Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମେକ୍ ଇନ୍ ଓଡିଶା କନକ୍ଲେଭରେ ଗଣମାଧ୍ୟମ ସଂପାଦକଙ୍କ ‘ଉଦ୍ୟୋଗରୁ ଉନ୍ନତି’ ଆଲୋଚନାଚକ୍ର

ଭୁବନେଶ୍ୱର: ଆଜି ମେକ୍ ଇନ୍ ଓଡିଶା କନକ୍ଲେଭ୍ ରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ “ଉଦ୍ୟୋଗରୁ ଉନ୍ନତି” ପ୍ରସଙ୍ଗ ଉପରେ ବିଭିନ୍ନ ବୈଦ୍ୟୁତିକଓ ମୁଦ୍ରଣ ଗଣମାଧ୍ୟମର ସଂପାଦକ ଓ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ଆଲୋଚନା ଚକ୍ର ( ଏଡିଟର୍ସ ରାଉଣ୍ଡ ଟେବୁଲ) ଅନୁଷ୍ଠିତ ହୋଇଥିଲା।

ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏହି ଆଲୋଚନା ଚକ୍ରକୁ ପରିଚାଳନା କରି ‘ଉଦ୍ୟୋଗରୁ ଉନ୍ନତି’ ସଂପର୍କରେ ଉପସ୍ଥିତ ବିଭିନ୍ନ ଗଣମାଧ୍ୟମର ସଂପାଦକ ତଥା ଅତିଥି ବକ୍ତାମାନଙ୍କ ଠାରୁ ମତାମତ ଲୋଡିଥିଲେ । ପ୍ରାରମ୍ଭିକ ଅଭିଭାଷଣରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଉଦ୍ୟୋଗରୁ ଉନ୍ନତି ତଥା ଶିଳ୍ପାୟନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ଶିଳ୍ପାୟନ ପାଇଁ ଉପଯୁକ୍ତ ଜମି, ଶ୍ରମିକ, ପୁଞ୍ଜି, ଦକ୍ଷ ମାନବ ସଂବଳ, ବୈଷୟିକ ଜ୍ଞାନକୌଶଳ ଯେପରି ଆବଶ୍ୟକତା ରହିଛି, ସେହିପରି ବଳିଷ୍ଠ ଶିଳ୍ପନୀତି ଓ ଶିଳ୍ପାନୁକୂଳ ବାତାବରଣର ଆବଶ୍ୟକତା ରହିଛି, ଯାହାକୁ ଗୁରୁତ୍ୱ ଦିଆଯାଇ ଆମ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ବ୍ୟାପକ ଭାବେ ଆରମ୍ଭ ହୋଇଛି।

କାର୍ଯ୍ୟକ୍ରମରେ ନ୍ୟୁଜ-୧୮ବୈଦ୍ୟୁତିକ ଗଣମାଧ୍ୟମର ସଂପାଦକ ଶ୍ରୀ ନରେନ୍ଦ୍ର ଜେନା ଯୋଗଦେଇ କହିଲେ ଯେ, ଓଡିଶାର ଇତିହାସ, ରାଜ୍ୟରବାଣିଜ୍ୟିକ ଐତିହ୍ୟ ଏବଂ ଉଦ୍ୟୋଗ ସହିତ ଶହ ଶହ ବର୍ଷ ବର୍ଷ ଧରି ଯୋଡି ହୋଇରହିଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଔଦ୍ୟୋଗିକତା ବିଷୟକୁ ପାଠ୍ୟ ଖସଡାରେ ସାମିଲ କରିବାକୁ ଶ୍ରୀ ଜେନା ପ୍ରସ୍ତାବ ରଖିଥିଲେ।

ସକାଳ ଦୈନିକ ଖବରକାଗଜର ସଂପାଦକ ଶ୍ରୀ ଉମାକାନ୍ତ ମିଶ୍ର ଯୋଗଦେଇ ମେକ୍ ଇନ୍ ଓଡିଶା-୩.୦ ଆୟୋଜନକୁ ପ୍ରଶଂସା କରି କହିଲେ ଯେ, ରାଜ୍ୟ ସରକାର ଶିଳ୍ପାୟନ ଓ ଔଦ୍ୟୋଗିକ ବିକାଶ ପାଇଁ ବଡ ଧରଣର ରଣନୀତି ଆରମ୍ଭ କରିଛନ୍ତି। ଗତକାଲି ସୁଦ୍ଧା ଗୋଟିଏ ଦିନରେ ୭.୨୬ ଲକ୍ଷ କୋଟିର ନିବେଶ ପ୍ରସ୍ତାବନା ଅତ୍ୟନ୍ତ ଉତ୍ସାହଜନକ। ଗଣମାଧ୍ୟମର ଶକ୍ତିକୁ ଔଦ୍ୟୋଗିକ ବିକାଶରେ ପ୍ରମୁଖ ଅଂଶୀଦାର ଭାବେ ଗ୍ରହଣ କରିବାକୁ ଶ୍ରୀ ମିଶ୍ର ମତ ରଖିଥିଲେ।

କନକ ନ୍ୟୁଜ୍ ବୈଦ୍ୟୁତିକ ଗଣମାଧ୍ୟମର ସଂପାଦକ ଶ୍ରୀ ମନୋରଂଜନ ମିଶ୍ର ଯୋଗଦେଇ କହିଲେ ଯେ, ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସମସ୍ତଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଲୋଡା। ଉଦ୍ୟୋଗୀ ମନୋଭାବକୁସବୁସ୍ତରରେ ସମର୍ଥନ କରାଯିବା ଆବଶ୍ୟକ । ଆମର ଔଦ୍ୟୋଗିକ ସଂସ୍କୃତି ପ୍ରସ୍ତୁତି ହେବାର ଜରୁରୀ ଆବଶ୍ୟକତା ରହିଛି। ଉପାନ୍ତ ଅଂଚଳରେ ଶିଳ୍ପାୟନକୁ ଗୁରୁତ୍ୱ,ପଞ୍ଚାୟତକୁ ଶିଳ୍ପାୟନର ଏକକ ୟୁନିଟ୍ ଭାବେ ନେବା ସହିତ ଗାଁ ଗହଳିର ପିଲାମାନଙ୍କୁ ଶିଳ୍ପାୟନ ସହିତ ଯୋଡିବା ସଂପର୍କରେ ଶ୍ରୀ ମିଶ୍ର ମତ ରଖିଥିଲେ।

କଳିଙ୍ଗ ଟିଭିର ମୁଖ୍ୟ ସଂପାଦକ ସୌମ୍ୟଜିତ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ଶିଳ୍ପାୟନ ରାଜ୍ୟ ତଥା ଦେଶରଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିଥାଏ, ଯାହାକି ସାମାଜିକ ବିକାଶ, ଆଂଚଳିକ ବୈଷମ୍ୟ ଦୂର କରି ସମତୁଲ ବିକାଶରେ ସହାୟକ ହୋଇଥାଏ।

ଓଡିଶା ଭାସ୍କର ଦୈନିକ ଖବର କାଗଜର ସଂପାଦକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ରତ୍ନଗର୍ଭା ଆମ ଓଡିଶା, ପ୍ରାକୃତିକ ସମ୍ପଦରେ ଭରପୁର । ଶିଳ୍ପାୟନ କ୍ଷେତ୍ରରେ ବିଜୁବାବୁଙ୍କର ଉଦାହରଣ ସହ ଦେଶ ବିଦେଶର କେତେକସଫଳ ଶିଳ୍ପପତିମାନଙ୍କର ଔଦ୍ୟୋଗିକ ଜୀବନ ସଂପର୍କରେ ଉଦାହରଣ ଦେଇ ଦୃଢ ଇଚ୍ଛା ଶକ୍ତି ଓ ସଂକଳ୍ପବଦ୍ଧ ପ୍ରୟାସ ଦ୍ୱାରା କିପରି ଔଦ୍ୟୋଗିକ ସଫଳତା ମିଳିପାରିବ ,ସେ ସଂପର୍କରେ ପ୍ରକାଶ କରିଥିଲେ ।

ପ୍ରମେୟ-ଦୈନିକ ଖବର କାଗଜର ସଂପାଦକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ଯୋଗଦେଇ କହିଲେ ଯେ, ମେକ୍ ଇନ୍ ଓଡିଶା କନକ୍ଲେଭ ଆୟୋଜନ, ଓଡିଶାରେ ଶିଳ୍ପାୟନ ଓ ଔଦ୍ୟୋଗିକ ବିକାଶ ପାଇଁ ନିଆରା ସୁଯୋଗ ଦେଇଛି । ଦୃତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ଓଡିଶା ଏବେ ଆଗକୁ ବଢୁଛି। ପ୍ରଗତିଶୀଳ ଶିଳ୍ପନୀତି, କୁଶଳୀ ମାନବ ସଂବଳ, ଶିଳ୍ପାନୁକୂଳ ବାତାବରଣ ଏବଂ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା ଦିଗରେ ସରକାରୀତତ୍ପରତା ଏ ଦିଗରେ ସହାୟକ ହୋଇପାରିଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିବା ସହିତ, ବିଭିନ୍ନ ଜିଲ୍ଲାରେ ଗ୍ରାମୀଣ ଶିଳ୍ପର ବିକାଶ ଦିଗରେ ଅଧିକ ପ୍ରଚେଷ୍ଠା ରହିବା ଉପରେ ମତ ରଖିଥିଲେ।

ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅଭିଭାଷଣରେ ସମ୍ବଳ,ଶିକ୍ଷା, ଓ ପ୍ରାକୃତିକ ସଂପଦର ବିନିଯୋଗ କରି ଔଦ୍ୟୋଗିକ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରକାଶ କରିବା ସହିତ ଏ ଦିଗରେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

ପ୍ରାରମ୍ଭରେ ଓଡିଶାରେ ଶିଳ୍ପ ପାଇଁ ଉପଲବ୍ଧ ଭିତ୍ତିଭୂମି, କୁଶଳୀ ମାନବସଂବଳ ଏବଂ ଔଦ୍ୟୋଗିକ ବିକାଶର ସମ୍ଭାବନା ସଂପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଆଲୋଚନା ଚକ୍ର ପରିଶେଷରେ ଅତିଥିବକ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୋ ଜୀବନର ମୋଡ଼ ବଦଳାଇଛି ଗଣମାଧ୍ୟମ: ଯୁବ ବୈଜ୍ଞାନିକ ଶେଷ କିଷାନ

ରେଢ଼ାଖୋଲ: ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଏନ୍ ଏସି, ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି। ସଂଘ ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଯୁବ ବୈଜ୍ଞାନିକ ଶେଷ କିଷାନ, ମୁଖ୍ୟବକ୍ତା ଭାବରେ ଭୀମଭୋଇ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅଂଜନ କୁମାର ମିଶ୍ର ଯୋଗ ଦେଇଥିଲେ।

ଗଣମାଧ୍ୟମ ମୋ’ଜୀବନର ମୋଡ ବଦଳାଇଛି ଯାହା ପାଇଁ ଆଜି ମୁଁ ପରିଚୟ ସୃଷ୍ଟି କରିପାରିଛି ଗଣମାଧ୍ୟମ ଯୋଗୁଁ ଆଜିର ଦିନରେ ବଣର ମଲ୍ଲୀ ଏବେ ବଣରେ ଫୁଟି ମଉଳି ନଯାଇ ଲୋକଚନକୁ ଆସିପାରୁଛି , ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜି ସାମ୍ନା କୁ ଆଣିପାରୁଛି ଆଜିର ଗଣମାଧ୍ୟମ ବୋଲି ଯୁବ ବୈଜ୍ଞାନିକ ଶେଷ କିସାନ ନିଜର ବକ୍ତବ୍ୟରେ କହିଛନ୍ତି।

ସେହିପରି ଦେଶ ଗଠନରେ ଗଣମାଧ୍ୟମର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି , ଆଜିର ମିଡ଼ିଆ ବଜାରରେ ଖବର ଗୁଡ଼ିକର କିଣା ବିକା ଚାଲିଛି ସେଥିପାଇଁ ସକରାତ୍ମକ ରିପୋର୍ଟ, ତଦନ୍ତ ମୂଳକ ଖବର ଉପରେ ଗୁରୁତ୍ବ ଦେବା ସହିତ ଖବର ଭିତରେ ଲୁଚି ରହିଥିବା ଖବର ଲୋକଙ୍କ ପାଖକୁ ପହଞ୍ଚିଇବା ଗଣମାଧ୍ୟମର ମୁଖ୍ୟ ଲକ୍ଷ୍ୟ ହେବା ଦରକାର ବୋଲି ମୁଖ୍ୟବକ୍ତା କହିଥିଲେ।

ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସଂଘ ସମ୍ପାଦକ କନ୍ଦର୍ପ ବେହେରା ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ, ସାମ୍ବାଦିକ ଜୟନ୍ତ ଖଡିରତ୍ନ, ଶରତ ପ୍ରଧାନ, ଶଙ୍କର ପୃଷ୍ଟି , ତପନ ବିଶ୍ବାଳ, ଅରୁଣ ପ୍ରଧାନ, ଯଶୋବନ୍ତ ନାରାୟଣ ସାହୁ, ସୁଶାନ୍ତ ନାଗ , ଅନୀଲ ପୃଷ୍ଟି, ବିନୋଦ କୁମାର ସେଠୀ, ସୁଧିର ସୁନା, ବିଦ୍ୟାଧର ମାଝୀ, ସରୋଜ କୁମାର ସାହୁ, ମଦନ ବେହେରା ସମେତ ଉପଖଣ୍ଡର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗୁଜବ ଉପରେ ଆଧାରିତ ହାତୀ ଦାନ୍ତ କାରବାରକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର

ନୂଆଦିଲ୍ଲୀ: ୧୩ ଅକ୍ଟୋବର ୨୦୨୨ରେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ‘ଅଣ୍ଡର ଚିତା ଡିଲ୍‌, ସଟ୍‌ ଇଣ୍ଡିଆସ୍‌ ସପର୍ଟ ଅନ୍‌ ଲିଫ୍ଟିଂ ଆଇଭରୀ ବ୍ୟାନ : ନାମିବିୟା’ (ଚିତା ରାଜିନାମା ଅଧୀନରେ, ହାତୀ ଦାନ୍ତ ଉପରେ ନିଷେଧାଜ୍ଞା ଉଚ୍ଛେଦ ଲାଗି ଭାରତର ସହଯୋଗ ଲୋଡ଼ାଯାଇଛି: ନାମିବିୟା) ଶୀର୍ଷକ ଖବର ସମ୍ପୂର୍ଣ୍ଣ ଭାବେ ଆକଳନ ଓ ଗୁଜବ ଉପରେ ଆଧାରିତ ଏବଂ ବାସ୍ତବ ତଥ୍ୟ ସହ ଏହାର କୌଣସି ସମ୍ପର୍କ ନାହିଁ।

ଯଦିଓ ଭାରତ ଓ ନାମିବିୟା ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ରାଜିନାମାରେ ‘ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ଉପଯୋଗ’କୁ ଏକ ସହଯୋଗ କ୍ଷେତ୍ର ଭାବେ ସାମିଲ କରାଯାଇଛି, ଏହାକୁ କୌଣସି ପ୍ରକାରରେ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ଅଙ୍ଗପ୍ରତ୍ୟଙ୍ଗ କାରବାର ଉପରୁ ନିଷେଧାଜ୍ଞା ଉଚ୍ଛେଦ ପ୍ରତି ସମର୍ଥନ ଭାବେ ଗ୍ରହଣ କରାଯିବା ଉଚିତ୍‌ ନୁହେଁ।

ହାତୀ ଦାନ୍ତ କାରବାର ଉପରୁ ନିଷେଧାଜ୍ଞା ଉଚ୍ଛେଦ ଲାଗି ନାମିବିୟା ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ କୌଣସି ଲିଖିତ ସୂଚନା ମିଳିନାହିଁ। ଉଭୟ ସାର୍ବଭୌମ ରାଷ୍ଟ୍ର ହୋଇଥିବାରୁ ଭାରତ ଏବଂ ନାମିବିୟା ରାଜିନାମାର ପରିଧି ମଧ୍ୟରେ ଦୀର୍ଘସ୍ଥାୟୀ ଜୈବ ବିବିଧତାର ଉପଯୋଗ ସଂକ୍ରାନ୍ତରେ ସେମାନଙ୍କର ସ୍ଥିତିର ମୂଲ୍ୟାୟନ କରିବେ ଯାହାକି ଆପୋସ ସମ୍ମାନ, ସାର୍ବଭୌମତ୍ବ, ସମାନତା ଏବଂ ଉଭୟ ପକ୍ଷର ଶ୍ରେଷ୍ଠ ହିତ ଉପରେ ଆଧାରିତ ହୋଇଥିବ। (ପିଆଇବି)

