Categories
ବିଶେଷ ଖବର ରାଜ୍ୟ ଖବର

ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇଁ ବ୍ୟବହାର ହେବ ଉନ୍ନତ ଜ୍ଞାନ କୌଶଳ

ଭୁବନେଶ୍ୱର: ଚାଷୀମାନଙ୍କର ଆୟବୃଦ୍ଧି ଓ ଆର୍ଥିକ ବିକାଶ ଦିଗରେ ମତ୍ସ୍ୟ ଓ ପ୍ରାଣୀସଂପଦର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ସମସ୍ତ ଯୋଜନାର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ବିଶଦ ଭାବେ ସମୀକ୍ଷା କରି କହଲେ ଯେ ରାଜ୍ୟ ସରକାର ଚାଷୀମାନଙ୍କ ଆୟ ବୃଦ୍ଧିର ଲକ୍ଷ୍ୟ ରଖିଥିବାବେଳେ ଯୋଜନାଗୁଡ଼ିକ ଧାର୍ଯ୍ୟ ସମୟରେ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରିଲେ ଉତ୍ପାଦନ ବଢ଼ିବା ସହିତ ଚାଷୀମାନଙ୍କର ରୋଜଗାର ବୃଦ୍ଧି ପାଇବ ।

ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ଜିଲ୍ଲା ନୋଡାଲ ଅଧିକାରୀ ଏବଂ ସ୍କିମ୍‌ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯୋଜନାର ସଫଳ ରୂପାୟନ ଦିଗରେ ତଦାରଖ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ବାୟୋଫ୍ଲକ୍‌ ଏବଂ ରାସ ପଦ୍ଧତି ଆଦି ନୂତନ ପଦ୍ଧତିରେ ମାଛଚାଷ ଦ୍ୱାରା ବହୁଳ ସଫଳତା ମିଳୁଥିବା ଦୃଷ୍ଟିରୁ କ୍ଷେତ୍ର ଅଧିକାରୀଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ବୋଲି ସେ ପରାମର୍ଶ ଦେଇଥିଲେ। ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ବଜାୟ ରଖିବା ସହ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଗୋ-ସୁଗମ ପୋର୍ଟାଲର ପ୍ରଚଳନ କରାଯାଇଥିବାବେଳେ ଏହାକୁ ତ୍ରୁଟିଶୂନ୍ୟ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୨-୨୩ ବର୍ଷରେ ଅଦ୍ୟାବଧି ୩୦୩୫ଟି ବାୟୋଫ୍ଲକ୍‌ ଟ୍ୟାଙ୍କ ପ୍ରତିଷ୍ଠା କରାଯାଇଛି । ସେହିପରି ୪୨୮୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ୩୯୫୦ ହେକଫର ଗ୍ରାମ ପଞ୍ଚାୟତ ପୋଖରୀ ରେ ମାଛ ଚାଷ କରାଯାଇଛି । ଏଥି ସହି ଫ୍ଲାଗ୍‌ସିପ୍‌ ଯୋଜନାଗୁଡ଼ିକୁ ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ପାଇଁ ମାର୍ଗଦର୍ଶିକାରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏତଦ୍‌ବ୍ୟତୀତ ବୈଠକରେ ମତ୍ସ୍ୟ ପୋଖରୀ ଯୋଜନା, ଫାର୍ମପଣ୍ଡରେ ମାଛଚାଷ କରୁଥିବା ଚାଷୀଙ୍କୁ ଇନ୍‌ପୁଟ୍‌ ସହାୟତା ଏବଂ ସାମୁଦି୍ରକ ମତ୍ସ୍ୟ ଉତ୍ପାଦନ ଆଦି ବିଷୟରେ ସମୀକ୍ଷା ହୋଇଥିଲା ।

ଏଥି ସହିତ ବୈଠକରେ ପ୍ରାଣୀସଂପଦ ବିକାଶ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଥିଲା । ଘର ଅଗଣା କୁକୁଡ଼ା ପାଳନ ମାଧ୍ୟମରେ ରାଜ୍ୟର ରକ୍ତହୀନତା ଓ ଅପପୁଷ୍ଟି ପ୍ରଭାବିତ ପରିବାର ବର୍ଗଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ବଜେଟ ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବୈଠକରେ ଡିପ୍‌ ଲିଟର ପଦ୍ଧତିରେ ୫୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ୧୦୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛେଳି ପାଳନ ଆଦି ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଳା ବିଜୟ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ସିଡ଼ିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଡିସେମ୍ବର ୧ ତାରିଖରେ କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଆନ୍ଦୋଳନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରେ ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯିବ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାନଙ୍କ ପ୍ରତି ଅଣଦେଖାକୁ ପ୍ରତିବାଦ କରାଯିବା ପାଇଁ ଏହି ବୈଠକରେ ଆନ୍ଦୋଳନର ରୂପରେଖ ଚୁଡ଼ାନ୍ତ ହେବ ବୋଲି ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପରିଣାମଦର୍ଶୀ କୃଷିନୀତି ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରି ଚାଲିଛନ୍ତି ଏବଂ ସେଥିପାଇଁ ରାଜ୍ୟର ନବୀନ ସରକାର ଚାଷୀ ହତ୍ୟାକାରୀ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ କଡ଼ା ସମାଲୋଚନା କରିଛନ୍ତି । ଏହି ଆତ୍ମହତ୍ୟା କରିଥିବା ସମସ୍ତ ଚାଷୀ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେ ଦାବୀ କରିଛନ୍ତି ।

