Categories
ଆଜିର ଖବର ଜାତୀୟ ଖବର

ଜରୁରୀ, ମାଲ ପରିବହନକୁ ଛାଡି ଅନ୍ୟସବୁ ବନ୍ଦ କର, ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ କ୍ୟାବିନେଟ ସଚିବଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କ୍ୟାବିନେଟ ସଚିବଙ୍କ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଆଜି ସକାଳୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନତା କର୍ଫ୍ୟୁ ପାଳନ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପ୍ରତି ଅଭୂତପୂର୍ବ ଏବଂ ସ୍ୱତଃସ୍ଫୁର୍ତ ସମର୍ଥନ ମିଳିଛି ବୋଲି ଏହି ଅବସରରେ ମୁଖ୍ୟ ଶାସନ ସଚିବମାନେ ସୂଚନା ଦେଇଥିଲେ।

କୋଭିଡ-୧୯ର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ବସ ଚଳାଚଳ ଏବଂ ଅନାବଶ୍ୟକ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯିବାର ଜରୁରି ଆବଶ୍ୟକତା ଉପରେ ସହମତି ବ୍ୟକ୍ତ କରାଯାଇଥିଲା।

ବିସ୍ତୃତ ବିଚାରବିମର୍ଶ ପରେ, କୋଭିଡ-୧୯ ପଜିଟିଭ କିମ୍ବା ମୃତ୍ୟୁ ମାମଲା ରିପୋର୍ଟ ହୋଇଥିବା ୭୫ଟି ଜିଲ୍ଲାରେ କେବଳ ବାଧ୍ୟତାମୂଳକ ସେବାକୁ ବାଦ ଦେଲେ ବାକିସବୁ ବନ୍ଦ ରଖିବା ନିମନ୍ତେ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ରାଜ୍ୟ ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକକୁ ସମ୍ପ୍ରସାରିତ କରିପାରିବେ। ଉଲ୍ଲେଖଯୋଗ୍ୟ ଯେ ଅନେକ ରାଜ୍ୟ ପୂର୍ବରୁ ଏପରି ପ୍ରତିବନ୍ଧକ ଲାଗୁ କରିସାରିଛନ୍ତି।

ଏହି ବୈଠକରେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା:

କ-୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ସହରାଂଚଳ ରେଳ ସେବା ସମେତ ସମସ୍ତ ରେଳ ସେବା ସ୍ଥଗିତ ରଖାଯିବ। କିନ୍ତୁ ମାଲଗାଡ଼ିକୁ ଏଥିରୁ ବାଦ ଦିଆଯିବ।

ଖ-୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ସମସ୍ତ ମେଟ୍ରୋ ରେଳ ସେବା ସ୍ଥଗିତ ରହିବ। କୋଭିଡ-୧୯ ସଂକ୍ରମଣ କିମ୍ବା ମୃତ୍ୟୁ ମାମଲା ଚିହ୍ନଟ ହୋଇଥିବା ୭୫ଟି ଜିଲ୍ଲାରେ ରାଜ୍ୟ ସରକାର କେବଳ ଜରୁରିକାଳୀନ ସେବା ନିମନ୍ତେ ଅନୁମତି ଦେବାର ଆଦେଶ ଜାରି କରିବେ।

ଗ-ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ ।