Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପେଟ୍ରୋଲକୁ ଜିଏସଟି ଅଧୀନରେ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ!: ତେବେ ଏହା କେତେ ଶସ୍ତା ହେବ?

ନୂଆଦିଲ୍ଲୀ: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଜିଏସଟି ଅଧୀନରେ ପେଟ୍ରୋଲ ଏବଂ ଡିଜେଲ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। କିନ୍ତୁ ରାଜ୍ୟଗୁଡିକର ସହମତି ଆବଶ୍ୟକ। ଉଲ୍ଲେଖଥାଉ କି, କେନ୍ଦ୍ର ମନ୍ତ୍ରୀଙ୍କ ଏହି ବିବୃତ୍ତିରେ ଅନେକ ଲୋକ ଖୁସି ଅଛନ୍ତି, କାରଣ ଯଦି ପେଟ୍ରୋଲ ଜିଏସଟି ଅଧୀନରେ ଆସେ, ତେବେ ପେଟ୍ରୋଲ ବହୁତ ଶସ୍ତା ହୋଇପାରେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି, ଯଦି ପେଟ୍ରୋଲ-ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ପେଟ୍ରୋଲ-ଡିଜେଲ କେତେ ଶସ୍ତା ହେବ? ପ୍ରକାଶ ଥାଉ କି ଯଦି ରାଜ୍ୟମାନେ ମଧ୍ୟ ଏହି ଦିଗରେ ପଦକ୍ଷେପ ନିଅନ୍ତି, ତେବେ ଏହାର ଲାଭ କ’ଣ ହେବ ଏବଂ ବର୍ତ୍ତମାନ ପେଟ୍ରୋଲ ଉପରେ ବ୍ୟବସ୍ଥା କ’ଣ?

ଜିଏସଟି ସମ୍ବନ୍ଧରେ ନୀତି ନିର୍ମାତାଙ୍କ ବିବୃତ୍ତି:

ଜିଏସଟି ସମ୍ପର୍କିତ ପୂର୍ବ ବୈଠକରେ ବିଜେପି ସାଂସଦ ସୁଶୀଲ ମୋଦୀ ଜିଏସଟି ଅଧୀନରେ ପେଟ୍ରୋଲ ଡିଜେଲ ଆଣିବା ନେଇ କହିଛନ୍ତି ଯେ, ଏହା ମିଳିତ ଭାବେ ରାଜ୍ୟକୁ ବାର୍ଷିକ ୨ ଲକ୍ଷ କୋଟି କ୍ଷତି ଘଟାଇବ। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ଯେ, ଯଦି ଜିଏସଟି ଅଧୀନରେ ପେଟ୍ରୋଲ ଏବଂ ଡିଜେଲ ଅଣାଯାଏ, ତେବେ ଏହା କେନ୍ଦ୍ର ସରକାରଙ୍କୁ ଖୁସି କରିବ, କିନ୍ତୁ ରାଜ୍ୟ ସରକାର ଏହା କରିବାକୁ ଚାହୁଁନାହାଁନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ମୁଦ୍ରାସ୍ଫୀତି ବୃଦ୍ଧି ନେଇ ଅଭିଯୋଗ କରୁଥିବା ସାଧାରଣ ଜନତାଙ୍କ ଠାରୁ ଅନେକ ଅର୍ଥନୀତିଜ୍ଞ ମଧ୍ୟ ଜିଏସଟିରେ ଅନ୍ତର୍ଭୁକ୍ତ କରି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ଦାବି କରୁଛନ୍ତି।

କେତେ ଟ୍ୟାକ୍ସ ପ୍ରଯୁଜ୍ୟ?:

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟର ପ୍ରାୟ ୫୦% ଟ୍ୟାକ୍ସ କରାଯାଏ। ଅନେକ ରାଜ୍ୟରେ ଏହି ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ଅଟେ। ଏପରି ପରିସ୍ଥିତିରେ, ଯଦି ଜଣେ ସାଧାରଣ ଲୋକ ବୁଝିବାକୁ ଚାହାଁନ୍ତି ଯେ, ସେ ଏକ ଲିଟର ପେଟ୍ରୋଲ ଉପରେ କେତେ ଟ୍ୟାକ୍ସ ଦେଇଛନ୍ତି, ତେବେ ସେ ଏହି ଉଦାହରଣରୁ ବୁଝିପାରିବେ। ଯଦି ଆପଣ ଏକ ଲିଟର ପେଟ୍ରୋଲ ପାଇଁ ୧୦୫.୪୧ ଟଙ୍କା ଦିଅନ୍ତି, ତେବେ ୪୯.୦୯ ଟଙ୍କା ଟିକସ ହିସାବରେ ସରକାରୀ ପାଣ୍ଠିକୁ ଯାଏ। ଏଥିରେ ୨୭.୯୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ଏବଂ ୧୭.୧୩ ଟଙ୍କା ଭ୍ୟାଟ୍ (ଡିଲର କମିଶନରେ ଭ୍ୟାଟ୍ ଅନ୍ତର୍ଭୂକ୍ତ କରାଯାଇଛି) ଅଛି। ଏଥିରେ ଡିଲର କମିଶନ ଲିଟର ପିଛା ୩.୮୬ ଟଙ୍କା ରହିଛି।

ଅନ୍ୟପକ୍ଷରେ, ଯଦି ଆମେ ଡିଜେଲ ବିଷୟରେ କଥା ହେଉ, ତେବେ ଧରାଯାଉ ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୬୭ ଟଙ୍କା ରହିଛି। ଏଥିମଧ୍ୟରୁ ୩୮ ରୁ ଅଧିକ ଟଙ୍କା ସରକାରଙ୍କ ଭଣ୍ଡାରକୁ ଯାଇଥାଏ। ଏକ୍ସାଇଜ୍ ଡ୍ୟୁଟି ଏବଂ ଭ୍ୟାଟ୍ ବ୍ୟତୀତ ଡିଲରଙ୍କ ସମେତ ଏକ ଲିଟର ଡିଜେଲରୁ ୫୮.୧୬ ଟଙ୍କା ସରକାରଙ୍କ ଅଂଶକୁ ଯାଉଛି। ଏହା ଏକ ଲିଟର ଡିଜେଲ ମୂଲ୍ୟର ପ୍ରାୟ ୬୦ ପ୍ରତିଶତ ଅଟେ। ଯଦି ଆମେ ଏହି ପରିସଂଖ୍ୟାନ ବିଷୟରେ କହିବା, ତେବେ ପ୍ରତିବର୍ଷ ସରକାର ପେଟ୍ରୋଲ ଏବଂ ଡିଜେଲରୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ରୋଜଗାର କରନ୍ତି।

ଡିଜେଲ ଏବଂ ପେଟ୍ରୋଲ କେତେ ଶସ୍ତା ହେବ?:

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୪୬ ପ୍ରତିଶତ ଟ୍ୟାକ୍ସ ଅନ୍ତର୍ଭୂକ୍ତ କରାଯାଇଛି। ଯେତେବେଳେ ଏହା ଜିଏସଟିରେ ଅନ୍ତର୍ଭୂକ୍ତ ହେବ, ସେତେବେଳେ ସର୍ବୋଚ୍ଚ ସ୍ଲାବ୍ ଥିଲେ ମଧ୍ୟ ଏହା ଉପରେ କେବଳ ୨୮% ଟିକସ ରହିବ। ଏହିପରି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇବ। ତେବେ କେବଳ ଏହି ଟ୍ୟାକ୍ସକୁ ମୌଳିକ ମୂଲ୍ୟରେ ଦେବାକୁ ପଡିବ। ଏହା ପରେ ରାଜ୍ୟମାନଙ୍କ ଦ୍ୱାରା ଆଦାୟ କରାଯାଉଥିବା ଭ୍ୟାଟ୍ ରଦ୍ଦ କରାଯିବ। ତା’ପରେ ସିଷ୍ଟମ ଏକ ଗ୍ୟାସ ସିଲିଣ୍ଡର ପରି ହେବ। ଯାହା ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତି ହେବ। ବିଶେଷଜ୍ଞଙ୍କ ବିଶ୍ଳେଷଣ ଅନୁଯାୟୀ ଯଦି ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ କରାଯାଏ, ତା’ହେଲେ ଏହାର ମୂଲ୍ୟ ସମଗ୍ର ଦେଶରେ ହ୍ରାସ ପାଇପାରେ। ଏଭଳି ପରିସ୍ଥିତିରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୬୮ ଟଙ୍କା ହୋଇପାରେ ବୋଲି ଆକଳନ କରାଯାଇଛି। ତେବେ ଏହା ମଧ୍ୟ ନିର୍ଭର କରେ ସରକାର କେଉଁ ଜିଏସଟି ସ୍ଲାବରେ ପେଟ୍ରୋଲ ଏବଂ ଡିଜେଲ ଅନ୍ତର୍ଭୁକ୍ତ କରୁଛନ୍ତି। କେବଳ ଏହା ପରେ, ଜିଏସଟି ପ୍ରବର୍ତ୍ତନ ପରେ ପ୍ରକୃତ ମୂଲ୍ୟ ଜାଣିହେବ।

ଏକ ଆକଳନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ ୧୦-୧୧ ହଜାର କୋଟି ଲିଟର ଡିଜେଲ ବିକ୍ରି ହୁଏ ଏବଂ ୩-୪ ହଜାର କୋଟି ଲିଟର ପେଟ୍ରୋଲ ମିଶାଇ ପ୍ରାୟ ୧୪ ହଜାର କୋଟି ଲିଟର ଡିଜେଲ-ପେଟ୍ରୋଲ ବିକ୍ରି ହୁଏ। ଜିଏସଟି ପରିସରକୁ ଆସିବା ଦ୍ଵାରା ପେଟ୍ରୋଲ-ଡିଜେଲ ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ୪.୧୦ ଲକ୍ଷ କୋଟି ଟଙ୍କା କ୍ଷତି ସହିବେ। ଏପରି ପରିସ୍ଥିତିରେ, ଏହି କ୍ଷତିର ଗାଢାକୁ ଭରିବା ଏକ ଚ୍ୟାଲେଞ୍ଜ ହେବ।

କ୍ଷତିପୂରଣ ପାଇଁ ଦୁଇଟି ବିକଳ୍ପ:

୧- ଏହି କ୍ଷତିର ଭରଣ କରିବାକୁ, ୨୮% ଜିଏସଟି ବ୍ୟତୀତ ସରଚାର୍ଜ ଲାଗୁ କରାଯିବା ଉଚିତ୍। ବିଳାସପୂର୍ଣ୍ଣ କାର ଉପରେ ମଧ୍ୟ କେନ୍ଦ୍ର ସରକାର ସରଚାର୍ଜ ଆଦାୟ କରୁଛନ୍ତି। ଏଭଳି ପରିସ୍ଥିତିରେ ମୂଲ୍ୟ ଆଶା କରାଯାଉଥିବା ଠାରୁ ଅଧିକ ହୋଇପାରେ।

୨- ଜିଏସଟି ପରେ ମଧ୍ୟ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲାଗୁ କରିବା ଉଚିତ ଏବଂ ଏଥିରୁ ଆୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବାଣ୍ଟିବା ଉଚିତ୍। ଏଥିପାଇଁ ଉଭୟ ସରକାରଙ୍କୁ ଏହି ସୂତ୍ରରେ ସହମତ ହେବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

