ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ: ଚିଲିକା ବ୍ଲକରେ ଜଳିଗଲା ୧୦ ରୁ ଉର୍ଦ୍ଧ୍ଵ ବଖରା, ଜଣେ ମହିଳା ଗୁରୁତର

Published: Mar 7, 2021, 2:22 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଅଗ୍ନିକାଣ୍ଡ ଘଟି ୧୦ ରୁ ଉର୍ଦ୍ଧ୍ଵ ବଖରା ଜଳି ପାଉଁଶ ହୋଇଯାଇଛି। ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀର ଦଣ୍ଡା ସାହିରେ ଭୟଙ୍କର ନିଆଁ ଲାଗି ଅନେକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା।

ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ରୋଷେଇ ଘରୁ ଗ୍ୟାସ ଲିକ୍ ହେବାରୁ ନିଆଁ ଲାଗିଯାଇଥିଲା। ଯଦ୍ୱାରା ନିଆଁ ଦ୍ରୁତ ଗତିରେ ନିକଟସ୍ଥ ଚାଳ ଘରକୁ ବ୍ୟାପୀ ଯାଇଥିଲା। ଏହି ନିଆଁକୁ ଲିଭାଇବା ପାଇଁ ୨ଟି ଦମକଳ ଗାଡି ନିୟୋଜିତ ହୋଇଥିଲା। ନିଆଁ ଆୟତ୍ତ ହେବା ବେଳକୁ ୧୦ ଟି ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ୬ ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ଏଥିରେ ଜଣେ ମହିଳା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ତେବେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଆକଳନ କରି ପ୍ରଭାବିତ ହୋଇଥିବା ପରିବାରଙ୍କୁ ସହାୟତା ରାଶି ମିଳିବା ପାଇଁ ଦାବି ହୋଇଛି।

Related posts