Categories
ଆଜିର ଖବର ରାଜ୍ୟ ଖବର

୯୫ ବର୍ଷ ବୟସ୍କା ମହିଳାଙ୍କୁ ସହାୟ ହେଲା ଡାକ ବିଭାଗ: ଏଣିକି ଘରେ ବସି ପାଇବେ ପେନ୍ସନ୍

ଭୁବନେଶ୍ଵର: ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅନ୍ତର୍ଗତ ଏକ ପରିବାରର ୯୫ ବର୍ଷ ବୟସ୍କା ମହିଳାଙ୍କୁ ସାଇକେଲ ରିକ୍ସାରେ ନିଆଯାଇ ବୃଦ୍ଧାବୃଦ୍ଧ ପେନ୍‌ସନ୍‌ ସଂଗ୍ରହ କରିଥିଲେ। ଏହି ମହିଳା ଜଣକ ଗତ ତିନିମାସ ଧରି ତାଙ୍କ ପେନ୍ସନ୍ ପାଇନଥିଲେ। ଗାଡି ଭଡା କରିବାକୁ ଟଙ୍କା ନ ଥିବାରୁ ଲାବଙ୍ଗା ଗୟାଙ୍କ ପରିବାର ସଦସ୍ୟ ତାଙ୍କୁ ଟ୍ରଲିରେ ବ୍ୟାଙ୍କକୁ ନେଇ ଯାଇଥିଲେ।

ବ୍ୟାଙ୍କ ତାଙ୍କୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଯିବା ପାଇଁ ପରାମର୍ଶ ଦେଇଥିଲା। ଏହିଭଳି ତିନି ଚାରିଥର ଦୌଡିବା ଦ୍ୱାରା ତାଙ୍କୁ ତାଙ୍କର ପେନସନ ବ୍ୟାଙ୍କ ରୁ ମିଳିଥିଲା। ପାରଳାଖେମୁଣ୍ଡି ଡାକ ବିଭାଗର କର୍ମଚାରୀମାନେ ଏହି ଖବର ଶୁଣିବାପରେ ଗତକାଲି ତାଙ୍କ ଘରେ ପହଞ୍ଚି ଶୂନ୍ୟ ବାଲାନ୍ସ ଯୁକ୍ତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ।

ବର୍ତ୍ତମାନ ଲାବଙ୍ଗା ଗୟା ପ୍ରତି ମାସରେ ବ୍ୟାଙ୍କ ଦୌଡିବା ପରିବର୍ତ୍ତେ ନିଜ ଘରେ ରହି ପେନ୍ସନ୍ ପାଇବାକୁ ସକ୍ଷମ ହେବେ। ପାଖରେ ରହୁଥିବା ତାଙ୍କ ଝିଅ ଡାକ ବିଭାଗର ଏହି ସେବା ସୁବିଧା ପ୍ରଦାନ ପାଇଁ ଡାକ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମୋହନା ଥାନା ଅଞ୍ଚଳରେ ଗାଡି ସହ ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁସୁମପୁର ରାସ୍ତାରୁ ଗାଡି ସହ ଗଞ୍ଜେଇ ଜବତ କରାଯାଇଛି। କିନ୍ତୁ ଅଭିଯୁକ୍ତ ଗାଡି ଛାଡି ଫେରାର ହେବାରେ ସକ୍ଷମ ହୋଇଛି।

ସୂଚନା ଅନୁଯାୟୀ, ଗୋଟିଏ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିଲା।  ଡ୍ରାଇଭର ଖସି ପଳେଇଯାଇଥିଲା। ସେହି ସମୟରେ ମୋହନା ପୋଲିସ ପାଟ୍ରୋଲିଂ କରୁଥିଲା। ପୋଲିସକୁ ଦେଖି ଗଞ୍ଜେଇ ଚାଲାଣକାରୀ ଗାଡି ଛାଡି ଚମ୍ପଟ ମାରିଥିଲା। ଏଭଳି ପରିସ୍ଥିତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଡିକୁ ତଲାସୀ ନେଇଥିଲା। ଯେଉଁଥିରେ ୬ ଟି ଅଖାରେ ୧୬୩ କିଲୋ ଗଞ୍ଜେଇ ଭର୍ତ୍ତି ହୋଇଥିବାର ପୋଲିସ ଦେଖିଥିଲା।