୨୦୨୨ ଅକ୍ଟୋବର ମାସରେ ୧,୫୧,୭୧୮ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ: ୨୦୨୨ ଅକ୍ଟୋବର ମାସରେ ଦେଶରେ ୧ ଲକ୍ଷ ୫୧ ହଜାର ୭୧୮ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ଆଦାୟ ହୋଇଛି। ଏଥିମଧ୍ୟରେ ୨୬ ହଜାର ୩୯ କୋଟି ଟଙ୍କାର ସିଜିଏସଟି, ୩୩ ହଜାର ୩୯୬ କୋଟି ଟଙ୍କାର ଏସଜିଏସଟି, ୮୧ ହଜାର ୭୭୮ କୋଟି ଟଙ୍କାର ଆଇଜିଏସଟି (ବସ୍ତୁ ଆମଦାନୀରୁ ସଂଗୃହିତ ୩୭ ହଜାର ୨୯୭ କୋଟି ଟଙ୍କା ସମେତ) ଏବଂ ୧୦ ହଜାର ୫୦୫ କୋଟି ଟଙ୍କାର ସେସ ବା ଉପକର (ବସ୍ତୁ ଆମଦାନୀରୁ ସଂଗୃହିତ ୮୨୫ କୋଟି ଟଙ୍କା ସମେତ) ସାମିଲ ରହିଛି। ଅକ୍ଟୋବର ମାସରେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ସର୍ବାଧିକ ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି।

ଓଡ଼ିଶାରେ ୨୦୨୨ ଅକ୍ଟୋବର ମାସରେ ୩,୭୬୯ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଗତବର୍ଷ ସମାନ ମାସ ତୁଳନାରେ ରାଜ୍ୟରେ ଜିଏସଟି ସଂଗ୍ରହ ୫% ପ୍ରତିଶତ ବୃଦ୍ଧି ପାଇଛି। ଅକ୍ଟୋବର ୨୦୨୧ରେ ଓଡ଼ିଶାରୁ ୩,୫୯୩ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା।

ଅପ୍ୟପଟେ ସରକାର ନିୟମିତ ପରିଶୋଧ ଆକାରରେ ସିଜିଏସଟି ବାବଦରେ ୩୭ ହଜାର ୬୨୬ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୩୨ ହଜାର ୮୮୩ କୋଟି ଟଙ୍କା ପରିଶୋଧ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୫୦:୫୦ ଅନୁପାତ ହାରରେ ସରକାର ୨୨ ହଜାର କୋଟି ଟଙ୍କା ପରିଶୋଧ କରିଛନ୍ତି। ଅକ୍ଟୋବର ୨୦୨୨ରେ ନିୟମିତ ଏବଂ ଆଡହକ୍‌ ପରିଶୋଧ କରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ମୋଟ୍ ୭୪ ହଜାର ୬୬୫ କୋଟି ଟଙ୍କାର ସିଜିଏସଟି ଏବଂ ୭୭ ହଜାର ୨୭୯ କୋଟି ଟଙ୍କାର ଏସଜିଏସଟି ରହିଛି।

ଜିଏସଟି ଲାଗୁ ହେବା ପରେ, ଅକ୍ଟୋବର ୨୦୨୨ରେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ସର୍ବାଧିକ ଜିଏସଟି ରାଜସ୍ୱ ଆଦାୟ କରାଯାଇଛି। ଏଥିପୂର୍ବରୁ ଏପ୍ରିଲ ୨୦୨୨ରେ ସର୍ବାଧିକ ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଥିଲା। ସେହିପରି ଦ୍ୱିତୀୟ ଥର ପାଇଁ ମାସିକ ଜିଏସଟି ସଂଗ୍ରହ ପରିମାଣ ୧.୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସେହିପରି, ଏପ୍ରିଲ ୨୦୨୨ ପରେ ଅକ୍ଟୋବର ମାସରେ ଘରୋଇ କାରବାରରୁ ଦ୍ୱିତୀୟ ସର୍ବାଧିକ ରାଜସ୍ୱ ସଂଗୃହିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଲଗାତାର ୮ ମାସ ଧରି ଜିଏସଟି ରାଜସ୍ୱ ଆଦାୟ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସର୍ବମୋଟ୍‌ ନବମ ମାସ ପାଇଁ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି ରାଜସ୍ୱ ଆଦାୟ ହୋଇଛି। ସେପ୍ଟେମ୍ବର ୨୦୨୨ରେ ମୋଟ୍‌ ୮.୩ କୋଟି ଇ-ୱେ ବିଲ ପ୍ରସ୍ତୁତ ହୋଇଥିଲା, ଯାହାକି ଅଗଷ୍ଟ ୨୦୨୨ରେ ପ୍ରସ୍ତୁତ ହୋଇଥିବା ୭.୭ କୋଟି ଇ-ୱେ ବିଲ ଠାରୁ ଉଲ୍ଲେଖନୀୟ ଭାବେ ଅଧିକ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

୨୦୨୨ ସେପ୍ଟେମ୍ବର ମାସରେ ୧,୪୭,୬୮୬ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ବ ଆଦାୟ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦୨୨ ମାସରେ ସକଳ ଜିଏସଟି ସଂଗ୍ରହ ୧,୪୭,୬୮୬ କୋଟି ଟଙ୍କା ଟପିଛି। ଏଥିମଧ୍ୟରୁ ସିଜିଏସଟି ୨୫,୨୭୧ ଏବଂ ଏସଜିଏସଟି ୩୧,୮୧୩ କୋଟି ଟଙ୍କା ରହିଛି। ସେହିପରି ଆଇଜିଏସଟି ୮୦,୪୬୪ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୪୧,୨୧୫ କୋଟି ଟଙ୍କା ସମେତ) ଏବଂ ସେସ ୧୦,୧୩୭ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୮୫୬ କୋଟି ଟଙ୍କା ସମେତ) ରହିଛି।

ସରକାର ସିଜିଏସଟି ବାବଦରେ ୩୧,୮୮୦ କୋଟି ଟଙ୍କା ପରିଶୋଧ କରିବା ସହିତ ଆଇଜିଏସଟିରୁ ନିୟମିତ ପରିଶୋଧ ବାବଦରେ ୨୭ ହଜାର ୪୦୩ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ବ ପରିମାଣ ସେପ୍ଟେମ୍ବର ୨୦୨୨ରେ ସିଜିଏସଟି ବାବଦରେ ୫୭ ହଜାର ୧୫୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୯ ହଜାର ୨୧୬ କୋଟି ଟଙ୍କା ରହିଛି।

ଓଡ଼ିଶାରେ ସେପ୍ଟେମ୍ବର ୨୦୨୨ ମାସରେ ୩ ହଜାର ୭୬୫ କୋଟି ଟଙ୍କାର ଜିଏସଟି ରାଜସ୍ବ ଆଦାୟ ହୋଇଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ୩ ହଜାର ୩୨୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟରେ ଜିଏସଟି ସଂଗ୍ରହ ୧୩ ପ୍ରତିଶତ ବୃଦ୍ଧି ପାଇଛି।

ଗତ ବର୍ଷ ସମାନ ମାସ ତୁଳନାରେ ସେପ୍ଟେମ୍ବର ୨୦୨୨ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ୨୬% ବୃଦ୍ଧି ପାଇଛି। ଏହି ମାସ ସମୟରେ ବସ୍ତୁ ଆମଦାନୀରୁ ସଂଗୃହିତ ରାଜସ୍ବ ପରିମାଣ ୩୯% ଅଧିକ ଥିବା ବେଳେ ଘରୋଇ କାରବାର (ସେବା ଆମଦାନୀ ସମେତ) ରୁ ସଂଗୃହିତ ରାଜସ୍ବ ପରିମାଣ ଗତ ବର୍ଷ ସମାନ ମାସ ତୁଳନାରେ ୨୨% ଅଧିକ ରହିଛି।

କ୍ରମାଗତ ୭ ମାସ ଧରି ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜିଏସଟି ରାଜସ୍ବ ସଂଗ୍ରହ ଗତ ବର୍ଷର ଏହି ଅବଧି ତୁଳନାରେ ୨୭% ଅଧିକ ରହିଛି। ଏହା ଉଚ୍ଚ ରାଜସ୍ବ ବୃଦ୍ଧିକୁ ଦର୍ଶାଉଛି । ଅଗଷ୍ଟ ୨୦୨୨ରେ ୭.୭ କୋଟି ଇ-ୱେ ବିଲ ସୃଷ୍ଟି କରାଯାଇଥିଲା। ଏହା ଜୁଲାଇ ୨୦୨୨ରେ ଜାରି ହୋଇଥିବା ୭.୫ କୋଟି ଇ-ୱେ ବିଲ ତୁଳନାରେ ଅଧିକ।

ଚଳିତ ମାସରେ ଗୋଟିଏ ଦିନରେ ଦ୍ବିତୀୟ ସର୍ବାଧିକ ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଥିଲା। ସେପ୍ଟେମ୍ବର ୨୦ ତାରିଖରେ ୪୯ ହଜାର ୪୫୩ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା ଏବଂ ଦ୍ବିତୀୟ ସର୍ବାଧିକ ୮.୭୭ ଲକ୍ଷ ଚାଲାଣ ଦାଖଲ କରାଯାଇଥିଲା। ଏଥିପୂର୍ବରୁ ୨୦ ଜୁଲାଇ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ୯.୫୮ ଲକ୍ଷ ଚାଲାଣ ଦାଖଲ କରାଯିବା ସହିତ ୫୭ ହଜାର ୮୪୬ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା। ଏହି ତଥ୍ୟ ଦର୍ଶାଉଛି ଯେ ଜିଏସଟିଏନ ଦ୍ବାରା ପରିଚାଳିତ ଜିଏସଟି ପୋର୍ଟାଲ ସମ୍ପୂର୍ଣ୍ଣ ଭାବେ ସ୍ଥିର ଏବଂ ଏବଂ ବାଧାମୁକ୍ତ ପ୍ରଦର୍ଶନ କରୁଛି। ସେପ୍ଟେମ୍ବର ମାସରେ ଆଉ ଏକ ଉପଲବ୍ଧି ହାସଲ କରାଯାଇଛି। ୩୦ ସେପ୍ଟେମ୍ବର ୨୦୨୨ ଦିନ ଜିଏସଟି ପୋର୍ଟାଲରେ ୧.୧ କୋଟି ଇ-ୱେ ବିଲ ଏବଂ ଇନଭଏସ (୭୨.୯୪ ଇ-ଇନଭଏସ ଏବଂ ୩୭.୭୪ ଲକ୍ଷ ଇ-ୱେ ବିଲ) ଜାରି ହୋଇଛି।

ତଳେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷର ମାସିକ ସକଳ ଜିଏସଟି ରାଜସ୍ବ ସଂଗ୍ରହର ଧାରା ପ୍ରଦର୍ଶିତ ହୋଇଛି। ସେପ୍ଟେମ୍ବର ୨୦୨୧ ତୁଳନାରେ ସେପ୍ଟେମ୍ବର ୨୦୨୨ରେ ପ୍ରତ୍ୟେକ ରାଜ୍ୟରେ ସଂଗୃହିତ ଜିଏସଟି ଆଦାୟର ରାଜ୍ୟୱାରୀ ତଥ୍ୟ ପ୍ରଦାନ କରାଗଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଅଗଷ୍ଟ ୨୦୨୨ରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ: ୨୦୨୨ ଅଗଷ୍ଟ ମାସରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବା ବେଳେ ଏସଜିଏସଟି ପରିମାଣ ୩୦ ହଜାର ୯୫୧ କୋଟି ଟଙ୍କା ରହିଛି ।

ସେହିପରି ଚଳିତ ବର୍ଷ ଅଗଷ୍ଟ ମାସରେ ୭୭ ହଜାର ୭୮୨ କୋଟି ଟଙ୍କାର ଆଇଜିଏସଟି (ବସ୍ତୁ ଆମଦାନୀ ଉପରେ ୪୨ ହଜାର ୬୭ କୋଟି ଟଙ୍କାର ରାଜସ୍ୱ ସମେତ) ଏବଂ ୧୦ ହଜାର ୧୬୮ କୋଟି ଟଙ୍କାର ସେସ୍ (ବସ୍ତୁ ଆମଦାନୀ ଉପରେ ୧,୦୧୮ କୋଟି ଟଙ୍କାର ରାଜସ୍ୱ ସମେତ) ଆଦାୟ ହୋଇଛି।