Categories
ଜାତୀୟ ଖବର ବିଶେଷ ଖବର

ମୁଖ୍ୟ ସ୍ରୋତରେ ଥିବା ଗଣମାଧ୍ୟମ ନିଜ ପାଇଁ ନିଜେ ବିପଦ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏସିଆ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ (ଏଆଇବିଡି)ର ୪୭ତମ ବାର୍ଷିକ ସମ୍ମିଳନୀ ଏବଂ ୨ଠତମ ସାଧାରଣ ସମ୍ମିଳନୀକୁ ନୂଆଦିଲ୍ଲୀ ଠାରେ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ- ମୁଖ୍ୟ ସ୍ରୋତରେ ଥିବା ବଡ଼ ବଡ଼ ଗଣମାଧ୍ୟମ ଗୁଡ଼ିକୁ ନୂତନ ଡିଜିଟାଲ ପ୍ଲାଟଫର୍ମ ପକ୍ଷରୁ କୌଣସି ଆହ୍ୱାନ ସୃଷ୍ଟି କରାଯାଇ ନାହିଁ ବରଂ ଗଣମାଧ୍ୟମ ନିଜ ପାଇଁ ନିଜେ ଏକ ବିପଦ। ବାସ୍ତବ ସାମ୍ବାଦିକତା ସତ୍ୟର ଉନ୍ମୋଚନ କରେ ଏବଂ ଗଣମାଧ୍ୟମ ଗୁଡ଼ିକ ସେହି ସତ୍ୟକୁ ପ୍ରକାଶ କରିବା ଉଚିତ। ଗଣମାଧ୍ୟମ ଆଲୋଚନା ଗୁଡ଼ିକର ସବୁକଥାକୁ ଏକପାଖିଆ ବିଶ୍ଳେଷଣ କରୁଥିବା ଏବଂ ମିଛ କଥା କହୁଥିବା ସାମ୍ବାଦିକମାନେ ଗଣମାଧ୍ୟମର ବିଶ୍ୱସନୀୟତାକୁ ନଷ୍ଟ କରୁଛନ୍ତି। ଦର୍ଶକମାନଙ୍କ ଚକ୍ଷୁରେ ଆଲୋଚନାର ଅତିଥି ଓ ସେମାନଙ୍କ ଗର୍ଜନର ଦୃଶ୍ୟ ଗଣମାଧ୍ୟମର ବିଶ୍ୱସନୀୟତାର ମୂଲ୍ୟାୟନ ହୋଇ ଯାଉଛି। ଗୋଟାଏ ମିନିଟ ପାଇଁ ଏହି ଦୃଶ୍ୟ ଦେଖିବାକୁ ଦର୍ଶକ ଅଟକି ରହୁଛନ୍ତି; କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଚାନେଲର ଉପସ୍ଥାପକ, ଚାନେଲ, ତଥ୍ୟର ଉତ୍ସ ଆଦି ଲୋକଙ୍କ ବିଶ୍ୱାସ ହରାଉଛନ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି।

ଉପସ୍ଥିତ ଗଣମାଧ୍ୟମ ମାଲିକମାନଙ୍କୁ ସତର୍କ କରାଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ- ସମ୍ବାଦକୁ ଉଚ୍ଚ ସ୍ୱରର ଉପସ୍ଥାପନା ଦୃଷ୍ଟିରୁ ବିଚାର ନ କରି ଅତିଥି ଆଲୋଚକ ଏବଂ ଚାନେଲର ବିଶ୍ୱସନୀୟତାକୁ ଦୃଷ୍ଟିରେ ରଖିବା ଉଚିତ। ଉପସ୍ଥିତ ଶ୍ରୋତାମାନଙ୍କୁ ଶ୍ରୀ ଠାକୁର ପଚାରିଛନ୍ତି ଯେ- ଚାନେଲକୁ ଯୁବଗୋଷ୍ଠୀ ବନ୍ଦ କରି ଅନ୍ୟ ଚାନେଲ ଦେଖିବା ଚାହୁଁଛନ୍ତି କିମ୍ବା ପ୍ରାକୃତିକ ଭାବରେ ଆଲୋଚନା ହେବା ଆପଣମାନେ ଚାହୁଁଛନ୍ତି। କରୋନା ମହାମାରୀ ସମୟରେ ଗଣମାଧ୍ୟମ ଗୁଡ଼ିକ ଲୋକଙ୍କୁ ଧରି ରଖିବା ସହ ପରସ୍ପର ସହ ସଂଯୋଗ ରକ୍ଷା କରି ମହାମାରୀର ପ୍ରକୋପରୁ ଲୋକଙ୍କୁ ସୁରକ୍ଷା ଦେଇଥିବାରୁ ଏ.ଆଇ.ବି.ଡି.ର ପ୍ରଶଂସା କରିଛନ୍ତି। ଏହି ସଂଗଠନର ସଦସ୍ୟ ରାଷ୍ଟ୍ରମାନେ କୋଭିଡ ସମ୍ପର୍କିତ ତଥ୍ୟର ଆଦାନ ପ୍ରଦାନ ଦ୍ୱାରା ବହୁଳ ଭାବେ ଲାଭବାନ ହୋଇଛନ୍ତି। ବିଭିନ୍ନ ତଥ୍ୟ ମଧ୍ୟରେ କୋଭିଡ ଯୋଦ୍ଧାଙ୍କ ସମ୍ପର୍କିତ ସକାରାତ୍ମକ ସୂଚନା, ମିଥ୍ୟା ସୂଚନାର ଖଣ୍ଡନ ଆଦି କରିଛନ୍ତି। ଏହି ଅବସରରେ ଏ.ଆଇ.ବି.ଡି.ର ନିଦେ୍ର୍ଦଶକ ସୁଶ୍ରୀ ଫିଲୋମେନା, ସାଧାରଣ ସମ୍ମିଳନୀର ଅଧ୍ୟକ୍ଷ ମୟଙ୍କ ଅଗ୍ରୱାଲ ଏବଂ ଏସିଆ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କୋଭିଡ ମହାମାରୀ ବିରୁଦ୍ଧରେ ଲଢୁଥିବା ସଦସ୍ୟ ଦେଶମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ସମ୍ମିଳନୀର ଆଲୋଚ୍ୟ ପ୍ରସଙ୍ଗ ‘ମହାମାରୀ ପରବର୍ତ୍ତୀ ସମୟରେ ପ୍ରସାରଣର ସୁଦୃଢ଼ ଭବିଷ୍ୟତ ନିର୍ମାଣ’ ଉପରେ ଆଲୋଚନା କରି ସାମ୍ବାଦିକତାର ମୁଖ୍ୟ ସ୍ରୋତରେ ପ୍ରସାରଣ ଗଣମାଧ୍ୟମ ଗୁଡ଼ିକ ରହିଥିଲେ ମଧ୍ୟ କୋଭିଡ-୧୯ ଏହାର ନୀତି ନିର୍ଦ୍ଧାରଣ ପରିସରକୁ ନୂତନ ରୂପ ଦେଇଛି। ସମୟଭିତ୍ତିକ ନିର୍ଭୁଲ ସୂଚନା ଦ୍ୱାରା କୋଟି କୋଟି ଜୀବନ ରକ୍ଷା କରାଯାଇ ପାରିବା ଶିଖାଇଛି। ବିପଦ ସମୟରେ ସମଗ୍ର ବିଶ୍ୱକୁ ଗୋଟିଏ ମଞ୍ଚରେ ଏକତ୍ର କରି ବିଶ୍ୱ ପରିବାର ଅବଧାରଣା କୋଭିଡ-୧୯ ଶିଖାଇଛି। ଏହି ମହାମାରୀ ପ୍ରସଙ୍ଗରେ ସରକାରଙ୍କ ନିଦେ୍ର୍ଦଶାବଳୀକୁ ଲୋକଙ୍କ ନିକଟରେ ପହଂଚାଇ ଡାକ୍ତରମାନଙ୍କ ପରାମର୍ଶକୁ ଦେଶର ପ୍ରତ୍ୟେକ ସ୍ଥାନରେ ପହଂଚାଇବାରେ ଭାରତୀୟ ଗଣମାଧ୍ୟମ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଏହାର ପ୍ରଶଂସା କରିଛନ୍ତି। ଉତ୍ତମ ମାନର ତଥ୍ୟ ଆଦାନ ପ୍ରଦାନ କ୍ଷେତ୍ରରେ ସଦସ୍ୟ ରାଷ୍ଟ୍ରମାନଙ୍କର ସହଯୋଗ କାମନା ମଧ୍ୟ କରିଛନ୍ତି। ସହଯୋଗ ମାଧ୍ୟମରେ ବିଶ୍ୱର ସଂସ୍କୃତି ସବୁ ଦେଶର ନିକଟତର ହୋଇପାରିବ ଏବଂ ଲୋକଙ୍କ ମଧ୍ୟରେ ଦୃଢ଼ ଆସ୍ଥା ସ୍ଥାପନ ହୋଇପାରିବ ବୋଲି ଶ୍ରୀ ଠାକୁର କହିଛନ୍ତି। ଏସବୁ ଦ୍ୱାରା ଗଣମାଧ୍ୟମଗୁଡ଼ିକ ବିଶ୍ୱସନୀୟ ହେବା ସହ ସୁଦୃଢ଼ ସଂଗଠନରେ ପରିଣତ ହୋଇ ପାରିବେ ବୋଲି ମଧ୍ୟ କହିଛନ୍ତି।

ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଅବସରରେ କହିଛନ୍ତି ଯେ- ଲକଡାଉନ ସତ୍ତ୍ୱେ ଏ.ଆଇ.ବି.ଡି. ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିଛି। ଜଳବାୟୁ ପରିବର୍ତ୍ତନ, ସବୁଜ ଟେକ୍ନୋଲୋଜୀ, ଦୀର୍ଘସ୍ଥାୟୀ ପ୍ରଗତି ଭଳି ପ୍ରସଙ୍ଗକୁ ନେଇ ୩୪ଟି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଶ୍ରୀ ଅଗ୍ରୱାଲ କହିଛନ୍ତି। ପ୍ରସାରଣ ତାଲିମ କାର୍ଯ୍ୟକ୍ରମରେ ଇଣ୍ଟରନେଟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ସାମ୍ବାଦିକତା କ୍ଷେତ୍ରରେ ସାଇବର ଆକ୍ରମଣକୁ ପ୍ରତିହତ କରାଯାଇ ପାରିଥିବା ଏବଂ ଏ.ଆଇ.ବି.ଡି. ସର୍ବ ପ୍ରଥମେ ବିଶ୍ୱରେ ଏଭଳି ତାଲିମ ଆୟୋଜନ କରିଥିବା ଶ୍ରୀ ଅଗ୍ରୱାଲ କହିଛନ୍ତି।

ସୁଶ୍ରୀ ଫିଲୋମେନା ଜ୍ଞାନାପାରାଗାସମ୍ ଏହି ଅବସରରେ କହିଥିଲେ ଯେ- ପ୍ରସଙ୍ଗଗୁଡ଼ିକୁ ନେଇ ଭବିଷ୍ୟତର ଗଣମାଧ୍ୟମର ସ୍ଥିତି ନିର୍ଦ୍ଧାରିତ ହେବ। ବର୍ତ୍ତମାନ ଏସବୁର ଆଦାନ ପ୍ରଦାନ ଏବଂ ନିୟନ୍ତ୍ରଣ କରାଯାଉଛି। ଏହି ସମ୍ମିଳନୀରେ ଯୋଗ ଦେଇଥିବା ସଦସ୍ୟମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଏହି ଉତ୍ସବରେ ୨ଠ୨୧ ଏବଂ ୨ଠ୨୨ ମସିହା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ରେଡିଓ ଟେଲିଭିଜନ ବ୍ରୁନେଇକୁ ସମ୍ମାନ ପ୍ରଦାନ କରିଥିଲେ। ୨ଠ୨୧ ମସିହା ନିମିତ୍ତ ଜୀବନବ୍ୟାପୀ ସାଧନା ପାଇଁ କାମ୍ବୋଡିଆର ଖାଇୟୁ ଖାହ୍ନାରିଥ ଏବଂ ୨ଠ୨୨ ମସିହା ନିମିତ୍ତ ପ୍ରସାର ଭାରତୀର ସି.ଇ.ଓ. ମୟଙ୍କ ଅଗ୍ରୱାଲଙ୍କୁ ସମ୍ମାନିତ କରିଥିଲେ।

ୟୁନେସ୍କୋ ନେତୃତ୍ୱରେ ୧୯୭୭ ମସିହାରେ ଏସୀୟ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ ସ୍ଥାପନ କରାଯାଇଥିଲା। ଏହି ସଂଗଠନ ଏସିଆ ମହାଦେଶ ଏବଂ ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ଦେଶଗୁଡ଼ିକର ଅର୍ଥନୀତି ଏବଂ ସାମାଜିକ ସ୍ଥିତିକୁ ବୈଦୁ୍ୟତିକ ଗଣମାଧ୍ୟମ ଗୁଡ଼ିକରେ ପ୍ରସାରଣ କରିଥାଏ। ଏଥିରେ ୨୬ଟି ରାଷ୍ଟ୍ରର ୪୩ଟି ସଂଗଠନର ପୂର୍ଣ୍ଣକାଳୀନ ସଦସ୍ୟ ଏବଂ ୫ଠଟି ସଂଗଠନର ସ୍ୱୀକୃତିପ୍ରାପ୍ତ ସଦସ୍ୟ ରହିଛନ୍ତି। ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପୂର୍ଣ୍ଣକାଳୀନ ସଦସ୍ୟ ଅଛି । ଭାରତରେ ଏହାର ଗଭର୍ଣ୍ଣିଂ କାଉନସିଲ ବୈଠକ ୧୯୭୮, ୧୯୮୫, ୨ଠଠ୩ରେ ଅନୁଷ୍ଠିତ ହେବା ପରେ ପୁନର୍ବାର ୨ଠ୨୨ ସେପ୍ଟେମ୍ବର ୧୯-୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ୧୩ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ କରିଛନ୍ତି। ସେ କହିଥିଲେ ଯେ, ଆଜି ‘‘ଅଗଷ୍ଟ କ୍ରାନ୍ତି’’ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆମର ଯୁବପିଢ଼ି ସେମାନଙ୍କର ନିଜ ନିଜ କ୍ଷେତ୍ରରେ ସମର୍ପଣ ଏବଂ କଠିନ ପରିଶ୍ରମ ବଳରେ ତ୍ରିରଙ୍ଗାର ସମ୍ମାନକୁ ବିଶ୍ୱର ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ଲାଗି ଶପଥ ନେବା ଉଚିତ୍‌। ଅନୁରାଗ ଠାକୁର କହିଥିଲେ ଯେ ଆମ ଜାତୀୟ ପତାକା କେବଳ ଖଣ୍ଡେ କପଡ଼ା ନୁହେଁ ବରଂ ଏହି ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରି ରଖିଛି। ସେ ଆହୁରି କହିଥିଲେ ଯେ ଦେଶକୁ ଏକତ୍ରିତ କରି ରଖିବା ଏବଂ ଭାରତକୁ ଆଗେଇ ନେବା ସହ ଅଧିକ ସୁଦୃଢ଼ କରିବା ଲାଗି ଯୁବପିଢ଼ିମାନେ ଶପଥ ନେବା ଉଚିତ୍‌। ନେହରୁ ଯୁବ କେନ୍ଦ୍ର, ଏନଏସଏସ ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଯୁବ ମଣ୍ଡଳକୁ ନେଇ ଶିମଲା ଠାରେ ଆୟୋଜିତ ଏକ ଯୁବସମ୍ମିଳନୀରେ ଶ୍ରୀ ଠାକୁର ଉଦବୋଧନ ଦେଇଥିଲେ। ହିମାଚଳ ପ୍ରଦେଶ ଶିମଲାସ୍ଥିତ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଯୁବକମାନଙ୍କ ସହିତ ଆଲୋଚନା କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଭାରତ ଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଦେଶାତ୍ମବୋଧ ଏବଂ ଜାତୀୟ ଅଖଣ୍ଡତା ଭାବନା ଜାଗ୍ରତ କରିବା ନିମନ୍ତେ ଆହ୍ୱାନ  କରିଥିଲେ। ସେ କହିଥିଲେ ଯେ ପ୍ରତ୍ୟେକ ଯୁବକଯୁବତୀ ସେମାନଙ୍କର ନିଜ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶର ଅନ୍ୟ ସ୍ଥାନ ଭ୍ରମଣ କରିବା ଉଚିତ୍‌। ଏହା ସେମାନଙ୍କ ମଧ୍ୟରେ ଜାତୀୟତା ଏବଂ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବ। ଏହା ଦ୍ୱାରା ସେମାନେ ଦାୟିତ୍ୱସମ୍ପନ୍ନ ନାଗରିକ ହୋଇପାରିବେ। ସେ ମଧ୍ୟ ‘‘ଏକ ଭାରତ ଶ୍ରେଷ୍ଠ ଭାରତ’’ କାର୍ଯ୍ୟକ୍ରମର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମ ଭାଷା, ସଂସ୍କୃତି ଏବଂ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ବ୍ୟଞ୍ଜନ ମଧ୍ୟରେ ରହିଥିବା ବାଧା ଦୂର କରିବା ସହିତ ଭିନ୍ନ ଭିନ୍ନ ରାଜ୍ୟର ଯୁବକମାନଙ୍କୁ ପରସ୍ପରର ନିକଟତର କରିପାରିଛି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ଦିଗରେ ଏହା କାର୍ଯ୍ୟ କରିବା ସହିତ ଦେଶର ଗୌରବ ବଢ଼ାଇବାରେ ସହାୟକ ହେବ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ସହ ଖୋଲା ଆଲୋଚନା କରି ଅନୁରାଗ ଠାକୁର ଦେଶର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ଯୁବପିଢ଼ିଙ୍କ ମତ ଜାଣିବାକୁ ଚାହିଁଥିଲେ। ସେ ନାରୀ ସଶକ୍ତିକରଣ, ଏକ ଭାରତ ଶ୍ରେଷ୍ଠ ଭାରତ, କୌଶଳ ବିକାଶ, କ୍ରୀଡ଼ାର ଭୂମିକା, ଫିଟ୍‌ ଇଣ୍ଡିଆ ଆନ୍ଦୋଳନ ଏବଂ ନେହରୁ ଯୁବ କେନ୍ଦ୍ର, ଏନଏସଏସ ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଯୁବ ମଣ୍ଡଳ ମାଧ୍ୟମରେ ଯୁବପିଢ଼ିଙ୍କୁ କ୍ୟାରିଅର ପରାମର୍ଶ ଆଦି ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ। ସେ ଆଶା କରିଥିଲେ ଯେ ଭବିଷ୍ୟତରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯାହାଫଳରେ ଦେଶର ଯୁବକମାନେ ସରକାରଙ୍କ ଯୋଜନା ବିଷୟରେ ଜାଣିପାରିବେ ଏବଂ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇପାରିବେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ହର ଘର ଜଲ ଯୋଜନା, ଉଜାଲା, ସ୍ୱଚ୍ଛତା ଅଭିଯାନ, ଉଜ୍ଜ୍ୱଳା ଯୋଜନା ଏବଂ ଡିଜିଟାଲ ଇଣ୍ଡିଆ ଭଳି କେନ୍ଦ୍ର ସରକାରଙ୍କ କେତେକ ଯୋଜନାର ଉପଲବ୍ଧି ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଫିଟ ଇଣ୍ଡିଆ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଲାଗି ନିଜ ସଂସଦୀୟ କ୍ଷେତ୍ରରେ ସେ ୨୫୦ ଜିମ୍‌ ପ୍ରତିଷ୍ଠା କରିଛନ୍ତି।

ଗଣମାଧ୍ୟମର କେତେକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ଆମର ସଫଳତା ବହୁଗୁଣିତ ହୋଇଛି। ନିକଟରେ ସମାପନ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୬୧ଟି ପଦକ ହାସଲ କରିବା ସହିତ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହିଛି।

Categories
ବିଶେଷ ଖବର

ଯଦି ଭୁଲ୍ ଧାରଣା ସୃଷ୍ଟି ହେଉଛି, ତା’ହେଲେ ଗଣମାଧ୍ୟମ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି: କେନ୍ଦ୍ର ମନ୍ତ୍ରୀ

ଦିଲ୍ଲୀ: “ୟେ ଆକାଶବାଣୀ ହୈ’- ଏହି ଅମର ଶବ୍ଦ ଗୁଡ଼ିକୁ ସବୁ ଭାରତୀୟ ଚିହ୍ନଟ କରି ପାରିବେ। ଆଜି ଆକାଶବାଣୀ ଭବନର ରଙ୍ଗ ଭବନ ସଭା ଗୃହରେ ଏହା ପୁନଃ ଗୁଞ୍ଜରିତ ହୋଇ ଉଠିଥିଲା, ଯେତେବେଳେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଲୋକ ମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଦୋହରାଇଥିଲେ। ଏହି ଭଳି ପ୍ରାରମ୍ଭିକ ଶବ୍ଦ ଗୁଡିକ ଆଜି ଜାତୀୟ ପ୍ରସାରଣ ଦିବସ, ଯେଉଁ ଦିନ ଅଲ୍ ଇଣ୍ଡିଆ ରେଡିଓ ନିଜର ଯାତ୍ରା ଆରମ୍ଭ କରିଥିଲା ତାହାକୁ ସ୍ମରଣ କରାଇଥିଲା। ୧୯୨୭ରେ ଆକାଶବାଣୀ ଏହି ଦୀର୍ଘ ଓ ଚମତ୍କାର ଯାତ୍ରା ଆରମ୍ଭ କରିଥିଲା।

ଉପସ୍ଥିତ ଶ୍ରୋତା ମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ଯେତେବେଳେ କିଛି ଲୋକ ଅନୁମାନ କରିଥିଲେ, ଟେଲିଭିଜନ୍ ଏବଂ ଏହା ପରେ ଇଂଟରନେଟ୍ ଆସିବା ପରେ ରେଡିଓର ଅସ୍ତିତ୍ୱ ବିପଦରେ ପଡି ଯିବ, ସେତେବେଳେ ରେଡିଓ ନିଜର ଦର୍ଶକ ମାନଙ୍କୁ ଚିହ୍ନଟ କରି ନେଇଛି ଏବଂ ଏହାର ପ୍ରାସଙ୍ଗିକତା ଓ  ବିଶ୍ୱସନୀୟତାକୁ ମଧ୍ୟ ବଜାୟ ରଖି ପାରିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ, ଆଜି, ଯେତେବେଳେ ଲୋକମାନେ ନିଷ୍ପକ୍ଷ ସମାଚାର ଶୁଣିବାକୁ ଚାହୁଁଛନ୍ତି, ସ୍ୱାଭାବିକ ଭାବରେ ଆକାଶବାଣୀ ଏବଂ ଦୂରଦର୍ଶନର ଖବର ଶୁଣୁଛନ୍ତି। ସେ କହିଥିଲେ ଯେ, ଦେଶର ୯୨ ପ୍ରତିଶତ ଭୌଗୋଳିକ କ୍ଷେତ୍ର ଏବଂ ୯୯ ପ୍ରତିଶତରୁ ଅଧିକ ଲୋକ ଆକାଶବାଣୀର ପରିସରଭୁକ୍ତ ଅଟନ୍ତି, ଯାହା ଏକ ପ୍ରଶଂସନୀୟ ଉପଲବ୍ଧି ଅଟେ।

ଏକ ମଂଚ ଭାବରେ ରେଡିଓର ମହତ୍ୱ ସମ୍ପର୍କରେ କହିବା ସମୟରେ ଶ୍ରୀ ଠାକୁର କହିଥିଲେ ଯେ, ଅନେକ ପ୍ରଧାନମନ୍ତ୍ରୀ ଆସିଛନ୍ତି, କିନ୍ତୁ କୌଣସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ରେଡିଓର ମୂଲ୍ୟକୁ ଦେଖି ନାହାନ୍ତି, ଯିଏକି ଏହାକୁ ତାଙ୍କର ମାସିକ ମନ୍ କି ବାତ୍ କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାର କରି ସାରା ଦେଶର ଲୋକ ମାନଙ୍କ ସହିତ ସିଧାସଳଖ ଯୋଡି ହୋଇଛନ୍ତି।

ମନ୍ତ୍ରୀ ଗଣମାଧ୍ୟମକୁ ସତର୍କ କରାଇ ଦେଇଥିଲେ ଏବଂ କହିଥିଲେ ଯେ, ଯଦି କୌଣସି ସ୍ଥାନରେ ‘ମିଡିଆ ଟ୍ରାୟାଲ୍ସ୍‌’ (ଗଣମାଧ୍ୟମ ଦ୍ୱାରା ବିଚାର) ନାମରେ ଘରୋଇ ଗଣମାଧ୍ୟମ ଗୁଡିକ ସମ୍ପର୍କରେ ଭୁଲ୍ ଧାରଣା ସୃଷ୍ଟି କରା ଯାଉଛି, ତେବେ ଆମକୁ ନିଜର କାର୍ଯ୍ୟ ସମ୍ପର୍କରେ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି।

ଆଜାଦୀର ଅମୃତ ମହୋତ୍ସବର ସାରକଥାକୁ ପ୍ରଦାନ କରିବା କ୍ଷେତ୍ରରେ ଦୁଇ ସଂସ୍ଥା ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ଭୂମିକାକୁ ଶ୍ରେୟ ଦେଇ ମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ସ୍ୱାଧୀନତା ପରେ ଶିକ୍ଷା ପ୍ରଣାଳୀରେ ଅନେକ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଭୂମିକାକୁ ଉଲ୍ଲେଖ କରା ଯାଇ ନଥିଲା, ସେତେବେଳେ ରେଡିଓ ଏବଂ ଦୂରଦର୍ଶନ ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରି ଦେଶର ଦୂର ଦୂରାନ୍ତ ଅଂଚଳର କୋଣ ଅନୁକୋଣରୁ ପାଂଚ ଶହରୁ ଅଧିକ ଅଜ୍ଞାତ ନାୟକ ମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର ଅବଦାନ ସମ୍ପର୍କରେ ପ୍ରସାରଣ କରି ଏହି ଖୁସିକୁ ପାଳନ କରିବା ନିମନ୍ତେ ଏହାକୁ ଦେଶ ଆଗରେ ଉପସ୍ଥାପିତ କରିଥିଲେ।

ମନ୍ତ୍ରୀ ଏହି ଦୁଇଟି ଏଜେନ୍ସି ଗୁଡିକ ନିମନ୍ତେ ବିଷୟ ବସ୍ତୁର ମହତ୍ୱକୁ ରେଖାଙ୍କିତ କରିଥିଲେ ଏବଂ କହିଥିଲେ ଯେ, ଏହା କେବଳ ସେହି ବିଷୟ ବସ୍ତୁ ଥିଲା, ଯାହା ଲୋକ ମାନଙ୍କୁ ଚ୍ୟାନେଲ୍ ଆଡକୁ ଆକର୍ଷିତ କରିଥିଲା। ଏବଂ ଲୋକମାନଙ୍କ ନିକଟରେ ପହଂଚିବା ପାଇଁ ଯେତେ ପରିମାଣର ଟାୱାର ସ୍ଥାପନ କରାଗଲେ ମଧ୍ୟ ତାହା ବିଷୟବସ୍ତୁର ମହତ୍ୱ ସହିତ ମେଳ ଖାଇ ପାରିବ ନାହିଁ। ସେ ଆହୁରି ମଧ୍ୟ ଆଶା ବ୍ୟକ୍ତ କରିଥିଲେ ଯେ, ଡିଜିଟାଲ୍ ଯୁଗରେ ରେଡିଓ ଲୋକ ମାନଙ୍କ ମଧ୍ୟରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବାକୁ ଯାଉଛି।

ମନ୍ତ୍ରୀ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଥିବା ନୂତନ ଧାରାବାହିକ ଗୁଡିକର ପ୍ରମୋକୁ ଜାରି କରିଥିଲେ – କର୍ପୋରେଟ୍ ସରପଂଚ: ବେଟୀ ଦେଶ୍ କି, ଜୟ ଭାରତୀ, ସୁରୋ କା ଏକଲବ୍ୟ ଏବଂ ୟେ ଦିଲ୍ ମାଙ୍ଗେ ମୋର୍ ସହିତ ଷ୍ଟାର୍ଟଅପ୍ ଚାମ୍ପିୟନ୍ ୨.୦ର ପ୍ରମୋ ଇତ୍ୟାଦି। ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡଃ ଏଲ୍ ମୁରୁଗାନ୍ ଜାତୀୟ ପ୍ରସାରଣ ଦିବସ ଅବସରରେ ଦର୍ଶକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ଏହି ଅବସରରେ ଡଃ ମୁରୁଗାନ୍ ସ୍ୱାଧୀନତା ସଂଗ୍ରାମ ସମୟରେ ରେଡିଓ ଦ୍ୱାରା ନିର୍ବାହ କରା ଯାଇଥିବା ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ, ସେ କହିଥିଲେ ଯେ, ସେହି ସମୟରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଏହାକୁ ବ୍ରିଟିଶ୍ ସାମ୍ରାଜ୍ୟବାଦୀ ସରକାରଙ୍କ ବିରୁଦ୍ଧରେ ଯୋଗାଯୋଗ ନିମନ୍ତେ ଏକ ଉପକରଣ ଭାବରେ ବ୍ୟବହାର କରିଥିଲେ। ସେ ଦେଶର ଦୂର – ଦୂରାନ୍ତର କୋଣ ଅନୁକୋଣକୁ ଯୋଡିବା ନିମନ୍ତେ ରେଡିଓ ଦ୍ୱାରା ଯେଉଁ ଭୂମିକା ନିର୍ବାହ କରା ଯାଉଛି ତା’ର ପ୍ରଶଂସା କରିଥିଲେ ଏବଂ ପ୍ରସାର ଭାରତୀକୁ ବିଶ୍ୱର ସବୁଠାରୁ ବଡ ସାର୍ବଜନିକ ବେତାର ପ୍ରସାରକ ହେବା ନେଇ ମଧ୍ୟ ସେ ଗର୍ବ ବ୍ୟକ୍ତ କରିଥିଲେ।

ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ, ମୟଙ୍କ ଅଗ୍ରୱାଲ୍ ଟେଲିଭିଜନ୍ ଏବଂ ରେଡିଓ ଭଳି ଦୁଇଟି ମାଧ୍ୟମର ମହତ୍ୱକୁ ରେଖାଙ୍କିତ କରିଥିଲେ ଏବଂ କହିଥିଲେ ଯେ ଏହି ମଂଚ ଗୁଡ଼ିକରେ ସମାଚାର ବିଷୟ ବସ୍ତୁ ଘରୋଇ ଗଣମାଧ୍ୟମର ବିଶ୍ୱସନୀୟତା ଅପେକ୍ଷା ଉତମ ପ୍ରଦର୍ଶନ କରିଛି ଏବଂ ଏହା ବିଭିନ୍ନ ସର୍ବେକ୍ଷଣ ଗୁଡିକ ଦ୍ୱାରା ସାମନାକୁ ଅଣା ଯାଇଛି।

ଏହି ଅବସରରେ ଆକାଶବାଣୀର ମହାନିର୍ଦ୍ଦେଶକ ଏନ୍ ବେଣୁଧର ରେଡ୍ଡୀ, ପ୍ରସାର ଭାରତୀ, ଦୂରଦର୍ଶନ ଏବଂ ଆକାଶବାଣୀର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂସ୍କୃତିକୁ ସୁଦୃଢ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଦେଶରେ ଦ୍ରୁତଗତିରେ ବିକଶିତ ହେଉଥିବା ଡିଜିଟାଲ ଭିତ୍ତିଭୂମି ଏବଂ ଏଭିଜିସି (ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଙ୍ଗ ଓ କମିକ୍ସ) କ୍ଷେତ୍ରରେ ଚାଲିଥିବା ପ୍ରଗତି ଭାରତକୁ ବିଶ୍ୱର ପ୍ରମୁଖ ମିଡିଆ (ଗଣମାଧ୍ୟମ) ଓ ଏଣ୍ଟରଟେନମେଣ୍ଟ (ମନୋରଞ୍ଜନ) ର ପୋଷ୍ଟ ପ୍ରଡକ୍ସନ ହବ୍‌ରେ ପରିଣତ କରିବାକୁ ଦକ୍ଷତା ବହନ କରୁଛି।

ପୁଣେ ସ୍ଥିତ ସିମ୍ବାୟୋସିସ୍ ସ୍କିଲ ଓ ପ୍ରଫେସନାଲ ବିଶ୍ୱବିଦ୍ୟାଳୟର “ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ପରିବର୍ତ୍ତନଶୀଳ ଦୃଶ୍ୟପଟ-୨୦୨୨” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ମୂଳ ବକ୍ତୃତା ପ୍ରଦାନ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଦେଶରେ ଏବେ ଏଭିଜିସି କ୍ଷେତ୍ରରେ ଏକ ଦୃଢ ଡିଜିଟାଲ ମୂଳଦୁଆ  ତିଆରି ହୋଇଛି । ଦେଶର ଓ ବିଶ୍ୱର ଆବଶ୍ୟକତା ପୂରଣ ପାଇଁ ବିଶ୍ୱସ୍ତରୀୟ ସର୍ଜନାତ୍ମକ ପ୍ରତିଭା ବିକଶିତ କରିବାକୁ ସରକାର ଏଭିଜିସି କ୍ଷେତ୍ର ନିମନ୍ତେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଠାକୁର ଆହୁରି କହିଛନ୍ତି ଯେ ଦେଶର ମିଡିଆ ଓ ଏଂଟରଟେଂନମେଣ୍ଟ ପରିବେଶ ଏକ ଦ୍ରୁତ ବିକାଶୋନ୍ମୁଖୀ ଉଦ୍ୟୋଗ ଯାହାର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ। ଏହି ଉଦ୍ୟୋଗର ଆକାର ୨୦୨୫ ସୁଦ୍ଧା ବାର୍ଷିକ  ୪ଲକ୍ଷ କୋଟି ଟଙ୍କା ଛୁଇଁବା ଆଶା କରାଯାଉଛି। ଆହୁରି ମଧ୍ୟ ଏହି ଉଦ୍ୟୋଗର ଆକାର ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାର ବା ୭.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ସରକାର ଅଡିଓ-ଭିଜୁଆଲ ସର୍ଭିସ(ଦୃଶ୍ୟ-ଶ୍ରାବ୍ୟ ସେବା)କୁ ୧୨ଟି ଚମ୍ପିଅନ ସେବା କ୍ଷେତ୍ର ମଧ୍ୟରେ ସ୍ଥାନିତ କରିଛନ୍ତି ଏବଂ ଏହି କ୍ଷେତ୍ରରେ ଅଭିବୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ଓ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।

ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ “ ଆମେ ଉଚ୍ଚମାନର ବିଷୟବସ୍ତୁ (କ୍ୱାଲିଟି କଂଟେଂଟ) ସୃଷ୍ଟିର ଡିଜିଟାଲ ଯୁଗରେ ପାଦ ଦେବାକୁ ଯାଉଥିବାରୁ ରେଡିଓ, ଫିଲ୍ମ ଏବଂ ମନୋରଞ୍ଜନ ଉଦ୍ୟୋଗରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭିଡିଓ ଏଡିଟିଙ୍ଗ, କଲର ଗ୍ରେଡିଂ, ଭିଜୁଆଲ ଇଫେକ୍ଟ, ସାଉଣ୍ଡ ଡିଜାଇନ, ରୋଟୋସ୍କେପିଙ୍ଗ ଓ ଥ୍ରୀଡି ମଡେଲିଂ ଆଦି କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇସାରିଲାଣି। ଏସବୁ କ୍ଷେତ୍ରରେ ନିର୍ଦ୍ଦିଷ୍ଟ କୌଶଳ ଓ ଦକ୍ଷତାର ଆବଶ୍ୟକତା ରହିଛି। ଅତଏବ ଏହି କ୍ଷେତ୍ରର ଆବଶ୍ୟକତା ପୂରଣ କ୍ଷେତ୍ରରେ ଉଦ୍ୟୋଗ ଓ ଶିକ୍ଷା ତଥା ଗବେଷଣା ଅନୁଷ୍ଠାନମାନେ ଆଗେଇ ଆସିବା ଅପରିହାର୍ଯ୍ୟ। ଏହି କ୍ଷେତ୍ରରେ ଯେଉଁ ନୂଆ ନୂଆ ଟେକ୍‌ନୋଲୋଜି ଟ୍ରେଣ୍ଡ ଆସୁଛି ତା’ସହିତ ଛାତ୍ରଛାତ୍ରୀମାନଙ୍କୁ ଅବଗତ ଓ ଅଭ୍ୟାସ କରିବାକୁ ସରକାର ଘରୋଇ ଉଦ୍ୟୋଗ ସହିତ ସମ୍ଭାବ୍ୟ ଅଂଶୀଦାରୀ ଗଢିବାକୁ ଉଦ୍ୟମ କରୁଛନ୍ତି।

ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଟେକ୍‌ନୋଲୋଜି ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ଆଗ୍ରହ ଦେଶର ଯୁବବର୍ଗଙ୍କ ଆଶା ଆକାଂକ୍ଷା ବଢାଇଛି। ସେଥିପାଇଁ ସରକାର ନୂଆ ନୂଆ ସୁବିଧା ସୁଯୋଗ ସୃଷ୍ଟି କରୁଛନ୍ତି। ସ୍କିଲ ଇଣ୍ଡିଆ ମିଶନ ମାଧ୍ୟମରେ ଭାରତ ସରକାର ଦେଶର ଯୁବସମାଜକୁ ସଶକ୍ତ ଓ ସମର୍ଥ କରି ପ୍ରଧାନମନ୍ତ୍ରୀଙ୍କ ଆଶା ଓ ଲକ୍ଷ୍ୟକୁ ପୂରଣ କରୁଛନ୍ତି। ଏହା ଫଳରେ ଯୁବ ସମାଜର ଆଶାରେ ଡେଣା ଲାଗିଛି। ସ୍କିଲ ଇଣ୍ଡିଆ ମିଶନ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ବଜାରର ଆବଶ୍ୟକତାକୁ ବିଚାରକୁ ନେଇ ୪୦କୋଟି ଯୁବକଙ୍କୁ ସମର୍ଥ ଓ ସଶକ୍ତ କରିବାର ଲକ୍ଷ୍ୟ ସରକାର ରଖାଯାଇଛି।

‘୭୫ କ୍ରିଏଟିଭ ମାଇଣ୍ଡସ ଅଫ ଟୁମରୋ’ ପ୍ରୋଜେକ୍ଟ ଯାହା ୨୦୨୧ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଅବସରରେ ଆରମ୍ଭ ହୋଇଥିଲା। ସେ ସମ୍ପର୍କରେ ଶ୍ରୀ ଠାକୁର କହିଛନ୍ତି ଯେ ଏହି ପ୍ରକଳ୍ପର ଅନେକ ପ୍ରତିଭା ମିଡିଆ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ରକୁ ଉଲ୍ଲେଖନୀୟ ସୃଷ୍ଟି ଧର୍ମୀ ଅବଦାନ ଯୋଗାଉଛନ୍ତି। ସେମାନଙ୍କ ମଧ୍ୟରୁ ଆଉ କେତେକ ମଧ୍ୟ ସଫଳତାର ସହିତ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି।

ଦେଶର କ୍ରମବର୍ଦ୍ଧିନଶୀଳ ଷ୍ଟାର୍ଟଅପ ସଂସ୍କତି ଓ ପରିତନ୍ତ୍ର ସମ୍ପର୍କରେ ସେ କହିଛନ୍ତି ଯେ କୋଭିଡ ମହାମାରୀ କାଳରେ ମଧ୍ୟ ଏ କ୍ଷେତ୍ରରେ ଭାରତର ଉଦ୍ୟମରେ ଭଟ୍ଟା ପଡି ନ ଥିଲା। ଏହି କଠିନ ସମୟରେ ଭାରତରେ ୫୦ଟି ନୂଆ ୟୁନିକର୍ଣ୍ଣ ଗଠିତ ହୋଇଥିଲା। ଏହା ଭାରତୀୟ ଉଦ୍ୟମିତାର  ଉତ୍ସାହର  ପ୍ରମାଣ ବହନ କରେ। ଏଫ୍‌ଟିଆଇଆଇ  ଓ ଏସ୍‌ଆରଏଫଟିଆଇ ଭଳି ପ୍ରମୁଖ ଚଳଚ୍ଚିତ୍ର ଶିକ୍ଷାନୁଷ୍ଠାନ ବା ଫିଲ୍ମ ସ୍କୁଲଗୁଡିକରୁ ବାହାରୁଥିବା ପ୍ରତିଭାମାନେ ଏଭଳି ଅଧିକରୁ ଅଧିକ ଷ୍ଟାର୍ଟଅପ୍ ନିର୍ମାଣ କରିବେ ବୋଲି  ସେ ଆଶାପ୍ରକାଶ କରିଥିଲେ।

ଏକ ଗ୍ଲୋବାଲ କଣ୍ଟେଣ୍ଟ ହବ୍ ଭାବେ ଭାରତ

ଡିଜିଟାଲ ଇଣ୍ଡିଆର ସଫଳତା ମାଧ୍ୟମରେ ଭାରତର କଣ୍ଟେଣ୍ଟ କ୍ରିଏସନ(ବିଷୟବସ୍ତୁ ସୃଷ୍ଟି କରିବା) ଉଦ୍ୟୋଗ ଏକ ବଡ ପ୍ରୋତ୍ସାହନ ପାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ “ଉତ୍ତମ ମାନର ବିଷୟବସ୍ତୁ, ସହଜ ପହଂଚ ଓ ଆଗ୍ରହୀ ଶ୍ରୋତା /ଦର୍ଶକଙ୍କ ଉପସ୍ଥିତି ଭାରତକୁ ଏ କ୍ଷେତ୍ରରେ ତାହାର ସଫଳ କାହାଣୀ ବିଶ୍ୱ ସମୁଦାୟକୁ ଶୁଣାଇବାକୁ ପ୍ରସ୍ତୁତ କରିଛି। ଏହା ଭାରତକୁ ବିଶ୍ୱର ଏକ ପ୍ରମୁଖ କଂଟେଂଟ ହବ୍‌ରେ ପରିଣତ କରିବାକୁ ଯାଉଛି । ସେ ଆହୁରି କହିଛନ୍ତି ଯେ ଏହି ପ୍ରୟାସ ପଛରେ ଥିବା ବୈଷୟିକ ଲୋକଶକ୍ତିର ଉଦ୍ୟମକୁ ଉପଯୁକ୍ତଭାବେ ପୁରସ୍କୃତ ଓ ମାନ୍ୟତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ସେଥିପାଇଁ ଅଗ୍ରଣୀ ଚରିତ୍ରଙ୍କ ଉପରେ ଦୃଷ୍ଟି କେନ୍ଦ୍ରୀତ କରିବାର ପ୍ରଚଳିତ ଧାରାକୁ ବଦଳାଇବାକୁ ପଡିବ।

ଏହି ଜାତୀୟ ସମ୍ମିଳନୀରେ ଅସ୍କାର ଓ ‘ବାଫଟା’ ପୁରସ୍କାର ବିଜୟୀ ସାଉଣ୍ଡ ଡିଜାଇନର ରେସୁଲ ପୁକୁଟ୍ଟୀ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ ଦେଶର ଶିକ୍ଷାନୁଷ୍ଠାନ ସମୂହ ଛାତ୍ରଛାତ୍ରୀଙ୍କୁ ବାହାର ଦୁନିଆର ସମ୍ମୁଖୀନ ହେବା ପାଇଁ ସେମାନଙ୍କର ଦକ୍ଷତା ବିକାଶ କରିବା ବ୍ୟତୀତ ପ୍ରାଚୀନ ଭାରତୀୟ ପରମ୍ପରାକୁ ଅନୁସରଣ କରି ଶିକ୍ଷାଦାନ କରିବା ଆବଶ୍ୟକ।

ଆନିମେସନ,ଭିଏପ୍‌ଏକ୍ସ, ଗେମିଂ ଓ କମିକ୍ସ, ଓଟିଟି, ଟିଭି, ଫିଲ୍ମ ପ୍ରଡକ୍ସନ, ଅଗମେଣ୍ଟଡ୍ ରିୟଲିଟି/ଭର୍ଚୁଆଲ ରିୟଲିଟି, ଇମ୍‌ର୍ସିଭ ମିଡିଆ ସ୍କିଲ  ଆଦି ଉତ୍‌ଥାନମୁଖୀ କ୍ଷେତ୍ର ଓ ତାହାର ସୁଯୋଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଏଥିରେ ମିଡିଆ ଓ ମନୋରଞ୍ଜନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ତଥା ସିମ୍ବାୟୋସିସ୍ ସ୍କିଲ ଓ ପ୍ରଫେସନାଲ ୟୁନିଭିରସିଟିର କୁଳାଧିପତି ଡକ୍ଟର ଏସ.ପି. ମଜୁମଦାର,  ଉପକୂଳାଧିପତି ଡଃ ସ୍ୱାତୀ ମଜୁମଦାର ଓ କୁଳପତି ଡଃ ଗୌରୀ ଶିଉରକର ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

୧୪୩ ପ୍ରକାର ସାମଗ୍ରୀ ଉପରେ ଜିଏସ୍‌ଟି ହାର ବୃଦ୍ଧି ସଂକ୍ରାନ୍ତ ବିଭ୍ରାନ୍ତିକର ଖବର ସମ୍ପର୍କରେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ୧୪୩ ପ୍ରକାର ସାମଗ୍ରୀର ଜିଏସ୍‌ଟି ହାର ବଢାଇବାକୁ ରାଜ୍ୟ ସରକାରମାନଙ୍କଠାରୁ ମତାମତ ମଗାଯାଇଛି । କିଛି ଗଣମାଧ୍ୟମ ମଧ୍ୟ ଏସବୁ ସାମଗ୍ରୀର ସଂଖ୍ୟା ଓ ବର୍ଣ୍ଣନା ଉପସ୍ଥାପନ କରିଛନ୍ତି। ତେବେ ସରକାରୀ ଭାବେ ସ୍ପଷ୍ଟ କରାଯାଇଛି ଯେ ଏହି ସମ୍ବାଦ ବିଭ୍ରାନ୍ତିକର ଏବଂ ଏଥିରେ କୌଣସି ସତ୍ୟତା ନାହିଁ। ଦ୍ରବ୍ୟ ଓ ସେବାକର (ଜିଏସ୍‌ଟି) ହାର ବୃଦ୍ଧି ପାଇଁ ରାଜ୍ୟ ସରକାରମାନଙ୍କ ମତାମତ କର୍ତ୍ତୃପକ୍ଷ ମାଗିନାହାନ୍ତି। ଏହା ଏକ ମନଗଢା ଖବର ଏବଂ ଏଥିରେ ପରିବେଶିତ ତଥ୍ୟ ଅସତ୍ୟ।

ଜିଏସ୍‌ଟି ପରିଷଦ ଏହାର ୪୫ତମ ବୈଠକରେ ଟିକସହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଏକ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ଗଠନ କରିଥିଲା। ଏହି ଗୋଷ୍ଠୀ ସମ୍ପୃକ୍ତ ପ୍ରସଙ୍ଗ ଉପରେ ବିଚାର ଆଲୋଚନା ଜାରି ରଖିଛି। ୨୦୨୧ ସେପ୍ଟେମ୍ବରରେ ଏହି ମନ୍ତ୍ରିସ୍ତରୀୟ ଗୋଷ୍ଠୀ ଗଠନ ହେବା ପରେ ବ୍ୟବସ୍ଥା  ମୁତାବକ ଜିଏସ୍‌ଟି ଟିକସ ହାରର ଯୁକ୍ତିଯୁକ୍ତକରଣ ନେଇ ରାଜ୍ୟମାନଙ୍କର ମତାମତ ମଗାଯାଇଛି। ଏହା ଏକ ଅନୁସ୍ରୁତ ପନ୍ଥା ଓ ବ୍ୟବସ୍ଥା। ଏଥିରେ ଟିକସ ହାର ବୃଦ୍ଧି ନେଇ କୌଣସି ପ୍ରସଙ୍ଗ ନାହିଁ। ସମ୍ପୃକ୍ତ ମନ୍ତ୍ରୀଗୋଷ୍ଠୀ ମଧ୍ୟ ଏହାର ରିପୋର୍ଟ ଏଯାଏ ଜିଏସ୍‌ଟି କାଉନସିଲକୁ ଦେଇନାହିଁ ବୋଲି ଏହି ସ୍ପଷ୍ଟୀକରଣରେ କୁହାଯାଇଛି। (ପିଆଇବି)

