Categories
ଆଜିର ଖବର ରାଜ୍ୟ ଖବର

ବିଷାକ୍ତ କୀଟ କାମୁଡିବାରୁ ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡର କିସିଣ୍ଡା ରେଞ୍ଜ ଅନ୍ତର୍ଗତ କଞ୍ଚନପୁର ଜଙ୍ଗଲରେ କାର୍ଯ୍ୟରତ ଜନୈକ ଅସ୍ଥାୟୀ ବନ ବିଭାଗର କର୍ମଚାରୀକୁ କୌଣସି ବିଷାକ୍ତ କୀଟ କାମୁଡି ଦେବାରୁ ଗୁରୁତର ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଅସ୍ଥାୟୀ ବନ ବିଭାଗର କର୍ମଚାରୀ ଜଣଙ୍କ ହେଲେ କିସିଣ୍ଡା ଗ୍ରାମର ପ୍ରଦୀପ ନାୟକ (୩୫)।

ମୃତ ପ୍ରଦୀପ କିସିଣ୍ଡା ରେଞ୍ଜ ବନ୍ୟପ୍ରାଣୀ ବିଭାଗରେ ଅସ୍ଥାୟୀ ରାତ୍ର ଜଗୁଆଳ ଭାବରେ କାମ କରୁ ଥିଲେ ବୋଲି ଜଣା ପଡ଼ିଛି। ମୃତ ପ୍ରଦୀପ ଶନିବାର କଞ୍ଚନପୁର ଜଙ୍ଗଲ ଅଞ୍ଚଳରେ ତାଙ୍କର ଡିୟୁଟି କରୁଥିବା ବେଳେ ତାଙ୍କୁ କୋୖଣସି ବିଷାକ୍ତ ପୋକ କାମୁଡି ଦେଇ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ପ୍ରଦୀପ ଜଙ୍ଗଲରୁ ଅସୁସ୍ଥତା ଅନୁଭବ କରି ଘରକୁ ଚାଲି ଆସି ଥିଲେ। ହେଲେ ପରିବାର ଲୋକେ ତୁରନ୍ତ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଆଣିବା ବାଟରେ ତାଙ୍କର ମ୍ରୁତ୍ୟୁ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ କିସିଣ୍ଡା ଥାନା ପୋଲିସ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନା ପହଞ୍ଚି ଏହି ଘଟଣାର ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଛି। ଏହା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତ ଦେହକୁ ହସ୍ତାନ୍ତର କରା ଯାଇଛି। ପ୍ରଦୀପଙ୍କ ପରିବାର ଅତ୍ୟନ୍ତ ଗରିବ ପରିବାରର ହୋଇ ଥିବା ବେଳେ ତାଙ୍କ ଏକ ଛୋଟ ପୁଅ ଅଛି। ବନବିଭାଗ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି।