବା ପ୍ରତିନିଧି ମଣ୍ଡଳି ମଧ୍ୟ ସାମିଲ ହୋଇଥିଲେ।

ଏହି ବୈଠକରେ ଗତକାଲି ଓଡିଶାର ସମସ୍ତ ଆସନର ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇସାରିଛି। ସେ ସବୁ ତାଲିକା କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟ ଆଗରେ ଉପସ୍ଥାପିତ କରାଯିବ। ସେମାନେ ଶେଷ ସ୍ପର୍ଶ ଦେବା ପରେ ତାହା ଘୋଷଣା କରାଯିବ। ଖବର ଅନୁସାରେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନବନିଯୁକ୍ତ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କୁ ପ୍ରଦେଶ କଂଗ୍ରେସ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦର ଠାରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଅଣାଯାଇଥିଲା।

ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା। ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀଯୁକ୍ତ ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନ ବନ୍ଦର ଛକ, ଶିଶୁଭବନ ଛକ, ରାଜମହଲ ଛକ ଓ ମାଷ୍ଟରକ୍ୟାଂଟିନ ଛକଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ ନେତୃବର୍ଗ ଓ କର୍ମୀ ଶ୍ରୀଯୁକ୍ତ ଦାସଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପଂହଚିଲାପରେ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସୁଭାଷ ଚନ୍ଦ ବୋଷ, ଆମ୍ବେଦକର, ଇନ୍ଦିରା ଗାନ୍ଧୀ, ମଧୁ ବାବୁ, ପଣ୍ଡିତ ଗୋପବନ୍ଧୁ ଦାସ ଓ କୃଷ୍ଣଚନ୍ଦ୍ର ଗଜପତି ସମେତ ରାଷ୍ଟ୍ରନାୟକଙ୍କୁ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମବେତ ହଜାର ହଜାର କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ଶ୍ରୀ ଦାସ କହିଥିଲେ ଯେ ଆସନ୍ତା ଦିନରେ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବ।

ଆସନ୍ତା ୨୦ ଦିନ ମଧ୍ୟରେ ସାରା ରାଜ୍ୟରେ କଂଗ୍ରେସର ପ୍ରଚାର ଅତି ଦୃତ ଗତିରେ ଆଗେଇଯିବ। ଓଡ଼ିଶାର ଜନସାଧାରଣ ଉଭୟ ବିଜେଡ଼ି ଓ ବିଜେପିର ମିଳିତ ସରକାରଙ୍କୁ ୨୫ ବର୍ଷ ଧରି ଏ ରାଜ୍ୟରେ ଶାସନ କରିବାର ସୁଯୋଗ ଦେଲେ। କିନ୍ତୁ ଏ ରାଜ୍ୟ କୌଣସି କ୍ଷେତ୍ରରେ ଆଜି ସ୍ୱାବଲମ୍ବି ହୋଇପାରିଲା ନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉତ୍କଟ। ରାଜ୍ୟର ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି। ବେକାରୀ ସମସ୍ୟା ଆଜି ଶୀର୍ଷ ସ୍ତରରେ ପଂହଚିଛି। ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାପାଇଁ ବାହାରକୁ ଯାଉଛନ୍ତି। ଦୀର୍ଘ ୨୪ ବର୍ଷ ଭିତରେ ରାଜ୍ୟର କୃଷକମାନଙ୍କର ଆୟକୁ ବୃଦ୍ଧି କରାଯାଇ ପାରିଲାନାହିଁ।