ଓଡ଼ିଶାରେ ଅଗଷ୍ଟ ୨୦୨୧ ତୁଳନାରେ ଅଗଷ୍ଟ ୨୦୨୨ରେ ୧୭% ଅଧିକ ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଗତ ବର୍ଷ ଅଗଷ୍ଟ ମାସରେ ୩ହଜାର ୩୧୭ କୋଟି ଟଙ୍କାର ଜିଏସଟି ସଂଗୃହିତ ହୋଇଥିବା ବେଳେ ଅଗଷ୍ଟ ୨୦୨୨ରେ ୩ ହଜାର ୮୮୪ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଇଜିଏସଟିରୁ ସିଜିଏସଟି ବାବଦରେ ୨୯ ହଜାର ୫୨୪ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୨୫ ହଜାର ୧୧୯ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ପରେ ଅଗଷ୍ଟ ୨୦୨୨ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ ରାଜସ୍ୱ ସିଜିଏସଟି ବାବଦକୁ ୫୩ ହଜାର ୨୩୪ କୋଟି ଟଙ୍କା ଏବଂ ଏସଜିଏସଟି ବାବଦକୁ ୫୬ ହଜାର ୭୦ କୋଟି ଟଙ୍କା ରହିଥିବା ଜଣାଯାଇଛି।

ସେହିପରି ଦେଶରେ ଗତ ବର୍ଷ ଅର୍ଥାତ୍ ୨୦୨୧ ଅଗଷ୍ଟ ମାସରେ ମୋଟ୍ ୧ ଲକ୍ଷ ୧୨ ହଜାର ୨୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଥିଲା। ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ ୨୦୨୨ ଅଗଷ୍ଟ ମାସରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି। ସେହିପରି ଗତ ବର୍ଷ ତୁଳନାରେ ୨୦୨୨ ଅଗଷ୍ଟ ମାସରେ ବସ୍ତୁ ଆମଦାନୀରୁ ସଂଗୃହିତ ରାଜସ୍ୱ ୫୭% ଅଧିକ ଥିବା ବେଳେ ଘରୋଇ କାରବାର (ସେବା ଆମଦାନୀ ସମେତ)ରୁ ସଂଗୃହିତ ରାଜସ୍ୱ ୧୯% ଅଧିକ ରହିଛି ।

ଅଗଷ୍ଟ ମାସକୁ ମିଶାଇ ଗତ ୬ ମାସ ଧରି ଲଗାତାର ଜିଏସଟି ରାଜସ୍ୱ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଅଗଷ୍ଟ ୨୦୨୨ ପର‌୍ୟ୍ୟନ୍ତ, ଗତବର୍ଷର ସମାନ ଅବଧି ତୁଳନାରେ, ଜିଏସଟି ରାଜସ୍ୱ ସଂଗ୍ରହ ୩୩% ଅଭିବୃଦ୍ଧି ଦେଖାଦେଇଛି, ଯାହାକି କ୍ରମାଗତ ଭାବେ ରାଜସ୍ୱ ସଂଗ୍ରହରେ ଦେଖାଦେଇଥିବା ବୃଦ୍ଧିକୁ ପ୍ରଦର୍ଶିତ କରୁଛି।

ଉତ୍ତମ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଜିଏସଟି ପରିଷଦ ବିଗତ ଦିନଗୁଡ଼ିକରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାର ସ୍ପଷ୍ଟ ପ୍ରଭାବ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଦେଖିବାକୁ ମିମଳିଛି। ଉନ୍ନତ ରିପୋର୍ଟିଂ ସହିତ ଆର୍ଥିକ ସୁଧାରର ସକାରାତ୍ମକ ପ୍ରଭାବ ଲଗାତାର ଭାବେ ଜିଏସଟି ରାଜସ୍ୱ ସଂଗ୍ରହ ଉପରେ ପଡ଼ୁଛି । ଜୁଲାଇ ୨୦୨୨ ମାସରେ, ୭.୬ କୋଟି ଇ-ୱେ ବିଲ୍ ପ୍ରସ୍ତୁତ କରାଯାଇଥିଲା, ଯାହାକି ଜୁନ ୨୦୨୨ରେ ପ୍ରସ୍ତୁତ ଇ-ୱେ ବିଲ ସଂଖ୍ୟା ୭.୪ କୋଟିରୁ ଅଧିକ। ସେହିପରି ଜୁଲାଇ ୨୦୨୧ରେ ପ୍ରସ୍ତୁତ ୬.୪ କୋଟି ଇ-ୱେ ବିଲ ଠାରୁ ୧୯% ଅଧିକ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜୁଲାଇ ୨୦୨୨ରେ ମୋଟ ଜିଏସଟି ରାଜସ୍ବ ସଂଗ୍ରହ ଦେଢ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ: ୨୦୨୨ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ବ ସଂଗୃହିତ ହୋଇଛି। ଏଥିମଧ୍ୟରେ ସିଜିଏସଟି ୨୫,୭୫୧ କୋଟି ଟଙ୍କା ହୋଇଥିବା ବେଳେ ଏସଜିଏସଟି ପରିମାଣ ୩୨,୮୦୭ କୋଟି ଟଙ୍କା ରହିଛି।

ସେହିପରି ଆଇଜିଏସଟି ସଂଗ୍ରହ ପରିମାଣ ୭୯,୫୧୮ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୪୧,୪୨୦ କୋଟି ଟଙ୍କା ସମେତ) ଏବଂ ସେସ ସଂଗ୍ରହ ପରିମାଣ ୧୦,୯୨୦ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୯୯୫ କୋଟି ଟଙ୍କା ସମେତ) ରହିଛି। ଜିଏସଟି ଲାଗୁ ହେବା ପରଠାରୁ ଏହା ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ।

ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଛି। ଏହା ଜୁଲାଇ ୨୦୨୧ରେ ସଂଗୃହିତ ଜିଏସଟି ରାଜସ୍ବ ୩,୬୧୫ କୋଟି ଟଙ୍କା ତୁଳନାରେ ୧% ଅଧିକ।

ଅନ୍ୟପଟେ ସରକାର ସିଜିଏସଟି ବାବଦରେ ୩୨,୩୬୫ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୨୬,୭୭୪ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ କରିବା ପରେ ୨୦୨୨ ଜୁଲାଇ ମାସରେ କେନ୍ଦ୍ର ଏବଂ ରାଜ୍ୟର ମୋଟ ରାଜସ୍ବ ସଂଗ୍ରହ ସିଜିଏସଟି ପାଇଁ ୫୮,୧୧୬ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୯,୫୮୧ କୋଟି ଟଙ୍କା ରହିଛି।

ଗତବର୍ଷ ଜୁଲାଇ ମାସରେ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଥିଲା । ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ୍ ଜୁଲାଇ ୨୦୨୨ରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି। ଏହି ମାସରେ, ବସ୍ତୁ ଆମଦାନୀରୁ ସଂଗୃହିତ ଜିଏସଟି ଗତବର୍ଷ ସମାନ ମାସ ତୁଳନାରେ ୪୮% ଅଧିକ ରହିଛି । ସେହିପରି ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ବ ପୂର୍ବବର୍ଷର ସମାନ ମାସ ତୁଳନାରେ ୨୨% ଅଧିକ ରହିଛି।

ଲଗାତାର ପାଞ୍ଚ ମାସ ଧରି, ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି, ଯାହାକି ପ୍ରତିମାସରେ ଜିଏସଟି ସଂଗ୍ରହରେ ସ୍ଥିର ଅଭିବୃଦ୍ଧିକୁ ସୂଚାଉଛି। ଜୁଲାଇ ୨୦୨୨ରେ ଜିଏସଟି ରାଜସ୍ବ ସଂଗ୍ରହରେ ଅଭିବୃଦ୍ଧି ପୂର୍ବବର୍ଷର ସମାନ ଅବଧି ତୁଳନାରେ ୩୫% ଅଧିକ ରହିଛି ଏବଂ ଏହା ଅତ୍ୟୁଚ୍ଚ ଅଭିବୃଦ୍ଧିର ସଙ୍କେତ ଦେଉଛି।

ଉନ୍ନତ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଅତୀତରେ ଜିଏସଟି ପରିଷଦ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସ୍ପଷ୍ଟ ପ୍ରଭାବ ରାଜସ୍ବ ସଂଗ୍ରହରେ ଦେଖିବାକୁ ମିଳିଛି। ଉନ୍ନତ ରିପୋର୍ଟିଂ କାରଣରୁ ଆର୍ଥିକ ସୁଧାର ଗତିଶୀଳ ହୋଇଛି ଏବଂ ନିୟମିତ ହାରରେ ଜିଏସଟି ରାଜସ୍ବ ସଂଗ୍ରହ ବୃଦ୍ଧି ପାଉଛି। ଜୁନ ୨୦୨୨ରେ ୭.୪୫ କୋଟି ଇ-ୱେବିଲ୍ ପ୍ରସ୍ତୁତ ହୋଇଥିଲା ଯାହାକି ମେ ୨୦୨୨ରେ ପ୍ରସ୍ତୁତ ୭.୩୬ କୋଟି ଇ-ୱେବିଲ୍ ତୁଳନାରେ ଅଧିକ।

ନିମ୍ନରେ ଦିଆଯାଇଥିବା ତାଲିକାରେ ମାସିକ ଜିଏସଟି ରାଜସ୍ବ ସଂଗ୍ରହରେ ବର୍ଦ୍ଧିତ ଧାରା ପ୍ରଦର୍ଶିତ ହୋଇଛି। ଜୁଲାଇ ୨୦୨୧ ତୁଳନାରେ ଜୁଲାଇ ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ବ ସଂଗ୍ରହର ତୁଳନାତ୍ମକ ବିବରଣୀ ନିମ୍ନରେ ଦିଆଯାଇଥିବା ସାରଣୀରେ ଉଲ୍ଲେଖ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ସଂସଦରେ ହାଙ୍ଗାମା, ଦିନକ ପାଇଁ ଉଭୟ ଗୃହ ମୁଲତବି

ନୂଆଦିଲ୍ଲୀ: ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ବିରୋଧୀ ଦଳଙ୍କ ହାଙ୍ଗାମା ପରେ ସଂସଦର ଉଭୟ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବି ରଖାଯାଇଛି। ଲୋକସଭାରେ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।

ବାଚସ୍ପତି ବାରମ୍ବାର ସଦସ୍ୟମାନଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହେଲେ ବିରୋଧୀ ସଦସ୍ୟମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଫଳରେ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସକାଳେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଅଧୀର ରଂଜନ ଚୈଧୁରୀ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ବାଚସ୍ପତି ଓମ ବିର୍ଲା ତାଙ୍କୁ ଅନୁମତି ଦେଇନଥିଲେ ଏବଂ ତୁରନ୍ତ ପ୍ରଶ୍ନକାଳ ଆରମ୍ଭ କରିଥିଲେ।

