Categories
PanchayatElection ଆଞ୍ଚଳିକ

ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚିଲିକା ବ୍ଲକରେ ମତ ଗଣନା, ଜନତା ଅସନ୍ତୋଷ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକର ଜୋନ ନମ୍ବର ୪ ର ଜିଲ୍ଲାପରିଷଦ ସଦସ୍ୟ ଓ ଏହି ଜୋନ ଅଧିନସ୍ଥ ମୋଟ ୬ ଟି ପଞ୍ଚାୟତ ଯଥା ହରିପୁର, ନଇରୀ, ବଉଳାବନ୍ଧ, କୁମାଣ୍ଡୋଳପାଟଣା, ବିରିବାଡି, ଆଙ୍କୁଲା, ପଞ୍ଚାୟତର ଆଜି ମତ ଗଣନା ଚାଲିଛି। ଏଥିରେ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଦସ୍ୟଙ୍କର ମତ ଗଣନା ସିମୀତ ଗଣନାକାରୀଙ୍କ ସହଯୋଗରେ ଚାଲିଥିବାରୁ ଏହି ଗଣନା ସୀମାତିରିକ୍ତ ବିଳମ୍ବିତ ହୋଇ ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି।

ଆଜି ସକାଳ ୮ ରୁ ଅଦ୍ୟାବଧି ରିପୋର୍ଟ ଲେଖା ସୁଦ୍ଧା ଉପରୋକ୍ତ ୬ଟି ବିଭିନ୍ନ ପଞ୍ଚାୟତର ୪ରୁ ୫ ଟି ଓ୍ବାର୍ଡର ମତ ଗଣନା ଶେଷ ହୋଇଥିବା ବେଳେ ବିଭିନ୍ନ ପଦର ପ୍ରତି ପଞ୍ଚାୟତର ଓ୍ବାର୍ଡଓ୍ବାରୀ ଗଣନା ଶେଷ ହେବାକୁ ରାତି ପାହିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ମତଗଣନା ଚାଲିଥିବା ଚିଲିକା ବ୍ଲକ ଆଖପାଖ ଅଂଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ଦୋକାନ ବଜାର, ହୋଟେଲ ବନ୍ଦ ରହିଛି। ମତଗଣନା ଶୁଣିବାକୁ ବିଭିନ୍ନ ପଞ୍ଚାୟତରୁ ବିଭିନ୍ନ ପ୍ରାର୍ଥୀଙ୍କର ଶୁଭେଛ୍ଛୁ, ସମର୍ଥକ ଚିଲିକା ବ୍ଲକ ବାହାରେ ସାରା ଦିନ ଅପେକ୍ଷା କରି ଭୋକରେ ଛଟପଟ ହୋଇଥିଲେ।

ବ୍ଲକ ପ୍ରଶାସନ ପକ୍ଷରୁ ସମୟୋଚିତ ବିଭିନ୍ନ ପଦର ପ୍ରାର୍ଥୀଙ୍କର ଫଳାଫଳ ଗଣତି ସରିଥିବା ସୂଚନା ମିଳୁଥିଲେ ମଧ୍ୟ ଓ୍ବାର୍ଡ ମେମ୍ବର ପଦର ଫଳାଫଳ ବ୍ୟତିରକେ ଅନ୍ୟାନ୍ୟ ପଦର ଫଳାଫଳ ମାଇକ ଯୋଗେଁ ପ୍ରଚାର କରିବାକୁ ଉଦାସୀନ ରହିଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ସଠିକ ସୂଚନା ପାଇବାକୁ ଅନ୍ଧାରରେ ରହିଥିଲେ।

ଏହି ସମୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଚିଲିକା ବ୍ଲକ ନୀରିକ୍ଷଣରେ ଆସିଥିବାବେଳେ ଅସନ୍ତୁଷ୍ଟ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କର ହସ୍ତକ୍ଷେପ ଚାହିଁ ଏବାବଦରେ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ପଦର ପ୍ରାର୍ଥୀଙ୍କର ଫଳାଫଳ ବ୍ଲକ ପ୍ରଶାସନ ପକ୍ଷରୁ ମାଇକ ଯୋଗେଁ ସୂଚନା ପ୍ରଦାନ କରାଯାଇଥିଲା।

ପ୍ରକାଶଥାଉକି ପାଖ ବାଣପୁର ବ୍ଲକରେ ରହିଥିବା ମତଗଣନା କେନ୍ଦ୍ରରେ ଫଳାଫଳ ଘୋଷଣା ଓ ଅନ୍ୟାନ୍ୟ ସୁବିଧା ବ୍ଲକ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ ରହିଥିବା ବେଳେ ଚିଲିକା ବ୍ଲକରେ ଫଳାଫଳ ଘୋଷଣାରେ ଅବ୍ୟବସ୍ଥା କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହେଉଛି? ଆସନ୍ତାକାଲି ଓ ପରବର୍ତ୍ତୀ ଦିନ ମଧ୍ୟ ଆହୁରି ୧୧ ଟି ପଞ୍ଚାୟତର ମତଗଣନା ହେବାକୁ ଅଛି।

ଚିଲିକା ବ୍ଲକ ପରିସରରେ ମତଗଣନା ହେବାକୁ ଥିବାରୁ ଚିଲିକା ବ୍ଲକରେ ମତଗଣନା କେନ୍ଦ୍ରରେ ଅଧିକ ସଂଖ୍ୟକ କର୍ମଚାରୀ ନିୟୋଜିତ କରି ସମୟୋଚିତ ସୂଚନା ପ୍ରଦାନ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାଣପୁର ବ୍ଲକ ଭଳି ସଠିକ ସୂଚନା ପ୍ରଦାନ କରିବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ନିବେଦନ ହୋଇଛି।

Categories
ଆଞ୍ଚଳିକ

ଶାନ୍ତିପୂର୍ଣ୍ଣ ଭାବେ ଚିଲିକା ବ୍ଲକରେ ସରିଲା ମତଦାନ, ପୁରଷଙ୍କ ଠାରୁ ମହିଳା ଆଗରେ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ବ୍ଲକର ୧୭ ଗୋଟି ପଂଚାୟତର ୨୨୫ ଗୋଟି ବୁଥରେ ସମୁଦାୟ ୭୦ ହଜାର ୫ ଶହ ୪୬ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିଥିବା ବେଳେ ତନ୍ମଧ୍ୟରୁ ପୁରୁଷ ମତଦାତା ୩୩ ହଜାର ୯ ଶହ ୬୩ ଜଣ ରହିଥିବା ବେଳେ ମହିଳା ମତଦାତାଙ୍କ ସଂଖ୍ୟା ରହିଛି ୩୬ ହଜାର ୫ ଶହ ୮୩। ମୋଟ ମତଦାନ ପ୍ରତିଶତ ୭୩.୩୮ ଥିବା ଜଣାପଡ଼ିଛି।

ଆଇନ ଶୃଙ୍ଖଳା ରକ୍ଷା ପାଇଁ ଅତିରିକ୍ତ ଏସପି ସୁରେଶ ଦାସଙ୍କ ତତ୍ୱାବଧାନରେ ୪ ଜଣ ଡ଼ିଏସପି, ୫ ଜଣ ଇନ୍ସପେକ୍ଟର, ୧୭ ଜଣ ଏସଆଇ, ୨୫ ଜଣ ଏଏସଆଇ ଏବଂ ୧୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ତେବେ ଚିଲିକା ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବାରୁ ଭୋଟରଙ୍କୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସଂସ୍କୃତି

ଚିଲିକା ଦୋଳ ଉତ୍ସବ ନେଇ ଜାରି ହେଲା ଗାଇଡଲାଇନ: ୪୫ ବର୍ଷରୁ ଉର୍ଦ୍ଧ୍ଵ ସେବାୟତଙ୍କୁ ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଏବଂ ବଉଳାବନ୍ଧ ଏଗାରଦୋଳ ଉତ୍ସବ ପାଳନ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ଅଧ୍ୟକ୍ଷତାରେ ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ନଈରୀ ଗ୍ରାମର ବାଇଶି ମୌଜା କମିଟି ଏବଂ ବଉଳାବନ୍ଧ ଗ୍ରାମର ଏଗାର ଦୋଳ କମିଟିର ସଭ୍ୟମାନେ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷ ଏପ୍ରିଲ ୭, ୮, ୯ ତାରିଖ ମଧ୍ୟରେ ଏହି ଉତ୍ସବ ଦୁଇଟି ପାଳନ ହେବ। କେବଳ ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଉକ୍ତ ଦୁଇ ଉତ୍ସବ ପାଳନ କରିବା ନିମନ୍ତେ ସର୍ବସହମତି ହୋଇଛି। ବିମାନକୁ ସିମୀତ ସଂଖ୍ୟକ ସେବାୟତ (କମିଟି ଦ୍ୱାରା ନିର୍ଦ୍ଧାରିତ) ନେଇ ପଡ଼ିଆକୁ ଯିବେ। ଆତସବାଜି ପ୍ରଦର୍ଶନ ହେବ ନାହିଁ। ସାମାଜିକ ଦୂରତ୍ୱ, ମାସ୍କ ଏବଂ ସାନିଟାଇଜେସନ ବ୍ୟବହାର ବାଧ୍ୟତାମୂଳକ। ଦୋକାନ ବଜାର ପଡିବ ନାହିଁ। ବିମାନ ସହିତ ଆସିବାକୁ ଥିବା ୪୫ ବର୍ଷରୁ ଉର୍ଦ୍ଧ୍ଵ ସେବାୟତ ମାନଙ୍କୁ କୋଭିଡ ଟୀକା ଦିଆଯିବ। ୨୪ ଘଣ୍ଟା ପୋଲିସ ଏବଂ ମେଡିକାଲର ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟକାରୀ ହେବ।

ଆସନ୍ତାକାଲିଠାରୁ କଟକଣା ଗୁଡ଼ିକର ତହସିଲ ପ୍ରଶାସନ ଦ୍ୱାରା ପ୍ରଚାର ପ୍ରସାର ହେବ।  ପୋଲିସ ଦ୍ୱାରା ଯାତ୍ରା ସରିବା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ମଦ ଧରପଗଡ଼ ଅଭିଯାନ ଜାରି ରହିବ।  ବାହାରୁ ଯଦି କୌଣସି ବ୍ୟକ୍ତି ଯାତ୍ରା ସମୟରେ ଉକ୍ତ ଅଞ୍ଚଳକୁ ଆସିବେ ତେବେ ସେ ୭ ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ।

ଉକ୍ତ ବୈଠକରେ ବିଡ଼ିଓଙ୍କ ସହ ଚିଲିକା ତହସିଲଦାର ପୁନମ ମହାପାତ୍ର, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡ଼ାଙ୍ଗୁଆ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ, ହରିପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ବଉଳାବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ, ୨୨ ମୌଜା କମିଟି ସଭାପତି ଲଳିତ ମୋହନ ପଟ୍ଟନାୟକ, ଏଗାରଦୋଳ କମିଟି ସଭାପତି ହାଡିବନ୍ଧୁ ପଟ୍ଟନାୟକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକର ଅଗ୍ନିବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ମିଶନ ଜୟ ଜଗନ୍ନାଥ ସଂଗଠନ

ସୀତାରାମ ଅଗ୍ରୱାଲ
ଚିଲିକା: ଆଜିକାଲିର ସମାଜରେ ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରୁଥିବା ସଂଗଠନ ମିଳିବା ଏକ ସ୍ଵପ୍ନ ସଦୃଶ। କିନ୍ତୁ ମିଶନ ଜୟ ଜଗନ୍ନାଥ ସଂଗଠନ ଏଭଳି ଏକ ସଂଗଠନ, ଯାହା ଏବେ ଲୋକଙ୍କ ପାଖରେ ଅସମୟରେ ଠିଆ ହେଉଥିବାର ଦେଖିବାକୁ ମିଳୁଛି। କେତେଜଣ ପରୋପକାରୀ ଯୁବକମାନଙ୍କୁ ନେଇ ଏହି ସଂଗଠନ ସୃଷ୍ଟି ହୋଇଛି। ସଂଗଠନର ସଦସ୍ୟମାନଙ୍କ ନିଜସ୍ଵ ଆର୍ଥିକ ସହାୟତାରେ ଦୁର୍ଦ୍ଦିନରେ ପଡିଥିବା ଲୋକଙ୍କୁ ସହଯୋଗ କରୁଛି।

ତେବେ ଗତକାଲି ଏହି ସଂଗଠନ ଚିଲିକା ବ୍ଲକରେ ଅଗ୍ନିକାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାର ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଛି। ୧୨ ଟି କ୍ଷତିଗ୍ରସ୍ତ ପରିବାରକୁ ଚୂଡା, ଚିନି, ବିସ୍କୁଟ ଆଦି ବଣ୍ଟନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୭ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀର ଦଣ୍ଡା ସାହିରେ ଭୟଙ୍କର ନିଆଁ ଲାଗି ୧୦ ରୁ ଉର୍ଦ୍ଧ୍ଵ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ୧୦ ଟି ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ୬ ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହେବା ସହ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ଦୁଇଟି ଦମକଳ ଗାଡି ପାଖାପାଖି ୪ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିପାରିଥିଲେ।

ତେବେ ମିଶନ ଜୟ ଜଗନ୍ନାଥ ସଂଗଠନର ଏଭଳି ପ୍ରୟାସକୁ ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି। ସେମାନଙ୍କ ସହଯୋଗ ପରେ ଦୁଃଖ ଦୁର୍ଦ୍ଦଶାରେ ସମୟ କାଟୁଥିବା ଏଭଳି ଲୋକମାନଙ୍କୁ ଅନେକ ସମାଜସେବୀ ସଂଗଠନ ସହାୟତାର ହାତ ବଢାଇବେ ବୋଲି ଆଶା କରାଯାଉଛି।

ମିଶନ ଜୟ ଜଗନ୍ନାଥ ସଂଗଠନର ସଭାପତି ପ୍ରଦୋଶ କୁମାର ଦାସ, ସମ୍ପାଦକ ସଞ୍ଜୟ କୁମାର ବେହେରା, କୋଷାଧ୍ୟକ୍ଷ ଅରୁଣ କୁମାର ମହାପାତ୍ର, ସାଇରଞ୍ଜନ, ଦୁଷ୍ମନ୍ତ, ଅନନ୍ତ, ପବିତ୍ର, ପ୍ରତାପ, ଅଶୋକ, ଦେବୀ ପ୍ରସାଦ, ବିଶ୍ଵଜିତ, ସୁବ୍ରତ, ଚିତ୍ତରଞ୍ଜନ, ପ୍ରଦ୍ଯୁମ୍ନ, ବିକିନା ପ୍ରମୁଖ ଯୋଗ ଦେଇ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା କରିବେ ବୋଲି କହିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସୋରଣ ପଞ୍ଚାୟତରେ ଜିଆରଏସଙ୍କ ମନମୁଖୀ କାର୍ଯ୍ୟ: ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ସରପଞ୍ଚ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତରେ ୨୦୧୯/୨୦ ଆର୍ଥିକ ବର୍ଷରେ କରାଯାଇଥିବା ମାହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ ଯୋଜନାରେ ବହୁତ ଟଙ୍କା ସ୍ଥାନୀୟ ଜିଆରଏସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ  ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହା ସହ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୀର୍ଘ ୫ ମାସ ହେଲା କାର୍ଯ୍ଯାଳୟକୁ ଆସୁ ନଥିବା ଅଭିଯୋଗ ମଧ୍ୟ ହୋଇଛି।

