Categories
ବିଶେଷ ଖବର

ମଧ୍ୟପ୍ରଦେଶରେ ଯାଦବ ମୁଖ୍ୟମନ୍ତ୍ରୀ: ମୋଦି ସରକାର ଓ ବିଜେପି ଆଉ କେତେ ଯାଦବଙ୍କୁ ପଦ ଦେଇଛନ୍ତି?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଜଣେ ଯାଦବ ନେତା ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ନିଯୁକ୍ତ କରିଛି। ଦଳର ଏହି ପଦକ୍ଷେପକୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ନିକଟରେ ପହଞ୍ଚିବା ଭଳି ଦେଖାଯାଉଛି। ଓବିସି ହେଉଛନ୍ତି ଦେଶର ସବୁଠାରୁ ବଡ଼ ସମୁଦାୟ। ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ଦଳର ୪ ଜଣ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଓ ଇନ୍ଦ୍ରଜିତ୍ ସିଂହ, ନିତ୍ୟାନନ୍ଦ ରାୟ ଏବଂ ଅନ୍ନପୂର୍ଣ୍ଣା ଦେବୀ ଯାଦବ ସମ୍ପ୍ରଦାୟର ଅଛନ୍ତି।

ସୁଧା ଓ ହଂସରାଜ ମଧ୍ୟ ଯାଦବ ସମ୍ପ୍ରଦାୟର

ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ସଂସଦୀୟ ବୋର୍ଡରେ ସୁଧା ଯାଦବ ଏବଂ ହଂସରାଜ ଗଙ୍ଗାରାମ ଅହିର ଜାତୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ଅଛନ୍ତି। ଭୂପେନ୍ଦ୍ର ଯାଦବ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ମଧ୍ୟ ଅଛନ୍ତି। ସମସ୍ତ ଯାଦବ ନେତାମାନେ ବିଭିନ୍ନ ରାଜ୍ୟରୁ ଆସିଛନ୍ତି। ଭୂପେନ୍ଦ୍ର ଯାଦବ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଥିବାବେଳେ ରାଓ ଇନ୍ଦ୍ରଜିତ୍ ସିଂହ ହରିୟାଣାରୁ, ନିତ୍ୟାନ୍ଦ ରାୟ ବିହାରରୁ ଏବଂ ଅନ୍ନପୂର୍ଣ୍ଣା ଦେବୀ ଝାଡ଼ଖଣ୍ଡରୁ ଅଛନ୍ତି। ସେହିପରି ସୁଧା ଯାଦବ ହରିୟାଣାର ଓ ହଂସରାଜ ଗଙ୍ଗାରାମ ଅହିର ମହାରାଷ୍ଟ୍ରର ମୂଳ ବାସିନ୍ଧା।

ଏହି ରାଜ୍ୟଗୁଡ଼ିକରେ ଯାଦବଙ୍କ ସଂଖ୍ୟା ଅଧିକ ରହିଛି

ହିନ୍ଧୀ ହାର୍ଟଲ୍ୟାଣ୍ଡ ସମସ୍ତ ରାଜ୍ୟରେ ଯାଦବମାନେ ପ୍ରାୟ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ଏଥିରେ ହରିୟାଣା, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ରହିଛି। ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ସେମାନେ ଭଲ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ତେବେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏହି ଦୁଇ ରାଜ୍ୟରେ ଯାଦବମାନେ ନିଜର ରାଜନୈତିକ ଦଳ ଗଠନ କରିଛନ୍ତି।

ଯାଦବ ଭୋଟରଙ୍କ ଉପରେ ଲଗାମ ଲଗାଇବା ପାଇଁ ଉଦ୍ୟମ

ଏବେ ୪ ଜଣ କେନ୍ଦ୍ରମନ୍ତ୍ରୀ, ଜଣେ ମୁଖ୍ୟମନ୍ତ୍ରୀ ଓ ୨ ଜଣ ପଦାଧିକାରୀଙ୍କୁ ନେଇ ବିଜେପି ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହି ସମ୍ପ୍ରଦାୟ ନିକଟରେ ପହଞ୍ଚିଛି। ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସମେତ ଦକ୍ଷିଣ ରାଜ୍ୟ ଏବଂ ବଙ୍ଗଳାରେ ଯାଦବମାନେ ଉପସ୍ଥିତ ଅଛନ୍ତି। ଯାଦବ ପାରମ୍ପରିକ ଭାବରେ ହିନ୍ଦୁ ଧର୍ମ ଏବଂ ଏହାର ପ୍ରଥାରେ ଦୃଢ଼ ବିଶ୍ୱାସ ରଖିଛନ୍ତି ଏବଂ ଦଳ ତାଙ୍କୁ ନିଜର ପ୍ରଥମ ପସନ୍ଦ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ଓଡ଼ିଶାରେ ୨୦%ରୁ ଅଧିକ ଯାଦବ ମତଦାତା, କିନ୍ତୁ ବିଜେପିର ଅଣଦେଖା

ଓଡ଼ିଶାରେ ଓବିସିର ମୁଖ୍ୟ ଜନସଂଖ୍ୟା ଯାଦବ ଜାତିର ଅଛନ୍ତି। ଏହି ଜାତିର ନେତାମାନେ ନିଜର ଦାବି ଉପସ୍ଥାପିତ କରିବାରେ ବିଫଳ ହୋଇଛନ୍ତି। ଫଳରେ କୌଣସି ରାଜନୈତିକ ଦଳ ଏତେ ସଂଖ୍ୟାର ଭୋଟରଙ୍କ ମଧ୍ୟରୁ ନେତା ବାଛିବାରେ ପଛଘୁଞ୍ଚା ଦେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର, ୟୁପି ଏବଂ ବିହାର ପାଇଁ ଓବିସି ରଣନୀତି ଉପରେ ପୁନର୍ବିଚାର କଲା ବିଜେପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ରାଜ୍ୟରେ ନିଜର ଓବିସି ଭୋଟ୍ ବ୍ୟାଙ୍କ ଭାଙ୍ଗିବାର ଆଶଙ୍କା ଥିବାରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏହି ଜାତି ମଧ୍ୟରେ ନିଜର ସମର୍ଥକ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ଏକ ପ୍ରତିରକ୍ଷାତ୍ମକ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛି।

ଚଳିତ ମାସରେ ହେବାକୁ ଥିବା ଛତିଶଗଡ଼ ନିର୍ବାଚନ ପାଇଁ ଦଳର ଇସ୍ତାହାର ଉନ୍ମୋଚନ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି ଯେ ଦଳ ଜାତିଗତ ଜନଗଣନା ପ୍ରସ୍ତାବକୁ କେବେ ବିରୋଧ କରୁନାହିଁ, ବରଂ ଏହି ପ୍ରସଙ୍ଗରେ ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବ।

ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଓବିସି ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗୃହମନ୍ତ୍ରୀଙ୍କ ଏହି ବୟାନକୁ ଦଳ ପକ୍ଷରୁ ପ୍ରୟାସ ଭାବେ ବିବେଚନା କରାଯାଉଥିବାବେଳେ ଜାତିଗତ ଜନଗଣନା ପାଇଁ ବଢୁଥିବା ଦାବି ଦଳୀୟ ଗଡ଼ ଉପରେ ସମ୍ଭାବ୍ୟ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି।

ଗୁରୁବାର ଦିନ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନୂଆଦିଲ୍ଲୀରେ ହରିୟାଣାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଦଳର ଅନେକ ବରିଷ୍ଠ ନେତାଙ୍କୁ ଭେଟି ରାଜ୍ୟଗୁଡ଼ିକର ସ୍ଥିତି ସମୀକ୍ଷା କରିବା ସହ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

