Categories
ଜାତୀୟ ଖବର ବିଶେଷ ଖବର

ଅଲବିଦା ବିପିନ ରାୱାତ: ଗୋଟିଏ ଜୁଇରେ ସ୍ବାମୀ ସ୍ତ୍ରୀଙ୍କର ଶେଷକୃତ, ଦୁଇ ଝିଅ ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ: ଶେଷରେ ପଞ୍ଚଭୂତରେ ବିିଲିନ ହେଲା ଚିଫ ଡିଫେନସ ଷ୍ଟାଫ ଜେନେରାଲ ବିପିନ ରାୱାତଙ୍କ ପାର୍ଥିବ ଶରୀର। ଗୋଟିଏ ଜୁଇରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ମଧୁଲିକା ରାୱାତଙ୍କ ସତ୍କାର କରାଯାଇଛି। ଆଜି ଦିଲ୍ଲାର ବରାର ଛକରେ ଥିବା ଶ୍ମଶାନଘାଟରେ ଉଭୟଙ୍କ ଶେଷକୃତ କରାଯାଇଛି। ତାଙ୍କର ଦୁଇ ଝିଅ କ୍ରିତିକା ଏବଂ ତାରିଣୀ ଉଭୟ ବାପା ମାଙ୍କୁ ମୁଖାଗ୍ନି ଦେଇଥିଲେ।

ହିନ୍ଦୁ ରିତିନୀତି ଅନୁସାରେ ଶ୍ମଶାନଘାଟରେ ମନ୍ତ୍ର ଉଚ୍ଚାରଣ କରି ତାଙ୍କର ସମସ୍ତ କର୍ମ କରାଯାଇଥିଲା। ଏଥିରେ ଦୁଇ ଝିଅ ଏହି କର୍ମ କରିଥିଲେ। ଏହା ଶେଷ ହେବା ପରେ କଫିନରୁ ଉଭୟଙ୍କ ମୃତଦେହ ବାହାର କରି ଦାହ କରାଯାଇଥିଲା। ସାମରିକ ନିୟମ ଅନୁସାରେ ବିପିନ ରାୱାତଙ୍କ ପାର୍ଥିବ ଶରୀରରେ ଘୋଡାଯାଇଥିବା ଜାତୀୟ ପତାକାକୁ ସମ୍ମାନର ସହିତ କଢାଯାଇଥିଲା।

ମୁଖାଗ୍ନି ପୂର୍ବରୁ ସାମରିକ ନିୟମ ଅନୁସାରେ ତାଙ୍କୁ 17 ତୋପ ସଲାମି ପ୍ରଦାନ କରାଯାଇଥିଲା। ଏହାପରେ ଦୁଇଝିଅ ମୁଖାଗ୍ନି ପ୍ରଦାନ କରିଥିଲେ। ଉଭୟଙ୍କୁ ଶେଷ ଦର୍ଶନ କରିବା ପାଇଁ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଶ୍ମାସନ ଘାଟରେ ତିନି ସେନାର ମୁଖ୍ୟ ଶେଷ ସଲାମି ପ୍ରଦାନ କରିଥିଲେ।

ଶେଷକୃତ କାର୍ଯ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୱାଲା ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ଶ୍ମଶାନ ଘାଟରେ ଉପସ୍ଥିତ ରହି ସମ୍ମାନ ଜଣାଇଥିଲେ।

ପଞ୍ଚଭୂତରେ ସ୍ବାମୀସ୍ତ୍ରୀଙ୍କ ପାର୍ଥିବ ଶରୀର ବିଲିନ ହେବା ପରେ ବିଧି ଅନୁଯାୟୀ ଉଭୟଙ୍କର ଅସ୍ଥି କଢାଯାଇଥିଲା। ଦୁଇ ଝିଅ ଏହାକୁ ଘରକୁ ନେଇଥିଲେ। ଶନିବାର ଦିନ ଏହାକୁ ହରିଦ୍ବାରରେ ବିସର୍ଜନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଅନ୍ତିମ ଯାତ୍ରାରେ ଜେନରାଲ ବିପିନ ରାୱାତ, ରାସ୍ତାରେ ହଜାର ହଜାର ଲୋକେ କଲେ ଦର୍ଶନ

