ଆମ ସିନେମାରେ ଚୁଟିବନ୍ଧା

Published: May 4, 2024, 7:23 am IST

ଲେଖକ-ସୂର୍ଯ୍ୟ ଦେଓ, ସିନେ ସମୀକ୍ଷକ

ଆମ ସିନେମାରେ ଉଭା ଯେତିକି ପୋତା ତାହାଠାରୁ ଅଧିକ। ଅର୍ଥାତ ଆମ ଓଡ଼ିଆ ସିନେମାରେ ଅନେକ ଦିଗ ଅଛି, ଯାହା ଉପରେ ଜମାରୁ ଅଧିକାଂଶଙ୍କର ଧାରଣା ହିଁ ନାହିଁ। ଯେମିତିକି ଚୁଟିବନ୍ଧା ଅର୍ଥାତ ଓଡ଼ିଆ ଚଳଚ୍ଚିତ୍ର ନାୟିକାଙ୍କ କେଶ ବିନ୍ୟାସ ସମ୍ବନ୍ଧରେ ଛୋଟ ଲେଖାଟିଏ ବି ନାହିଁ।

କିନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ନାୟିକା ବା ବଙ୍ଗୀୟ ଚଳଚ୍ଚିତ୍ରର ନାୟିକାଙ୍କ ଚୁଟିବନ୍ଧାକୁ ନେଇ କେତେକେତେ ଲେଖା ହୋଇଛି, କେତେ କେତେ ଗବେଷଣା ବି ହୋଇଛି। କେମିତି ଓ କାହିଁକି ନାୟିକାଙ୍କ କପାଳ ଉପରକୁ ଚୁଟି ଛାଟି ଦେଇ ସାଧନା କଟ୍ ହିନ୍ଦୀ ଚଳଚ୍ଚିତ୍ରରେ ଆରମ୍ଭ ହେଲା। ‘ଲୋ ପନିଟେଲ୍‌’ ଚୁଟିିବନ୍ଧା କେମିତି ଓ କାହିଁକି ସାୟରା ବାନୁ ବାନ୍ଧିଲେ। ବିହାଇଭ ଚୁଟି ବନ୍ଧା କେମିତି ବୈଜୟନ୍ତୀମାଲା, ଶର୍ମିଲା ଓ ହେମାଙ୍କ ପାଇଁ ଫିକ୍ସ ହେଲା। ତା’ପରେ ହିପି ଚୁଟି ବନ୍ଧା ବି ଅଛି।

ଯେଉଁ ଚୁଟିବନ୍ଧା ଆମ ଓଡ଼ିଆ ଚଳଚ୍ଚିତ୍ରରେ ବେଶି ବେଶି ଦେଖାଯାଉଥିଲା ତାହା ହେଉଛି ବେଣୀର ପ୍ରକାର। କେତେ ରକମରେ, କେତେ ଛଟକରେ ଓଡ଼ିଆ ବେଣୀ ବନ୍ଧା ଯାଇପାରେ ତା’ର ପରୀକ୍ଷା ନିରୀକ୍ଷା ଓଡ଼ିଆ ଚଳଚ୍ଚିତ୍ରରେ ହୋଇଛି। ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ଯେତେବେଳେ ବିହାଇଭ ଚୁଟିବନ୍ଧା ନିଶ୍ଚୟ ରହୁଥିଲା, ତାହାର ପ୍ରଭାବ ବି ଆମ ଚଳଚ୍ଚିତ୍ରରେ ପଡ଼ିଛି। ବିହାଇଭ ଚୁଟିବନ୍ଧା ଅର୍ଥ ମହୁମାଛି ବସା ଭଳି ଚୁଟିବନ୍ଧା।

‘କା’ ଚଳଚ୍ଚିତ୍ରରେ ପ୍ରଥମେ ପାର୍ବତୀ ଘୋଷ ଏହି ଚୁଟିବନ୍ଧା କଲେ ପରେ ‘ଅଦିନମେଘ’ର ‘ଏଇ ଭରା ଜହ୍ନରାତି’ ଗୀତ ଦୃଶ୍ୟରେ ଝରଣା ଦାସଙ୍କ ବିହାଇଭ ଚୁଟିବନ୍ଧା ବେଶ୍ ଲୋକପ୍ରିୟ ହେଲା।

ଝରଣା ଦାସଙ୍କ ବିହାଇଭ ଚୁଟିବନ୍ଧା ପଛରେ ଅଛି ଚମତ୍କାର ଅନୁଭବ। ‘ଅଦିନମେଘ’ ସୁଟିଂ କଲିକତାରେ ହେଉଥାଏ। କଲିକତାର ହେୟାର ଡ୍ରେସର୍ ଝରଣାଙ୍କ ଲମ୍ବା ବେଣୀକୁ ହାତରେ ଧରି ପ୍ରଶ୍ନ କଲା ‘ସେଲ୍ ଆଇ କଟ୍ ଇଟ୍‌?’ । ପାର୍ଟି ସିନ୍ ପାଇଁ ଛୋଟ ଚୁଟିର ବବ୍ ହେୟାର ଫ୍ଲିପ୍ ଫ୍ୟାସନ୍ ସେତେବେଳେ ଚାଲୁଥାଏ। ଏହି ଫ୍ୟାସନ୍ ୧୯୬୧ରୁ ୬୩ ପର୍ଯ୍ୟନ୍ତ ଅମେରିକାର ଫାଷ୍ଟ ଲେଡ଼ି ଥିବା ଜ୍ୟାକ୍‌ଲିନ୍ କେନେଡି ପ୍ରଚଳନ କରିଥିଲେ ଓ ବିଶେଷ କରି ହିନ୍ଦୀ ଚଳଚ୍ଚିତ୍ରର ମୁମତାଜ୍ ଆଉ ଶର୍ମିଲା ଏହି ଚୁଟିବନ୍ଧାକୁ ଲୋକପ୍ରିୟ କରିଥିଲେ।