ମହାରାଷ୍ଟ୍ରରେ ଶିବସେନା ସହ କ୍ଷମତା ଭାଗିଦାରୀ କରୁଥିବାବେଳେ ମରାଠାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ ଏବଂ ରାଜ୍ୟର ଓବିସି ସମ୍ପ୍ରଦାୟର ସମ୍ଭାବ୍ୟ ପ୍ରତିବାଦ ପ୍ରସଙ୍ଗ ଯୋଗୁଁ ବିଜେପି କ୍ୟାଚ୍ ୨୨ ସ୍ଥିତିରେ ରହିଛି।

ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜାତିଗତ ସର୍ବେକ୍ଷଣ ରିପୋର୍ଟ ବିଜେପିକୁ ଏକ ଅଡ଼ୁଆରେ ପକାଇଛି କାରଣ ଏହା ଜାତୀୟ ସ୍ତରରେ ଜାତିଗତ ଜନଗଣନା ପାଇଁ ଚାପ ସୃଷ୍ଟି କରିବା ସହ ସଂରକ୍ଷଣ କୋଟା ବୃଦ୍ଧି ପାଇଁ ଦାବି କରିବାର ସମ୍ଭାବନା ରହିଛି। କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଜାତୀୟ ଜାତିଗତ ଜନଗଣନାକୁ ପ୍ରତ୍ୟାଖ୍ୟାନ କରିଛି।

ବିଜେପି ଶାସିତ ଅନ୍ୟ ଏକ ରାଜ୍ୟ ଉତ୍ତରପ୍ରଦେଶରେ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି (ଏସ୍ ପି) ଦଳିତ ଓ ଓବିସିଙ୍କୁ ବିଜେପିରୁ ଫେରାଇ ଆଣିବା ପାଇଁ ପଛୁଆ ଜାତିର ବୈଠକ ଆୟୋଜନ କରୁଥିବାବେଳେ ଏହାର ମେଣ୍ଟ ସହଯୋଗୀ ଅପନା ଦଳ ଏବଂ ନିଶାଦ ଦଳ ସେମାନଙ୍କ ଓବିସି ଭୋଟକୁ ସୁରକ୍ଷିତ ରଖିବା ପାଇଁ ଜାତିଗତ ଜନଗଣନା ପାଇଁ ସମର୍ଥନ କରିଛନ୍ତି। ସେପ୍ଟେମ୍ବର ମାସରେ ଘୋସି ଉପନିର୍ବାଚନରେ ବିଜେପିର ପରାଜୟ ଏହାର ଓବିସି ତ୍ରୁଟିକୁ ବିଶେଷ ଭାବରେ ଦର୍ଶାଇଥିଲା।

ଘୋସିରେ ସମଗ୍ର ୟୁପି କ୍ୟାବିନେଟ୍ ତାଙ୍କ ପାଇଁ ପ୍ରଚାର କରିବା ସତ୍ତ୍ୱେ ବିଜେପିର ଓବିସି ପ୍ରାର୍ଥୀ ଦାରା ସିଂହ ଚୌହାନ ଅଣ ଓବିସି ଥିବା ସପାର ସୁଧାକର ସିଂହଙ୍କଠାରୁ ପରାସ୍ତ ହୋଇଥିଲେ।

ବରିଷ୍ଠ ନେତାମାନଙ୍କ ସହ ଶାହାଙ୍କ ବୈଠକରେ ଯୋଗ ଦେଇଥିବା ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନଜିତିବା ପାଇଁ ଗୁରୁତ୍ୱପୂର୍ଣ୍ଣଭାବେ ବିବେଚନା କରାଯାଉଥିବା ଓବିସି ଭୋଟ୍ ପ୍ରତିଶତକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ପ୍ରତି-ରଣନୀତି ଉପରେ ବିସ୍ତୃତଭାବେ ଆଲୋଚନା କରିଛନ୍ତି।

ଜାତିଗତ ଜନଗଣନା ପାଇଁ ବିରୋଧୀଙ୍କ ଉଦ୍ୟମର ଜାଲରେ ନ ପଡ଼ି ପଛୁଆ ଜାତି ବର୍ଗଙ୍କ ନିକଟରେ ପହଞ୍ଚିବାକୁ ସେମାନେ ନେତାମାନଙ୍କୁ କହିଛନ୍ତି।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରମୁଖ ଓବିସି ନେତାଙ୍କ ସହ ଛୋଟ ଛୋଟ ମେଣ୍ଟ କରିବା କିମ୍ବା ଏଭଳି ନେତାମାନଙ୍କୁ ଦଳରେ ସାମିଲ କରିବାକୁ ସେମାନଙ୍କୁ କୁହାଯାଇଥିଲା ଏବଂ ଆଗାମୀ ଦିନରେ ଏକ ବୃହତ ଓବିସି ପ୍ରଚାର ପାଇଁ ବିଜେପି ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି।

ବିଶେଷ କରି ତିନିଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ର, ବିହାର ଏବଂ ଉତ୍ତରପ୍ରଦେଶକୁ ନେଇ ଦଳ ଚିନ୍ତିତ, ଯେଉଁଠାରେ ଓବିସି ରାଜନୀତି ଆକାର ନେଉଛି ଏବଂ କୌଣସି ଭୁଲ୍ ରଣନୀତି ବିଜେପିକୁ କ୍ଷତି ପହଞ୍ଚାଇପାରେ ବୋଲି ସୂତ୍ରରୁ ପ୍ରକାଶ।

ଗତ ଏକ ଦଶନ୍ଧି ମଧ୍ୟରେ ବିଜେପି ଅଣ-ପ୍ରଭାବଶାଳୀ ଓବିସି ଜାତିଗୁଡ଼ିକୁ ହିନ୍ଦୁତ୍ୱ ଛତ୍ର ତଳେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରି ଜାତିଭିତ୍ତିକ ରାଜନୀତି ଉପରେ ନିଜର ଆଧିପତ୍ୟ ସ୍ଥାପନ କରିଛି। ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଜାତି ପୁଣି ଥରେ ବିଭିନ୍ନ ରାଜ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର ଏକ ପ୍ରାଥମିକ ସ୍ଥାନ ଭାବରେ ଉଭା ହୋଇଛି।

୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓବିସି ସମର୍ଥନର ସବୁଠାରୁ ଅଧିକ ଲାଭବାନ ହୋଇଥିଲା। ଲୋକନୀତି-ସିଏସ୍‍ଡିଏସ୍ ଜାତୀୟ ନିର୍ବାଚନ ଅଧ୍ୟୟନ ତଥ୍ୟ ଅନୁଯାୟୀ, ୨୦୦୯ରେ ଏହି ସମ୍ପ୍ରଦାୟରୁ ଏହାର ଭୋଟ୍ ମାତ୍ର ୨୨ ପ୍ରତିଶତ ଥିବାବେଳେ ୨୦୧୯ରେ ଏହା ଦ୍ୱିଗୁଣିତ ହୋଇ ୪୪ ପ୍ରତିଶତରେ ପହଞ୍ଚିଛି। ପ୍ରଭାବଶାଳୀ ଓବିସି ଜାତିର ଏକଛତ୍ରବାଦକୁ ଭାଙ୍ଗି ଦଳ ୟୁପିରେ (୨୦୧୭ରେ) କ୍ଷମତା ହାସଲ କରିଥିଲା ଏବଂ ବିହାରରେ ମଧ୍ୟ ଭଲ ପାଦ ଥାପିଥିଲା।