ଏହା ପରେ କଂଗ୍ରେସ, ଡିଏମକେ ଏବଂ ଟିଏମସି ସମେତ ବିରୋଧୀ ଦଳର ସଦସ୍ୟମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟକୁ ଚଳାଇବା ପାଇଁ ଚେଷ୍ଠା କରି ବିଫଳ ହୋଇଥିଲେ। ଫଳରେ ପ୍ରଥମେ ସେ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସେହିପରି ରାଜ୍ୟସଭାର ଦୃଶ୍ୟ ମଧ୍ୟ ସମାନ ଥିଲା। ହଟ୍ଟଗୋଳ ଯୋଗୁଁ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯାଇଥିଲା। ଜିଏସଟି ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଉପରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ କଂଗ୍ରେସ, ଆପ୍, ଡିଏମକେ, ଟିଏମସି ଏବଂ ବାମପନ୍ଥୀ ବିରୋଧୀ ସଦସ୍ୟମାନେ ଗୃହ ଭିତରକୁ ପଶି ଆସିଥିଲେ। ଆରଜେଡି, ଏନସିପି, ଶିବସେନା ଏବଂ ସମାଜବାଦି ପାର୍ଟିର ସଦସ୍ୟମାନେ ମଧ୍ୟ ସେମାନଙ୍କୁ ଅନୁସରଣ କରି ଗୃହ ଭିତରେ ହଟ୍ଟଗୋଲ କରିଥିଲେ।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଗୃହ ଚଳାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ଗୃହକୁ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏହି ହଟ୍ଟଗୋଳ ଜାରି ରହିଥିବା ବେଳେ ଉପାଧ୍ୟକ୍ଷ ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ। ସକାଳେ ମଧ୍ୟ ଗୃହରେ ହଟ୍ଟଗୋଳ ହେବାରୁ ଗୃହକୁ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଏସଟି ଛାଡ କରିବା ଦାବୀ ନେଇ ରାସ୍ତା ଉପରେ ଖିର ଢାଳିଲେ ଦୁଗ୍ଧ ମହାସଂଘ

ଭୁବନେଶ୍ବର: କେନ୍ଦ୍ର ସରକାର ଦୁଗ୍ଧଜାତୀୟ ଦ୍ରବ୍ୟ ଉପରେ ପାଞ୍ଚ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି। ଏହାକୁ ତୀବ୍ର ବିରୋଧ କରିଛି ଓଡିଶା ଦୁଗ୍ଧଚାଷୀ ମହାସଂଘ। ନିକଟରେ କେନ୍ଦ୍ର ସରକାର ପନୀର, ବଟର, ଦହି, ଘୋଳଦହି, ଖୁଆ ଏବଂ ଘିଅ ଆଦି ଦ୍ରବ୍ୟ ଉପରେ ଜିଏସଟି ଲାଗୁ କରିଛନ୍ତି। ଏହା ଚାଷୀ ପେଟକୁ ମାରଣ ନିତି ବୋଲି ସଂଘ ଅଭିଯୋଗ କରିଛି।

ସଂଘର ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏକ ଆନ୍ଦୋଳନ କରାଯାଇଥିଲା। ଏଥିରେ ଦୁଗ୍ଧ ଚାଷୀମାନେ ଭୁବନେଶ୍ବରର ମାଷ୍ଟର କ୍ୟାଟିନ ଛକରୁ ପିଏମଜି ଯାଇ ରାସ୍ତାରେ ଖିର ଢାଳି ପ୍ରତିବାଦ କରିଥିଲେ। ଏହି ପ୍ରତିବାଦରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଦୁଗ୍ଧଚାଷୀମାନେ ସାମିଲ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜିଏସଟି ବିରୋଧରେ ଆଜି ସାରା ଦେଶରେ ଧର୍ମଘଟ କରିବେ ବ୍ୟବସାୟୀ, ବନ୍ଦ ରହିବ କାରୋବାର

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରୁ ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥ ଉପରେ ୫% ଜିଏସଟି ବୃଦ୍ଧି କରାଯିବ। ଏହାକୁ ନେଇ ଆଜି ବ୍ୟବସାୟୀମାନେ ସାରା ଦେଶରେ ଧର୍ମଘଟ କରିବେ। ଏହି ଧର୍ମଘଟରେ ୭୩ ହଜାର କୃଷି ଉତ୍ପାଦ ମଣ୍ଡି, ୧୩ ହଜାର ଡାଲି ମିଲ୍, ୯ ହଜାର ୬୦୦ ଚାଉଳ ମିଲ୍, ୮ ହଜାର ଅଟା ମିଲ୍ ଏବଂ ୮୦ ଲକ୍ଷ ଛୋଟ ମିଲ୍ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

ଭାରତୀୟ ଶିଳ୍ପ ବୋର୍ଡର କାର୍ଯ୍ୟନିର୍ବାହୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ପ୍ରାୟ ତିନି କୋଟି ଖୁଚୁରା ବ୍ୟବସାୟୀ ମଧ୍ୟ ବ୍ୟବସାୟ ବନ୍ଦରେ ଭାଗ ନେବେ। ଯଦି କେନ୍ଦ୍ର ସରକାର ଜିଏସଟି ପ୍ରତ୍ୟାହାର ନକରନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ବାବୁଲାଲ ଗୁପ୍ତା କହିଛନ୍ତି ଯେ, ଜିଏସଟି ଆଭିମୁଖ୍ୟରେ ଅଣ ବ୍ରାଣ୍ଡେଡ୍ ଖାଦ୍ୟ ପଦାର୍ଥ ଆଣିବା ଜିଏସ୍ଟିର ମୂଳ ଭାବନାର ବିପରୀତ ଅଟେ।

ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍ଟି ଆଦାୟ କରାଯିବ ନାହିଁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଏହି ବିରୋଧ କରାଯାଉଛି କାରଣ ସରକାରଙ୍କ ଏହି ପଦକ୍ଷେପ ମୁଦ୍ରାସ୍ଫୀତିକୁ ଆହୁରି ବୃଦ୍ଧି କରିବ। ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ, ବିହାର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀର ଶିଲ୍ପପତି ଏବଂ ବ୍ୟବସାୟୀ ଏହି ଧର୍ମଘଟରେ ସାମିଲ ହେବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜିଠାରୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା, ଜୋତା ଉପରେ ଦେବାକୁ ପଡିବ ୧୨% ଜିଏସଟି

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ଅନଲାଇନରେ ଖାଦ୍ୟ ସାମଗ୍ରୀ କିଣିବା ମହଙ୍ଗା ହେବାକୁ ଯାଉଛି। ଖାଦ୍ୟ ସାମଗ୍ରୀର ଅନଲାଇନ୍ ବିତରଣ କରୁଥିବା ସ୍ଵିଗୀ ଏବଂ ଜୋମାଟୋ ପରି କମ୍ପାନୀଗୁଡିକ ବର୍ତ୍ତମାନ ଗ୍ରାହକଙ୍କଠାରୁ ପାଞ୍ଚ ପ୍ରତିଶତ ଟିକସ ସଂଗ୍ରହ କରି ସରକାରଙ୍କ ନିକଟରେ ଜମା କରିବାକୁ ପଡିବ। ଖାଦ୍ୟ ବିକ୍ରେତାମାନେ ବର୍ତ୍ତମାନ ଦ୍ରବ୍ୟ ଏବଂ ସେବା ଟ୍ୟାକ୍ସ (ଜିଏସଟି) ର ବାହାରେ ଅଛନ୍ତି। ଯଦି ସେମାନେ ଅନଲାଇନ୍ ଅର୍ଡର ମାଧ୍ୟମରେ ଗ୍ରାହକଙ୍କୁ ଯୋଗାଣ କରନ୍ତି, ତେବେ ଜିଏସ୍ଟି ଦେବାକୁ ପଡିବ। ସମ୍ପ୍ରତି ଜିଏସଟି ଅଧୀନରେ ପଞ୍ଜୀକୃତ ରେଷ୍ଟୁରାଣ୍ଟଗୁଡିକ ଗ୍ରାହକଙ୍କଠାରୁ ଟିକସ ସଂଗ୍ରହ କରନ୍ତି ଏବଂ ଏହାକୁ ସରକାରଙ୍କ ନିକଟରେ ଜମା କରନ୍ତି।

ଏହା ବ୍ୟତୀତ ଉବର ଏବଂ ଓଲା ଭଳି ଆପ୍ ଆଧାରିତ କ୍ୟାବ ସେବା କମ୍ପାନୀଗୁଡିକ ମଧ୍ୟ ଶନିବାର ଠାରୁ ଦୁଇ ଚକିଆ ଏବଂ ତିନି ଚକିଆ ବୁକିଂ ଉପରେ ୫% ଜିଏସଟି ସଂଗ୍ରହ କରିବାକୁ ପଡିବ। ଏଥି ସହିତ ଆଜିଠାରୁ ସମସ୍ତ ଜୋତା ଚପଲ ଉପରେ ୧୨ ପ୍ରତିଶତ ଜିଏସଟି ଆଦାୟ କରାଯିବ। ଏହି ପରିବର୍ତ୍ତନଗୁଡିକ ନୂତନ ବର୍ଷ ଆରମ୍ଭରୁ ଜିଏସଟି କାର୍ଯ୍ୟକାରୀ ହେଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଟେକ୍ସଟାଇଲ୍ କ୍ଷେତ୍ରରେ ଅପରିବର୍ତ୍ତିତ ରହିବ ଜିଏସଟି ହାର

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ଠାରେ ଜିଏସଟି ପରିଷଦର ୪୬ ତମ ବୈଠକ ଅନୁଷ୍ଠିତ ହୋଇଥିଲା।

୪୫ ତମ ଜିଏସଟି ପରିଷଦ ବୈଠକର ସୁପାରିଶ ଅନୁଯାୟୀ ପୋଷାକରେ ଜିଏସ୍‍ଟି ହାର ପରିବର୍ତ୍ତନ କରିବାକୁ ହୋଇଥିବା ନିଷ୍ପତ୍ତି ସ୍ଥଗିତ ରଖିବାକୁ ଜିଏସଟି ପରିଷଦ ପରାମର୍ଶ ଦେଇଛି। ଫଳସ୍ୱରୂପ, ଟେକ୍ସଟାଇଲ୍ କ୍ଷେତ୍ରରେ ବର୍ତ୍ତମାନ ଥିବା ଜିଏସଟି ହାର ୧ ଜାନୁୟାରୀ ୨୦୨୨ ପରେ ମଧ୍ୟ ଅପରିବର୍ତ୍ତିତ ରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ଅକ୍ଟୋବର ମାସରେ ଦ୍ଵିତୀୟ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ: ୨୦୨୧ ଅକ୍ଟୋବର ମାସରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ ୨୩ ହଜାର ୮୬୧ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୦ ହଜାର ୪୨୧ କୋଟି ଟଙ୍କା, ଆଇଜିଏସଟି ପରିମାଣ ୬୭ ହଜାର ୩୬୧ କୋଟି ଟଙ୍କା (ବସ୍ତୁ ରପ୍ତାନିରୁ ୩୨ ହଜାର ୯୯୮ କୋଟି ଟଙ୍କା ସମେତ) ଏବଂ ସେସ ପରିମାଣ ୮ ହଜାର ୪୮୪ କୋଟି ଟଙ୍କା (ବସ୍ତୁ ରପ୍ତାନିରୁ ୬୯୯ କୋଟି ଟଙ୍କା ସମେତ) ରହିଥିବା ଜଣାଯାଇଛି।

ଓଡ଼ିଶାରେ ୨୦୨୧ ଅକ୍ଟୋବର ମାସରେ ୩ ହଜାର ୫୯୩ କୋଟି ଟଙ୍କାର ରାଜସ୍ୱ ସଂଗୃହିତ ହୋଇଛି। ଏହା ଗତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଆଦାୟ ହୋଇଥିବା ୨ ହଜାର ୪୧୯ କୋଟି ଟଙ୍କା ତୁଳନାରେ ୪୯ ପ୍ରତିଶତ ଅଧିକ ବୋଲି ଜଣାଯାଇଛି।

ସରକାର ସିଜିଏସଟି ବାବଦରେ ୨୭ ହଜାର ୩୧୦ କୋଟି ଟଙ୍କା ପରିଶୋଧ କରିଥିବା ବେଳେ ଆଜିଏସଟିରୁ ଏସଜିଏସଟି ବାବଦରେ ୨୨ ହଜାର ୩୯୪ କୋଟି ଟଙ୍କା ନିୟମିତ ପରିଶୋଧ କରିଛନ୍ତି। ଅକ୍ଟୋବର ୨୦୨୧ ମାସରେ ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ନିକଟରେ ମୋଟ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ ୫୧ ହଜାର ୧୭୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୨ ହଜାର ୮୧୫ କୋଟି ଟଙ୍କା ବଳକା ରହିଛି।