ରାଜ୍ୟର ଆଦିବାସୀ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଶିକ୍ଷା ପାନୀୟ ଜଳ, ରୋଜଗାର ସମସ୍ୟା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ। କିନ୍ତୁ ଏ ସରକାର କେବଳ ଗଣମାଧ୍ୟମରେ ବିକାଶ ହୋଇଛି ବୋଲି କହି ବାହା ବାହା ନେବାକୁ ପଛାଉନାହାନ୍ତି। ଓଡ଼ିଶାର ଜନସାଧାରଣ ଆଜି ସଜାଗ ହୋଇଛନ୍ତି ଏମାନଙ୍କ ସମ୍ପର୍କ କେବଳ ଓଡ଼ିଶାର ସମ୍ପତିକୁ ଲୁଟ କରିବାପାଇଁ କିନ୍ତୁ ଓଡ଼ିଶାର ବିକାଶ ଏମାନଙ୍କ ଚିନ୍ତାରେ ନାହିଁ। ଆଉ କେତେବର୍ଷ ଶାସନ କଲାପରେ ଓଡ଼ିଶାର ମୌଳିକ ସମସ୍ୟାକୁ ସମାଧାନ କରାଯାଇପାରିଥାନ୍ତା। ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାଇବାର ଯୁଗ ଶେଷ ହେଲା। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଓଡ଼ିଶାରେ କଂଗ୍ରେସ ସରକାର ପ୍ରତିଷ୍ଠା ହେବ। ଯେଉଁମାନଙ୍କର କଂଗ୍ରେସ ନୀତି ଓ ଆଦର୍ଶ ଉପରେ ବିଶ୍ୱାସ ଅଛି ସେମାନେ କଂଗ୍ରେସ ଦଳକୁ ଫେରିଆସନ୍ତୁ।

ଆଜିର କାର୍ଯ୍ୟକ୍ରମରେ ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ରମେଶ ଜେନା, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ନକୁଳ ନାୟକ, ବିଶ୍ୱଜିତ ଦାଶ, ରଣଜିତ ପାତ୍ର, ୟାସିର ନୱାଜ, ଅମିୟ ପାଣ୍ଡବ, ବଳଭଦ୍ର ମାଝୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ହଳଧର ସେଠୀ, ରଜନୀ ମହାନ୍ତି, ନିପନ ଦାସ, ସଂକୁନା କହଁର, ଶ୍ରୀୟାସ୍ମିତା ପଣ୍ଡା, ସୁଦର୍ଶନ ଦାସ, ଦୀପକ ମହାପାତ୍ର, ପଦ୍ମାକର ଗୁରୁ, ଶୁଭଦ୍ରା ମିଶ୍ର, ସ୍ନେହା ଜେନା, ପ୍ରଶାନ୍ତ ଚମ୍ପତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମନୋରଞ୍ଜନ ରାଉତରାୟ, ନିହାର ବେହେରା, ଶାନ୍ତାୟନ ମିଶ୍ର, ଶିଶିର ରଥ, ବଟକୃଷ୍ଣ ରାଉତରାୟ, ବିଂରଚି ବାରିକ, ଅମରେଶ ପରିଡ଼ା, ବିକାଶ ପଶୁପାଳକ, ବଳରାମ ନନ୍ଦ, ସୁଦିପ ସାମଲ, ମହମ୍ମଦ ପରଭେଜନ, ସୁନିଲ ସାହୁ ଗାନ୍ଧୀ, କାର୍ତିକେଶ୍ୱର କାଣ୍ଡି, ଉଦ୍ଦିତ ପ୍ରଧାନ, ସ୍ପନ୍ଦନ ସ୍ୱାଇଁ, ସାଗର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାମ ଦେଲାନି ବାପାଙ୍କ ତାଗିଦ୍: ବିଜେଡ଼ି ରେ ମିଶିଲେ ସୁର ରାଉତରାୟଙ୍କ ସାନ ପୁଅ

ଭୁବନେଶ୍ଵର: ବାପାଙ୍କ ଅନିଚ୍ଛା ଏବଂ ତାଗିଦ୍ ସତ୍ତ୍ୱେ ସାନ ପୁଅ ବିଜେଡ଼ି ରେ ସାମିଲ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ଆଜି ବିରାଟ ପଟୁଆରରେ ଆସି ଶଙ୍ଖ ଭବନରେ ବିଜେଡ଼ି ରେ ସାମିଲ ହୋଇଛନ୍ତି। ସେଠାରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ସ୍ବାଗତ କରିଛନ୍ତି। ତେବେ ମନ୍ମଥ ବିଜେଡି ଟିକେଟରେ ଜଟଣୀ ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି।