ଗୁରୁବାର ବୈଠକରେ ଉପସ୍ଥିତ ଥିବା ୟୁପିର ଜଣେ ବିଜେପି ନେତା କହିଛନ୍ତି ଯେ ଯଦି ୮୦ ଟି ଲୋକସଭା ଆସନ ବିଶିଷ୍ଟ ୟୁପିରେ ଦଳ ଖରାପ ପ୍ରଦର୍ଶନ କରେ ତେବେ ଲୋକସଭା ନିର୍ବାଚନ ବିଜେପି ପାଇଁ ଏକ ଚ୍ୟାଲେଞ୍ଜ ହେବ।

ଯଦି କଂଗ୍ରେସ ଓ ଏସପି ଏକାଠି (ୟୁପିରେ) ଲଢ଼ିବେ ଏବଂ ଯଦି ବିଏସପି ବିଜେପିର ସ୍ୱାର୍ଥ ଅନୁଯାୟୀ ପ୍ରାର୍ଥୀ ନ ଦିଏ, ତେବେ ନିର୍ବାଚନ ଏକ ଚ୍ୟାଲେଞ୍ଜ ହେବ। ଯଦିଓ ଦଳୀୟ ନେତାମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହିନ୍ଦୁତ୍ୱ ପରିଚୟ ଏବଂ କଲ୍ୟାଣମୂଳକ ପ୍ରୋତ୍ସାହନ ନିର୍ବାଚନ ପାଇଁ ଯଥେଷ୍ଟ ହେବ ବୋଲି ଯୁକ୍ତି କରୁଛନ୍ତି, ଘୋସି ପରାଜୟ ସଙ୍କେତ ଦେଇଛି ଯେ ଦଳକୁ ନିଜର ଓବିସି ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବା ର ଆବଶ୍ୟକତା ରହିଛି।

ବିଜେପି ରାଜ୍ୟସଭା ସାଂସଦ ସୁରେନ୍ଦ୍ର ନାଗର କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଏବଂ ବିଭିନ୍ନ ରାଜ୍ୟର ସ୍ଥିତି ସମୀକ୍ଷା କରିବା ଉପରେ ବୈଠକରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ମହାରାଷ୍ଟ୍ର ଚିନ୍ତା ବଢ଼ାଉଛି

ମହାରାଷ୍ଟ୍ରରେ ବିଜେପି ରାଜନୈତିକ ଦୃଷ୍ଟିରୁ ଦୁର୍ବଳ ହୋଇପଡ଼ିଥିବାବେଳେ ଏହାର ସହଯୋଗୀ ଦଳ- ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଅଜିତ ପାୱାରଙ୍କ ବିଦ୍ରୋହୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଗୋଷ୍ଠୀ ମଧ୍ୟରେ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ସଂଘର୍ଷ କରୁଛି।

ମରାଠାଙ୍କ ପାଇଁ କୁନ୍‍ବି ଓବିସି ଜାତି ପ୍ରମାଣପତ୍ର ଦାବି କରୁଥିବା ମରାଠା ସଂରକ୍ଷଣ କର୍ମୀ ମନୋଜ ଜାରଙ୍ଗେ-ପାଟିଲ ନେଇ ରାଜ୍ୟ ସରକାରଙ୍କୁ ଉପରେ ଓବିସି ସମ୍ପ୍ରଦାୟ ଅସନ୍ତୁଷ୍ଟ ହେବାରେ ଲାଗିଛି।

ମହାରାଷ୍ଟ୍ରର ଜନସଂଖ୍ୟାର ୫୨ ପ୍ରତିଶତ ଓବିସି ଏବଂ ବିଜେପିର ଏକ ପ୍ରମୁଖ ଭୋଟ୍ ବ୍ୟାଙ୍କ, ମରାଠାମାନଙ୍କ ପାଇଁ ଏହି ବର୍ଗରେ ସଂରକ୍ଷଣକୁ ବିରୋଧ କରୁଛନ୍ତି । ଅପରପକ୍ଷରେ ମରାଠାମାନେ ରାଜ୍ୟର ଜନସଂଖ୍ୟାର ପ୍ରାୟ ୩୩ ପ୍ରତିଶତ ଅଟନ୍ତି ଏବଂ ସେମାନଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିବା କୌଣସି ପଦକ୍ଷେପ ମଧ୍ୟ ଏକ ବଡ଼ ରାଜନୈତିକ ମୂଲ୍ୟ ଦେବାକୁ ପଡ଼ିପାରେ।

ଯଦି ଜାନୁଆରି ସୁଦ୍ଧା ସରକାର ତାଙ୍କ ଦାବି ଉପରେ ପଦକ୍ଷେପ ନ ନିଅନ୍ତି ତେବେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଜାରଙ୍ଗେ ଗୁରୁବାର କୋଟା ପାଇଁ ଅନିର୍ଦ୍ଦିଷ୍ଟ କାଳ ଅନଶନ ଶେଷ କରିଛନ୍ତି। ମରାଠାମାନଙ୍କୁ ଓବିସି ସାର୍ଟିଫିକେଟ୍ ଦିଆଗଲେ ଆନ୍ଦୋଳନ କରାଯିବ ବୋଲି ଓବିସିମାନେ ଚେତାବନୀ ଦେଇଛନ୍ତି।

ବିଜେପିର ଜଣେ କର୍ମକର୍ତ୍ତା କହିଛନ୍ତି, ‘ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟରେ ଉପୁଜିଥିବା ପରିସ୍ଥିତି ବିଷୟରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି ଏବଂ ଉଭୟ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି।

ଅନେକ ନେତା ଓବିସି ପ୍ରଚାର ପାଇଁ ଭିନ୍ନ ଭିନ୍ନ ପରାମର୍ଶ ଦେଇଥିଲେ କିନ୍ତୁ ହାଇକମାଣ୍ଡ ଫଡନାଭିସଙ୍କୁ କହିଥିଲେ ଯେ ପରିସ୍ଥିତି ସମ୍ବେଦନଶୀଳ ଏବଂ ଏହାକୁ ସୂକ୍ଷ୍ମ ଭାବରେ ପରିଚାଳନା କରାଯିବା ଉଚିତ। ଏଥିସହିତ ଦଳ ଫସିବା ଉଚିତ ନୁହେଁ। ସେମାନେ କହିଛନ୍ତି ଯେ ରକ୍ଷଣାତ୍ମକ ପଦକ୍ଷେପ ନ ନେଇ ବିଜେପିର ଆଭିମୁଖ୍ୟ ତା’ର କାର୍ଯ୍ୟକଳାପରେ ପ୍ରତିଫଳିତ ହେବା ଉଚିତ।

ମହାରାଷ୍ଟ୍ର ବିଜେପି ଗତ ମାସରେ ବିଦର୍ଭ ଅଞ୍ଚଳର ୧୧ଟି ଜିଲ୍ଲାରେ ଓବିସିଙ୍କ ନିକଟରେ ପହଞ୍ଚିବା ପାଇଁ ଦୁଇ ସପ୍ତାହିଆ ‘ଜାଗରଣ ଯାତ୍ରା’ ଆରମ୍ଭ କରିଥିଲା। ଏହି ଅଞ୍ଚଳରେ ୪୮ଟି ଲୋକସଭା ଆସନରୁ ୧୦ଟି ଏବଂ ୨୮୮ଟି ବିଧାନସଭା ଆସନରୁ ୬୨ଟି ଆସନ ରହିଛି ଏବଂ ଏହା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।