ତିନି ମାସ ହେଲା କ୍ଲଷ୍ଟର ଟିଏମସିର ଟଙ୍କାକୁ ପିଇଓ ନିଜ ପାଖରେ ରଖି ବିଲ୍ ହୋଇନାହିଁ ବୋଲି କହୁଥିବାର ଅଭିଯୋଗ ହୋଇଛି। ସୋରଣ ଗ୍ରାମପଞ୍ଚାୟତର ସରପଞ୍ଚ ସୁଜାତା ବିଶ୍ଵାଳ ଏଭଳି ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଚିଲିକା ବିଡ଼ିଓଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଡ଼ିଓଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ସୋରଣ ପଂଚାୟତରେ ହୋଇଥିବା ଦୁର୍ନୀତିର ପୁନଃ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ସରପଞ୍ଚ। ସେପଟେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ପଚାରିବାରୁ ସେ ପିଡି ଡିଆରଡିଏଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ଯଦି ଦୁର୍ନୀତି ହୋଇଥାଏ, ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଏହି ଘଟଣା ଉପରେ ତଦନ୍ତ ହୋଇ ସତ୍ୟତା କେବେ ଲୋକଙ୍କ ସାମ୍ନାକୁ ଆସୁଛି ଓ ଯଦି ସେହି ପଞ୍ଚାୟତରେ ଅଧିକାରୀଙ୍କ ଦ୍ଵାରା ଦୁର୍ନୀତି ହେଉଛି, ତେବେ ଏହି ମାମଲାରେ କେବେ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି, ତାହା ଦେଖିବା ବାକି ରହିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ: ଚିଲିକା ବ୍ଲକରେ ଜଳିଗଲା ୧୦ ରୁ ଉର୍ଦ୍ଧ୍ଵ ବଖରା, ଜଣେ ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଅଗ୍ନିକାଣ୍ଡ ଘଟି ୧୦ ରୁ ଉର୍ଦ୍ଧ୍ଵ ବଖରା ଜଳି ପାଉଁଶ ହୋଇଯାଇଛି। ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀର ଦଣ୍ଡା ସାହିରେ ଭୟଙ୍କର ନିଆଁ ଲାଗି ଅନେକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା।

ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ରୋଷେଇ ଘରୁ ଗ୍ୟାସ ଲିକ୍ ହେବାରୁ ନିଆଁ ଲାଗିଯାଇଥିଲା। ଯଦ୍ୱାରା ନିଆଁ ଦ୍ରୁତ ଗତିରେ ନିକଟସ୍ଥ ଚାଳ ଘରକୁ ବ୍ୟାପୀ ଯାଇଥିଲା। ଏହି ନିଆଁକୁ ଲିଭାଇବା ପାଇଁ ୨ଟି ଦମକଳ ଗାଡି ନିୟୋଜିତ ହୋଇଥିଲା। ନିଆଁ ଆୟତ୍ତ ହେବା ବେଳକୁ ୧୦ ଟି ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ୬ ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ଏଥିରେ ଜଣେ ମହିଳା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ତେବେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଆକଳନ କରି ପ୍ରଭାବିତ ହୋଇଥିବା ପରିବାରଙ୍କୁ ସହାୟତା ରାଶି ମିଳିବା ପାଇଁ ଦାବି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକର ସରକାରୀ ମଣ୍ଡିରେ ଧାନ ବିକ୍ରି: ୧୦ ଦିନ ପରେ ବି ଚାଷୀଙ୍କୁ ମିଳୁନି ଟଙ୍କା

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ତରଫରୁ ସରକାର ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କିଣିଛନ୍ତି। କିନ୍ତୁ ସରକାରି ଘୋଷଣା ମୁତାବକ ଧାନ କିଣା ପରେ ସମ୍ପୃକ୍ତ ଚାଷୀଙ୍କର ଆଖି ଦ୍ୱାରା ଆଧାର ଭେରୀଫିକେସନ ପ୍ରକ୍ରିୟା ଦ୍ବାରା ଧାନ ବିକ୍ରିର ସଠିକ ମୂଲ୍ୟ ଚାଷୀର ପଞ୍ଜିକୃତ ବ୍ୟାଙ୍କକୁ ୨୪ ଘଣ୍ଟା ମଧ୍ୟରେ ଟଙ୍କା ଜମା ହେବା କଥା। କିନ୍ତୁ ବିଗତ ଡିସେମ୍ବର ମାସର ପ୍ରଥମ ଗୋଟିଏ ଦୁଇଟି ମଣ୍ଡି ଛାଡିଦେଲେ ଅଧୁନା ଜାନୁଆରୀ ମାସର ୧ ତାରିଖରୁ ଆଜି ଯାଏଁ ପ୍ରଶାସନ ଧାନ କିଣାରେ ବ୍ୟସ୍ତ ଥିବାବେଳେ ଚାଷୀମାନଙ୍କର ଖାତାକୁ ଟଙ୍କା ଆସୁନାହିଁ।

ପରିସ୍ଥିତି ଏପରି ହୋଇଛି ଯେ, ଚାଷୀ ଶୋଷଣ ନୀତିରେ ଧାନ ମଣ୍ଡି ଚାଲୁଛି। ରାଜନେତା ମାନେ ଧାନ ମଣ୍ଡି ଉଦଘାଟନ କରି ବାହାବା ନେଉଥିବା ବେଳେ ଏଭଳି ପରିସ୍ଥିତିରେ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଧାନ ନେଉଥିବା ମିଲର ମାନଙ୍କର ପ୍ରଶାସନ ସହ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ମାନେ ବିଭିନ୍ନ ସମୟରେ ଅସୁବିଧା ଭୋଗୁଛନ୍ତି ବୋଲି ଅଭିଯୋଗ ହେଉଛି। ଏପରିକି ଟୋକନ୍ ପାଇଥିବା ଚାଷୀ ନିର୍ଦ୍ଦିଷ୍ଟ ତାରିଖରେ ଧାନ ବିକ୍ରି କରିପାରୁନାହିଁ। ଟୋକନ୍ ତାରିଖର ୧୫ଦିନ ବିଳମ୍ବରେ ଧାନ ନେଉଛନ୍ତି ମିଲର।

ସରକାରୀ ନିର୍ଦ୍ଦେଶ ମୁତାବକ ଟୋକନ୍ ନମ୍ବର ପଞ୍ଜିକୃତ ତାରିଖଠାରୁ ୧୫ଦିନ ବିଳମ୍ବରେ ଉଠୁଛି ଧାନ। ଧାନ ବିକ୍ରି ହେବାର ୧୦ ଦିନ ପରେବି ଚାଷୀକୁ ତାର ପ୍ରାପ୍ୟ ମିଳୁନି। ଚାଷୀ ବ୍ୟାଙ୍କକୁ ସୋସାଇଟି ଧାଇଁ ଧାଇଁ ନୟାନ୍ତ। ଅପରପକ୍ଷରେ ଏଭଳି ସମସ୍ୟା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ୍ ଅଧିନସ୍ଥ ଜରିପଡ଼ା, ସୋରଣ, ବିରିବାଡି, ନଇରି, ଚଣ୍ଡେଶ୍ଵର ଆଦି ସେବା ସମବାୟ ସମିତିର ଶହ ଶହ ଚାଷୀ ବର୍ଷାକୁ ଚାତକ ଚାହିଁ ରହିବା ଭଳି ବର୍ଷ କର ରୋଜଗାରକୁ ଅନେଇ ରହିଛନ୍ତି।

ଅଧୁନା ଧାନ ଚାଷ ବ୍ୟୟବହୁଳ ସହ ଚାଷୀ ତାର ପରମ୍ପରା ବଜାୟ ରଖି କ୍ଷତିରେ ଚାଲୁଥିବା ବେଳେ ସରକାରଙ୍କର ନିର୍ଦ୍ଦୟ ମନୋଭାବ ସହ ଟାଳଟୁଳ ନୀତି ଯୋଗୁଁ ଚାଷୀ ତାର ହକ୍ ପାଇବାରୁ ବଞ୍ଚିତ ହେଉଛି। ଚାଷୀ ମାନଙ୍କର ଧାନ ବିକ୍ରି ପଇସା କେବେ ପ୍ରାପ୍ୟ ହେବ ଏନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲାର ଯୋଗାଣ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନମ୍ବର ବନ୍ଦ ଥିଲା।

ତେବେ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ନରସିଂହ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଏବାବଦରେ ଉତ୍ତର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡ଼ି.ଇ.ଓ ଦେଇପାରିବେ ଏବଂ କିଛି ତ୍ରୁଟି ଲାଗି ପଇସା ମିଳିପାରିନଥିବ। ଚାଷୀମାନେ ଟିକେ ଅପେକ୍ଷା କରନ୍ତୁ ବିଳମ୍ବ ହେଲେବି ପଇସା ନିଶ୍ଚିତ ମିଳିବ।

ଏଠାରେ ପ୍ରଶ୍ନ ଉଠେ ଯେ ସରକାର ଘୋଷଣା ମୁତାବକ ଚାଷୀ ଧାନ ବିକିବାର ୨୪ ଘଣ୍ଟା ରେ ବ୍ୟାଙ୍କ ଖାତାରେ ଚାଷୀର ପ୍ରାପ୍ୟ ମିଳିବ। ତେବେ ଏହା କେତେଦୂର ଫଳପ୍ରଦ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଆଗକୁ ଏ ବିବାଦର ସମାଧାନ ନହେଲେ ଚାଷୀ ଧାନ ମଣ୍ଡି ଘେରାଉ ସହ ରାଜରାସ୍ତାକୁ ଆସିବାର ଧମକ ଦେଲେଣି। ତୁରନ୍ତ ଏ ଦିଗରେ ଖୋର୍ଦ୍ଧା ଜିଲ୍ଲାପାଳ ଦୃଷ୍ଟି ଦେବା ସହ ଯୋଗାଣ ବିଭାଗର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି। ନଚେତ ଚାଷୀ ସମାବେଶ ପାଇଁ ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ଚାଷୀମାନେ ଧମକ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମନରେଗା କାର୍ଯ୍ୟରେ ମହା ଦୁର୍ନୀତି: ଚିଲିକା ବ୍ଲକରେ ୭୬ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଚଳୁ କରିଦେଲେ ସରକାରୀ ଅଧିକାରୀ

ସୀତାରାମ ଅଗ୍ରୱାଲ

ଚିଲିକା: ବିଶ୍ବରେ କରୋନା ଭୂତାଣୁ ୧୨ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ଆମ ରାଜ୍ୟରୁ ୧ ହଜାର ୩୫୨ଜଣଙ୍କ  ଜୀବନ ଚାଲିଗଲାଣି। ବର୍ତ୍ତମାନ କରୋନାଜନିତ ମୃତ୍ୟୁ ଠାରୁ ଖାଇବାକୁ ନପାଇ ଅନାହାରରେ କିମ୍ବା ଜୀବିକା ହରାଇ ଲକ୍ଷାଧିକ ଗରିବ ଲୋକଙ୍କ ଜୀବନ ଗଲାଣି। ଯଦିବା ଏହାର କୌଣସି ସରକାରୀ ହିସାବ ନାହିଁ, କିନ୍ତୁ ସରକାର ଏସବୁକୁ ଭଲ ଭାବରେ ଅନୁଭବ କରିପାରୁଛନ୍ତି।

ସେଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏନେଇ ଚିନ୍ତା ପ୍ରକଟ କରି ଜୀବନ ଜୀବିକାକୁ ଗୁରୁତ୍ଵ ଦେଉଥିବା ବେଳେ ଏହାକୁ କେତେ ଜଣ ଭ୍ରଷ୍ଟ ନେତା ଓ ସରକାରୀ କର୍ମଚାରୀ ଅଣଦେଖା କରୁଛନ୍ତି। କଙ୍କଡାକୁ ଗୋଳିପାଣି ସୁବିଧା ପରି ଏମାନେ ଏହି ଦୁର୍ଦ୍ଦିନ ସମୟରେ ଗରିବ ନିଷ୍ପେସିତ ଲୋକଙ୍କୁ ଶୋଷଣ କରି ଚାଲିଛନ୍ତି।

ଏହି ମହାମାରୀ ସମୟରେ ଜୀବନ ଜୀବିକାକୁ ସୁରକ୍ଷିତ ରଖିବା ପାଇଁ ମନରେଗା ଯୋଜନା ଗରିବ ଲୋକଙ୍କ ପାଇଁ ଏକ ବଡ ଆଶା ଆଉ ଭରସା। କିନ୍ତୁ ଏଥିରେ ମଧ୍ୟ ଦୁର୍ନୀତି ଆରମ୍ଭ ହୋଇସାରିଛି। ବିନା କାର୍ଯ୍ୟରେ ବିଲ୍ ଉଠାଇ କେତେ ଜଣ ଅସାଧୁ ଲୋକ ନିଜ ପକେଟ ଗରମ କରୁଥିବା ଖବର ଏବେ ହସ୍ତଗତ ହୋଇଛି। ମନରେଗା କାର୍ଯ୍ୟକୁ ନେଇ ମହାଦୁର୍ନୀତି ହୋଇଥିବାର ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ପରବଳ ଗ୍ରାମବାସୀଙ୍କ ଦ୍ଵାରା କରାଯାଇଛି।

ମିଳିଥିବା ତଥ୍ୟ ଅନୁସାରେ ଚିଲିକା ବ୍ଲକ ହରିପୁର ପଞ୍ଚାୟତ ପରବଳ ଗ୍ରାମ ଅଙ୍ଗନବାଡି କେନ୍ଦ୍ର ଠାରୁ ମା’ ଉତରାୟଣୀ ମନ୍ଦିର ପର୍ଯ୍ୟନ୍ତ ମନରେଗା କାର୍ଯ୍ୟ ଅନ୍ତର୍ଭୁକ୍ତ ଏକ ମୋରମ ରାସ୍ତା ନିର୍ମାଣ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ଏକ ପ୍ରକଳ୍ପ ଅନୁମୋଦିତ ହୋଇଥିବାସ୍ଥଳେ ଦୁଇ ବର୍ଷ ଯାଏଁ କାର୍ଯ୍ୟ ଆରମ୍ବ ହୋଇନଥିଲା। ଫଳରେ

୨୦୧୯-୨୦ ଆର୍ଥିକ ବର୍ଷରେ ଉକ୍ତ ପ୍ରକଳ୍ପ କୁ ପୁନଶ୍ଚ ନବୀକରଣ କରାଯିବାପରେ ସରକାରଙ୍କ ତରଫରୁ ପ୍ରକଳ୍ପର ନିର୍ମାଣ ପାଇଁ ସଂପୂର୍ଣ୍ଣ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଅନୁମୋଦିତ ହୋଇଛି। ହେଲେ ଆଜି ତାରିଖ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ କୌଣସି କାର୍ଯ୍ୟ ନହୋଇ ଆଗୁଆ ୭୬ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ବିଲ୍ କରି ସମ୍ପୃକ୍ତ ପଞ୍ଚାୟତର ଜି.ଆର.ଏସ ଚଳୁ କରିଦେଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରବଳ ଗ୍ରାମବାସୀ।

ଅମପାଖେ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ୱାର୍କ କୋଡ଼ ୨୪୨୩୦୫୫ରେ ଉକ୍ତ କାର୍ଯ୍ୟଟି ବର୍ତ୍ତମାନ ଚାଲୁଅଛି ବୋଲି ଦର୍ଶାଯାଇଛି ଏବଂ ଏହି ପ୍ରୋଜେକ୍ଟ ର କିଛି ଅଂଶ ତା ୮.୦୫.୨୦ ରିଖରୁ ତା ୧୪.୦୫.୨୦ ରିଖ ଏବଂ ତା ୧୫.୦୫.୨୦ ରିଖରୁ ତା ୨୧.୦୫.୨୦ ରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ବୋଲି ଦର୍ଶାଯାଇଛି। ତେବେ ମଷ୍ଟର ରୋଲ ନମ୍ବର ୮୬, ୮୭ ଏବଂ ୮୮ ରେ ଉକ୍ତ କାର୍ଯ୍ୟପାଇଁ ନିୟୋଜିତ କରାଯାଇଥିବା ୨୯ ଅଣକୁଶଳୀ ଶ୍ରମିକଙ୍କୁ ୨୦୩ ଦିନର ପାରିଶ୍ରମିକ ଭାବେ ଦିନକୁ ୨୦୭ ଟଙ୍କା ହିସାବରେ ୪୨ ହଜାର ୨୧ ଟଙ୍କା ଏବଂ ତା ୧୫.୦୫.୨୦ ରିଖରୁ ୨୧.୦୫.୨୦ ମଧ୍ୟରେ ମଧ୍ୟରେ ମଷ୍ଟର ରୋଲ ନମ୍ବର ୧୪୦, ୧୪୧, ୧୪୨ ରେ ସେହି କାର୍ଯ୍ୟରେ ନିୟୋଜିତ ହୋଇଥିବା ୨୪ ଜଣ ଅଣକୁଶଳୀ ଶ୍ରମିକ ଙ୍କୁ ୧୬୮ ଦିନର ପାରିଶ୍ରମିକ ଭାବେ ୩୪ ହଜାର ୭୭୬ ଟଙ୍କା ପ୍ରଦାନ କରାଯାଇଅଛି।