୨୦୨୧ ଅକ୍ଟୋବରରେ ସଂଗୃହିତ ଜିଏସଟି ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ ୨୪ ପ୍ରତିଶତ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ। ସେହିପରି ଏହି ମାସରେ ବସ୍ତୁ ରପ୍ତାନିରୁ ସଂଗୃହିତ ଜିଏସଟି ରାଜସ୍ୱ ପରିମାଣ ପୂର୍ବ ବର୍ଷର ସମାନ ମାସ ତୁଳନାରେ ୩୯ ପ୍ରତିଶତ ଅଧିକ ରହିଛି। ଅନୁରୂପ ଭାବେ ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ୱ ପୂର୍ବ ଆର୍ଥିକ ବର୍ଷର ସମାନ ମାସ ତୁଳନାରେ ୧୯ ପ୍ରତିଶତ ଅଧିକ ରହିଛି।

ବସ୍ତୁ ଓ ସେବା କର (ଜିଏସଟି) ଆଇନ କାର୍ଯ୍ୟକାରୀ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ପରିମାଣର ଜିଏସଟି ରାଜସ୍ୱ ଆଦାୟ ହୋଇଛି। ଏଥିପୂର୍ବରୁ ଏପ୍ରିଲ ୨୦୨୧ରେ ସର୍ବାଧିକ ପରିମାଣର ଜିଏସଟି ଆଦାୟ କରାଯାଇଥିଲା, ଯାହାକି ଆର୍ଥିକ ବର୍ଷର ଶେଷ ରାଜସ୍ୱ ଆଦାୟ ସହ ଜଡ଼ିତ ଥିଲା। ତେଣୁ ଅକ୍ଟୋବର ମାସରେ ସଂଗୃହିତ ଜିଏସଟି ଆର୍ଥିକ ସୁଧାରର ସଙ୍କେତ ଦେଉଛି। ଦ୍ୱିତୀୟ ଲହରୀ ପରେ ପ୍ରତି ମାସରେ ପ୍ରସ୍ତୁତ ହେଉଥିବା ଇ- ୱେ ବିଲ ପରିମାଣରୁ ମଧ୍ୟ ଏହାର ସଙ୍କେତ ମିଳିଥାଏ। ସେମି କଣ୍ଡକ୍ଟର ଯୋଗାଣ କାରଣରୁ କାର ଏବଂ ଅନ୍ୟ ଉତ୍ପାଦର ବିକ୍ରି ବାଧାପ୍ରାପ୍ତ ହୋଇଥିଲା। ଏପରି ହୋଇନଥିଲେ ରାଜସ୍ୱ ଆଦାୟ ପରିମାଣ ଆହୁରି ଅଧିକ ହୋଇଥାନ୍ତା। ଏହି ମାସରେ ଇ- ୱେ ବିଲ ସଂଖ୍ୟା ଏବଂ ଟିକସଯୋଗ୍ୟ ମୂଲ୍ୟର ପରିମାଣରେ ବୃଦ୍ଧି ଚାର୍ଟ-୧ରେ ଦର୍ଶାଯାଇଛି, ଯାହାକି ସ୍ପଷ୍ଟ ଭାବେ ଆର୍ଥିକ ଗତିବିଧିରେ ସୁଧାର ସମ୍ପର୍କରେ ସୂଚନା ଦେଉଛି।

ରାଜ୍ୟ ଏବଂ କେନ୍ଦ୍ରୀୟ ଟିକସ ପ୍ରଶାସନର ସକ୍ରିୟ ପ୍ରୟାସ କାରଣରୁ ଅନୁପାଳନ ବୃଦ୍ଧି ପାଇଛି ଯାହା ଟିକସ ପରିମାଣରେ ବୃଦ୍ଧିରେ ସହାୟକ ହୋଇଛି। ଏହାବ୍ୟତୀତ ବ୍ୟକ୍ତିଗତ ଟିକସ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଜିଏସଟି ପରିଷଦ ପକ୍ଷରୁ ବହୁମୁଖୀ ଉପାୟ ଗ୍ରହଣ କରାଯିବା କାରଣରୁ ଏହା ସମ୍ଭବ ହୋଇପାରିଛି। ଅନ୍ୟପକ୍ଷରେ ଏସଏମଏମ ମାଧ୍ୟମରେ ଶୂନ୍ୟ ଟିକସ ଦାଖଲ, ତ୍ରୈମାସିକ ରିଟର୍ଣ୍ଣ ମାସିକ ପଇଠ (କ୍ୟୁଆରଏମପି) ବ୍ୟବସ୍ଥା ଏବଂ ଅଟୋ ପପୁଲେସନ ରିଟର୍ଣ୍ଣ ଭଳି ସହଜ ଅନୁପାଳନ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ଏକ ବର୍ଷ ମଧ୍ୟରେ ଟିକସଦାତାମାନଙ୍କୁ ଭଲ ଅଭିଜ୍ଞତା ପ୍ରଦାନ କରିବା ଲାଗି ବ୍ୟବସ୍ଥାର କ୍ଷମତା ବୃଦ୍ଧି ପାଇଁ ଜିଏସଟିଏନ ଉଲ୍ଲେଖନୀୟ ସୁଧାର ଆଣିଛି। ଅନ୍ୟପକ୍ଷରେ, ରିଟର୍ଣ୍ଣର ଅଣ-ଫାଇଲିଂ ପାଇଁ ଇ- ୱେ ବିଲ ବ୍ଲକ କରିବା, ଲଗାତାର ଛଅ ଥର ରିଟର୍ଣ୍ଣ ଫାଇଲ କରିବାରେ ବିଫଳ ହୋଇଥିବା ଟିକସଦାତାଙ୍କର ପଞ୍ଜିକରଣ ସିଷ୍ଟମ ଆଧାରରେ ବାତିଲ କରିବା ଏବଂ ରିଟର୍ଣ୍ଣ ଦାଖଲରେ ବିଫଳ ହୋଇଥିବା ଟିକସଦାତାଙ୍କ କ୍ରେଡିଟ୍ ବ୍ଲକ୍ କରିବା ଭଳି ଅଣ-ଅନୁପାଳନ ଅଭ୍ୟାସକୁ ନିରୁତ୍ସାହିତ କରାଯିବା ଆଦି ବିଭିନ୍ନ ପଦକ୍ଷେପ ପରିଷଦ ପକ୍ଷରୁ ଗ୍ରହଣ କରାଯାଇଛି। ପରବର୍ତ୍ତୀ ମାସର ଶେଷ ସୁଦ୍ଧା ପ୍ରତି ମାସ/ତ୍ରୈମାସରେ ରିଟର୍ଣ୍ଣ (ଜିଏସଟିଆର-୩ବି) ଗୁଡ଼ିକର ସଂଖ୍ୟା ସଠିକ ସମୟରେ ରିଟର୍ଣ୍ଣ ପରିଶୋଧ ଏବଂ ରିଟର୍ଣ୍ଣ ଦାଖଲକୁ ଦର୍ଶାଉଛି। ରିଟର୍ଣ୍ଣ ଦାଖଲ କରାଯିବାର ଶେଷ ତାରିଖ ପରେ, ପ୍ରତି ମାସ ଶେଷ ସୁଦ୍ଧା ଅନୁପାଳନ ସୁନିଶ୍ଚିତ କରିବା ଲାଗି ଜିଏସଟିଏନ ମେସେଜ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ଟିକସ ପ୍ରଶାସନ ପକ୍ଷରୁ ଗଭୀର ଭାବେ ଧ୍ୟାନ ଦିଆଯିବା ଆଦି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ନୀତିଗତ ପଦକ୍ଷେପ ଏବଂ ପ୍ରଶାସନିକ ପ୍ରୟାସ କାରଣରୁ ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ଟିକସ ପଇଠ ପରିମାଣ ବୃଦ୍ଧି ପାଉଛି। ପ୍ରତିମାସ ଶେଷ ସୁଦ୍ଧା ଦାଖଲ କରାଯାଇଥିବା ରିଟର୍ଣ୍ଣ ପ୍ରତିଶତ ଧିରେ ଧିରେ ବୃଦ୍ଧି ପାଇଥିବା ଚାର୍ଟ -୨ ରେ ଦର୍ଶାଯାଇଛି।

ବିଭିନ୍ନ ସମୟରେ ପରିଷଦ ପକ୍ଷରୁ ବିଳମ୍ବିତ ଶୁଳ୍କ ଉଚ୍ଛେଦ କରିବା ଫଳରେ ପୁରୁଣା ରିଟର୍ଣ୍ଣ ଦାଖଲ କରିବା ଏବଂ ରିଟର୍ଣ୍ଣ ଦାଖଲ କରିବା କ୍ଷେତ୍ରରେ ଅପ୍ ଟୁ ଡେଟ୍ ରହିବାରେ ଟିକସଦାତାମାନେ ଅଧିକ ଉତ୍ସାହିତ ହୋଇଛନ୍ତି। ପ୍ରତି ମାସରେ ଅଧିକରୁ ଅଧିକ ସଂଖ୍ୟାରେ ଟିକସଦାତା ଟିକସ ପଇଠ କରୁଥିବାରୁ ପୁରୁଣା ଅବଧିର ଟିକସ ପଇଠ ପରିମାଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ମାସରେ ଚାଲୁ ଅବଧିରେ ଦାଖଲ କରାଯାଇଥିବା ରିଟର୍ଣ୍ଣ ପରିମାଣରେ ବୃଦ୍ଧି ଚାର୍ଟ-୩ରେ ଦର୍ଶାଯାଇଛି, ଯାହାକି ଚାଲୁ ମାସ ପାଇଁ ଦଖଲ କରାଯାଇଥିବା ରିଟର୍ଣ୍ଣ ପରିମାଣରେ ଉଲ୍ଲେଖନୀୟ ବୃଦ୍ଧି ପ୍ରତି ସଙ୍କେତ ଦେଉଛି। କୋଭିଡ ପାଇଁ କୋହଳ ହୋଇଥିବା ନିୟମର ଲାଭ ଉଠାଇ ଜୁଲାଇ ୨୦୨୧ରେ ୧.୫ କୋଟି ରିଟର୍ଣ୍ଣ ଦାଖଲ କରାଯାଇଛି।

ରିଟର୍ଣ୍ଣ ଦାଖଲରେ ସୁଧାର ଆସିବା ସହିତ ଇନଭଏସର ବିବରଣୀ ଥିବା ଜିଏସଟିଆର-୧କୁ ନିର୍ଦ୍ଧାରିତ ସମୟ ସୁଦ୍ଧା ଦାଖଲ କରିବା ଉପରେ ଜିଏସଟି ପରିଷଦ ଗୁରୁତ୍ବାରୋପ କରିଛି। ଇନପୁଟ୍ ଟିକସ କ୍ରେଡିଟରେ ନିୟମିତତା ସୁନିଶ୍ଚିତ କରିବା ଲାଗି ଏହି ବିବରଣୀ ଜରୁରି। ଜିଏସଟିଆର-୧ ନିର୍ଦ୍ଧାରିତ ସମୟ ସୁଦ୍ଧା ଦାଖଲ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଏସଟିଆର-୧ ନିର୍ଦ୍ଦିଷ୍ଟ ମାସ ଶେଷ ସୁଦ୍ଧା ଦାଖଲ କରାଯାଇଥିବା ସମ୍ପର୍କରେ ତଥ୍ୟ ଚାର୍ଟ-୪ରେ ଦର୍ଶାଯାଇଛି। ଜିଏସଟିଆର-୧ ଦାଖଲରେ ବୃଦ୍ଧି ଜିଏସଟି ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ସଫଳତାକୁ ଦର୍ଶାଉଛି।

