Categories
ଆଞ୍ଚଳିକ

ବାଣପୁର: ରଙ୍କନାଥ ଓ ଚରଣ ଚକାଦେବଙ୍କ ରଥଯାତ୍ରା ଅନୁଷ୍ଠିତ

ବାଣପୁର: ଆଜି ଚଳିତ ବର୍ଷର ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପୁରୀ ସମେତ ସମଗ୍ର ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା ବେଳେ ବାଣପୁରର ଆରାଧ୍ୟ ଦେବ ଶ୍ରୀଶ୍ରୀଶ୍ରୀ ରଙ୍କନାଥ ଦେବ ଏବଂ ବଡହନ୍ତୁଆଡ଼ ଠାରେ ଥିବା ଶ୍ରୀଶ୍ରୀଶ୍ରୀ ଚରଣ ଚକାଦେବଙ୍କ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପୁରୀ ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ରଙ୍କନାଥଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

ଅପରାହ୍ନରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ପାରିକୁଦ ରାଜା ସନ୍ତୋଷ ସିଂ ଦେଓ ତିନି ରଥରେ ଛେଡା ପହରା କରିବା ପରେ ବିଭିନ୍ନ ବ୍ୟବସାୟୀ ମହାସଂଘ ତରଫରୁ ପ୍ରସ୍ତୁତ ଭୋଗ ପ୍ରଭୁଙ୍କୁ ସମର୍ପଣ କରାଯାଇଥିଲା। ୫ଘଟିକା ସମୟରେ ରଥଟଣା ଆରମ୍ଭ କରାଯାଇ ସନ୍ଧ୍ୟା ପୂର୍ବରୁ ମାଉସୀମା ଘରେ ତିନି ରଥ ପହଞ୍ଚିଥିଲା।

ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ବିଭିନ୍ନ ସଂସ୍ଥାର କର ସେବକ ମାନେ ଶ୍ରଦ୍ଧାଳୁ ମାନଙ୍କୁ ପାଣି, ଅଭଡ଼ା ତୋରାଣି ବଣ୍ଟନ କରିଥିଲେ। ଏକତା ପରିଷଦ ଟ୍ରଷ୍ଟ ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ଲଡ଼ୁ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା।

ଅନୁରୂପ ଭାବେ ଚରଣ ଚକାଦେବଙ୍କ ରଥ ସୁରୁଖୁରୁରେ ମାଉସୀମା ଘରେ ମଧ୍ୟ ପହଁଚିଛି। ଏ ସମସ୍ତ କାର୍ଯ୍ୟକ୍ରମକୁ ବାଲୁଗାଁ ଏସ୍ଡ଼ିପିଓ ସଞ୍ଜୟ ପଟ୍ଟନାୟକ ଓ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ୱାବଧାନରେ କରାଯାଇଥିବା ବେଳେ ସମସ୍ତ ପୋଲିସ ବନ୍ଧୁ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ମହାଆଡମ୍ବରରେ ପାଳିତ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା। ଆଷାଢ଼ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ବଡଦାଣ୍ଡକୁ ଭକ୍ତ ମାନଙ୍କୁ ଦର୍ଶନ ଦେବାପାଇଁ ଓହ୍ଲାଇ ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି। ଓଡ଼ିଶାର କୋଣ ଅନୁକୋଣରେ ଲୀଳା ଖେଳା କରିଥିବା ପ୍ରଭୁଙ୍କର ବିଗ୍ରହ ପୂଜା ପାଆନ୍ତି।  ତେଣୁ ଉକ୍ତ ସ୍ଥାନ ମାନଙ୍କରେ ମଧ୍ୟ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୁଏ।

ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମଧ୍ୟ ପ୍ରଭୁ ଲୀଳାଖେଳା କରିଥିବା କିମ୍ବଦନ୍ତୀ ଅଛି। ବାଣପୁରର ଆରାଧ୍ୟ ଦେବ ରଙ୍କନାଥ ଦେବ ଓ ବଡହନ୍ତୁଆଡ଼ର ଚରଣ ଚକାଦେବଙ୍କ ପୀଠରେ ମହାଆଡମ୍ବର ସହକାରେ ଶ୍ରୀ ଗୁଣ୍ଡିଚା ଯାତ୍ରା କାହିଁ କେଉଁ କାଳରୁ ଅନୁଷ୍ଠିତ ହେଉଅଛି।