ମହାରାଷ୍ଟ୍ରରେ ଏକନାଥ ଖଡସେଙ୍କଠାରୁ ଆରମ୍ଭ କରି ପଙ୍କଜା ମୁଣ୍ଡେ ଓ ପ୍ରକାଶ ମେହେଟ୍ଟାଙ୍କ ପର୍ଯ୍ୟନ୍ତ ଓବିସି ନେତାଙ୍କୁ ବିଜେପି ଅବହେଳିତ କରିଥିବା ଅଭିଯୋଗ ହୋଇଥିବାବେଳେ ରାଜ୍ୟ ନେତୃତ୍ୱରେ ମରାଠା ନେତା ପାୱାର ଓ ସିନ୍ଦେ ଏବଂ ଜଣେ ବ୍ରାହ୍ମଣ ଫଡନାଭିସ ରହିଛନ୍ତି। ଏହା ଆଉ ଏକ ସମସ୍ୟା ସୃଷ୍ଟି କରିଛି।

ଦଳର ରାଜ୍ୟ ସଭାପତି (ଚନ୍ଦ୍ରଶେଖର ବାୱନକୁଲେ)ଭାବେ ଜଣେ ଓବିସି ନେତା ଅଛନ୍ତି, କିନ୍ତୁ ସମ୍ପ୍ରଦାୟ ମଧ୍ୟରେ ତାଙ୍କର କୌଣସି ଆକର୍ଷଣ ଥିବା ବିଶ୍ୱାସ କରାଯାଏ ନାହିଁ।

ବିହାର ସମସ୍ୟା

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାରର ବୈଠକରେ ବିହାର ବିଜେପି ନେତା ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଏବଂ ସୁଶୀଲ ମୋଦୀ ଜାତିଗତ ସର୍ଭେ ରିପୋର୍ଟ ପରେ ରାଜ୍ୟରେ ଉପୁଜିଥିବା ପରିସ୍ଥିତି ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ।

ବିହାର ବିଜେପିର ଜଣେ ନେତା କହିଛନ୍ତି ଯେ ନେତୃତ୍ୱ ରାଜ୍ୟର ୪୦ ଟି ଲୋକସଭା ଆସନ ଜିତିବା ପାଇଁ ପ୍ରସ୍ତୁତି ଏବଂ ଆଗାମୀ ରଣନୀତି ବିଷୟରେ ମଧ୍ୟ ଜାଣିବାକୁ ଚାହୁଁଥିଲେ। ଦଳର ରଣନୀତି ସମ୍ପର୍କରେ ଜଣେ ବରିଷ୍ଠ ନେତା କହିଛନ୍ତି, ପ୍ରଣବ ମୁଖାର୍ଜୀ କମିଟି ହିଁ ଜାତୀୟ ଜନଗଣନାରେ ଓବିସି ଗଣନାକୁ ପ୍ରତ୍ୟାଖ୍ୟାନ କରିଥିଲା ଏବଂ ଏବେ ଓବିସି ଭୋଟ୍ ବ୍ୟାଙ୍କ ହରାଇଥିବା କଂଗ୍ରେସ ଜାତି ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରି ଓବିସି ଭୋଟ ପାଇବାକୁ ଚେଷ୍ଟା କରୁଛି।
କିନ୍ତୁ ବିଜେପିକୁ ଏହି ଜାଲରେ ପଡ଼ିବାର ଆବଶ୍ୟକତା ନାହିଁ ଏବଂ ବିଭିନ୍ନ କ୍ଷମତା ଭାଗିଦାରୀ ଢାଞ୍ଚାରେ ଓବିସି ସମ୍ପ୍ରଦାୟର ପ୍ରତିନିଧିତ୍ୱ ବୃଦ୍ଧି ସହିତ ହିନ୍ଦୁତ୍ୱର ବର୍ତ୍ତମାନର ଯୋଜନା ଏବଂ ମୋଦୀ ସରକାରଙ୍କ ସାମାଜିକ କଲ୍ୟାଣ ଅଭିଯାନକୁ ବଜାୟ ରଖିବାର ଆବଶ୍ୟକତା ରହିଛି।

ବିହାର ବିଜେପି ନେତା ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ପାଖରେ ରୋହିଣୀ କମିଶନ (ଓବିସିର ଉପ-ବର୍ଗୀକରଣ ଯାଞ୍ଚ ପାଇଁ ଗଠିତ) ରିପୋର୍ଟକୁ ଅବହେଳିତ ଓବିସିମାନଙ୍କ ମଧ୍ୟରେ ଅଧିକ ପ୍ରବେଶ ପାଇଁ ବ୍ୟବହାର କରିବାର ବିକଳ୍ପ ଅଛି, କିନ୍ତୁ ଏହା ଅବହେଳିତ ଓବିସି ଜାତିମାନଙ୍କ ବିରୋଧରେ ପ୍ରଭାବଶାଳୀ ଓବିସି ଜାତିଗୁଡ଼ିକର ଅନ୍ୟ ଏକ ପ୍ରକାର ପ୍ରତି-ଧ୍ରୁବୀକରଣ ସୃଷ୍ଟି କରିପାରେ।

ବିହାରଠାରୁ ଆରମ୍ଭ କରି ୟୁପି ପର୍ଯ୍ୟନ୍ତ ବିଜେପିକୁ ପ୍ରଭାବଶାଳୀ ଓବିସି ଜାତି, ବିଶେଷ କରି କୁର୍ମିମାନଙ୍କଠାରୁ ଭୋଟ୍ ମିଳୁଛି ଏବଂ କମିଶନଙ୍କ ରିପୋର୍ଟ ସେହି ସନ୍ତୁଳନକୁ ଖରାପ କରିପାରେ ବୋଲି ବିହାର ନେତା ଦର୍ଶାଇଛନ୍ତି।

ନେତାଙ୍କ କହିବା ନୁସାରେ, ବିଜେପି ହାଇକମାଣ୍ଡ ବିହାର ନେତାମାନଙ୍କୁ ଯାଦବମାନଙ୍କ ବିରୋଧରେ ମେଣ୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁମାନେ ମୁଖ୍ୟତଃ ରାଜ୍ୟରେ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଭୋଟ୍ ଦିଅନ୍ତି।

ତେଣୁ ନୀତୀଶ କୁମାରଙ୍କ ଭୋଟ୍ ବ୍ୟାଙ୍କ (କୁର୍ମି)କୁ ଘେରିବା ଏବଂ ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଦୁର୍ବଳ କରିବା ପାଇଁ ଆମେ କୁର୍ମି ଓ କୋଏରୀମାନଙ୍କୁ ଏକାଠି କରିବା ପାଇଁ ମେଣ୍ଟ କରୁଛୁ।

ବିହାରର କୁର୍ମି ଓ କୋଏରୀ ଏବଂ ଯାଦବମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଛି ଏବଂ ଆମକୁ ସେହି ତ୍ରୁଟିକୁ ବ୍ୟବହାର କରିବାକୁ ପଡ଼ିବ ବୋଲି ଏହି ନେତା କହିଛନ୍ତି।
ବିହାର ବିଜେପି ମୁଖ୍ୟ ସମ୍ରାଟ ଚୌଧୁରୀ କହିଛନ୍ତି, ଆମେ କିପରି ଲୋକସଭା ଆସନ ଜିତିପାରିବୁ ସେ ନେଇ ବୈଠକରେ ଆଲୋଚନା କରିଥିଲୁ।

Categories
ବିଶେଷ ଖବର

‘କମଣ୍ଡଳ ପରେ ପୁଣି ଫେରିଲା ମଣ୍ଡଳ ରାଜନୀତି’: ଓବିସିଙ୍କ ପାଇଁ ୩୦% ସଂରକ୍ଷଣ କଲା ବିଜେପି; ଅନ୍ୟ ଦଳର ପ୍ରସ୍ତୁତି କ’ଣ?