ମୋଟାମୋଟି ଭାବେ ଦେଖିବାକୁ ଗଲେ, ଏହିସବୁ ପଦକ୍ଷେପ ଅନୁପାଳନ ସୁନିଶ୍ଚିତ କରିବା ସହିତ ଅଧିକ ରାଜସ୍ବ ସଂଗ୍ରହରେ ସହାୟକ ହୋଇଛି। ଟିକସ ଫାଙ୍କି ଉପରେ ଅଙ୍କୁଶ ଲଗାଇବା ଲାଗି ନକଲି ଆଇଟିସି ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଜିଏସଟି ପରିଷଦ ବିଚାର କରୁଛି। ଚଳିତ ବର୍ଷ ମାସିକ ଜିଏସଟି ସଂଗ୍ରହର ବିବରଣୀ ଚାର୍ଟ ୫ରେ ଦିଆଯାଇଛି। ତଳେ ଦିଆଯାଇଥିବା ସାରଣୀରେ ରାଜ୍ୟୱାରୀ ଜିଏସଟି ରାଜସ୍ୱ ସଂଗ୍ରହ (ବସ୍ତୁ ରପ୍ତାନି ଉପରେ ସଂଗୃହିତ ଜିଏସଟିକୁ ବାଦ୍ ଦେଇ) ପରିମାଣ ଉଲ୍ଲେଖ କରାଯାଇଛି।

ଅକ୍ଟୋବର ୨୦୨୧ରେ ରାଜ୍ୟଓ୍ବାରୀ ସଂଗୃହିତ ଜିଏସଟି ପରିମାଣରେ ବୃଦ୍ଧି:

State Oct-20 Oct-21 Growth
Jammu and Kashmir 377 648 72%
Himachal Pradesh 691 689 0%
Punjab 1,376 1,595 16%
Chandigarh 152 158 4%
Uttarakhand 1,272 1,259 -1%
Haryana 5,433 5,606 3%
Delhi 3,211 4,045 26%
Rajasthan 2,966 3,423 15%
Uttar Pradesh 5,471 6,775 24%
Bihar 1,010 1,351 34%
Sikkim 177 257 45%
Arunachal Pradesh 98 47 -52%
Nagaland 30 38 30%
Manipur 43 64 49%
Mizoram 32 32 1%
Tripura 57 67 17%
Meghalaya 117 140 19%
Assam 1,017 1,425 40%
West Bengal 3,738 4,259 14%
Jharkhand 1,771 2,370 34%
Odisha 2,419 3,593 49%
Chhattisgarh 1,974 2,392 21%
Madhya Pradesh 2,403 2,666 11%
Gujarat 6,787 8,497 25%
Daman and Diu 7 0 -99%
Dadra and Nagar Haveli 283 269 -5%
Maharashtra 15,799 19,355 23%
Karnataka 6,998 8,259 18%
Goa 310 317 3%
Lakshadweep 1 2 86%
Kerala 1,665 1,932 16%
Tamil Nadu 6,901 7,642 11%
Puducherry 161 152 -6%
Andaman and Nicobar Islands 19 26 40%
Telangana 3,383 3,854 14%
Andhra Pradesh 2,480 2,879 16%
Ladakh 15 19 32%
Other Territory 91 137 51%
Centre Jurisdiction 114 189 66%
Grand Total 80,848 96,430 19%
Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଏସଟି ପ୍ରଦାନକାରୀଙ୍କ ପାଇଁ ଖୁସି ଖବର, ଶ୍ରେଷ୍ଠ କରଦାତାଙ୍କୁ କେନ୍ଦ୍ର ସରକାର କରିବେ ସମ୍ମାନିତ

ନୂଆଦିଲ୍ଲୀ, ଜିଏସଟି ସଫଳତାରେ ସହଯୋଗ କରିଥିବା ଟିକସଦାତାଙ୍କୁ ସମ୍ମାନିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜିଏସ୍ଟି  1 ଜୁଲାଇ 2017 ରୁ କାର୍ଯ୍ୟକାରୀ କରାଯାଇଛି। ଏହି ସମୟ ମଧ୍ୟରେ ଟିକସ ପ୍ରକ୍ରିୟା ସରଳୀକୃତ ହୋଇଛି ଏବଂ ଟିକସ ଆଧାର ବୃଦ୍ଧି ପାଇଛି। ଜିଏସଟି ଆଦାୟ କ୍ରମାଗତ ବୃଦ୍ଧି ଘଟିଛି। ଲଗାତାର ଆଠ ମାସ ଧରି ଏହା ଏକ ଲକ୍ଷ କୋଟିରୁ ଅଧିକ ହୋଇଛି।

ଜିଏସଟିର ଚାରି ବର୍ଷର କାର୍ଯ୍ୟ ଶେଷ ହେବା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ସରକାର 54 ହଜାର ଚାରି ଶହ 39 ଟିକସଦାତାଙ୍କୁ ସମ୍ମାନିତ କରିବେ। ଏଥିମଧ୍ୟରୁ 88% ରୁ ଅଧିକ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ ଅଛନ୍ତି।

କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମସ ବିଭାଗ ଏହି ଟିକସଦାତାଙ୍କୁ ସମ୍ମାନତ କରି ପ୍ରମାଣପତ୍ର ପ୍ରଦାନ କରିବ। ଜିଏସ୍ଟି ନେଟୱାର୍କ ଏହି ଟିକସଦାତାମାନଙ୍କୁ ଇ-ମେଲ ମାଧ୍ୟମରେ ପୃଥକ ଭାବରେ କୃତଜ୍ଞତା ପତ୍ର ପଠାଇବେ। ମନ୍ତ୍ରଣାଳୟ କହିଛି ଯେ ଟିକସଦାତା ସେବାରେ ନିରନ୍ତର ଉନ୍ନତି ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତି, କରୋନା ଚିକିତ୍ସା ଔଷଧ, ଟିକା ଉପରୁ ହଟିଲା ଜିଏସଟି

ନୂଆଦିଲ୍ଲୀ, ରେମେଡିସିଭିର ଇଞ୍ଜେକ୍ସନ, ଏପିଏସ୍, ମେଡିକାଲ ଅମ୍ଳଜାନ, ଅମ୍ଳଜାନ କନଟେନର, କ୍ରାୟୋଜେନିକ୍ ଟ୍ୟାଙ୍କ ଏବଂ କୋଭିଡ ଟିକା ସମେତ ଚିକିତ୍ସା ସାମଗ୍ରୀର ଆମଦାନୀ ଉପରେ IGST ହଟାଇବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏଗୁଡିକ ମାଗଣା ବଣ୍ଟନ ପାଇଁ, ଏହି ରିହାତି 30 ଜୁନ୍ ପର୍ଯ୍ୟନ୍ତ ରଖାଯାଇଛି।

ଏହାପୂର୍ବରୁ କେନ୍ଦ୍ର ଜରୁରୀ ଚିକିତ୍ସା ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଏବଂ ସ୍ୱାସ୍ଥ୍ୟ ସେସକୁ ହଟାଇ ଦେଇଥିଲେ। ଏହି ଛାଡ କୈଣସି IGST ଦେୟ ବିନା ମାଗଣା ବଣ୍ଟନ ପାଇଁ କୋଭିଡ ମୁକାବିଲା ସାମଗ୍ରୀ ଆମଦାନୀ କରିବାକୁ ଅନୁମତି ଦିଆଯାଉଛି। ଆମଦାନୀକାରୀଙ୍କୁ ଏହି ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଏକ ନୋଡାଲ କର୍ତ୍ତୃପକ୍ଷ ନିଯୁକ୍ତ କରିବାକୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କୋଭିଡ ସମୟରେ କରଦାତାଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ରିହାତି, ଜାଣନ୍ତୁ କଣ

ନୂଆଦିଲ୍ଲୀ, କୋଭିଡ ମହାମାରୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜିଏସ୍ଟି ଆଇନ ପରିସର ମଧ୍ୟରେ କରଦାତାଙ୍କ ପାଇଁ ବିଭିନ୍ନ ରିହାତି ସୁବିଧା ଯୋଗାଇ ଦେଇଛନ୍ତି । କରଦାତାମାନେ ଜିଏସ୍ଟି ପୈଠ କ୍ଷେତ୍ରରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । କରୋନାର ଦ୍ୱିତୀୟ ସଂକ୍ରମଣ ପରିପ୍ରେକ୍ଷୀରେ ୨୦୨୧ ମେ ୧ତାରିଖରେ ସରକାର ଏହି ମର୍ମରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଏଥିରେ ସରକାର ଟିକସଦାତାଙ୍କ ପାଇଁ ଗ୍ରହଣ କରିଥିବା ପଦକ୍ଷେପଗୁଡିକ ନିମ୍ନମତେ ପ୍ରଦାନ କରାଯାଇଛି ।

୧-ସୁଧହାର ହ୍ରାସ:

ଟିକସ ପୈଠ କ୍ଷେତ୍ରରେ ବିଳମ୍ବ ପାଇଁ ବାର୍ଷିକ ଯେଉଁ ୧୮ଶତାଂଶ ହାରରେ ସ୍ୱାଭାବିକ ସୁଧ ଆଦାୟ କରାଯାଉଥିଲା ତାହାକୁ କୋହଳ କରାଯାଇ ବିଭିନ୍ନ ବର୍ଗର କରଦାତାଙ୍କ ପାଇଁ ନିମ୍ନଲିଖିତ ସୁବିଧା ପ୍ରଦାନ କରାଯାଇଛି ।

(କ) ବର୍ଷକୁ ମୋଟ ୫କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ପଞ୍ଜୀକୃତ ବ୍ୟକ୍ତିବିଶେଷଙ୍କ ପାଇଁ ଟିକସ ପୈଠର ଧାର‌୍ୟ୍ୟ ତାରିଖଠାରୁ ୧୫ଦିନ ପର‌୍ୟ୍ୟନ୍ତ ୧୮ଶତାଂଶ ପରିବର୍ତ୍ତେ ୯ ଶତାଂଶ ସୁଧ ଆଦାୟ କରାଯିବ । ଏହି ୧୫ ଦିନ ପରେ ଟିକସ ଦାଖଲ କଲେ ପୂର୍ବଭଳି ୧୮ ଶତାଂଶ ସୁଧ ଦେବାକୁ ପଡିବ । ୨୦୨୧ ମାର୍ଚ୍ଚରୁ ଏପ୍ରିଲ ୨୨ ତାରିଖ ପର‌୍ୟ୍ୟନ୍ତ ଟିକସ ଆଦାୟ ସମୟ ପାଇଁ ଏହି ସୁବିଧା ପ୍ରଦାନ କରାଯାଇଛି । ୨୦୨୧ ମାର୍ଚ୍ଚର ଟିକସ ଏପ୍ରିଲ ୨୦୨୧ ଏବଂ ୨୦୨୧ ଏପ୍ରିଲ ମାସର ଟିକସ ମେ ୨୦୨୧ରେ ଆଦାୟ କରାଯିବ।

(ଖ) ବାର୍ଷିକ ୫କୋଟି ଟଙ୍କା ପର‌୍ୟ୍ୟନ୍ତ କାରବାର କରୁଥିବା ପଞ୍ଜୀକୃତ ବ୍ୟକ୍ତି ବା ବ୍ୟବସାୟୀଙ୍କ ପାଇଁ ଧାର‌୍ୟ୍ୟ ଟିକସ ଆଦାୟ ତାରିଖର ୧୫ଦିନ ପରବର୍ତ୍ତୀ ସମୟ ପାଇଁ ଟିକସ ଉପରେ କୌଣସି ସୁଧ ପଡିବ ନାହିଁ । ଏହାର ପରବର୍ତ୍ତୀ ୧୫ଦିନ ମଧ୍ୟରେ ଟିକସ ଦାଖଲ କଲେ ୯ ଶତାଂଶ ସୁଧ ଦେବାକୁ ପଡିବ । ଏହା ପରେ ଟିକସ ପୈଠ ପାଇଁ ୧୮ଶତାଂଶ ହାରରେ ସୁଧ ଦେବାକୁ ହେବ ।

