ସେନା ହେଲିକାପ୍ଟର ଦୁର୍ଘଟଣାରେ 14 ଜଣଙ୍କ ମଧ୍ୟରୁ 13 ଜଣଙ୍କ ମୃତ୍ୟୁ, ଜାଣନ୍ତୁ କଣ ଥିଲା ପୁରା ଘଟଣା

Published: Dec 8, 2021, 5:49 pm IST

ନୂଆଦିଲ୍ଲୀ: ଜେନରାଲ ରାୱତକୁ ନେଇ ଯାଉଥିବା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ 13 ଜଣଙ୍କର ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ତେବେ ବିପିନ ରାୱାତଙ୍କ ଅବସ୍ଥା ସଂପର୍କରେ ଏ ପର୍ଯ୍ୟନ୍ତ କେହି ସ୍ପଷ୍ଟ କରିନାହାଁନ୍ତି।

ତାମିଲନାଡୁ ନୀଳଗିରି ଜିଲ୍ଲାର କଲେକ୍ଟରଙ୍କ ସୂଚନା ଅନୁସାରେ ଏଥିରେ ଯାତ୍ରା କରୁଥିବା 14 ଜଣଙ୍କ ମଧ୍ୟରୁ 13 ଜଣଙ୍କର ମୃତ୍ୟୁ ହୋଇଛି। 90 ପ୍ରତିଶତ ପୋଡିଯାଇଥିବା ଜଣେ ମାତ୍ର ବଞ୍ଚିଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଛି। ତେବେ ସେହି ବ୍ୟକ୍ତି କିଏ ସେ ତାହା ସ୍ପଷ୍ଟ ହୋଇ ନାହିଁ। ଜେନରାଲ ରାୱତଙ୍କ ଅବସ୍ଥା ମଧ୍ୟ ଅସ୍ପଷ୍ଟ ରହିଛି।

ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାନେ ମଧ୍ୟ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ଦଶ ମିନିଟ ରହି ଫେରି ଆସିଥିଲେ।

ଦୁର୍ଘଟଣା ସଂପର୍କରେ କେମିତି ମିଳିଲା ଖବର

ତାମିଲନାଡୁର କୋଏମ୍ବାଟୁର ନିକଟ ସୁଲୁରର ବାୟୁସେନା ଘାଟିରୁ ଆଜି ସକାଳେ ଚପରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଉଦଗାମଣ୍ଡାଲମର ୱେଲିଙ୍ଗଟନ୍ ଅଭିମୁଖେ ଯାଉଥିଲା, ଯାହା ଓଟି ନାମରେ ମଧ୍ୟ ଜଣାଶୁଣା, ଯେଉଁଠାରେ ଏକ ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜ ଅବସ୍ଥିତ। ତାମିଲନାଡୁର ନୀଳଗିରି ପାହାଡରେ ଦିନ ପ୍ରାୟ 12.20 ମିନିଟରେ ବିପିନ ରାୱାତଙ୍କ ଏହି ହେଲିକାପ୍ଟର ଦୁର୍ଘଟଣା ହୋଇ ଭୂମିଷ୍ଠ ହୋଇଥିଲା।

ଏଥିରେ ମୋଟ 14 ଜଣ ଯାତ୍ରୀ ଥିଲେ। ସେଥିମଧ୍ୟରୁ ପାଞ୍ଚ ଜଣ କର୍ମଚାରୀ ଏବଂ ନଅ ଜଣ ଅଫିସର ଥିଲେ। ଜେନରାଲ ରାୱତ ଏହି ବିମାନରେ ଥିବାର ବାୟୁସେନା ସ୍ପଷ୍ଟ କରିଛି। ଏଥିସହିତ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ସହିତ ଥିଲେ ବୋଲି ଜଣାପଡିଛି।

ଏହି ଦୁର୍ଘଟଣା ହେବା ପରେ ପ୍ରତିରକ୍ଷା ପ୍ରତିଷ୍ଠାନ ନିକଟସ୍ଥ କାଟେରୀର ଗ୍ରାମବାସୀମାନେ ପ୍ରଥମେ ଦେଖିଥିଲେ। ସେମାନେ ଦୁର୍ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ। ଫଳରେ ଜିଲ୍ଲା ପ୍ରଶାସନ କୋଏମ୍ବାଟୁର ଏବଂ ୱେଲିଙ୍ଗଟନ୍‌ରୁ ଆଠଟି ଆମ୍ବଲାନସ ଏବଂ ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ମୁତୟନ କରିଥିଲେ।

ଦୁର୍ଘଟଣା ପରେ ପରେ ନୀଳଗିରି ଜିଲ୍ଲା କଲେକ୍ଟରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଉଦଗାଣ୍ଡାଲମର ଏକ ଡାକ୍ତରୀ ଦଳ ଏବଂ କୋଏମ୍ବାଟୁରର ବିଶେଷଜ୍ଞମାନଙ୍କୁ ମୁତୟନ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ମଧ୍ୟ ସାହାଯ୍ୟ କରିଥିଲେ।

ଦୁର୍ଘଟଣାଗ୍ରସ୍ତ ସ୍ଥାନଟି ଏକ ଜଙ୍ଗଲ ଅଞ୍ଚଳରେ ଥିଲା। ଯାହା ଫଳରେ ଧ୍ୱଂସାବଶେଷକୁ ଠାବ କରିବା କଷ୍ଟକର ହୋଇ ପଡିଥିଲା। ଘଟଣାସ୍ଥଳରେ ହେଲିକାପ୍ଟରର ଖଣ୍ଡବିଖଣ୍ଡିତ ଅଂଶ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ କେତେକରେ ନିଆଁ ଲାଗି ପାହାଡ ଉପରେ ବିଛାଇ ହୋଇ ପଡି ଥିଲା।

ଉଦ୍ଧାରକାରୀମାନେ ଘନ ଧୂଆଁ ଏବଂ ନିଆଁ ମଧ୍ୟରେ ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ବ୍ୟାପାର ହୋଇଥିଲା। ବର୍ତ୍ତମାନ ଉଦ୍ଧାର ହୋଇଥିବା ଶବଗୁଡ଼ିକ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। କାରଣ ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ଗୁରୁତର ଭାବେ ପୋଡି ଯାଇଛନ୍ତି।

ଦୁର୍ଘଟଣା ହୋଇଥିବା ଏହି ହେଲିକାପ୍ଟରଟି ହେଉଛି ମି ସିରିଜ୍ ମଡେଲର। ଏହା ହେଉଛି ଭାରତୀୟ ବାୟୁସେନାର ଏକ ସୁରକ୍ଷିତ ହେଲିକାପ୍ଟର ଯାହା ପ୍ରଧାନମନ୍ତ୍ରୀଙ୍କ ସମେତ ଭିଆଇପିମାନଙ୍କ ଗସ୍ତ ପାଇଁ ବ୍ୟବହାର କରାଯାଇଥାଏ।

Related posts