ବିଧାନସଭାରେ ସର୍ବଦଳୀୟ ପ୍ରସ୍ତାବ ପାରିତ କରି ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରି କେନ୍ଦ୍ରକୁ ପତ୍ର ପଠାଇଥିଲେ । ରାଜ୍ୟ ସରକାର କେନ୍ଦ୍ରକୁ ଏହି ପତ୍ରଟି ପଠାଇ ଦେଇ ଚୁପ୍ ହୋଇ ବସିବା ଏକ ହାସ୍ୟାସ୍ପଦ । ଯଦି ଚାଷୀମାନଙ୍କ ପ୍ରତି ପ୍ରକୃତ ସମ୍ବେଦନଶୀଳତା ଥାଏ, ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସରକାରଙ୍କ ଭଳି ଧାନ କିଣାରେ ପ୍ରତି କ୍ୱିଣ୍ଟାଲରେ ଅତିରିକ୍ତ ସହାୟତା ଦେଇ ଓଡ଼ିଶା ସରକାର ଚାଷୀମାନଙ୍କଠୁ ୨୯୩୦ ଟଙ୍କାରେ ନିଜେ ଧାନ କିଣି ଉଦାହରଣ ସୃଷ୍ଟି କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକ ଦାବୀ କରିଛନ୍ତି ।

ଏହା ସହିତ ରାଜ୍ୟର ସମସ୍ତ ଚାଷୀଙ୍କଠାରୁ ସବୁ ଖରିଫ୍ ଧାନ କିଣିବା ପାଇଁ ନିର୍ଦ୍ଧାରିତ ସମୟରେ ବ୍ୟବସ୍ଥିତ ଢଙ୍ଗରେ ତୁରନ୍ତ ମଣ୍ଡି ଖୋଲିବା, ପୂର୍ବ ବର୍ଷ ଭଳି କୌଣସି ଏକ ଚାଷୀଙ୍କ ଟୋକନ ଲାପ୍ସ ନ କରିବା, କଟଣୀ ଛଟଣୀ ବନ୍ଦ କରିବା, ପରିବହନ ଖର୍ଚ୍ଚ ଓ ଅଖାର ଦାମ୍ ଚାଷୀଙ୍କୁ ଦେବା ପାଇଁ ସେ ଦାବୀ କରିଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟର ଲକ୍ଷ ଲକ୍ଷ ଭାଗଚାଷୀମାନଙ୍କର ସୁରକ୍ଷା ପାଇଁ ଆଇନ ସରକାର ଆଣିଲେ ନାହିଁ । ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ ବିହିତ ପଦକ୍ଷେପ ନ ନେବା ଭାଗଚାଷୀମାନଙ୍କ ପ୍ରତି ପରିହାସ ।

ଚାଷୀମାନଙ୍କର ଉପରୋକ୍ତ ସମସ୍ୟାଗୁଡ଼ିକୁ ନେଇ ଆଗାମୀ ଦିନରେ ଶକ୍ତିଶାଳୀ ଚାଷୀ ଆନ୍ଦୋଳନ କଂଗ୍ରେସ ଆୟୋଜନ କରିବ ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ଦାସ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କୃଷି ଆଇନ ପ୍ରତ୍ୟାହାର ଉଦବୋଧନ ସମୟରେ ଆହୁରି ଅନେକ କଥା କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଉଦବୋଧନ ଆରମ୍ଭରେ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଗୁରୁ ନାନକ ଦେବଙ୍କ ଜୟନ୍ତୀ ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି। ଦେଢ଼ ବର୍ଷର ବ୍ୟବଧାନ ପରେ କରତାରପୁର ସାହିବ କରିଡର ପୁଣିଥରେ ଖୋଲିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, “ପାଞ୍ଚ ଦଶନ୍ଧିର ସାର୍ବଜନୀନ ଜୀବନରେ ମୁଁ ଚାଷୀମାନେ ସମ୍ମୁଖିନ ହେଉଥିବା ସମସ୍ୟାଗୁଡ଼ିକୁ ଅତି ନିକଟରୁ ଦେଖିଛି। ଏହି କାରଣରୁ ୨୦୧୪ରେ ମୋତେ ଯେତେବେଳେ ଦେଶରେ ପ୍ରଧାନସେବକ ଭାବେ ଦେଶସେବା କରିବାର ସୁଯୋଗ ମିଳିଲା, ଆମେ କୃଷି ବିକାଶ ଏବଂ କୃଷକଙ୍କ କଲ୍ୟାଣ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲୁ। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଦୂର କରିବା ଲାଗି, ଆମେ ବିହନ, ବୀମା, ବଜାର ଓ ସଞ୍ଚୟ, ଏସବୁ ଉପରେ ଚତୁର୍ଦ୍ଦିଗରୁ ପ୍ରୟାସ କଲୁ। ସରକାର ଉନ୍ନତ କିସମର ବିହନ ସହିତ ଚାଷୀମାନଙ୍କୁ ନିମ୍ବ ମିଶ୍ରିତ ୟୁରିୟା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, କ୍ଷୁଦ୍ର ଜଳସେଚନ ଭଳି ସୁବିଧା ସହ ଯୋଡ଼ିଲେ।

ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମ ବଳରେ ଉତ୍ପାଦନ କରିଥିବା ଫସଲର ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ତାହା ସୁନିଶ୍ଚିତ କରିବା ଲାଗି ଗ୍ରହଣ କରାଯାଇଥିବା ଅନେକଗୁଡ଼ିଏ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଦେଶ ନିଜର ଗ୍ରାମୀଣ ବଜାର ଭିତ୍ତିଭୂମିକୁ ସୁଦୃଢ଼ କରିଥିବା ସେ କହିଥିଲେ। “ଆମେ କେବଳ ଏମଏସପି ବୃଦ୍ଧି କରିନାହୁଁ, ବରଂ ରେକର୍ଡ ସଂଖ୍ୟକ ସରକାରୀ କ୍ରୟ କେନ୍ଦ୍ର ନିର୍ମାଣ କରିଛୁ। ଆମ ସରକାରଙ୍କ ପକ୍ଷରୁ କରାଯାଇଥିବା ଫସଲ କ୍ରୟ ପ୍ରକ୍ରିୟା ବିଗତ କିଛି ଦଶନ୍ଧିର ସମସ୍ତ ରେକର୍ଡ ଭାଙ୍ଗିଛି,” ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, କୃଷକମାନଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ଏହି ମହାଅଭିଯାନରେ ଦେଶରେ ତିନୋଟି କୃଷି ଆଇନ ଅଣାଯାଇଥିଲା। ଲକ୍ଷ୍ୟ ଥିଲା ଯେ ଦେଶର କୃଷକମାନଙ୍କୁ, ବିଶେଷ କରି କ୍ଷୁଦ୍ର ଚାଷୀମାନଙ୍କୁ, ଆହୁରି ଶକ୍ତି ମିଳୁ, ସେମାନଙ୍କୁ ନିଜ ଫସଲର ଉଚିତ୍ ମୂଲ୍ୟ ଏବଂ ଫସଲ ବିକ୍ରି କରିବା ଲାଗି ଅଧିକରୁ ଅଧିକ ବିକଳ୍ପ ମିଳିପାରୁ।

ମୋଦୀ କହିଥିଲେ, ଦୀର୍ଘ ବର୍ଷ ଧରି ଦେଶର ଚାଷୀ, ଦେଶର କୃଷି ବିଶେଷଜ୍ଞ, ଦେଶର ଚାଷୀ ସଂଗଠନ ଲଗାତାର ଏହି ଦାବି କରି ଆସୁଥିଲେ। ପୂର୍ବରୁ ଅନ୍ୟ ସରକାରମାନେ ଏ ସମ୍ପର୍କରେ ମାନସମନ୍ଥନ କରିଥିଲେ। ଏଥର ମଧ୍ୟ ସଂସଦରେ ଆଲୋଚନା ହେଲା, ମାନସମନ୍ଥନ ହେଲା ଏବଂ ଏହି ଆଇନ ଆସିଲା। ଦେଶର କୋଣ ଅନୁକୋଣରେ କୋଟି କୋଟି ଚାଷୀ, ଅନେକ ଚାଷୀ ସଂଗଠନ, ଏହାକୁ ସ୍ୱାଗତ କଲେ, ସମର୍ଥନ କରିଥିଲେ। ଆଇନକୁ ସମର୍ଥନ କରିଥିବା ସଂଗଠନ, ଚାଷୀ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଏହି ଅବସରରେ କୃତଜ୍ଞତା ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ କଲ୍ୟାଣ, ବିଶେଷ କରି କ୍ଷୁଦ୍ର ଚାଷୀଙ୍କ ଲାଭ, କୃଷି କ୍ଷେତ୍ରର ହିତ, ‘ଗାଁ-ଗରିବ’ଙ୍କ ଉଜ୍ଜ୍ବଳ ଭବିଷ୍ୟତ ଲକ୍ଷ୍ୟ ନେଇ, ସମ୍ପୂର୍ଣ୍ଣ ସଚ୍ଚୋଟ, ସ୍ପଷ୍ଟ ଉଦ୍ଦେଶ୍ୟରେ ଏବଂ ଚାଷୀମାନଙ୍କ ପ୍ରତି ସମର୍ପିତ ଏହି ତିନୋଟି କୃଷି ଆଇନ ସରକାର ଆଣିଥିଲେ। ସେ ଆହୁରି କହିଥିଲେ ଯେ, କିନ୍ତୁ ଏତେ ପବିତ୍ର କଥା, ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ, ଚାଷୀଙ୍କ ହିତର କଥାକୁ, ଆମେ ଅନେକ ପ୍ରୟାସ ସତ୍ତ୍ୱେ କିଛି କୃଷକମାନଙ୍କୁ ବୁଝାଇ ପାରିଲୁ ନାହିଁ। କୃଷି ଅର୍ଥନୀତଜ୍ଞ, ବୈଜ୍ଞାନିକ, ପ୍ରଗତିଶୀଳ ଚାଷୀମାନେ ମଧ୍ୟ ସେମାନଙ୍କୁ କୃଷି ଆଇନର ଗୁରୁତ୍ୱ ବୁଝାଇବା ଲାଗି ଭରପୂର ପ୍ରୟାସ ମଧ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, “ଆଜି ମୁଁ ଆପଣମାନଙ୍କୁ, ସାରା ଦେଶକୁ, ଏକଥା କହିବାକୁ ଆସିଛି ଯେ ଆମେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଚଳିତ ମାସ ଶେଷ ଭାଗରେ ଆରମ୍ଭ ହେବାକୁ ଯାଉଥିବା ସଂସଦ ଅଧିବେଶନରେ, ଆମେ ଏହି ତିନୋଟି ଚାଷୀ ଆଇନକୁ ଉଚ୍ଛେଦ କରିବା ଲାଗି ସାମ୍ବିଧାନିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିଦେବୁ।

ପବିତ୍ର ଗୁରୁପରବର ଭାବନା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆମେ ପରସ୍ପରକୁ ଦୋଷ ଦେବାରେ ଲିପ୍ତ ନରହି ଚାଷୀଙ୍କ କଲ୍ୟାଣ ପାଇଁ ନିଜକୁ ସମର୍ପି ଦେବା ଉଚିତ୍। କୃଷି କ୍ଷେତ୍ରରେ ପାଇଁ ପ୍ରଧାନମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଶୂନ୍ୟ ବଜେଟ୍ ଆଧାରିତ କୃଷି, ଦେଶର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ଫସଲର ପଦ୍ଧତିକୁ ବଦଳାଇବା, ଏମଏସପି ବ୍ୟବସ୍ଥାକୁ ଅଧିକ ପ୍ରଭାବୀ ଓ ପାରଦର୍ଶୀ କରିବା ଲାଗି ଏକ କମିଟି ଗଠନ କରିବା ନିମନ୍ତେ ସେ ଘୋଷଣା କରିଥିଲେ। ଏହି କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ପ୍ରତିନିଧି, ଚାଷୀ, କୃଷି ବୈଜ୍ଞାନିକ ଏବଂ କୃଷି ଅର୍ଥନୀତିଜ୍ଞ ମାନେ ସାମିଲ ରହିବେ।

Categories
ବିଶେଷ ଖବର ରାଜ୍ୟ ଖବର

ପୁରୀ ଜିଲ୍ଲା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି, ମିଳିବ 33 କୋଟି ଟଙ୍କାର ସହାୟତା

ଭୁବନେଶ୍ବର: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର ୧ ଲକ୍ଷ ୬୫ ହଜାର ୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ 33.03 କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୪୧ ଜଣ ଚାଷୀଙ୍କୁ ୭୪୨ କୋଟି ୫୮ ଲକ୍ଷ ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇପାରି ନ ଥିଲା ।

ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସାରା ଦେଶରେ ଚାଷମାନଙ୍କ କଲ୍ୟାଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ।

ଏଥିରେ ଚାଷୀମାନେ ବିଭିନ୍ନ କୃଷିସାମଗ୍ରୀ ଯଥା – ବିହନ, ସାର ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁସଂଗିକ ଆର୍ଥିକ ସୁବିଧା ପାଇପାରୁଛନ୍ତି। ସେହିପରି ଭୂମିହୀନ କୃଷି ପରିବାରମାନେ ମଧ୍ୟ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଆନୁସଂଗିକ କୃଷି କାର୍ଯ୍ୟ କରିପାରୁଛନ୍ତି ।

ଚାଷମାନଙ୍କ ଋଣ ଭାର କମ୍ କରିବାରେ ମଧ୍ୟ ଏହା ବିଶେଷ ସହାୟକ ସାବ୍ୟସ୍ତ ହୋଇ ପାରିଛି ।

Categories
ଆଜିର ଖବର ଜାତୀୟ ଖବର

ମୋଦୀ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି: ମଣ୍ଡି ଜରିଆରେ ଚାଷୀଙ୍କ ଖାତାକୁ ଯିବ ୧ ଲକ୍ଷ କୋଟି

ନୂଆଦିଲ୍ଲୀ: ମୋଦୀ ମନ୍ତ୍ରୀମଣ୍ଡଳର ବିସ୍ତାର ଏବଂ ଅଦଳବଦଳ ପରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୫ ଟା ସମୟରେ ମୋଦୀ ସରକାରର ନୂଆ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ମଣ୍ଡିଗୁଡିକର ସଶକ୍ତିକରଣ କରିବାକୁ ସରକାର ଚାହୁଁଛି। ଏହି ବୈଠକରେ ଚାଷୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଯାହା ମଣ୍ଡି ଜରିଆରେ ୧ ଲକ୍ଷ କୋଟି ଟଙ୍କା କୃଷକଙ୍କ ପାଖରେ ପହଞ୍ଚିବ।

ସେହିଭଳି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ, କୃଷି ବିକାଶ ପାଇଁ ଏହି ବୈଠକରେ ଏକାଧିକ ନିଷ୍ପତ୍ତି ହୋଇଛି। ଏପିଏମସି ମଣ୍ଡିଗୁଡିକୁ ଅଧିକ ମଜବୁତ କରାଯାଉଛି। ମଣ୍ଡି ବ୍ୟବସ୍ଥା ବନ୍ଦ ହେବାର ସମ୍ଭାବନା ନାହିଁ। ନାରିକେଳ ଉନ୍ନୟନ ବୋର୍ଡରେ ନିଯୁକ୍ତି ହେବେ ସିଇଓ। କିଷାନ ସମ୍ପ୍ରଦାୟକୁ ୨ କୋଟି ଟଙ୍କାର ଋଣ ଦିଆଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ରର ବଡ ପଦକ୍ଷେପ: ଏଣିକି ୨୪୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାରେ ଡିଏପି ବସ୍ତା କିଣିପାରିବେ ଚାଷୀ

ନୂଆଦିଲ୍ଲୀ: ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।

ଅନ୍ତର୍ଜାତୀୟ ସ୍ତରରେ ଫସଫୋରିକ ଏସିଡ, ଆମୋନିଆ ଆଦିର ମୂଲ୍ୟ ବୃଦ୍ଧି ପାଉଥିବା କାରଣରୁ ଦେଶରେ ସାର ମୂଲ୍ୟ ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ସତ୍ତ୍ବେ ଚାଷୀ ପୁରୁଣା ଦରରେ ସାର ପାଇବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କହିଥିଲେ।