ମନ୍ମଥ କହିଛନ୍ତି ଯେ, ନବୀନନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡି ରେ ସାମିଲ ହୋଇଛି। ଓଡ଼ିଶାର ଏକ ନମ୍ବର ଦଳ ମୋତେ ଭରସା କରିଥିବାରୁ ମୁଁ ଗର୍ବିତ। ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ। ମୁଁ ଶୃଙ୍ଖଳିତ କର୍ମୀ ଭାବେ ବିଜେଡ଼ି ଦଳରେ କାମ କରିବି।

ଉଲ୍ଲେଖ ଯୋଗ୍ୟ ଯେ, ରାଜନୀତିକୁ ଆସିବା ପୂର୍ବରୁ ମନ୍ମଥ ଜଣେ ପାଇଲଟ ଭାବେ କାର୍ଯ୍ଯ କରୁଥିଲେ। ଚାକିରୀରୁ ସ୍ଵେଚ୍ଛାକୃତ ଭାବେ ଅବସର ନେବା ପରେ ରାଜନୀତିରେ ସାମିଲ ହେବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ସେ କେଉଁ ଦଳରେ ସାମିଲ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଥିଲା। ହେଲେ ସେ ବିଜେଡ଼ିରେ ସାମିଲ ହେବା ପରେ ଏହି କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡିଛି।

ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେଲେ ମନ୍ମଥ କିମ୍ବା ବିଜେଡି ପାଇଁ କେବେ ବି ପ୍ରଚାର କରିବେ ନାହିଁ ବୋଲି ବାପା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି। କଂଗ୍ରେସର ମୋର ଜନ୍ମ, ଏବଂ କଂଗ୍ରେସରେ ହିଁ ମୋର ମୃତ୍ୟୁ ହେବ ବୋଲି ସୁର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସର ଇସ୍ତାହାର କଂଗ୍ରେସର ପବିତ୍ର ପ୍ରତିଶୃତି: ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

କେନ୍ଦ୍ରାପଡ଼ା: ଆଜି ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ରାପଡା ସହରର କଜଳାସ୍ଥିତ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତିତ୍ୱରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ କଂଗ୍ରେସର ଇସ୍ତାହାର କଂଗ୍ରେସର ପବିତ୍ର ପ୍ରତିଶୃତି। ରାଜ୍ୟ ତଥା ରାଜ୍ୟବାସୀଙ୍କ ସେବାରେ ସମର୍ପିତ କଂଗ୍ରେସ ଦଳ ଏକ ସୁଖୀ ଓଡିଶା ଓ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନେଇ ଇସ୍ତାହାର ପ୍ରସ୍ତୁତ କରିଛି ଏବଂ ଗତ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱର କଂଗ୍ରେସ ବଭନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ କାନୁନଗୋ ତତ୍କାଳୀନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟାନାୟକ ଓ ପ୍ରଦେଶ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାରଙ୍କ ଦ୍ୱାରା ପ୍ରକାଶ କରାଯାଇଛି। ୯ ଗ୍ୟାରେଂଟି ଓ ୯୦ ସଂକଳ୍ପ ବିଶିଷ୍ଟ ଇସ୍ତାହାର ସବୁ ଶ୍ରେଣୀ ଓ ସବୁ ବର୍ଗର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟା

୯ ଗ୍ୟାରେଂଟି ଉପରେ ଆଲୋକପାତ କରି ଶ୍ରୀ ବେହେରା କହିଥିଲେ ଯେ ବୋନସ୍ ସହ ଧାନ ସହାୟକ ମୂଲ୍ୟ କୁଇଂଟାଲ ପ୍ରତି ୩୦୦୦ ଟଙ୍କା, କୃଷିଋଣ ଛାଡ, କୃଷକ ପାଇଁ ମାସିକ ପେନ୍‌ସନ୍ ୨୦୦୦ ଟଙ୍କା, ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ, ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତା ମାସିକ ୩୦୦୦ ଟଙ୍କା, ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କଋଣ ଛାଡ, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ(ମହିଳା)ଙ୍କୁ ଭତ୍ତା ୨୦୦୦ ଟଙ୍କା, ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା,  କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ରାଜ୍ୟରେ ଜାତିଭିତିକ-ସାମାଜିକ ଓ  ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ, ୨୫୦ ଗ୍ରାମ୍ ହଳଦୀ ଦିଆଯିବା, ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଓ ପଛୁଆ ବର୍ଗ ପାଇଁ ଜାତି ଜନଗଣନା ସହ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତି ନିଆଯାଇଛି।

ରାଜ୍ୟବାସୀଙ୍କ ଆଶୀର୍ବାଦରୁ କଂଗ୍ରେସ କ୍ଷମତାସୀନ ହେଲେ ଇସ୍ତାହାରରେ କୁହାଯାଇଥିବା ସମସ୍ତ ଗ୍ୟାରେଣ୍ଟି କୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ସେ ନିବେଦନ କରି କହିଥିଲେ ଯେ ରାଜ୍ୟବାସୀ କଂଗ୍ରେସର ଇସ୍ତାହାରକୁ ଗୁରୁତ୍ୱ ଦେବେ, କଂଗ୍ରେସକୁ ବିଶ୍ୱାସକୁ ନେବେ ଓ କଂଗ୍ରେସକୁ ସମର୍ଥନ ଦେଇ ରାଜ୍ୟରେ ପରିବର୍ତନ ଆଣିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ନବନିଯୁକ୍ତ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ରତିକାନ୍ତ କାନୁନ୍‌ଗୋ, ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାସ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ଓ ଜିଲ୍ଲା ମୁଖ୍ୟ ମୁଖପାତ୍ର ପ୍ରଫୁଲ୍ଲ ଦାସ ଉପସ୍ଥିତ ଥିଲେ। ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ନବ ନିଯୁକ୍ତ ପିସିସି ଉପସଭାପତି ଚିନ୍ମୟ ପ୍ରସାଦ ବେଉରାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ ଏକ ମିଶ୍ରଣ ପର୍ବ କରାଯାଇ ବିଜେଡି ଦଳ ତ୍ୟାଗ କରି ଆସିଥିବା ମହାକାଳପଡା ବ୍ଲକ ଅନ୍ତର୍ଗତ ପରକୁଳା ପଂଚାୟତର ପୂର୍ବତନ ସମିତି ସଭ୍ୟ ଦିପ୍ତୀମୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ହିରଣ୍ୟ ମିଶ୍ର ଓ ବିଜୟନଗର ପଂଚାୟତର ଚନ୍ଦ୍ରକାନ୍ତ ସାମନ୍ତରାୟ, ପ୍ରତାପ ଦାସ, ସୁନୀଲ ଦାସ, ବଂଟି ଦାସ, କୁନୁ ଦାସ, ତୋଫା ଜେନା, କାଂଚନ ଦାସ, ସାନୁ ଦାସ, ବନପାଣି ଦାସ, ବୁଲୁ ଦାସ, ପିଂଟୁନା ଦାସ ଓ ଆଶିଷ ଦାସଙ୍କୁ କଂଗ୍ରେସ ଦଳରେ ସାମିଲ କରାଯାଇଥିଲା। କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଓ ରତିକାନ୍ତ ସାମଲ, ଗଣେଶ ମେକାପ, ପ୍ରଶାନ୍ତ ରାଉତ, ଉମାଶଙ୍କର ଜେନା, ମୀର ମୁରସିଦ୍‌, ବସନ୍ତ କୁମାର ସେଠୀ ଓ ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ନିର୍ବାଚନ ଲଢିବେ ସୁରେଶ ରାଉତରାୟ ଓ ନରସିଂହ ମିଶ୍ର, ଜାଣନ୍ତୁ କାହିଁକି ଏପରି ପରିବର୍ତ୍ତନ

