Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ବସ୍ତିବାସିନ୍ଦାଙ୍କ ଆନ୍ଦୋଳନକୁ ସମର୍ଥନ କଲା କଂଗ୍ରେସ, ଯୋଗଦେଲେ ଚେଲା କୁମାର

ଭୁବନେଶ୍ୱର: ଆଜିକୁ ୧୧ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାଡ ନଂ- ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାର ଦ୍ୱାରା ବେଆଇନ ବସ୍ତି ଉଚ୍ଛେଦକୁ ବିରୋଧ କରି ଦିବାରାତ୍ର ଧାରଣାରେ ବସିଛନ୍ତି। ଏହାକୁ ସମର୍ଥନ କରି ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ଅନୁରୋଧ କ୍ରମେ କଂଗ୍ରେସ ନେତୃବୃନ୍ଦ ଉକ୍ତ ଧାରଣାରେ ସାମିଲ ହୋଇଥିଲେ।

ଧାରଣାରେ ଯୋଗଦେଇ ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ବସ୍ତିବାସିନ୍ଦାଙ୍କୁ ସମ୍ବୋଧିତ କରି କହିଥିଲେ ଗରିବ ଶ୍ରେଣୀୟ ଲୋକଙ୍କୁ କଂଗ୍ରେସ ଦଳ ସଦାସର୍ବଦା ସୁରକ୍ଷା ଦେଇ ଆସୁଛି। ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଠୁ ଆରମ୍ଭ କରି ରାଜୀବ ଗାନ୍ଧୀ, ଶ୍ ସିଂ ଙ୍କ ପର୍ଯ୍ୟନ୍ତ ଭୂମିହୀନଙ୍କୁ ଗୃହ ନିର୍ମାଣ ପାଇଁ ମାଗଣାରେ ଜମି ଏବଂ ପରବର୍ତି ସମୟରେ ଗୃହ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ ଯୋଜନା କଂଗ୍ରେସ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଯୋଜନା ଗୁଡ଼ିକୁ ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ନାମ ପରିବର୍ତ୍ତନ କରି ନିଜସ୍ୱ ଯୋଜନା ହିସାବରେ ଲୋକଙ୍କ ଆଖିରେ ଧୂଳି ଦେଇଛନ୍ତି।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁରୂପ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଇ କହିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବିରୋଧି ସରକାର। ଦରଦାମ ଠାରୁ ଆରମ୍ଭ କରି ସ୍ଥାୟୀତ୍ୱ ପର୍ଯ୍ୟନ୍ତ ସବୁଥିରେ ବିଫଳ। କଂଗ୍ରେସ କାଲି ମଧ୍ୟ ଗରିବ, ଦଳିତ ଓ ଅସହାୟଙ୍କ ସହ ଥିଲା ଆଗକୁ ମଧ୍ୟ ଅନ୍ୟାୟ ବିରୋଧରେ ପ୍ରଭାବିତଙ୍କ ସାଙ୍ଗରେ ଠିଆ ହେବ। ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଉପସଭାପତି ଶିବାନନ୍ଦ ରାୟ ବସ୍ତିବାସିନ୍ଦାଙ୍କୁ ଆସ୍ୱସନା ଦେଇ କହିଥିଲେ ପୋଲିସ, ପ୍ରଶାସନ କିମ୍ବା ସରକାର ବେଆଇନ ଭାବେ ବସ୍ତି ଉଚ୍ଛେଦ କରିପାରିବେ ନାହିଁ। ଯଦି ସେପରି କିଛି ପରିସ୍ଥିତି ଉପୁଜେ ତେବେ କଂଗ୍ରେସ ଦଳ ଆଗରେ ଠିଆହେବ।

ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ ପରିଶେଷରେ କହିଥିଲେ ଯଦି ବସ୍ତିବାସିନ୍ଦାଙ୍କୁ ନ୍ୟାୟ ନମିଳେ ତେବେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କୋର୍ଟର ଆଶ୍ରୟ ନେବା ସହ ଆନ୍ଦୋଳନକୁ ଓହ୍ଲାଇବ। ଏହି ଧାରଣା ସଭାକୁ ବସ୍ତି ସଭାପତି ପୁଷ୍କର ସୁବୁଦ୍ଧି ପରିଚାଳନା କରିଥିଲେ।