ତେବେ ପୋଲିସ ଗଞ୍ଜେଇ, ପିକ୍ ଅପ୍ ଗାଡ଼ି ଓ ମୋଟରସାଇକେଲ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗଜପତି ଜିଲ୍ଲାର ଦୁଇ ବିଧାୟକଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ ଓ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ଵର: ଓଡ଼ିଶାର ସ୍ୱନାମଧନ୍ୟ ତଥା ନବ ଉତ୍କଳର ନିର୍ମାତା ତଥା ପୁର୍ବତନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଆମ ଓଡ଼ିଶା ପାଇଁ ଅନନ୍ୟ ପ୍ରତିଭା। ତାଙ୍କରି ଉଦ୍ୟମରେ ଓଡ଼ିଶାର ବହୁ ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇପାରିଛି। ତା’ମଧ୍ୟରେ ପାରଳାଖେମୁଣ୍ଡି ଠାରେ ଅବସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଅନ୍ୟତମ।

ଉକ୍ତ ମହାବିଦ୍ୟାଳୟ ୧୯୮୦ ମସିହାରେ ସ୍ବୟଂ ଶାସିତ ମହାବିଦ୍ୟାଳୟ ଭାବେ ସରକାରଙ୍କ ସ୍ବୀକୃତି ପ୍ରାପ୍ତ ଓ ଅତି ପୁରାତନ ମହାବିଦ୍ୟାଳୟ ଅଟେ। କିନ୍ତୁ ପରିତାପର ବିଷୟ ଉକ୍ତ ମହାବିଦ୍ୟାଳୟ ପରେ ଗଠିତ ଅନୁଷ୍ଠାନ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଥିବା ବେଳେ ଏସ୍ କେ ସି ଜି ମହାବିଦ୍ୟାଳୟ ଅବହେଳିତ।

ଏଭଳି ପରିସ୍ଥିତିରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ରାଜ୍ୟ ସରକାରଙ୍କ ଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସହ ଉକ୍ତ ସମସ୍ୟାର ସମାଧାନ ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗଜପତି ଜିଲ୍ଲାର ୨ ଟି ଜେଲରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗଜପତି ଜିଲ୍ଲାର ୨ ଟି ଜେଲରୁ ୯ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଜିଲ୍ଲାର ପାରଳାଖେମୁଣ୍ଡି ସବଜେଲରୁ ୩ ଅନ୍ତେବାସୀ କରୋନା ପଜିଟିଭ ହୋଇଥିବା ବେଳେ ଆର. ଉଦୟଗିରି ସବଜେଲରୁ ୬ ଅନ୍ତେବାସୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ସଂକ୍ରମିତଙ୍କୁ ଜେଲର ଆଇସୋଲେସନ ସେଲରେ ରଖାଯାଇଛି। ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ତେବାସୀଙ୍କୁ କରୋନା ପରୀକ୍ଷା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆମ୍ବୁଲାନସ ଧକ୍କାରେ ନାବାଳିକା ମୃତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏକ ଦୁଃଖଦ ଘଟଣାକ୍ରମେ ଆମ୍ବୁଲାନସ ଧକ୍କାରେ ଜଣେ ନାବାଳିକା ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ରୁ ପାରଳାଖେମୁଣ୍ଡି ଆଡ଼କୁ ଯାଉଥିବା ଏକ ଆମ୍ବୁଲାନସ ଗୋଷାଣୀ ବ୍ଲକ୍ ଅନ୍ତର୍ଗତ କତଲକଇଠା ଗ୍ରାମ ନିକଟରେ ୧୦ ବର୍ଷର ନାବାଳିକା ଝିଅ ବି. ଲକ୍ଷ୍ମୀ ଉପରେ ଚଢ଼ି ଯାଇଥିଲା। ଆମ୍ବୁଲାନସ ଟି ଚଢ଼ିଯିବା ଫଳରେ ଘଟଣା ସ୍ଥଳରେ ହିଁ ଝିଅଟିର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ରାସ୍ତାରୋକ ଯୋଗୁଁ ପାରଳାଖେମୁଣ୍ଡି-ମୋହନା ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