ନୂଆଦିଲ୍ଲୀ: ୧୯୯୦ ମସିହା ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ଭିପି ସିଂହଙ୍କ ସରକାର ସାରା ଦେଶରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ଘୋଷଣା କରିଥିଲେ। ତତ୍କାଳୀନ ପଛୁଆ ବର୍ଗ ଆୟୋଗଙ୍କ ସୁପାରିସ କ୍ରମେ ସରକାରୀ ଚାକିରି ଓ ନାମଲେଖାରେ ଏହି ସଂରକ୍ଷଣ ଦିଆଯାଇଥିଲା। ତତ୍କାଳୀନ ଆୟୋଗର ଅଧ୍ୟକ୍ଷ ଥିବା ଭି.ପି.ମଣ୍ଡଳଙ୍କ ପରେ ଏହାକୁ ମଣ୍ଡଳ କମିଶନ କୁହାଗଲା ଏବଂ ଏଥିରୁ ଆରମ୍ଭ ହୋଇଥିବା ରାଜନୀତିକୁ ମଣ୍ଡଳ ରାଜନୀତି କୁହାଗଲା। ଭିପି ସିଂହଙ୍କ ଏହି ପଦକ୍ଷେପ ସମଗ୍ର ଦେଶର ରାଜନୀତିକୁ ଦୋହଲାଇ ଦେଇଥିଲା।

କୁହାଯାଉଛି ଯେ ସେତେବେଳେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ରଥଯାତ୍ରା କରି ଏହାକୁ ଭାଙ୍ଗିଥିଲେ। ଏହାକୁ ମଣ୍ଡଳ ବନାମ କମଣ୍ଡଳ ରାଜନୀତି କୁହାଯାଏ। ଚଳିତ ବର୍ଷ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ବିଶ୍ୱକର୍ମା ଯୋଜନା ଘୋଷଣା କରିଥିଲେ।

ଏହା ଓବିସି ସମ୍ପ୍ରଦାୟର ଲୋକଙ୍କୁ ନୂଆ ଶକ୍ତି ପ୍ରଦାନ କରିବ ବୋଲି ସେ କହିଛନ୍ତି। ବିହାରରେ ଚାଲିଛି ଜାତିଗତ ଜନଗଣନା। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ତେବେ କମଣ୍ଡଳ ପରେ ଦେଶକୁ ଫେରୁଛି ମଣ୍ଡଳ ରାଜନୀତି ? ଆସନ୍ତୁ ଏହା ବୁଝିବା…
ଦେଶର ୧୩ଟି ରାଜ୍ୟରେ ଓବିସି ଜନସଂଖ୍ୟାର ୪୦% ରୁ ଅଧିକ ଅଟନ୍ତି। ଏହି କାରଣରୁ ବିଜେପି ଏବଂ ଅନ୍ୟ ରାଜନୈତିକ ଦଳମାନେ ଆଗାମୀ ନିର୍ବାଚନରେ ଏହି ରାଜ୍ୟଗୁଡ଼ିକ ଓବିସି ଭୋଟ୍ ବ୍ୟାଙ୍କକୁ ବିକଶିତ କରିବାକୁ ଚାହୁଁଛନ୍ତି। ଏବେ ଆସନ୍ତୁ ଜାଣିବା ଓବିସି ସମ୍ପ୍ରଦାୟକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ କ’ଣ କରୁଛନ୍ତି…

ଓବିସି ଭୋଟ୍ ବ୍ୟାଙ୍କରେ ପ୍ରବେଶ ପାଇଁ ବିଜେପି ନେଲା ୩ଟି ବଡ଼ ନିଷ୍ପତ୍ତି

ଓବିସି ସମ୍ପ୍ରଦାୟର ଘରେ ପହଞ୍ଚିବା ପାଇଁ ଅଭିଯାନ: ୬ ଏପ୍ରିଲ ୨୦୨୩ରେ ବିଜେପି ଓବିସି ମୋର୍ଚ୍ଚା ଏକ ଲକ୍ଷ ଗାଁର ଏକ କୋଟି ଓବିସି ପରିବାରଙ୍କ ପାଖରେ ପହଞ୍ଚିବା ପାଇଁ ‘ଗାଁ ଗାଁ ଗାଁ ଚଲୋ, ଘର ଘର ଚଲୋ’ ଅଭିଯାନ ଆରମ୍ଭ କରିଥିଲା।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା: କେନ୍ଦ୍ର ସରକାର ୧୭ ସେପ୍ଟେମ୍ବର ୨୦୨୩ରେ ଏହି ଯୋଜନା ଆରମ୍ଭ କରିବେ। ଏହା ଜରିଆରେ କମାର, ଭଣ୍ଡାରୀ, ଧୋବା, ତନ୍ତୀ ଭଳି କାର୍ଯ୍ୟରେ ନିୟୋଜିତ ଲୋକଙ୍କୁ କମ୍ ସୁଧହାରରେ ଋଣ ପ୍ରଦାନ କରାଯିବ। ଓବିସି ସମ୍ପ୍ରଦାୟର ୯୨୩ଟି ଜାତି ଏଥିରୁ ଉପକୃତ ହେବାର ସମ୍ଭାବନା ରହିଛି।

ରୋହିଣୀ ଓବିସି ସମ୍ପ୍ରଦାୟ ପାଇଁ ଆୟୋଗ: ଓବିସିରେ ୨୬୦୦ରୁ ଅଧିକ ଜାତି ଅଛନ୍ତି। ସଂରକ୍ଷଣର ଲାଭ ଏମାନଙ୍କ ମଧ୍ୟରୁ କିଛି ଜାତିକୁ ଦିଆଯାଇଛି ବୋଲି କେନ୍ଦ୍ର ସରକାର ବିଶ୍ୱାସ କରୁଛନ୍ତି। ଏଭଳି ସ୍ଥିତିରେ ସଂରକ୍ଷଣକୁ ଉପବର୍ଗରେ ବିଭକ୍ତ କରିବାର ଆବଶ୍ୟକତା ରହିଛି।
ଏଥିପାଇଁ ୨୦୧୭ ଅକ୍ଟୋବର ୨ତାରିଖରେ କେନ୍ଦ୍ର ସରକାର ରୋହିଣୀ କମିସନ ଗଠନ କରିଥିଲେ। ୩ଟି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଏହି କମିଶନଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ଜାଣନ୍ତୁ ଓବିସି ଭିତରେ କେତେ ଜାତି ଓ ସମ୍ପ୍ରଦାୟ ସଂରକ୍ଷଣର ଲାଭ ପାଉଛନ୍ତି?

ଓବିସିରେ ସଂରକ୍ଷଣ ବଣ୍ଟନ ପାଇଁ ପଦ୍ଧତି, ଆଧାର ଏବଂ ମାନଦଣ୍ଡ କ’ଣ ହେବା ଉଚିତ ?
ଓବିସିମାନଙ୍କୁ ବିଭିନ୍ନ ଉପଶ୍ରେଣୀରେ ବିଭକ୍ତ କରିବା ପାଇଁ ସେମାନଙ୍କୁ କିପରି ଚିହ୍ନଟ କରାଯିବ?