ବିଧି ଅନୁଯାୟୀ ରଙ୍କନାଥଙ୍କ ପୀଠରେ ସକାଳ ଧୂପ ଓ ଭୋଗ ଲାଗି ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ରଥରେ ପାରିକୁଦ ରାଜା ସନ୍ତୋଷ କୁମାର ଦେଓଙ୍କ ଦ୍ୱାରା ଛେରା ପହଁରା ପରେ ଅପରାହ୍ନରେ ତାଳଧ୍ଵଜ ରଥ ଗଡ଼ିବା ପରେ ଦର୍ପଦଳନ ଓ ନନ୍ଦିଘୋଷ ରଥ ମାଉସୀମା ଘରକୁ ଯାତ୍ରା ଆରମ୍ଭ କରିଥିଲେ।

ଅନୁରୂପ ଭାବେ ଚକାଦେବଙ୍କ ରଥକୁ ଭାଟପଡା ରାଜା ମାନବେନ୍ଦ୍ର ମହାରଥା ଛେରାପହଁରା କରିଥିଲେ। ରଥାରୁଢ ଶ୍ରୀଜୀଉ ମାନଙ୍କୁ ଦର୍ଶନ ନିମିତ୍ତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କର ସମାଗମ ପରିଲକ୍ଷିତ ହୋଇଥିଲା। ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ବାଣପୁର ବଜାରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦଥିବା ଦେଖିବାକୁ ମିଳିଥିଲା। ପରିବା ବ୍ୟବସାୟୀ ସଂଘ ଦ୍ୱାରା ନନ୍ଦିଘୋଷ ରଥ, ତେଜରାତି ସଂଘ ଦ୍ୱାରା ତାଳଧ୍ଵଜ ରଥ ଏବଂ ମହିଳାମାନଙ୍କ ଦ୍ୱାରା ଦର୍ପଦଳନ ରଥକୁ ଟଣା ଯାଇଥିଲା।

ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ ପାଇଁ ଏନସିସି ଓ ସ୍କାଉଟ ଛାତ୍ରଛାତ୍ରୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା, ଡ୍ରାଇଭର ମହାସଂଘ ଏବଂ ଅନ୍ୟ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ସ୍ଵେଚ୍ଛାସେବୀ ଭାବରେ ତିନିରଥରେ କାର୍ଯ୍ୟରତ ଥିଲେ। ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ଭକ୍ତ ମାନଙ୍କ ପାଇଁ ପାଣି, ପଣା ଓ ଅବଢ଼ା ତୋରାଣିର ସୁ ବନ୍ଦୋବ୍ୟସ୍ତ କରାଯାଇଥିଲା।

ଚଳିତ ରଥଯାତ୍ରାକୁ ଆକର୍ଷଣୀୟ କରିବା ଲକ୍ଷ୍ୟରେ ରଥ ଗଡିବାକୁ ଥିବା ପଥରେ ଚିତ୍ରକାରଙ୍କ ଦ୍ୱାରା ସୁନ୍ଦର ଚିତ୍ରମାନ ଅଙ୍କାଯିବା ସହ ସ୍ଵେଚ୍ଛାସେବୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସକୋଡ଼ ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ଦ୍ୱାରା ବ୍ୟବସ୍ଥା ହୋଇଥିଲା। ବିଦ୍ୟୁତ ବିଭାଗ ଓ ଅଗ୍ନିଶମ କର୍ମଚାରୀ ମାନେ କୌଣସି ଅଘଟଣକୁ ପ୍ରତିହତ ନିମନ୍ତେ ଉପସ୍ଥିତ ଥିଲେ।

ଭାଷ୍ୟକାର ବାଳମୁକୁନ୍ଦ ଦାସ, ନରସିଂହ ମିଶ୍ର ପ୍ରମୁଖ ରଥଯାତ୍ରାର ଧାରା ବିବରଣୀ ପାଠ କରିଥିଲେ। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଫୋର୍ସ ନିୟୋଜିତ ହେବା ସହ ଆଇଆଇସି ଜୟପ୍ରକାଶ ପରିଡା ନିଜେ ଉପସ୍ଥିତ ରହି ସୁରୁଖୁରୁରେ ରଥଯାତ୍ରାକୁ ସମାପନ କରିଥିଲେ। ସନ୍ଧ୍ୟା ପୂର୍ବରୁ ତିନିରଥ ମାଉସୀମାଙ୍କ ମନ୍ଦିରରେ ପହଞ୍ଚିଥିଲେ।

