ଦେବ ରଞ୍ଜନ
ଆଜିର ତାରିଖରେ ସାରା ବିଶ୍ବରେ କରୋନା ଭାଇରସ ହେତୁ ୨୧୫ ଦେଶର ସମୁଦାୟ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୩୯ ହଜାର । ଆମେ ସେମାନଙ୍କ ଲାଗି ଶୋକପାଳନ କରିବା ସହିତ ଆମେ ଯେ ସେମାନଙ୍କୁ ବଞ୍ଚାଇବାରେ ଅସମର୍ଥ ହେଲୁ ସେଥିଲାଗି ଦୁଃଖ ପ୍ରକାଶ କରିବାର ସମୟ ଆସିଛି । କରୋନା କେବଳ ଯେ ବିଶ୍ୱବ୍ୟାପି ମହାମାରୀରେ ପରିଣତ ହୋଇଛି ତାହା ନୁହେଁ ଏହା ଆମ ସଭ୍ୟତାକୁ ନେଇ ଥିବା ଆମର ଗର୍ବ, ଆମର ବିକାଶକୁ ନେଇ ଥିବା ଆମର ଦାମ୍ଭିକତା, ବିଜ୍ଞାନର ଅଗ୍ରଗତିକୁ ନେଇ ଆତ୍ମସନ୍ତୋଷ, ଗଣତନ୍ତ୍ରକୁ ନେଇଥିବା ଆମର ଅହମିକା ସବୁକୁ ଖର୍ବ କରିଦେଇଛି ।
କୌଣସି ଅଚାନକ ବିପତ୍ତି ହିଁ ଆମର ପ୍ରସ୍ତୁତିକୁ ଦର୍ଶାଇଥାଏ। କରୋନା ଭାଇରସ ହେତୁ ଅଧିକ ସଂଖ୍ୟାରେ ସାଧାରଣ ଲୋକର ମୃତ୍ୟୁ ଆମର ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା (ଅ)ପ୍ରସ୍ତୁତିକୁ ଦର୍ଶାଉଛି। ଏହା ସାରା ବିଶ୍ଵର ସମସ୍ୟା। ଆଜି ଭାରତରେ ସେହି ୨ ଲକ୍ଷ ୩୯ ହଜାର ମୃତକଙ୍କ ମଧ୍ୟରେ ୧୩୦୦ ଜଣ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ୬୫ % ବରିଷ୍ଠ ନାଗରିକ । ଆମ ସଭ୍ୟତା ଆମକୁ ଏହା ଶିଖାଇଛି ଯେ ବରିଷ୍ଠଙ୍କୁ ସମ୍ମାନ କରିବା ଆମର କର୍ତ୍ତବ୍ୟ। ଏକ ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ରଶକ୍ତି ଭାବରେ ଆମ୍ଭେମାନେ ଆମର କର୍ତ୍ତବ୍ୟ କରିପାରିଲେ କି ?