ନୂଆଦିଲ୍ଲୀ: ଶେଷରେ ଅନ୍ତିମ ଯାତ୍ରାରେ ଗଲେ ଚିଫ୍ ଡିଫେନସ ଷ୍ଟାଫ ଜେନେରାଲ ବିପିନ ରାୱାତ। ଏକ ସୁସଜ୍ଜିତ ଗାଡିରେ ତାଙ୍କ ବାସ ଭବନରୁ ନୂଆଦିଲ୍ଲୀ କୈଣ୍ଟ ବରାରରେ ଥିବା ଶ୍ମଶାନରେ ସଂସ୍କାର କରାଯିବ। ଏଥିସହିତ ତାଙ୍କ ଧର୍ମପତ୍ନୀ ମଧୁଲିକା ରାୱାତଙ୍କୁ ମଧ୍ୟ ଶେଷ ବିଦାୟ ପ୍ରଦାନ କରାଯିବ।

ଆଜି ସକାଳେ ବହୁ ବରିଷ୍ଠ ଲୋକ ତଥା ନେତା ମନ୍ତ୍ରୀ ଜେନରାଲ ରାୱତଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ। ଏହାପରେ ସାମରିକ ବାହିନୀର ଅଧିକାରୀମାନେ ମଧ୍ୟ ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କୁ ଏକ ସୁସଜ୍ଜିତ ଗାଡିରେ ଶ୍ମଶାନକୁ ନିଆଯାଇଛି। ରାସ୍ତାରେ ହଜାରହଜାର ଲୋକ ତାଙ୍କୁ ଅନ୍ତିମ ସମ୍ମାନ ଜଣାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ଦିଲ୍ଲୀରେ ବିପିନ ରାୱତ, ପତ୍ନୀ ମଧୁଲିକାଙ୍କ କରାଯିବ ଶେଷକୃତ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଶେଷକୃତ୍ୟ କରାଯିବ। ତାଙ୍କର ମୃତଦେହ ଆଜି ସନ୍ଧ୍ୟାରେ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ସମ୍ଭାବନା ରହିଛି। ଏହାପୂର୍ବରୁ ଆଜି ୱେଲିଙ୍ଗଟନ୍‌ର ମାଡ୍ରାସ ରେଜିମେଣ୍ଟାଲ୍ ସେଣ୍ଟରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବା ପାଇଁ ଆର୍ମି ଷ୍ଟାଫ୍ ମୁଖ୍ୟ ଏମ୍ ନାରାଭାନେ, ଏୟାର ଷ୍ଟାଫ୍ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧରୀ ଏବଂ ନୈସେନା ମୁଖ୍ୟ ଆଡମିରାଲ ହରି କୁମାର ଆଜି ସକାଳେ ୱେଲିଙ୍ଗଟନରେ ପହଞ୍ଚିଛନ୍ତି। ଏହା ପରେ ଜେନେରାଲ ରାୱତ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହକୁ ଦିଲ୍ଲୀ ଅଣାଯିବ। ଆସନ୍ତାକାଲି ମୃତଦେହକୁ ନୂଆଦିଲ୍ଲୀର ଜେନେରାଲ ରାୱତଙ୍କ ବାସଭବନରେ ରଖାଯିବ। ସେଠାରେ ଲୋକମାନେ ସକାଳ 11 ଟାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଶେଷ ଦର୍ଶନ କରିବେ ପାରିବେ।