ଏହି ଅବସରରେ ଡିଏପି ସାର ବସ୍ତା ପିଛା ସବସିଡି ପରିମାଣକୁ ୫୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା, ଯାହାକି ୧୪୦% ବୃଦ୍ଧି। ତେଣୁ ଅନ୍ତର୍ଜାତୀୟ ବଜାରରେ ଡିଏପି ମୂଲ୍ୟ ବୃଦ୍ଧି ସତ୍ତ୍ବେ ଏହାକୁ ପୁରୁଣା ଦରରେ ବସ୍ତା ପିଛା ୧୨୦୦ ଟଙ୍କାରେ ବିକ୍ରି କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଦର ବୃଦ୍ଧିର ସମସ୍ତ ବ୍ୟୟ ଭାର କେନ୍ଦ୍ର ସରକାର ବହନ କରିବେ। ଏକକାଳୀନ ବସ୍ତା ପିଛା ଏତେ ପରିମାଣର ସବସିଡି ପୂର୍ବରୁ କେବେ ବୃଦ୍ଧି କରାଯାଇନଥିଲା।

ଗତବର୍ଷ ଡିଏପିର ବାସ୍ତବ ଦର ଗୋଟିଏ ବସ୍ତା ପିଛା ୧୭୦୦ ଟଙ୍କା ଥିଲା। ଏଥିରେ କେନ୍ଦ୍ର ସରକାର ଗୋଟିଏ ବସ୍ତା ପ୍ରତି ୫୦୦ ଟଙ୍କାର ସବସିଡି ଦେଉଥିଲେ। ତେଣୁ କମ୍ପାନୀଗୁଡ଼ିକ ଚାଷୀଙ୍କୁ ପ୍ରତି ବସ୍ତା ୧୨୦୦ ଟଙ୍କାରେ ସାର ବିକ୍ରି କରୁଥିଲେ।

ନିକଟରେ, ଡିଏପିରେ ବ୍ୟବହୃତ ହେଉଥିବା ଫୋସଫୋରିକ ଏସିଡ, ଆମୋନିଆ ଆଦିର ଅନ୍ତର୍ଜାତୀୟ ମୂଲ୍ୟ ୬୦% ରୁ ୭୦%କୁ ବୃଦ୍ଧି ପାଇଛି। ତେଣୁ ବର୍ତ୍ତମାନ ଡିଏପିର ବସ୍ତା ପିଛା ପ୍ରକୃତ ଦର ୨୪୦୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକୁ ସାର କମ୍ପାନୀମାନେ ୫୦୦ ଟଙ୍କା ସବସିଡିକୁ ବିଚାର କରି ୧୯୦୦ ଟଙ୍କାରେ ବିକ୍ରି କରିପାରିବେ। କିନ୍ତୁ ଆଜିର ନିଷ୍ପତ୍ତି ପରେ, ଚାଷୀମାନେ ଗୋଟିଏ ବସ୍ତା ଡିଏପି ସାର ୧୨୦୦ ଟଙ୍କାର ପୁରୁଣା ଦରରେ କିଣିପାରିବେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ତାଙ୍କ ସରକାର ଚାଷୀଙ୍କ କଲ୍ୟାଣ ଲାଗି ପ୍ରତିଶ୍ରୁତିବଦ୍ଧ ଏବଂ ଦରବୃଦ୍ଧିର ବୋଝ ଚାଷୀଙ୍କ ଉପରେ ଯେପରି ନପଡ଼ିବ ତାହା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।

ପ୍ରତି ବର୍ଷ କେନ୍ଦ୍ର ସରକାର ରାସାୟନିକ ସାର ପାଇଁ ସବସିଡି ଦେବା ଉପରେ ପାଖାପାଖି ୮୦,୦୦୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଡିଏପି ଉପରେ ସବସିଡି ବୃଦ୍ଧି ପାଇବା ଫଳରେ ଭାରତ ସରକାର ଖରିଫ ଋତୁରେ ସାର ସବସିଡି ଆକାରରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଖର୍ଚ୍ଚ କରିବେ।

ଅକ୍ଷୟ ତୃତୀୟା ଅବସରରେ ପିଏମ-କିଷାନ ଅନ୍ତର୍ଗତ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨୦,୬୬୭ କୋଟି ଟଙ୍କା ହସ୍ତାନ୍ତର କରିବା ପରେ ଏହା ହେଉଛି ଚାଷୀଙ୍କ ହିତ ଲାଗି ଉଦ୍ଦିଷ୍ଟ ଦ୍ବିତୀୟ ବୃହତ ନିଷ୍ପତ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କିଶାନ ଯୋଜନାରେ ଦେଶର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଦାନ କଲେ ୨୧ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଆଜି ୯ କୋଟି ୫୦ ଲକ୍ଷ ୬୭ ହଜାର ୬୦୧ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ୨୦ ହଜାର ୬୬୭ କୋଟି ୭୫ ଲକ୍ଷ ୬୬ ହଜାର ଟଙ୍କାର ଅଷ୍ଟମ କିସ୍ତି ଆର୍ଥିକ ସହାୟତା ବଣ୍ଟନ କରିଛନ୍ତି। ଏଥିରେ ଓଡ଼ିଶାର ୨୫ ଲକ୍ଷ ୯୦ ହଜାର ୩୧୫ ଜଣ ଚାଷୀ ଏହି ସହାୟତା ରାଶି ପାଇଛନ୍ତି ।

ଭିଡିଓ କନଫ୍ରେସିଂ ଯୋଗେ ଏହା ପ୍ରଦାନ କରିବା ପରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହ ମତ ବିନିମୟ କରିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ପିଏମ କିଷାନ ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଉନାଓର ଚାଷୀ ଅରବିନ୍ଦଙ୍କୁ ପ୍ରଶଂସା କରିଥିଲେ । ଅରବିନ୍ଦ ତାଙ୍କ ଅଞ୍ଚଳର ଯୁବଶକ୍ତି ମାନଙ୍କୁ ଜୈବିକ କୃଷି ଓ ନୂତନ କୃଷି ପଦ୍ଧତି ସମ୍ପର୍କରେ ସମ୍ପର୍କରେ ଶିକ୍ଷା ଦେଉଛନ୍ତି ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପାଟ୍ରିକଙ୍କୁ ବହୁଳଭାବେ ଜୈବିକ କୃଷି ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଅନନ୍ତପୁରର ଏନ. ଭେନୁରମ୍ମାଙ୍କୁ ୧୭୦ରୁ ଅଧିକ ଆଦିବାସୀ ଚାଷୀଙ୍କୁ ମାର୍ଗଦର୍ଶନ ଦେଉଥିବାରୁ ପ୍ରଶଂସା କରିଥିଲେ । ମେଘାଳୟର ପାର୍ବତ୍ୟାଂଚଳରେ ଅଦା, ହଳଦୀ, ଡାଲଚିନି ଇତ୍ୟାଦି ଚାଷ କରିଥିବା ପାଇଁ ସେ ରେଭିଷ୍ଟ୍ରାରଙ୍କ ପ୍ରଶଂସା କରିଥିଲେ ।

ସେ ମଧ୍ୟ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ନିବାସୀ ଖୁରସିଦ ଅହମ୍ମଦ ସିମଳାମିର୍ଚ୍, କଂଚାଲଙ୍କା ଓ କାକୁଡି ଜୈବିକ କୃଷି ପଦ୍ଧତିରେ ଉତ୍ପାଦନ କରିଛନ୍ତି ତାଙ୍କ ସହ ମତବିନିମୟ କରିଥିଲେ । ଏହି ଯୋଜନା ଅଧୀନରେ ଓଡିଶାରେ ୨୫ଲକ୍ଷ ୯୦ହଜାର ୩୧୫ଜଣ କୃଷକ ୭୨୦କୋଟି ୪୬ଲକ୍ଷରୁ ଉର୍ଦ୍ଧ୍ୱ ଆର୍ଥିକ ସହାୟତା ପାଇଛନ୍ତି ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ଚାଷୀମାନେ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି । ମହାମାରୀ ସତ୍ୱେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଓ ପନିପରିବା ଉତ୍ପାଦନ କରିବାକୁ ସେ କୃଷକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସରକାର ମଧ୍ୟ ପ୍ରତିବର୍ଷ ନ୍ୟୁନତମ ସହାୟକ ମୂଲ୍ୟ ପ୍ରଦାନ କରି ଖାଦ୍ୟଶସ୍ୟ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ।

ଧାନ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି ହୋଇଥିବାବେଳେ, ଏବେ ଗହମ ସଂଗ୍ରହରେ ମଧ୍ୟ ନୂତନ ରେକର୍ଡ ହୋଇଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଏପର‌୍ୟ୍ୟନ୍ତ ଶତକଡା ଅଧିକ ଦଶଗୁଣ ଗହମ ସଂଗୃହୀତ ହୋଇଛି । ଏପର‌୍ୟ୍ୟନ୍ତ ଗହମର ସହାୟକ ମୂଲ୍ୟ ବାବଦ ୫୮ହଜାର କୋଟି ଟଙ୍କା ଚାଷୀମାନଙ୍କ ଖାତାରେ ସିଧାସଳଖ ପହଁଚି ପାରିଛି ।

ଚାଷର ନୂତନ ସମାଧାନ ପନ୍ଥା ଓ ସୁବିଧା ପ୍ରଦାନରେ ସରକାର ସବୁବେଳେ ଚେଷ୍ଟା କରି ଆସୁଛନ୍ତି । ଜୈବିକ କୃଷି ଏହି ପ୍ରଚେଷ୍ଟାର ଏକ ଅଂଶବିଶେଷ । ଜୈବିକ ଚାଷରୁ ଅଧିକ ଲାଭ ମିଳୁଥିବା ବେଳେ ବର୍ତ୍ତମାନ ଅଧିକରୁ ଅଧିକ ଯୁବଚାଷୀ ଏଥିରେ ଆଗ୍ରହ ଦେଖାଉଛନ୍ତି। ଏବେ ଗଙ୍ଗାନଦୀର ଉଭୟ ପାଶ୍ୱର୍ର ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ଚାଷ କରାଯାଉଛି ଯାହା ଯୋଗୁଁ ନଦୀ ନିର୍ମଳ ରହିପାରିବ ।

ମହାମାରୀ କାଳରେ କିଶାନ କ୍ରେଡିଟ୍ କାର୍ଡ ସମୟ ସୀମା ବୃଦ୍ଧି କରାଯିବା ସହ କିସ୍ତି ନବୀକରଣ କାର‌୍ୟ୍ୟ ଜୁନ ୩୦ ତାରିଖ ପର‌୍ୟ୍ୟନ୍ତ ବଢାଯାଇଛି । ନିକଟ ଅତୀତରେ ଦୁଇ କୋଟିରୁ ଅଧିକ କିଷାନ କ୍ରେଡିଟ୍ କାର୍ଡ ଜାରି କରାଯାଇଥିବା ମୋଦୀ ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଧାନ କିଣା ନଯିବାରୁ ବିଷ ପିଇ ଚାଷୀ ଗୁରୁତର