ଏହା ଉଭୟ ନିୟମିତ ଟିକସ ଦାତା ଓ କ୍ୟୁଆର୍ଏମ୍ପି ଅନ୍ତର୍ଭୁକ୍ତ ଯୋଜନାର ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ୨୦୨୧ ମାର୍ଚ୍ଚ ଓ ଏପ୍ରିଲ ମାସର ଟିକସ ଆଦାୟ ସମୟ ଅନ୍ତର୍ଭୁକ୍ତ । ସମ୍ପୃକ୍ତ ଟିକସଦାତା ମାର୍ଚ୍ଚର ଟିକସ ଏପ୍ରିଲରେ ଓ ଏପ୍ରିଲର ଟିକସ ୨୦୨୧ ମେ’ ମାସରେ ଦାଖଲ କରିପାରିବେ ।

(ଗ) କମ୍ପୋଜିଏସନ ସ୍କିମ୍ରେ ଟିକସ ପ୍ରଦାନ ପାଇଁ ପଞ୍ଜୀକୃତ କରଦାତାଙ୍କ ନିମନ୍ତେ ଧାର‌୍ୟ୍ୟ ତାରିଖର ପନ୍ଦରଦିନ ପରବର୍ତ୍ତୀ ସମୟ ପାଇଁ କୌଣସି ସୁଧ ଦେବାକୁ ପଡିବ ନାହିଁ । ରିହାତି ସମୟ ୧୫ଦିନ ପରେ ଟିକସ ଦେଲେ ୯ଶତାଂଶ ସୁଧ ଦେବାକୁ ହେବ । ଏହି ସମୟ ପରେ ଟିକସ ପୈଠ କଲେ ୧୮ଶତାଂଶ ହାରରେ ସୁଧ ଆଦାୟ କରାଯିବ । ଏମାନଙ୍କ ପାଇଁ ମଧ୍ୟ ୨୦୨୧ ମାର୍ଚ୍ଚ ଓ ଏପ୍ରିଲର ଟିକସ ପୈଠ ସମୟ ଯଥାକ୍ରମେ ଏପ୍ରିଲ ଓ ମେ’ ମାସ ଧାର‌୍ୟ୍ୟ କରାଯାଇଛି ।

୨-ବିଳମ୍ବିତ ଦେୟ ଫି (ଲେଟ ଫି) ଛାଡ :

(କ) ଯେଉଁ ପଞ୍ଜୀକୃତ କରଦାତା /ବ୍ୟବସାୟୀଙ୍କ ବାର୍ଷିକ କାରବାର ପାଞ୍ଚକୋଟି ଟଙ୍କାରୁ ଅଧିକ ସେମାନଙ୍କ ପାଇଁ ୧୫ଦିନ ପର‌୍ୟ୍ୟନ୍ତ ଜିଏସ୍ଟିଆର-୩ଈ ଫର୍ମରେ ରିଟର୍ଣ୍ଣ ଦାଖଲ କ୍ଷେତ୍ରରେ ଲେଟ ଫିକୁ ଛାଡ କରାଯାଇଛି । ଅର୍ଥାତ୍ ସେମାନେ ଧାର‌୍ୟ୍ୟ ତାରିଖର ପନ୍ଦରଦିନ ପର‌୍ୟ୍ୟନ୍ତ ଏହି ସୁବିଧା ପାଇପାରିବେ । ମାର୍ଚ୍ଚ ଓ ଏପ୍ରିଲ ମାସର ଟିକସ ଦାଖଲ ସମୟ ପାଇଁ ଏହି ସୁବିଧା ଉପଲବ୍ଧ ।

(ଖ) ଯେଉଁ ପଞ୍ଜୀକୃତ ବ୍ୟବସାୟୀ/ବ୍ୟକ୍ତିଙ୍କର ବାର୍ଷିକ କାରବାର ପାଞ୍ଚକୋଟି ଟଙ୍କା ଭିତରେ ସେମାନଙ୍କ ପାଇଁ ଜିଏସଟିଆର-୩ଈ ଫର୍ମରେ ରିଟର୍ଣ୍ଣ ଦାଖଲ ସମୟ ଧାର‌୍ୟ୍ୟ ଶେଷ ତାରିଖଠାରୁ ୧୫ଦିନ ଅଧିକ ବଢାଇ ଦିଆଯାଇଛି । ଏହା ମାର୍ଚ୍ଚ ଓ ଏପ୍ରିଲ ୨୧ ଟିକସ ସମୟ ପାଇଁ ଉଦ୍ଦିଷ୍ଟ । ସେହିଭଳି ମାସିକ ରିଟର୍ଣ୍ଣ ଦାଖଲ କରୁଥିବା ଟିକସଦାତା ଏହି ସୁବିଧା ଜାନୁୟାରୀ-ମାର୍ଚ୍ଚ ୨୦୨୧ ଓ କ୍ୟୁଆରଏମ୍ପି ସ୍କିମର ଟିକସଦାତା ଏପ୍ରିଲ ମାସ ପାଇଁ ନେଇପାରିବେ ।

୩-ଜିଏସଟିଆର-୧, ଆଇଏଫଏଫ୍, ଜିଏସ୍ଟିଆର-୪ ଓ ଆଇଟିସି-୦୪ର ଟିକସ ଫାଇଲ କରିବାର ଶେଷ ତାରିଖକୁ ନିମ୍ନମତେ ବୃଦ୍ଧି କରାଯାଇଛି ।

(କ) ଜିଏସ୍ଟିଆର-୧ ଫର୍ମ, ଆଇଏଫଏଫ, ଏପ୍ରିଲ ମାସ ପାଇଁ ଉଦ୍ଦିଷ୍ଟ ଫାଇଲିଂ ତାରିଖର ଅନ୍ତିମ ସମୟ ସୀମାକୁ ୧୫ଦିନ ଯାଏ ବଢାଇ ଦିଆଯାଇଛି ।

(ଖ) ଜିଏସ୍ଟିଆର-୪ ଫର୍ମର ଫାଇଲିଂ ତାରିଖ, ଯାହା ୨୦୨୦-୨୧ ପାଇଁ ଉଦ୍ଧିଷ୍ଟ, ତାହାକୁ ୩୦ଏପ୍ରିଲ ୨୦୨୧ରୁ ୩୧ ମେ’ ୨୦୨୧ ଯାଏ ବୃଦ୍ଧି କରାଯାଇଛି ।

(ଗ) ଆଇଟିସି-୦୪ ଫର୍ମ ଦାଖଲର ଶେଷ ତାରିଖକୁ ଜାନୁୟାରୀ-ମାର୍ଚ୍ଚ ୨୦୨୧ ତ୍ରୈମାସିକ ପାଇଁ ବୃଦ୍ଧି କରାଯାଇଛି । ଏବେ ଏହା ୨୦୨୧ ଏପ୍ରିଲ ୨୫ତାରିଖ ପରିବର୍ତ୍ତେ ୨୦୨୧ ମେ’ ୩୧ତାରିଖ ହୋଇଛି ।

(ଘ) ସିଜିଏସ୍ଟି ନିୟମରେ କେତେକ ସଂଶୋଧନ କରାଯାଇଛି ।

(ଙ) ଆଇଟିସି ସୁବିଧା ନେବା ନିୟମ କୋହଳ -ଆଇଟିସି ସୁବିଧା ନେବା ପାଇଁ ଉଦ୍ଦିଷ୍ଟ ନିୟମ କୋହଳ କରାଯାଇ ଧାରା ୩୬(୪) ଅର୍ଥାତ୍ ୧୦୫% ସର୍ବୋଚ୍ଚ ସୀମାକୁ ପରିବର୍ତ୍ତନ କରାଯାଇଛି । ଫଳରେ ଜିଏସ୍ଟିଆର-୩ଈ ଫର୍ମରେ ଆଇଟିସି ସାମଗ୍ରିକ ବୁଦ୍ଧି ଭିତ୍ତିରେ ହାସଲ କରିହେବ । ଏହି ସୁବିଧା ୨୦୨୧ ଏପ୍ରିଲ ଓ ମେ’ ମାସ ପାଇଁ ମିଳିବ ଏବଂ ମେ’ ମାସର ଟିକସ ପିରିୟଡ ପାଇଁ ପ୍ରଯୁଜ୍ୟ ହେବ । ଅନ୍ୟଥା ନିୟମ ୩୬(୪) ପ୍ରତ୍ୟେକ ଟିକସ ପିରିୟଡ ପାଇଁ ଅବ୍ୟାହତ ରହିବ ।

(ଚ) ଯେଉଁ କମ୍ପାନୀ ଇଲେକଟ୍ରୋନିକ୍ ଭେରିଫିକେସନ କୋଡ୍ ବ୍ୟବହାର ରି ଜିଏସ୍ଟିଆର-୩ଈ, ଜିଏସ୍ଟିଆର-୧/ଆଇଏଫ୍ଏଫ୍ ଫାଇଲ କରୁଛନ୍ତି ସେମାନଙ୍କୁ ଏହି ସୁବିଧା ୨୭.୦୪. ୨୦୨୧ରୁ ୩୧.୦୫.୨୦୨୧ ସମୟ ପର୍ଯ୍ୟନ୍ତ ମିଳିବ ।

(ଛ) ଜିଏସ୍ଟି ଆଇନର ଧାରା ୧୬୮(କ)ଅନୁସାରେ ବୈଧାନିକ ସମୟ ସୀମାକୁ ବଢାଇ ଦିଆଯାଇଛି । ତଦନୁସାରେ କୌଣସି କର୍ତ୍ତୃପକ୍ଷ ବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ବିଭିନ୍ନ କାମର ସମୟ ସୀମା ଧାର‌୍ୟ୍ୟ କରାଯାଇଛି । ଏହାଫଳରେ ୨୦୨୧ ଏପ୍ରିଲ ୧୫ଠାରୁ ମେ’ ୩୦ ମଧ୍ୟରେ ହେବାକୁ ଥିବା ସବୁ କାମର ସମୟ ସୀମାକୁ ୨୦୨୧ ମେ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି । ତେବେ ଏଥିରେ ଅଳ୍ପ କିଛି ନିଦ୍ଦିଷ୍ଟ ବ୍ୟତିକ୍ରମ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଏସ୍‌ଟି କ୍ଷତିପୂରଣ ବାବଦରେ 16 ରାଜ୍ୟ ଓ 3 କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯିବ 6 ହଜାର କୋଟି ଟଙ୍କା

ନୂଆଦିଲ୍ଲୀ, ଜିଏସ୍‌ଟି କ୍ଷତିପୂରଣ ପାଇଁ ଦ୍ୱିତୀୟ ଦଫାରେ 16ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳକୁ 6 ହଜାର କୋଟି ଟଙ୍କା ଆଜି ଯୋଗାଇ ଦିଆଯିବ। ଏହାର ସ୍ପେଶାଲ ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏହା ପ୍ରଦାନ କରିବ। ଏହା ଋଣ ଆକାରରେ 4.42 ଶତାଂଶ ସୁଧରେ ଋଣ କରି କେନ୍ଦ୍ର ସରକାର ସଂଗ୍ରହ କରିଛନ୍ତି । ସମାନ ସୁଧ ହାରରେ ଏହି ଅର୍ଥ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦିଆଯିବ।