Categories
ଆଞ୍ଚଳିକ

ନବଯୌବନ ରୂପରେ ଦର୍ଶନ ଦେଲେ ରଙ୍କନାଥ ଦେବ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ନବ ଯୌବନ ଦର୍ଶନ ଓ ନେତ୍ରୋତ୍ସବ। ସ୍ନାନ ପୂର୍ଣ୍ଣିମା ଠାରୁ ବାଣପୁରର ଆରାଧ୍ୟ ଦେବ ପ୍ରଭୁ ରଙ୍କନାଥ ଓ ଚରଣ ଚକାଦେବ ଅଣସର ଘରେ ଜ୍ୱରରେ ପୀଡିତ ଥିଲେ।  ଦୀର୍ଘଦିନର ଅସୁସ୍ଥତା ଓ ବହୁ କଷ୍ଟ ସ୍ୱୀକାର ପରେ ପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି।

ସକାଳ ଧୂପ ଓ ଅବକାଶ ପରେ ବିଭିନ୍ନ ଭୋଗ ଲାଗିପରେ ଭକ୍ତଙ୍କୁ ପୂର୍ଣ୍ଣ ଅବୟବରେ ଦର୍ଶନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରୁ ପ୍ରଭୁଙ୍କର ଦର୍ଶନ ନିମନ୍ତେ ଭକ୍ତଙ୍କର ସୁଅ ଛୁଟିବାରେ ଲାଗିଛି ରଙ୍କନାଥ ମନ୍ଦିରକୁ।

ଆସନ୍ତା କାଲି ଘୋଷଯାତ୍ରାରେ ରଥାରୁଢ଼ ହେବେ ରଙ୍କନାଥ ଓ ଚରଣ ଚକାଦେବ। ତେଣୁ ରଥରେ ଦର୍ଶନ କରିବାକୁ ଭକ୍ତଙ୍କ ମନରେ ଆବେଗ ବଢ଼ିବାରେ ଲାଗିଛି। ଶ୍ରୀ ଗୁଣ୍ଡିଚାକୁ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ମନ୍ଦିର କମିଟିଙ୍କ ସହ ବାଣପୁର ଅଧ୍ୟକ୍ଷ ମିଟୁ ନାୟକ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି।

ଘୋଷଯାତ୍ରାକୁ ଆକର୍ଷଣୀୟ କରିବାକୁ ଗତକାଲି ଠାରୁ ରଥ ଗଡିବାକୁ ଥିବା ପଥରେ ଅଧକ୍ଷଙ୍କ ତରଫରୁ ବିଭିନ୍ନ ଝୋଟି ତିଆରିରେ ଲାଗିପଡିଛନ୍ତି କୁଶଳୀ କାରିଗର ମାନେ।  ଏପଟେ ପ୍ରଭୁ ରଙ୍କନାଥଙ୍କ ଆଗମନକୁ ରଥ ପ୍ରସ୍ତୁତ ହୋଇ ରହିଛି। ମହିଳା ମାନେ ଚିତ୍ର ବିଚିତ୍ର କରିବାରେ ଲାଗି ପଡିଛନ୍ତି ତିନିରଥକୁ।

ଆସନ୍ତାକାଲି ୨ ଘଟିକା ସମୟରେ ପହଣ୍ଡି ବିଜେ, ଦିନ ତିନି ଘଟିକାରେ ଛେରାପହରା ପରେ ଚାରି ଘଟିକା ସମୟରେ ରଥ ଟଣାଯାଇ ପ୍ରଭୁ ମାଉସୀମା ଘରକୁ ଯାତ୍ରା କରିବାର ସମୟ ନିର୍ଘଣ୍ଟ କରାଯାଇଥିବା କମିଟି ସଭାପତି ଦାଶରଥି ସାହୁ ପ୍ରକାଶ କରିଛନ୍ତି। ଭାଷ୍ୟକାର ଭାବରେ ବାଳମୁକୁନ୍ଦ ଦାସ ରଥଯାତ୍ରାର ଧାରା ବିବରଣୀ ପ୍ରକାଶ କରିବେ।