ଭଦ୍ରକ: ଧାନ କିଣା ନଯିବାରୁ ବିଷ ପିଇ ଗୁରୁତର ହୋଇପଡିଛନ୍ତି ଚାଷୀ। ଟୋକନ୍ ଥିବା ସତ୍ତ୍ୱେ ଏସଏଚଜି ଗୃପ୍ ଧାନ ନକିଣିବାରୁ ଚାଷୀ ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଚାଷୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବାରମ୍ବାର ଗୁହାରି ସତ୍ତ୍ୱେ ଧାନ କିଣାଯାଇନଥିବାରୁ ମାନସିକ ଭାରସାମ୍ୟ ହରାଇ ଭଦ୍ରକ ଜିଲ୍ଲା ଗ୍ରାମାଚଂଳ ଥାନା ଅନ୍ତର୍ଗତ ବନ୍ଧଗାଁ ପଚାଂୟତର ମଣ୍ଡି ସମ୍ମୁଖରେ ଏହି ଚାଷୀ ଜଣକ ବିଷ ପିଇଥିବା ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଧାନକିଣାରେ ଅବ୍ୟବସ୍ଥା : ଅଭାବୀ ବିକ୍ରୀର ଶିକାର ହେଉଛି ଚାଷୀ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କୃଷିଜାତ ପଦାର୍ଥର ମାର୍କେଟିଂ ସୁବିଧା ନଥିବାରୁ ଧାନ, ମୁଗ, ଚିନାବାଦାମ୍‌, ଲଙ୍କାମରିଚ ଓ ପନିପରିବା ଆଦି ଫସଲର ଅଭାବି ବିକ୍ରୀ ଯୋଗୁଁ ଗଂଜାମ ଜିଲ୍ଲାର ଚାଷୀ ପ୍ରତିବର୍ଷ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତି ସହୁଛନ୍ତି । ଜିଲ୍ଲାରେ ଶୀତଳ ଭଣ୍ଡାର କିମ୍ବା ମାର୍କେଟିଂ ୟାର୍ଡ଼ର କୌଣସି ସୁବିଧା କରାଯାଇନାହିଁ । ପୁଣି ପ୍ରତି ୨ ବର୍ଷକୁ ଥରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଚାଷର କ୍ଷତି ସହି ସହି ଚାଷ ପ୍ରତି ବିମୁଖ ହୋଇ ଚାଷୀ ଚାଷ କାମ ଛାଡ଼ି ପେଟପାଟଣା ପାଇଁ ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଳସେଚନର ସୁବିଧା ନାହିଁ କି ମାର୍କେଟିଂର ସୁବିଧା ନାହିଁ। କେବଳ କାଳିଆ/ବଳିଆ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଭଣ୍ଡେଇ ଚାଲିଛନ୍ତି, ଚାଷୀଙ୍କ ପ୍ରକୃତ ବିକାଶ ପ୍ରତି କେହି ହେଲେ ଦୃଷ୍ଟି ଦେଉନାହାନ୍ତି।

ପ୍ରତିବର୍ଷ ଜିଲ୍ଲାରେ ଧାନ କିଣାରେ ଅଭାବ ବିକ୍ରୀର ଚାଷୀ ଶିକାର ହେଉଛି। ଚଳିତବର୍ଷ ୧ ଲକ୍ଷ ୩୪ ହଜାର ଚାଷୀଙ୍କର ଧାନ କିଣିବା ପାଇଁ ପଂଜିକରଣ ହୋଇଥିବାବେଳେ ୨ ମାସରେ କେବଳ ୬୫ ହଜାର ଚାଷୀଙ୍କ ଧାନ କିଣାଯାଇଛି । ଆଗକୁ ୬୯ ହଜାରରୁ ଅଧିକ ଗରିବ ଓ ଛୋଟ ଚାଷୀ ଧାନ ବିକିବା ପାଇଁ ବିଡ଼ିଓଠାରୁ ଯୋଗାଣ ବିଭାଗ, ସମବାୟ ଓ ଜିଲ୍ଲାପାଳ ଅଫିସ୍ ଧାଇଁ ଧାଇଁ ହତାଶ ହେଉଛନ୍ତି। ଟୋକେନ୍ ଆସିଲେ ଧାନ କିଣା ଯିବ ବୋଲି କହି ଫେରାଇ ଦେଇଛନ୍ତି ।