Categories
ଆଜିର ଖବର ରାଜ୍ୟ ଖବର

୧୦ ଦିନ ପାଇଁ ବନ୍ଦ ରହିବ ଜିରାଙ୍ଗ ବୌଦ୍ଧମନ୍ଦିର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଜପତି ଜିଲ୍ଲା ଚନ୍ଦ୍ରଗିରି ଜିରାଙ୍ଗ ଗ୍ରାମଠାରେ ଥିବା ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧମନ୍ଦିର ଆଗାମୀ ୧୦ ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ମନ୍ଦିରର ଲାମା ଗୁରୁଜୀ ଟେମ୍ପୋ ଆମ୍ପଲଙ୍କ ସୂଚନା ଅନୁସାରେ ୨୦ ତାରିଖଠାରୁ ୩୦ ତାରିଖ ଦଶଦିନ ମହାସାଧନ ପୂଜା (ତନ୍ତ୍ର ପୂଜା) ନିମନ୍ତେ ମନ୍ଦିରକୁ ପର୍ଯ୍ୟଟକଙ୍କ ଦର୍ଶନ ଉପରେ କଟକଣା ଜାରି ହୋଇଛି। ବୌଦ୍ଧଧର୍ମର ନୂତନ ବର୍ଷର ଆରମ୍ଭରେ ପ୍ରତ୍ୟେକ ବର୍ଷ ଏହି ପୂଜାର ଆୟୋଜନ ହୋଇଥାଏ। ଏଣୁ ମନ୍ଦିରକୁ ୧୦ଦିନ ନିମନ୍ତେ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଜବତ ହେଲା ଗଜପତିରୁ ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ହେଉଥିବା ରକ୍ତଚନ୍ଦନ: ୨ ଅଟକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ବେଳେ ବନ ବିଭାଗ ଦ୍ୱାରା ଜବତ ହୋଇଛି। ଏହି ଚୋରାଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ କରାଯାଇ ଏଥିରୁ ଦେଢ କୁଇଣ୍ଟାଲ୍ ଓଜନର ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଜବତ କରାଯାଇଛି। ରକ୍ତଚନ୍ଦନ ଚୋରାଚାଲାଣକାରୀ ୨ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ପାଇଁ ଉଦ୍ୟମ ଚାଲିଛି ବୋଲି ଏକ ତଥ୍ୟ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଠାରେ ପହଞ୍ଚିଥିଲା। ଏଥି ଅନୁଯାୟୀ ଡିଏଫଓ ପାରଳା ବନ ଉପଖଣ୍ଡର ମହେନ୍ଦ୍ର ରେଞ୍ଜ ଅଧିକାରୀ କୋବୀନ ପରିଚ୍ଛା ଏବଂ ଦେବଗିରି ରେଞ୍ଜ ଅଧିକାରୀ ଅରୁଣ କୁମାର ବେହେରା ବନ କର୍ମଚାରୀଙ୍କ ସହ ସଜାଗ ରହି ପେଟ୍ରୋଲିଂ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗତକାଲି ପେଟ୍ରୋଲିଂ ଚାଲିଥିବା ବେଳେ ରାତ୍ର ୭ ଘଣ୍ଟା ସମୟରେ ବାଞ୍ଜେରୀ ଗ୍ରାମ ଛକରୁ ଏକ ଅଟୋ ଦୃତ ଗତିରେ ଯାଉଥିବା ଦେଖା ଯାଇଥିଲା। ସନ୍ଦେହରେ ଅଟୋକୁ ଅଟକାଇ ତଦନ୍ତ କରିବାରେ ଆନ୍ଧ୍ରକୁ ରକ୍ତଚନ୍ଦନ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା। ଅଟୋରୁ ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଉଦ୍ଧାର କରାଯାଇଥିଲା। ଏହାର ଓଜନ ଦେଢ କୁଇଣ୍ଟାଲ ଥିବା ସୂଚନା ମିଳିଛି। ଚୋରାଚାଲାଣରେ ବ୍ୟବହୃତ ଅଟୋ ଡ୍ରାଇଭର ବିରାଜ ଆନ୍ଦପୁ(୩୦) ସହ ଭେଙ୍କେଟେଶ ମିଶାଲ(୨୮)ଙ୍କୁ ଅଟକ ରଖାଯାଇ ରକ୍ତଚନ୍ଦନ ଗଣ୍ଡି କେଉଁ ଠାରୁ ଅଣାଗଲା ଓ ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ସେ ନେଇ ତଦନ୍ତ ଜାରି ରଖାଯାଇଥିବା ପାରଳା ବନ ବିଭାଗର ଏସିଏଫଓ ଗୌରୀ ପ୍ରସାଦ ରଥ ଜଣାଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଜପତିବାସୀଙ୍କୁ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲା ମନା

