Categories
ବିଶେଷ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଜନଜାତି ସଂଗ୍ରହାଳୟର ଭର୍ଚୁଆଲ୍‌ ଟୁରରେ ଦେଖିବାକୁ ମିଳିବ ଜନଜାତିଙ୍କ ଖାଦ୍ୟସଂଗ୍ରହ ପଦ୍ଧତି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ ଖୋଲି ଆଜି ଓଡ଼ିଶାର ଜନଜାତି ସଂପ୍ରଦାୟଙ୍କର ଦେଶୀୟ ଜ୍ଞାନକୌଶଳରେ ଖାଦ୍ୟସଂଗ୍ରହ ପଦ୍ଧତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାରେ ବିବିଧ ଜନଜାତି ସଂପ୍ରଦାୟ ବସବାସ କରିଥା’ନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଜନଜାତି ସଂପ୍ରଦାୟ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ସେହି ପରିବେଶରେ ମିଳୁଥିବା ପ୍ରାକୃତିକ ସଂପଦ ଉପରେ ନିର୍ଭର କରିଥା’ନ୍ତି । ସେମାନେ କୃଷିକୁ ଜୀବିକା ଭାବେ ଗ୍ରହଣ କରିଥା’ନ୍ତି । ଜନଜାତିମାନେ ବିଭିନ୍ନ ପ୍ରକାରର କୃଷି ପଦ୍ଧତିକୁ ଆପଣେଇଥା’ନ୍ତି । ପୋଡ଼ୁଚାଷ ସହିତ ଉଦ୍ୟାନକୃଷି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଶିକାର ଓ ମାଛ ଧରିବାକୁ ସେମାନେ ବୃତ୍ତି ଭାବେ ଗ୍ରହଣ କରିଥା’ନ୍ତି ।

ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଫଳ, ପତ୍ର, ଖାଦ୍ୟ ଉପଯୋଗୀ ଫୁଲ, କୀଟ, ଛତୁ ଓ ଆଳୁକୁ ଜନଜାତିମାନେ ଖାଦ୍ୟ ଭାବେ ଗ୍ରହଣ କରିଥା’ନ୍ତି । ବିଭିନ୍ନ ପ୍ରକାରର ଜଙ୍ଗଲୀ ମୂଳ ଓ ଆଳୁ ରହିଛି । ସେଗୁଡ଼ିକ ମଧ୍ୟରୁ କେତେକ ମାଟିର ଉପରି ଭାଗରେ ଏବଂ ଆଉ କେତେକ ମାଟି ତଳୁ ଖୋଳା ଯାଇ ସଂଗ୍ରହ କରାଯାଇଥାଏ ।

ଜନଜାତିମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ଜଙ୍ଗଲୀ ମୂଳ ଓ ଆଳୁ ଅତ୍ୟନ୍ତ ପୁଷ୍ଟିକର ଅଟେ। ଜନଜାତି ସଂପ୍ରଦାୟ ଏହାକୁ ନିଆଁରେ ଭାଜି, ସିଝାଇ କିମ୍ବା ତରକାରି ରୂପେ ପ୍ରସ୍ତୁତ କରିଥା’ନ୍ତି। ଏହି ଚଳଚ୍ଚିତ୍ରରେ ବିଭିନ୍ନ ଜନଜାତିମାନେ କିପରି ମୂଳଗୁଡ଼ିକୁ ସଂଗ୍ରହ ଓ ପ୍ରକ୍ରିୟାକରଣ କରି ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି ସେ ବିଷୟରେ ଦର୍ଶକମାନେ ଜାଣିପାରିବେ।