ଏହି ସୁଧହାର ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରୁଥିବା ଋଣର ସୁଧ ହାରଠାରୁ କମ୍‌। ଏହି କମ୍‌ ସୁଧ ଯୋଗୁଁ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପକୃତ ହେବେ । ଏ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥାରେ 12 ହଜାର କୋଟି ଟଙ୍କାର ଋଣ କରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ସ୍ପେଶାଲ ବରୋଇଂ ୱିଣ୍ଡୋ ଏକ ବ୍ୟବସ୍ଥା ଯେଉଁଠି ରାଜ୍ୟମାନଙ୍କର ଜରୁରୀ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ସ୍ୱଳ୍ପ ସୁଧରେ ଋଣ ସଂଗ୍ରହ କରି ସଂପୃକ୍ତ ପ୍ରଦେଶମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଯୋଗାଇଥାନ୍ତି।

କରୋନା ମହାମାରୀ ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟର ଜିଏସ୍‌ଟି ସଂଗ୍ରହ ପରିମାଣ ବିଶେଷ ପ୍ରଭାବିତ ହୋଇଛି। ବ୍ୟବସ୍ଥା ଅନୁସାରେ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ବାବଦ ଅର୍ଥ ଯୋଗାଇବାକୁ ପଡିବ । ସେହି ଆବଶ୍ୟକତା ପୂରଣ ପାଇଁ ଋଣ କରିବା ନିମନ୍ତେ ରାଜ୍ୟମାନଙ୍କୁ କେନ୍ଦ୍ର ପରାମର୍ଶ ଦେଇଥିଲା। ଏ ଯାବତ୍‌ ଦେଶର 21ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳ ସ୍ପେଶାଲ ୱିଣ୍ଡୋ ଅପ୍‌ସନ-1 ଅନୁସାରେ ଋଣ କରିବାକୁ କେନ୍ଦ୍ରକୁ ସମ୍ମତି ପ୍ରଦାନ କରିଥିଲେ।

ତଦନୁସାରେ ଭାରତ ସରକାର ଏହି ଋଣ ବନ୍ଦୋବସ୍ତ କରି ସଂପୃକ୍ତ ଅର୍ଥକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ କ୍ରମାଗତ ଯୋଗାଇ ଦେଇ ଆସୁଛନ୍ତି । ରାଜ୍ୟମାନଙ୍କର ଜିଏସ୍‌ଟି କ୍ଷତିପୂରଣ ବାବଦ ଅର୍ଥ ଭରଣା କରିବା ପାଇଁ ଏହା ପ୍ରଦାନ କରାଯାଉଛି। ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଋଣ ପ୍ରଦାନ କରାଯାଇଛି ସେଗୁଡିକ ହେଲା- ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଜମ୍ମୁ  ଓ କଶ୍ମୀର ଏବଂ ପୁଡୁଚେରୀ।

 

Categories
ଆଜିର ଖବର ରାଜ୍ୟ ଖବର

ସେବା ଓ ଦ୍ରବ୍ୟକର ପ୍ରାପ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ଠକିଛନ୍ତି: ଓଡିଶା କଂଗ୍ରେସ

ଭୁବନେଶ୍ବର: ଜିଏସଟି ଭରଣା ବାବଦ ଅର୍ଥ ଦେବାରେ ଓଡ଼ିଶାକୁ ପ୍ରବଞ୍ଚିତ କରାଯାଇଛି ବୋଲି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‍ଗୋ ଅଭିଯୋଗ କରିଛନ୍ତି। ଭାଜପାକୁ ପ୍ରଶ୍ନ ପଚାରି କାନୁନଗୋ କହିଛନ୍ତି ଯେ, ଦୁଃଖ ଓ ପରିତାପର ସହିତ କହିବାକୁ ହେଉଛି ଯେ ଭାରତୀୟ ଜନତାପାର୍ଟି ଓ ତା’ର ନେତାମାନେ ସମସ୍ତ ରାଜ୍ୟବାସୀଙ୍କୁ ମୁର୍ଖ ବିବେଚନା କରି ଅନେକ ସମୟରେ ଅସତ୍ୟ ଓ ବିଭ୍ରାନ୍ତିକର ତଥ୍ୟମାନ ଦେବାରେ ଲାଗିଛନ୍ତି।
ସେବା ଓ ଦ୍ରବ୍ୟକର ବାବଦରେ କାନୁନ୍‍ଗୋ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ଦେଉଥିବା ଅର୍ଥ କ’ଣ ରାଜ୍ୟକୁ ଦାନ ଓ ରାଜ୍ୟର ଆଇନାନୁମୋଦିତ ପ୍ରାପ୍ୟ ନୁହେଁ ? ସେବା ଓ ଦ୍ରବ୍ୟ କର ଆଇନାନୁସାରେ ଏହି ନେତାମାନେ କ’ଣ ଜାଣନ୍ତି ନାହିଁ ଯେ ରାଜ୍ୟକୁ ୨୦୧୫-୧୬ ବର୍ଷକୁ ମୂଳବର୍ଷକରି ପ୍ରତିବର୍ଷ ୧୪% ବର୍ଦ୍ଧିତ ଟିକସ୍‍ ହାରରେ ରାଜ୍ୟମାନଙ୍କୁ ୨୦୨୧-୨୨ ମସିହା ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା ଅଛି? ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ କେଉଁ ସ୍ୱାର୍ଥରେ କେଉଁ ସ୍ୱାଭିମାନରେ କେନ୍ଦ୍ର ସରକାରଙ୍କର ଅନୁଗୃହୀତ ଓ କାହା ସ୍ୱାର୍ଥରେ ଦାନୀ ପଣିଆକୁ ପ୍ରଶ୍ନ କରି ନାହାନ୍ତି ତାହା ତାଙ୍କୁ ଓ ତାଙ୍କ ଅଫିସରମାନଙ୍କୁ ଜଣା ବୋଲି ରାଜ୍ୟ କଂଗ୍ରେସ ତରଫରୁ କୁହା ଯାଇଛି।
୨୦୧୯-୨୦ ବର୍ଷପାଇଁ ରାଜ୍ୟର ଆଇନାନୁମୋଦିତ ପ୍ରାପ୍ୟ ୬.୨୦୦ କୋଟି ଟଙ୍କା ଜି.ଏସ୍‍.ଟି ରାଜସ୍ୱ କ୍ଷତିପୂରଣ ପାଇବା କଥା। ରାଜ୍ୟ ପାଇଛି ମୋଟ୍‍ ୫୧୨୨କୋଟି ଟଙ୍କା।ଏକଥା କ’ଣ ଭାଜପା ନେତାମାନେ ହିସାବ କରି ନାହାନ୍ତି କାରଣ ଗତବର୍ଷ (୨୦୧୯-୨୦) ପାଇଁ ରାଜ୍ୟର ଜି.ଏସ୍‍.ଟି. ଆଦାୟ ୭.୮୬% ଥିଲା। ଅବଶିଷ୍ଟ ୬.୧୪% କେନ୍ଦ୍ର ଭରଣା କରିବା କଥା। ଏ ବାବଦରେ ରାଜ୍ୟ ପ୍ରାୟ ହଜାରେ କୋଟି ଟଙ୍କାର କ୍ଷତି ସହିଛି ବୋଲି କାନୁନଗୋ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାଜ୍ୟଗୁଡିକୁ ଜିଏସଟି କ୍ଷତିପୂରଣ ବାବଦକୁ 1,65,302 କୋଟି ଟଙ୍କା ଦେଲା କେନ୍ଦ୍ର, ଜାଣନ୍ତୁ କାହାକୁ କେତେ

ନୂଆଦିଲ୍ଲୀ, କେନ୍ଦ୍ର ସରକାର ନିକଟରେ କେବଳ ମାର୍ଚ୍ଚ ମାସ ପାଇଁ ବସ୍ତୁ ଓ ସେବା କର କ୍ଷତିପୂରଣ ବାବଦକୁ 13,806 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାକୁ ମିଶାଇ 2019-20 ଆର୍ଥିକ ବର୍ଷରେ ରାଜ୍ୟଗୁଡିକୁ କ୍ଷତିପୂରଣ ବାବଦ ସମସ୍ତ ଅର୍ଥ ପଇଠ କରାଯାଇଛି । ଏହି ଅବଧି ମଧ୍ୟରେ ମୋଟ କ୍ଷତିପୂରଣ ବାବଦକୁ 1,65,302 କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ସମୟ ମଧ୍ୟରେ 95,444 କୋଟି ଟଙ୍କା ସଂଗୃହିତ ହୋଇଛି ।

2019-20 ଆର୍ଥିକ ବର୍ଷର କ୍ଷତିପୂରଣ ପଇଠ କରିବା ବେଳେ 2017-18 ଏବଂ 2018-19 ଆର୍ଥିକ ବର୍ଷର ବଳକା ଥିବା ଅର୍ଥକୁ ମଧ୍ୟ ହିସାବକୁ ନିଆଯାଇଛି । ଏହାଛଡା କେନ୍ଦ୍ର 33,412 କୋଟି ଟଙ୍କା ଦେଶର ଅନାବଦ୍ଧ ପାଣ୍ଠିରୁ ମଧ୍ୟ ପ୍ରଦାନ କରିଛି । ନିମ୍ନରେ ରାଜ୍ୟୱାରୀ ପ୍ରଦାନ କରାଯାଇଥିବା ବସ୍ତୁ ଓ ସେବା କର ବାବଦ କ୍ଷତିପୂରଣ ଅର୍ଥ ହିସାବ ଦିଆଯାଇଛି ।

କ୍ର.ସଂ ରାଜ୍ୟ/

କେନ୍ଦ୍ରଶାସିତ ଅଞ୍ଚଳ

2019-20

ଆର୍ଥିକ ବର୍ଷ

ପାଇଁ ଜିଏସଟି କ୍ଷତିପୂରଣ

(କୋଟିରେ)

କ୍ର.ସଂ ରାଜ୍ୟ/

କେନ୍ଦ୍ରଶାସିତ ଅଞ୍ଚଳ

2019-20

ଆର୍ଥିକ ବର୍ଷ

ପାଇଁ ଜିଏସଟି କ୍ଷତିପୂରଣ

(କୋଟିରେ)

1 ଆନ୍ଧ୍ର ପ୍ରଦେଶ 3028 17 ମଣିପୁର 0
2 ଅରୁଣାଚଳ ପ୍ରଦେଶ 0 18 ମେଘାଳୟ 157
3 ଆସାମ 1284 19 ମିଜୋରାମ 0
4 ବିହାର 5464 20 ନାଗାଲାଣ୍ଡ 0
5 ଛତିଶଗଡ 4521 21 ଓଡିଶା 5122
6 ଦିଲ୍ଲୀ 8424 22 ପୁଡୁଚେରି 1057
7 ଗୋଆ 1093 23 ପଞ୍ଜାବ 12187
8 ଗୁଜରାଟ 14801 24 ରାଜସ୍ଥାନ 6710
9 ହରିୟାଣା 6617 25 ସିକ୍କିମ 0
10 ହିମାଚଳ ପ୍ରଦେଶ 2477 26 ତାମିଲନାଡୁ 12305
11 ଜମ୍ମୁ ଓ କଶ୍ମୀର 3281 27 ତେଲଙ୍ଗାନା 3054
12 ଝାଡଖଣ୍ଡ 2219 28 ତ୍ରିପୁରା 293
13 କର୍ଣ୍ଣାଟକ 18628 29 ଉତ୍ତରପ୍ରଦେଶ 9123
14 କେରଳ 8111 30 ଉତ୍ତରାଖଣ୍ଡ 3375
15 ମଧ୍ୟ ପ୍ରଦେଶ 6538 31 ପଶ୍ଚିମବଙ୍ଗ 6200
16 ମହାରାଷ୍ଟ୍ର 19233   ମୋଟ 165302