ରୋହିଣୀ କମିଶନ ଅଗଷ୍ଟ ୨୦୨୩ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହାର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି।

ଓବିସି ସମ୍ପ୍ରଦାୟକୁ ୪ଟି ବଡ଼ ପ୍ରତିଶ୍ରୁତି ଦେଲା କଂଗ୍ରେସ

ଫେବୃଆରୀ ୨୦୨୩ରେ ରାୟପୁରରେ ଅନୁଷ୍ଠିତ ସମ୍ମିଳନୀରେ କଂଗ୍ରେସ ଓବିସି ସମ୍ପ୍ରଦାୟକୁ ଯୋଡ଼ିବା ପାଇଁ ଏହି ସଂକଳ୍ପ ପାରିତ କରିଥିଲା।

ଆମେ ଘରୋଇ କ୍ଷେତ୍ରରେ ଓବିସି ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରିବୁ।

ଏସସି/ଏସଟି ଙ୍କ ସହ ଓବିସିଙ୍କୁ ମଧ୍ୟ ନ୍ୟାୟପାଳିକାରେ ସଂରକ୍ଷଣ ମିଳିବ।

ପ୍ରତି ୧୦ ବର୍ଷରେ ହେଉଥିବା ଜନଗଣନା ସହିତ ସାମାଜିକ-ଅର୍ଥନୈତିକ ଜାତିଗତ ଜନଗଣନା ମଧ୍ୟ କରାଯିବ।

କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଅର୍ଥାତ୍ ସିଡବ୍ଲ୍ୟୁସିରେ ୫୦ ପ୍ରତିଶତ ପଦବୀ ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ପାଇଁ ସଂରକ୍ଷିତ ରହିବ।

ରାଜସ୍ଥାନରେ ଓବିସି ସଂରକ୍ଷଣ ୬% ବୃଦ୍ଧି

ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ରାଜସ୍ଥାନର କଂଗ୍ରେସ ସରକାର ଓବିସି ସଂରକ୍ଷଣକୁ ବର୍ତ୍ତମାନର ୨୧%ରୁ ୨୭%କୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

କର୍ଣ୍ଣାଟକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଜାତିଗତ ଜନଗଣନା କରିବା କଥା କହିଛନ୍ତି।

ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଜାତିଗତ ଜନଗଣନାକୁ ସମର୍ଥନ କରିଛନ୍ତି।

ଓବିସିଙ୍କ ପାଇଁ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଲେ ଆରଜେଡି, ଜେଡିୟୁ, ଏସପି ଓ ବିଏସପି

ୟୁପିରେ ଏସପି ଏବଂ ବିହାରରେ ଆରଜେଡି, ଜେଡିୟୁର ମୁଖ୍ୟ ଭୋଟ୍ ବ୍ୟାଙ୍କ ହେଉଛି ଓବିସି। ୟୁପିରେ ଏସପି ଏବଂ ବିହାରରେ ଯାଦବଙ୍କ ଉପରେ ଆରଜେଡିର ଦୃଢ଼ ଦଖଲ ରହିଛି। ସେହିପରି ବିହାରର କୋୟାରୀ, କୁର୍ମି ଓ ମଣ୍ଡଳ ଜାତି ଉପରେ ଜେଡିୟୁର ଦଖଲ ରହିଛି। ଏହି ଦଳଗୁଡ଼ିକ ଏବେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଛନ୍ତି।

ବିହାରର ଆରଜେଡି ଓ ଜେଡିୟୁ ସରକାର ଜାତିଗତ ଜନଗଣନା କରିବା ଆରମ୍ଭ କରିସାରିଲେଣି। ସରକାର ଗଠନ ହେଲେ ଜାତିଗତ ଜନଗଣନା କରାଯିବ ବୋଲି ବିଏସପି ଓ ଏସପି ମଧ୍ୟ କହିଛନ୍ତି। ଏହାଦ୍ୱାରା ଓବିସିଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ ବୋଲି ଏହି ଦଳଗୁଡ଼ିକ ବିଶ୍ୱାସ କରୁଛନ୍ତି। ଏହାପରେ ଜନସଂଖ୍ୟା ଆଧାରରେ ସରକାରୀ ସୁବିଧା ଠିକ୍ ଭାବେ ବଣ୍ଟନ କରାଯିବ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏକ ନୂଆ ଟିମ୍ ଗଠନ କରିଛି। ସେଥିମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ପଦବୀ ଓବିସିଙ୍କୁ ଦିଆଯାଇଛି। ଦଳୀୟ ସଂଗଠନର ମୋଟ ୧୨୦ଟି ପଦବୀ ମଧ୍ୟରୁ ୫୬ଟି ପଦବୀ ଓବିସି ନେତାଙ୍କୁ ଦିଆଯାଇଛି।

୩୨ ଜଣିଆ ଜାତୀୟ କାର୍ଯ୍ୟକାରିଣୀରେ ଜେଡିୟୁ ୧୬ ଜଣ ଓବିସି ଓ ଓବିସି ସମ୍ପ୍ରଦାୟର ନେତାଙ୍କୁ ସାମିଲ କରିଛି।

ଓବିସିଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ୟ ଦଳମାନେ କ’ଣ କରୁଛନ୍ତି…

ସଂରକ୍ଷଣ ବୃଦ୍ଧି ପାଇଁ ମମତା ପ୍ରତିଶ୍ରୁତି ଦେଲେ: ପଶ୍ଚିମବଙ୍ଗର ତୃଣମୂଳ ସରକାର ଓବିସି ଛାତ୍ରଛାତ୍ରୀଙ୍କୁ ମାସିକ ୮୦୦ ଟଙ୍କାର ଛାତ୍ରବୃତ୍ତି ଦେବା ପାଇଁ ‘ମେଧା ଶ୍ରୀ’ ଯୋଜନା ଆରମ୍ଭ କରିଛନ୍ତି। ଏହାବ୍ୟତୀତ ଟିଏମସି ଇସ୍ତାହାରରେ ମାହିଶ୍ୟା-ତେଲି ଓ ସାହା ଭଳି ଜାତିକୁ ଓବିସି ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେଇଛି।

ଡିଏମକେ ପକ୍ଷରୁ ସାମାଜିକ ନ୍ୟାୟ ସମ୍ମିଳନୀ ଡାକରା: ଡିଏମକେ ଏପ୍ରିଲ ୨୦୨୩ରେ ‘ଅଲ୍ ଇଣ୍ଡିଆ ଫେଡେରେସନ୍ ଫର୍ ସୋସିଆଲ ଜଷ୍ଟିସ୍’ର ପ୍ରଥମ ସମ୍ମିଳନୀ ଆୟୋଜନ କରିଥିଲା। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ସମ୍ମିଳନୀ ମାଧ୍ୟମରେ ୨୦ଟି ଦଳର ପ୍ରତିନିଧିଙ୍କୁ ଗୋଟିଏ ମଞ୍ଚରେ ଆଣିଥିଲେ।

ଏହି ସମ୍ମିଳନୀରେ ଡିଏମକେ କେନ୍ଦ୍ର ସରକାରଙ୍କୁ ଜାତିଭିତ୍ତିକ ଜନଗଣନା କରି ତଥ୍ୟ ପ୍ରକାଶ କରିବାକୁ ଦାବି କରିଛି। ଏହି ବୈଠକରେ ସମସ୍ତ ରାଜ୍ୟରେ ଏହାର ତଦାରଖ କରାଯିବ ବୋଲି କୁହାଯାଇଛି। ଲକ୍ଷ ଲକ୍ଷ ଓବିସି ପଦବୀ ଖାଲି ପଡ଼ିଛି। ଇଡବ୍ଲ୍ୟୁଏସ୍ କୋଟା ଜରିଆରେ ପଛୁଆ ବର୍ଗଙ୍କ ଅଧିକାର ଛଡ଼ାଇ ନିଆଯାଉଛି।