କମ୍ପାନୀଙ୍କ ହାତରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ହେତୁ :
ଆଜି ଆମେରିକାରେ ସର୍ବାଧିକ ମୃତକଙ୍କ ମଧ୍ୟରେ ଅଛନ୍ତି ସେଠାର କଳାଲୋକ ଓ ଲାଟିନୋମାନେ। ଆମେରିକାର ପ୍ରଚଳିତ ପ୍ରାଇଭେଟ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା ଓ ବେସରକାରୀ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥାରେ ସେହିମାନେ ଉପଯୁକ୍ତ ଚିକିତ୍ସା ନପାଇବା ସ୍ଵାଭାବିକ। ନ୍ୟୁର୍କ ଟାଇମସର ତଥ୍ୟ ଅନୁସାରେ ବିଭିନ୍ନ ବାର୍ଦ୍ଧକ୍ୟ ଗୃହ ଓ ନର୍ସିଙ୍ଗ ହୋମରେ ଅଧିକ ସଂଖ୍ୟକ ବୟସ୍କ ଲୋକେ ଡାକ୍ତରଖାନାରେ ଭେଣ୍ଟିଲେଟର ଓ ଅନ୍ୟ ସ୍ୱାସ୍ଥ୍ୟ ଉପକରଣର ଅଭାବ ହେତୁ ମୃତ୍ୟୁବରଣ କରୁଛନ୍ତି । ବିଶ୍ଵର ସର୍ବଶ୍ରେଷ୍ଠ କମ୍ପାନୀମାନଙ୍କ ଉପସ୍ଥିତି ସତ୍ବେ ସ୍ୱାସ୍ଥ୍ୟ ଉପକରଣର ଅଭାବ ହେତୁ ଆମେରିକା ନିଜର ବୟୋଜେଷ୍ଠ ଲୋକଙ୍କୁ ହରାଇବା ଏକ ରାଷ୍ଟ୍ର ଲାଗି ଲଜ୍ଜାର ବିଷୟ।
ଇଉରୋପରେ ଦୃଢ ଅର୍ଥନୀତି ଓ ବଳିଷ୍ଠ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭାବରେ ଜଣାଶୁଣା ଇଟାଲୀ, ସେଠାରେ ମଧ୍ୟ ଅଧିକ ସଙ୍ଖ୍ୟାରେ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ନିକଟରେ ପ୍ରକାଶିତ ଟାଇମସ ଅଫ ଇଣ୍ଡିଆର ଲେଖା ଅନୁସାରେ ଇଟାଲୀର ଲୋମ୍ବାର୍ଡି ପ୍ରଦେଶ ଯେଉଁଠି ସ୍ୱାସ୍ଥ୍ୟ ବ୍ୟବସ୍ଥା କମ୍ପାନୀମାନଙ୍କ ଦ୍ଵାରା ଅଧିକ ପରିଚାଳିତ ସେହି ପ୍ରଦେଶରେ ମୃତକଙ୍କ ସଙ୍ଖ୍ୟା ଅଧିକ। ସ୍ପେନରେ ଏକ ଦୃଢ ସ୍ୱାସ୍ଥ୍ୟ ବ୍ୟବସ୍ଥା ଥାଇ ମଧ୍ୟ ଅଧିକ ମୃତକ ଏହାର ଗ୍ରାମାଞ୍ଚଳବାସୀ ଯେଉଁମାନଙ୍କ ନିକଟରେ ପ୍ରାଇଭେଟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକରେ ପହଞ୍ଚିପାରିଲା ନାହିଁ।