ତେବେ ତଥ୍ୟ ଅନୁଯାୟୀ ଆଜି ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଣକୁଶଳୀ ଶ୍ରମିକଙ୍କୁ ସର୍ବମୋଟ ୭୬ ହଜାର ୭୯୭ ଟଙ୍କା ପ୍ରଦାନ କରାଯାଇଅଛି। ତେବେ ଆଶ୍ଚର୍ଯ୍ୟର କଥା ମଷ୍ଟର ରୋଲ ଅନୁଯାୟୀ ସେହି କାର୍ଯ୍ୟରେ ନିୟୋଜିତ ହୋଇଥିବା ଲୋକଙ୍କୁ ପଚାରିବାରେ ସେମାନେ ସେହି କାର୍ଯ୍ୟ ବିଷୟରେ କିଛି ଜାଣିନଥିବାର ପ୍ରତିକ୍ରିୟା ରଖିଛନ୍ତି।

ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ଯଦି ମଷ୍ଟର ରୋଲରେ ଦର୍ଶାଯାଇଥିବା ଅଣ କୁଶଳୀ ଶ୍ରମିକ ମାନେ ଉକ୍ତ କାର୍ଯ୍ୟ କରିନାହାନ୍ତି ତେବେ ମନରେଗା ଜବ କାର୍ଡକୁ ଟଙ୍କା ଆସିଲା କିପରି? ଦ୍ଵିତୀୟରେ ଯଦି ସମ୍ପୃକ୍ତ ଅଞ୍ଚଳରେ ଇଞ୍ଚିଟିଏ କାମ ଆଜି ପର୍ଯ୍ୟନ୍ତ ହୋଇନାହିଁ ଏପରିକି ଝୁଡ଼ିଟିଏ ମାଟି ମଧ୍ୟ ପଡ଼ିନାହିଁ ତେବେ କେଉଁ ଆଧାରରେ ବିଲ୍ ମଞ୍ଜୁର ହେଲା? ନିୟମ ଅନୁଯାୟୀ ବିଲ ମଞ୍ଜୁରୀ ପୂର୍ବରୁ ସମ୍ପୃକ୍ତ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ତଦାରଖ କରିବା କଥା ଏବଂ ବିଲ ପାସ ପୂର୍ବରୁ ଜେ.ଇ, ସରପଞ୍ଚ, ଜି.ଆର.ଏସ, ପି.ଇ.ଓ ଏବଂ ସ୍ୱୟଂ ବି.ଡ଼ି.ଓଙ୍କ ଦସ୍ତଖତ ରହିବା କଥା।

ଏ ବିଷୟ ନେଇ ହରିପୁର ଗ୍ରାମ ପଞ୍ଚାୟତ ଜି.ଆର.ଏସ ସନ୍ତୋଷ ଜେନାଙ୍କୁ ପଚାରିବାରୁ ଏହି ପ୍ରକଳ୍ପର ଅର୍ଥ ରାଶି ଅନ୍ୟ ଏକ ପ୍ରକଳ୍ପର କାର୍ଯ୍ୟ ପାଇଁ ବିନିଯୋଗ କରିଦେଇଥିବା କହିଛନ୍ତି। ହେଲେ ଚିଲିକା ବି.ଡ଼ି.ଓ ଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇନାହାନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ସରକାର ଏବଂ ଫାଇଭ-ଟି କୁ ପ୍ରାଧାନ୍ୟ ଦେଉଥିବାବେଳେ ଏଠି ଖୋଦ ସରକାରୀ ବାବୁମାନେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି କରିବାକୁ ପଛାଉନାହାନ୍ତି। ତେବେ ଏପରି ଜଘନ୍ୟ ଅପରାଧ ପାଇଁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉକ୍ତ ଦୁର୍ନୀତିରେ ଜଡିତ ଥିବା ସମସ୍ତ ଅଧିକାରୀଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡଦେବାକୁ ଗ୍ରାମବାସୀମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବ୍ଲକ ହରିକୁଣ୍ଡ ବରଡ଼ି ଗ୍ରାମରେ ଅଘଟଣ: ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ

ସୀତାରାମ ଅଗ୍ରୱାଲ 

ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ବିଦ୍ୟୁତ ଆଘାତରେ ଆସି ଜଣେ ଯୁବକଙ୍କ  ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକ ଯୁବକଙ୍କ ନାମ ରବୀନ୍ଦ୍ର ସ୍ଵାଇଁ (୨୩)।

ସୂଚନା ଯୋଗ୍ୟ ଯେ, ରବୀନ୍ଦ୍ର ହରିକୁଣ୍ଡ ବଜାରରେ ଥିବା ଦୋକାନ ଘର ଛାତ ପକାଇବା ପାଇଁ ସଟ୍ରିଙ୍ଗ ବାନ୍ଧୁଥିଲେ। ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସହ ଏକ ଓଦା କାଠ ସଂସ୍ପର୍ଶରେ ଆସିବାରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଗୁରୁତର ଅଵସ୍ଥାରେ ରବୀନ୍ଦ୍ରଙ୍କୁ ସ୍ଥାନୀୟ ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଟାଙ୍ଗୀ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇବା ବ୍ୟବସ୍ଥା କରିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକରେ ପୁଣି ଏକ ମହାଦୁର୍ନୀତି: ମୃତକଙ୍କ ସହିତ ସରକାରୀ କର୍ମଚାରୀଙ୍କୁ ମିଳୁଛି ରାସନ ସାମଗ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ଗ୍ରାମପଞ୍ଚାୟତରେ ଦୁଇ ଜଣ ମୃତ ବ୍ୟକ୍ତିଙ୍କ ଚାରି ଚାରି ବର୍ଷ ଯାଏଁ ରାସନ କାର୍ଡ କାର୍ଯ୍ୟକ୍ଷମ ରହିଥିବାର ଦେଖିବାକୁ ମିଳିଥିଲା। ଏହି ଖବର ଆମେ ପ୍ରସାରଣ କରିବାପରେ ଚଳଚଞ୍ଚଳ ହୋଇଉଠିଥିଲା ଉଭୟ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ। ଯୋଗାଣ ନିରୀକ୍ଷକଙ୍କୁ ବି.ଡ଼ି.ଓ ରିପୋର୍ଟ ମାଗିଥିବାବେଳେ ଜିଲ୍ଲାପାଳ ଉକ୍ତ ଘଟଣାର ତଦନ୍ତ ଉପଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ଖବର ପ୍ରସାରଣ ହେବାର ଚାରି ଘଣ୍ଟା ପରେ ଯୋଗାଣ ନିରୀକ୍ଷକ ମୃତ ଦୁଇ କାର୍ଡଧାରୀଙ୍କ ନାମକୁ ପି.ଡ଼ି.ଏସ ଓଡିଶା ୱେବସାଇଟରୁ କାଟିଦେଇଥିଲେ ଏବଂ ବି.ଡ଼ି.ଓ ଙ୍କୁ ଲିଖିତ ଉତ୍ତର ଦେଇଥିଲେ।

କିନ୍ତୁ ଏହାପରେ ମଧ୍ୟ ଉକ୍ତ ପଞ୍ଚାୟତର ଅନେକ ମୃତ ବ୍ୟକ୍ତିଙ୍କ ନାମ ରାସନ କାର୍ଡ ତାଲିକାରେ ଦେଖିବାକୁ ମିଳିଛି ଯାହା ଆଜି ବି ସକ୍ରିୟ ଅଛି। ପୁଣି ମାନସିଂହପୁର ପଞ୍ଚାୟତରୁ ଗୋଟେ କିମ୍ବା ଦୁଇଟା ନାଇଁ ଛଅ ଗୋଟି ରାସନ କାର୍ଡର ଦୁର୍ନୀତି ଦେଖିବାକୁ ମିଳିଛି। ଯେଉଁ ହିତାଧିକାରୀଙ୍କ ମୃତ୍ୟୁ ବହୁତ ବର୍ଷ ପୂର୍ବେ ହୋଇଯାଇଛି, ସେହି କାର୍ଡ ଗୁଡିକର ତଥ୍ୟ ଦେଖିଲେ ଚିଲିକା ବ୍ଲକରେ ରାସନ କାର୍ଡ଼ର ଦୁର୍ନୀତି କିପରି କରାଯାଉଛି ସ୍ପଷ୍ଟ ରୂପେ ଜାଣି ହେବ।