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଗଜପତିବାସୀଙ୍କୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାକୁ ଯିବାକୁ ବାରଣ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଗଜପତି ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲାରୁ କେହି ଗଜପତି ଜିଲ୍ଲାକୁ ମଧ୍ୟ ଆସିପାରିବେନାହିଁ।

ଏପରିକି ଗଞ୍ଜାମ ଜିଲ୍ଲାରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ମଧ୍ୟ ଜିଲ୍ଲା ବାହାରକୁ ଯିବାକୁ ମନା କରାଯାଇଛି। ଦୈନିକ ଯିବା ଆସିବା କରୁଥିବା ଲୋକଙ୍କୁ ମଧ୍ୟ ଜିଲ୍ଲା ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାକୁ ଯାତାୟତ ଉପରେ ରୋକ୍ ଲଗାଯିବା ନେଇ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ହେଲେ ମାଲ ପରିବହନ ଓ ଅତ୍ୟାବଶ୍ୟକ ସେବା ବାବଦ ପରିବହନକୁ ଅନୁମତି ଦିଆଯାଇଛି।

Categories
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଯୋଗାଣ ସହାୟକ ସଂଘର ସମାବେଶ

ସମୀକ୍ଷା ବ୍ୟୁରୋ
ଗଜପତି,୩୦/୧୧: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରୋଟାରୀ କମ୍ୟୁନିଟି କାର୍ଯ୍ୟାଳୟରେ ଯୋଗାଣ ସହାୟକ ସଂଘର ଏକ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଯୋଗାଣ ସହାୟକ ସଂଘର ସଭାପତି ବିବେକ ମଲ୍ଲିକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବୈଠକରେ କର୍ମଚାରୀଙ୍କ ଦେୟବୃଦ୍ଧି, ସ୍ଥାୟୀ ନିଯୁକ୍ତି, ପିଡିଏସ୍‌ ଲାଇସେନ୍ସ୍ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଯୋଗାଣ ସହାୟକ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟ ଯଥା ପିଡିଏସ ସାମଗ୍ରୀ ବଣ୍ଟନ, ଭତ୍ତା ବଣ୍ଟନ, ନିର୍ବାଚନ କାର୍ଯ୍ୟରେ ନିଯୁକ୍ତି, ୫ଟି କାର୍ଯ୍ୟରେ ସାମିଲ ହେଉଥିଲେ ମଧ୍ୟ ନଗଣ୍ୟ  ୬ହଜାର ଟଙ୍କାର ବେତନ ମିଳୁଛି । ବେତନ ବୃଦ୍ଧିର ଦାବି ସରକାରଙ୍କ ନିକଟରେ ଉତ୍ଥାପନ ସର୍ବସମ୍ମତିରେ ପାରିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଗୋଠଗାଁର ଯୋଗାଣ ସହାୟକ ଅଙ୍ଗଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

ରିପୋର୍ଟର :କୃଷ୍ଣଚନ୍ଦ୍ର ସୁଆଁସିଆ

ମୋବାଇଲ : ୭୭୮୭୯୭୩୫୬୭