Categories
ଆଜିର ଖବର ବିଶେଷ ଖବର

ଜନଜାତି ପଂଚାୟତ ପ୍ରତିନିଧିଙ୍କ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଭୁବନେଶ୍ବର, ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜନଜାତି ବର୍ଗର ପଂଚାୟତିରାଜ ସଂସ୍ଥାନଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଏକ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଗୁରୁବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ଏଥିସହିତ “୧୦୦୦ ଜଳ ଉତ୍ସ କାର୍ଯ୍ୟକ୍ରମ” ଏବଂ ଏକ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହା ହେଉଛି ପ୍ରାକୃତିକ ଝର ତଥା ଜଳଉତ୍ସ ଗୁଡ଼ିକର ଜଳୀୟ ଓ ରାସାୟନିକଗୁଣ ଦର୍ଶାଉଥିବା ଏକ ଜିଆଇଏସ ଆଧାରିତ ମାନଚିତ୍ରର ଅନଲାଇନ ପୋର୍ଟାଲ।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂସରୁତା ଉପସ୍ଥିତ ଥିଲେ ।

ଏହି ଅବସରରେ ଓଡ଼ିଶାରେ ଜଙ୍ଗଲ ଅଧିକାର ଆଇନ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ମାନଚିତ୍ର ମଧ୍ୟ ଉନ୍ମୋଚନ କରାଯାଇଥିଲା। ଉଦଘାଟନୀ ଅଧିବେଶନ ପରେ ଏକ ବୈଷୟିକ ଅଧିବେଶନ ଆୟୋଜନ କରାଯାଇଥିଲା ଯେଉଁଥିରେ ଜନଜାତି ବିକାଶ ନମୁନା, ଜନଜାତି ଜମି ହସ୍ତାନ୍ତରଣ, ବନ ଧନ ବିକାଶ କେନ୍ଦ୍ର ଏବଂ ଜନଜାତିବିକାଶ ନବୋନ୍ମେଷ ସାମିଲ ଥିଲା ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମନ୍ତ୍ରୀ ମୁଣ୍ଡା କହିଥିଲେ ଯେ “୧୦୦୦ ଜଳ ଉତ୍ସ କାର୍ଯ୍ୟକ୍ରମ”ର ଉଦ୍ଦେଶ୍ୟ ହେଉଛି ଦେଶର ଉପାନ୍ତ ଏବଂ ଅପହଁଚ ଇଲାକାରେ ରହୁଥିବା ଜନଜାତି ସମୁଦାୟର ଲୋକମାନଙ୍କ ନିକଟରେ ସ୍ୱଚ୍ଛ ଜଳ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଇବା। ପ୍ରାକୃତିକ ଜଳଉତ୍ସକୁ ଯୋଡ଼ି ଜଳ ସଂକଟର ସମାଧାନ କରିବା ଲାଗିଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଭିତିଭୂମି ସୁବିଧା, ଚାଷଜମିକୁ ଜଳସେଚନ ସୁବିଧା, ଗୋଷ୍ଠୀ ସହଭାଗିତା ଜରିଆରେ ସାମୁଦାୟିକ ସ୍ୱଚ୍ଛତା କାର୍ଯ୍ୟକ୍ରମ, ଜନଜାତି ଲୋକମାନଙ୍କୁ ଜୀବନଜୀବିକା ଉପଲବ୍ଧ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

ସେ କହିଥିଲେ ଯେ ଜିଆଇଏସ ଆଧାରିତ ମାନଚିତ୍ରର ଅନଲାଇନ ପୋର୍ଟାଲ ଜରିଆରେ ସମସ୍ତ ତଥ୍ୟ ଅନଲାଇନ ପ୍ଲାଟଫର୍ମରେ ମିଳିପାରିବ।ବର୍ତମାନସୁଦ୍ଧା ୧୭୦ଟି ପ୍ରାକୃତିକ ଜଳ ଉତ୍ସର ତଥ୍ୟ ସ୍ପ୍ରିଙ୍ଗ ଆଟଲାସରେ ଅପଲୋଡ କରାଯାଇ ସାରିଲାଣି । ଏହି ଯୋଜନା ଅଧୀନରେ ଓଡ଼ିଶାର ତିନୋଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ ଓ ଗଜପତିର ୭୦ଜଣ ଜନଜାତି ଯୁବକଙ୍କୁ ତାଲିମ ଦିଆଯାଇଛି। ଏମାନଙ୍କୁ ସ୍ଥାନୀୟ ଜଳ ବିଜ୍ଞାନୀ ଭାବେ ପାରମ୍ପରିକ ଓ ବୈଜ୍ଞାନିକ ଜ୍ଞାନ ସହିତ ପ୍ରାକୃତିକ ଜଳଉତ୍ସ ଚିହ୍ନଟ,ମାନଚିତ୍ରଣ ଓ ସେଗୁଡ଼ିକର ପୁନରୁଦ୍ଧାର ଓ ସୁରକ୍ଷା ଲାଗି ପ୍ରଶିକ୍ଷଣ ଦିଆଯାଇଛି।

