Categories
ଆଜିର ଖବର ଜାତୀୟ ଖବର

ମରକଜରେ ସାମିଲ୍‌ ହୋଇଥିବା ଏକ ହଜାର ଜମାତୀ ଏବେ ସୁସ୍ଥ : ଘରକୁ ଫେରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଦିଲ୍ଲୀ ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତୀଙ୍କୁ ନେଇ ଦିଲ୍ଲୀ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।  ଦିଲ୍ଲୀର ସ୍ବାସ୍ଥ୍ୟ ଓ ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ କହିଛନ୍ତି ଯେ, ପ୍ରାୟ ଏକ ହଜାର ସଂକ୍ରମିତ ଜମାତୀ ଏବେ ସୁସ୍ଥ ହୋଇଛନ୍ତି । ଏବେ ତାଙ୍କୁ ଘରକୁ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁ ଜମାତୀଙ୍କ  ଉପରେ ମୋକଦ୍ଦମା ରହିଛି, ତାଙ୍କ ଉପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ କରିପାରିବ ।

ପ୍ରାୟ ଚାରି ହଜାରରୁ ଅଧିକ ଲୋକଙ୍କୁ ମାର୍ଚ୍ଚ ମାସ ଶେଷ ଆଡକୁ ନିଜାମୁଦ୍ଦିନ ସ୍ଥିତ ମରକଜ ଓ ଅନ୍ୟାନ୍ୟ ଜାଗାରୁ ଚିହ୍ନଟ କରାଯାଇଥିଲା । ଏଥିରୁ ପ୍ରାୟ 1 ହଜାରରୁ ଅଧିକ ଜମାତୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେମାନଙ୍କୁ ଅଲଗା ଅଲଗା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା । ଏବେ ସୁସ୍ଥ ହୋଇଥିବା ଜମାତୀଙ୍କୁ ଘରକୁ ଯିବାକୁ ଦିଲ୍ଲୀ ସରକାର ଆଦେଶ ଦେଇଛନ୍ତି ।

ତବିଲିଗ୍ ଜମାତ ଯୋଗୁଁ ଭାରତରେ କରୋନା ସଂକ୍ରମଣ ବେଶ୍‌ ବ୍ୟାପକ ହୋଇଥିବାର ଚର୍ଚ୍ଚା ରହିଥିଲା । ରାଜ୍ୟ ସରକାରମାନେ ଏହି ଜମାତୀଙ୍କ ଯୋଗୁଁ କରୋନା ବ୍ୟାପୁଥିବାର ଅଭିଯୋଗ କରୁଥିଲେ ।

ମାର୍ଚ୍ଚ ମାସରେ କରୋନା ବିପଦ ସମୟରେ ମରକଜରେ ନିୟମ ଉଲ୍ଲଂଘନ କରି ବଡ ସଂଖ୍ୟାରେ ଜମାତୀ ଏକଜୁଟ୍‌‌ ହୋଇଥିଲେ । ଏହି ଜମାତୀମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ବାହାରିଥିଲେ । ଏହାପରେ ମରକଜ ସଞ୍ଚାଳକ ମୌଲାନ୍‌ ସାଦଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।  ମାର୍ଚ୍ଚ 13ରୁ 24 ମଧ୍ୟରେ ହୋଇଥିବା ମରକଜରେ ପ୍ରାୟ 16ହଜାରରୁ ଅଧିକ ଲୋକ ସମାବେଶ ହୋଇଥିଲେ ।