ରାମ ମନ୍ଦିର ରାଜନୀତିର ବିକଳ୍ପ ନୁହେଁ ମଣ୍ଡଳ ରାଜନୀତି

ଏହି ଦୁଇଟି ରେଳଧାରଣା ଭଳି କମଣ୍ଡଳ ଓ ମଣ୍ଡଳର ରାଜନୀତି ମଧ୍ୟ ସମାନ୍ତରାଳଭାବେ ଚାଲିଛି। ଏବେ କମଣ୍ଡଳ ରାଜନୀତି ଜୋର ଧରିଥିବା ବେଳେ ବିଜେପି ମଣ୍ଡଳ ରାଜନୀତିରେ ନିଜକୁ ମଜବୁତ କରିବାକୁ ଚେଷ୍ଟା କରୁଛି।

ଅଧିକାଂଶ ଆଞ୍ଚଳିକ ଦଳର ଭୋଟ୍ ବ୍ୟାଙ୍କ ମଣ୍ଡଳ ରାଜନୀତି ଉପରେ ନିର୍ଭରଶୀଳ। ଏଭଳି ସ୍ଥିତିରେ ଗୋଟିଏ ପଟେ ବିଜେପି ଓବିସିଙ୍କୁ ଆକୃଷ୍ଟ କରି ଆଞ୍ଚଳିକ ଦଳଗୁଡ଼ିକର ଭୋଟ୍ ବ୍ୟାଙ୍କଭାଙ୍ଗିବାକୁ ଚେଷ୍ଟା କରୁଛି। ଏଥିସହ ସମସ୍ତ ଆଞ୍ଚଳିକ ଦଳ, ଏପରିକି କଂଗ୍ରେସ ମଧ୍ୟ ଜାତିଗତ ଜନଗଣନା ମାଧ୍ୟମରେ ନିଜର ଭୋଟ ବ୍ୟାଙ୍କ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୪୪% ଓବିସି ଭୋଟ୍ ମିଳିଥିଲା। ବିଜେପି ପ୍ରତି ଏହି ସମ୍ପ୍ରଦାୟର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପ୍ରଥମ ଥର ପାଇଁ ବିଜେପି ଖୋଲାଖୋଲି ଭାବେ ଓବିସିଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି। ଏହି କାରଣରୁ ବିଜେପିର ଭୋଟ୍ ବ୍ୟାଙ୍କ କମିବ ନାହିଁ, ବରଂ ଏହା କେବଳ ଫାଇଦା ଦେବ।

ରାଜନୈତିକ ବିଶେଷଜ୍ଞ ରସିଦ କିଦୱାଇଙ୍କ ମତରେ-

ପଛୁଆ ରାଜନୀତିରେ କିଛି ବାକି ନାହିଁ, ଫାଇଦା ପାଇବା କଷ୍ଟକର। ରାଜନୈତିକ ଦଳମାନେ ନିଜର ଭୋଟ୍ ବ୍ୟାଙ୍କ ବଢ଼ାଇବା ପାଇଁ ସବୁବେଳେ କିଛି ନା କିଛି ପରୀକ୍ଷା ନିରୀକ୍ଷା କରୁଛନ୍ତି। କିନ୍ତୁ ଏହି ସବୁ ଜିନିଷ ପାଇଁ ଏକ ସମୟ ଅଛି। ଆପଣ ଏହାକୁ ଏପରି ଭାବରେ ବୁଝିଛନ୍ତି ଯେ ପିଲାଦିନେ ଦୁଇ ଭାଇ ଅଲଗା ହେବା ଏବଂ ଅଜବ ପରିସ୍ଥିତିରେ ବଡ଼ ହେବାର ଚଳଚ୍ଚିତ୍ର ପ୍ରଥମେ ବହୁତ ପସନ୍ଦ କରାଯାଇଥିଲା। ଏହା ସହିତ ଯେତେବେଳେ ଏହି ବିଷୟଉପରେ ଅଧିକ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ ହେଲା, ଲୋକମାନେ ଏହାକୁ ପସନ୍ଦ କରିବା ବନ୍ଦ କରିଦେଲେ। ଦଳଗୁଡ଼ିକ ଯାହା କରୁଛନ୍ତି ତାହାକୁ ମଣ୍ଡଳ, କମଣ୍ଡଳ କୁହାଯାଏ କିମ୍ବା ଧର୍ମ ଓ ବିଶ୍ୱାସ କିମ୍ବା ଭାଷା ନାମରେ ଭୋଟ ମାଗୁଛନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଜାତି ଓ ଧର୍ମର ଭେଦଭାବକୁ ଦୂର କରି ଏକ ଭିନ୍ନ ପ୍ରକାର କଲ୍ୟାଣ ରାଜନୀତି କରିଛି। ଅର୍ଥାତ୍ ଏବେ ଏଥିପାଇଁ କୌଣସି ସୁଯୋଗ ବାକି ନାହିଁ। ବାସ୍ତବରେ ସରକାର ଯେଉଁ କାମ କରିବା କଥା ତାହା କରିପାରୁନାହାନ୍ତି। ସେଥିପାଇଁ ରାଜନୈତିକ ଦଳଗୁଡ଼ିକ ପୁରୁଣା ପ୍ରସଙ୍ଗଗୁଡ଼ିକୁ ପୁନଃପ୍ୟାକେଜିଂ କରୁଛନ୍ତି।

ଉଦାହରଣସ୍ୱରୂପ ୟୁପିରେ ମୁଲାୟମ ଏବଂ ବିହାରରେ ଲାଲୁ ଯାଦବଙ୍କ ଭୋଟକୁ ନିଜର ମୁଖ୍ୟ ଭୋଟ ବ୍ୟାଙ୍କ କରିଥିଲେ। ଅନ୍ୟପକ୍ଷରେ ବିଜେପି ଯାଦବଙ୍କ ବିରୋଧରେ ସମସ୍ତ ଛୋଟ ଓବିସି ଜାତିକୁ ଏକାଠି କରିବାକୁ ଚେଷ୍ଟା କରିଥିଲା। ଏହାର ଫାଇଦା ମଧ୍ୟ ବିଜେପିକୁ ମିଳିଥିଲା। ଏଭଳି ସ୍ଥିତିରେ ରାଜନୈତିକ ଦଳମାନେ ପ୍ରୟାସ କଲେ ମଧ୍ୟ ପୂର୍ବ ଭଳି ରାଜନୈତିକ ଫାଇଦା ମିଳିବା କଷ୍ଟକର।

କଂଗ୍ରେସ ଘରୋଇ କ୍ଷେତ୍ରରେ ସଂରକ୍ଷଣ କଥା କହୁଥିବାବେଳେ କ୍ଷମତାରେ ଥାଇ ମଧ୍ୟ କିଛି କରିନଥିଲା। ସେପଟେ ମଧ୍ୟବିତ୍ତ ବର୍ଗ ଏଭଳି ସଂରକ୍ଷଣକୁ ବିରୋଧ କରୁଛନ୍ତି। ମଧ୍ୟବିତ୍ତ ମଧ୍ୟ ଏକ ବଡ଼ ଭୋଟ୍ ବ୍ୟାଙ୍କ ଏବଂ ଏହା ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ରାଜନୈତିକ ଦଳମାନଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିପାରେ।