ଏହି ସମାନ କଥା ଆଜି ଅଧିକାଂଶ ଇଉରୋପୀୟ ଦେଶରେ ଘଟିଛି । ଆଜି ଆଫ୍ରିକାରେ ମଧ୍ୟ ଘାନାର ଶାସକ ଶେଷରେ ହାତ ଟେକିଦେଇଛନ୍ତି ଓ ଦେଶବାସୀଙ୍କୁ ଚର୍ଚ୍ଚର ଦ୍ଵାରସ୍ଥ ହେବା ଲାଗି ଅନୁରୋଧ କରିଛନ୍ତି । ଇସ୍ରାଇଲ ସୈନ୍ୟଙ୍କ ଘେରା ବନ୍ଦୀ ମଧ୍ୟରେ ଥିବା ଗାଜା ଅଞ୍ଚଳର ତିନି ଲକ୍ଷ ଅଧିବାସୀ ସର୍ବଦା ମୃତ୍ୟୁର ଆଶଙ୍କା ମଧ୍ୟରେ ଗତି କରୁଛନ୍ତି । ସମଗ୍ର ପୃଥିବୀରେ ସବୁଠାରୁ ଅଧିକ ସଂଶୟ ମଧ୍ୟରେ ଅଛନ୍ତି ବିଭିନ୍ନ ଦେଶର ଜେଲରେ ଥିବା କଏଦୀ, ବସ୍ତିବାସିନ୍ଦା ଓ ଜଙ୍ଗଲରେ ରହିଆସୁଥିବା ଆଦିବାସୀ। ବିଶ୍ୱବ୍ୟାପି ଏହି ଲାଭଖୋର କମ୍ପାନୀଙ୍କ ହାତରେ ସ୍ୱାସ୍ଥ୍ୟବ୍ୟବସ୍ଥା ରହିବା ହେତୁ ମହାମାରୀ ଏକ ପାଣ୍ଡେମିକ ଭାବରେ ନିଜର ପ୍ରକୋପ ଦେଖାଇବାରେ ସମର୍ଥ ହୋଇଛି।
ଓଡିଶାର ସ୍ଥିତି ମଧ୍ୟ ଭିନ୍ନ ନୁହେଁ । ଆଜି ମହାମାରୀ ସମୟରେ ନା କୌଣସି ପ୍ରାଇଭେଟ କମ୍ପାନୀ ନିଜେ ନିଜେ କରୋନାର ମୁକାବିଲା ଲାଗି ଆଗକୁ ଆସିଲେ (ଯେଉଁ ମୁଷ୍ଟିମେୟ ପ୍ରାଇଭେଟ ହସ୍ପିଟାଲ ଗୁଡିକ କୋଭିଡ ହସ୍ପିଟାଲ କରାଯାଇଛି ସେଠାର କୋଠାଟି ଛାଡିଦେଲେ ଅଧିକାଂଶ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ଉପକରଣ ସରକାରଙ୍କର) ନା ସେମାନେ କୋଭିଡ ଭିନ୍ନ ଅଣସଂକ୍ରମଣ ରୋଗର ଚିକିସ୍ଛା ଲାଗି ନିଜର ଦ୍ଵାର ଖୋଲା ରଖିଲେ।
ସରକାରୀ ଜମି, ରେଫରାଲର ସୁବିଧା, ବୀମା ଅର୍ଥର ଭାଗୀଦାରୀ ସହିତ ଅନ୍ୟ ବହୁ ସରକାରୀ ସୁବିଧାରେ ଗଢିଉଠିଥିବା ଭୁବନେଶ୍ଵରର ସମସ୍ତ ପ୍ରାଇଭେଟ ହସ୍ପିଟାଲ (ଉଦାହରଣ ସ୍ୱରୂପ ଗଲା ୩୦ ବର୍ଷରେ ଭୁବନେଶ୍ଵରରେ ପୂର୍ବରୁ ସେହି ଗୋଟିଏ ସରକାରୀ ‘କ୍ୟାପିଟାଲ ହସ୍ପିଟାଲ’ ଥିଲା ବେଳେ ୨୨ଟି ନୂତନ ବୃହତ ପ୍ରାଇଭେଟ ହସ୍ପିଟାଲ ଓ ଅସଂଖ୍ୟ ଛୋଟ ବଡ ନର୍ସିଙ୍ଗ ହୋମ ତିଆରିହୋଇଛି ) ଅତି ନିର୍ଦ୍ଦୟ ଭାବରେ ଏହି ସମୟରେ ଦୈନନ୍ଦିନ ଚିକିତ୍ସାକୁ ବନ୍ଦ ରଖିବା, ରୋଗୀଙ୍କୁ ବିଭିନ୍ନ ବାହାନରେ ଫେରାଇଦେବା ଇତ୍ୟାଦି ଏହି ମହାମାରୀର ଇତିହାସରେ ଏକ ଅତ୍ୟନ୍ତ ଘୃଣିତ ଅଧ୍ୟାୟ ହୋଇରହିବ। ସରକାର ସେମାନଙ୍କୁ ଜାଗା ଓ ସୁବିଧା ଦେଇଥିବା ସତ୍ବେ କୌଣସି କାର୍ଯ୍ୟ ଆଦାୟ ନ କରିପାରିବା କରୋନା ଭାଇରସକୁ ନେଇ ଗଢିଥିବା ଆତଙ୍କ ଓ ଅନିଶ୍ଚିତତାର ଅନ୍ୟତମ କାରଣ।