ପ୍ରଥମେ ଗରିବ  ଛୋଟ ଚାଷୀ ମାନଙ୍କର ଧାନ କିଣିବା ନିୟମ ଥିଲେ ସୁଦ୍ଧା ଅଧିକାଂଶ ସମବାୟ, ସଂପାଦକ ମାନେ ତାଙ୍କ ବନ୍ଧୁବାନ୍ଧବ ଓ ଧନୀ ପ୍ରଭାବଶାଳୀ ଚାଷୀଙ୍କର ଧାନ କିଣିବା ପାଇଁ ବ୍ୟବସ୍ଥା କରିଛନ୍ତି । ଫଳରେ ଗରିବ ଚାଷୀ ହତାଶ ହେଉଛି । ଟୋକେନ୍ ଆସିବାରେ ବହୁ ବିଳମ୍ବ ହେଉଛି, ପୁଣି ୫ ଦିନ ପରେ ଧାନ ନ କିଣିଲେ ଟୋକେନ୍ ଅବଧି ସରିଯାଉଛି ଫଳରେ ଚାଷୀ ମାନେ ସମବାୟ ଅଫିସ୍‌କୁ ଧାଇଁ ଧାଇଁ ହତାଶ ହେଉଛନ୍ତି । ଜିଲ୍ଲା ପାଇଁ ୧.୩୪ ଲକ୍ଷ ଚାଷୀଙ୍କର ଧାନ କିଣିବା ପାଇଁ ୮୦ ହଜାର କୁଇଣ୍ଟାଲ ଟାର୍ଗେଟ ଦରକାର ହେଉଥିବାବେଳେ ବର୍ତ୍ତମାନକୁ ଧାନ କିଣିବା ପାଇଁ ୪୨ ହଜାର କୁଇଣ୍ଟାଲ ଟାର୍ଗେଟ୍ ଆସିଛି । ଧାନ ଅମଳ ହେବାର ଅଢ଼େଇ ମାସ ହେଲାଣି । ଅଦିନିଆ ବର୍ଷା, ମୁଷା, ବାର୍‌ହା. ଷଣ୍ଢ ଆଦି ଅମଲ ଧାନକୁ ନଷ୍ଟ କରୁଛନ୍ତି। କେତେକ ସୋସାଇଟି ଅଣ-ଚାଷୀଙ୍କ ନାମରେ ଧାନ କିଣି ଦୁର୍ନୀତି କରୁଛନ୍ତି, ଜିଲ୍ଲାର କେତେକ ବ୍ଳକ୍‌ର ମଣ୍ଡିରେ ମଧ୍ୟ କ୍ୱିଣ୍ଟାଲ୍ ପିଛା ୫ କେଜି ଅଧିକା ଧାନ ନେବା ସଂଗେ ସଂଗେ ଅଖା ଓ ଗାଡ଼ିଭଡ଼ା ମଧ୍ୟ ଚାଷୀଙ୍କୁ ଦେବାକୁ ପଡ଼ୁଛି ।

ଜିଲ୍ଲାପାଳ ଦୁର୍ନୀତିଗସ୍ତ ଯୋଗାଣ ଓ ସମବାୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇ ନୀରବ ରହୁଛନ୍ତି। ବିଲେଇ ହାତରେ ମାଛ କଳେଉଛନ୍ତି, ଏପଟେ ସାଇକେଲ୍‌ରେ ବୁଲି ପଲିଥିନ ଧରୁଛନ୍ତି । ଦୁର୍ନୀତିଗସ୍ତ ଯୋଗାଣ, ସମବାୟ କର୍ମଚାରୀ ଅସାଧୁ ମିଲର ଓ ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ଗଂଜାମ ଚାଷୀ ପ୍ରତି ବର୍ଷ ୨୦ କୋଟି ଟଙ୍କା କ୍ଷତି ସହୁଛନ୍ତି। ଏଣୁ ପଂଜିକୃତ ସମସ୍ତ ଚାଷୀଙ୍କର ଧାନ ବିନା ଟୋକେନ୍‌ରେ ତୁରନ୍ତ ନ କିଣିଲେ ମହାସଭା ତରଫରୁ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ଜିଲ୍ଲାପାଳ, ଯୋଗାଣ କମିଶନର, ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଏ ସଂପର୍କରେ ବାରମ୍ବାର ଦାବି କରିବା ପରେ ଯୋଗାଣ ଓ ସମବାୟ ମନ୍ତ୍ରୀ ଋଷିକୂଲ୍ୟା ରୟତ ମହାସଭାର ସଂପାଦକଙ୍କ ଉପସ୍ଥିତିରେ ଧାନ କିଣା ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ଗତ ୬ ତାରିଖରେ ଯୋଗାଣମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଜିଲ୍ଲାପାଳ ସମୀକ୍ଷା ନ କରି ପଲିଥିନ ଧରପଗଡ଼ରେ ବ୍ୟସ୍ତ ରହୁଛନ୍ତି । ଗଂଜାମ ଜିଲ୍ଲାରେ ମୋ ସରକାର ଓ ୫-ଟି କାଟୁ କରୁନାହିଁ । ସବୁ ପଂଜିକୃତ ଚାଷୀଙ୍କର ଧାନ କିଣିବା ପାଇଁ ମହାସଭା ତରଫରୁ ଦାବି ହେଉଛି । ଜିଲ୍ଲାର ୩ ଲକ୍ଷ ଚାଷୀ ଓ ଦୁଇଲକ୍ଷରୁ ଅଧିକ ଭାଗ ଚାଷୀ ଥିବାବେଳେ କେବଳ ୧ ଲକ୍ଷ ୩୪ହଜାର ଚାଷୀଙ୍କ ନାମ ପଂଜିକୃତ ହୋଇଛି । ସେଥିମଧ୍ୟରୁ ମାତ୍ର ୩୦ ଭାଗ ଚାଷୀଙ୍କ ଧାନ ସରକାର କିଣୁଥିବାବେଳେ ବଳକା ଧାନ ୫୦୦ ଟଙ୍କାରୁ କମ୍‌ରେ ଆନ୍ଧ୍ରକୁ ଯାଉଥବା ସଭାପତି ତ୍ରିନାଥ ବିଶ୍ୱାଳ ଓ ସଂପାଦକ ସୀମାଞ୍ଚଳ ନାହାକ ଜଣାଇଛନ୍ତି ।