ଗତକାଲି ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ 11 ଜଣଙ୍କର ମୃତ୍ୟୁ ଘଟିଛି। ଜେନେରାଲ ରାୱତ ଏବଂ ଅନ୍ୟ 13 ଜଣଙ୍କୁ ନେଇ ଯାଉଥିବା ଏକ ମି -17 ଭି -5 ହେଲିକପ୍ଟର ତାମିଲନାଡୁର କୋଏମ୍ବାଟୁର ନିକଟ ସୁଲୁରୁରେ ବାୟୁସେନା ଷ୍ଟେସନରୁ କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର ତଦନ୍ତ ପାଇଁ ଭାରତୀୟ ବାୟୁସେନା ନିର୍ଦ୍ଦେଶ ଦେଇଛି। ଏହି ଦୁର୍ଘଟଣାରୁ ବଞ୍ଚିଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂ ୱେଲିଙ୍ଗଟନ୍‌ର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଦେଶର ପ୍ରଥମ ଚିଫ ଡିଫେନସ ଷ୍ଟାଫ ଜେନେରାଲ୍ ବିପିନ ରାୱତ 31 ଡିସେମ୍ବର 2016 ରୁ 31 ଡିସେମ୍ବର 2019 ପର୍ଯ୍ୟନ୍ତ ସେନା ମୁଖ୍ୟ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ସେନା ହେଲିକାପ୍ଟର ଦୁର୍ଘଟଣାରେ 14 ଜଣଙ୍କ ମଧ୍ୟରୁ 13 ଜଣଙ୍କ ମୃତ୍ୟୁ, ଜାଣନ୍ତୁ କଣ ଥିଲା ପୁରା ଘଟଣା

ନୂଆଦିଲ୍ଲୀ: ଜେନରାଲ ରାୱତକୁ ନେଇ ଯାଉଥିବା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ 13 ଜଣଙ୍କର ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ତେବେ ବିପିନ ରାୱାତଙ୍କ ଅବସ୍ଥା ସଂପର୍କରେ ଏ ପର୍ଯ୍ୟନ୍ତ କେହି ସ୍ପଷ୍ଟ କରିନାହାଁନ୍ତି।

ତାମିଲନାଡୁ ନୀଳଗିରି ଜିଲ୍ଲାର କଲେକ୍ଟରଙ୍କ ସୂଚନା ଅନୁସାରେ ଏଥିରେ ଯାତ୍ରା କରୁଥିବା 14 ଜଣଙ୍କ ମଧ୍ୟରୁ 13 ଜଣଙ୍କର ମୃତ୍ୟୁ ହୋଇଛି। 90 ପ୍ରତିଶତ ପୋଡିଯାଇଥିବା ଜଣେ ମାତ୍ର ବଞ୍ଚିଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଛି। ତେବେ ସେହି ବ୍ୟକ୍ତି କିଏ ସେ ତାହା ସ୍ପଷ୍ଟ ହୋଇ ନାହିଁ। ଜେନରାଲ ରାୱତଙ୍କ ଅବସ୍ଥା ମଧ୍ୟ ଅସ୍ପଷ୍ଟ ରହିଛି।

ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାନେ ମଧ୍ୟ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ଦଶ ମିନିଟ ରହି ଫେରି ଆସିଥିଲେ।

ଦୁର୍ଘଟଣା ସଂପର୍କରେ କେମିତି ମିଳିଲା ଖବର

ତାମିଲନାଡୁର କୋଏମ୍ବାଟୁର ନିକଟ ସୁଲୁରର ବାୟୁସେନା ଘାଟିରୁ ଆଜି ସକାଳେ ଚପରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଉଦଗାମଣ୍ଡାଲମର ୱେଲିଙ୍ଗଟନ୍ ଅଭିମୁଖେ ଯାଉଥିଲା, ଯାହା ଓଟି ନାମରେ ମଧ୍ୟ ଜଣାଶୁଣା, ଯେଉଁଠାରେ ଏକ ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜ ଅବସ୍ଥିତ। ତାମିଲନାଡୁର ନୀଳଗିରି ପାହାଡରେ ଦିନ ପ୍ରାୟ 12.20 ମିନିଟରେ ବିପିନ ରାୱାତଙ୍କ ଏହି ହେଲିକାପ୍ଟର ଦୁର୍ଘଟଣା ହୋଇ ଭୂମିଷ୍ଠ ହୋଇଥିଲା।