ଦେଖନ୍ତୁ ମୃତ ବ୍ୟକ୍ତି ନାମରେ ରାସନ ସାମଗ୍ରୀ ହରିଲୁଟର ତାଲିକା

୧- କାର୍ଡ ନଂ-୧୯୦୭୧୪୧୩୬୩୩- ସମ୍ଭାରୀ ବେହେରା-୨୭.୩.୧୮ରେ ମୃତ।

– କାର୍ଡ ନଂ- ୧୯୦୭୧୪୧୪୪୧୦- ଶିଶୁଳା ଘଡେ଼ଇ- ୩.୧୦.୧୮ରେ ମୃତ।

୩- କାର୍ଡ ନଂ- ୧୯୦୭୧୪୧୪୬୮୪- ମେଘି ବେହେରା- ୯.୧୨.୧୬ ରେ ମୃତ।

୪- କାର୍ଡ ନଂ-୧୯୦୭୧୪୧୩୯୬୨-ଡୋମୀ ବେହେରା- ୩.୨.୨୦ରେ ମୃତ।

୫- କାର୍ଡ ନଂ-୧୯୦୭୧୪୧୨୯୩୬ ଧନୀ ଦେଇ-୧୯.୧.୧୬ରେ ମୃତ।

୬- କାର୍ଡ ନଂ-୧୯୦୭୧୪୧୩୨୭୪-ଅନ୍ନପୂର୍ଣ୍ଣା ବେହେରା- ୫.୦୫.୧୯ରେ ମୃତ।

ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ଯେ କେବଳ କାଗଜ କଲମରେ ତଦନ୍ତ ହେଉଛି। ବି.ଡ଼ି.ଓ ଙ୍କ ଉଦାସୀନତା ମନୋଭାବ ଲାଗି ଯୋଗାଣ ନିରୀକ୍ଷକ ଏବଂ ଉକ୍ତ ପଞ୍ଚାୟତର ଯୋଗାଣ ସହାୟକ ଆଜି ବେଫିକର ରହୁଛନ୍ତି। ଏପରିକି ଜନସାଧାରଣ କହୁଛନ୍ତି ଯେ ଯୋଗାଣ ନିରୀକ୍ଷକଙ୍କ ଖୋର୍ଦ୍ଧା ଏ.ସି.ଏସ.ଓ ଭାବେ ପଦୋନ୍ନତି ହୋଇଯାଇଥିବାରୁ ଖୁସିରେ କାର୍ଡ କାଟୁନାହାନ୍ତି ଏବଂ ଖୋଲାଖୋଲି ଦୁର୍ନୀତି କରୁଛନ୍ତି।

ସେହିପରି ଚିଲିକା ବ୍ଲକରେ ଆଉ ଏକ ବଡ ଦୁର୍ନୀତି ସାମ୍ନାକୁ ଆସିଛି। ଯୋଗ୍ୟ ହିତାଧିକାରୀ କାର୍ଡ ପାଇବା ପାଇଁ ଛଟପଟ ହେଉଥିବା ବେଳେ ସରକାରୀ କର୍ମଚାରୀଙ୍କ ପରିବାରକୁ ମିଳୁଛି ରାସନ ସାମଗ୍ରୀ।

୧୯୦୭୧୪୧୩୩୮୬ କାର୍ଡ ନମ୍ବର ଟି ହେଉଛି ସୋରଣ ଡାକ୍ତରଖାନରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ ପରିବାରର। ଉକ୍ତ କାର୍ଡରେ ଚଂଚକତାର ସହ ଫାର୍ମାସିଷ୍ଟ ମହୋଦୟା ନିଜ ନାମ କାଟିଦେଇଛନ୍ତି। କିନ୍ତୁ ତାଙ୍କ ପରିବାର ସଦସ୍ୟ ବରାବର ରାସନ ପାଉଛନ୍ତି। ଉକ୍ତ କାର୍ଡରେ ଚାରିଜଣ ହିତାଧିକାରୀଙ୍କ ନାମ ଅଛି। ଯେଉଁଥିରେ ଫାର୍ମାଶିଷ୍ଟଙ୍କ ଶଶୁରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ନାମରେ ମଧ୍ୟ ରାସନ ସାମଗ୍ରୀ ଆସୁଛି। ଏଠି ପ୍ରଶ୍ନ ଉଠୁଛି ଜଣେ ସରକାରୀ ଚାକିରିଆ କିମ୍ବା ତାଙ୍କ ପରିବାରର ରାସନ କାର୍ଡ ପାଇବାର ପ୍ରାବଧାନ ନଥିବାବେଳେ ଯୋଗାଣ ନିରୀକ୍ଷକ କିପରି ତାଙ୍କୁ କାର୍ଡ ପ୍ରଦାନ କଲେ। ଏଠି ଖୋଲାଖୋଲି ଦୁର୍ନୀତି ହୋଇଥିବାର ପ୍ରମାଣ ମିଳୁଛି। ଯୋଗାଣ ସହାୟକ ଏବଂ ଯୋଗାଣ ନିରୀକ୍ଷକ ଉଭୟ ମିଶିକରି ମାନସିଂହପୁର ପଞ୍ଚାୟତରେ ଦୁର୍ନୀତି କରୁଥିବାର ଲୋକେ ଅଭିଯୋଗ କରୁଛନ୍ତି।

ସୂଚନାଥାଉ କି ଯୋଗାଣ ନିରୀକ୍ଷକ ବାଣପୁର ଏବଂ ଚିଲିକା ବ୍ଲକ ଓ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ଚାରି ଗୋଟି ଅଞ୍ଚଳର ଦାଇତ୍ତ୍ଵରେ ଥିବାବେଳେ ଏପରି ଅନେକ ଦୁର୍ନୀତି ସବୁ ସ୍ଥାନରେ ହୋଇଥିବାର ଅଭିଯୋଗ ହେଉଛି। ଆଗାମୀ ଦିନରେ ଯଦି ମାନସିଂହପୁର ପଞ୍ଚାୟତରେ ହୋଇଥିବା ଉକ୍ତ ଦୁର୍ନୀତିର ନ୍ୟାୟିକ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆନଯାଏ। ତେବେ ପଞ୍ଚାୟତବାସି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଲଗାତର ମାନସିଂହପୁର ପଞ୍ଚାୟତରେ ହେଉଥିବା ରାସନ କାର୍ଡ଼ ଦୁର୍ନୀତିର ପର୍ଦାଫାଶ ତଥ୍ୟ ପ୍ରମାଣ ଆଧାରରେ କରାଯିବାପରେ ଦୋଷୀଙ୍କ ଉପରେ ଚିଲିକା ବ୍ଲକ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଦେଖିବାକୁ ବାକି ରହିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସମୀକ୍ଷା ନିୟୁଜରେ ରାସନ କାର୍ଡ ମହାଦୁର୍ନୀତି ଖବର ପ୍ରସାରଣ ପରେ ଆକ୍ସନମୋଡ଼ରେ ଚିଲିକା ବ୍ଲକ ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସମୀକ୍ଷା ନିୟୁଜରେ ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତରେ ରାସନ କାର୍ଡ ମହାଦୁର୍ନୀତିର ଖବର ପ୍ରସାରଣ ହେବାପରେ ଚେଇଁ ଉଠିଛି ଚିଲିକା ବ୍ଲକ ପ୍ରଶାସନ। ଚିଲିକା ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁଙ୍କୁ ଏ ବିଷୟ ନେଇ ସ୍ପଷ୍ଟିକରଣ ମାଗିଥିଲେ। ଯାହା ଫଳରେ ସମ୍ପୃକ୍ତ ଦୁଇ ମୃତକ ବ୍ୟକ୍ତିଙ୍କ ରାସନ କାର୍ଡ ବର୍ତ୍ତମାନ ପିଡ଼ିଏସ ଓଡିଶା ୱେବସାଇଟରୁ କାଟିଦେଇଥିବାର ଲିଖିତ ଭାବରେ ଉତ୍ତର ରଖିଛନ୍ତି ଯୋଗାଣ ନିରୀକ୍ଷକ।

ହେଲେ ଦୀର୍ଘ ଚାରିବର୍ଷ ଯାଏଁ କିପରି କାର୍ଡଗୁଡିକ କାର୍ଯ୍ୟକ୍ଷମ ଥିବା ପ୍ରଶ୍ନରେ ଅବହେଳା ଲାଗି ଏପରି ହୋଇଥିବାର ଯୋଗାଣ ନିରୀକ୍ଷକ ବି.ଡ଼ି.ଓଙ୍କୁ ଉତ୍ତର ଦେଇଛନ୍ତି। ବି.ଡ଼ି.ଓ ବର୍ତ୍ତମାନ ଚିଲିକା ବ୍ଲକର ସତର ଗୋଟି ପଞ୍ଚାୟତର ମୃତ୍ୟୁ ରିପୋର୍ଟ ମଗାଇବା ସହ ସବୁ ପଞ୍ଚାୟତର ପି.ଇ.ଓ ଏବଂ ଯୋଗାଣ ସହାୟକମାନଙ୍କୁ ରାସନ କାର୍ଡ ଏବଂ ଖାଉଟି ସାମଗ୍ରୀ ବଣ୍ଟନର ରିପୋର୍ଟ ମାଗିବେ ବୋଲି ସୂଚନା ଦେଇଛନ୍ତି।

ଅପରପକ୍ଷେ ମାନସିଂହପୁର ପଞ୍ଚାୟତରେ ମୃତକଙ୍କ ରାସନ କାର୍ଡ କାର୍ଯ୍ୟକ୍ଷମ ଥିବା ଘଟଣାର ତଦନ୍ତ ଆଗକୁ ଅବ୍ୟାହତ ରହିବ ଏବଂ ଯଦି ସେଥିରେ କିଛି ଦୁର୍ନୀତି ହୋଇଥାଏ ତେବେ ଦୋଷୀଙ୍କ ଉପରେ ନିଶ୍ଚିତ ରୂପେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି.ଡ଼ି.ଓ ଦୃଢୋକ୍ତି ପ୍ରକାଶ କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାପାଳ ମହୋଦୟଙ୍କୁ ଆମ ପ୍ରତିନିଧି ଏ ବିଷୟ ନେଇ ଅବଗତ କରାଇବାପରେ ସେ ଉକ୍ତ ଘଟଣାର ତଦନ୍ତ ଭାର ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବାର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକରେ ରାସନ କାର୍ଡର ମହାଦୁର୍ନୀତି: ଚାରି ବର୍ଷ ଧରି ମୃତକଙ୍କୁ ମିଳୁଛି ରାସନ ସାମଗ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନଜରକୁ ଆସିଛି ରାସନ କାର୍ଡର ମହାଦୁର୍ନୀତି। ଦୀର୍ଘ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ରାସନ କାର୍ଡରୁ ରାସନ ସାମଗ୍ରୀ ଉଠୁଥିବା ନେଇ ଅଭିଯୋଗ ହେଉଛି। ମାନସିଂହପୁର ପଞ୍ଚାୟତରେ ଏପରି ଜଘନ୍ୟ କାରନାମା ଚାଲିଛି।

ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ମାନସିଂହପୁର ପଞ୍ଚାୟତର ସୀତା ବେହେରା ଏବଂ ରାଞ୍ଚନ ବେହେରାଙ୍କ ରାସନ କାର୍ଡ ନମ୍ବର ଯଥାକ୍ରମେ ୧୯୦୭୧୪୧୨୫୮୬ ଏବଂ ୧୯୦୭୧୪୧୨୮୨୦ ଅଟେ। ହେଲେ ସୀତା ବେହେରା ୩୧.୦୮.୧୮ରେ ମୃତ୍ୟୁବରଣ କରିଥିବାବେଳେ କାଞ୍ଚନ ବେହେରାଙ୍କ ମୃତ୍ୟୁ ୨୪.୦୭.୧୬ ରେ ହୋଇଥିଲା। ତେବେ ଆଜି ତାରିଖରେ ସୀତା ବେହେରାଙ୍କ ମୃତ୍ୟକୁ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇଯାଇଥିବା ସ୍ଥଳେ କାଞ୍ଚନଙ୍କ ମୃତ୍ୟୁକୁ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇଗଲାଣି କିନ୍ତୁ ଆଶ୍ଚର୍ଯ୍ୟର କଥା ଉଭୟଙ୍କ ରାସନ କାର୍ଡ ଆଜି ବି କାର୍ଯ୍ୟକ୍ଷମ ଅଛି।

ହେଲେ ଏ ନେଇ ମାନସିଂହପୁର ଗ୍ରାମ ପଞ୍ଚାୟତ ଯୋଗାଣ ସହାୟକ ସୁକାନ୍ତ ବେହେରାଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇପାରିନାହିଁ। କିନ୍ତୁ ଗ୍ରାମରେ ଚର୍ଚ୍ଚା ହେଉଛି ଯେ ଏହି ସବୁ ହେରଫେର ଏବଂ ଦୁଇ ନମ୍ବରୀ କାମରେ ଯୋଗାଣ ସହାୟକଙ୍କ ପ୍ରତ୍ୟେକ୍ଷ ଭୂମିକା ଅଛି। ଯୋଗାଣ ନିରୀକ୍ଷକ ଶ୍ରୀ ତ୍ରିଲୋଚନ ସାହୁଙ୍କୁ ଏ ନେଇ ପଚାରିବାରୁ ସେ କହିଲେ ଯେ ଏ ବିଷୟ ଗତ ତିନି ମାସ ତଳେ ତାଙ୍କ ନଜରକୁ ଆସିଛି କିନ୍ତୁ କାର୍ଡ ସକ୍ରିୟ ଥିଲେ ବି ରାସନ ସାମଗ୍ରୀ ସରକାରଙ୍କୁ ଫେରାଇ ଦିଆଯାଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ୧-ଏତେ ବର୍ଷ ହେଲା କାର୍ଡ ଗୁଡିକ କିପରି କାର୍ଯ୍ୟକ୍ଷମ ଅଛି?

୨- ମୃତକଙ୍କ ନାମରେ ଆସୁଥିବା ରାସନ ସାମଗ୍ରୀ ଖାଉଛି କିଏ?

୩-ଶେଷରେ ଯଦି ମୃତକଙ୍କ ନାମରେ ଆସୁଥିବା ରାସନ ସାମଗ୍ରୀକୁ ବାଟମାରଣା କରାଯାଉନାହିଁ ତେବେ ରାସନ କାର୍ଡ ତାଲିକାରୁ ମୃତକଙ୍କ ନାମକୁ ବାଦ ଦିଆଯାଇ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ବର୍ଷ ବର୍ଷ ଧରି ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ?

ଲକ ଡ଼ାଉନ ସମୟରେ ବହୁ ଯୋଗ୍ୟ ଗରିବ ହିତାଧିକାରୀ ରାସନ କାର୍ଡ ନପାଇ ଭୋକ ଉପାସରେ ଡହଳ ବିକଳ ହେଉଥିବା ବେଳେ ଯୋଗାଣ ନିରୀକ୍ଷକ ଏପରି ମୃତ ବ୍ୟକ୍ତିଙ୍କ କାର୍ଡକୁ ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷମ କରି ରଖିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ତେବେ ଯୋଗାଣ ନିରୀକ୍ଷକଙ୍କ ଚିଲିକା ବ୍ଲକରେ ଏପରି ମନୋବୃତ୍ତି ଯୋଗୁଁ ସତର ଗୋଟି ପଞ୍ଚାୟତ ର କେତେ ଜଣ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଞ୍ଚିତ ହେଉଥିବେ ତାହା ସଠିକ ଯାଞ୍ଚ ହେଲେ ଜଣାପଡିବ।