ଭୁବନେଶ୍ବର: ଏଥର ନିର୍ବାଚନ ଲଢିବେ କଂଗ୍ରେସର ଦୁଇ ତୁଙ୍ଗ ନେତା ନରିସଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଏହି ଦୁଇ ନେତା ପୂର୍ବରୁ ଘୋଷଣା କରିଥିଲେ ଯେ, ଚଳିତ ନିର୍ବାଚନରେ ସେମାନେ ଲଢେଇ କରିବେ ନାହିଁ। ଏପରିକି ଜଟଣୀ ବିଧାୟକ ସୁରେଶ ରାଉତରାୟ ବିଧାନସଭାରେ ଶେଷଥର ପାଇଁ ମୁଣ୍ଡିଆ ମାରି ଚାଲି ଆସିଛନ୍ତି। ସେତେବେଳେ ସେ କହିଥିଲେ ଯେ, ଆଉ ମୁଁ ବିଧାନସଭା ଆସିପାରିବି ନାହିଁ, ସେଥିପାଇଁ ମୁଣ୍ଡିଆ ମାରୁଛି।

ତେବେ ବର୍ତ୍ତମାନ ସେମାନେ କାହିଁକି ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, କଣ ରହିଛି ଏହାର କାରଣ। ବର୍ତ୍ତମାନ ସୁଦ୍ଧା ସୁରେଶ ରାଉତରାୟ କିମ୍ବା ନରସିଂହ ମିଶ୍ର କେହି ବି ଜଣେ ନିର୍ବାଚନ ଲଢିବେ ବୋଲି ଘୋଷଣା କରି ନାହାଁନ୍ତି। ସେମାନେ ନ ଲଢିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି। ତେବେ ସେମାନେ ଲଢିବେ ବୋଲି ନିଜେ ଘୋଷଣା ନ କରିବା ସତ୍ବେ ଏପରି ଚର୍ଚ୍ଚା କେଉଁଠୁ ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରି ଚର୍ଚ୍ଚା ହେବାର କାରଣ ହେଉଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ସେ ହିଁ ଜଣାଇଛନ୍ତି ଉଭୟ ନିର୍ବାଚନ ଲଢିବେ। ଜଟଣୀରେ କଂଗ୍ରେସ ତରଫରୁ ଆୟୋଜିତ ହୋଇଥିବା ଏକ ଜନସଭା ପରେ ଶରତ ପଟ୍ଟନାୟକ ଏହା କହିଛନ୍ତି। ସେଠାରେ ସେ ସୁରେଶ ରାଉତରାୟଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ସଂଗଠନ ଅଛି ବୋଲି ଅନୁଭବ କଲେ। ଜଟଣୀରେ ତାଙ୍କ ପୁଅ ଅପେକ୍ଷା ବାପା ସୁର ରାଉତରାୟଙ୍କୁ ଲୋକେ ବହୁତ ଭଲ ପାଉଛନ୍ତି ବୋଲି ଶରତ ଜାଣିବାକୁ ପାଇଲେ।