Categories
ଆଜିର ଖବର ରାଜ୍ୟ ଖବର

ଗଣମାଧ୍ୟମର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିବ: ଉତ୍କଳ ସାମ୍ବାଦିକ ସଂଘକୁ ପ୍ରତିଶ୍ରୁତି ଦେଲେ ନିର୍ବାଚନ ଆୟୁକ୍ତ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଅବସରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ଓ ର୍ନିବିରୋଧ ଖବର ସଂଗ୍ରହ ନିମିତ୍ତି ନିର୍ଦ୍ଦେଶନାମା ଜାରି ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟିଲା ଉତ୍କଳ ସାମ୍ବାଦିକ ସଂଘ।
ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ପାଢୀଙ୍କୁ ଭେଟି ଆଲୋଚନା କରିଥିଲେ।

ନିର୍ବାଚନ ଅବସରରେ ଖବର ସଂଗ୍ରହକୁ ନେଇ କଣାସ, ପିପିଲି, କଟକ ସଦର, ଚାନ୍ଦବାଲି ସମେତ ବିଭିନ୍ନ ଅଞ୍ଚଳରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ସହ ଖବର ସଂଗ୍ରହରେ ସ୍ଥାନୀୟ ବୁଥ୍ ଅଧିକାରୀ ଓ ପୋଲିସ୍ ପକ୍ଷରୁ ବିରୋଧର ଚିତ୍ର ସାମ୍ନାକୁ ଆସିଛି।

ଏପରିକି ଚାନ୍ଦବାଲିସ୍ଥିତ ବୁଥ୍ ଦାୟିତ୍ୱରେ ଥିବା ଅଧିକାରୀ ଖବର ସଂଗ୍ରହ ପାଇଁ ନିର୍ବାଚନ ଆୟୁକ୍ତଙ୍କ ଅନୁମତି ପତ୍ର ଲୋଡ଼ିବା ସାମ୍ବାଦିକଙ୍କ ଅଧିକାର ପ୍ରତି ଆହ୍ୱାନ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଥିଲେ। ନିର୍ବାଚନ ଆୟୁକ୍ତ ସମସ୍ତ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିବା ସହିତ ନିର୍ବାଚନ ସମୟରେ ଖବର ପ୍ରସାରଣରେ ଗଣମାଧ୍ୟମର ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ କୌଣସି ବାଧାକୁ ବରଦାସ୍ତ ରଖାଯିବ ବୋଲି କହିଥିଲେ। ଯଦି ସେଭଳି କୌଣସି ଘଟଣା ଦୃଷ୍ଟିକୁ ଆସେ, ତେବେ ସେମାନଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀଯୁକ୍ତ ପାଢୀ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ସମୟରେ ଆୟୁକ୍ତଙ୍କ ସଚିବ ରବିନାରାୟଣ ସାହୁ ଓ ଉପ ସଚିବ ଆଜାଦ୍‌ହିନ୍ଦ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ। ସଂଘ ପକ୍ଷରୁ ଏହି ଆଲୋଚନା ବେଳେ ଜାତୀୟ ପରିଷଦ ସଦସ୍ୟ ବୈଷ୍ଣବ ଚରଣ ଜେନା, ପପୁ ମହାନ୍ତି, ସନତ ମିଶ୍ର, ପ୍ରଦ୍ୟୁମ୍ନ ମହାନ୍ତି, ଅଶୋକ ସାହୁ, ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜନେ ଚୌଧୁରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ବିପଦରେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ!: ଶାସକ କଳର ବ୍ୟବସ୍ଥା ମଧ୍ୟରେ ପେଶି ହେଉଛି ଗଣମାଧ୍ୟମ

ସୁବାଷ କୁମାର ତାରଣିଆଁ

ଗଣତନ୍ତ୍ରକୁ ସୁଦୃଢ ଓ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଗଣମାଧ୍ୟମ। ଆଉ ଗଣମାଧ୍ୟମକୁ ସଠିକ୍ ଭାବରେ ପରିଚାଳନା କରିବାରେ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ ଭଳି ଉଭା ହୋଇଥାନ୍ତି। ଯେଉଁ ଦେଶରେ ଗଣତନ୍ତ୍ରର ସ୍ୱର ଯେତେ ପ୍ରଖର, ସେ ଦେଶ ସେତେ ଉନ୍ନତ। ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବାରେ ଗଣତନ୍ତ୍ର ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିଥାଏ। ସେଥିପାଇଁ ଗଣମାଧ୍ୟମକୁ ଚତୁର୍ଥସ୍ତମ୍ଭର ମାନ୍ୟତା ମିଳିଛି।

ଗଣମାଧ୍ୟମ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଘଟୁଥିବା ଘଟଣାବଳୀକୁ ନେଇ ସାଧାରଣ ଜନତାଙ୍କ ନିକଟରେ ଖବର ପହଞ୍ଚାଇବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ ଦ୍ୱାରା ହିଁ ଗଣମାଧ୍ୟମ ଉପରେ ବିଶ୍ୱାସନୀୟତା ବଢିଥାଏ। କଲମ ମୁନରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନର ସହ ବଞ୍ଚାଇ ରଖିବା ଓ ସାଧାରଣ ଜନତାଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଗଣମାଧ୍ୟମର ମୂଳ ଲକ୍ଷ୍ୟ।

୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ମାନ୍ୟତା ପାଇଥିଲା ଏବଂ ଗଣତନ୍ତ୍ର ରାଷ୍ଟ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ଗଣମାଧ୍ୟମକୁ ନେଇ ଚାରୋଟି ସ୍ତମ୍ଭ କାର୍ଯ୍ୟକାରୀ ହୋଇଥିଲା। ଦେଶର ସାମଗ୍ରିକ ବିକାଶ ଦିଗରେ ଗଣମାଧ୍ୟମର ଭୂମିକା ରହିଛି। ସେହିପରି ଗଣତନ୍ତ୍ରକୁ ସୁପରିଚାଳନା କରିବା ଦିଗରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ସଂଗଠିତ ହେଉଥିବା ଘଟଣାବଳୀ ସମ୍ପର୍କରେ ସଠିକ୍ ତଥ୍ୟ ଉପସ୍ଥାପନ କରିବା ଗଣମାଧ୍ୟମର କର୍ତ୍ତବ୍ୟ। ସେହି ଦୃଷ୍ଟିରୁ ଚାରିସ୍ତମ୍ଭ ମଧ୍ୟରୁ ଗଣମାଧ୍ୟମକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ସମାଜର ପରଦା ପଛରେ ଲୁଚି ରହିଥିବା ଅବହେଳିତ, ନିଷ୍ପେସିତ ପ୍ରତିଭାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ମଧ୍ୟ ଗଣମାଧ୍ୟମର ଯଥେଷ୍ଟ ଅବଦାନ ରହିଛି। ଗଣମାଧ୍ୟମକୁ ସଠିକ୍ ଭାବେ ପରିଚାଳନା କରିବାକୁ ହେଲେ ସାମ୍ବାଦିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିନରାତି, ଶୀତ କାକର, ଖରା, ବର୍ଷା ଓ ଭୋକ ଉପାସକୁ ଖାତିର ନକରି ବର୍ଷକ ୩୬୫ ଦିନ ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଗଣମାଧ୍ୟମ ଓ ସାମ୍ବାଦିକ ସର୍ବଦା ସମାଜରେ ସୁନାମ କମାଇ ଥାଆନ୍ତି।

ଦେଶ ସ୍ୱାଧୀନତାପ୍ରାପ୍ତିର ୧୯ ବର୍ଷ ପରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ ଓ ସଫଳ କରିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରେସ୍ କାଉନ୍‌ସିଲ୍ ଗଠନ କରାଯାଇ କାର୍ଯ୍ୟ ଆରମ୍ଭ କରିଥିଲା ଓ ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍ ବୋଲି କୁହାଗଲା। ଏକ ନିର୍ଭୀକ, ନିରପେକ୍ଷ, ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍‌ର ପ୍ରତୀକ ଭାବରେ ଏହି ଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଇ ଆସୁଅଛି। ପ୍ରେସ୍ କାଉନ୍‌ସିଲ୍ ଏକ ନୈତିକ ପ୍ରହରୀ। ଦୁଇଟି ମୁଖ୍ୟ ଉଦ୍ଦେଶ୍ୟରେ ଏହା ଗଠିତ ହୋଇଥିଲା। ପ୍ରଥମ ସମ୍ବାଦବାହୀ ଗଣମାଧ୍ୟମର ମାନ, ସମ୍ମାନ, ପରମ୍ପରା, ମୂଲ୍ୟବୋଧକୁ ବଜାୟ ରଖିବା ସହ ଏହାର ମୌଳିକ ଅଧିକାର, କର୍ତ୍ତବ୍ୟ ଏବଂ ଗୁରୁଦାୟିତ୍ୱ ସମ୍ପନ୍ନ ଅଟେ। ଦ୍ୱିତୀୟ ଏହାକୁ ଚାପ ଓ ପ୍ରଭାବରୁ ମୁକ୍ତ ରଖିବା ମୌଳିକ କର୍ତ୍ତବ୍ୟ। କାହାକୁ ଭ୍ରୁକ୍ଷେପ ନକରି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱ ଭାବରେ ସଠିକ୍ କଲମ ପରିଚାଳନା କରିବାରେ ଅବହେଳା ନ କରିବା ଏହାର ପ୍ରାଥମିକତା ଅଟେ।

ଗଣମାଧ୍ୟମ ହେଉଛି ସମ୍ବିଧାନର ହର୍ତ୍ତା, କର୍ତ୍ତା, ଦଇବ ବିଧାତା, ତାହା ପୁଣି ରକ୍ଷାକବଚ। ଦର୍ନୀତିରେ ସମ୍ପୃକ୍ତ ଥିବା ରାଜନେତା ଓ ପୋଲିସ୍ ପ୍ରଶାସନମାନଙ୍କ ଖୋଲି ଦେବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଯଥେଷ୍ଟ ଅବଦାନ ରହିଛି। ବର୍ତ୍ତମାନ ଗଣମାଧ୍ୟମ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି।

ଗଣମାଧ୍ୟମ ୧୯୬୬ରେ ସ୍ୱାଧୀନତା ପାଇଲା ଏବଂ ଜାତୀୟ ମାନ୍ୟତା ପାଇଲା। କିନ୍ତୁ ଯେଉଁ ଗଣମାଧ୍ୟମ ଦିନେ ସତ୍ୟ ଓ ନିର୍ଭୀକ ଖବର ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଉଥିଲା, ଆଜି ତାର କଣ୍ଠରୋଧ କରିଦିଆଯାଉଛି ଯାହା ଏକ ଉଦ୍‌ବେଗଜନକ ବିଷୟ। ଏହାର ସୁଯୋଗ ନେଇ ଛତୁ ଫୁଟିଲା ଭଳି ନୂଆ ନୂଆ ଖବର କାଗଜ ଓ ୱେବପୋର୍ଟାଲ ଗଢିଉଠୁଛି। ଏହିସବୁ ୱେବ୍‌ପୋର୍ଟାଲ, ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ କିଛି ରାଜନୈତିକ ଓ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣରେ ରହୁଥିବାରୁ, ଏଥିରେ କାର୍ଯ୍ୟରତ ସାମ୍ବାଦିକମାନେ ଗଣମାଧ୍ୟମର ମୂଲ୍ୟବୋଧକୁ ଜଳାଞ୍ଜଳି ବିଭିନ୍ନ ଅନୁଷ୍ଠାନ, ସାଧାରଣ ଜନତାଙ୍କୁ ଧମକାଇ ଟଙ୍କା ଆଦା କରୁଥିବାର ଖବର ଏବେ ପ୍ରତିଦିନ ଦେଖିବାକୁ ମିଳୁଛି ଯାହା ଗଣମାଧ୍ୟମ ପ୍ରତି ଏକ ଶକ୍ତ ଆଘାତ।

ଚତୁର୍ଥ ସ୍ତମ୍ଭର ମାନ୍ୟତା ପାଇଥିବା ଗଣମାଧ୍ୟମ ଏବେ ନିଜ ନିଜ ଭିତରେ କାଦୁଆ ଫିଙ୍ଗାଫିଙ୍ଗିରେ ଜଡ଼ିତ ରହୁଛନ୍ତି। ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଦଳୀୟ ସାମ୍ବାଦିକ ବୋଲି କୁତ୍ସାରଟନା କରାଯାଉଛି ଯାହା ସାମ୍ବାଦିକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି। ଜଣେ ସାମ୍ବାଦିକ କାଉ କଳା ବୋଲି କହୁଥିବା ବେଳେ ଅନ୍ୟଜଣେ ସାମ୍ବାଦିକ କାଉକୁ ଧଳା ବୋଲି ପ୍ରମାଣିତ କରିବାକୁ ତତ୍ପର ହୋଇପଡ଼ୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ଅନାମଧେୟ ଓ ଅସାମାଜିକ ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ ପାଇଁ ନିଜକୁ ସାମ୍ବାଦିକତାର ପରିଚୟ ଦେଇ ଗରିବ ଓ ସାଧାରଣ ଜନତାଙ୍କୁ ବ୍ଲାକ ମେଲିଂ କରି ଅର୍ଥ ଉପାର୍ଜନ କରୁଛନ୍ତି ଯାହା ସାମ୍ବାଦିକ ଓ ଗଣମାଧ୍ୟମ ନାମରେ କଳଙ୍କ। ସେହିପରି ସମ୍ବାଦିକମାନଙ୍କ ମଧ୍ୟରେ ଏକତାର ଅଭାବ ଯୋଗୁଁ ସେମାନଙ୍କ ଉପରେ ଅକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲେ, ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରୁଛନ୍ତି। ଯେଉଁଥି ପାଇଁ ଗଣମାଧ୍ୟମ ଆଜି ଗଣତାନ୍ତ୍ରିକ ଶାସକ କଳର ବ୍ୟବସ୍ଥା ମଧ୍ୟରେ ପେଶି ହୋଇଯାଇଛି।

ଦେଶ ସ୍ୱାଧୀନ ହେଲା, ଅଥଚ ପରାଧୀନତାର ଆଢୁଆଳରେ, ସ୍ଥିତି ମଧ୍ୟରେ ଛନ୍ଦିହୋଇ ରହିଗଲା ଗଣମାଧ୍ୟମ, ଯାହା ନିଶ୍ଚିତରୂପେ ଏହା ଅଶୁଭ ସଙ୍କେତ ଅଟେ। ଗଣମାଧ୍ୟମକୁ ଅଣନିଶ୍ୱାସୀ କରି ରଖାଯାଇଛି, କଣ୍ଠରୋଧ କରାଯାଉଛି ଏହାର ସ୍ୱାଧୀନତାର ମାନେ କିଛି ନାହିଁ। ଗଣମାଧ୍ୟମର ସ୍ୱାଭିମାନ ଆଜି ରସାତଳଗାମୀ। ବହୁମୁଖୀ ମୂଲ୍ୟବୋଧ ସମସ୍ୟାକୁ ଜଳାଞ୍ଜଳି ଦେବାକୁ ବାଧ୍ୟ ହେଉଛନ୍ତି ଯାହା ଆମର ବିଶ୍ୱାସଘାତକ ଭଳି ପରିଚୟ ସୃଷ୍ଟି କରି ଚାଲିଛି। ବଦନାମର ଆଖ୍ୟା ପାଉଛି ଏବଂ ଗଣଙ୍କର ବିଶ୍ୱାସଭାଜନ ହରାଇବାରେ ଲାଗିଛି। ବର୍ତ୍ତମାନ ସମୟ ଆସିଛି, ଏହି ଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।

ଗଣମାଧ୍ୟମକୁ ଆହୁରି ଦୃଢତାର ସହିତ ଶକ୍ତିଶାଳୀ କରିବାକୁ ହେଲେ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ। ସାମ୍ବାଦିକ ବୃତ୍ତି ପ୍ରତି ସାମାନ୍ୟତମ ଜ୍ଞାନ ନଥାଇ, ସାମ୍ବାଦିକତାର ପରିଚୟ ଦେଇ ସାଧାରଣ ଜନତାଙ୍କୁ ଠକୁଥିବା ନକଲି ସାମ୍ବାଦିକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। କଥାରେ ଅଛି ଗୋଟିଏ ହାତରେ ପାଞ୍ଚୋଟି ଆଙ୍ଗୁଳି କେହି ନୁହେଁ କାହା ଭଳି, ପାଞ୍ଚଜଣ ଯାକ ଏକାଠି ହୋଇଲେ ପରବତ ଦେବେ ଟାଳି। ତେଣୁ ସମୟ ଆସିଛି ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଏକାଠି ହେବାକୁ ପଡ଼ିବ। ଗଣମାଧ୍ୟମର କଣ୍ଠରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହେଲେ ସଭିଏଁ ଏକତ୍ରିତ ଭାବେ ପ୍ରତିରୋଧ କରିବାକୁ ପଡ଼ିବ। ଏଥିପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେବା ନିହାତି ଜରୁରୀ।

ପ୍ରତ୍ୟେକ ସାମ୍ବାଦିକ ଓ ଗଣମାଧ୍ୟମଗୁଡ଼ିକ ନିର୍ଭୀକ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବା ସହିତ ଦଳମତରୁ ଉର୍ଦ୍ଧ୍ୱରେ ରହି କୌଣସି ପ୍ରଶାସନିକ ଅଧିକାରୀଙ୍କ ଚାପର ବଶବର୍ତ୍ତୀ ନହୋଇ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଆଗେଇ ଆସିବାକୁ ପଡ଼ିବ। ତେବେ ଯାଇ ଏକ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମ ନିଜର ମୂଲ୍ୟବୋଧକୁ ବଜାୟ ରଖିପାରିବ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଗଣମାଧ୍ୟମ କ୍ଷେତ୍ରରେ ସାଂଘାଇ ସଦସ୍ୟ ରାଷ୍ଟ୍ରଙ୍କ ସହ ବୁଝାମଣାକୁ କ୍ୟାବିନେଟ ମୋହର, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ସାଂଘାଇ ସହଯୋଗ ସଂଗଠନର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହ “ଗଣମାଧ୍ୟମ କ୍ଷେତ୍ରରେ ସହଯୋଗ” ସ୍ଥାପନ ନିମନ୍ତେ ସ୍ୱାକ୍ଷରିତ ରାଜିନାମାକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଏହି ରାଜିନାମା ୨୦୧୯ ମସିହା ଜୁନ୍‍ ମାସରେ ସ୍ୱାକ୍ଷରିତ ହୋଇଥିଲା । ଏହି ରାଜିନାମା ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଗଣମାଧ୍ୟମ କ୍ଷେତ୍ରରେ ସମାନତା ଓ ପାରସ୍ପରିକ ହିତକର ସହଯୋଗକୁ ପ୍ରୋତ୍ସାହିତ କରିବ ।

ଏଥିପାଇଁ ପ୍ରତ୍ୟେକ ପକ୍ଷ ପାରସ୍ପରିକ ଆଗ୍ରହ ଆଧାରରେ ସମାନତାକୁ ସୁନିଶ୍ଚିତ କରିବା ଦିଗରେ ସକଳ ପ୍ରକାର ପଦକ୍ଷେପ ଗ୍ରହଣ କରିବେ । ଏହା ଫଳରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଏଭଳି ସୁଯୋଗ ମିଳିବ ଯଦ୍ୱାରା ସେମାନେ ଶ୍ରେଷ୍ଠ କାର‌୍ୟ୍ୟଦକ୍ଷତା ପ୍ରତିପାଦନ କରିବା ସହ ଗଣମାଧ୍ୟମ କ୍ଷେତ୍ରରେ ଅଭିନବତ୍ୱ ପ୍ରଦର୍ଶନ କରିପାରିବେ ।

ବୁଝାମଣାରେ କଣ ରହିଛି

ଏହି ରାଜିନାମା ଯୋଗୁଁ ଯେଉଁସବୁ ପ୍ରମୁଖ କ୍ଷେତ୍ରରେ ସହଯୋଗ ବୃଦ୍ଧି ହେବ ସେଗୁଡ଼ିକ ହେଲା:

1-ଏଭଳି ସହାୟତାମୂଳକ ପରିବେଶ ସୃଷ୍ଟି ହେବ ଯାହା ଫଳରେ ଗଣମାଧ୍ୟମ କ୍ଷେତ୍ରରେ ବ୍ୟାପକ ତଥା ପାରସ୍ପରିକ ସୂଚନା ଆଦାନ ପ୍ରଦାନ ସହଜସାଧ୍ୟ ହୋଇପାରିବ ଯାହାକି ସେହିସବୁ ରାଷ୍ଟ୍ରର ଜନସାଧାରଣଙ୍କ ଜୀବନରେ ଜ୍ଞାନ ଓ ଧାରଣାକୁ ଅଧିକ ନିବିଡ଼ କରିପାରିବ।

2-ସଦସ୍ୟ ରାଷ୍ଟ୍ରମାନଙ୍କ ଗଣମାଧ୍ୟମ ସଂସ୍ଥାର ସଂପାଦକୀୟ କାର୍ଯ୍ୟାଳୟମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ ତଥା ସଂପୃକ୍ତ ମନ୍ତ୍ରଣାଳୟ, ଏଜେନ୍ସି ଓ ସଂଗଠନ ଯେଉଁମାନେ କି ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ତଥା ଢାଞ୍ଚା ଗଠନ କରିବ । ଏହାକୁ ସହଭାଗୀ ସଦସ୍ୟରାଷ୍ଟ୍ରମାନେ ହିଁ ନିର୍ଦ୍ଧାରଣ କରିବେ ଓ ସେଥିପାଇଁ ପୃଥକ୍‍ ସମାବେଶୀ ରାଜିନାମାମାନ ସ୍ୱାକ୍ଷରିତ ହେବ।

3-ଏହା ସଦସ୍ୟ ରାଷ୍ଟ୍ରମାନଙ୍କ ପେଶାଦାରୀ ସାମ୍ବାଦିକ ସଂଘମାନଙ୍କ ମଧ୍ୟରେ ସମାନ ତଥା ପାରସ୍ପରିକ ସ୍ୱାର୍ଥଜଡ଼ିତ ସହଯୋଗକୁ ପ୍ରୋତ୍ସାହନ ଯୋଗାଇବ ଏବଂ ତଦ୍ୱାରା ସେମାନେ ପରସ୍ପର ମଧ୍ୟରେ ଉପଲବ୍ଧ ପେଶାଦାରୀ ଅଭିଜ୍ଞତା ଅଧ୍ୟୟନ ନିମନ୍ତେ ସହଯୋଗର ହାତ ବଢ଼ାଇବେ ଓ ଏଥି ନିମନ୍ତେ ଗଣମାଧ୍ୟମ କ୍ଷେତ୍ରରେ ବୈଠକ, ଆଲୋଚନା, ସଂପାନ ଓ ସମ୍ମିଳନୀମାନ ଆୟୋଜନ କରିବେ।

4-ଟେଲିଭିଜନ୍‍ ଓ ରେଡ଼ିଓ କାର‌୍ୟ୍ୟକ୍ରମ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରସାରଣ ଦିଗରେ ସହାୟତା ଯୋଗାଇବା ସହ ଅପର ପକ୍ଷ ରାଷ୍ଟ୍ରଙ୍କ କ୍ଷେତ୍ରସୀମା ମଧ୍ୟରେ ଆଇନସମ୍ମତ ଭାବେ ସେହିସବୁ କାର୍ଯ୍ୟକ୍ରମର ବିତରଣ କରିବ । ସେହିଭଳି ସଂପାଦକୀୟ କାର‌୍ୟ୍ୟାଳୟମାନଙ୍କ ଦ୍ୱାରା ବିଭିନ୍ନ ଉପକରଣ ଓ ସୂଚନା ଯାହାକି ଆଇନଗତ ପ୍ରସାରଣ ନିମନ୍ତେ ଉଦ୍ଦିଷ୍ଟ, ଯଦି ସେଗୁଡ଼ିକର ବିତରଣ ଅପର ପକ୍ଷ ରାଷ୍ଟ୍ରଙ୍କ ଆଇନଗତ ବ୍ୟବସ୍ଥା ଅନୁସାରେ ହୋଇଥିବ ତାହା ସଂପାଦନ କରାଯିବ।

5-ଗଣମାଧ୍ୟମ କ୍ଷେତ୍ରରେ ନିଜ ନିଜ ଅନୁଭୂତି ଏବଂ ବିଶେଷଜ୍ଞମାନଙ୍କ ପାରସ୍ପରିକ ବିନିମୟକୁ ପ୍ରୋତ୍ସାହନ ଯୋଗାଣ, ପେଶାଦାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ତାଲିମ ପ୍ରଦାନ କରିବା ନିମନ୍ତେ ପାରସ୍ପରିକ ସହାୟତା ପ୍ରଦାନ ଏବଂ ଏହି କ୍ଷେତ୍ରରେ କାର‌୍ୟ୍ୟରତ ଶୈକ୍ଷିକ ଓ ବୈଜ୍ଞାନିକ-ଗବେଷଣା ଅନୁଷ୍ଠାନ ଓ ସଂଗଠନମାନଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଯୋଗାଣ ରହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହାତରସ ପିଡିତାର ପରିଚୟ ପ୍ରଘଟ କରିଥିବାରୁ ବିଭିନ୍ନ ଗଣମାଧ୍ୟମକୁ ଗଲା କୋର୍ଟ ନୋଟିସ

ନୂଆଦିଲ୍ଲୀ, ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଏକ ବେଞ୍ଚ ଗୋପନୀୟତା ଅଧିକାରର ଉଲ୍ଲଂଘନ ମାମଲରା ଶୁଣାଣି କରିଥିଲେ। ଏଥିରେ ହାତରସ ବଳାତ୍କାର ପୀଡିତା ତଥା ପୀଡିତାର ପରିବାରର ପରିଚୟ ପ୍ରକାଶ କରିଥିବା ମିଡିଆ ଓ ସୋସିଆଲ ମିଡିଆକୁ କୋର୍ଟ ନୋଟିସ ଜାରୀ କରିଛନ୍ତି। ଏଥିରେ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ  ଟ୍ୱିଟର, ୟୁଟ୍ୟୁବ, ବଜଫିଡ, ନ୍ୟୁଜ 18, ଫେସବୁକ ପ୍ରଭୃତିଙ୍କୁ ନୋଟିସ କରାଯାଇଛି। କଣ ପାଇଁ ଏପରି ଗୋପନୀୟତାକୁ ପ୍ରଘଟ କଲେ ତାହାର ଜବାବ ରଖିବାକୁ କୁହାଯାଇଛି।

ଦିଲ୍ଲୀ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଉପଯୁକ୍ତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟକୁ ନିବେଦନ କରିଛନ୍ତି।  ଉକ୍ତ ବିଷୟବସ୍ତୁର ପ୍ରସାରକୁ ରୋକିବା ଏବଂ ପୋଷ୍ଟ କରାଯାଇଥିବା ବିଷୟବସ୍ତୁକୁ ହଟାଇବାକୁ ମଧ୍ୟ ଦାବି କରାଯାଇଛି। ଆବେଦନକାରୀ ସମ୍ବିଧାନର ଧାରା 226 ଅନୁଯାୟୀ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ନିବେଦନ କରିଛନ୍ତି। ଆବେଦନକାରୀ ହେଉଛନ୍ତି ଦିଲ୍ଲୀ କୋର୍ଟର ଜଣେ ଓକିଲ।

Categories
ବିଶେଷ ଖବର

କରୋନା କାଳରେ ସରକାରୀ ପ୍ରଚାର ପାଇଁ ନୂଆ ପ୍ୟାକେଜ , ଭାବମୂର୍ତ୍ତି ସଜାଡିବା ଲାଗି ଗଣମାଧ୍ୟମକୁ ଦାନ ଓ ଦକ୍ଷିଣା!!

 କେଦାର ମିଶ୍ର

ନିଜ ସରକାରର ଭାବମୂର୍ତ୍ତି ବଢାଇବାକୁ ଏକ ବିରାଟ “ମିଡିଆ ପ୍ଯାକେଜ” ଏବେ ସରକାରୀ ସ୍ତରରେ  ପ୍ରସ୍ତୁତ ହେଉଛି ବୋଲି ଏବେ ଖବର ମିଳିଛି। ପ୍ରତିଦିନ ହାରାହାରି ହଜାରେ ଲୋକ କରୋନା ଭୂତାଣୁର ଶିକାର ହୋଇ ପ୍ରାଣ ହରାଉଥିବା ବେଳେ, ଏ ପ୍ରକାର ପ୍ରଚାରର ଆବଶ୍ୟକତାକୁ ନେଇ ଅନେକ ପ୍ରଶ୍ନବାଚୀ ଅବଶ୍ୟ ଉଠିବ। ତେବେ କୌଣସି ପ୍ରଶ୍ନବାଚୀ ବା ସମାଲୋଚନାକୁ ଖାତିର କରିବା ଭଳି ଅବସ୍ଥା ମୋଦୀ ସରକାରଙ୍କର ନାହିଁ। ମୋଦୀ ସରକାରର ଗୋଟେ ବିଶିଷ୍ଟ ଗୁଣ ହେଉଛି, ସମାଲୋଚନା କୁ ଆଦୌ ଗୁରୁତ୍ଵ ନଦେବା। ସରକାର ଯାହା କରୁଛନ୍ତି ତାହା ହିଁ ଠିକ ଓ ତାକୁ ଗ୍ରହଣ କରିବାକୁ ଜନତା ବାଧ୍ୟ- ଏମିତି ଏକ ଧାରଣା ଉପରେ ମୋଦୀ ସରକାରର ଅସ୍ତିତ୍ଵ ଗଢା ହୋଇଛି। ଏହା ଏକ ପ୍ରକାର ପ୍ରଚଣ୍ଡ ଆତ୍ମବିଶ୍ଵାସ ବୋଲି କୁହାଯାଇ ପାରିବ।

ତେବେ କରୋନା ସମୟରେ କି ପ୍ରକାର ପ୍ରଚାର ବା ସରକାରୀ ଭାବମୂର୍ତ୍ତିର କି ପ୍ରକାର ବିସ୍ତାର ହୋଇପାରିବ? କରୋନା ସଂକ୍ରମଣ ସମୟରେ ପ୍ରଚାରର ପ୍ରବଳ ଆବଶ୍ୟକତା ରହିଛି ଏହା ସତ। ତେବେ ସେ ପ୍ରଚାରର ପରିସର କଣ? ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡାକ୍ତର ଟେଦ୍ରୋସ ବାରମ୍ବାର କରୋନା ମୁକାବିଲା କଥା କହିବା ବେଳେ ଦୁଇଟି ଶବ୍ଦର ପ୍ରୟୋଗ କରୁଛନ୍ତି- ପାଣ୍ଡେମିକ ଏବଂ ଇନ୍ଫୋଡେମିକ୍ସ। ଆମେ ସମସ୍ତେ ଜାଣୁ ଇଂରାଜୀ ଭାଷାରେ ଯେ କୌଣସି ସାମୟିକ ସ୍ଥିତିକୁ ନେଇ ତୁରନ୍ତ ଶବ୍ଦ ତିଆରି ହୋଇଯାଏ। ପାଣ୍ଡେମିକ୍ସ ବା ମହାମାରୀ ସମୟରେ ହଠାତ “ଇନ୍ଫୋଡେମିକ୍ସ” ଶବ୍ଦଟି ତିଆରି ହେବା ପଛର କାରଣଟି କେବଳ ଏକ ସାମ୍ବାଦିକ ଆବଶ୍ୟକତା ନୁହେଁ, ଏହା ଅନେକାଂଶରେ ଆମ ସମୟର ଏକ ଭୟଙ୍କର ଆବଶ୍ୟକତା। ଆଜିର ସମୟରେ ମହାମାରୀ ଯେତିକି ସାଂଘାତିକ ନୁହେଁ, ତାଠୁ ଅଧିକ ସାଂଘାତିକ ହେଉଛି ମହାମାରୀକୁ ନେଇ ତିଆରି ହେଉଥିବା ରାଜନୈତିକ ସୂଚନା। ନିଜ ନିଜର ରାଜନୀତିକୁ ବଞ୍ଚାଇ ରଖିବାଲାଗି ସବୁଠୁ କ୍ଷତିଗ୍ରସ୍ତ ଦେଶର ମୁଖିଆମାନେ କରୋନା କୁ କେନ୍ଦ୍ର କରି ବିଭିନ୍ନ କାହାଣୀ ପ୍ରଚାର କରି ଚାଲିଛନ୍ତି।

