Categories
ଆଞ୍ଚଳିକ

ଚିଲିକା: ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସକାଳେ ଚିଲିକା ବ୍ଲକ ବଡକୁଳ ପଞ୍ଚାୟତ ଅନ୍ତର୍ଗତ ମହାନ୍ତି ସାହିର ଲୋକନାଥ ସାହୁଙ୍କ ଘରେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇ ଘର ଓ ଆସବାବପତ୍ର ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।

ଖବର ମୁତାବକ ଆଜି ସକାଳେ ଲୋକନାଥଙ୍କ ସାନ ବୋହୁ ଅମୁଲି ସାହୁ ରୋଷେଇ କରିବାକୁ ଗ୍ୟାସ ଲଗାଇ ଥିବାବେଳେ ଗ୍ୟାସ ଟାଙ୍କି ଲିକ ହୋଇ ସଙ୍ଗେ ସଙ୍ଗେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ଜୀବନ ବିକଳରେ ଘରୁ ପରିବାର ବର୍ଗ ବାହାରକୁ ଚାଲିଆସିଥିଲେ।ନିଆଁ ଲାଗିଥିବା ଦେଖି ସାହି ବାସିନ୍ଦା ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ଆୟତ୍ତ କରିପାରିନଥିଲେ।

ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ମାତ୍ର ନିଆଁ ଆୟତ୍ତ ହେଲାବେଳକୁ ଘର ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ସର୍ବସାନ୍ତ୍ୱ ହୋଇଗଲା ପରେ ଶ୍ରୀ ସାହୁ ନିଜ ସ୍ତ୍ରୀ, ଦୁଇ ପୁଅ ବୋହୂ ଓ ନାତୁଣୀଙ୍କ ଭରଣପୋଷଣ ନେଇ ଚିନ୍ତାରେ ରହିଥିବା ବେଳେ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ: ଚିଲିକା ବ୍ଲକରେ ଜଳିଗଲା ୧୦ ରୁ ଉର୍ଦ୍ଧ୍ଵ ବଖରା, ଜଣେ ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଅଗ୍ନିକାଣ୍ଡ ଘଟି ୧୦ ରୁ ଉର୍ଦ୍ଧ୍ଵ ବଖରା ଜଳି ପାଉଁଶ ହୋଇଯାଇଛି। ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀର ଦଣ୍ଡା ସାହିରେ ଭୟଙ୍କର ନିଆଁ ଲାଗି ଅନେକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା।

ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ରୋଷେଇ ଘରୁ ଗ୍ୟାସ ଲିକ୍ ହେବାରୁ ନିଆଁ ଲାଗିଯାଇଥିଲା। ଯଦ୍ୱାରା ନିଆଁ ଦ୍ରୁତ ଗତିରେ ନିକଟସ୍ଥ ଚାଳ ଘରକୁ ବ୍ୟାପୀ ଯାଇଥିଲା। ଏହି ନିଆଁକୁ ଲିଭାଇବା ପାଇଁ ୨ଟି ଦମକଳ ଗାଡି ନିୟୋଜିତ ହୋଇଥିଲା। ନିଆଁ ଆୟତ୍ତ ହେବା ବେଳକୁ ୧୦ ଟି ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ୬ ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ଏଥିରେ ଜଣେ ମହିଳା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ତେବେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଆକଳନ କରି ପ୍ରଭାବିତ ହୋଇଥିବା ପରିବାରଙ୍କୁ ସହାୟତା ରାଶି ମିଳିବା ପାଇଁ ଦାବି ହୋଇଛି।