ହେଲେ ଯୋଗାଣ ନିରୀକ୍ଷକଙ୍କ ସରକାରଙ୍କୁ ରାସନ ଫେରାଯାଉଛି ଉକ୍ତିକୁ ପଞ୍ଚାୟତବାସି ମାନେ ସହଜରେ ହଜମ କରିପାରୁନାହାନ୍ତି। ସେମାନଙ୍କ କହିବା ଅନୁଯାୟୀ ଏହି ହେରଫେରରେ ଯୋଗାଣ ସହାୟକ ସୁକାନ୍ତ ବେହେରା ଓ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁଙ୍କ ସିଧା ସମ୍ବନ୍ଧ ଅଛି। କାରଣ ଚାରି ଚାରି ବର୍ଷ ଯାଏଁ ରାସନ କାର୍ଡ ତାଲିକାରୁ ମୃତକଙ୍କ ନାମକୁ ବାଦ ନଦେବା ଗ୍ରାମବାସୀଙ୍କୁ ସନ୍ଦେହ ଘେରରେ ପକାଇଛି। ସେହି କାର୍ଡରୁ ଅଫଲାଇନରେ ରାସନ ସାମଗ୍ରୀ ଉଠାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏତଦବ୍ୟତୀତ ଫନି ବାତ୍ୟା ପଇସା, କୋଭିଡ ପଇସା, କୋଭିଡ ବାବଦରେ ଆସିଥିବା ନିଃଶୁଳ୍କ ରାସନ ଇତ୍ୟାଦି ମଧ୍ୟ ଉକ୍ତ ମୃତକଙ୍କ କାର୍ଡରୁ ଉଠୁଥିବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ ବୋଲି ପଞ୍ଚାୟତବାସି ଅଭିଯୋଗ କରିବା ସହ ଏହାର ଉଚିତ ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ର ଏହି ସବୁ ଗ୍ରାମକୁ କଣ୍ଟନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତ ବଢୁଛନ୍ତି। ଗତକାଲି ରାତି ସୁଦ୍ଧା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଲା ଗ୍ରାମରୁ ଚାରି ଜଣ ଏବଂ ସିଙ୍ଗେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁଆଁଳ ଏବଂ ଗୋବର୍ଦ୍ଧନପୁର ଗ୍ରାମରୁ ପାଞ୍ଚ ଜଣ କୋଭିଡ ପଜିଟିଭ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାସ୍ଥଳେ ବାଲୁଗାଁ ଏନ.ଏ.ସି ର ଏକ ନମ୍ବର ୱାର୍ଡ ଅନ୍ତର୍ଗତ ଅଶୋକ ନଗରର ଇଣ୍ଡି ଟ୍ରେଡ଼ ମାଇକ୍ରୋ ଫାଇନାନ୍ସ ଲିମିଟେଡ଼ ଅଫିସରୁ ଦାଶରଥି ପ୍ରଧାନଙ୍କ ଘର ମଧ୍ୟରୁ ଦୁଇ ଜଣ କୋଭିଡ ପଜିଟିଭ ଚି଼ହ୍ନଟ ହୋଇଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଉକ୍ତ ତିନି ଗ୍ରାମ ଏବଂ ଏନ.ଏ.ସି ର ଗୋଟେ ୱାର୍ଡ ର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାପାଇଁ ପତ୍ର ସଂଖ୍ୟା ୧୬୬୪ ଏବଂ ୧୬୬୭ ରେ ଦୁଇ ଗୋଟି ଚିଠି ଚିଲିକା ବିଡ଼ିଓ ଏବଂ ପତ୍ର ସଂଖ୍ୟା ୯୦୯ ରେ ଗୋଟିଏ ଚିଠି ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଜିଲ୍ଲା ପ୍ରଶାସନ ନିକଟକୁ ଅନୁମୋଦନ ପାଇଁ ପଠାଇଥିଲେ।

ଏହାକୁ ଗମ୍ଭୀରତାର ସହ ନେଇ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଉକ୍ତ ଚିଠିଗୁଡ଼ିକୁ ଅନୁମୋଦନ ଦେଇ ଚିଲିକା ବ୍ଲକର ଆଙ୍କୁଲା, ଧୁଆଁଳ ଏବଂ ଗୋବର୍ଦ୍ଧନପୁର ଗ୍ରାମଗୁଡିକୁ ଏବଂ ବାଲୁଗାଁ ଏନ.ଏ.ସି ର ଏକ ନମ୍ବର ୱାର୍ଡ ଅଶୋକ ନଗରର ଇଣ୍ଡି ଟ୍ରେଡ଼ ମାଇକ୍ରୋ ଫାଇନାନ୍ସ ଲିମିଟେଡ଼ ଅଫିସରୁ ଦାଶରଥି ପ୍ରଧାନଙ୍କ ଘର ଯାଏଁ ତା ୦୯.୦୯ .୨୦(ବୁଧବାର ) ସନ୍ଧ୍ୟା ୭ ଘଟିକାରୁ ତା ୧୫.୦୯.୨୦(ମଙ୍ଗଳବାର ) ସଂଧ୍ୟା ୭ ଘଟିକା ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି।

ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇଦିଆଯିବ।

କଣ୍ଟନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଅପରାଜିତା ସ୍ୱାଇଁ(ଏବିଡ଼ିଓ, ଚିଲିକା ବ୍ଲକ) ଏବଂ ଆକୃତି ଗୋଏଙ୍କା (କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏନ.ଏ.ସି )ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଲୁଗାଁ ଫାୟାର ଷ୍ଟେସନ ଅଫିସରଙ୍କୁ କଣ୍ଟେନମେଣ୍ଟ ଅଞ୍ଚଳ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ମହାନ୍ତି ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ୱ ଦିଆଯାଇଛି। ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ଚିଲିକା ତହସିଲଦାର ଡ଼ାଃ ପୁନମ ମହାପାତ୍ର ଏବଂ ଚିଲିକା ବିଡ଼ିଓ ଶ୍ରୀମତୀ ସୁଷମା ବାରିକ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ 

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ଜିଲ୍ଲାରେ ଆଜି ୨୧୮ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l   ଅନୁରୂପ ଭାବେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଣାୟତ୍ତ ଅବସ୍ଥାରେ। ଆଜି ସକାଳ ସୁଦ୍ଧା ଉକ୍ତ ଅଞ୍ଚଳରୁ ୩୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି।  ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ କୁ ପ୍ରତିହିତ କରିବାପାଇଁ ଆଜି ଚିଲିକା ବି.ଡ଼ି.ଓ ତଥା କୋଭିଡ କମିଟି ଚେୟାରମ୍ୟାନ ଶ୍ରୀମତୀ ସୁଷମା ବାରିକ ଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପତ୍ର ସଂଖ୍ୟା ୧୪୬୪ ରେ ଏକ ଚିଠି ଜିଲ୍ଲାପାଳ ଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ପାଇଁ ଅନୁମତି ମଗାଯାଇଥିଲା। ଏହି ସମୟରେ ତିନି ଗୋଟି ମେଡିକାଲ ଟିମ ଦ୍ୱାରା ଜୋରଦାର ଟେଷ୍ଟିଙ୍ଗ କରାଯିବା ର ଲକ୍ଷ୍ୟ ରଖାଯାଇଛି.।

ଏହାକୁ ଗମ୍ଭୀରତାର ସହ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ର ସମସ୍ତ ଅଞ୍ଚଳକୁ ତା ୧୧.୦୮.୨୦(ମଙ୍ଗଳବାର) ସନ୍ଧ୍ୟା ୭ ଘଟିକାରୁ ତା ୧୪.୦୮.୨୦(ଶୁକ୍ରବାର) ସଂଧ୍ୟା ୭ ଘଟିକା ଯାଏଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି ସଟ ଡ଼ାଉନ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ ବ୍ଲକ ଏବଂ ଏନ.ଏ.ସି ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇଦିଆଯିବ।

ସଟ ଡ଼ାଉନ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଅପରାଜିତା ସ୍ୱାଇଁ (ଅତିରିକ୍ତ ବି.ଡ଼ି.ଓ , ଚିଲିକା ବ୍ଲକ) ଏବଂ ଆକୃତି ଗୋଏଙ୍କା (କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏନ.ଏ.ସି )ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଲୁଗାଁ ଫାୟାର ଷ୍ଟେସନ ଅଫିସରଙ୍କୁ ସଟ ଡ଼ାଉନ ଅଞ୍ଚଳ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ଡ଼ାଃ ସୌମ୍ୟକାନ୍ତ ଦାସ ପଟ୍ଟନାୟକ (ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ) ଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ମହାନ୍ତି ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ବ ସହ ବାଲୁଗାଁ ମେଡିକାଲ ଅଧିକାରୀଙ୍କୁ ସହାୟତା କରିବା ପାଇଁ ଦାୟିତ୍ୱ ଦିଆଯାଇଛି।  ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ଚିଲିକା ବ୍ଲକ ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଏବଂ ଚିଲିକା ତହସିଲଦାର ଡ଼ାଃ ପୁନମ ମହାପାତ୍ର।