ଏଥିରେ ମୋଟ 14 ଜଣ ଯାତ୍ରୀ ଥିଲେ। ସେଥିମଧ୍ୟରୁ ପାଞ୍ଚ ଜଣ କର୍ମଚାରୀ ଏବଂ ନଅ ଜଣ ଅଫିସର ଥିଲେ। ଜେନରାଲ ରାୱତ ଏହି ବିମାନରେ ଥିବାର ବାୟୁସେନା ସ୍ପଷ୍ଟ କରିଛି। ଏଥିସହିତ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ସହିତ ଥିଲେ ବୋଲି ଜଣାପଡିଛି।

ଏହି ଦୁର୍ଘଟଣା ହେବା ପରେ ପ୍ରତିରକ୍ଷା ପ୍ରତିଷ୍ଠାନ ନିକଟସ୍ଥ କାଟେରୀର ଗ୍ରାମବାସୀମାନେ ପ୍ରଥମେ ଦେଖିଥିଲେ। ସେମାନେ ଦୁର୍ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ। ଫଳରେ ଜିଲ୍ଲା ପ୍ରଶାସନ କୋଏମ୍ବାଟୁର ଏବଂ ୱେଲିଙ୍ଗଟନ୍‌ରୁ ଆଠଟି ଆମ୍ବଲାନସ ଏବଂ ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ମୁତୟନ କରିଥିଲେ।

ଦୁର୍ଘଟଣା ପରେ ପରେ ନୀଳଗିରି ଜିଲ୍ଲା କଲେକ୍ଟରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଉଦଗାଣ୍ଡାଲମର ଏକ ଡାକ୍ତରୀ ଦଳ ଏବଂ କୋଏମ୍ବାଟୁରର ବିଶେଷଜ୍ଞମାନଙ୍କୁ ମୁତୟନ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ମଧ୍ୟ ସାହାଯ୍ୟ କରିଥିଲେ।

ଦୁର୍ଘଟଣାଗ୍ରସ୍ତ ସ୍ଥାନଟି ଏକ ଜଙ୍ଗଲ ଅଞ୍ଚଳରେ ଥିଲା। ଯାହା ଫଳରେ ଧ୍ୱଂସାବଶେଷକୁ ଠାବ କରିବା କଷ୍ଟକର ହୋଇ ପଡିଥିଲା। ଘଟଣାସ୍ଥଳରେ ହେଲିକାପ୍ଟରର ଖଣ୍ଡବିଖଣ୍ଡିତ ଅଂଶ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ କେତେକରେ ନିଆଁ ଲାଗି ପାହାଡ ଉପରେ ବିଛାଇ ହୋଇ ପଡି ଥିଲା।

ଉଦ୍ଧାରକାରୀମାନେ ଘନ ଧୂଆଁ ଏବଂ ନିଆଁ ମଧ୍ୟରେ ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ବ୍ୟାପାର ହୋଇଥିଲା। ବର୍ତ୍ତମାନ ଉଦ୍ଧାର ହୋଇଥିବା ଶବଗୁଡ଼ିକ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। କାରଣ ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ଗୁରୁତର ଭାବେ ପୋଡି ଯାଇଛନ୍ତି।

ଦୁର୍ଘଟଣା ହୋଇଥିବା ଏହି ହେଲିକାପ୍ଟରଟି ହେଉଛି ମି ସିରିଜ୍ ମଡେଲର। ଏହା ହେଉଛି ଭାରତୀୟ ବାୟୁସେନାର ଏକ ସୁରକ୍ଷିତ ହେଲିକାପ୍ଟର ଯାହା ପ୍ରଧାନମନ୍ତ୍ରୀଙ୍କ ସମେତ ଭିଆଇପିମାନଙ୍କ ଗସ୍ତ ପାଇଁ ବ୍ୟବହାର କରାଯାଇଥାଏ।