ଆଜିର ଏହି ଧାରଣା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଂପାଦକ ଜି. ରୁଦ୍ର ରାଜୁ, ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଜ୍ଞାନଦେବ ବେଉରା, ରଶ୍ମି ମହାପାତ୍ର, ସେକ ତାକୱିମ, ଆଶିଷ ମଲ୍ଲିକ, ବ୍ଲକ ସଭାପତି ସେକ ଆପତାବ ଅଲ୍ଲି, ଅଶୋକ ଦାସ, ଶ୍ରୀଧର ବଳିଆର ସିଂ, ପ୍ରଦୀପ ମହାପାତ୍ର, ଦୀପକ ମହାପାତ୍ର, ଇନ୍ଦ୍ରଜିତ ରାଉତ, ଗୋବିନ୍ଦ ସାହୁ, କୁସୁମ ପ୍ରଧାନ, ରୀନା ସାହୁ, ରବିନ୍ଦ୍ର ନାୟକ, ବିଚିତ୍ର ପାତ୍ର, ବିକ୍ରମ ସୁନ୍ଦରରାୟ, ନିଆଜୁଲ ଇସ୍‌ଲାମ, ଦେବାଶିଷ ଦାସ, ଶିବନ ମୁସରଫ, ସାଗର ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ, 30 ମିନିଟ ଲାଇନ ବନ୍ଦ କରିବାକୁ ନିଷ୍ପତି

ଭୁବନେଶ୍ୱର, କୋଭିଡ୍ ମହାମାରୀ ଯୋଗୁଁ ରାଜ୍ୟବାସୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବଂ ଏହି ସମସ୍ୟାରୁ ଜନସାଧାରଣ ସଂପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ରାଜ୍ୟ ସରକାରଙ୍କର ବିଦ୍ୟୁତ୍ ଦର ବୃଦ୍ଧି ଅତ୍ୟନ୍ତ ଅପରିଣାମଦର୍ଶିତା ଓ ଉପଭୋକ୍ତାଙ୍କ ଉପରେ ଏକ ବୋଝ ସଦୃଶ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟବ୍ୟାପୀ ଜନ ଅସନ୍ତୋଷ ଦେଖା ଦେଇଛି ।

ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ଦଳ ଏହାକୁ କଦାପି ବରଦାସ୍ତ କରିବ ନାହିଁ । ଏହି ବର୍ଦ୍ଧିତ ଦର ସମସ୍ତଙ୍କୁ ବାଧୁ ଥିବାରୁ ଅପ୍ରେଲ ୪ ତାରିଖ ରବିବାର ସନ୍ଧ୍ୟା ଘ. ୬.୩୦ ମିନିଟ୍ ଠାରୁ ସନ୍ଧ୍ୟା ୭ ଘଟିକା ପର‌୍ୟ୍ୟନ୍ତ (୩୦ ମିନିଟ୍ ନିମନ୍ତେ) ରାଜ୍ୟବାସୀ ପ୍ରତିବାଦ ସ୍ୱରୂପ ନିଜ ଘରର ସମସ୍ତ ଲାଇଟ୍ ଓ ବୈଦ୍ୟୁତିକ ଉପକରଣ ବନ୍ଦ୍ ରଖିବା ପାଇଁ ପଟ୍ଟନାୟକ ନିବେଦନ କରିଛନ୍ତି ।

ଏହି ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟି ତା ୫.୪.୨୦୨୧ ରିଖ ସୋମବାର ଦିନ ଜିଲ୍ଲା ସଦର ମହକୁମାଠାରେ ଥିବା ବିଦ୍ୟୁତ୍ କାର‌୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଣ୍ଟିଆ ଧାରଣା ଦେବେ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସଂପୃକ୍ତ ବିଦ୍ୟୁତ୍ ଅଧିକାରୀଙ୍କୁ ପ୍ରଦାନ କରିବେ ।

ସେହିଭଳି ଆସନ୍ତା ଏପ୍ରିଲ୍ ୬ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ଲକ ନଗର କଂଗ୍ରେସ କମିଟି ପକ୍ଷରୁ ନିଜ ଅଂଚଳରେ ଥିବା ବିଦ୍ୟୁତ୍ କାର‌୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଣ୍ଟିଆ ଧାରଣା ଦିଆଯିବ ବୋଲି ପିସିସି ପକ୍ଷରୁ ନିଷ୍ପତି ନିଆଯାଇଛି ।