ଆଜି କରୋନା ଭାଇରସର ଆକ୍ରାନ୍ତ ଦେଶମାନେ ଏ କଥାରେ ନିଶ୍ଚିତ ଯେ ସେମାନେ ଭାଇରସର ମୂଳକୁ ନଷ୍ଟ କରିପାରୁନାହାନ୍ତି, କେବଳ ଏହାର ପ୍ରକୋପକୁ କମାଇବାରେ ଲାଗିଛନ୍ତି । ସେହି ଭିତରେ ଲୋକେ ଚିକିତ୍ସାରେ ବିଲମ୍ଭ, ଉପଯୁକ୍ତ ଉପକରଣର (ଭେଣ୍ଟିଲେଟର ଇତ୍ୟାଦି) ଅଭାବ ଓ ନିଜର ରୋଗ ପ୍ରତିରୋଧକ ଶକ୍ତିର ଅଭାବ ହେତୁ ମୃତ୍ୟୁବରଣ କରୁଛନ୍ତି । ଏହା ମୂଳରେ ରହିଛି ଭାଇରସ ଯେତିକି ମୃତ୍ୟୁର କାରଣ ନୁହେଁ ତାହା ଠାରୁ ଅଧିକ ହେଉଛି ନିଜ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଘରୋଇକରଣ ।
ରାଜନୈତିକ ଇଚ୍ଛା ଶକ୍ତିର କମ୍ପାନୀକରଣ :
ଏହି କୋଭିଡ଼ ସମୟରେ ଯେବେ ଏକ ଜରୁରୀକାଳୀନ ସ୍ଥିତି ରହିଛି ସେତେବେଳେ ଅଣସଂକ୍ରମିତ ରୋଗ ଯଥା କ୍ୟାନସର ରୋଗୀ କ୍ୟେମୋ ନପାଇବା, ହାର୍ଟଆଟକରେ ତୁରନ୍ତ ଆଡମିସନ ନହେବା, କିଡନି ସମସ୍ୟା ହେତୁ ଡାଏଲିଶିସ ନହେବା ଇତ୍ୟାଦି ହେତୁ ରୋଗୀ ମୃତ୍ୟୁବରଣ କରୁଛନ୍ତି । ପ୍ରାଇଭେଟ ହସ୍ପିଟାଲ ନିଜର ଦ୍ଵାର ସମସ୍ତ ରୋଗୀଙ୍କ ପାଇଁ ଖୋଲିବା ଛାଡିଦିଆଯାଉ, ସେମାନେ ନିଜର ନିୟମିତ ରୋଗୀଙ୍କ ପାଇଁ ମଧ୍ୟ ଦ୍ଵାର ବନ୍ଦ କରିଦେବା ହେତୁ ଏହାର ଚାପ ମଧ୍ୟ ସରକାରୀ ଡାକ୍ତରଖାନାମାନଙ୍କରେ ପଡିଛି ଓ ଉଭୟ ପ୍ରକାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଦେଇନପାରିବା ହେତୁ ମଧ୍ୟ ଲୋକେ ମୃତ୍ୟୁବରଣ କରିଛନ୍ତି ।