ଏହାପରେ ସେ ଭୁବନେଶ୍ବର ଆସି ଅନ୍ୟମାନଙ୍କୁ କହିଲେ ଯେ, ଜଟଣୀରୁ ସୁରେଶ ରାଉତରାୟ ଛିଡା ହେବେ। କାରଣ ସେଠାକାର ଲୋକେ ସେ ଛିଡା ହୁଅନ୍ତୁ ବୋଲି ଚାହୁଛନ୍ତି। ଆମେ ସୁର ଭାଇଙ୍କୁ ଅନୁରୋଧ କରିବୁ ସେ ଏଥର ନିର୍ବାଚନରେ ଜଟଣୀ ବିଧାନସଭାରୁ ଲଢେଇ କରନ୍ତୁ। ସେହିପରି ସେ ଏହା ମଧ୍ୟ କହିଥିଲେ ଯେ, ବରିଷ୍ଠ ନେତା ନରିସଂହ ମିଶ୍ରଙ୍କୁ ମଧ୍ୟ ଲୋକେ ଚାହୁଛନ୍ତି। ତାଙ୍କୁ ମଧ୍ୟ ଏଥର ଛିଡା କରିବା ପାଇଁ ଅନୁରୋଧ କରାଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ କଂଗ୍ରେସ ବେଶ ପୁରୁଖା ନେତା ହେଉଛନ୍ତି ନରସିଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଉଭୟଙ୍କର ତ୍ରୁଣମୂଳ ସ୍ତରରେ ରହିଛି ସୁଦୃଢ ସଂଗଠନ। ହେଲେ ବୟସ ହୋଇଯାଇଥିବାରୁ ଉଭୟ ଲଢିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ଏପରିକି ଉଭୟ ସେମାନଙ୍କର ପୁଅଙ୍କୁ କଂଗ୍ରେସ ଟିକେଟ ଦେଉ ବୋଲି ଅନୁରୋଧ କରିଛନ୍ତି। ଏଥିରେ କଂଗ୍ରେସ ଦଳ ମଧ୍ୟ ରାଜି ହୋଇଥିବାର ଜଣାପଡିଛି। ହେଲେ ପରିସ୍ଥିତି ଦେଖି ବର୍ତ୍ତମାନ ଦଳ ପୂର୍ବ ନିଷ୍ପତିରେ ପରିବର୍ତ୍ତନ କରିଥିବାର ଲକ୍ଷ୍ୟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କର ଚ଼ିନ୍ତା ନାହିଁ: କଂଗ୍ରେସ

ଭୁବନେଶ୍ଵର: ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ। ଜଣେ ଭିନ୍ନକ୍ଷମ ବିଦ୍ୟାର୍ଥୀ ମଧ୍ୟ ତାର ଶିକ୍ଷା ସାଧାରଣ ବିଦ୍ୟାର୍ଥୀ ପରି ପାଇବାର ଆବଶ୍ୟକତା ଅଛି ଏବଂ ତାର ମୌଳିକ ଅଧିକାର। ଓଡ଼ିଶାରେ ପ୍ରାୟ ୬୮୦୦୦ ସାଧାରଣ ବିଦ୍ୟାଳୟ ଅଛି ଏବଂ ୧ ଲକ୍ଷ ୪୬ ହଜାର ୩୬୪ ଜଣ ଭିନ୍ନକ୍ଷମ ବିଦ୍ୟାର୍ଥୀ ସାଧାରଣ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି। କିନ୍ତୁ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କର ଅଭାବ ରହିଛି ବୋଲି ପ୍ରଦେଶ କଂଗ୍ରେସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ବିଶ୍ବାଳ କହିଛନ୍ତି।

ଏହି ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏହି ରାୟ କୁ ଖୁଲମଖୋଲା ଅବମାନନା କରୁଛନ୍ତି ରାଜ୍ୟ ସରକାର। ଶ୍ରୀ ବିଶ୍ବାଳ କହିଛନ୍ତି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଭିନ୍ନକ୍ଷମ ଅଧିକାର ଆଇନ-୨୦୧୬ ଏବଂ ଅନ୍ତର୍ନିବେଶୀ ଶିକ୍ଷା ନୀତି ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି।ରାଜ୍ୟ ସରକାର ଭିନ୍ନକ୍ଷମ ଅଧିକାର ଆଇନ ଅର୍ନ୍ତଗତ ନିୟମ ଲାଗୁତ କରୁଛନ୍ତି କିନ୍ତୁ ଏହାକୁ ସଠିକ ରୂପେ ପରିଚ଼ାଳନା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ଯାହା ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ବୈମାତୃକ ମନୋଭାବ ପୋଷଣ କରିବାର ଜ୍ଵଳନ୍ତ ଉଦାହରଣ ବୋଲି ଶ୍ରୀ ବିଶ୍ବାଳ ସରକାରଙ୍କୁ କଡ଼ା ସମାଲୋଚ଼ନା କରିଛନ୍ତି।

ଭାରତୀୟ ପୁନର୍ବାସ ପରିଷଦର ବୈଧାନିକ ରେ ଉଲ୍ଲେଖ ଅଛି ଯେ, ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କୁ କେବଳ ସ୍ବତନ୍ତ୍ର ଶିକ୍ଷା ରେ ପ୍ରଶିକ୍ଷଣ ନେଇ ଭାରତୀୟ ପୁନର୍ବାସ ପରିଷଦ ରେ ନାମ ପଞ୍ଜିକରଣ କରିଥିବା ଶିକ୍ଷକ ହିଁ ଶିକ୍ଷା ଦାନ କରିପାରିବେ କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ବି ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି, ତାହାଲେ ବିଦ୍ୟାଳୟ ରେ ନାମ ଲେଖାଇଥିବା ୧ ଲକ୍ଷ ୪୬ ହଜାର ୩୬୪ ଦିବ୍ୟାଙ୍ଗ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କୁ ପଢ଼ାଉଛନ୍ତି କିଏ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ବିଶ୍ବାଳ। ଏ ଦିଗରେ ମାନ୍ୟବର ସୁପ୍ରିମକୋର୍ଟ ଦୁଇ ବର୍ଷ ମଧ୍ୟରେ ୮ ଥର ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ତାଙ୍କର ଅପାରଗତାକୁ ଲୁଚାଇବାକୁ ଯାଇ ମିଥ୍ୟା ସତ୍ୟପାଠ ଦାଖଲ କରି ମାନ୍ୟବର ସୁପ୍ରିମକୋର୍ଟକୁ ଭ୍ରମିତ କରିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି କଂଗ୍ରେସ ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ୟାନେଲିଷ୍ଟ ଶୁଭେନ୍ଦୁ ଶେଖର ମଲ୍ଲିକ ଓ ଓଡ଼ିଶା ସ୍ବତନ୍ତ୍ର ଶିକ୍ଷକ ସଂଘ ର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୋୖଧୁରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକାରେ ଶକ୍ତି ବୃଦ୍ଧି ପାଇଁ ବାଣପୁରରେ କଂଗ୍ରେସର ସାଙ୍ଗଠନିକ ବୈଠକ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ମୀନାକ୍ଷୀ ପ୍ରଧାନଙ୍କ ନେତୃତ୍ବରେ ଏକ ସାଙ୍ଗଠନିକ ବୈଠକ ଆଜି ବାଣପୁର ଘଣ୍ଟଶୀଳା ନିକଟସ୍ଥ ଅଲେଖ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚିଲିକାରେ ଦଳକୁ କିପରି ଆଗକୁ ସୁଦୃଢ ଓ ମଜବୁତ କରାଯିବ ସେ ନେଇ କଂଗ୍ରେସ ନେତାମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କର୍ମୀମାନେ ଶପଥ ନେଇଥିଲେ। ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରସିକ୍ ଚାନ୍ଦ ପଟ୍ଟନାୟକ, ଚିଲିକା ନିର୍ବାଚନ ମଣ୍ଡଳୀ ସଂଯୋଜକ ବିପିନ ବିହାରୀ ବାରିକୀ, ବାଣପୁର ବ୍ଳକ ସଭାପତି ଶମ୍ଭୁନାଥ ବେହେରା, ଚିଲିକା ବ୍ଳକ ସଭାପତି ହରିବନ୍ଧୁ ସାହୁ, ବିପ୍ର ରଞ୍ଜନ ଜେନା, ସୁଶାନ୍ତ ବିଶୋଇ, ଚିତ୍ତରଞ୍ଜନ ମହାପାତ୍ର, ଲକ୍ଷ୍ମୀଧର ପ୍ରଧାନ ଏବଂ ମହିଳା ନେତ୍ରୀ ମାଧୁରୀ ନାୟକ, ପୂଜା ପ୍ରଧାନ ଏବଂ ଏକାଧିକ କର୍ମକର୍ତା ମାନେ ଉପସ୍ଥିତ ଥିଲେ।