ଏହି ପ୍ରଚାର ପ୍ୟାକେଜରେ ପାଣ୍ଡେମିକ୍ସ ନା ଇନ୍ଫୋଡେମିକ୍ସ କିଏ ବେଶୀ ଗୁରୁତ୍ଵ ପାଇବ? ସରକାର ହୁଏତ ଆମକୁ କହିବାକୁ ଚାହାନ୍ତି ଯେ, କରୋନା ମୁକାବିଲାରେ ଭାରତ ସଫଳ ହୋଇଛି। ଦିନକୁ ପ୍ରାୟ ସତୁରୀ ହଜାର ଆକ୍ରାନ୍ତ ଓ ୧ ହଜାର ହଜାର ମୃତ ଲୋକଙ୍କ ଗ୍ରାଫ କୁ ସଫଳତା ବୋଲି ଦେଖାଇବା ଗୋଟେ ଆହ୍ୱାନର ବିଷୟ ନିଶ୍ଚୟ । ତେବେ ସରକାର ଏହାକୁ ସଫଳତା ବୋଲି ଦେଖାଇବାରେ ଗୋଟେ ନୂଆ ରଣନୀତି ନିଶ୍ଚୟ ତୟାର କରିଥିବେ।   

ଏଠି ଆଉ ଗୋଟେ କଥା କହିବା ଉଚିତ ହେବ ଯେ, ଯେଉଁ ଦେଶର ନେତୃତ୍ଵ ବୈଜ୍ଞାନିକ ଚିନ୍ତାନକୁ ଆଧାର କରି ବାସ୍ତବାଭିମୁଖୀ ପଦକ୍ଷେପ ନେଇଛନ୍ତି, ସେ ଦେଶ କରୋନା ମୁକାବିଲା ରେ ସଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଓ ଜର୍ମାନୀ ଏହାର ଉଦାହରଣ।  ଭିଏତନାମ ଓ ଦକ୍ଷିଣ କୋରିଆ ମଧ୍ୟ ଅନ୍ଯତମ ଉଦାହରଣ ସତ କହିବାକୁ ଗଲେ ପୃଥିବୀର ମୋଟ ଆକ୍ରାନ୍ତ ସଂଖ୍ୟା ୨,୨୯,୨୧୬୬୮ ହୋଇଥିବା ବେଳେ ଏହାର ପ୍ରାୟ ୬୦% କେବଳ ପାଞ୍ଚୋଟି ଦେଶରେ ରହିଛନ୍ତି। ଆମେରିକା, ବ୍ରାଜିଲ, ଭାରତ, ଋଷିଆ ଓ ଦକ୍ଷିଣ ଆଫ୍ରିକା ରେ ମୋଟ ୧.୩୬କୋଟି ଆକ୍ରାନ୍ତ ଅଛନ୍ତି।

ବ୍ରାଜିଲ ଓ ଆମେରିକା ତୁଳନାରେ ଆମ ଦେଶରେ ସୂଚନା-ମହାମାରୀର ସ୍ତର ଆହୁରି ଭୟଙ୍କର। ମାର୍ଚ୍ଚ ମାସରୁ ଆମକୁ କରୋନା ସଂକ୍ରମଣ କୁ ନେଇ ପ୍ରତିଦିନ ଗାଲୁଗପ ଶୁଣିବାକୁ ପଡୁଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ୨୧ ଦିନିଆ ମହାଭାରତ ଯୁଦ୍ଧ ବୋଲି କହି ଏକ ହାସ୍ୟାସ୍ପଦ ଅଭିଯାନ ଆରମ୍ଭ କରିଥିଲେ। ବିଭିନ୍ନ ପର୍ୟାୟ ରେ ମହାମାରୀକୁ ନେଇ ଧର୍ମ ସହିତ ଯୋଡିବାର ଉଦ୍ୟମ ମଧ୍ୟ ହୋଇଥିଲା। ମାର୍ଚ୍ଚ ମାସର ଶେଷ ବେଳକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ସହିତ ମହାମାରୀକୁ ଯୋଡିବାର ପ୍ରୟାସ ଦେଶର ଶାସକ ଦଳ ଆରମ୍ଭ କରିଥିଲେ। ମାର୍ଚ୍ଚ ଓ ଏପ୍ରିଲ ମାସରେ ବୈଜ୍ଞାନିକ ମାନସିକତାର ପ୍ରଚାର ଅପେକ୍ଷା ଅଧିକ ନାଟକବାଜି ଉପରେ ଆମେ ଗୁରୁତ୍ଵ ଦେଲେ। ଆଜି ଯେତେବେଳେ ଦେଶରେ ସଂକ୍ରମଣ ସଂଖ୍ୟା ପାଖାପାଖି ୩୦ ଲକ୍ଷ ରେ ପହଞ୍ଚିଛି ଓ ପ୍ରତି ଦୁଇ ଦିନରେ ଲକ୍ଷେ ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେତେବେଳେ ମଧ୍ୟ ଆମେ ସଫଳତାର ମିଛ ବାହାନା ଖୋଜୁଛୁ। ପ୍ରତି ଦିନ ହଜାରେ ଭାରତୀୟ କରୋନା ଯୋଗୁଁ ପ୍ରାଣ ହରାଉଥିବା ବେଳେ ଆମର ପ୍ରଧାନମନ୍ତ୍ରୀ ୧୨୦ ଟି ଦେଶକୁ କରୋନା କବଳରୁ ରକ୍ଷା କରିବାରେ ସହାୟକ ହୋଇଥିବାର ଦାବି କରୁଛନ୍ତି।

ଏ ପ୍ରକାର ତଥ୍ୟ ଆଜି ଲୋକଙ୍କ ପାଖରୁ ଲୁଚାଇବା ସମ୍ଭବ କି? ଗଣମାଧ୍ୟମରେ ସରକାରୀ ପ୍ରଚାର ଏହି ବାସ୍ତବତାକୁ ସତରେ ଲୁଚାଇବାରେ ସହାୟକ ହେବ କି? ତେବେ କରୋନା ଲକ ଡାଉନ ଯୋଗୁଁ ବିପର୍ୟସ୍ତ ଗଣମାଧ୍ୟମ ଏଥିରୁ କିଛି ଲାଭ ପାଇବ ନିଶ୍ଚୟ। ସରକାରୀ ସେବାରେ ନିଜକୁ ନିୟୋଜିତ କରିଥିବା କେତେକ ଟେଲିଭିଜନ ଚାନେଲ ଓ ଖବର କାଗଜ ଲାଗି ଏହା ଅବଶ୍ୟ ଏକ ନୂଆ ସୁଯୋଗ।   

Categories
ଅପରାଧ ବିଶେଷ ଖବର

ଆତ୍ମହତ୍ୟା, ସମାଜ ଓ ଗଣମାଧ୍ୟମ

ଗୋବିନ୍ଦ ପଟ୍ଟନାୟକ

ଦୁନିଆରେ ଏପରି କୌଣସି ସମ୍ପତ୍ତି ନାହିଁ ଯାହା ମାନସିକ ଶାନ୍ତି ସହ ତୁଳନୀୟ। ମାନସିକ ଶାନ୍ତି ହଜିଗଲେ ମଣିଷ ମାନସିକ ଅବସାଦର ଶିକାର ହୁଏ। ଜୀବନ କଣ ବୁଝିବା ପୂର୍ବରୁ ଜୀବନ ଶେଷ ହୋଇଯାଏ। ଦୁଲ୍ଲର୍ଭ ମଣିଷ ଜନମ, ଯାହା ଦେହରେ ଦିବ୍ୟଜ୍ଞାନ ଦେଖି ସ୍ୱୟଂ ଭଗବାନ ସନ୍ତୋଷ ଲାଭ କରିଛନ୍ତି। ସେହି ବିବେକୀ ମାନବ ଜୀବନ ପ୍ରତି ଲୋଭ, ମୋହ କାହିଁକି ଅଧାବାଟରେ ତୁଟିଯାଏ, ସେମାନେ କଣ ପରିବାର, ବନ୍ଧୁ, ସମାଜ ଉପରେ ଆସ୍ଥା ହରାଇ ବସନ୍ତି? ଏମିତି ଅନେକ ପ୍ରଶ୍ନକୁ ନେଇ ସମାଜ ବିଜ୍ଞାନୀ, ମନସ୍ତତ୍ତ୍ୱବିତ୍‌, ସାମାଜିକ କର୍ମୀମାନେ ଏହାର କାରଣ ଖୋଜନ୍ତି।

ଅସୁମାରୀ ଆଶା ପଛରେ ଧାଇଁ ଧାଇଁ ଯେତେବେଳେ ସେ ନିରାଶ ହୋଇଯାଉଛି, ଆତ୍ମବିଶ୍ୱାସ ହରାଇ ବସୁଛି। ସନ୍ଦେହ ଓ ଆତ୍ମବିଶ୍ୱାସ ଜାଲରେ ଛନ୍ଦି ହୋଇ ପଡ଼ୁଛି, ନିଜକୁ ଅତୀବ ଅସହାୟ ବୋଲି ଭାବୁଛି। ମାନସିକ ଶାନ୍ତି ମନରୁ ଦୂରେଇଯାଇ ଅଶାନ୍ତିର ଝଡ଼ ଜୀବନରେ ପ୍ରବାହିତ ହେଉଛି। ଏହି ଅଶାନ୍ତିର ଝଡ଼ ସମସ୍ତ ଆଶା, ଭରସା, ବଞ୍ଚିବାର ମୋହ ଭଳି ମହାଦ୍ରୁମକୁ ଉପାଡ଼ି ଦେଉଛି। ସେ ଚିନ୍ତା କରୁଛି ମୋ ଦ୍ୱାରା କୌଣସି କାମ ସମ୍ଭବ ନୁହେଁ। ବଞ୍ଚି ରହିବାର ମୂଲ୍ୟ କିଛି ନାହିଁ। ଜୀବନ ହା ହୁତାଶମୟ ହେବା ଫଳରେ ସେ ନିଜକୁ ଦାହ କରିଦେବାକୁ ଯାଇ ମାନସିିକ ଚାପ ହରାଇ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ଗ୍ରହଣ କରେ।

ଅବସାଦ ଓ ଅଭାବ ଅନାଟନ ଏବେ କାଳ ସାଜିଛି। ବିଭିନ୍ନ ଘାତକ ରୋଗଠାରୁ ଏହା ଅଧିକ ମାରାତ୍ମକ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ୨୦୧୬ ମସିହାରେ ଯେଉଁ ସଂଖ୍ୟକ ମୃତ୍ୟୁ ଘଟଣା ଘଟିଥିଲା, ଆତ୍ମହତ୍ୟା ସେଥିରେ ଦ୍ୱିତୀୟ ମୁଖ୍ୟ କାରଣ ସାଜିଥିଲା। ଉପରୋକ୍ତ ଦୁଇଟି କାରଣରୁ ଅନେକ ଲୋକ ଅନନ୍ୟୋପାୟ ହୋଇ ଶେଷରେ ଆତ୍ମହତ୍ୟାର ବାଟ ବାଛୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ବିଶ୍ୱରେ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଏମାନଙ୍କ ମଧ୍ୟରେ ୧୭ ପ୍ରତିଶତ ଭାରତୀୟ ଅନ୍ତର୍ଭୁକ୍ତ।

୧୫ରୁ ୨୯ ବର୍ଷ ମଧ୍ୟରେ ହିଁ ଅଧିକାଂଶ ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଥିବା ଏଥିରେ ଦର୍ଶାଯାଇଛି। ଧନୀ ହେଉ ବା ଗରୀବ କେହି ଏହି ଘାତକ କାଳ କବଳରୁ ବର୍ତ୍ତି ପାରୁନାହାଁନ୍ତି। ମହିଳାମାନଙ୍କ ତୁଳନାରେ ଅଧିକ ପୁରୁଷ ଆତ୍ମହତ୍ୟା କରୁଛନ୍ତି କିନ୍ତୁ ଅଧିକ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। କେତେକ କ୍ଷେତ୍ରରେ ଆତ୍ମହତ୍ୟାକୁ ଦୁର୍ଘଟଣାର ରୂପ ଦିଆଯାଇ ଚପାଇ ଦିଆଯାଉଛି। ଅଧିକ ଆୟ କରୁଥିବା ବର୍ଗର ଲୋକ ହିଁ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ଅଧିକ ଧନ ଉପାର୍ଜନ କଲେ ଶାନ୍ତି ମିଳିବ ଏହି ଆଶାରେ ଲୋକଟି ପ୍ରକୃତ ଶାନ୍ତିକୁ ହରାଇ ବସୁଛି, ପାରିବାରିକ ସ୍ନେହ ମମତା ଠାରୁ ଦୂରେଇ ଯାଉଛି ଯାହା ପ୍ରତି ମଣିଷ ପାଇଁ ଅମୃତତୁଲ୍ୟ।

ହତ୍ୟାକାଣ୍ଡ ଓ ଯୁଦ୍ଧ ତୁଳନାରେ ଅଧିକ ସଂଖ୍ୟାରେ ମଣିଷଙ୍କ ପ୍ରାଣ ଆତ୍ମହତ୍ୟା ଯୋଗୁ ଯାଉଛି। ଇନ୍‌ଷ୍ଟିଚ୍ୟୁଟ ଅଫ ହେଲ୍‌ଥ ମେଟିକ୍ସ ଆଣ୍ଡ ଇଭାଲ୍ୟୁଏସନ ଦ୍ୱାରା କରାଯାଇଥିବା ପୃଥିବୀବ୍ୟାପୀ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏବେ ବର୍ଷକୁ ହାରାହାରି ୬୦,୦୦୦ ଭାରତୀୟ ଆଦ୍ୟ ତାରୁଣ୍ୟରେ ଆତ୍ମହତ୍ୟା କରି ହେଉ ଅବା ନିଜକୁ ଆଘାତ ପହଞ୍ଚାଇ ହେଉ ମୃତ୍ୟୁବରଣ କରୁଛନ୍ତି।

କରୋନା ମହାମାରୀ ସମୟରେ ମାନସିକ ଅବସାଦ ବହୁଗୁଣରେ ବୃଦ୍ଧି ପାଇଛି। ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏଥିରେ ପ୍ରପୀଡ଼ିତ। ଏପ୍ରିଲ ମାସରେ ଆମ ଦେଶରେ ୨.୭ କୋଟି ଚାକିରୀ ହରାଇଛନ୍ତି। ଲୋକେ କପର୍ଦ୍ଦକ ଶୂନ୍ୟ, କଳକାରଖାନା ବନ୍ଦ, ଘରେ ମାସ ମାସ ରହି କୋଟି କୋଟି ଲୋକ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। ପରିବାରର ରୋଜଗାର ହ୍ରାସ, ବିଦ୍ୟାଳୟ ବନ୍ଦ, ସଙ୍ଗରୋଧ ବ୍ୟବସ୍ଥା ଆଦି ପରିବର୍ତ୍ତିତ ପରିସର ଶିଶୁମାନଙ୍କୁ ଶାରୀରିକ ଦଣ୍ଡ ଓ ମାନସିକ ଆବେଗ ପ୍ରତି ତିରସ୍କାର ସଦୃଶ ହେଉଛି। ଏଥିପାଇଁ ୪୦ ପ୍ରତିଶତ ଶିଶୁ ଦୁଶ୍ଚିନ୍ତାରେ ରହୁଛନ୍ତି।

ସେହିପରି ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଆଶଙ୍କାରେ ରହିଛନ୍ତି। ବେସରକାରୀ ସଂସ୍ଥାରେ ଚାକିରୀ ଯିବା ସହିତ ରାଜ୍ୟ ସରକାର ଦୁଇବର୍ଷ ପାଇଁ ନିଯୁକ୍ତି ବନ୍ଦ କରିବା, ଯୁବକ ଓ ଯୁବତୀଙ୍କ ପାଇଁ ବେଡ଼ି ଉପରେ କରୋଡ଼ା ମାଡ଼ ଭଳି ହୋଇଯାଇଛି। ଅଧିକାଂଶ ଏମାନେ ଗୁମ୍‌ଶୁମ୍ ହୋଇ ରହୁଛନ୍ତି।

ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ଚାହୁଁଥିବା ମଣିଷଟିଏ ଏଥିରୁ ନିବୃତ୍ତି ରହିବା ପାଇଁ ପରିବାର ଓ ସମାଜର ପ୍ରମୁଖ ଭୂମିକା ରହିଛି। ପ୍ରଥମେ ପରିବାରର ଲୋକେ ଜାଣିବା ଦରକାର ଯେଉଁ ସଦସ୍ୟଙ୍କ ଆଚାର ବ୍ୟବହାରରେ ହଠାତ୍ ପରିବର୍ତ୍ତନ, ନୀରବ ରିହବା, ଚିଡ଼ିଚିଡ଼ାପଣ ଦେଖାଦେବା, ନିରୋଳା ସ୍ଥାନ ଖୋଜିବା, କ୍ଷୁଧା କମିଯିବା, ରାତିରେ ନିଦ ନହେବା ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ ସେମାନଙ୍କ ଚିକିତ୍ସା କରାଇବା ଉଚିତ।

ଘରେ ବେକାର ହୋଇ ବସିଯିବା, ପରୀକ୍ଷାରେ ବିଫଳ, ପ୍ରେମରେ ଅସଫଳ ବ୍ୟକ୍ତିଙ୍କୁ ସମାଜରେ କେତେକ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି। ତାହା ଠିକ୍ ନୁହେଁ। ବର୍ତ୍ତମାନ କରୋନାରୁ ମୁକ୍ତ ହୋଇ ଫେରୁଥିବା ବ୍ୟକ୍ତିଙ୍କୁ କେତେକ ସ୍ଥାନରେ ବିରୋଧ କରାଯାଉଛି। ଏପରିକି ପରିବାର ଲୋକ ଘରେ ସ୍ଥାନ ଦେଉନାହାଁନ୍ତି। ଏସବୁ ବ୍ୟବହାର ମାନସିକ ଅବସାଦ ବଢାଇଥାଏ। ପ୍ରେମ ବିବାହରେ ଉଚ୍ଚନୀଚ, ଧନୀ, ଗରିବ ଭେଦଭାବକୁ ନେଇ ପରିବାର ତଥା ସମାଜ ଏହାକୁ ଘୃଣ୍ୟ ଚକ୍ଷୁରେ ଦେଖେ, ଯାହା ଫଳରେ ସେମାନେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାକୁ ଶେଷ ପନ୍ଥା ବୋଲି ବାଛିଥାନ୍ତି। ରିପୋର୍ଟ ଅନୁସାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଯେତିକି ଲୋକ ଶିକାର ହେଉଛନ୍ତି, ପ୍ରେମଜନିତ ଆତ୍ମହତ୍ୟା ତା’ଠାରୁ ଅଧିକ।

ପରିବାର ଓ ବନ୍ଧୁବାନ୍ଧବଙ୍କ ଦୟା ଓ ସମବେଦନା ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରାଇ ପାରିବ, କାରଣ ଆତ୍ମହତ୍ୟାପ୍ରବଣ ବ୍ୟକ୍ତିଙ୍କ ପାଇଁ ପରିବାର ଓ ବନ୍ଧୁବାନ୍ଧବଙ୍କ ସସ୍ନେହ ସମ୍ବୋଧନ ଓ ସମବେଦନା ଏକ ସୁରକ୍ଷା କବଚ ପରି କାମ କରେ। ଏକାନ୍ନର୍ତ୍ତୀ ପରିବାରର ବିଲୋପ ଘଟିବା ଠାରୁ ଆତ୍ମହତ୍ୟା ଜନିତ ମୃତ୍ୟୁ ବଢିଚାଲିଛି। ଦାଦା, ଖୁଡ଼ି, ପୁତୁରା, ଝିଆରୀ, ନଣନ୍ଦ, ଭାଉଜ, ଭଉଣୀ ତଥା ବରିଷ୍ଠ ସଦସ୍ୟମାନେ ପରସ୍ପର ଦୁଃଖ ବୁଝିବା ଓ ତାର ସମାଧାନ କରିଦିଅନ୍ତି। ବର୍ତ୍ତମାନ ଛୋଟ ପରିବାର ଓ ବନ୍ଧୁବାନ୍ଧବ କାହାରି ପାଖରେ ସମୟ ନାହିଁ କାହା ମନକଥା ଜାଣି ଆହା ପଦେ କହିବାକୁ।

କ୍ଷୁଦ୍ର ପରିବାରରେ ସ୍ନେହ, ପ୍ରେମ, ମମତାରେ ଭରିଗଲେ ଅଶାନ୍ତି ଦୂର ହୋଇଯାଏ। ସୁନ୍ଦର ପରିବାରଟିଏ ଗଢି ପରସ୍ପର ଦୁଃଖ ସୁଖରେ ଭାଗିଦାର ଓ ତାହାର ସମାଧାନ ଏକାନ୍ତ ଆବଶ୍ୟକ। ଦୂରେଇ ଯାଇଥିବା ବନ୍ଧୁଙ୍କୁ ପୁଣି କୋଳେଇ ଆଣିବା ଦରକାର। ପଡ଼ୋଶୀଙ୍କ ସହ ତିକ୍ତତା ଭୁଲି ସୁସମ୍ପର୍କ ରଖିବା ଉଚିତ। ସେମାନେ ଉଚିତ ପରାମର୍ଶ ଦେବା ସହିତ ବିପଦ ଆପଦରେ ପ୍ରଥମେ ପହଞ୍ଚନ୍ତି।

ପରିବାର, ବନ୍ଧୁବାନ୍ଧବ, ପଡ଼ୋଶୀଙ୍କ ଦୟା ଓ ସମବେଦନା ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରିପାରିବ। କାରଣ ଆତ୍ମହତ୍ୟାପ୍ରବଣ ବ୍ୟକ୍ତିଙ୍କ ପାଇଁ ପରିବାର, ପଡ଼ୋଶୀ, ବନ୍ଧୁବାନ୍ଧବଙ୍କ ସସ୍ନେହ ସମ୍ବୋଧନ ଓ ସମବେଦନା ଏକ ସୁରକ୍ଷାକବଚ ପରି କାମ କରେ। ଭଗବାନ ଆମକୁ ଗୋଟିଏ ପାଟି ଓ ଦୁଇଟି କାନ ଦେଇଛନ୍ତି ଏମିତିକି କହିବା ତାର ଶୁଣିବା ଦରକାର। ଅବସାଦଗ୍ରସ୍ତ ଲୋକଟିର କଥା ଶୁଣି ଓ ତାର ପ୍ରତିକାର କଲେ ଆତ୍ମହତ୍ୟାର ପ୍ରତିରୋଧ ହୋଇପାରିବ।

କେତେକ ସୂଚନା ଅଧିକାର କର୍ମୀ ଜନଶୁଣାଣୀ ଜରିଆରେ ରାଜ୍ୟର କେତେକ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିଲେ। ଏହି ଜନଶୁଣାଣୀର ଅଳ୍ପଦିନ ପରେ କୁନ୍ଦୁଲି ଓ ବାଣପୁର ପୀଡ଼ିତା ଆତ୍ମହତ୍ୟା କରିଥିଲେ। ପୀଡ଼ିତାମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରିବା ବେଆଇନ୍ ହୋଇଥିବାରୁ ଏହା ପରୋକ୍ଷରେ ପୀଡ଼ିତାମାନଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିଥିଲା।

ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଆମ ସମାଜ ନୀଚ ଦୃଷ୍ଟିରେ ଦେଖେ। ପୁରୁଷ ରାକ୍ଷସଙ୍କ ଦୋଷ ନଦେଇ ନିରୀହା ପୀଡ଼ିତାମାନଙ୍କ ମୁଣ୍ଡରେ କଳଙ୍କର ଟୀକା ଲଗାଇ ଦିଅନ୍ତି। ବରଂ ପୀଡ଼ିତାର ମନୋବଳ ଦୃଢ କରାଇ ତାକୁ ବଞ୍ଚିବାର ରାହା ଦେବା ଆମ ସମାଜର କର୍ତ୍ତବ୍ୟ। ଏକ ସକରାତ୍ମକ ବିଚାରଧାରା ଜୀବନକୁ ସରସ ସୁନ୍ଦର କରିଥାଏ। ତେବେ ଏହି ବିଚାରଧାରାକୁ ଅନେକ ସମୟରେ ପ୍ରଭାବିତ କରିଥାଏ ସାମାଜିକ ବ୍ୟବସ୍ଥା। ଯେଉଁଥିରେ ଏକ ଅସୁରକ୍ଷିତ ଭାବନା ବ୍ୟକ୍ତି ଭିତରେ ଦାନା ବାନ୍ଧେ ଓ ତାର ମାନସିକତାକୁ ବାରମ୍ବାର ଆଘାତ ଦିଏ ଓ ପରିଶେଷରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାଏ।

ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ମାନ କ୍ଷେତ୍ରରେ ଦେଖାଯାଉଥିବା ସଙ୍କଟ ଓ ଉପଯୁକ୍ତ ପରାମର୍ଶର ଅଭାବ ବିପଦକୁ ଟାଣିଆଣେ। ବୈଦ୍ୟୁତିକ ଗଣମାଧ୍ୟମ ହେଉ ବା ପ୍ରିଣ୍ଟ ମିଡ଼ିଆ ହେଉ, ବାରମ୍ବାର ଏହି ଆତ୍ମହତ୍ୟା ପ୍ରସଙ୍ଗ ଓ ଦୃଶ୍ୟ ପ୍ରକାଶ କରିବା ସମାଜ ପାଇଁ କ୍ଷତିକାରକ। ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.ଜି. ରାମଚନ୍ଦ୍ରନ, ଏନ୍‌.ଟି.ଆର. ଓ ଜୟଲଳିତାଙ୍କ ମୃତ୍ୟୁରେ ଶତାଧିକ ଲୋକ ଆତ୍ମହତ୍ୟା କରିଥିଲେ। ରାଜନୈତିକ ଫାଇଦା ପାଇଁ ଏସବୁର ଦୁରୂପଯୋଗ ଯୋଗୁଁ ଅତ୍ୟଧିକ ଭାବପ୍ରବଣ ଲୋକେ ଦୁଃଖରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କଲେ। ନିକଟରେ ବଲିଉଡ଼ର ବିଶିଷ୍ଟ ଯୁବତାରକା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଏତେ ଜୋର୍‌ରେ ଗଣମାଧ୍ୟମଗୁଡ଼ିକରେ ଚର୍ଚ୍ଚା ହେଲା ଯେ, ସେଥିପାଇଁ ଅବସାଦରେ କେଇଜଣ ତରୁଣ, ତରୁଣୀ ଆତ୍ମହତ୍ୟା କଲେ।

ସେହିପରି ଆମ ରାଜ୍ୟରେ ନିକଟରେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା, ପ୍ରଥମେ ଆତ୍ମହତ୍ୟା ଓ ପରେ ତାଙ୍କୁ ମାରି ଦିଆଯାଇଥିବା ତଦନ୍ତ ଚାଲିଛି। ଜଣେ ନିଜକୁ ପ୍ରଥମେ ଭଲ ପାଇଲେ ଅନ୍ୟମାନଙ୍କୁ ଭଲ ପାଏ, ସେଭଳି ବ୍ୟକ୍ତି କୌଣସି ଚାପରେ ଆତ୍ମହତ୍ୟା କରିବା ସମ୍ଭାବନା ପ୍ରାୟ ନାହିଁ। ତାଙ୍କ ହାପି ହୋମରେ ଥିବା ଅନ୍ତେବାସିନୀ ଇନ୍ଦୁମତି କହିଲେ ‘ଆଦି ଭଳି ପୁଅ ସମସ୍ତଙ୍କୁ ମିଳନ୍ତୁ’ ଜଣେ ଯଦି ଆତ୍ମହତ୍ୟା ପୂର୍ବରୁ ଚିନ୍ତା କଲେ ନାହିଁ ସେ ଏକ ସାମାଜିକ ଅନୁଷ୍ଠାନର ମୁଖ୍ୟ। ତାଙ୍କ କରୁଣାକୁ ପାଥେୟ କରି କେତେଜଣ ବଞ୍ଚିଛନ୍ତି। ଘରେ ବାପା, ମା, ବିବାହର ମାସେ ପୁରିନଥିବା ପତ୍ନୀଙ୍କୁ ଭୁଲିଯାଇ କିପରି ଆତ୍ମହତ୍ୟା କରିପାରିଲେ? ସ୍ରୋତସ୍ୱିନୀ ନଦୀରେ କାତ ପାଉନଥିବା ନାଆର ଆହୁଲାକୁ ଫିଙ୍ଗିଦେବା ଭଳି ଅବସ୍ଥା କୁହାଯାଇପାରେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ବାରମ୍ବାର ପ୍ରଦର୍ଶିତ ହେବା ବିପଦ।

ନିର୍ଭୟା ହତ୍ୟାକାଣ୍ଡର ଆସାମୀମାନଙ୍କୁ ଫାଶି ଦଣ୍ଡାଦେଶ ତାରିଖ ତିନିଥର ଘୁଞ୍ଚିଲା। ଏହି ଫାଶି ଦଣ୍ଡ କିପରି ଦିଆଯାଏ ତାର ଜଘନ୍ୟ ଦୃଶ୍ୟ ବାରମ୍ବାର ଦୂରଦର୍ଶନରେ ପ୍ରଦର୍ଶିତ ହେଲା। ଅପରାଧ ଘଟାଇଥିବା ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। କାରଣ ଦୁଷ୍କର୍ମ ଓ ହତ୍ୟା ଦିନକୁ ଦିନ ବଢି ଚାଲୁଛି। କିନ୍ତୁ ଏହି ହତ୍ୟା ଅଭିଯୁକ୍ତଙ୍କ ପରିବାର, ପଡ଼ୋଶୀ, ବନ୍ଧୁବର୍ଗଙ୍କୁ କିପରି ଲାଗିଥିବ। କିଭଳି ମାନସିକ ଯନ୍ତ୍ରଣାରେ ସେମାନେ ଛଟପଟ ହୋଇଥିବେ। ସେମାନେ ଦୋଷ କରିନଥିଲେ।

ସେହିପରି କୋଟି କୋଟି ଲୋକ ଏ ଦୃଶ୍ୟ ଦେଖି ଯଦିଓ ଅପରାଧିଙ୍କ ପାଇଁ ସହାନୁଭୂତି ନୁହେଁ ତଥାପି ବିଚଳିତବୋଧ କଲେ। ବିଷାଦଗ୍ରସ୍ତ ଲୋକଟି ଭାବିଲା ଏହି ଫାଶି ବା ଦଉଡ଼ି ଦେଇ ଆତ୍ମହତ୍ୟା କରିବା ସହଜ ଉପାୟ। ନିଜ ଗାମୁଛା ହେଉ ବା ଶାଢୀକୁ ବେକରେ ଗୁଡ଼ାଇ ଝୁଲି ପଡ଼ିଲେ ଯନ୍ତ୍ରଣା ହେବ ନାହିଁ। ମାନସିକ ବିଷାଦଗ୍ରସ୍ତ ଓ ଆତ୍ମହତ୍ୟା ପ୍ରବଣତା ଲୋକଙ୍କୁ ଏହା ପ୍ରୋତ୍ସାହିତ କରିଥାଏ।

ଆତ୍ମହତ୍ୟା କରିବାରେ ଆମ ଦେଶ ଆଗରେ ରହିଛି। ଏହି ଆତ୍ମହତ୍ୟା ରୋକିବା ପ୍ରଥମେ ପରିବାର ଓ ସମାଜର କର୍ତ୍ତବ୍ୟ ରହିଛି। ଗଣମାଧ୍ୟମରେ ଏହାକୁ ବାରମ୍ବାର ପ୍ରଦର୍ଶନ କରାଯିବା କ୍ଷତିକାରକ। ଆମ ଭାରତୀୟଙ୍କ ଦେହରେ ଭାବପ୍ରବଣତାର ରକ୍ତ ପ୍ରବାହିତ। କୌଣସି କଥାକୁ ନେଇ ଅତ୍ୟଧିକ ଭାବପ୍ରବଣ ହେବା କ୍ଷତିକାରକ। କାହା ଉପରେ ଅଧିକ ଚାପ ପ୍ରୟୋଗ କରିବା ଅନୁଚିତ। ବାପା ମା ପିଲାଙ୍କ ଉପରେ ଉଚ୍ଚ ଅଧିକାରୀମାନେ ଅଧସ୍ତନଙ୍କ ଉପରେ ବିଶେଷ କରି ଏହି ଆତ୍ମହତ୍ୟା ପ୍ରବଣତା କରୋନା ବଢାଇ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ସରକାର ଓ ସ୍ୱେଚ୍ଛାସେବୀ ସଂଗଠନମାନେ କାଉନସେଲିଂର ବ୍ୟବସ୍ଥା କଲେ ନିଶ୍ଚୟ ଏହି ହାର କମ୍ ରହିବ।