ବରିଷ୍ଠ ସାମ୍ବାଦିକ ନୀରଜା ଚୌଧୁରୀଙ୍କ କହିବା ଅନୁଯାୟୀ-ଓବିସିଙ୍କୁ ଦୁଇ ଭାଗରେ ବିଭକ୍ତ କରିବାକୁ ଚେଷ୍ଟା କରୁଛି ବିଜେପି। ବିଜେପି ନେତାମାନେ ଜାଣନ୍ତି ଯେ ସେମାନେ ଉତ୍ତର ଭାରତର ଓବିସିର ଯାଦବ ଏବଂ କୁର୍ମି ସମ୍ପ୍ରଦାୟର ଠାରୁ ଅଳ୍ପ ସମର୍ଥନ ପାଇବେ।
ଏଭଳି ପରିସ୍ଥିତିରେ ଏହି ଜାତିବ୍ୟତୀତ ଓବିସି ସମ୍ପ୍ରଦାୟର ଅନ୍ୟ ଜାତି ଯଥା ଲୁହାର, ବଢ଼େଇ, ଭଣ୍ଡାରୀ ଓ ଧୋବା ଇତ୍ୟାଦିକୁ ସାଙ୍ଗରେ ଆଣିବାକୁ ବିଜେପି ଚେଷ୍ଟା କରୁଛି। ଓବିସିର ଜନସଂଖ୍ୟାର ପ୍ରାୟ ୩୦% ହେଉଛନ୍ତି ଏମାନେ। ଏହି କାରଣରୁ ବିଜେପି ରୋହିଣୀ କମିଶନ ଗଠନ କରି ଓବିସି ସମ୍ପ୍ରଦାୟକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଚେଷ୍ଟା କରୁଛି।

ଓବିସି ସମ୍ପ୍ରଦାୟର ମାତ୍ର ୧୦ଟି ଜାତି ମଧ୍ୟରୁ ୯୭ ପ୍ରତିଶତ ସରକାରୀ ଚାକିରିରେ ଅଛନ୍ତି ବୋଲି ବିଜେପି ବିଶ୍ୱାସ କରୁଛି। ଏହି ତାଲିକାରେ ୯୮୦ଟି ଜାତି ଥିବାବେଳେ ସରକାରୀ ଚାକିରିରେ ସେମାନଙ୍କ ଅଂଶଗ୍ରହଣ ନଗଣ୍ୟ। ଏବେ ଏହି ଓବିସି ଜାତିର ୩୦ ପ୍ରତିଶତ ଭୋଟ୍ ବ୍ୟାଙ୍କ ଉପରେ ବିଜେପିର ନଜର ରହିଛି, ଯେଉଁମାନେ ସରକାରୀ ସୁବିଧାରେ ପଛରେ ପଡ଼ିଛନ୍ତି।

ତେବେ ପୂର୍ବତନ ସାଂସଦ କେସି ତ୍ୟାଗୀ ଏବଂ ଜାମିଆ ମିଲିଆ ପ୍ରଫେସର ପଙ୍କଜ ଚୌରାସିଆ ସେମାନଙ୍କ ଏକ ଲେଖାରେ ଲେଖିଛନ୍ତି ଯେ ମୋଦି ସରକାର ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରୋହିଣୀ କମିଶନ ରିପୋର୍ଟକୁ ସାର୍ବଜନୀନ କରିବେ କିମ୍ବା ଏହାର ସୁପାରିସକୁ କାର୍ଯ୍ୟକାରୀ କରିବେ ତାହା ସମ୍ଭବ ନୁହେଁ।

ଏହାର ଗୋଟିଏ କାରଣ ହେଉଛି ଏହି ରିପୋର୍ଟ ସାର୍ବଜନୀନ ହେବା ମାତ୍ରେ ସାମାଜିକ ନ୍ୟାୟ ଓ ସମାନତା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିବ।

Categories
ଆଜିର ଖବର ଜାତୀୟ ଖବର

୨୭% ଓବିସି ଓ ୧୦% ଅର୍ଥନୈତିକ ଦୁର୍ବଳ ବର୍ଗର ସଂରକ୍ଷଣକୁ ଅନୁମୋଦନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ ପିଜି କାଉନସେଲିଂ ଉପରେ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ କାଉନସେଲିଂ ଆରମ୍ଭ ହେବା ସହିତ ସୁପ୍ରିମକୋର୍ଟ ୨୭% ଓବିସି ଏବଂ ୧୦% ଅର୍ଥନୈତିକ ଦୁର୍ବଳ ବର୍ଗର ସଂରକ୍ଷଣକୁ ଅନୁମୋଦନ କରିଛନ୍ତି। ୨୭% ଓବିସି ଏବଂ ୧୦% ଅର୍ଥନୈତିକ ଦୁର୍ବଳ ବର୍ଗର ସଂରକ୍ଷଣକୁ ଯଥାର୍ଥ ମାନି କାଉନସେଲିଂ ଦେବା ପାଇଁ କେନ୍ଦ୍ର ଅନୁମତି ମାଗିଥିଲା। ଏଥିସହିତ ନୂତନ ସଂରକ୍ଷଣ ନୀତିକୁ ରୋକ ଲଗାଇବା ପାଇଁ ଆବେଦନକାରୀମାନେ ଦାବି କରିଥିଲେ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ: ଓବିସିଙ୍କୁ ମିଳିବ ୨୭ ପ୍ରତିଶତ ଟିକେଟ

ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ନିର୍ବାଚନ ଲାଗି ବିଜେଡ଼ି ବଡ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓବିସିମାନଙ୍କ ପାଇଁ ଟିକେଟ ସଂରକ୍ଷଣ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ଓବିସିଙ୍କୁ ଟିକେଟ ଦେବା ପାଇଁ ବିଜେଡ଼ି ଘୋଷଣା କରିଛି।

ଦେଶର ପ୍ରଥମ ଦଳ ଭାବେ ଓବିସିଙ୍କ ପାଇଁ ଦଳ ଟିକେଟ ସଂରକ୍ଷଣ କରିଛି। ଏହା ସହ ମହିଳାଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରିବା ଲାଗି ଦଳ ବିଚାର କରୁଛି। ତେବେ ପଞ୍ଚାୟତ ନିର୍ବାଚନ ବ୍ୟତୀତ ଆଗାମୀ ସମସ୍ତ ନିର୍ବାଚନରେ ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦେବ ବୋଲି ଦଳ ଘୋଷଣା କରିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ ଦଳ କାର୍ଯ୍ଯାଳୟରେ ଘୋଷଣା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ଏକ ରାଜ୍ୟସ୍ତରୀୟ ବୈଠକ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ରାଜ୍ୟ ଓବିସି ବିଭାଗ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ରାଜ୍ୟ ସରକାର କେବଳ ଯୋଜନା ଉପରେ ଯୋଜନା କରି ଲୋକମାନଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ବୋଲି କହିଥିଲେ।

ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ଯୋଗଦାନ କରିଥିଲେ । ଅଧ୍ୟକ୍ଷ  ବିଷ୍ଣୁଚରଣ ବାରିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଯଦୁମଣି ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ରାଉତ, ପ୍ରକାଶ ରାଉତରାୟ, ଦେବୀପ୍ରସାଦ ବାହାଲିଆ, ଅନ୍ନପୂର୍ଣ୍ଣା ସାହୁ, ନିମାଇଁ ରାଉତରାୟ, ରାଜକିଶୋର ବାରିକ, କେଦାର ଜେନା, ପଂଚାନନ ମହାପାତ୍ର, କଳିଙ୍ଗ ସାହୁ, ବସନ୍ତ ସେଠ୍‌, ରଶ୍ମିରଂଜନ ଚୌଧୁରୀ, ରମେଶ ମୁଦୁଲି, ଉତ୍ସବ ବାରିକ ପ୍ରମୁଖ ବହୁ କର୍ମକର୍ତା ଓ ଜିଲ୍ଲା ଅଧ୍ୟକ୍ଷ ଯୋଗଦାନ କରିଥିଲେ।