ତେବେ ଝରଣାଙ୍କ ଲମ୍ବା ଚୁଟି ଥିବାରୁ ସେ ବା କାହିଁକି ବବ୍ ହେୟାର ଫ୍ଲିପ୍ ଫ୍ୟାସନ୍ କରିବେ? ସିଧା ମନା କରିଦେଲେ। ସେଇ ବଙ୍ଗୀୟ ହେୟାର ଡ୍ରେସର୍ ବିରକ୍ତ ହୋଇ ଝରଣାଙ୍କ ଚୁଟିକୁ ଗୁଡାଗୁଡି କରି ବିହାଇଭ ଚୁଟିବନ୍ଧା କରିଦେଲା।

ସେହି ଚୁଟିବନ୍ଧା ସହ ଏଇ ଭରା ଜହ୍ନରାତି ଗୀତର ସୁଟିଂ କିଛି ଅଂଶ ସରିଲା। ବାକିତକ ଅଂଶ ପରକୁ ରହିଲା । ସୁଟିଂ ପରେ ଝରଣା ଚୁଟି ଖୋଲି ଦେବା କଥା। ସେ ମେକ୍‌ଅପ୍ ବଖରାକୁ ଯାଉଛନ୍ତି ପ୍ରଯୋଜକ ବାବୁଲାଳ୍ ଦୋଷୀ ଆସି ତାଗିଦା କରିଗଲେ: ‘ଝରଣା! ଚୁଟି ଖୋଲିବ ନାହିଁ, କାଲି ହେୟାର ଡ୍ରେସର୍ ଆସିବ ନାହିଁ। ଆସିଲେ ବି ତାକୁ ଦେବାକୁ ଏତେ ଟଙ୍କା ପ୍ରୟୋଜନା ସଂସ୍ଥା ପାଖରେ ନାହିଁ। ତମର ଏଇ ଚୁଟିବନ୍ଧାରେ କାଲି ସୁଟିଂ ହେବ।

ବିହାଇଭ ଚୁଟିବନ୍ଧା ଯେଉଁମାନେ କରିଛନ୍ତି, ସେମାନେ ଜାଣନ୍ତି ଏହାକୁ ବେଶି ସମୟ ରଖିବା ଅସ୍ୱସ୍ତିକର। କିନ୍ତୁ ଝରଣା ଅସ୍ୱସ୍ତିକର ମନେ ହେଲ ବି ରାତି ସାରା ନ ଶୋଇ ବିହାଇଭ ଚୁଟିବନ୍ଧାକୁ ସଯତ୍ନେ ରଖିଥିଲେ। ପରଦିନ ପ୍ରାୟ ବାରଟା ସମୟରେ ଏଇ ଭରା ଜହ୍ନରାତିର ବିହାଇଭ ଚୁଟିବନ୍ଧା ଥିବା ଦୃଶ୍ୟର ସୁଟିଂ ସରିଲା ପରେ ସେ ସିଧା ଗାଧୋଇବା ଘର ପର୍ଯ୍ୟନ୍ତ ଦୌଡ଼ିଯାଇ ସାୱାର୍ ଖୋଲି ତା’ ତଳେ ଠିଆ ହୋଇଥିଲେ।

ଏହି ଲେଖା ସହ ତଳ ଉପରେ ହୋଇ ଦୁଇଟି ଫଟୋ ସଂଯୁକ୍ତ ହୋଇଛି। ପ୍ରଥମଟି କା’ ଚଳଚ୍ଚିତ୍ରରେ ଚୁଟିବନ୍ଧା ଦୃଶ୍ୟରେ ପାର୍ବତୀ ଓ ଗୀତାଙ୍କର। ଏଥିରେ ପାର୍ବତୀଙ୍କ ବିହାଇଭ ଚୁଟିବନ୍ଧା ଆପଣ ଲକ୍ଷ୍ୟ କରିପାରିବେ। ଦ୍ୱିତୀୟଟି ଅଦିନମେଘ ଚଳଚ୍ଚିତ୍ରର ଏଇ ଭରା ଜହ୍ନରାତିର ଦୃଶ୍ୟ, ଏଥିରେ ବି ଝରଣାଙ୍କ ବିହାଇଭ ଚୁଟିବନ୍ଧାକୁ ଆପଣ ଦେଖନ୍ତୁ।

( ଲେଖକ ସୂର୍ଯ୍ୟ ଦେଓ ହେଉଛନ୍ତି ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ସିନେ ସମୀକ୍ଷକ)

Related posts