ଏଭଳି ସମୟରେ ଆମେ ବୁଝିପାରୁଛୁ ଯେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ କେତେ ଦୁର୍ବଳ! ଜନସ୍ୱାସ୍ଥ୍ୟ ସମ୍ପର୍କରେ ଗବେଷଣା ଲାଗି ପାଣ୍ଠି ଓ ଗବେଷଣାଗାରର ଅଭାବ ଯାହା ହେତୁ ଭାଇରସକୁ ବୁଝିବାରେ ସମୟ ଲାଗିବା, ଜନସ୍ୱାସ୍ଥ୍ୟ ବାହିନୀ ବା ଫୋର୍ସର ଅଭାବ, ଲୋକଙ୍କ ମଧ୍ୟରେ ଏ ନେଇ ଶିକ୍ଷା ଲାଗି ଉପଯୁକ୍ତ ମାଧ୍ୟମର ଅଭାବ, ପରସ୍ପର ମଧ୍ୟରେ ଅନୁଭୂତି ଓ ଚିକିତ୍ସା ସାମଗ୍ରୀର ଆଦାନ ପ୍ରଦାନର ଅଭାବ ଆଜି ପ୍ରତ୍ୟେକ ଦେଶକୁ ବାରମ୍ବାର ଲକଡାଉନ ହେତୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିସାରିଲାଣି । ଅଥଚ ପ୍ରତ୍ୟେକ ମହାମାରୀରେ ଯେମିତ ଅଧିକ ଚର୍ଚ୍ଚା ହୋଇଥାଏ ଯେ କେଉଁ ଦେଶରୁ ଏହି ଭୂତାଣୁ ଆସିଲା ବା କେଉଁ ପ୍ରାଣୀ ଦେହରୁ ଆସିଲା ତାହା ଆଜି ମିଡିଆ ମାଧ୍ୟମରେ ଏଠାରେ ହେଉଛି। ଏଥିରେ ଅନ୍ୟକୁ ଦୋଷ ଲଦିଦେବା କିନ୍ତୁ ନିଜକୁ ନସଜାଡିବାର ଯେଉଁ ଉଦ୍ଦେଶ୍ୟ ରହିଥାଏ ତାହା ହିଁ ହେଉଛି ।
ଏହି ମହାମାରୀ ସମୟରେ ତଥାପି ବଞ୍ଚିଯାଇଥିବା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ହିଁ ଆମକୁ ବିଶ୍ଵାସ ଦେଉଛି। ଆଜି ଯାହା ହୋଇପାରୁଛି ଏହା କେବଳ ସେହିମାନଙ୍କ ହେତୁ। ଯଦି ବିଶ୍ଵ ବୁଝିବ ଯେ ମୃତକମାନେ କେବଳ ସଙ୍ଖ୍ୟା ନୁହନ୍ତି ବା ନିଜ ଅଞ୍ଚଳରେ ବାକି ବଞ୍ଚିଯାଇଥିବା ଲୋକଙ୍କ ପାଇଁ କେବଳ ଏକ ଏକ ଭୟ ନୁହନ୍ତି । ବରଂ ସେମାନେ ବଳି ପଡିଯାଇଛନ୍ତି କାରଣ ଆମେ ଆମର ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଠିକ ପରିଚାଳନା କରିପାରିନାହୁଁ ତେବେ ଦୃଢତାର ସହିତ ଏହାର ମୁକାବିଲା ହୋଇପାରିବ।
ସମସ୍ତ ପ୍ରାଇଭେଟ କମ୍ପାନୀଙ୍କ ଜମିକୁ ନିଜ ହାତକୁ ନେଇ ସେମାନଙ୍କୁ ସରକାରୀ ହସ୍ପିଟାଲର ମାନ୍ୟତା ଦେବା ଲାଗି ଆମର ଜନସାଧାରଣ ଯଦି ସରକାରମାନଙ୍କୁ ବ୍ୟାଧ୍ୟ କରିବାରେ ସମର୍ଥ ହେବେ ତେବେ ଏହି ମହାମାରୀ ବହୁ କଷ୍ଟ ଦେଇଥିଲେ ବି ଅତ୍ୟନ୍ତ ଏକ ଖୁସିର ଖବର ରଖିଦେଇଯିବ ଓ ତାହା ହିଁ ଆମ ସରକାରଙ୍କ ସର୍ବଶ୍ରେଷ୍ଠ ରାଜନୈତିକ ନିଷ୍ପତ୍ତି ହେବc।