ଅନ୍ୟପକ୍ଷରେ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ମୁଣ୍ଡା କହିଥିଲେ ଯେ ସ୍ଥାନୀୟ ପ୍ରଶାସନ ସ୍ତରରେ ପଂଚାୟତିରାଜ ପ୍ରତିନିଧିମାନଙ୍କର ନିଷ୍ପତି ନେବାର କ୍ଷମତା ବୃଦ୍ଧି କରି ସେମାନଙ୍କୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମରେ ଜନଜାତିଙ୍କ ବିକାଶ ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ସମେତ ସେମାନଙ୍କ ଅଧିକାରର ସୁରକ୍ଷା ଓ ସଂରକ୍ଷଣ ତଥା ସେମାନଙ୍କ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହି କାର୍ଯ୍ୟକ୍ରମ ଦ୍ୱାରା ସରକାରୀ ନୀତି ଏବଂ କାର୍ଯ୍ୟକ୍ରମର ଯୋଜନା, କାର୍ଯ୍ୟାନ୍ୱୟନ ଏବଂ ଅନୁଧ୍ୟାନରେ ଅନୁସୂଚିତ ଜନଜାତି ପଂଚାୟତିରାଜ ପ୍ରତିନିଧି ମାନଙ୍କର ଅଧିକ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ। ବିକାଶ ପ୍ରକ୍ରିୟାରେ ସେମାନଙ୍କର ଅଧିକ ସମ୍ପୃକ୍ତି ଦ୍ୱାରା ଜନଜାତି ବିକାଶ ଲକ୍ଷ୍ୟ ଅଧିକ ମାତ୍ରାରେ ହାସଲ ହୋଇପାରିବ। ପଂଚାୟତିରାଜ ପ୍ରତିନିଧିମାନେ ସ୍ଥାନୀୟ ପ୍ରଶାସନ ସ୍ତରରେ ବିକାଶ ମୂଳକ ଯୋଜନାର କାର୍ଯ୍ୟକାରିତାରେ ସିଧାସଳଖ ସମ୍ପୃକ୍ତ ରହିପାରିଲେ ସମୁଦାୟ ଏବଂ କ୍ଷେତ୍ରୀୟ ସ୍ତରର ବିକାଶ ପ୍ରକ୍ରିୟାରେ ରହିଥିବା ଅଭାବ ଅସୁବିଧା ଦୂର କରାଯାଇ ପାରିବ। ଏହାଦ୍ୱାରା ବିଭିନ୍ନ ବିକାଶ ଏବଂ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତାରେ ଉନ୍ନତ ପରିଣାମ ମିଳିପାରିବ।

ଏହି ଯୋଜନା ଆରମ୍ଭ କରାଯିବା ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ଗତ କିଛି ମାସ ହେବ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଅନୁସୂଚିତ ଜନଜାତି ବର୍ଗର ବିଭିନ୍ନ ପଂଚାୟତିରାଜ ପ୍ରତିନିଧି, ନାଗରିକ ସମାଜ ଏବଂଜଙ୍ଗଲ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯିବା ପରେ ଏହି ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା ।