କ୍ରମାଗତ ଭାବେ ଗତ ୭ ଦିନ ଧରି ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ ରୁ କମ, ମହାରାଷ୍ଟ୍ରରୁ ସର୍ବାଧିକ ୫୮ ଜଣ

Published: Jan 2, 2021, 6:34 am IST

ନୂଆଦିଲ୍ଲୀ, ଭାରତର ମୋଟ ସକ୍ରିୟ ମାମଲା କ୍ରମାଗତ ନିମ୍ନଗାମୀ ଧାରା ଅବ୍ୟାହତ ରଖିଛି । ଆଜି ଏହା ୨ ଲକ୍ଷ ୫୪ ହଜାର ୨୫୪ କୁ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ୧୭୯ ଦିନ ପରେ ଏହା ସର୍ବନିମ୍ନ । ଗତ ୬ ଜୁଲାଇ ୨୦୨୦ ରେ ସମୁଦାୟ ସକ୍ରିୟ ମାମଲା ୨ଲକ୍ଷ ୫୩ ହଜାର ୨୮୭ ଥିଲା । ବର୍ତ୍ତମାନ ଭାରତର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର ୨.୪୭ ପ୍ରତିଶତ ରହିଛି ।

ବିଗତ କିଛି ଦିନ ଧରି ଭାରତରେ ଦୈନିକ ନୂତନ ମାମଲା ପ୍ରାୟ ୨୦,୦୦୦ ପାଖାପାଖି ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ମାମଲା ୨୦,୦୩୫ ଥିବାବେଳେ ଏହି ଅବଧି ମଧ୍ୟରେ ୨୩,୧୮୧ ଜଣ ଆରୋଗ୍ୟ ଲାଭ କରିଥିବା ପଞ୍ଜୀକୃତ ହୋଇଛି । ଗତ ୩୫ ଦିନ ଧରି ଦୈନିକ ନୂତନ ମାମଲା ଠାରୁ ଆରୋଗ୍ୟ ସଂଖ୍ୟା ଅଧିକ ରହିବା ଫଳରେ ସକ୍ରିୟ ମାମଲାର କ୍ରମାଗତ ହ୍ରାସ ସୁନିଶ୍ଚିତ ହୋଇଛି ।

ମୋଟ ଆରୋଗ୍ୟ ମାମଲା ୯୮ ଲକ୍ଷ ୮୩ ହଜାର ୪୬୧ ରେ ରହିଛି । ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଇ ୯୬ ଲକ୍ଷ ଅତିକ୍ରମ କରିଛି। ଏହା ବର୍ତ୍ତମାନ ୯୬ ଲକ୍ଷ ୨୯ ହଜାର ୨୦୭ ରେ ପହଞ୍ଚିଛି । ନୂତନ ଆରୋଗ୍ୟ ଏବଂ ନୂତନ ସକ୍ରିୟ ମାମଲାର ପାର୍ଥକ୍ୟରେ ଉନ୍ନତି ଘଟି ସୁସ୍ଥତା ହାର ଆଜି ୯୬.୦୮% କୁ ବୃଦ୍ଧି ପାଇଛି । ନୂତନ ଆରୋଗ୍ୟ ମାମଲାର ୭୭.୬୧% ୧୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ରେକର୍ଡ କରାଯାଇଛି ।

କେରଳରୁ ଗୋଟିଏ ଦିନରେ ସର୍ବାଧିକ ୫,୩୭୬ ଜଣ ନୂତନ ଆରୋଗ୍ୟ ଲାଭ କରିଛନ୍ତି । ଏହା ପଛକୁ ମହାରାଷ୍ଟ୍ରରୁ ୩,୬୧୨ ଲୋକ ଆରୋଗ୍ୟ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ୧,୫୩୭ ଜଣ ସୁସ୍ଥ ହୋଇଛନ୍ତି । ନୂତନ ମାମଲାଗୁଡ଼ିକର ୮୦.୧୯% ୧୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । କେରଳ ସର୍ବାଧିକ ଦୈନିକ ନୂତନ ମାମଲା ୫,୨୧୫ ଥିବା ରିପୋର୍ଟ କରିଛି । ଏହା ପଛରେ ମହାରାଷ୍ଟ୍ର ୩,୫୦୯ ଟି ନୂଆ ମାମଲା ଥିବା ଦର୍ଶାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୨୫୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନୂତନ ମୃତ୍ୟୁର ୮୦.୪୭% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରୁ ସର୍ବାଧିକ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳ ଏବଂ ପଶ୍ଚିମବଙ୍ଗରୁ ଯଥାକ୍ରମେ ୩୦ ଏବଂ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୭ ଦିନରେ ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ରୁ କମ ହୋଇଛି, ଯାହା ବର୍ତ୍ତମାନ ମୃତ୍ୟୁ ହାରକୁ ୧.୪୫%ରେ ପହଞ୍ଚାଇଛି ।

ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଦିଲ୍ଲୀ ଏହି ପାଞ୍ଚଟି ରାଜ୍ୟରେ ମୃତ୍ୟୁ ହାର ୬୩% ରହିଛି ।

Related posts